ଦେବଦେବଙ୍କ ଦୁର୍ଗତି

 

 

 

 

 

 

 

 

 

 

 

ଦେବଦେବଙ୍କ ଦୁର୍ଗତି

ଚିନ୍ତାମଣି ମିଶ୍ର

 

‘‘ଦେବଦେବଙ୍କ ଦୁର୍ଗତି’’ : ଏକ ମୂଲ୍ୟାୟନ

ପ୍ରଫେସର ଜଗନ୍ନାଥ ମହାନ୍ତି

 

ପ୍ରାୟ ସପ୍ତାହକ ପୂର୍ବେ ନବଜୀବନ ପୁସ୍ତକାଳୟର ପରିଚାଳକ ଶ୍ରୀମାନ କୃଷ୍ଣମୋହନ ମିଶ୍ରଙ୍କଠାରୁ ଗୋଟିଏ ଅନୁରୋଧ ପାଇଲି । ତା’ହେଲା, ‘‘ନନାଙ୍କର ବହି ‘ଦେବଦେଙ୍କ ଦୁର୍ଗତି’ ଉପରେ ଏକ ମୁଖବନ୍ଧ ଲେଖିଦେବେ ।’’

 

ପିତାଙ୍କ ପରି ତାଙ୍କର ସିଧା କଥା । ମୋତେ ସେ କେଉଁ କାରଣରୁ ଏହି ଦାୟିତ୍ୱ ଦେବାକୁ ଚାହିଁଲେ, ସେକଥା ମୋତେ କିଛି କହିଲେ ନାହିଁ । ସ୍ୱନାମଧନ୍ୟ ସାହିତ୍ୟକ ଓ ପତ୍ରିକାସଂପାଦକ ଚିନ୍ତାମଣି ମିଶ୍ର ଓ ତାଙ୍କ ପରିବାର ସହିତ ମୋର ଦୀର୍ଘ ସମ୍ପର୍କ—୧୯୫୮ ଠାରୁ ୧୯୯୮ ପର୍ଯ୍ୟନ୍ତ ୪୦ ବର୍ଷ । ଚିନ୍ତାମଣିବାବୁ ମୋତେ ମୋର ସାରସ୍ୱତ ସାଧନାରେ ପ୍ରଥମରୁ ପ୍ରେରଣା ଦେଇଥିଲେ । ତେଣୁ ତାଙ୍କ ପୁସ୍ତକ ଉପରେ ମୋର ମତାମତ ଦେବା ଏକ ଗୁରୁଦାୟିତ୍ୱ ହେଲେହେଁ ତାହା ମୋର ଏକ ପବିତ୍ର ବୋଲି ଆନନ୍ଦରେ ଗ୍ରହଣ କଲି ।

 

ମୁଁ ପୁରୀ କଲେଜରେ ପଢ଼ୁଥିଲାବେଳେ ଏହି ବହିଟି ପ୍ରଥମେ ପ୍ରକାଶିତ ହୋଇ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ମୁଁ ସେ ବହି କେତେକାଂଶ ପଢ଼ିଥିଲି । ମାତ୍ର ସ୍ପଷ୍ଟ ଭାବରେ କିଛି ମନେ ନଥିଲା । କୃଷ୍ଣବାବୁ ମୋତେ ପୁଣି ପୁରୁଣା ବହିରୁ ଖଣ୍ଡେ ନ ଦେଇ ଏବେ ମୁଦ୍ରିତ ଫର୍ମାଗୁଡ଼ିକୁ ବାନ୍ଧି ମୋତେ ଦେଇଥିଲେ, ଯେଉଁଥିରୁ ପ୍ରଥମ ମୁଦ୍ରଣ ଓ ଲେଖକଙ୍କର ପୁସ୍ତକ ରଚନାରେ ଉଦ୍ଦେଶ୍ୟ କିଛି ଜାଣିପାରିଲି ନାହିଁ । ତେବେ ମୁଁ ଫୋନ କରି ବୁଝିଲି ଯେ ଏହାର ପ୍ରଥମ ପ୍ରକାଶନ ୧୯୫୫ ଓ ଏଥିରେ ଲେଖକଙ୍କର କୌଣସି ପ୍ରସ୍ତାବନା ସ୍ଥାନ ପାଇ ନଥିଲା ।

 

ଚିନ୍ତାମଣିବାବୁ ରୋକଠୋକ ମଣିଷଟିଏ । ସଫା ସଫା କଥା, ତେଣୁ ‘‘ଶୁଆ ମୂଲ ଶୁଆ କହିବ’’ ଏହା ତାଙ୍କର ଧାରଣା । ସେ ତେଣୁ ବହି ବିଷୟରେ ପଦେ କହିନଥିଲେ । ଦେବଦେବଙ୍କ ଦୁର୍ଗତି ପୁସ୍ତକଟି ସତେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଓ ଅଦ୍ୱିତୀୟ । ଏହାର ପ୍ରକାଶନ ଭଙ୍ଗୀଠାରୁ ଭାଷାଶୈଳୀ, ବିଷୟବସ୍ତୁଠାରୁ ସଂରଚନା ଯାଏ ସବୁଥରେ ନୂତନତା । ଯେମିତି ବୁଦ୍ଧିଦୀପ୍ତ, ସେମିତି ରସାଳ । ଏହିସବୁ ସ୍ୱାତନ୍ତ୍ୟ ଅତି ସ୍ୱକୀୟ, ଯାହା ପରବର୍ତ୍ତୀ ଆଲୋଚନାରୁ ସ୍ପଷ୍ଟ ହେବ ବୋଲି ଆଶା କରୁଛି ।

 

ମୁଁ ଏବେ ପର୍ଯ୍ୟଟନ ସାହିତ୍ୟ ରଚନା ଓ ତାର ସ୍ୱରୂପ, ସାମର୍ଥ୍ୟ ଓ ଉପାଦେୟତା ଉପରେ ବିଶେଷ ଆଲୋଚନା କରୁଛି । ଏମିତିକି ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପାଦ୍ରୀ ସାହେବମାନେ ଯେତେବେଳେ ଆମ ଭାଷା ଓ ସାହିତ୍ୟର ମୁଦ୍ରଣ ଓ ପ୍ରକାଶନ ଦାୟିତ୍ୱ ନେଇଥିଲେ, ସେତେବେଳେ ଭ୍ରମଣ ସାହିତ୍ୟର ଉପକାରିତା ଉପରେ ଆଲୋଚନା କରିଥିଲେ ଏବଂ ପିଲାଙ୍କ ପାଠ୍ୟପୁସ୍ତକରେ ବି ଏକ ପ୍ରସଙ୍ଗ ଭାବରେ ଦେଇଥିଲେ । କିନ୍ତୁ ଓଡ଼ିଶାରେ ଗମନାଗମନର ଅସୁବିଧା, ବିପଦ ଆପଦ, ଆର୍ଥିକ ଅସୁବିଧା, ସାମାଜିକ କୁସଂସ୍କାର ଆଦିବହୁ କାରଣରୁ ପରିଭ୍ରମଣ ପ୍ରତି ଆମର ମାନସିକତା ଏତେଟା ଅନୁକୂଳ ନୁହେଁ । ଏମିତିକି ଅନ୍ୟ କେତୋଟିରାଜ୍ୟ—ଯଥା: ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ ସହିତ ମଧ୍ୟ ତୁଳନୀୟ ନୁହେଁ । ତେବେ ଆମେ ଉଚ୍ଚଶିକ୍ଷା, ବାଣିଜ୍ୟ ବ୍ୟବସାୟ, ତୀର୍ଥାଟନ, ବୃତ୍ତିଗତ କାର୍ଯ୍ୟ ଆଦି ଯୋଗୁଁ ଏବେ ଭ୍ରମଣ କରିଥାଉ । ଅବସର ବିନୋଦନ ପାଇଁ ଭ୍ରମଣ ଖୁବ୍‍ ସୀମିତ । ପୁଣି ଭ୍ରମଣ-ଅନୁଭୂତି ଲେଖିବା ଲୋକ ଆହୁରି କମ୍‍ । କାହାର ଏଥିପାଇଁ ବେଳ ଅଛି ? କିଏ ବା ତାକୁ ପଢ଼ୁଛି ?

 

କିନ୍ତୁ ଭ୍ରମଣ ମନୁଷ୍ୟର ଏକ ସ୍ୱାଭାବିକ କାର୍ଯ୍ୟ ଏବଂ ସ୍ୱାଧୀନ ଭାବରେ ନୂତନ ଜ୍ଞାନ ଓ ଅନୁଭୂତି ଲାଭ କରିବା ସହିତ ଆନନ୍ଦ ଉପଭୋଗ କରିବାର ସୁଯୋଗ ପ୍ରଦାନ କରିଥାଏ । ଭ୍ରମଣ ବା ପର୍ଯ୍ୟଟନ ସାହିତ୍ୟ ସମ୍ପ୍ରତି ବିଭିନ୍ନ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ତାର ବିକାଶ ଧାରା ମଧ୍ୟରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳେ । ଏହା କେବଳ ‘‘ଗଲି ଅଇଲି, ଯାହା ଦେଖିଲି, ତାହା ଲେଖିଲି’’ ନୁହେଁ । ତା ପଛରେ ଥିବା କାରଣ, ନିଦାନ ଆଦିର ବିଶ୍ଳେଷଣ ମଧ୍ୟ ଦରକାର । କେବଳ ତଥ୍ୟଗୁଡ଼ିଏ କହିଦେଲେ ବା ତୁମର ନିଛକ ଅନୁଭୂତିମାନ ଥୋଇଦେଲେ ଚଳିବ ନାହିଁ । ମଣିଷ ଓ ତାର ସମାଜ ତାର ଜୀବନ ସଂଗ୍ରାମ ସାଧନା, ଦୁଃଖ ସୁଖ, ସ୍ୱପ୍ନ ଓ ସମ୍ଭାବନା ମଧ୍ୟ ସମ୍ବେଦନା ସହିତ ରୂପାୟିତ ହେବ ।

 

ମୁଁ ଏଥିଭିତରେ ସାନବଡ଼ ୧୦/୧୨ଟି ଭ୍ରମଣ ପୁସ୍ତକ ଲେଖି ଏହା ଅଙ୍ଗେ ଲିଭେଇଚି-। ୧୯୪୮ରେ ପ୍ରକାଶିତ ‘‘ଦୂର ଦିଗନ୍ତ’’ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ)ରେ ମୁଁ ଇଂଲଣ୍ଡ ଓ ୟୁରୋପୀୟ ଦେଶଗୁଡ଼ିକରେ ମୋର ଅନୁଭୂତିମାନ ବର୍ଣ୍ଣନା କରିଥିଲି । ମାତ୍ର ୧୯୯୭ରେ ପ୍ରକାଶିତ ‘‘ଭାରତ ଭ୍ରମଣ’’ରେ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ସ୍ଥାନିତ ହୋଇଛି । ଏହିସବୁ, ଭ୍ରମଣ କାହାଣୀଗୁଡ଼ିକୁ ସାର୍ଥକ କରି ତୋଳିଛି ବୋଲି ଆମ ସାହିତ୍ୟରେ ମହାରଥି ପ୍ରଫେସର ଚିତ୍ତରଞ୍ଜନ ଦାସ ଓ ପ୍ରଫେସର ପଠାଣି ପଟ୍ଟନାୟକଙ୍କ ଦ୍ୱାରା ସମର୍ଥିତ ଓ ପ୍ରଶଂସିତ ହୋଇଛି ।

 

ମୋର ଏହି ଦୀର୍ଘ ପୃଷ୍ଠଭୂମି ଦେବାର ଉଦ୍ଦେଶ୍ୟ ହେଲା—ଆମର ଶଂସିତ ‘‘ଦେବଦେବଙ୍କ ଦୁର୍ଗତି’’ ଏକ ସ୍ୱାଦ୍ୟ ଭ୍ରମଣ କାହାଣୀ । ମାତ୍ର ଗତାନୁଗତିକ ଭ୍ରମଣ ବୃତ୍ତାନ୍ତଠାରୁ ଏହା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । ଏହା ଏକ କାଳ୍ପନିକ ଭ୍ରମଣ କାହାଣୀ । ପୁଣି ଭ୍ରମଣକାରୀ ହେଲେ ସ୍ୱୟଂ ଦେବଦେବ ମହାଦେବ । ତାଙ୍କର ଭ୍ରମଣ ବା ଯାତ୍ରାର ମାଧ୍ୟମ ହେଲା କୌଣସି ଯାନ ନୁହେଁ । ତାହା ଏକ ବାହନ—ବାସୁଆ ବୃଷଭ । ଏହି ପର୍ଯ୍ୟଟନ ପୁଣି କେବଳ ଓଡ଼ିଶାରେ ସମାହିତ ହୋଇଛି ନୂଆ ରାଜଧାନୀ ଭୁବନେଶ୍ୱରକୁ କେନ୍ଦ୍ରକରି । ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ମୁଗ୍‍ଧ ହୋଇନାହାନ୍ତି । ସେ ଆଧୁନିକ ସମାଜର ଜୀବନ ଯନ୍ତ୍ରଣା, ନିର୍ଯ୍ୟାତନା ଓ ନିର୍ମମ ଅତ୍ୟାଚାରର ଶରବ୍ୟ ହୋଇଛନ୍ତି ।

 

ଏହି ସାରସ୍ୱତ କୃତିଟି ଏକ ସରସ ସୁନ୍ଦର ବ୍ୟଙ୍ଗାତ୍ମକ ଭ୍ରମଣ କାହାଣୀ । ଏକ ଲଘୁରସାତ୍ମକ ଉପନ୍ୟାସ କହିଲେ ବି ଚଳିବ ଓ ଏଥିରେ ଆଧୁନିକ ସମାଜ ଓ ସରକାରର ବିଭ୍ରାଟ, ବିଚ୍ୟୁତି ଓ ଅନ୍ୟାୟ ଅତ୍ୟାଚାର ଅତି ନିଚ୍ଛକ ଓ ନିର୍ମମ ଭାବରେ ଆଲୋଚିତ ହୋଇଛି । ବହିଟିର ୧୯୦ ପୃଷ୍ଠାକୁ ଏକାଦିକ୍ରମେ ପଢ଼ିବା ଦରକାର ବୋଲି ସମ୍ଭବତଃ ଲେଖକ ଅଧ୍ୟାୟ ରଖିନାହାନ୍ତି । କେବଳ ୧୩୫ ପୃଷ୍ଠାରୁ ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ପାଠକ ଟିକିଏ ନିଃଶ୍ୱାସ ମାରିବାକୁ, କିନ୍ତୁ ଉକ୍ତ ଭାଗ ଉଲ୍ଲେଖ କରିବା ଅନାବଶ୍ୟକ ।

 

ପୁସ୍ତକଟିର ବିଷୟବସ୍ତୁ ଖୁବ୍‍ ବ୍ୟାପକ, ଯାହାକୁ କହନ୍ତି ଢିଙ୍କିଶାଳରୁ ଢେଙ୍କାନାଳ ଯାଏ । ଅଚାନକ ଭାବରେ ଦିନେ ଭୋରରୁ ମହାଦେବ ବୃଷଭ ପୃଷ୍ଠରେ ମର୍ତ୍ତ୍ୟଭ୍ରମଣରେ ବାହାରିଲେ । ଧର୍ମପତ୍ନୀ ପାର୍ବତୀ ତାଙ୍କ ସାଥିରେ ଯିବାକୁ ଚାହିଁବାରୁ ମହାଦେବ ନୂଆ ଜାଗାକୁ ନେବା ନିରାପଦ ନୁହେଁ ବୋଲି କହିଲେ । ମାତ୍ର ପାର୍ବତୀ କହିଲେ ‘‘ନୂଆ ଜାଗା ହେଉ ବା ପୁରୁଣା ଜାଗା ହେଉ, ମୁଁ ତ ତୁମ୍ଭର ଅର୍ଦ୍ଧାଙ୍ଗିନୀ, ମୋତେ ଛାଡ଼ିକରି ତୁମେ କିପରି ଯିବ ? ଶକ୍ତିକୁ ଛାଡ଼ି ଶିବ ଏକୁଟିଆ ରହିବା ଆଜିଯାଏଁ କେହି କଳ୍ପନା କରିନାହାନ୍ତି’’ (ପୃ:୧) । ସ୍ତ୍ରୀପୁରୁଷ କିପରି ପରସ୍ପର ପରିପୂରକ ଓ ସେମାନଙ୍କ ସହଯୋଗ ସମାଜର ବିକାଶ ପାଇଁ ଏକାନ୍ତ ଆବଶ୍ୟକ, ଏହା ଏଥିରୁ ସ୍ପଷ୍ଟ ହୋଇଥାଏ-

 

ଆଜିକାଲିର ସମାଜରେ ସ୍ତ୍ରୀମାନଙ୍କ ଉପରେ ଯେମିତି ଅତ୍ୟାଚାର ଧର୍ଷଣ, ଅପହରଣ ଆଦି ହେଉଛି, ୪୩ ବର୍ଷ ତଳୁ ଦୂରଦ୍ରଷ୍ଟା ଲେଖକ ତା’ର କିପରି ନିଚ୍ଛକ ସତ୍ୟ ଚିତ୍ର ପ୍ରଦାନ କରିଛନ୍ତି, ଦେଖନ୍ତୁ । ମହାଦେବଙ୍କ ସହିତ ପାର୍ବତୀ ମର୍ତ୍ତ୍ୟଭ୍ରମଣରେ ଯିବାକୁ ଲଗାଇବାରୁ ଲେଖକ ମହାଦେବଙ୍କ ମୁଖରେ କହିଛନ୍ତି, ‘‘ବର୍ତ୍ତମାନ ସିନେମା ଫିନେମା (ସେତେବେଳେ ଟେଲିଭିଜନ ନଥିଲା) ଦେଖି ମର୍ତ୍ତ୍ୟରେ ଟୋକାଙ୍କ ମନ ଯେପରି ଚଞ୍ଚଳ ହେଲାଣି, ସେଥିରେ ମୋ ପରି ଗୋଟିଏ କୁରୂପ ଲୋକ ସଙ୍ଗେ ତୁମ ପରି ଏପରି ସୁନ୍ଦରୀ ରମଣୀ ଦେଖିଲେ, ମର୍ତ୍ତ୍ୟର ଟୋକାମାନେ ଆମକୁ ବସେଇ ଉଠେଇ ଦେବେ ? ପୁଣି ଯଦି ତୁମକୁ ସିନେମା ଅଭିନେତ୍ରୀ ବୋଲି ଭୁଲ ବୁଝନ୍ତି, ତେବେ ତୁମକୁ ଦେଖିବାକୁ, ତୁମ ଦସ୍ତଖତ ନେବାକୁ ସମସ୍ତେ ତୁମ ପିଛା ଧରିବେ । ତୁମେ ସମ୍ଭାଳିବଟି ? ମୁଁ କଣ ନିଶ୍ଚିନ୍ତ ହୋଇ କିଛ ଦେଖିପାରିବ ?’’ କେତେ ରସାତ୍ମକ ଶୈଳୀରେ ବାସ୍ତବ ବିଷୟଟିର ରୂପାୟନ ହୋଇଛି ସତେ !

 

ମହାଦେବଙ୍କର ଉତ୍ତର ଶୁଣି ପାର୍ବତୀ ଅଭିମାନରେ ଯାହା କହିଛନ୍ତି, ତାହା ଆଜିର ନାରୀ ମୁକ୍ତି ଆନ୍ଦୋଳନ ତଥା ସଂରକ୍ଷଣ ଦାବି ତଥା ଅଧିକାର ଆବେଦନର ଅନ୍ତଃସ୍ୱର ପରି ଅନୁମିତ ଓ ଅନୁଭୂତ । ତାଙ୍କ ତୁଣ୍ଡରେ ଅଭିବ୍ୟକ୍ତ ହୋଇଛି, ‘‘ଖାଲି ସିନା ମୋତେ ଶକ୍ତି ଶକ୍ତି ବୋଲି କହୁଥାଅ, କିନ୍ତୁ ସବୁବେଳେ ତୁମର ମୋ ପ୍ରତି ଛୋଟ ନଜର । ମିଛରେ କଣ ମର୍ତ୍ତ୍ୟରେ ସ୍ୱାଧୀନତା ପାଇଁ ଏତେ ଆନ୍ଦୋଳନ ଚାଲିଛି ? ପୁରୁଷ ସ୍ୱାଧୀନ ଭାବରେ ଯେପରି ଚଳିପାରୁଛି, ସୁବିଧା ମିଳିଲେ ସ୍ତ୍ରୀ କ’ଣ ସେପରି ଚଳିପାରିବ ନାହିଁ ?’’ ନାରୀ ସମାଜକୁ ଉପଯୁକ୍ତ ଅଧିକାର ଦେବା ସପକ୍ଷରେ ଲେଖକଙ୍କର ଯୁକ୍ତି ଆଜି କେତେ ପ୍ରାସଙ୍ଗିକ, ତାହା ଦେଖିବାର କଥା । ସେ ଯଥାର୍ଥରେ କହିଛନ୍ତି, ‘ଖାଲି କଣ ତୁଣ୍ଡରେ ଲୋକେ ସ୍ୱାଧୀନ ହୋଇଯାଆନ୍ତି ? ସ୍ୱଭାବ ଓ ବେଷ୍ଟନୀ ଅନୁକୂଳ ହେବାର ଚାହି ।’’ ନିରାଟ ସତକଥାଟିଏ !

 

ଆମ ସମାଜରେ କିପରି ଦିନକୁ ଦିନ ଅହିଂସା ନାଁରେ ହିଂସା, ସତ୍ୟାଗ୍ରହ ନାଁରେ ଦୁରାଗ୍ରହ ବା ମିଥ୍ୟାଗ୍ରହ ଚାଲିଛି, ତାହା ସୂଚାଇବାକୁ ଯାଇ ପାର୍ବତୀଙ୍କ ମାଧ୍ୟମରେ କୁହାଯାଇଛି, ‘‘(ମହାତ୍ମାଗାନ୍ଧି) ଅଶକ୍ତର ଅହିଂସାକୁ ପସନ୍ଦ କରୁନଥିଲେ । ସେ ଚାହୁଁଥିଲେ, ଶକ୍ତିମାନର ଅହିଂସା-। ତୁମେ ଯାଅ, ଦେଖି କରି ଆସିବ ନାହିଁ କି, ମର୍ତ୍ତ୍ୟରେ ବର୍ଷକୁ ବର୍ଷ ପୁଲିସ କପିରି ବଢ଼ୁଛନ୍ତି, ସେନା କିପରି ଟାଣ ହେଉଛନ୍ତି । ବାସୁଆ ପାଟିରେ କୁହାଯାଇଛି, ‘‘ଭାରତରେ ପୁଲିସ ଯେତିକି ବଢ଼ୁଛନ୍ତି, ଅପରାଧ ସେତିକି ବଢ଼ୁଛି । ମଣିଷମାରୁ ଆସାମୀ ମଧ୍ୟ ଦଣ୍ଡ ନ ପାଇ ଖସିଯାଉଛି ।’’ ବାସୁଆ ଆଜିର ବାସ୍ତବତାକୁ ଅତି ସ୍ପଷ୍ଟ କରି କହିଛି ।

 

ତୋଷାମଦ ଓ ଚାଟୁକଥା ଆଜି କିପରି ସୀମା ଟପିଛି ଏବଂ ତଳିଆମାନଙ୍କୁ ନ ଧରିଲେ ଉପର ବାବୁମାନଙ୍କ ପାଖରେ କାମ ହେଉନାହିଁ, ଏଥିପ୍ରତି କଟାକ୍ଷ କରି ଲେଖକ ଲେଖିଛନ୍ତି, ‘‘ଚାଲିଲୁ ଦେଖି ଭୁବନେଶ୍ୱର ଯିବା । ସେଠାରେ ତ ଆମକୁ ଅପମାନ ମିଳିବ ନାହିଁ । ସେଠାରେ ମୋର ନୁହେଁ, ତୋ ପୂଜା ବି ଯୁଗ ଯୁଗ ହେଲା ଚାଲିଛି । ତୋ ବୃଷଣକୁ ନ ଛୁଇଁଲେ ମୋ ପାଖକୁ ଯାଆନ୍ତି ନାହିଁ ପରା !’’ ଆଜିର କୃତ୍ରିମତାକୁ କଟାକ୍ଷ କରି ଏବଂ ବିକାଶ ନାଁରେ କିପରି ବିନାଶ ଚାଲିଛ, ତାର ସ୍ପଷ୍ଟ ସୂଚନା ଲେଖକ ସରସ ସଂଳାପ ମଧ୍ୟରେ ଫୁଟାଇଛନ୍ତି । ‘‘ମର୍ତ୍ତ୍ୟର ଅନ୍ୟ ଯେ କୌଣସି ଅଞ୍ଚଳରୁ ଧର୍ମ ଉଠିଯାଇପାରେ, କିନ୍ତୁ ଓଡ଼ିଶା ଧର୍ମକୁ ଛାଡ଼ିବ କୁଆଡ଼ୁ ? ଓଡ଼ିଶା ପରା ମର୍ତ୍ତ୍ୟର ବୈକୁଣ୍ଠ ! ମତେ ତ ଦିଶୁଛି ଓଡ଼ିଶାରେ ଧର୍ମଭାବ ବଢ଼ୁଛି । ସେତେବେଳେ ସିନା ଲୋକେ ଦିଅଁଙ୍କ ପାଇଁ ଦେଉଳ ତୋଳୁଥିଲେ, ହେଇଟି ଏବେ ନିଜ ଘର ସବୁ ଦେଉଳ ପରି ଗଢ଼ିଲେଣି । ଆଜି ଆଉ ପୁରୁଣା ଭୁବନେଶ୍ୱର ଯିବା ନାହିଁ । ମୋତେ ନୂଆ ଭୁବନେଶ୍ୱରରେ ଓହ୍ଲାଇ ଦେଇ ତୁ ଯା ଚର । ଚାରିଆଡ଼ ଗଛବୃକ୍ଷ କିଛି ନାହିଁ । ଖାଲି ଘାସ ପଡ଼ିଆ । ଇତିମଧ୍ୟରେ ମୁଁ ଦେଉଳିଆ ଘରଗୁଡ଼ାକ ଟିକିଏ ଦେଖିଆସେ ।’’

 

ଏଠାର ସୂଚେଇଦେବା ଉଚିତ୍‍ ହେବ ଯେ, ସେତେବେଳେ (୧୯୫୪-୫୫) ବର୍ତ୍ତମାନର ଦୁଇନମ୍ୱର ୟୁନିଟ୍‍ର ମାର୍କେଟ୍‍ ବିଲଡିଂରେ ଓଡ଼ିଶା ସେକ୍ରେଟେରିଏଟ୍‍ କାର୍ଯ୍ୟ କରୁଥିଲା-

 

ଅଫିସର ବାରଣ୍ଡାର ଅଳିଆ ଭର୍ତ୍ତିହୋଇଛି, କର୍ମଚାରୀମାନେ ନିର୍ଜୀବ ଓ ବିଷଣ୍ଣ ହୋଇ ଆସୁଛନ୍ତି ଏବଂ ଅଫିସ କାର୍ଯ୍ୟ କରିବାରେ ଆଗ୍ରହ ଉତ୍ସାହ ଦେଖାଉନାହାନ୍ତି, ତାକୁ ସବୁ ଲକ୍ଷ୍ୟ କରି ଲେଖକ କଟାକ୍ଷ କରିଛନ୍ତି, ‘‘ସେକ୍ରେଟେରିଏଟ୍‍ କର୍ମଚାରୀମାନେ ସତେ ଯେପରି ଘୋଷରା ହୋଇ ଆସିଲା ପରି ଆସି ସେହ ବାରଣ୍ଡା ବାଟେ ଘର ଭିତର ପଶିଲେ ଓ ମୋଡ଼ିଭିଡ଼ ହୋଇ ନିଜ ଆସନଟିମାନ ଧଇଲେ । ସେମାନଙ୍କୁ ଦେଖି ମହାଦେବଙ୍କ ମନ ଅନୁକମ୍ପାରେ ପୂର୍ଣ୍ଣ ହୋଇଗଲା । ସେ ସ୍ଥିର କରିଦେଲେ, ବୋଧହୁଏ ଏ ସମସ୍ତଙ୍କ ଘରେ ମୃତିକିଆ । ଦୁଃଖରେ ଏତେ ଅଭିଭୂତ ହୋଇଯାଇଛନ୍ତି ଯେ ସମୟ ଜଣାପଡ଼ୁନାହିଁ, ଅସଣା ବି ବାଧୁନାହିଁ । କେତେ ସତ ଆଜିକାଲି ଆମ ଅଫିସ ଓ ତାର ବାବୁମାନଙ୍କ କଥା !

 

ମହାଦେବ ହାକିମମାନଙ୍କର ଗାଡ଼ି ମଟର ଭିଡ଼ ଦେଖି ଓ ସାନ ବାବୁମାନଙ୍କ ବିଲୁଆବିଚାର, ଗୁଲିଖଟି ଗପ ଶୁଣି ତଟସ୍ଥ ! ଲେଖକ ବର୍ଣ୍ଣନା କରିଛନ୍ତି, ‘‘ଦି ପହରେ ଖୁସି ଗପ କରିବା ପାଇଁ ଚୌକି ଟେବୁଲ ପଡ଼ି ଏପରି ସୁବନ୍ଦୋବସ୍ତ ହୋଇଥିବାର ଦେଖି ମହାଦେବ ଖୁସି ହେଲେ । ଏଡ଼େ ଖୁସିରେ ଗପ କରୁଥିବା ବାବୁମାନେ ଏତେ ମନ ଦୁଃଖରେ କାହିଁକି ଘର ଭିତରକୁ ଆସୁଥିଲେ, ସେ ବିଷୟରେ ଅନୁସନ୍ଧିତ୍ସୁ ହୋଇ ମହାଦେବ ଘର ଭିତରକୁ ପଶିଲେ ।’’ ମାତ୍ର ତାଙ୍କୁ ଦେଖି କର୍ମଚାରୀମାନେ ହୁରୁଡ଼େଇଛନ୍ତି ଏବଂ ‘‘ସାହେବ’’ ଦେଖିଲେ ବୁଢ଼ାର ଅବସ୍ଥା ଅସମ୍ଭାଳ କରିଦେବେ ବୋଲି ଡରାଇଛନ୍ତି । ମହାଦେବ ତେଣୁ ପଚାରିଛନ୍ତି, ‘‘ ସାହେବ କିଏ ? ସାହେବ କଣ ଆଉ ଏ ଦେଶରେ ଅଛନ୍ତି ? ସେମାନେ ପରା ସ୍ୱରାଜ୍ୟ ଦେଇ ବାହାରିଗଲେ ?’’

 

ସାନଠାରୁ ବଡ଼ କର୍ମଚାରୀମାନେ ସମସ୍ତେ କିପରି ନିଜ କର୍ତ୍ତବ୍ୟ କରିବାରେ ବୀତିସ୍ପୃହ, ତାହା ଦେଖିବାକୁ ଯାଇ ଲେଖକ ସୂଚାଇଛନ୍ତି ଟାଇପିଷ୍ଟମାନଙ୍କର ଟାଇପ କରିବା ଓ ଷ୍ଟେନୋମାନଙ୍କର ଡିକ୍ଟେସନ ନେବା ଓ ହାକିମଙ୍କ ନୋଟ ଦେବାରେ ଆଉ ଅଭ୍ୟାସ ନାହିଁ । ‘‘ସେ (ସାହେବ) ଅନ୍ୟର ଲେଖା ତଳେ କେବଳ ଦସ୍ତଖତ କରନ୍ତି । ନିଜେ ଗୁଡ଼ାଏ ପରିଶ୍ରମ କରି ନିଜର ମତାମତ ଲେଖିବାକୁ ବା ଲେଖାଇବାକୁ ଚାହାନ୍ତି ନାହିଁ ।’’ ସେ ପୁଣି କହିଲେ, ‘‘ ବୁଢ଼ା, ତୁମେ ଏସବୁ ବୁଝିବ କୁଆଡ଼ୁ ? ଶାସନ କାର୍ଯ୍ୟ ଏପରି ନୁହେଁ ଯେ ନିପଟ ମଫସଲ ମୂର୍ଖ ରାସ୍ତା ଉପରୁ ଚାଲି ଆସି ବଳଦିଆ ଢଙ୍ଗରେ କଥା ନିଷ୍ପତ୍ତି କରିଦେବ । ତୁମେ ଜାଣ, ଶାସନ କାର୍ଯ୍ୟ ଶିକ୍ଷା କରିବାକୁ, ସେ ବିଷୟରେ ଉଚ୍ଚ ଯୋଗ୍ୟତା ହାସଲ କରିବାକୁ ମୁଁ ଇଂଲଣ୍ଡ ଆମେରିକାରେ ୫ ବର୍ଷ କଟାଇଛି । ପୁଣି ବି ଯିବାକୁ ବାହାରିଛି । ତୁମେ ସବୁ ଗୋରୁ ଚରାଅ । ଆମେ ମଣିଷ ଚରାଇବାକୁ ଶିଖି କରି ଆସିଛୁ ।’’ ଆଜିର ହାକିମମାନଙ୍କ ଦୋଷଦୁର୍ବଳତା ପ୍ରତି ଲେଖକ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

 

ସରକାରୀ ଅଫିସରେ ମହାଦେବଙ୍କ ଅନଧିକାର ପ୍ରବେଶ ଓ ଆଲୋଚନାଯୋଗୁଁ ତାଙ୍କୁ ହାଜତରେ ପୂରାଇ ଦିଆଗଲା । ଏହା ପୂର୍ବରୁ ସହାନୁଭୂତି ସ୍ୱରରେ ସବ୍‍ଇନ୍‍ସପେକ୍ଟର କହିଲେ–‘‘ବିଚରା ଗାଁଲୋକ ଗାଁରେ ଭଲରେ ଥିଲା । ଏଠାକୁ ଆସି ବଡ଼ ବଡ଼ କଥାର ମୁଣ୍ଡ ପୂରାଇଲା କାହିଁକି ? ସାହେବଗୁଡ଼ାକ ଯେମିତି ଜିଦ୍‍ଧରିଲେଣି ୟାକୁ ଜେଲଖାନାରେ ଘଣା ନ ପେଡ଼ାଇ ଛାଡ଼ିବେ ନାହିଁ.....ହଁ, ଆମର କଣ ଯାଉଛି ? ବୁଢ଼ା ଜେଲଖାନା ଖଟୁ ବା ଫାଶି ଝୁଲୁ, କୁଟୁମ୍ୱ ପୋଷିବା ବୋଲି ତ ଚାକିରି କରିଥାଇଁ ।’’

 

ମହାଦେବ ପୁଣି ଏହା ଶୁଣି କହିଥିଲେ, ‘‘ବାବୁ, ଏସବୁ ଯେଉଁ ଚାକିରି ଆପଣମାନେ କରୁଛନ୍ତି, ଏ କଣ ଆପଣଙ୍କ କୁଟୁମ୍ବ ପୋଷିବା ପାଇଁ ନା ଆଉ କଣ କାରଣ ଅଛି ?’’

 

ବଡ଼ କନେଷ୍ଟବଲ ଜଣକ ମହାଦେବଙ୍କ ପିଠିରେ ଲେଡ଼ା ମାରି ଦେଇ କହିଲା, ‘‘ବୁଢ଼ା ତୁ ତ ଅସଲ ମାଡ଼ୁଆଟେ । ତୁନୀ ହୋଇ ରହିପାରୁ ନାହୁଁ ? ହାକିମମାନଙ୍କ କଥାରେ କଥା ମିଶାଇ ଏମିତି କହନ୍ତି ?’’

 

ଉପରୋକ୍ତ ଓ ପରବର୍ତ୍ତୀ ସଂଳାପଗୁଡ଼ିକରୁ ସ୍ପଷ୍ଟ ହୁଏ ଯେ ଆଜିର ଯୁଗରେ ସବୁକଥାରେ ହାଁଜି କରିବା, ତୋଷାମୋଦ କରି ନିଜ କାର୍ଯ୍ୟଟି କରାଇନେବା ହେଉଛି ଆମ କିରାଣୀ ଓ ହାକିମଙ୍କର ଧ୍ୟେୟ ।

 

ସରକାରୀ କର୍ମଚାରୀ ଓ ରାଜନୀତିଜ୍ଞମାନଙ୍କଠାରୁ ଫାଇଦା ଉଠାଇବା ଅନେକଙ୍କର ଅଭ୍ୟାସ ହୋଇଛି ।

 

ସରଳ, ସାବଲୀଳ ଭାଷାରେ ଲେଖକ ଦେବଦେବଙ୍କ ଦୁର୍ଗତି ବର୍ଣ୍ଣନା କରିଛନ୍ତି ବିଭିନ୍ନ ପରିସ୍ଥିତି ଓ ଚରିତ୍ର ମାଧ୍ୟମରେ । ଜେଲରେ ରହିଲାବେଳ ଯେଉଁମାନେ ମହାଦେବଙ୍କର ସହବାସୀ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ହାକିମଙ୍କୁ ନିଜ ଘର ଚାଉଳ, ଘିଅ ଆଦି ଦେବାବେଳେ, ଅନ୍ୟ ଅଫିସର କେତେଜଣ ପାଖରେ ଥିବାରୁ ସଂପୃକ୍ତ ଅଫିସର ନିଜର ସାଧୁତା ଦେଖିବାକୁ ତାଙ୍କୁ ପୁଲିସରେ ଦେଇଥିଲେ ।

 

ଲେଖକ କଥା ଓ ବ୍ୟବହାରେ ଖୁବ୍‍ ସ୍ପଷ୍ଟବାଦୀ ଓ ରୋକଠୋକ ହୋଇଥିବାରୁ ଅନେକେ ତାଙ୍କୁ ଭୁଲ ବୁଝନ୍ତି । ମାତ୍ର ସେ ଥିଲେ ଖୁବ୍‍ ମେଳାପୀ ଓ ଗଣତନ୍ତ୍ରବାଦୀ । ହାକିମମାନେ ପାଖରେ ଚଉକି ଖାଲି ପଡ଼ିଥଲେ ହେଁ ନିଜ ଅଫିସର ନିମ୍ନ କର୍ମଚାରୀମାନଙ୍କୁ ବସିବାକୁ କହନ୍ତି ନାହିଁ । ଏଥିରେ ହାକିମଙ୍କ ମାନହାନି ହୁଏ । ମହାଦେବଙ୍କ ସଂଳାପରେ ଲେଖକ ଶୁଣାଇଛନ୍ତି, ‘‘ଏ ହାକିମଗୁଡ଼ାଙ୍କର ଅତି ଅଳ୍ପକେ ମାନହାନି ହୋଇଯାଉଛି ।’’ ସେମିତି ‘‘ବୋଝ ମୁଣ୍ଡିଆର ପୁଅ’’ଙ୍କୁ ଲାଜ ଲାଗେ, ହାତରେ ତଳ ଶ୍ରେଣୀରେ ଲୋକଙ୍କ କାର୍ଯ୍ୟ କଲେ ଅପମାନ ଲାଗେ, ଶିକ୍ଷା ପାଇ ପରିବାରର ବୃତ୍ତି କଲେ ଲାଜମାଡ଼େ ଇତ୍ୟାଦିରେ ଲେଖକ ମର୍ମାହତ । ଲେଖକଙ୍କୁ କେତେଜଣ ରକ୍ଷଣଶୀଳ ବୋଲି କହିଲେ ହେଁ ପ୍ରକୃତରେ ସେ ଥିଲେ ପ୍ରଗତିବାଦୀ । ମହାଦେବଙ୍କ ମାଧ୍ୟମରେ ସେ କହିଛନ୍ତି, ‘‘ଖାଲି ବ୍ରାହ୍ମଣ ଘର ଜାତ ହେଲା ବୋଲି କେହି ବ୍ରାହ୍ମଣ ହୋଇନପାରେ ।’’

 

ଏହି ପ୍ରସଙ୍ଗରେ ମୋର ମନେପଡ଼େ ଏକ ଅନୁଭୂତି । ୧୯୫୭ ମସିହାର ମୋ ବୋଉର ମୃତ୍ୟୁ ଓ ତାର ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାପାଇଁ ଗାଁକୁ ଯିବାବେଳେ ଓ ୧୯୬୬ ମସିହାରେ ତାର ଅସ୍ଥି ପ୍ରୟାଗ ସଙ୍ଗମରେ ବିସର୍ଜନ କଲା ପରେ ମୋ ମନରେ ଯେଉଁ ଆବେଗାନୁଭୂତି ହୋଇଥିଲା, ତାକୁ ନେଇ ଦୁଇଟି କବିତା ରଚନା କରିଥିଲି । ସେଥିରେ ସମସ୍ତ କ୍ରିୟାକର୍ମକୁ ସମାଲୋଚନା କରି ‘‘ବୃଥା ସେ ତିଳତର୍ପଣ, ବ୍ରାହ୍ମଣର ମନଭୁଲା କାମ’’ ଓ ‘‘ସେହି ବିସର୍ଜନ ମିଥ୍ୟା କିବା, ସେ ସଂକଳ୍ପ ଅଳୀକ ବଞ୍ଚନା’’ ଆଦି କେତେକ କଟୂକଥା ଲେଖିଥିଲି । ମାତ୍ର ଏହି କବିତା ଦୁଇଟିକୁ ଚିନ୍ତାମଣିବାବୁ କେବଳ ‘‘ନବଜୀବନ’’ରେ ପ୍ରକାଶ କରିନଥିଲେ, ମୋତେ ଉତ୍ସାହିତ କରିଥିଲେ ମଧ୍ୟ । ଏହା ତାଙ୍କର ପ୍ରଗତିବାଦୀ ଓ ଉଦାର ଚିନ୍ତାଧାରାର ସ୍ପଷ୍ଟ ଦୃଷ୍ଟାନ୍ତ ।

 

ଏହା ବ୍ୟତୀତ କମ୍ୟୁନିଷ୍ଟ ଓ ଟ୍ରେଡ଼ ୟୁନିୟନ ନେତାମାନଙ୍କର ଆନ୍ଦୋଳନ ଓ ବିପ୍ଳବ, ଛାତ୍ରନେତାମାନଙ୍କର ପ୍ରାଦୁର୍ଭାବ, ଧର୍ମଘଟ ଓ ହରତାଳ, ଗ୍ରାମ୍ୟଲୋକମାନ ହାକିମ-କିରାଣୀଙ୍କ ଦ୍ୱାରା ଅତ୍ୟାଚାରିତ ହେବା, ଦୋକାନୀମାନଙ୍କର ବ୍ୟଭିଚାର, ମଦ୍ୟାପନର ପରାଭବ, ଆମେରିକା ଗୁଣ୍ଡଦୁଗ୍‍ଧର ଅସଦ୍‍ବ୍ୟବହାର ଆଦି ଅସଂଖ୍ୟ କୁନୀତି ଓ କୁସଂସ୍କାରକୁ ଲେଖକ କଠୋର ସମାଲୋଚନା କରିଛନ୍ତି ତାଙ୍କର ବିଭିନ୍ନ ଚରିତ୍ର ମାଧ୍ୟମରେ । ଲେଖକଙ୍କର ବହୁ ଉକ୍ତି ତ ଆଧୁନିକ ଯୁଗର ଆର୍ଷବାଣୀ ପରି ମନେହୁଏ । ସେଗୁଡ଼ିକ ମଧ୍ୟରୁ ଅନେକ ତ ବ୍ୟଙ୍ଗ ବାଣରେ ଶାଣିତ ଓ ରସାଣିତ । ସେଥିରୁ କେତୋଟି ସଂଳାପ ହେଲା—‘‘ଆଜିକାଲି ଦେହ ପଛେ ଯାହା ହେଉ, ଲୁଗା ସଫା ନ ରହିଲେ ଦଣ୍ଡେ ଚଳିହେବ ନାହିଁ ।’’ (ପୃ୬୪)

 

‘‘ନୂଆ ରାଜଧାନୀରେ ଚରିବାକୁ ଛାଡ଼ିଦେଇଥିଲେ ! ତୁମ ଷଣ୍ଢ (ବାସୁଆ) ଗୋଡ଼ି ଖାଏ ନା କଣ ?’’ (ପୃ୭୭)

 

‘‘ନାଇଁ ଗୋସେଇଁ, ମୋ ଷଣ୍ଢ ଆଜନ୍ମ ବ୍ରହ୍ମଚାରୀ । ସେ ବହୁ ଦିନରୁ ମୋ ସଙ୍ଗରେ ଅଛି-। ମୁଁ ସେଥିରେ ବସି ଯିବା ଆସିବା କରେ ।’’ (ପୃ୭୯)

 

‘‘ସେମାନେ (ଦୁର୍ନୀତିଗ୍ରସ୍ତ ବ୍ୟବସାୟୀ) ପରା ଗୋରୁ ମାରି ଜୋତା ଦାନ କରି ଉଦ୍ଧାର ହେବେ ବୋଲି ବଚାରନ୍ତି ।’’ (ପୃ୯୦)

 

‘‘ସରକାର ଦିଅଁ ଗଢ଼ୁ ଗଢ଼ୁ ବେଳେବଳେ ମାଙ୍କଡ଼ ଗଢ଼ି ପକାଇବେ ।’’ (ପୃ୯୬)

 

‘‘ଚାକିରି ଖଣ୍ଡେ ଯଦି ମିଳିଲା, ଭାର୍ଯ୍ୟାକୁ ଧରି ସହରକୁ ପଳାଉଛନ୍ତି, ନୋହିଲେ ଘରେ ବସି ବାପମାଙ୍କୁ କନ୍ଦାଉଛନ୍ତି ।’’ (ପୃ୯୭)

 

‘‘ଯେଉଁ ପିଲାଟିମାନେ ପାଠ ପଢ଼ୁଛନ୍ତି, ସେମାନେ ଯଦି କାମକୁ ଇମିତି ଛେଳି ନ ହୁଅନ୍ତେ, ତା’ହେଲେ ପାଠ କଣ କାହାକୁ ଗନ୍ଧାନ୍ତା ।’’ (ପୃ.୯୭)

 

‘‘ଯେଉଁ ମୌଳିକ ସ୍କୁଲ ବସୁଛି, ସେସବୁ ଇଂରେଜପଢ଼ା ବାବୁଙ୍କ ହାତରେ, ଖଡ଼ିକି ହେଉନାହିଁ କି ପେଡ଼ିକି ହେଉନାହିଁ ।’’ (ପୃ୯୮)

 

‘‘ବ୍ରାହ୍ମଣମାନେ ସାମାଜରେ ଯେପରି ମଲାଙ୍ଗ ପରି ବଢ଼ୁଥିଲେ, ତାହା ଯେତେ ଶୀଘ୍ର ବନ୍ଦ ହୁଏ ସେତେ ଭଲ ।’’ (ପୃ୧୦୩) ।

 

‘‘ଆଜିକାଲି ଆଉ ବ୍ରାହ୍ମଣ କଣ ଅଛନ୍ତି ? ଏ ଯୁଗରେ ତ ମୋ ଜାଣିବାରେ ଜଣେ ମାତ୍ର ବ୍ରାହ୍ମଣ ବାହାରିଥିଲ, ମହାତ୍ମାଗାନ୍ଧି ।’’ (ପୃ୧୦୪)

 

‘‘ଶରୀରର ପରାଧୀନତା ଅପେକ୍ଷା ମନର ପରାଧୀନତା ଆହୁରି ଭୟଙ୍କର-।’’(ପୃ୧୦୫)

 

‘‘କୌଣସି ବିଶିଷ୍ଟ ଶବ୍ଦ ନାହିଁ ବୋଲି ନିଜ ଭାଷାକୁ ଛାଡ଼ିଦେବା ଯେପରି, ସୁନ୍ଦର ନୁହେଁ ବୋଲି ନିଜ ବୋଉକୁ ବୋଉ ବୋଲି ନ ମାନିବା ସେହିପରି ।’’ (ପୃ୧୦୮)

 

‘‘ଟୁରିଷ୍ଟ ଅର୍ଥାତ୍‍ ପର୍ଯ୍ୟଟକ ଯେତିକି ସଂଖ୍ୟାରେ ଆସିବେ, ସେଇ ଅନୁକ୍ରମେ ବିଭିନ୍ନ ଦେଶର ଲୋକଙ୍କ ଭିତରେ ସହଯୋଗ ରହିବ । ପୃଥିବୀରେ ଶାନ୍ତି ସ୍ଥାପିତ ହେବ ।’’(ପୃ୧୧୫)

 

ଉପରୋକ୍ତ ବକ୍ତବ୍ୟଗୁଡ଼ିକର ଉପାଦେୟତା ଓ ପ୍ରାସଙ୍ଗିକତା ଏଠାରେ ବିସ୍ତୁତ ଭାବରେ ଆଲୋଚନା କରିବାକୁ ମନ ହେଉଥିଲେ ହେଁ ସ୍ଥାନାଭାବ ଦୃଷ୍ଟିରୁ ସେଥିରୁ ନିବୃତ୍ତ ହେଉଛି ।

 

ମହାଦେବ ଜେଲରେ ରହିବା ସହିତ ତାଙ୍କର ବାହନ ବାସୁଆ ଷଣ୍ଢ କିପରି ଗୋଟିଏ ସର୍କସରେ ‘‘କଥାକୁହା ଷଣ୍ଢ’’ ଭାବରେ ବ୍ୟବହୃତ ହୋଇଛି, ତାହା ଲେଖକ ଖୁବ୍‍ ସରସ ଓ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଏହା ପରେ ସେମାନେ ଓଡ଼ିଶାରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ବହୁବିଧ ପ୍ରସଙ୍ଗ ଉପରେ କଟୁତିକ୍ତ ମନ୍ତବ୍ୟ ଦେଇଛନ୍ତି । ସ୍ଥୂଳତଃ, ଅତ୍ୟନ୍ତ ମନୋଜ୍ଞ ଶୈଳୀରେ ବର୍ଣ୍ଣିତ ଏହା ଏକ ଅତୁଳନୀୟ ବ୍ୟଙ୍ଗାତ୍ମକ ଭ୍ରମଣ କାହାଣୀ ।

 

ଏହାର ପରିବେଷଣ ଭଙ୍ଗୀ କାଳ୍ପନିକ ହେଲେହେଁ ଆଧୁନିକ ସାମଜର ବାସ୍ତବ ରୂପ, ଜ୍ୱଳନ୍ତ ସମସ୍ୟା, ଜୀବନର ଜଞ୍ଜାଳ ଓ ଯାତନା ସବୁ ସତେ ଯେମିତି ମନୋଜ୍ଞ, ସେମିତି ରସୋତ୍ତୀର୍ଣ୍ଣ ରୀତିରେ ଅଭିବ୍ୟକ୍ତ ।

 

ସବୁ ଭିତରେ ସାର୍ଥକ ଓ ସ୍ମରଣୀୟ ହୋଇଉଠେ ଦୂରଦ୍ରଷ୍ଟା ଓ ସତ୍ୟସନ୍ଧ ଲେଖକଙ୍କର ଗଭୀର ସମ୍ବେଦନା ଓ ରସାଳ ବ୍ୟଙ୍ଗବିଦ୍ରୂପ । ଆଜିର ଶୁଷ୍କନୀରସ ଓ ଦୁର୍ନୀତିଗ୍ରସ୍ତ ସମାଜରେ ଏହିପରି ସାରସ୍ୱତ କୃତିର ଆଦର ହୋଇପାରିଲେ ଆମର ଜୀବନ ସରସ, ସୁନ୍ଦର ଓ ସହଜ ହୋଇପାରିବ ।

 

୨୯୩୫, ଗୌରୀନଗର

ମାଣିକ-ବିଶ୍ୱନାଥ ସ୍ମୃତି ସଦନ

ଭୁବନେଶ୍ୱର-୭୫୧୦୦୨

ତା ୨୫ । ୮ । ୯୮

Image

 

ପାଠକୀୟ

 

୧୯୫୫ ମସିହାରେ ସେ ପ୍ରଳୟଙ୍କରୀ ଦୃଶ୍ୟ ଏବେ ବି ମୋ ସ୍ମୃତିପଟରେ ଭାସି ଯାଉଛି-। ସେ କଥା ଭାବିଲେ ମୋ ଦେହ ଶୀତେଇ ଉଠୁଛି । ହଠାତ୍‍ ଦଳେଇଘାଇ ଭାଙ୍ଗିଗଲା । ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି ।

 

ମୁଁ ସେତେବେଳେ ନବମ ଶ୍ରେଣୀର ଛାତ୍ର । ପାଠ ପଢ଼ା ବହି ବ୍ୟତୀତ ଅନ୍ୟ ଗଳ୍ପ, ଉପନ୍ୟାସ ଇତ୍ୟାଦି ପଢ଼ିବାର ଅଭ୍ୟାସ ମୋର ଥାଏ । ସେତେବେଳେ ବହି ଖଣ୍ଡେ ପାଇଥିଲି । ସଯତ୍ନରେ ପଢ଼ୁଥାଏ । ମାତ୍ର ପୂରା ଶେଷ କରି ନଥାଏ । ବନ୍ୟାଜଳ ଘରେ ପଶିଗଲା । କେମିତି ବହିଟିକୁ ଘରୁ ଆଣିବି, ଆଉ ତାହା ଥିବ କି ନାହିଁ, ଏମିତି ଅନେକ ଚିନ୍ତାରେ ମୋ ମନ ଭାରାକ୍ରାନ୍ତା-। ଶେଷରେ ବହୁ କଷ୍ଟରେ ବହିଟିକୁ ଘରୁ ଉଦ୍ଧାର କରିଲି । ମାତ୍ର ଶେଷ ୩୩ ପୃଷ୍ଠା ନଷ୍ଟ ହୋଇଯାଇଥିଲା । ପଢ଼ି ପାରିଲି ନାହିଁ; ଏଣୁ ମନ ଗୋଳେଇ ଘାଣ୍ଟି ହେଉଥାଏ । ବହିର ଲେଖକ କିଏ ? ପ୍ରକାଶକ ମଧ୍ୟ କିଏ ଜଣା ନଥିବାରୁ ଆଉ ଖଣ୍ଡିଏ ମିଳିବାର ସମ୍ଭାବନା ମଧ୍ୟ ନ ଥାଏ । ସେ ବହିଟିର ନାମ ‘‘ଦେବଦେବଙ୍କ ଦୁର୍ଗତି ।’’

 

୧୯୯୮ ମସିହାରେ ଜଣେ ଭଦ୍ରବ୍ୟକ୍ତିଙ୍କ ଓଡ଼ିଆ ନିବନ୍ଧ ପାଠ କରିବାର ସୁଯୋଗ ପାଇଲି ଏବଂ ସେଥିରୁ ଜାଣିବାକୁ ପାଇଲି ମୁଁ ପିଲାଦିନେ ପଢ଼ିଥିବା ବହିର ପ୍ରକାଶକ ଏବଂ ଲେଖକଙ୍କ ନାମ । ଖୋଜି ଖୋଜି ପହଞ୍ଚିଲି ବହିର ପ୍ରକାଶକଙ୍କ ପାଖରେ । ବହିର ଲେଖକ ସ୍ୱର୍ଗତ ଚିନ୍ତାମଣି ମିଶ୍ର । ବହିଟି ଅତ୍ୟନ୍ତ ଉପାଦେୟ ହୋଇଥିବାରୁ ପ୍ରକାଶକଙ୍କୁ ଏହାର ପୁନଃମୁଦ୍ରଣ ଲାଗି ଅନୁରୋଧ କଲି । ମୋର ପ୍ରିୟ ପୁସ୍ତକ ପୁଣି ଥରେ ଛପା ହେଲା ।

 

ସ୍ୱର୍ଗତ ଚିନ୍ତାମଣି ମିଶ୍ରଙ୍କର ତତ୍ତ୍ୱ ଓ ଦର୍ଶନ ନୁହେଁ, ସାମାଜିକ ଚିତ୍ର ହିଁ ପୁସ୍ତକଟିରେ ସନ୍ନିବେଶିତ ଥିଲା । ୧୯୫୫ ମସିହାରେ ସ୍ୱର୍ଗତ ମିଶ୍ରଙ୍କର ଯାହା ଚିନ୍ତାଧାରା ଥିଲା ଏବଂ ସେ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଆଜି ଅକ୍ଷରେ ଅକ୍ଷର ସତ ହୋଇଛି । ଅମଲା ତନ୍ତ୍ରଠାରୁ ଆରମ୍ଭ କରି ଶାସନ କ୍ଷମତାରେ ରହୁଥିବା ରାଜନେତାଙ୍କ କାର୍ଯ୍ୟକଳାପରେ ଦୁର୍ନୀତି ଯେମିତି ଦୁର୍ଗ କରି ବସିଛି ।

 

ଏକ ସୁବିଧାବାଦୀ ଗୋଷ୍ଠୀର ଚାପରେ ସମାଜ ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି । ଅଳ୍ପ ପରିଶ୍ରମ କରି ଅଧିକ ଉପାର୍ଜନ କରି ବିଳାସ ପୂର୍ଣ୍ଣ ଜୀବନ ଯାପନକୁ ଗୁରୁତ୍ତ୍ୱ ଦିଆଯାଉଛି । ଫଳର ତ୍ୟାଗ ବଦଳରେ ସମାଜରେ ଭୋଗବାଦ ସର୍ବସ୍ୱ ହୋଇ ପଡ଼ିଛି । ସବୁଆଡ଼କୁ ମାଡ଼ିଚାଲିଛି ଦୁର୍ନୀତିର ଚେର ।

 

ଭ୍ରଷ୍ଟାଚାରରେ ଭୟଭୀତ ସାଧାରଣ ଜନତା ଦୁର୍ନୀତି ଦୁର୍ନୀତି ବୋଲି ଚିତ୍କାର କରୁଛି । ମାତ୍ର ଦୁର୍ନୀତିକୁ ଦୂର କରିବା ଚିନ୍ତା କିଏ କରୁଛି ! ଦୁର୍ନୀତି ଚେରକୁ ମୂଳରୁ ନ ଉପାଡ଼ିଲେ, ବାଉଁଶ ଭଳି ପୁଣି ଗଜା ହେବ । ଶିକ୍ଷାକେବଳ ପଠନରେ ସୀମିତ ନ ହୋଇ ଚରିତ୍ର ଗଠନ ଲାଗି ଅଭିପ୍ରେତ—ଏ କଥା ବୁଝିବାକୁ କେହି ପ୍ରସ୍ତୁତ ନୁହନ୍ତି ।

 

ସ୍ୱର୍ଗତ ଚିନ୍ତାମଣି ମିଶ୍ର ତାଙ୍କ ବହିରେ ଅନେକ ଚିନ୍ତାକରି ଯାହା ରସ ସଂଗ୍ରହ କରି ସାଇତି ଯାଇଛନ୍ତି ସେ କେବେଳ ଭବିଷ୍ୟତ ବଂଶଧରମାନଙ୍କ ପାଇଁ । ସେଇ ଚିନ୍ତାକୁ ଆହୁରି ଟିକିଏ ଅଧିକ ପ୍ରସାରିତ କରିବାର ଉଦ୍ୟମ ସ୍ୱରୂପ ମୋର ଆନ୍ତରିକ ସହଯୋଗରେ ପ୍ରକାଶକ ବହିଟିର ପୁନଃମୁଦ୍ରଣ କରିଛନ୍ତି । ଆଶାକରୁଛି ଭବିଷ୍ୟତ ବଂଶଧରମାନଙ୍କୁ ପୁସ୍ତକ ସଠିକ୍‍ ମାର୍ଗ ଦର୍ଶନ କରିବ ।

 

ଜୟଦେବ ବିହାର

—କୃଷ୍ଣଚନ୍ଦ୍ର ରଥ

ଭୁବନେଶ୍ୱର

 

ତା ୧ । ୯ । ୯୮

 

Image

 

ଦେବଦେବଙ୍କ ଦୁର୍ଗତି

ପ୍ରଥମ ଭାଗ

 

ଦିନେ ଦେବଦେବ ମହାଦେବ ସକାଳୁ ଉଠି ଖୁବ୍‌ ତରତରରେ ନିତ୍ୟକର୍ମ ସାରି ଗୁହାଳଆଡ଼କୁ ବାହାରିବାର ଦେଖି ପାର୍ବତୀ ପଚାରିଲେ, “ନାଥ, ଆଜି କୁଆଡ଼େ ବାହାରିଛ କି ? ମତେ ତ କିଛି କହିନାହଁ ?”

 

ମହାଦେବ ଗୁହାଳ ଦୁଆର ଫିଟାଉ ଫିଟାଉ କହିଲେ, “ତୁମକୁ କହିନାହିଁ କି ବାସୁଆକୁ ବି କହିନାହିଁ । ପାହାନ୍ତିଆରେ ମନ ହେଲା ଟିକିଏ ମର୍ତ୍ତ୍ୟଟା ଯାଇ ଦେଖି ଆସିବି ।”

 

ପାର୍ବତୀ ବାସୁଆ ଷଣ୍ଢ ଉପରେ ଲଦନ ସଜାଡ଼ୁ ସଜାଡ଼ୁ କହିଲେ, “ଭଲ କଥା । ମୋର ତ ମନ ହେଉଛି । ଚାଲ, ଯିବା ।”

 

-“ନା ନା, ମୁଁ ଆଜି ଏକୁଟିଆ ଯିବି । ଏତେ ଦିନ ହେଲା ମର୍ତ୍ତ୍ୟକୁ ଯାଇନଥାଇଁ ଯେ, ମର୍ତ୍ତ୍ୟ ବର୍ତ୍ତମାନ ଆମକୁ ନୂଆ; ସେଠା ଲୋକଙ୍କୁ ଆମେ ବି ନୂଆ; ତୁମକୁ ଧରି ନୂଆ ଜାଗାକୁ ଯିବା ନିରାପଦ ହେବ ନାହିଁ ।”

 

ପାର୍ବତୀ ଆପତ୍ତି କରି କହିଲେ, “ନୂଆ ଜାଗା ହେଉ ବା ପୁରୁଣା ଜାଗା ହେଉ, ମୁଁ ତ ତୁମର ଅର୍ଦ୍ଧାଙ୍ଗିନୀ, ମୋତେ ଛାଡ଼ିକରି ତୁମେ କିପରି ଯିବ ? ଶକ୍ତିକୁ ଛାଡ଼ି ଶିବ ଏକୁଟିଆ ରହିବା ଆଜିଯାଏଁ କେହି କଳ୍ପନା କରିନାହାନ୍ତି ।”

 

ମହାଦେବ ଟିକିଏ ଅସହିଷ୍ଣୁ ଭାବେ କହିଲେ, “ଓଃ, ଏଗୁଡ଼ାକ ମାଇକିନିଆ କଥା । ଯାହା ଚଳୁଛି ଓ କଳ୍ପନା କରାଯାଇଛି ସେତିକିରେ ଯଦି ସମସ୍ତେ ବାନ୍ଧି ହୋଇ ରହିବେ, ତାହାହେଲେ ତ ସଂସାର ଏକାବେଳେ ଅଚଳ ହୋଇଯିବ । ଦିନକୁ ଦିନ ଆନ ନ ହେଲେ ସଂସାର ନାମଟା ଯେ ଅସାର୍ଥକ ହୋଇଯିବ । ଆଜିଯାଏ ଆମେ ଏକାଠି ରହୁଥିଲେ ସତ; କିନ୍ତୁ ନୂଆ ପରିସ୍ଥିତିରେ ନୂଆ ବିଚାର ଦରକାର । ବର୍ତ୍ତମାନ ସିନେମା ଫିନେମା ଦେଖି ମର୍ତ୍ତ୍ୟରେ ଟୋକାଙ୍କ ମନ ଯେପରି ଚଞ୍ଚଳ ହେଲାଣି, ସେଥିରେ ମୋ ପରି ଗୋଟିଏ କୁରୂପ ଲୋକ ସଙ୍ଗେ ତୁମ ପରି ଏପରି ସୁନ୍ଦରୀ ରମଣୀଙ୍କୁ ଦେଖିଲେ, ମର୍ତ୍ତ୍ୟର ଟୋକାମାନେ ଆମକୁ ବସେଇ ଉଠେଇ ଦେବେ ? ପୁଣି ଯଦି ତୁମକୁ ସିନେମା ଅଭିନେତ୍ରୀ ବୋଲି ଭୁଲ ବୁଝନ୍ତି, ତେବେ ତୁମକୁ ଦେଖିବାକୁ ଓ ତୁମ ଦସ୍ତଖତ ନେବାକୁ ସମସ୍ତେ ତୁମ ପିଛା ଧରିବେ । ତୁମେ ସମ୍ଭାଳିପାରିବଟି ? ମୁଁ କ’ଣ ନିଶ୍ଚିନ୍ତ ହୋଇ କିଛି ଦେଖିପାରିବି ?”

 

ପାର୍ବତୀ ଅଭିମାନରେ କହିଲେ, “ଖାଲି ସିନା ମୋତେ ଶକ୍ତି ଶକ୍ତି ବୋଲି କହୁଥାଅ, କିନ୍ତୁ ସବୁବେଳେ ତୁମର ମୋ ପ୍ରତି ଛୋଟ ନଜର । ମିଛରେ କ’ଣ ମର୍ତ୍ତ୍ୟରେ ସ୍ତ୍ରୀ ସ୍ୱାଧୀନତା ପାଇଁ ଏତେ ଆନ୍ଦୋଳନ ଚାଲିଛି ? ପୁରୁଷ ସ୍ୱାଧୀନ ଭାବରେ ଯେପରି ଚଳିପାରୁଛି, ସୁବିଧା ମିଳିଲେ ସ୍ତ୍ରୀ କ’ଣ ସେପରି ଚଳିପାରିବ ନାହିଁ ?”

 

ମହାଦେବ ତାଚ୍ଛଲ୍ୟରେ ହସିକରି କହିଲେ, “ସ୍ତ୍ରୀ ବୁଦ୍ଧିରେ ଯଦି ସ୍ତ୍ରୀ ସ୍ୱାଧୀନତା ଆନ୍ଦୋଳନ ମର୍ତ୍ତ୍ୟରେ ଚଳୁଥିବ, ତେବେ ଫଳ ଅଗ୍ରେ ଧାବତି ଧାବତି । ଖାଲି କ’ଣ ତୁଣ୍ଡରେ ଲୋକେ ସ୍ୱାଧୀନ ହୋଇଯାଆନ୍ତି ? ସ୍ୱଭାବ ଓ ବେଷ୍ଟନୀ ଅନୁକୂଳ ହେବାର ଚାହି । ସ୍ୱାଧୀନତା ନାମରେ ଖାଲି ଚାଲିବ ଜନ୍ମନିରୋଧ ଓ ବାସ୍ତବ କ୍ଷେତ୍ରରେ ଭାବପ୍ରବଣତାର ସୁଅ । ଦଉଡ଼ିଟଣା ଖେଳପରି ସ୍ତ୍ରୀ ପୁରୁଷ ଯଦି ବିଭିନ୍ନ ଦିଗକୁ ସଂସାରଟାକୁ ଟଣାଟଣି କରିବେ, ତାହେଲେ ମଝିରେ ଦଉଡ଼ିଟି ଛିଣ୍ଡିଯିବାରୁ ଉଭୟେ ଖାଇବେ କଚଡ଼ା । ବନ୍ୟ ଜନ୍ତୁ ଯେପରି ଯେପରି ସ୍ୱାଧୀନ ହୋଇ ଅଛନ୍ତି, ସେହି ସ୍ୱାଧୀନତା ଯଦି କଳ୍ପନାରେ ଥାଏ, ତେବେ ଅବଶ୍ୟ ଅଲଗା କଥା । କିନ୍ତୁ, ସମାଜକୁ ଧରି ପୁଅ ନାତିଙ୍କୁ ଗଢ଼ି ଯଦି ରହିବାକୁ ହେବ, ତେବେ ପରସ୍ପରକୁ ପରସ୍ପରର ଅନୁବର୍ତ୍ତୀ ହେବାକୁ ପଡ଼ିବ । ଦେଖିଲ ନାହିଁ, ଇଂଲଣ୍ଡରେ ପଞ୍ଚମ ଜର୍ଜ ବୋଲି ଯେଉଁ ରାଜା ଥିଲେ ତାଙ୍କ ସ୍ତ୍ରୀ ଖୁବ୍‌ ପଣ୍ଡିତା ହେଲେହେଁ ଓ ପୂର୍ବରୁ ପଣ୍ଡିତପଣ କରୁଥିଲେହେଁ ସ୍ୱାମୀ ରାଜା ହେବା ମାତ୍ରେ ନିଜେ ନିଜେ ରାଣୀହଂସପୁରରେ ଆବଦ୍ଧ ହୋଇ ରହିଗଲେ । ରାଜପୁତ୍ର ଓ ରାଜକନ୍ୟାମାନଙ୍କର ଶିକ୍ଷାଦୀକ୍ଷା ଉପରେ ଓ ସାଧାରଣ ଘରକରଣାରେ ତାଙ୍କ ମନ ଆବଦ୍ଧ ହୋଇ ରହିଲା । ତାଙ୍କର ଏକମାତ୍ର ଚିନ୍ତାର ବିଷୟ ହେଲା, ସ୍ୱାମୀ ଯେପରି ଠିକ୍‌ ଭାବେ ରାଜୁତି କରିପାରିବେ ସେଥିପାଇଁ ପାରିବାରିକ ପରିସ୍ଥିତି ସୃଷ୍ଟି କରିବା । ସ୍ୱାମୀ ସ୍ତ୍ରୀ ଉଭୟେ ନିଜ ନିଜ ହାତରେ ଚଉଦ ପାଆ ଲେଖାଏଁ ହେବାକୁ ଚେଷ୍ଟା କଲେ କିମିତି ହଇରାଣ ହୁଅନ୍ତି, ତୁମେ କ’ଣ ଦେଖୁନାହଁ । ଓଡ଼ିଶାର ପୂର୍ବ ରାଜ୍ୟପାଳ ଆସଫ ଅଲ୍ଲୀ ଓ ତାଙ୍କ ସ୍ତ୍ରୀ ଅରୁଣାଙ୍କର ଅବସ୍ଥା କ’ଣ ହେଲା ? ଏପରି ସବୁଠି ଏଇ ଫଳ ଆଗକୁ ଥୁଆ ।”

 

ପାର୍ବତୀ କହିଲେ, “ସେଇଥିରୁ ଗୁଡ଼ିଏ ଉପଲକ୍ଷ୍ୟ ତୁମକୁ ଜଣା । ସ୍ତ୍ରୀ ସବୁବେଳେ ଖାଲି ପୁରୁଷର ଦାସୀ ହୋଇ ରହିବ ।”

 

ମହାଦେବ ବଡ଼ ପାଟିରେ ହସି ହସି କହିଲେ, “ପୁରୁଷ ଯେ ସ୍ତ୍ରୀର ଦାସୀ ହୋଇ ରହେ, ସେ କଥା ଆଉ କାହାକୁ ସିନା ନୂଆ, ତୁମକୁ ତ ନୂଆ ନୁହେଁ । କାଳୀ ହୋଇ ମୋ ଛାତିରେ ଗୋଡ଼ ଦେଲ । ଦୁର୍ଗା ହୋଇ ଯେତେବେଳେ ତୁମେ ପୂଜା ପାଉଥାଅ ମୁଁ କ’ଣ ସେତେବେଳେ ବାଦ କରେ? ମେରୀ ଯେପରି ପଞ୍ଚମ ଜର୍ଜଙ୍କଠାରେ ଲୀନ ହୋଇଗଲେ ଇଂଲଣ୍ଡର ରାଣୀ ଏଲିଜାବେଥ୍‌ଙ୍କଠାରେ ତାଙ୍କ ସ୍ୱାମୀ ଯେ ଲୀନ ହୋଇ ରହିଛନ୍ତି ! ସେହିପରି ସେହି ଗାଦିରେ ମହାରାଣୀ ଭିକ୍ଟୋରିଆଙ୍କ ସ୍ୱାମୀ ଆଲ୍‌ବର୍ଟ ନିଜ ସ୍ତ୍ରୀଙ୍କ ଠାରେ ଲୀନ ହୋଇଥିଲେ । ମୁଁ ତ ଯୁଗ ଯୁଗ ଧରି ସେପରି ତୁମରିଠାରେ ଲୀନ ହୋଇ ରହିଛି । ତୁମକୁ ଆଦ୍ୟାଶକ୍ତି ଓ ଆଦିମାତା ବୋଲି କହିଲାବେଳେ ମୋ କଥା କ’ଣ କାହାର ମନେ ଥାଏ ?”

 

ପାର୍ବତୀଙ୍କ ମୁହଁ ପ୍ରସନ୍ନ ହୋଇଗଲା । ଏତିକିବେଳେ ବାସୁଆ ବାହାରିପଡ଼ି କହିଲା, “ମା, ବାବା ଯେପରି କହୁଛନ୍ତି ସେହିପରି ହେଉ । ଆମେ ଆଗେ ଥରେ ଯାଇ ବୁଲିଆସୁ କି ତା’ପରେ ତୁମେ ସଙ୍ଗରେ ଯିବ । ଆଜିକାଲି ପରା ମର୍ତ୍ତ୍ୟଲୋକଙ୍କର ମନ ଦେବତା ଜାଣିପାରୁନାହାନ୍ତି । ଆଉ କ’ଣ ପର ସ୍ତ୍ରୀକୁ କିଏ ମା ବୋଲି ବିଚାରୁଛି ? ପରଧନ ମାରିନେବାକୁ ଏତେ ଉଦ୍ୟମ ହେଉଛି ଯେ ଲାଞ୍ଚମିଛ ନିବାରଣ କରିବାକୁ ଯେ ନିଯୁକ୍ତ ହେଉଛନ୍ତି ସେ ବି ଲାଞ୍ଚ ଖାଉଛନ୍ତି ।”

 

ପାର୍ବତୀ କହିଲେ, “ହେଉ, ଏଥର ଯଦି ମୋତେ ନ ନେଇଯିବ, ଯାଅ । କିନ୍ତୁ ମର୍ତ୍ତ୍ୟଲୋକେ ଯେ ଅବିଶ୍ୱାସୀ ହୋଇଗଲେଣି, ସେକଥା ମିଛ । ସେମାନେ ଆତ୍ମଶକ୍ତି ଉପରେ ଯେତେ ନିର୍ଭର କରନ୍ତୁ ପଛେ ଆଦ୍ୟାଶକ୍ତିକୁ କେବେ ଛାଡ଼ିପାରିବେ ନାହିଁ । ମହାତ୍ମା ଗାନ୍ଧୀ ସଫା କହୁଥିଲେ, ସେ ଅଶକ୍ତର ଅହିଂସାକୁ ପସନ୍ଦ କରୁନଥିଲେ । ସେ ଚାହୁଥିଲେ, ଶକ୍ତିମାନର ଅହିଂସା । ତୁମେ ଯାଅ, ଦେଖି କରି ଆସିବ ନାହିଁ କି, ମର୍ତ୍ତ୍ୟରେ ବର୍ଷକୁ ବର୍ଷ ପୁଲିସ କିପରି ବଢ଼ୁଛନ୍ତି, ସେନା କିପରି ଟାଣ ହେଉଛନ୍ତି ।”

 

ବାସୁଆ ମହାଦେବଙ୍କୁ ଟୁପୁଟୁପୁ କରି କହିଲା, “ମା’ ମର୍ତ୍ତ୍ୟକଥା ଓପରଠାଉରିଆ ଭାବେ ଶୁଣିଛନ୍ତି । ଭାରତରେ ପୁଲିସ ଯେତିକି ବଢ଼ୁଛନ୍ତି, ଅପରାଧ ସେତିକି ବଢ଼ୁଛି, ମଣିଷମାରୁ ଆସାମୀ ମଧ୍ୟ ଦଣ୍ଡ ନପାଇ ଖସିଯାଉଛି । ଆଉ ସୈନ୍ୟଙ୍କ ପାଇକପଣ ତ ଚାରିଆଡ଼େ ଡିବି ଡିବି ବାଜିଗଲାଣି । ଯେଉଁଠି ଲଢ଼େଇକି ଯାଉଛନ୍ତି, ସେଠେଇ ହାରୁଛନ୍ତି । ଖାଲି ପଛରେ ପଟାଟୋପ ।”

 

ମହାଦେବ କହିଲେ, “ତୁ ଏଥିରୁ ଗୁଡ଼ାଏ ଶୁଣୁଛୁ କୁଆଡ଼ୁ ? ତୁନୀ ହୋ । ତୋ’ କଥା ଯଦି ମା’ ଶୁଣିବେ, ପୁଣି ବଚକିନା ଆରମ୍ଭ ହେବ । ମାଇକିନିଆଙ୍କ ହାବୁଡ଼ରୁ ଖସିଲେ ରକ୍ଷା ।”

 

ଷଣ୍ଢ ଉପରେ ଚଢ଼ି ବ୍ୟୋମରେ ଅବତୀର୍ଣ୍ଣ ହେଉ ହେଉ ମହାଦେବ ପାର୍ବତୀଙ୍କ ଆଡ଼କୁ ହାତ ହଲାଇ ହଲାଇ କହିଲେ, “ଆଚ୍ଛା, ମୁଁ ଯାଉଛି, ଘରେ ଜାବତାରେ ରହିବ । ମୁଁ ଆସିଲେ କାଥାବାର୍ତ୍ତା ହେବା ।”

 

ପାର୍ବତୀ ମନ ଦୁଃଖ ଭିତରେ ହସି ହସି ବିଦାୟ ଦେଲେ । ମହାଦେବ ସ୍ୱର୍ଗରୁ ତଳକୁ ଖସୁ ଖସୁ କହିଲେ, “ହଇରେ ବାସୁଆ, ମର୍ତ୍ତ୍ୟ ବିଷୟରେ ତ ତୁ କଅଣ ଗୁଡ଼ାଏ ଶୁଣିଛୁ; ମୁଁ ନ ଶୁଣିଥିଲେ ବି ମୋ ମନରେ ଆଜି କାଲିର ମଣିଷଙ୍କ ବିଷୟରେ ବହୁତ ସଂଶୟ । ଦିଅଁ ଦେବତା ମାନୁଛନ୍ତି କି ନାହିଁ କେଜାଣି ? ଚାଲିଲୁ ଦେଖି ଭୁବନେଶ୍ୱରକୁ ଯିବା । ସେଠାରେ ତ ଆମକୁ ଅପମାନ ମିଳିବ ନାହିଁ । ସେଠାରେ ଖାଲି ମୋର ନୁହେଁ, ତୋ ପୂଜା ବି ଯୁଗ ଯୁଗ ହେଲା ଚାଲିଛି । ତୋ ବୃକ୍ଷଣକୁ ନ ଛୁଇଁଲେ ମୋ ପାଖକୁ ଯାଆନ୍ତି ନାହିଁ ପରା !”

 

ଭୁବନେଶ୍ୱର ପାଖ ହେବାରୁ ମହାଦେବଙ୍କ ମନ ଭାରି ପ୍ରସନ୍ନ । ଖଣ୍ଡଗିରିଠାରୁ ଦୟା ନଈ ପର୍ଯ୍ୟନ୍ତ ସବୁଆଡ଼େ ଆଖି ବୁଲାଇ ଦେଇ ସେ କହିଲେ, “ଦେଖ, ଦେଖ, ବାସୁ ! ମର୍ତ୍ତ୍ୟର ଅନ୍ୟ ଯେ କୌଣସି ଅଞ୍ଚଳରୁ ଧର୍ମ ଉଠିଯାଇପାରେ, କିନ୍ତୁ ଓଡ଼ିଶା ଧର୍ମକୁ ଛାଡ଼ିବ କୁଆଡ଼ୁ ? ଓଡ଼ିଶା ପରା ମର୍ତ୍ତ୍ୟର ବୈକୁଣ୍ଠ । ମତେ ତ ଦିଶୁଛି ଓଡ଼ିଶାରେ ଧର୍ମଭାବ ବଢ଼ୁଛି । ସେତେବେଳେ ସିନା ଲୋକେ ଦିଅଁଙ୍କ ପାଇଁ ବଡ଼ ଦେଉଳ ତୋଳୁଥିଲେ, ହେଇଟି, ଏବେ ନିଜ ଘରସବୁ ଦେଉଳ ପରି ଗଢ଼ିଲେଣି । ଆଜି ଆଉ ପୁରୁଣା ଭୁବନେଶ୍ୱର ଯିବା ନାହିଁ । ମୋତେ ନୂଆ ଭୁବନେଶ୍ୱରରେ ଓହ୍ଲାଇ ଦେଇ ତୁ ଯା ଚର । ଚାରିଆଡ଼େ ଗଛ ବୃକ୍ଷ କିଛି ନାହିଁ, ଖାଲି ଘାସ ପଡ଼ିଆ । ଇତିମଧ୍ୟରେ ମୁଁ ଏ ଦେଉଳିଆ ଘରଗୁଡ଼ାକ ଟିକିଏ ଦେଖି ଆସେ ।”

 

ମହାଦେବ ଗୋଟିଏ ସୁନ୍ଦର ଦେଉଳିଆ ଘର ଦେଖି ସେହି ଆଡ଼କୁ ଚାଲିଲେ । ବାରଣ୍ଡାଯାକ ଖାଲି ନୂଆ ପୁରୁଣା ଗୋବର ଲଣ୍ଡି ପଡ଼ିଛି । ଆଗ ଟିକିଏ ତାଙ୍କୁ ଅସଣା ଜଣାପଡ଼ିଲା; କିନ୍ତୁ ଗୋବର ଲଣ୍ଡିକୁ ଅନ୍ୟ ଦୃଷ୍ଟିରେ ଦେଖି ସେ ଆନନ୍ଦିତ ହେଲେ । ମଝିରେ ମର୍ତ୍ତ୍ୟର ଲୋକେ ଗୋବରକୁ ଘୃଣା କରିବାକୁ ଆରମ୍ଭ କରିଥିଲେ । ଏବେ ତାଙ୍କର ଏଥିପ୍ରତି ଏତେ ଶ୍ରଦ୍ଧା ଫେରିଲାଣି ଯେ, ମାସ ମାସ ଧରି ଗୁହାଳ ବି ଗୋଟାଉ—ନାହାନ୍ତି ଦେଖି ସେ ସନ୍ତୁଷ୍ଟ ହେଲେ ।

 

ସେତେବେଳକୁ ଏଗାରଟା ବାଜି ସାରିଥାଏ । ମହାଦେବ ସେଇ ଗୋବର ବାରଣ୍ଡାରେ ଠିଆ ହୋଇଛନ୍ତି, ଗୋଟି ଗୋଟି ହୋଇ ସେକ୍ରେଟେରୀଏଟ୍‌ କର୍ମଚାରୀମାନେ ସତେ ଯେପରି ଘୋଷରା ହୋଇ ଆସିଲା ପରି ଆସି ସେହି ବାରଣ୍ଡାବାଟେ ଘର ଭିତରେ ପଶିଲେ ଓ ମୋଡ଼ିଭିଡ଼ି ହୋଇ ନିଜ ଆସନଟି ମାନ ଧଇଲେ । ସେମାନଙ୍କୁ ଦେଖି ମହାଦେବଙ୍କ ମନ ଅନୁକମ୍ପାରେ ପୂର୍ଣ୍ଣ ହୋଇଗଲା । ସେ ସ୍ଥିର କରିଦେଲେ, ବୋଧହୁଏ ଏ ସମସ୍ତଙ୍କ ଘରେ ମୂର୍ତ୍ତିକିଆ । ଦୁଃଖରେ ଏତେ ଅଭିଭୂତ ହୋଇଯାଇଛନ୍ତି ଯେ ସମୟ ଜଣାପଡ଼ୁ ନାହିଁ, ଅସଣା ବି ବାଧୁନାହିଁ ।

 

ମହାଦେବ ଦାଣ୍ଡ ଦୁଆରରେ ଠିଆହୋଇ ଘର ଭିତରେ ବାବୁମାନଙ୍କର ରୀତିଗତି ଲକ୍ଷ୍ୟ କରି କରୁଛନ୍ତି, ଦୁମ୍‌କରି ହଠାତ୍‌ ଗୋଟାଏ ମଟର ଆସି ଦୁଆରେ ଠିଆ ହୋଇଗଲା । ଧଡ଼୍‌କିନି ମଟର ଦରଜା ଫିଟିଲା । ଜଣେ ବାବୁ ଓହ୍ଲାଇପଡ଼ି ମଚ୍‌ ମଚ୍‌ ହୋଇ ଘର ଭିତରରୁ ପଶିଗଲେ ଓ ତଳକୁ ଓହ୍ଲାଇ ମୁହଁ ପୋତି ବଡ଼ ଘରଟା ପାରହୋଇ ଭିତର ବାରଣ୍ଡାକୁ ଗଲେ ଓ ସେଠାରୁ ଉପର ମହଲାକୁ ଉଠିଲେ । ସେ ପ୍ୟାଣ୍ଟ ପିନ୍ଧିଥାନ୍ତି, ଟାଙ୍ଗରା ମୁଣ୍ଡରେ ଚୁଟି, ଚିତା ବି ଅଛି; କିନ୍ତୁ ପଛରେ ଯୋଡ଼ାଏ ଡାହାଳ କୁକୁର । ମହାଦେବଙ୍କର ମନେ ହେଲା, ଏ କ’ଣ କାଳଭୈରବ ! ଅଫିସବାଲା କାହିଁକି ଡରି ଡରି ଆସୁଥିଲେ, ତାହା ସେ ଅନୁମାନ କଲେ ।

 

ସେ ଆସିବାରୁ ଦାଣ୍ଡଘରେ ବସିଥିବା ବାବୁ ମାନେ ହଠାତ୍‌ ନିଦରୁ ଉଠିଲାପରି ଚେହେଁକା ହୋଇଗଲେ । ଜଣକୁ ଛାଡ଼ି ଆଉ ସମସ୍ତେ ଠିଆ ହୋଇପଡ଼ିଲେ । ବଡ଼ବାବୁ ଉପର ମହଲାକୁ ଉଠିଯିବା ସଙ୍ଗେ ସଙ୍ଗେ ସାନବାବୁମାନେ ପୁଣି ଚଉକିଲାଗି ହେଲେ ଓ ବନ୍ଦ ହୋଇଯାଇଥିବା କଥାବାର୍ତ୍ତା ଆରମ୍ଭ କଲେ । ମହାଦେବ କାନ ଡେରି ଶୁଣିଲେ—କାହାର କ’ଣ ତିଅଣ ହୋଇଥିଲା, କାହା ଘରେ କିଏ ବେମାର ପଡ଼ିଛି, ସନ୍ଧ୍ୟାବେଳେ କିଏ କେଉଁଆଡ଼େ ବୁଲି ଯିବ, କେଉଁ ହାକିମ କେମିତି ଲୋକ ଏଇକଥା ସବୁ ପଡ଼ିଥାଏ । ଦି’ପହରେ ଖୁସିଗପ କରିବା ପାଇଁ ଚୌକି ଟେବୁଲ ପଡ଼ି ଏପରି ସୁବନ୍ଦୋବସ୍ତ ହୋଇଥିବାର ଦେଖି ମହାଦେବ ଖୁସି ହେଲେ । ଏଡ଼େ ଖୁସିରେ ଗପ କରୁଥିବା ବାବୁମାନେ ଏଡ଼େ ମନ ଦୁଃଖରେ କାହିଁକି ଘର ଭିତରକୁ ଆସୁଥିଲେ ସେ ବିଷୟରେ ଅନୁସନ୍ଧିତ୍ସୁ ହୋଇ ମହାଦେବ ଘର ଭିତରକୁ ପଶିଲେ । ବୋକା ପରି ତାଙ୍କୁ ମଝିରେ ଠିଆ ହୋଇଥିବାର ଦେଖି ଜଣେ ବାବୁ ଡାକି କରି କହିଲେ, “ଏ ବୁଢ଼ା ! ତୁମ ଘର କେଉଁଠି ? ଅଫିସ ଭିତରେ କାହିଁକି ପଶିଛ ? ସାହେବ ଆସିଲା ବେଳକୁ ତୁମେ ଘର ଭିତରେ ନଥିଲ, ତୁମର ଭାଗ୍ୟ ଭଲ; ନ ହେଲେ କ’ଣ ହୋଇଥାନ୍ତା ଦେଖି ଥାଆନ୍ତ ।”

 

ଯେଉଁଠି ଲୋକେ ବସି କାମ କରନ୍ତି ତାକୁଇ ଅଫିସ କହନ୍ତି ବୋଲି ମହାଦେବ ଜାଣିଥିଲେ । ବାବୁମାନଙ୍କ ମନରେ ବାଧା ହେବା ଭୟରେ ସେ କଥା ନ ଉଠାଇ ମହାଦେବ କହିଲେ, “ସାହେବ କିଏ ? ସାହେବ କ’ଣ ଆଉ ଏ ଦେଶରେ ଅଛନ୍ତି ? ସେମାନେ ପରା ସ୍ୱରାଜ୍ୟ ଦେଇ ବାହାରିଗଲେ ?” ଆଉ ଜଣେ ବାବୁ କହିଲେ, “ବୁଢ଼ା, ତୁମେ ମଫସଲରୁ ଆସିଛ ? ସହରରେ ଲୋକେ ତୁନିତୁନି କଥାବାର୍ତ୍ତା ହୁଅନ୍ତି । ସାହେବ ତୁମ ଆଗରେ ଏଇଲେ ଚାଲିଗଲେ, ଚିହ୍ନିପାରିଲ ନାହିଁ ? ବିଲାତି ସାହେବ ଚାଲିଯିବା ପରେ ପରା ୟେ ଓ ୟାଙ୍କରି ପରି ଆଉ କେତେଜଣ ଆମ କଳା ଲୋକ ସାହେବ ହୋଇଛନ୍ତି । ୟାଙ୍କ ବିଷୟରେ ଏମିତି କଥାବାର୍ତ୍ତା ପଡ଼ିଛି ଶୁଣିଲେ, ସେ ରାଗରେ ନିଆଁ ହୋଇଯିବେ ।”

 

ମହାଦେବ ଟିକିଏ ବିବ୍ରତ ହୋଇ କହିଲେ, “ମୁଁ ତ ତାଙ୍କୁ କିଛି ନାହିଁ କହିନାହିଁ । ମୁଁ କଣ ତାଙ୍କ ନାମ ଧରିଛି ?” ଆଉ ଜଣେ ବାବୁ କହିଲେ, “ବୁଢ଼ା ! ତୁମେ ତ ପ୍ରକୃତ ମଫସଲି ଓଲୁ । କିଛି ଜାଣିପାରୁନାହଁ । କ’ଣ ନ କହିଲଣି ଯେ ଆଉ ନାଁ ଧରି କରି କହନ୍ତ ? ତାଙ୍କୁ ଦେଖି ମଧ୍ୟ ସାହେବ ବୋଲି ଚହ୍ନି ନ ପାରିଲ; ୟେ କ’ଣ କମ୍‌ ଦୋଷ ହେଲାଣି ? ଗୋଟାଏ ଚପରାଶି ପରା ତାଙ୍କୁ ଭୁଲରେ ପଛରେ ବାବୁ ବୋଲି କହିଦେଇଥିଲା ବୋଲି ତାକୁ ଦୁଇ ଟଙ୍କା ଜୋରିମାନା ହେଲା !”

 

ମହାଦେବ ଆଶ୍ଚର୍ଯ୍ୟ ହୋଇ କହିଲେ, “ଏଁ, ସାହେବଙ୍କୁ ପରା ଭାରତ ଲୋକେ ମ୍ଲେଚ୍ଛ ବୋଲି କହୁଥିଲେ, ତାଙ୍କୁ ଛୁଇଁଲେ ଗାଧୋଉଥିଲେ, ତାଙ୍କ ପାଇଁ ଭାତ ରାନ୍ଧିଦେବାକୁ ବ୍ରାହ୍ମଣ ମିଳୁନଥିଲେ ? ସେଇ ସାଇବ ବୋଲାଇବାକୁ ଭାରତୀୟ ଲୋକଙ୍କର ମନ କିପରି ହେଉଛି ? ୟେ ଯେଉଁ ବାବୁ ଗଲେ, ସେ ଆମ ଦେଶୀ ଲୋକ ପରି ଜଣାଯାଉଛନ୍ତି । ତାଙ୍କ କୁକୁର ସାଇବ ହୋଇଥିବେ ।”

 

ଯେଉଁ ବାବୁଜଣକ ଆସିଲାବେଳୁ ମନ ଦେଇ ନିଜେ ଟେବୁଲ ଉପରେ କାଗଜପତ୍ର ସବୁ ସଜାଡ଼ି ରଖୁଥିଲେ ଏତିକି ବେଳକୁ ସେ କାମ ସାରି ମହାଦେବଙ୍କ ପାଖକୁ ଆସି କହିଲେ, “ବୁଢ଼ା ! ତୁମକୁ ଅଫିସ କାଇଦା କିଛି ଜଣା ନାହିଁ । ଏଠାରେ କାହିଁକି ପାଟି କରୁଛ ? ସାହେବ ଥିବାବେଳେ ଆମ ଲୋକେ ସାହେବଙ୍କୁ ଘୃଣା କରୁଥିଲେ ବୋଲି, ସେମାନେ ଯିବା ପରେ ଯେ ନିଜେ ସାହେବ ହେବାକୁ ଇଚ୍ଛା କରିବେ ନାହିଁ, ଏ କେଉଁ ଯୁକ୍ତିସଙ୍ଗତ କଥା ? ଗାଁର ମୂର୍ଖ ଲୋକଙ୍କୁ ତୁମ କଥା ଠିକ୍ ଜଣାଯାଇପାରେ । କିନ୍ତୁ ଅସଲରେ ଆମ ଏଠାରେ ବର୍ତ୍ତମାନ ସାହେବ ହେବାକୁ ସମସ୍ତଙ୍କର ମନ । ବୋଧହୁଏ ଆମେ ସାହେବ ହୋଇନପାରି ତାଙ୍କୁ ଘୃଣା କରୁଥିଲେ । ସେକଥା ଯାହା ହେଉ, ତମେ ଏଠାରୁ ଯାଅ । ତମ ପାଟି ଶୁଣି ଯଦି ସାହେବ ରାଗିବେ ତେବେ ମୋ’ରି ଅନିଷ୍ଟ ହେବ ।”

 

ମୁହଁରେ ଗଭୀର ଅନୁକମ୍ପା ପ୍ରକାଶ କରି ମହାଦେବ କହିଲେ,—“ବାପା ! ୟା କାହିଁକି ହେବ ? ମୋ ଉପରେ ରାଗି ତୁମର ଅନିଷ୍ଟ କରିବେ, ଏ କିପରି କଥା ?”

 

ବାବୁଟି ଉଦାସୀନଭାବରେ କହିଲେ, “ସାହେବ ଯେତେବେଳେ ଘର ଭିତରେ ପଶି କରି ଗଲେ ସେତେବେଳେ ସମସ୍ତେ ଠିଆ ହେଲେ । ମୁଁ ମୋ କାଗଜ ସଜାଡ଼ୁଥିଲି, ଜାଣିପାରିଲି ନାହିଁ । ସେ କଥା ନିଶ୍ଚୟ ତାଙ୍କ ନଜରରେ ପଡ଼ିଥିବ ।”

 

ମହାଦେବ ସାନ୍ତ୍ୱନା ଦେଇ କହିଲେ, “ନା, ନା, ସେ କେବେ ଦେଖିନଥିବେ । ସେ ତ ମୁହଁକୁ ତଳକୁ ପୋତି ଯାଉଥିଲେ ଯେ ବାରଣ୍ଡାର ଗୋବର ତାଙ୍କୁ ଦିଶୁନଥିଲାପରି ଜଣାପଡ଼ୁଥିଲା ।”

 

ବାବୁଟି କହିଲେ, “କହିଲି ପରା ବୁଢ଼ା, ତୁମେ ଏଠାର କଥା ବୁଝିପାରିବ ନାହିଁ । କିଏ ଠିଆ ନହେଲେ, ନମସ୍କାର ନ କଲା, ସେ କଥା ଆମ ସାହେବଙ୍କୁ ଆଖି ବୁଜିଲେ ବି ଦିଶେ ।”

 

ମହାଦେବ କହିଲେ, “ତୁମର ଏ ଦୁଶ୍ଚିନ୍ତା ବୃଥା । ତୁମ ଟେବୁଲଟି ଯେପରି ସଫା ଦିଶୁଛି, ସେ କଥା ଦେଖିଲେ ସେ ନିଶ୍ଚୟ ଖୁସି ହେବେ ।”

 

ଆଉ ଜଣେ ବାବୁ ହସି ହସି କହିଲେ, “ବୁଢ଼ା ! ପ୍ରକୃତରେ ତ ତୁମେ ନିପଟ ଓଲୁ । ଟେବୁଲ ସଫା ହେଲା ବୋଲି କ’ଣ ସାହେବ ଅପମାନ ସହିବେ ? ସେ ମାନ ପାଇବାକୁ ହାକିମ ହୋଇଛନ୍ତି ନା ଟେବୁଲ ସଫା ଦେଖିବାକୁ ? ଆମ ସମସ୍ତଙ୍କ ପାଖରେ ଗୋଛା ଗୋଛା କାଗଜ ବାକିଆ ପଡ଼ିଛି । ମୋ ପାଖରେ ତ ସବୁଠାରୁ ବେଶୀ । କିନ୍ତୁ ମୋତେ ଚଳଣି ଜଣା । ସବୁବେଳେ ସାବାସ୍‌ ପାଏ । ବେଳେ ବେଳେ ଚା କପେ ବି ମିଳେ । କିନ୍ତୁ ଏ ପୋତା-ମୁହାଁର ଟେବୁଲ ଯେତେ ସଫା ହେଲେ କ’ଣ ହେବ, ୟା ନାଁରେ ପ୍ରତି ମାସରେ କଳା ବୋଳାହେଉଛି ।”

 

ମହାଦେବ କହିଲେ, “ୟେ ତମରି ପରି ଚଳୁନାହାନ୍ତି କାହିଁକି ?”

 

ଭଲ ଚଳଣି ଜାଣିଥିବା ବାବୁଟି ଉତ୍ତର ଦେଲେ, “ତାଙ୍କୁଇ ପଚାର । ମୁଁ ବହୁତ ଥର କହିଲିଣି । ବ୍ରହ୍ମା ପରା ବାର ବର୍ଷ ଲାଗି କୁକୁର ଲାଙ୍ଗୁଡ଼ ସିଧା କରିଥିଲେ । କ’ଣ ହେଲା ? କିରେ ବାବୁ ! ଆଜି ଟେବୁଲ ସଫା କରିଦେଲେ କାଲି ତ ପୁଣି ନୂଆ କାଗଜ ଆସି ପହଞ୍ଚିବ । ଧର, ଚିଠି ଖଣ୍ଡିଏ ଆସିଛି । ଯେଡ଼ିକି ସଅଳ ତାର ଉତ୍ତର ଦେଇଦେବ, ସେଡ଼ିକି ସଅଳ ଆଉ ଖଣ୍ଡିଏ ଆସି ପହଞ୍ଚିବ । ୟେ ସବୁଦିନ ଲାଗିପଡ଼ି ଟେବୁଲ ସଫା କରୁଛି । ଖାଲି ଘାଣ୍ଟି ହେଉଛି । ଆମ ଟେବୁଲ ଉପରକୁ ଯେଉଁ ଚିଠିଖଣ୍ଡିକ ଆସେ ସେ ସେଇଠି ରହେ । ଉତ୍ତର ଦେବାକୁ ନାହିଁ କି ଆଉ ଚିଠି ଡାକି ଆଣିବାକୁ ନାହିଁ । ଆମକୁ ଯଥେଷ୍ଟ ସମୟ ମିଳୁଛି । ସେଇ ସମୟରୁ ଟିକିଏ ହାକିମଙ୍କ ପିଛା ଖର୍ଚ୍ଚ କରିଦେଲେ ସବୁ ଶାନ୍ତି । ଏକଥା ଯାହାକୁ ଜଣା ନାହିଁ, ସେ ପିଠିରେ ବାଘଛାଲ ପକାଇ ଏଠାକୁ ଆସିବା ଦରକାର ।”

 

ମହାଦେବଙ୍କର ନିଜ ବାଘଛାଲ ଖଣ୍ଡକ କଥା ମନେପଡ଼ିଲା । ସେ ଏଥର ଆସିଲାବେଳେ ଧରା ପଡ଼ିବେ ନାହିଁ ବୋଲି ତାକୁ ପାଲଟି ଚୌଦ୍ୱାର ମିଲ ଲୁଗା ପିନ୍ଧି ଓ ଗାମୁଛା ଧରି ଆସିଥିଲେ । ବାବୁଙ୍କୁ କିଛି ଉତ୍ତର ନ ଦେଇ ସେ ଉପର ମହଲାକୁ ଆଗେଇଲେ । ଅତି ଗୁଆଁର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବା ନିଷ୍ଫଳ ଜାଣି କେହି ତାଙ୍କୁ ପଛରୁ ଡାକିଲେ ନାହିଁ ।

 

ଉପର ମହଲାକୁ ଉଠି ପରଦା ଢଙ୍କାହୋଇଥିବା ଗୋଟିଏ କୋଠରୀ ଭିତରକୁ ପଶିଗଲାବେଳକୁ ପଛରୁ ଜଣେ ଟାଣିଦେଲା । ମହାଦେବ ଟିକିଏ ଲଜ୍ଜିତ ହୋଇ ସେ ଘରଆଡ଼କୁ ଠାରି ପଚାରିଲେ, “କ’ଣ ଜନାନା ଅଛନ୍ତି କି ?” ଚପରାଶି ହସ ରୋକୁ ରୋକୁ ତାଙ୍କୁ ଗୋଟିଏ ପାଖ କୋଠରୀକୁ ଟାଣିନେଇ କହିଲା, “ସେଇଟା ସାଇବଙ୍କ କାମରା । ତୁମେ କାହିଁକି ପଶିଯାଉଛ ?”

 

ସାହେବଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ମହାଦେବ ଇଚ୍ଛା ପ୍ରକାଶ କରନ୍ତେ, ଚପରାଶି ଅପସନ୍ଦ କରି ମୁଣ୍ଡ ହଲାଇଲା; କହିଲା, “ତାଙ୍କ ସଙ୍ଗରେ ତୁମର କ’ଣ କାମ ? ତୁମର ପୁଅ ପୁତୁରା କେହି କଣ ପାଠପଢ଼ି ଘରେ ବସିଛି, ଚାକିରି କରିବ ? ତମେ କ’ଣ ତାଙ୍କ ଗାଁର ? ପହିଲା କଚେରୀରେ ତାଙ୍କ ସଙ୍ଗେ ଦେଖା କର ନାହିଁ । ଏବେ ପରା ତମରି ପରି ଜଣେ ମଫସଲିଆ ଲୋକ ଆସିଥିଲେ ଯେ ସାହେବଙ୍କ କକେଇ ବୋଲି କହିଲେ । ଆମେ ତାଙ୍କୁ ଛାଡ଼ି ଦେଇ ଗାଳି ଖାଇଲୁ ।”

 

ତାର ସଙ୍ଗୀ ଚପରାଶି ଜଣକ ବାଧା ଦେଇ କହିଲା, “ଆରେ, ଗାଳି ଖାଇଲେ କ’ଣ ହେଲା, ସାଇବ କ’ଣ ଜୋରିମାନା କରିଦେଇଛନ୍ତି, ନା ଜୋରିମାନା କଲେ ଆଦାୟ କରୁଛନ୍ତି ? ତୁ ଏତେ ଜେରା କରୁଛୁ କାହିଁକି ? ଯଦି ତାଙ୍କର ସେ ଆପଣାର ଲୋକ ହୋଇଥିବେ, ବାହୁଡ଼ାଇଦେଲେ ତ ପୁଣି ଗାଳି ଖାଇବା !” କାଗଜ ପେନ୍‌ସିଲ ମହାଦେବଙ୍କ ହାତକୁ ବଢ଼ାଇଦେଇ ସେ ପୁଣି କହିଲା, “ବାବା, ତମ ନାଁ ଏହି କାଗଜରେ ଲେଖିଦିଅ । ତାକୁ ସାଇବଙ୍କ ଆଗରେ ଥୋଇଦେବା । ତମକୁ ଯେବେ ସେ ଡାକିବେ ତେବେ ତୁମେ ଯିବ ।”

 

ମହାଦେବ ପେନ୍‌ସିଲଟି ଧରି କାଗଜକୁ ବାଲୁ ବାଲୁ କରି ଚାହିଁ ପଚାରିଲେ, “କଣ ତୁଣ୍ଡରେ କହିଦେଲେ ହେବ ନାହିଁ ? ଆମର ତ ସବୁ କାମ ତୁଣ୍ଡେ ତୁଣ୍ଡେ ହୋଇଯାଏ । ପୁଣି ଏ କାଗଜରେ ମୋର ଲେଖିବାର ଅଭ୍ୟାସ ନାହିଁ ।”

 

ଚପରାଶି ବୁଝାଇବାକୁ ବସିଲା—“ତୁଣ୍ଡ କଥାରେ ଏଠାରେ ଚଳିବ ନାହିଁ । ସହସ୍ର ଭାଷା ଏକ ଲେଖା ।” ମହାଦେବ କଷ୍ଟେ ମଷ୍ଟେ କାଗଜରେ ଲେଖି ଚପରାଶି ହାତକୁ କାଗଜ ପେନ୍‌ସିଲ ବଢ଼ାଇଦେଲେ ।

 

ଚପରାଶି ଏପଟ ସେପଟ କରି କାଗଜକୁ ଚାହିଁ ପଢ଼ିନପାରି କହିଲା, “ୟେ କ’ଣ ? ମୁଁ ତ କିଛି ପଢ଼ି ପାରୁନାହିଁ ।”

 

ମହାଦେବ କହିଲେ, “ଦେବନାଗରୀ” । ଏକଥା ଶୁଣି ଆର ଚପରାଶି ଜଣକ ସବୁ ସଙ୍କୋଚ ଭୁଲି ବଡ଼ ପାଟିରେ ହସି ହସି, “ଦେଖି, ଦେବତାଙ୍କ ନାଗରୀ କିପରି ?” ବୋଲି କହି କାଗଜ ଖଣ୍ଡକ ଭିଡ଼ିନେଲା ।

 

ସେତିକିବେଳେ ଆଉ ଜଣେ ବାବୁ ଆସି ପହଞ୍ଚିଲେ, କାଗଜକୁ ଚାହିଁଦେଇ କହିଲେ, “ମଉସା, ଏ ଛତରା ଚପରାଶିଗୁଡ଼ାଙ୍କ କଥା ଧର ନାହିଁ । ସାଇବ ଏଗୁଡ଼ାଙ୍କ ମୁହଁ ଏପରି ବଢ଼ାଇଦେଇଛନ୍ତି ଯେ ୟାଙ୍କର ଆଉ ଡର ଭୟ ନାହିଁ । ଏ ହିନ୍ଦୀ ଅକ୍ଷର ସେ ପଢ଼ିବେ କୁଆଡ଼ୁ ? ଆମ ସାଇବ ତ ପଢ଼ିପାରିବେ ନାହିଁ । ହିନ୍ଦୀ ଆମ ଦେଶର ଭାଷା ହେବ ବୋଲି ଆଗରୁ ଠିକ୍‌ ହୋଇଥିଲା ଯେ, ଏତେବେଳକୁ ସେ କଥା ଆଉ କାହା ମନକୁ ପାଉନାହିଁ । ଆମ ଦେଶୀ ସାଇବଙ୍କ ଇଚ୍ଛା—ଇଂରେଜି ରଦ୍ଦ ନ ହେଉ । ଯେପରି ଠେଲାଠେଲି ଲାଗିଛି, ଇଂରେଜି ରଦ୍ଦ ହେବା ପୂର୍ବରୁ ଆମ ସାଇବଙ୍କ ପେନ୍‌ସନ ହୋଇଯିବ । ସେଥିପାଇଁ ତାଙ୍କ ପିଲେ ହିନ୍ଦୀ ଶିଖିସାରିଥିଲେ ମଧ୍ୟ ନିଜେ ସାଇବ ଶିଖୁନାହାନ୍ତି ।” ଏହା କହି ସେ ମହାଦେବଙ୍କ ନାମ ଖଣ୍ଡିଏ କାଗଜରେ ଲେଖିଦେଲେ-। ତା ତଳେ ଆଉ କଣ ଧାଡ଼ିଏ ଲେଖିଲେ ଓ କାଗଜ ଖଣ୍ଡ ଚପରାଶିକୁ ଦେଇ କହିଲେ, “ମଉସା, ତୁମେ ଏଇଠାରେ ବସ । ଏ ଖଣ୍ଡ ସାଇବ ଦେଖିଲେ ତୁମକୁ ନିଶ୍ଚିୟ ଡାକିବେ-।”

 

ଚପରାସି କାଗଜଖଣ୍ଡ ଧରି ପରଦା ଆଢ଼ୁଆଳକୁ ଗଲା ଓ ସଙ୍ଗେ ସଙ୍ଗେ ଖାଲି ହାତରେ ଫେରିଆସି କହିଲା, “ସାହେବ ଆରାମ କରୁଛନ୍ତି । ଅପେକ୍ଷା କର ।” ମହାଦେବ ପୂର୍ଣ୍ଣ ସହାନୁଭୂତିରେ ନିଃଶ୍ୱାସଟିଏ ମାଇଲେ । ୟେ ମଟରଗୁଡ଼ାକରେ ଯିବାଆସିବା କଲେ ବୋଧହୁଏ ଭାରି ପରିଶ୍ରମ ହେଉଛି । କିମିତି ବେଗେ ଆରାମ କରିବେ ସେଥିପାଇଁ ବୋଧହୁଏ ବାବୁଟି ଏକମୁହାଁ ହୋଇ ଏଡ଼େ ତରତରରେ ଉପରକୁ ଉଠିଆସିଲେ । କାଳଭୈରବ ପରି ଲୋକ ଏଡ଼େ କ୍ଲାନ୍ତ ହୋଇପଡ଼ୁଛି ! ୟେ ମଟରଗୁଡ଼ାକରେ ଲୋକେ କାହିଁକି ବସୁଛନ୍ତି, ଏମିତି ହାଲିଆ ହେଉଛନ୍ତି-? ଏପରି ଭାବି ମହାଦେବ ବିସ୍ମିତ ହେଲେ ।

 

ସେ ଯେଉଁ ସାନ ବେଞ୍ଚ ଖଣ୍ଡିକରେ ବସିଥିଲେ, ସାହେବଙ୍କ କାମରାରୁ ଫେରିଥିବା ଚପରାଶି, ତାହାର ଗୋଟିଏ ପଟେ ଖୁନ୍ଦିହୋଇ ବସିପଡ଼ିଲା ବେଳକୁ, ଆର ଚପରାଶିଟି ଆର ପଟେ ମହାଦେବଙ୍କ ଦେହରେ ଲେସିହୋଇ ବସିପଡ଼ିଲା । ପ୍ରାୟ ମିନିଟକ ଭିତରେ ଦୁଇ ଜଣଯାକ ଚପରାଶି ଆରାମ କରିବାକୁ ଆରମ୍ଭ କରିଦେଲେ । ପ୍ରାୟ ଏକ ସମୟରେ ଦୁହିଁଙ୍କର ମୁଣ୍ଡ ଦୁଇଆଡ଼ୁ ମହାଦେବଙ୍କ ଦୁଇ କାନ୍ଧରେ ଢଳିପଡ଼ିଲା । ଚପରାଶିମାନଙ୍କ ଇନ୍ଦ୍ରିୟସଂଯମ ଦେଖି ମହାଦେବ ବଡ଼ ସନ୍ତୁଷ୍ଟ ହେଲେ । ସଂଯମ ନ ଥିଲେ, ଏତେ ଶୀଘ୍ର ବସୁ ବସୁ ନିଦ ହୁଅନ୍ତା କିପରି ? ନିଦ ବୋଇଲେ ପୁଣି ନିଘୋଡ଼ ନିଦ ବେଳେ ବେଳେ ସେମାନଙ୍କ ମୁଣ୍ଡ ମହାଦେବଙ୍କ କାନ୍ଧରୁ ତଳକୁ ଖସିପଡ଼ୁଥାଏ-। ସେ ନିଶ୍ଚଳ ହୋଇ ବସି ବାତ୍ସଲ୍ୟ ମମତାରେ ସେମାନଙ୍କ ମୁଣ୍ଡକୁ ଧୀରେ ଧୀରେ ଯଥାସ୍ଥାନରେ ରଖୁଥାନ୍ତି ।

 

ଏହିପରି କେତେ ସମୟ ଯାଇଛି, ମହାଦେବଙ୍କ କାନ ପାଖରେ ହଠାତ୍‌ ଟିଣ୍‌ ଟିଣ୍‌ ହୋଇ ଗୋଟିଏ ଲମ୍ୱା କର୍କଶ ଆବାଜ ହେଲା । ଦୁଇଜଣଯାକ ଚପରାଶି ଚମକିପଡ଼ି ପ୍ରାୟ ଏକ ସଙ୍ଗରେ ଉଚ୍ଚସ୍ୱରରେ ଡାକ ଦେଲେ, “ହ—ଜୁ-ର୍‌ ।” ଯେ କାଗଜ ଖଣ୍ଡକ ନେଇ ପରଦା ଭିତରେ ଆଗ ଯାଇଥିଲା, ଓ ଯାହାର ପୋଷାକ ଅପେକ୍ଷାକୃତ ବଢ଼ିଆ ଦେଖାଯାଉଥିଲା, ସେ ପୁଣି ପରଦା ଭିତରକୁ ପଶିଲା । ଭିତରେ ଶବ୍ଦ ହେଲା, “ଶ୍ରୀ ମହାଦେବକୁ ଡାକ୍‌”। ଚପରାଶି ବାହାରକୁ ଆସି ମହାଦେବଙ୍କୁ ଭିତରେ ପ୍ରବେଶ କରିବାକୁ ଇସାର ଦେଲା ।

 

ମହାଦେବ ଭିତରେ ପଶି ଦେଖିଲେ, ପ୍ରଶସ୍ତ-ଲଲାଟ ବାବୁଟା ଚେଷ୍ଟା କରି ଆଖି ଖୋଲା ରଖି ତାଙ୍କରି ଆଡ଼କୁ ଚାହିଁଛନ୍ତି । ସେ ଖଣ୍ଡିଏ ଖାଲି ଚୌକି ପାଖରେ ଟିକିଏ ଠିଆ ହେଲେ, ବସିବାକୁ ନିମନ୍ତ୍ରଣ ମିଳିବାକୁ ଟିକିଏ ଅପେକ୍ଷା କରି; ନମିଳିଲାରୁ ବାଧ୍ୟ ହୋଇ ବିନା ଅନୁମତିରେ ବସିଲେ । ସାହେବ ଓଠ ଚିପି ଅସ୍ପଷ୍ଟ ସ୍ୱରରେ କହିଲେ “ଅଭଦ୍ର”—ବଡ଼ ପାଟିରେ ପଚାରିଲେ, “ତୁମର ସାଂଜ୍ଞା କ’ଣ ?’’ ମହାଦେବ ବିଚାରିଲେ, ବସନ୍ତୁ ବୋଲି ନ କହିବାର ବାବୁ ନିଜକୁ ନିଜେ ଅଭଦ୍ର କହୁଛନ୍ତି । ସାଂଜ୍ଞାର ସଂଜ୍ଞା ବୁଝିନପାରି ସେ କିଛି ନ କହି ଚାହିଁ ରହିଲେ । ସାହେବ ସାମାନ୍ୟ ବିରକ୍ତ ସ୍ୱରରେ ପଚାରିଲେ, “ତୁମର ନାମ ଶ୍ରୀ ମହାଦେବ ଲେଖାଅଛି । ଶ୍ରୀ ମହାଦେବ କ’ଣ ? ଦାସ, ନା ମହାନ୍ତି, ନା ମିଶ୍ର ନା ପଟ୍ଟନାୟକ, ନା ଆଉ କଣ ? ତାହା ନ ଲେଖିବାଦ୍ୱାରା ତୁମେ ତୁମର ପରିଚୟ ଲୁଚାଉଛ।”

 

ମହାଦେବ କହିଲେ, “ବାବୁ ! ସାଂଜ୍ଞା କ’ଣ, ମୁଁ ବୁଝିପାରୁନାହିଁ । ସାଂଜ୍ଞା ବୋଇଲେ ଯଦି ଉପାଧି ବୋଲି ବୁଝିଛନ୍ତି, ମୋର ତ ଅନ୍ୟ କୌଣସି ସାଂଜ୍ଞା ଥିବାର ମୁଁ ଜାଣେ ନାହିଁ । ମୋର ସଙ୍ଗୀ କାହାର ବି ସାଂଜ୍ଞା ନାହିଁ—ସେମାନେ ଖାଲି ନାଁରେ ପରିଚିତ; ଯଥା: ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ବରୁଣ, କୁବେର—ମର୍ତ୍ତ୍ୟରେ ବି ରାମ, କୃଷ୍ଣ, ବଳରାମ ଇତ୍ୟାଦି ।”

 

ସାହେବ ପଚାରିଲେ, “ଅର୍ଥାତ୍‌, ଏମାନେ ସବୁ କିଏ ?”

 

ମହାଦେବ କହିଲେ, “ଦେବତା” ।

 

ସାହେବ ଅସହିଷ୍ଣୁ ଭାବେ କହିଲେ, “ସେଇକଥା କହୁନାହଁ ?

 

‘ମହାଦେବ ଦେବତା’ ବୋଲି କହିଦେଇଥିଲେ ତ ସରିଥାନ୍ତା । ମୋର ଏତେ ସମୟ ନଷ୍ଟ ହୋଇନଥାନ୍ତା । ତୁମେ ଜାଣିପାରୁନାହଁ, ମୋର କେତେ ବହୁମୂଲ୍ୟ ସମୟ ତୁମେ ନଷ୍ଟ କରୁଛ ।’’ ସାହେବଙ୍କ ଆରାମ କରିବାର କରିବାରେ ବ୍ୟାଘାତ କରିଥିବାରୁ ମହାଦେବ ଦୁଃଖିତ ଓ ଲଜ୍ଜିତ ହେଲେ । ସାହେବ ପୁଣି କହିଲେ, “ଆଚ୍ଛା, ଦେବତା ବୋଇଲେ କେଉଁ ଜାତି ? କଟକ ଜିଲାରେ ଦେବତା ସାଂଜ୍ଞାରେ ବ୍ରାହ୍ମଣ ଅଛନ୍ତି । ପୁରୀ ଜିଲାର ଖୋର୍ଦ୍ଧା ସବ୍‌ଡିଭିଜନର ଡିଙ୍ଗର ରାଉତପଡ଼ାରେ ଦେବତା ହେଉଛନ୍ତି ରଙ୍ଗଣୀ (ତନ୍ତୀ) । ତୁମେ ଯଦି ସେଇ ଦେବତା ହୋଇଥାଅ, ତେବେ ତୁମେ ଅନୁନ୍ନତ ଜାତି ଭିତରେ ଯିବ । ଅବଶ୍ୟ ଆଦିବାସୀ ଓ ହରିଜନ ହୋଇଥିଲେ, ମୁଁ ତୁମ ପାଇଁ ଯାହା କରିପାରିଥାନ୍ତି, ଅନୁନ୍ନତ ଜାତି ହେଲେ ମୁଁ ସେପରି କରିପାରିବି ନାହିଁ । ତେବେ ତୁମର ଆବେଦନ ମନେ ରଖିବି । ଦିଲ୍ଲୀ ସରକାର ଏ ବର୍ଷ ଅନୁନ୍ନତ ଜାତିଙ୍କ ପାଇଁ କ’ଣ କ’ଣ ସୁବିଧା ଦେବେ ଜାଣି ସାରିଲା ପରେ ଦେଖାଯିବ । ତୁମର ଜାତି କଣ ଠିକ୍‌ କରି କହ, ବ୍ରାହ୍ମଣ ନା ତନ୍ତୀ ?”

 

ମହାଦେବ କହିଲେ, “ଆଜ୍ଞା ! ମୋର ଜାତି କ’ଣ ମୁଁ ତ ଜାଣେ ନାହିଁ । ଦକ୍ଷପ୍ରଜାପତି ଯାଜ୍ଞିକ ବ୍ରାହ୍ମଣ; ସେ ମୋତେ ଝିଅ ଦେଇଥିଲେ । କିନ୍ତୁ ପରେ ପୁଣି ମୁଁ ଶୂଦ୍ର ବୋଲି ମୋତେ ଯଜ୍ଞକୁ ନିମନ୍ତ୍ରଣ ନ କରିବାରୁ କେତେ ଦୁର୍ଘଟଣା ଘଟିଲା । ମୋର ପତ୍ନୀବିୟୋଗ ହେଲା ଓ ପ୍ରଜାପତିଙ୍କୁ ନିଜ ମୁଣ୍ଡ ପରିବର୍ତ୍ତେ ଛେଳି ମୁଣ୍ଡ ମିଲିଲା । ମୁଁ ଆଦିବାସୀରେ ବି ବିଭା ହୋଇଛି । ମୋର ପକ୍ଷେ ସ୍ତ୍ରୀ ଦୁର୍ଗାଙ୍କୁ, ଶବର ଓ ଅନ୍ୟାନ୍ୟ ଆଦିବାସୀମାନେ ପୂଜା କରିଥିବାର ସମସ୍ତେ ଜାଣନ୍ତି । ମୋତେ ଆପଣଙ୍କ ରାଜ୍ୟରେ ବ୍ରାହ୍ମଣମାନେ ମାନନ୍ତି; କିନ୍ତୁ ପାଣି ଦିଅନ୍ତି ଓ ପୂଜା କରନ୍ତି ଅବ୍ରାହ୍ମଣ ବା ଛୋଟ ବ୍ରାହ୍ମଣମାନେ । ଭଲ ବ୍ରାହ୍ମଣମାନେ ମୋ ପାଦୁକ ପାଆନ୍ତି, କିନ୍ତୁ ଭୋଗ ଛୁଉଁ ନଥିଲେ—ଏବେ ଖାଇଲେଣି । ପୂଜକମାନେ ମଧ୍ୟ ବୈଦିକ ସ୍ମାର୍ତ୍ତ ବ୍ରାହ୍ମଣଙ୍କ ଘରେ ବନ୍ଧୁ କଲେଣି । ମୋର କେତେକ ଫଟୋ ପ୍ରଚାରିତ ହେଉଛି ଯେ ସେଥିରେ ମୋ କାନ୍ଧରେ ପଇତା ପଡ଼ିଛି । କିଏ ମୋତେ କେଉଁ ଜାତି ବୋଲି ଗ୍ରହଣ କରୁଛି, ମୋର ସେଥିରେ ଯାଏ ଆସେ ନାହିଁ ।”

 

ସାହେବ ବାଧା ଦେଇ କହିଲେ, “ତୁମର ବକ୍ତୃତା ଶୁଣିବାକୁ ମୋର ସମୟ ନାହିଁ । ଜାତିରେ ତୁମର କିଛି ଯାଇ ଆସି ନ ପାରେ, କିନ୍ତୁ ମୋର ଆସେ ଓ ଯାଏ । ତୁମେ ଯଦି ଆଦିବାସୀ, ହରିଜନ ବା ନିତାନ୍ତ ପକ୍ଷେ ଅନୁନ୍ନତ ଜାତିର ଲୋକ ନୁହେଁ, ତେବେ ମୁଁ ତୁମପାଇଁ କିଛି କରିପାରିବି ନାହିଁ । ତୁମେ ଯାଇପାର ।”

 

ମହାଦେବ ବାହାରିଯିବାର କୌଣସି ଲକ୍ଷଣ ନ ଦେଖାଇ ନିର୍ବିକାର ଦୃଷ୍ଟିରେ ସାହେବଙ୍କ ଆଡ଼କୁ ଚାହିଁ ରହିଲେ । ସାହେବଙ୍କ ଖୁବ୍‌ ଲମ୍ୱା ଘଣ୍ଟି ଶବ୍ଦରେ ମହାଦେବ ପୁଣି ଚମକିପଡ଼ିଲେ । ତାହା ଦେଖି ସାହେବଙ୍କ ମୁହଁରେ ପ୍ରସନ୍ନତା ଫେରିଆସିଲା । ବାହାରୁ ପୁଣି ହଜୁର ଡାକ ଶୁଣାଗଲା-। ପରଦା ଭିତରୁ ଚପରାଶି ଉଭା ହେଲା । ସାହେବ ହୁକୁମ ଦେଲେ “ଟାଇପ୍‌ ବାବୁ ।”

 

ଟାଇପ୍‌ ବାବୁ ଗୋଟିଏ ହାତରେ ଖଣ୍ଡିଏ ଖାତା ଓ ଅନ୍ୟ ହାତରେ ଖଣ୍ଡିଏ ପେନସିଲ୍‌ ଧରି ଆସି ଠିଆ ହେଲେ । ସାଇବ ତାଙ୍କ ଆଡ଼କୁ ନ ଚାହିଁ କହିଲେ, “ତୁମେ ଏହାଙ୍କ ନାମ ତଳେ କ’ଣ ଲେଖିଛ ?” ଟାଇପ୍‌ ବାବୁ ଉତ୍ତର ଦେଲେ, “ସେ ଜଣେ ଭଲ ଲୋକ ।”

 

“କାହିଁକି ?”

 

“ମୋର ମନ ହେଲା ।”

 

“ତୁମର ଯାହା ମନ ହେବ ସେକଥା ଲୋଖିବାକୁ କ’ଣ ତୁମେ ନିଯୁକ୍ତ ହୋଇଛ ?”

 

“ନାଁ, ଆପଣଙ୍କର ଯାହା ମନ ହେବ ।”

 

“ତେବେ ?”

 

“ଆଜ୍ଞା, ମୋର ଦୋଷ ହୋଇଛି ।”

 

“ଆଚ୍ଛା ଯାଅ, ଯାଅ, ନିଜେ କେତେକର ଲୋକ ସେକଥା ସବୁବେଳେ ମନେ ରଖିବା ଉଚିତ । ଆଉ ଯଦି ଏପରି ହୁଏ ତେବେ ମୁଁ ଛାଡ଼ିବି ନାହିଁ ।”

 

ସାହେବ ଟିକିଏ ଗମ୍ଭୀର ହୋଇ ରହିଲେ । ମନେ ମନେ ବେଶ୍‌ ଆତ୍ମସନ୍ତୋଷ ଅନୁଭବ କଲେ ଯେ, ବୁଢ଼ା ତାଙ୍କର ବଡ଼ପଣିଆ ଦେଖି ତାଜୁବ୍‌ ହୋଇଥିବ । ଟାଇପ ବାବୁ କିନ୍ତୁ ବଡ଼ ଅଡ଼ୁଆ କଲେ । ସେ ବାହାରିଯିବା ପରିବର୍ତ୍ତେ କହିଲେ, “ଆଜ୍ଞା, ମୁଁ ପ୍ରତିଶ୍ରୁତି ଦେଉଛି ଯେ ଆଉ ଏପରି ହେବନାହିଁ । ଆପଣ କିଛି କାମ କରୁନାହାନ୍ତି, ଧାଡ଼ିଏ ବି କିଛି ଡାକୁନାହାନ୍ତି, ତେଣୁ ଆପଣଙ୍କ ପାଖରେ ରହିବା ଫଳରେ ମୋର ଟାଇପ କରିବାର ଅଭ୍ୟାସ ଛାଡ଼ିଯାଉଛି ବୋଲି ମୁଁ ଅନ୍ୟ ଅଫିସରଙ୍କ ପାଖକୁ ବଦଳି ହେବା ପାଇଁ ଯୋଗାଡ଼ କରିସାରିଛି ।”

 

ସାହେବଙ୍କ ମୁହଁ ଲାଲ ହୋଇଗଲା । ସେ ଅନ୍ୟର ଲେଖା ତଳେ କେବଳ ଦସ୍ତଖତ କରନ୍ତି । ନିଜେ ଗୁଡ଼ାଏ ପରିଶ୍ରମ କରି ନିଜର ମତାମତ ଲେଖିବାକୁ ବା ଲେଖାଇବାକୁ ଚାହାନ୍ତି ନାହିଁ । ତାଙ୍କ ବୁନିଆଦି ବାହାରର ଜଣେ ଲୋକ ଆଗରେ ପ୍ରକାଶ ପାଇଯିବାରୁ ସେ ଭାରି ଚିଡ଼ିଯାଇଥିଲେ । ସେ ଦାନ୍ତ ଚିପି ଗୋଟାଏ କ’ଣ ଶବ୍ଦ ଉଚ୍ଚାରଣ କଲେ, ମହାଦେବ ଶୁଣିପାରିଲେ ନାହିଁ । ଟାଇପ୍‌ ବାବୁ ମଧ୍ୟ ମୁହଁ ଲାଲ କରି ଉତ୍ତର ଦେଲେ, “ଆପଣ ମୋତେ ବ୍ୟକ୍ତିଗତ ଚାକର ପରି ବ୍ୟବହାର କରନ୍ତି । ବର୍ତ୍ତମାନ ‘ପାଜି’ ବୋଲି କହିଲେ । ଏହି ଭଦ୍ରଲୋକ ସାକ୍ଷୀ ଅଛନ୍ତି । ମୁଁ ଆଜି ଏ ବିଷୟରେ ଗୋଟିଏ ଦରଖାସ୍ତ ଦେବି ।”

 

ସାହେବ ଆହୁରି ଚିଡ଼ିଗଲେ, କହିଲେ, “ମୁଁ କହୁଛି, ବାହରି ଯାଅ । ମୁଁ ତୁମ ମୁହଁ ଦେଖିବାକୁ ଚାହେ ନାହିଁ । ତୁମର ଦରଖାସ୍ତକୁ ମୋର ଖାତିର ନାହିଁ । ଏହିପରି ବହୁତ ଦରଖାସ୍ତ ମୋ ଅଳିଆ ଟୋକେଇରେ ପଡ଼ିଛି । ତୁମର ଅଭିଯୋଗ ମୁଁ ଉପରକୁ ପଠାଇବି ନାହିଁ । ତୁମେ କଣ ଜାଣ ନାହିଁ, ଫୁଲବାଣୀରେ ଓ କେନ୍ଦୁଝରରେ ଥିଲା ବେଳେ ତୁମଠାରୁ ବଡ଼ ବଡ଼ ଲୋକଙ୍କୁ ମୁଁ ଠିକଣା କରିଦେଇଛି ? ଖାଲି ତୁମେ କାହିଁକି, ତୁମ ଗୋଷ୍ଠୀ ବି ମୋତେ ବଳାଇବେ ନାହିଁ । ମୁଁ କିଏ ତୁମକୁ ଚିହ୍ନାଇଦେବି ।”

 

ଟାଇପ୍‌ ବାବୁ ଉତ୍ତର ଦେଲେ, “ଆଜ୍ଞା, ମୋର ଚିହ୍ନିବାର ବାକି ନାହିଁ । ଆପଣଙ୍କ ପାଖରେ ମୁଁ ତ ବର୍ଷେ ଚାକିରି କଲିଣି, ଯେଉଁମାନେ ଚାକିରି ନ କରିଛନ୍ତି ସେମାନେ ବି ଆପଣଙ୍କୁ ଚିହ୍ନନ୍ତି । ଆପଣ ମୋତେ ଅଭଦ୍ର ଭାବରେ ବାହାରିଯିବାକୁ କହିଛନ୍ତି । ଆପଣ ନିଜ ତୁଣ୍ଡରେ ମାନିଛନ୍ତି ଯେ ଆପତ୍ତି ଦରଖାସ୍ତ ସବୁ ଆପଣ ଖପାଇ ଦେଉଛନ୍ତି । ମୁଁ ଏ ସବୁ କଥା ସଙ୍ଗେ ସଙ୍ଗେ ମୋ ସମିତିକୁ ଜଣାଇବି ।”

 

ସାହେବ ଧଡ଼୍‌କିନି ଚଉକିରୁ ଉଠି ପଡ଼ି କହିଲେ, “ଚୁପ୍‌ ରହ, ଶୀଘ୍ର ମୋ ଆଗରୁ ବାହାରି ଯାଅ, ନ ହେଲେ ମୁଁ ତୁମକୁ ପୁଲିସରେ ଦେଇଦେବି ।”

 

ପୁଣି ଘଣ୍ଟିର ଖୁବ୍ ଲମ୍ୱା ଶବ୍ଦ ହେଲା । ଚପରାଶି ଘର ଭିତରକୁ ପଶି ଆସି ଟାଇପ୍‌ ବାବୁଙ୍କ ପାଖରେ ଠିଆ ହୋଇ ବୁଝେଇଲା ପରି କହିଲା, “ବାବୁ, ଆପଣ ଆସନ୍ତୁଭାରି । ସାହେବ ଯେବେ ହାତ ଉଠାଇଦିଅନ୍ତି ତେବେ କେଡ଼େ ଅସୁନ୍ଦର କଥା ନ ହେବ ? କାଲି ଏହିପରି ଘଟିଲା ଯେ, ସାହେବ ଦିନ ତମାତ କାମ କରିପାରିନାହାନ୍ତି । ଆଜି ଅଫିସକୁ ଆସି ଟିକିଏ ବିଶ୍ରାମ କରୁଥିଲେ, ଆପଣ ଆସି ଲଗେଇଲେଣି । ଆସନ୍ତୁ, ଆସନ୍ତୁ ।” ଟାଇପ୍‌ ବାବୁ ନାଲି ଆଖିରେ ସାହେବଙ୍କ ଆଡ଼କୁ ଚାହିଁ ଚାହିଁ ବାହାରିଗଲେ । ଚପରାଶିଠାରୁ ସହାନୁଭୂତି ପାଇ ସାହେବ ଆଶ୍ୱସ୍ତ ହୋଇ ତଳକୁ ମୁହଁ ପୋତି ବସିଲେ ।

 

ମହାଦେବ ଯେପରି ବସିଥାଆନ୍ତି ତାହା ଦେଖିଲେ ଯେ କେହି ମନେ କରିବ, ସେ କିଛି ବୁଝିନାହାନ୍ତି । ସାହେବ ତାଙ୍କୁ ବୁଝାଇବା ପାଇଁ ଆରମ୍ଭ କଲେ, “ଦେଖିଲ ବୁଢ଼ା ! ଛୋଟ ଲୋକଟାର ବ୍ୟବହାର ? ମୁନିବ ପାଖରେ କିପରି ଚଳିବାକୁ ହୁଏ ଜଣା ନାହିଁ ।”

 

ମହାଦେବ କହିଲେ, “ବାବୁ ! ଏ କ’ଣ ଆପଣଙ୍କ ପାଖରେ ଚାକିରି କରନ୍ତି ? ଆପଣ ତାଙ୍କ କଥା ସବୁ ଯେପରି ବରଦାସ୍ତ କଲେ, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି ।”

 

ସାହେବ ଟିକିଏ ଉତ୍ତେଜିତ ସ୍ୱରରେ କହିଲେ, “ଆଉ କ’ଣ କରନ୍ତି ? କ’ଣ ଅଭିଶାପ ଦିଅନ୍ତି ? ସେ କାଳ ଗଲାଣି, ଆଇନକାନୁନ ବି ଗଲାଣି । ଛୋଟିଆ କର୍ମଚାରୀଗୁଡ଼ାକର ଏପରି ମୁହଁ ବଢ଼ିଗଲାଣି ଯେ, ସେମାନେ ଯାଇ ସିଧା ମନ୍ତ୍ରୀଙ୍କ ଦୁଆରେ ପହଞ୍ଚି ଯାଉଛନ୍ତି । ଆଜି ମୋର ମନ ହେଉଥିଲା, ସାଥେସାଥ୍‌ ସସ୍‌ପେଣ୍ଡ କରିଦିଅନ୍ତି । କିନ୍ତୁ, ଯେଉଁଗୁଡ଼ାକୁ ଦୁଇ ବର୍ଷ ହେଲା ସସ୍‌ପେଣ୍ଡ କରିଛି ତାଙ୍କ ବିଷୟ ତ ଆଜିଯାଏ ଫଏସଲ ହୋଇନାହିଁ ।”

 

ମହାଦେବ ‘ସସ୍‌ପେଣ୍ଡ’ ଶବ୍ଦର ଅର୍ଥ ବୁଝି ପାରିବା ପରେ କହିଲେ, “ହଁ ବାବୁ, ସେ ତ ଗୋଟାଏ ପ୍ରକାର ଦଣ୍ଡ । ମୁଁ ଦଣ୍ଡ ଦେବା କଥା କହୁନଥିଲି । ସେ, ଆପଣଙ୍କୁ ଗୁଡ଼ାଏ ଅନୁଚିତ କଥା କହିଲେ । ଆପଣ ସେଥିରେ ତୁନି ହୋଇ ନ ରହି ତାଙ୍କୁ ତ ତାଙ୍କ ଭୁଲ ବୁଝାଇଦେଇଥିଲେ ଅଡ଼ୁଆ ନିଷ୍ପତ୍ତି ହୋଇଯାଇଥାଆନ୍ତା ।”

 

ସାହେବ ଚଉକିରେ ଆଉଜି ପଡ଼ି ବଡ଼ ପାଟିରେ ହସି କହିଲେ, “ବୁଢ଼ା ! ତୁମେ ଏ ସବୁ ବୁଝିବ କୁଆଡ଼ୁ ? ଶାସନ କାର୍ଯ୍ୟ ଏପରି ନୁହେଁ ଯେ, ତୁମପରି ନିପଟ ମଫସଲି ମୂର୍ଖ ରାସ୍ତା ଉପରୁ ଚାଲି ଆସି ବଳଦିଆ ଢଙ୍ଗରେ କଥା ନିଷ୍ପତ୍ତି କରିଦେବ । ତୁମେ ଜାଣ, ଶାସନ କାର୍ଯ୍ୟ ଶିକ୍ଷା କରିବାକୁ, ସେ ବିଷୟରେ ଉଚ୍ଚ ଯୋଗ୍ୟତା ହାସଲ କରିବାକୁ, ମୁଁ ଇଂଲଣ୍ଡ ଆମେରିକାରେ ପାଞ୍ଚବର୍ଷ କଟାଇଛି । ପୁଣି ବି ଯିବାକୁ ବାହାରିଛି । ତୁମେ ସବୁ ଗୋରୁ ଚରାଅ, ଆମେ ମଣିଷ ଚରାଇବାକୁ ଶିଖି କରି ଆସିଛୁ । ଆଚ୍ଛା ହେଉ, ତୁମେ ଯାଅ । ଆଜି ତୁମ ଯୋଗୁଁ ବହୁତ ସମୟ ନଷ୍ଟ ହେଲାଣି । ତୁମ ପରି ଛୋଟ ଲୋକମାନଙ୍କୁ ମୁଁ ପ୍ରଶ୍ରୟ ଦିଏ ବୋଲି ମୋ ଅଫିସରୁ ଶୃଙ୍ଖଳା ନଷ୍ଟ ହୋଇଗଲାଣି ।” ଏହା କହି ସାହେବ ପୁଣି ଘଣ୍ଟି ଦେଲେ ।

 

ସାହେବଙ୍କର ଶେଷ କଥା ସଦାଶିବଙ୍କୁ ମଧ୍ୟ ଟିକିଏ ବାଧିଲା । ସେ ଯିବାକୁ ବାହାରି, ଠିଆ ହୋଇ କହିଲେ, “ବାବୁ, ଆମେ ମଧ୍ୟ କେତେ ଲୋକଙ୍କୁ ଚଳାଉଁ । ଅବଶ୍ୟ ଆପଣଙ୍କ ପରି ଆମର ପଢ଼ା ନାହିଁ; କିନ୍ତୁ ପ୍ରଭୁପଣିଆ କ’ଣ ଖାଲି ପାଠ ପଢ଼ି ହୁଏ ? ସେ ତ ମନର କଥା । ସାହେବଙ୍କ ଦେଶରେ ପାଠ ଶିଖି ଆସି କ’ଣ ସବୁ କାଳେ ଆମ ଦେଶ ଚଳୁଥିଲା ?”

 

ଝୋଟ ନିଆଁ ପରି ସାହେବ ଫାଉଁକିନି ରାଗି ଉଠିଲେ; ଖୁବ୍‌ ଉତ୍ତେଜିତ ହୋଇ କହିଲେ, “ବୁଢ଼ା ! ତୁମେ ଜଲଦି ବାହାରିଯାଅ । ମୋର ଆଜି ମନ ଖରାପ ଅଛି । ତୁମେ କାହା ସହିତ କଥାବାର୍ତ୍ତା ହେଉଛ ଜାଣିପାରୁନାହଁ ? ବାବୁ ବାବୁ ବୋଲି କାହାକୁ କହୁଛ ?”

 

ମହାଦେବ କହିଲେ, “ଆଜ୍ଞା, ଭୁଲ ହୋଇଗଲା । ଆପଣଙ୍କୁ ସାହେବ କହିବାକୁ ହେବ ବୋଲି ମୁଁ ଶୁଣିଚି । ଆପଣଙ୍କ ପରି ଲୋକଙ୍କୁ ସାହେବ ଡାକିବା ଅଭ୍ୟାସ ନାଇଁ ନା, ସେଥିପାଇଁ ଭୁଲ ହୋଇଗଲା ।”

 

ସେ ଯେ ସାହେବ ଏକଥା ସଫସଲରେ ବି ଲୋକେ ଶୁଣିଛନ୍ତି ଏହା ଜାଣି ସାହେବ ପୁଣି ପ୍ରସନ୍ନ ହୋଇଗଲେ । ତାଙ୍କ ମୁହଁକୁ ଚାହିଁ ମହାଦେବ ପୁଣି ଆଲୋଚନା ଆରମ୍ଭ କରିଦେଲେ । ସେ କହିଲେ, “ଆଜ୍ଞା ! ମୁଁ କ’ଣ କହୁଥିଲି କି, ଅଧୀନସ୍ଥ ଲୋକେ କିପରି ଶୃଙ୍ଖଳାରେ ରହିବେ ତାହା ଉପର ଲୋକଙ୍କ ହାତରେ । ଆମେ ଯଦି ପ୍ରଭୁ ହୋଇ ଜାଣିବା, ତେବେ ଆମ ଅଧୀନ ଲୋକେ କିଙ୍କର ହୋଇ ରହିବେ । ମୋ ପାଖରେ ଗୁଡ଼ିଏ ଲୋକ ଅଛନ୍ତି । ସେମାନଙ୍କୁ ମୁଁ ସାଙ୍ଗ ବୋଲି ମନେ କରେ । ସେମାନେ ମନ ଖୋଲି ମୋ ସଙ୍ଗେ କଥାବାର୍ତ୍ତା ହୁଅନ୍ତି, ସ୍ୱଚ୍ଛନ୍ଦରେ ଚଳନ୍ତି । କିନ୍ତୁ ମାନ୍ୟ ରଖିଥାଆନ୍ତି ।”

 

ସାହେବ—ଓଃ ! ପୁଣି ସେହି ଆଲୋଚନା । ତୁମ ଉଦାହରଣରେ ମୋର କି ଉପକାର ହେବ ? ତୁମେ ଗାଁର କେଉଁ କ୍ଷୁଦ୍ର କୋଣରେ ପଞ୍ଚାଏ ଚାକର ଧରି ରହିଥିବ । ତୁମେ ଯେଉଁ ସ୍ତରର ଲୋକ ସେ’ବି ସେହି ସ୍ତରର, ଏକ ରାଜ୍ୟର ଲୋକ । ତାଙ୍କ ସଙ୍ଗେ ତୁମେ ସାଙ୍ଗ ନ ହୋଇ କ’ଣ ହୁଅନ୍ତ ? ହୁଏତ ତୁମର ଯେଉଁ ଜମି ଖଣ୍ଡକ ଅଛି, ସେତକ ନଥିଲେ ତୁମେ ସେଇମାନଙ୍କ ପରି ମୂଲ ଲାଗି ଖାଆନ୍ତ ।

 

ମହାଦେବ ଅତି ସରଳ ଭାବରେ କହିଲେ, “ବାବୁ ! ମୋର ଗୁଣ୍ଠେ ହେଲେ ଜମି ନାହିଁ; ପାହିଆ ବି ନାହିଁ ।”

 

ମହାଦେବ ଆଉ କ’ଣ କହିବେ ବୋଲି ଯାଉଥିଲେ; ସାହେବ ଖୁବ୍‌ ବଡ଼ ପାଟିରେ ବାଧା ଦେଇ କହିଲେ, ତୁନୀ ହୁଅ; ତୁମେ ମୋତେ ଅପମାନ ଦେବାକୁ ଏଠାକୁ ଆସିଛ । ତୁମେ ଜାଣିପାରୁନାହିଁ, କାହକୁ ବାବୁ, ବାବୁ ବୋଲି ଥରକୁ ଥର କହୁଛ ?”

 

ଚପରାଶି ସେତେବେଳକୁ ଆସି ଘର ଭିତରେ ଠିଆ ହୋଇଥାଏ । ସାହେବ ରାଗରେ ତାକୁ ନ ଦେଖି ପୁଣି ଥରେ ଘଣ୍ଟି ଦେଲେ ଓ ସେଥି ସଙ୍ଗେ ପାଟିକରି କହିଲେ, “ଚପରାଶି ! ଧକ୍‌କା ଦେଇ ଦେଇ ଏ ବୁଢ଼ାକୁ ହତା ପାର କରିଦିଅ । ଆଜି ବୁଝୁଛି, ଏ ବୁଢ଼ାକୁ କିଏ ଏ ଘର ଭିତରକୁ ଆଣିଛି !”

 

ଚପରାଶି ମହାଦେବଙ୍କ ଦେହରେ ହାତ ଦେବାକୁ ଟିକିଏ ଶଙ୍କୁଥାଏ । ମହାଦେବ ତିଳେମାତ୍ର ବିବ୍ରତ ନ ହୋଇ କହିଲେ–

 

“କିଓ ବାବୁ ! ତମର ତ ଘଡ଼ିକେ ଘୋଡ଼ା ଛୁଟୁଛି । ଏଇ ଘଣ୍ଟାକ ଭିତରେ ତୁମେ କେତେଥର ଗରମ ହୋଇ କେତେଥର ଥଣ୍ଡା ହେଲଣି ? ତୁମେ ବାବୁ ହୁଅ କି ସାଇବ ହୁଅ ସେଥିରେ ଆମର ଯାଏ ଆସେ କଣ ? ତମକୁ ଚିଡ଼େଇବାକୁ ତ ମୁଁ ବାବୁ ବୋଲି କହୁନଥିଲି । ମୁଁ ଆସିବାବେଳେ ତୁମ ଏଠାର ସାନବାବୁମାନେ କହୁଥିଲେ, ତୁମକୁ ସାଇବ ବୋଲି ନ କହିଲେ ତୁମେ ରାଗିଯାଅ। କାହାକୁ ଦିନେ ପରା ଜୋରିମାନା କରିଥିଲ । ତୁମକୁ ସାଇବ ବୋଲି କହିବାକୁ ମୋର ମନ ଥିଲା, କିନ୍ତୁ କାହିଁକି କହିବି ବୁଝି ନ ପାରିବାରୁ କହି ହେଲା ନାହିଁ । ଏ ଦେଶରେ ମୁଁ ସାଇବ ଆଗରୁ ଦେଖିଛି । କିନ୍ତୁ ତମ ରୂପ ଓ ଢଙ୍ଗ ତ ସେ ସାଇବଙ୍କ ପରି ନୁହଁ ।”

 

ସାହେବ ଆହୁରି ଚିଡ଼ିଯାଇ ବଡ଼ ପାଟିରେ ଚିତ୍କାର କରି କହିଲେ, “ଓ ! ତୁମେ ତାହା ହେଲେ ଏଠାରେ ଆସି ମୋ ବିରୁଦ୍ଧରେ ଗୁପ୍ତ ଅନୁସନ୍ଧାନ କରିଛ ! ତୁମେ କିଏ ମୁଁ ପରୀକ୍ଷା କରିବାକୁ ଚାହେଁ । ମୋର ସନ୍ଦେହ, ତୁମର ୟେ ସତ ଦାଢ଼ି ନୁହେଁ ।”

 

ସାଇବ ମହାଦେବଙ୍କ ଦାଢ଼ିକୁ ହାତ ବଢ଼ାଇଦେଲା ବେଳକୁ ସେ ଦୁଇପାଦ ଘୁଞ୍ଚିଯାଇ କହିଲେ, “ବାବୁ ! ଆପଣ ଦାଢ଼ିକୁ କାହିଁକି ହାତ ବଢ଼ାଉଛନ୍ତି ? ଆମେମାନେ ନକଲି କାରବାର କରୁନାହିଁ । ଆପଣଙ୍କ ଢଙ୍ଗ ଦେଖି ଆଶ୍ଚର୍ଯ୍ୟ ଲାଗୁଛି ।”

 

ସାହେବ ଖିଙ୍କାରି ହୋଇ କହିଲେ, “ତୁମଭଳି ଲୋକଙ୍କର ମତ ମୋର ଦରକାର ନାହିଁ । ଶୀଘ୍ର ଏଠାରୁ ଚାଲିଯାଅ । ନହେଲେ ତୁମର ଅବସ୍ଥା ବଡ଼ ଖରାପ ହେବ ।”

 

ଚପରାଶି ମହାଦେବଙ୍କ ଡେଣାକୁ ହାତ ବଢ଼ାଇ ଫେରାଇନେଲା । ମହାଦେବ କହିଲେ, “ଆପଣ ଏତେ ରିସା କାହିଁକି ହେଉଛନ୍ତି ? ମୁଁ ଯାଉଛି । ତେବେ ମୋର ଗୋଟିଏ କଥା ଜାଣିବାକୁ ଇଚ୍ଛା, ଆପଣ ଯେ ସାହେବ ହୋଇଛନ୍ତି, ତାହା କାହା ଆଡ଼ୁ ? ମା ନା ବାପ ? ଦକ୍ଷିଣ ଦେଶରେ ଆପଣଙ୍କଠାରୁ କଳା ଆଙ୍ଗଲୋଇଣ୍ଡିଆନ ମୁଁ ଦେଖିଛି । ଆପଣଙ୍କର ବୋଧହୁଏ ଅନୁଲୋମରେ ଜନ୍ମ ହୋଇଥବ । ଆମ ଦେଶରେ ସାହେବମାନେ ଆସି ଏହିପରି ବହୁତ କୀର୍ତ୍ତି କରିଛନ୍ତି ।”

 

ସାହେବ ରାଗରେ ଠିଆହୋଇ ପଡ଼ିଲେ; ଭାରି ବଡ଼ ପାଟି କରି କହିଲେ, “ଚୁପ୍‌ ରହ”; ଚପରାଶିକୁ ନାଲିଆଖି ଦେଖାଇ କହିଲେ, “ଘଣ୍ଟାଏ ହେଲା ଏଠାରେ ଠିଆ ହୋଇ କଣ ଦେଖୁଛୁ ? ଆଜି ତମ ସମସ୍ତଙ୍କୁ ସାବାଡ଼ କରୁଛି । ଏ ବଦମାସ୍‌ ବୁଢ଼ାକୁ ଅଟକାଇ ରଖ ।” ଏହା କହି ସାହେବ ପୁଲିସ ଥାନକୁ ଟେଲିଫୋନ କଲେ ।

 

ଥାନାକୁ ଟେଲିଫୋନ୍‌ ହେବାର ଅଳ୍ପ ସମୟ ଭିତରେ ପୋଲିସ ସବ୍‌ଇନ୍‌ସପେକ୍‌ଟର, ଦୁଇ କନେଷ୍ଟବଲ ଧରି ଆସି ହାଜର ହୋଇଯିବାରେ ସାହେବଙ୍କ ମନ ପୁଣି ପ୍ରସନ୍ନ ହୋଇଗଲା; ବୁଢ଼ା ବିଷୟରେ ସେ ଟେଲିଫୋନ୍‌ରେ ଯାହା କହିଥିଲେ ତାହା ବିଶଦ ଭାବରେ ଆଉ ଥରେ କହିଲେ । ସବ୍‌ଇନ୍‌ସପେକ୍‌ଟର ଧୀରସ୍ଥିର ଭାବରେ ସବୁ କଥା ଶୁଣି ବିନୀତ ଭାବରେ ଜବାବ ଦେଲେ, “ହଜୁର ! ମୁଁ ବୁଢ଼ାଠାରୁ ଟିକିଏ ଅନୁସନ୍ଧାନ କରିବାକୁ ଇଚ୍ଛା କରେ ।” ସାହେବ ପୁଣି ବିଗିଡ଼ିଗଲେ । କହିଲେ, “ମୋଠାରୁ ଶୁଣିଲେ କ’ଣ ଯଥେଷ୍ଟ ହେଲା ନାହିଁ ?” ଟିକକ ପରେ ପୁଣି କହିଲେ, “ଆଚ୍ଛା, ଯାହା ପଚାରିବ ମୋ’ରି ଆଗରେ ପଚାର ।” ମହାଦେବ ପୁଣି ଘର ଭିତରକୁ ଆସିଲେ ଓ ପୂର୍ବରେ ଯେଉଁ ଚୌକିରେ ବସିଥିଲେ ସେଇଥିରେ ବସିଲେ । ସବ୍‌ଇନ୍‌ସପେକ୍ଟର ଗୁଡ଼େଇ ତୁଡ଼େଇ ତାଙ୍କୁ ପ୍ରଶ୍ନ କରିସାରି ମହାଦେବଙ୍କୁ ବାହାରକୁ ବିଦା କରି ସାହେବଙ୍କୁ ବିନୀତ ଭାବରେ କହିଲେ, “ସାର୍‌, ଆପଣ ଯେଉଁ ଅଭିଯୋଗଗୁଡ଼ିକର ଉଲ୍ଲେଖ କରିଛନ୍ତି ତାହାର ପ୍ରମାଣ ଯୋଗେଇବା ଖୁବ୍‌ କଷ୍ଟକର ହେବ ବୋଲି ମୁଁ ମନେ କରୁଛି । ସେ କ୍ଷମା ପ୍ରାର୍ଥନା କରିଦିଅନ୍ତୁ; ସେତିକିରେ ତାଙ୍କୁ ଛାଡ଼ିଦେବାକୁ ଆପଣ ଅନୁଗ୍ରହ କରନ୍ତୁ ।”

 

ସାହେବ ଉତ୍ତେଜିତ ହୋଇ କହିଲେ, “ୟାର ମାନେ କଣ ? ତୁମର ମନେ ହେଉନାହିଁ ବୋଲି କଣ ଆଇନ କୁଆଡ଼େ ଚାଲିଯିବ ? ତୁମ ଭଳି ଯେଉଁମାନେ ଆଇନ୍‌ରେ ଅନଭିଜ୍ଞ, ସେମାନେ ପୁଲିସ ଚାକିରିରେ ରହିବା ଉଚିତ ନୁହେଁ ବୋଲି ମୁଁ ବହୁବାର ମତ ଦେଇଛି । ମୁଁ ପରିଷ୍କାର ଜାଣୁଛି, ପେନାଲ କୋଡ଼୍‌ର ତିନୋଟି ଦଫା ଏ କ୍ଷେତ୍ରରେ ଠିକ୍‌ ଲାଗିପାରିବ । ବୁଢ଼ାକୁ ଅନଧିକାର ଗୃହ ପ୍ରବେଶରେ ଅଭିଯୁକ୍ତ କରିଦିଅ । ପୁଣି ସେ କୌଣସି ବୃତ୍ତି ଅବଲମ୍ୱନ କରେ ନାହିଁ, ଜୀବିକା ଅର୍ଜନ କରିବାର କୌଣସି ଉପାୟ ତା’ର ନାହିଁ । ତେଣୁ ସେ ଜଣେ ଭାଗା ବା ଲଫଙ୍ଗା ବୋଲି ଯୋଡ଼ିଦେବାକୁ ହେବ । ସର୍ବୋପରି ମୋ ଚପରାଶି ଆଗରେ ସେ ମୋର ମାନହାନି କରିଛି ।”

 

ସବଇନ୍‌ସପେକ୍ଟର ଦବି ନଯାଇ ପୁଣି ଆପତ୍ତି କରି କହିଲେ, “ଆଜ୍ଞା! ଏଥିରୁ କୌଣସି ଅଭିଯୋଗ ଖଟିବ ନାହିଁ ବୋଲି ମୁଁ ଅଳ୍ପକେ ବୁଝାଇଦେଇପାରେ । ସେ ଆପଣଙ୍କ ଅନୁମତିରେ ଘରେ ପଶିଛନ୍ତି । ତାଙ୍କର ବୃତ୍ତି ନଥାଇପାରେ, କିନ୍ତୁ ସେ ଏଠାକୁ ଆସିବା ଫଳରେ ପାଖ ଆଖ ଅଞ୍ଚଳରେ କୌଣସି ଆଇନଭଙ୍ଗ ହେବାର ପ୍ରମାଣ ନାହିଁ । ପୁଣି ମାନହାନି—”

 

ସାହେବ ରାଗରେ ବାଧାଦେଇ କହିଲେ, “ଥାଉ, ଥାଉ, ତୁମ—ଠାରୁ କିଛି ଶୁଣିବାକୁ ମୋର ବେଳ ନାହିଁ । ତୁମର ଯଦି କିଛସି ବୁଝାଇବାର କଥା ତୁମେ ତୁମର ହାକିମଙ୍କୁ ବୁଝାଅ ।”

 

ଏହା କହି ସେ ଟେଲିଫୋନ ଧରିଲେ ଓ ଏକ୍‌ସଚେଞ୍ଜ ସଙ୍ଗେ କଳିକଜିଆ କରି ଅନେକ ସମୟ ପରେ ପୁଲିସ୍‌ ବଡ଼ ସାହେବଙ୍କୁ ପାଇ ଏକ ନିଃଶ୍ୱାସରେ କହିଗଲେ, ନମସ୍କାର, ଆପଣ ଯେପରି ସବ୍‌ଇନ୍‌ସପେକ୍ଟର ରଖିଛନ୍ତି ସେଥିରେ ଆପଣଙ୍କୁ ମୁଁ ବ୍ୟସ୍ତ କରିବାକୁ ବାଧ୍ୟ ହେଉଛି, କ୍ଷମା କରିବେ । ଆପଣ ଏକ୍ଷଣି ଲାଞ୍ଚ୍‌ ଖାଇ କରି ଉଠିଲେ, ମୁଁ ଏ ପର୍ଯ୍ୟନ୍ତ ଖାଇବା କଥା ଭାବି ବି ପାରୁନାହିଁ । ଗୋଟିଏ ମଫସଲିଆ ବୁଢ଼ା ମୋ ଅଫିସରେ ପଶି ମୋତେ ବିନା କାରଣରେ ଅପମାନ ଦେଉଛି । ଆପଣଙ୍କ ଏ ଦିଗ୍‌ଗଜ ସବ୍‌ଇନ୍‌ସପେକ୍ଟରଙ୍କ ମତରେ ସେ କିଛି ଦୋଷ କରିନାହିଁ । ସେ ମୋତେ ପରାମର୍ଶ ଦେଉଛନ୍ତି—ମୁଁ ତାଙ୍କୁ କ୍ଷମା କରିବି । ମୋର ପୁରା ସନ୍ଦେହ ହେଉଛି, ଏ ବୁଢ଼ା ଆପଣଙ୍କ ସବ୍‌ଇନ୍‌ସପେକ୍ଟରଙ୍କର ଜଣେ ଆତ୍ମୀୟ କିମ୍ୱା ତାକୁ ମୋ’ଠାରୁ ମୁକୁଳାଇ ନେଇ ତା’ଠାରୁ କିଛି ଲାଞ୍ଚ ମାରିବାର ଫିକରରେ ସେ ଅଛନ୍ତି । ଆପଣ ଏଥିରେ ହସ୍ତକ୍ଷେପ କରିବା ଦରକାର ।”

 

ସେ ପଟୁ କ’ଣ ଖବର ଆସିଲା କେଜାଣି, ସାହେବ ସବ୍‌ଇନ୍‌ସପେକ୍ଟରଙ୍କ ହାତକୁ ଟେଲିଫୋନଟା ବଢ଼ାଇ ଦେଇ ଅବଜ୍ଞାରେ କହିଲେ, “ଦିଅ ଏଥର ତୁମର କୈଫିୟତ ।”

 

ସାହେବ ତାଙ୍କ ନାଁରେ ଅଭିଯୋଗ କଲାବେଳେ ସବ୍‌ଇନ୍‌ସପେକ୍ଟର ଯେପରି ଦାନ୍ତ ଚିପି ବସିଥାଆନ୍ତି ତାହା ଦେଖି ମନେ ହେଉ ଥିଲା, ଅନ୍ୟ ଜାଗା ହୋଇଥିଲେ ଆଜି ସମ୍ଭଳା ପଡ଼ିନଥାନ୍ତା-। ସେ ଟେଲିଫୋନ ଧରି ସମ୍ଭ୍ରମର ସହିତ ଅଥଚ ଦୃଢ଼ଭାବରେ କହିଲେ, “ହଜୁର ! ହଁ, ମୁଁ ଭୁବନେଶ୍ୱର କ୍ୟାପିଟେଲର ଥାନା ଅଫିସର ।”

 

ପ୍ରତି ପଦରେ ଆଜ୍ଞା ଆଜ୍ଞା କହି ସେପାଖର ଆଦେଶ ଶୁଣି ସେ ଉତ୍ତର ଦେଲେ, “ହଜୁର, ମୋର କିଛି ଆପତ୍ତି ନାହିଁ। ମୁଁ ଖାଲି ଦର୍ଶାଇଥିଲି ଯେ ଯେଉଁ ସେକ୍‌ସନମାନଙ୍କରେ ଅଭିଯୁକ୍ତ କରିବାକୁ ମୋତେ ଆଦେଶ ହେଉଛି ତାହା ଖାଟିବ ନାହିଁ ।”

 

“ହଜୁର ! ମୁଁ କାହା ସଙ୍ଗେ କଥାବାର୍ତ୍ତା ହେଉଛି ଜାଣେ । ଅନଧିକାର ଗୃହପ୍ରବେଶ ଏକାବେଳକେ ଖାଟିବ ନାହିଁ । ଅଫିସ ସର୍ବ—ସାଧାରଣ ଅନୁଷ୍ଠାନ । ଭିତରେ ପ୍ରବେଶ ନିଷେଧ ବୋଲି କୌଣସି ଜାଗାରେ ଲେଖା ହୋଇନାହିଁ । ପୁଣି ବୁଢ଼ା ଅନୁମତି କାର୍ଡ଼ ନେଇ ପ୍ରବେଶ କରିଛି-। କାର୍ଡ଼ ମୋ ହାତରେ ନାହିଁ କିନ୍ତୁ ମୋ’ରି ଆଗରେ ସାହେବଙ୍କ ଟେବୁଲ ଉପରେ ଥୁଆହୋଇଛି । ତା ପରେ ବୁଢ଼ାର ଜୀବିକା ନାହିଁ, ସେକଥା ବୁଢ଼ା ସ୍ୱୀକାର କରୁଛି । ତାହା ହିଁ ତାହାର ଏ ଅଫିସକୁ ଆସିବାର କାରଣ ବୋଲି ସଫେଇ ଦିଆଯାଇପାରେ । ଏ ଅଫିସରେ ୟାଠାରୁ ବୁଢ଼ା ଓ ଅଧିକ ମଫସଲ ଲୋକ ଚପରାଶି ହୋଇଥିବାର ମୁଁ ଦେଖୁଛି । ବୁଢ଼ା ହୁଏତ ଚପରାଶି କାମପାଇଁ ଆସିଥିଲା । ସେ ଆଜି ସକାଳେ ଏଠାକୁ ଆସିବାର କହୁଛି । ଅବଶ୍ୟ ତା ମିଛ ହୋଇପାରେ । କିନ୍ତୁ, ଗତ ତିନି ଚାରି ଦିନ ଭିତରେ କୌଣସି ‘ଅପରାଧ ହୋଇଥିବାର ଏପର୍ଯ୍ୟନ୍ତ ଥାନାରେ ଡାଏରୀ ହୋଇନାହିଁ । ତା ହୋଇଥିଲେ ବୁଢ଼ାକୁ ସେ ଅପରାଧ ସଙ୍ଗେ ଯୋଡ଼ିଦେବା କଷ୍ଟ ହୁଅନ୍ତା ନାହିଁ ।”

 

“ତୃତୀୟରେ ମାନହାନୀ ଦଫା ଲଗାଇବାକୁ ମୋତେ ହୁକୁମ ହେଉଛି । ସେଥିରେ କିଛି ହେବ ନାହିଁ ବୋଲି ମୋର ବିଶ୍ୱାସ। ବୁଢ଼ା ମାନୁଛି, ସେ ସାହେବଙ୍କୁ ପଚାରିଛି, ଆପଣ ବାପଆଡ଼ୁ, ସାହେବ, ନା ମା ଆଡ଼ୁ ସାହେବ ?” ଏପରି ପଚାରିବା ଅଭଦ୍ରତା ହୋଇପାରେ କିନ୍ତୁ ଏଥିରେ ମାନହାନୀ କିପରି ହେବ ମୁଁ ବୁଝିପାରୁନାହିଁ । ଏ ଅଭିଯୋଗ କଲେ ଓକିଲଙ୍କ ଜେରାରେ ସାହେବ ନିଜେ ଅପଦସ୍ତ ହେବାର ଆଶଙ୍କା ଖୁବ୍‌ ବେଶୀ ।”

 

ଟେଲିଫୋନ ଭିତରୁ ଖୁବ୍‌ ହସ ଶୁଣାଗଲା । ତାପରେ ଯେଉଁ ଆଦେଶ ଆସିଲା ତାହାର ଉତ୍ତରରେ ସବ୍‌ଇନ୍‌ସପେକ୍ଟର ଉତ୍ତର ଦେଲେ, “ଆଜ୍ଞା, ହଁ, ମୁଁ ସ୍ୱୀକାର କରୁଛି, ବୁଢ଼ା ମକଦ୍ଦମା ଲଢ଼ିବାକୁ ଓକିଲ ଲଗାଇପାରିବ ନାହିଁ । ତେଣୁ ଯେ କୌଣସି ଅଭିଯୋଗ କରିଦେଲେ ଚଳିଯାଇପାରେ । ଆପଣଙ୍କ ଆଦେଶରେ ମୁଁ ବୁଢ଼ାକୁ ହାଜତକୁ ନେଉଛି । କାଲି ସକାଳେ ଖୋର୍ଦ୍ଧା ଚାଲନ୍‌ କରିବି ।”

 

ସାହେବ ସବ୍‌ଇନ୍‌ସପେକ୍ଟରଙ୍କ ହାତରୁ ଟେଲିଫୋନ ଭିଡ଼ିନେଇ କହିଲେ, “ଖୋର୍ଦ୍ଧାରେ ଯେଉଁ ଅଫିସର ଅଛନ୍ତି ତାଙ୍କ ଆଗରେ ଠିଆହେବାକୁ ମୁଁ ଚାହେଁ ନାହିଁ । ମୋର ଆଶା, ଆପଣ ସ୍ୱୀକାର କରିବେ ଏଭଳି ଗୋଟିଏ ଗୁରୁତର ମକଦ୍ଦମା ଖାସ୍‌ ପୁରୀରେ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କଦ୍ୱାରା ବିଚାର ହେବା ଉଚିତ ।”

 

ସେଆଡ଼ୁ ଯାହା ଉତ୍ତର ଆସିଲା ସେଥିକୁ ସାହେବ କହିଲେ, “ସେଥିରେ ମୋର ଆପତ୍ତି ନାହିଁ । ପ୍ରଥମରେ ଆସାମୀକୁ ଖୋର୍ଦ୍ଧାରେ ହାଜର କରାଇ ପୁରୀକୁ ମକଦ୍ଦମା ଟ୍ରାନ୍‌ସଫର କରିଆଣିଲେ ଚଳିବ ।”

 

ସବ୍‌ଇନ୍‌ସପେକ୍ଟର ବିରି ବିରି ମୁହଁ କରି ମହାଦେବଙ୍କୁ ସଙ୍ଗରେ ଧରି ଯେତେବେଳେ ଫେରିଲେ ସେତେବେଳକୁ ସାଢ଼େ ଚାରିଟା ବାଜିବାକୁ ଆଉ ଦୁଇ ତିନି ମିନିଟ ସମୟ ଥାଏ । ତଳ ମହଲା ଅଫିସ ଘରେ ବାବୁମାନେ ଅଫିସ ଛାଡ଼ିବାକୁ ତିଆରି ହୋଇ ସାରି ଖାଲି ଅପେକ୍ଷା କରିଥାଆନ୍ତି, ଆଜିର ଏହି ମହାଦେବ ସମ୍ୱାଦର ଉପସଂହାର ପାଇଁ । କେତେଜଣ ସିଡ଼ିରେ ଯାଇ କାନ ଡେରିଥିଲେ । ଆଗରେ ସବଇନ୍‌ସପେକ୍ଟର, ମଝିରେ ମହାଦେବ ଓ ପଛରେ ଦୁଇ ଜଣ ଯାକ ସିପାହୀ ଏହିପରି ରୋଷଣୀ ବାହାର ବାରଣ୍ଡାକୁ ବାହାରି ପଡ଼ିବା ସଙ୍ଗେ ସଙ୍ଗେ ତଳ ଅଫିସରୁ ସବୁତକ ବାବୁ ବାଟୁଳି ପରି ମେଲାକୁ ବାହାରି ଆସିଲେ । ପାଖଆଖ ଅଫିସମାନଙ୍କରୁ ଆଉ କେତେଗୁଡ଼ିଏ ବାବୁ ଆସି ଗହଳିରେ ମିଶିଲେ ।

 

ସେତିକି ବେଳେ ସାହେବଙ୍କୁ ଘରକୁ ନେବାପାଇଁ ମଟର ଗାଡ଼ି ଦାଣ୍ଡ ଦୁଆରେ ଆସି ଠିଆ ହୋଇଗଲା । ସଙ୍ଗେ ସଙ୍ଗେ ଗହଳି ଭାଙ୍ଗିଲା-। ବାବୁମାନେ ନିଜ ନିଜ ଘରମୁହାଁ ହେଲେ ।

 

ସେମାନଙ୍କ ଆଡ଼କୁ ଚାହିଁ ମହାଦେବ କହିଲେ–

 

“କାମରୁ ଫେରିଲା ବେଳକୁ ତ ବାବୁମାନେ ବଡ଼ ଫୁର୍ତ୍ତିରେ ଫେରିଛନ୍ତି ?”

 

ସବଇନ୍‌ସପେକ୍ଟର ବିରକ୍ତିରେ କହିଲେ,“ଏ ବୁଢ଼ା, ଚୁପ୍‌ ରହ । ତୋ ନିଜ କଥା ତ ବୁଝିବାକୁ ତୋତେ ସମୟ ହେବ ନାହିଁ। ହାଜତରେ ରାତିଟି କିପରି କଟିବ ସେ କଥା ବିଚାର କର । ସେ ଫୁର୍ତ୍ତିରେ ଯାଉଛନ୍ତି କି ମନ ଦୁଃଖରେ ଯାଉଛନ୍ତି ସେଥିରେ ତୋର କ’ଣ ଅଛି ?”

 

ମହାଦେବ ଅତି ସରଳ ଭାବରେ କହିଲେ, “ମୋର କିଛି ନାହିଁ ଯେ ବାବୁ ! ମୁଁ ଜାଣିଥିଲି, ଲୋକେ କାମକୁ ଆସିଲା ବେଳେ ସତେଜ ଥାଆନ୍ତି, ଫେରିଲା ବେଳକୁ ହାଲିଆ ହୋଇ ଫେରନ୍ତି ।”

 

ସବଇନ୍‌ସପେକ୍ଟର ଠେଙ୍ଗାଟେ ପିଟିଦେଲା ପରି ଉତ୍ତର ଦେଲେ, “ଚୁପ୍‌ ଚୁପ୍‌ । ଏଠି କଣ ମାଟି କାମ ହେଉଛି ?”

 

କନେଷ୍ଟବଲ୍‌ ପଛରୁ ସମ୍ଭ୍ରମରେ କହିଲା, “ବାବୁ, ବୁଢ଼ା ଏ କାମ କଥା କୁଆଡ଼ୁ ଜାଣିବ ?

 

ଯେ ପକ୍ଷୀ ଉଡ଼େ ଯେତେ ଦୂର

ସେ ଜାଣେ ତହିଁର ବେଭାର ।”

 

ସବ୍‌ଇନ୍‌ସପେକ୍ଟର ସହାନୁଭୂତିର ସ୍ୱରରେ କହିଲେ, “ବିଚାର ଗାଁ ଲୋକ; ଗାଁରେ ଭଲରେ ଥିଲା । ଏଠାକୁ ଆସି ବଡ଼ ବଡ଼ କଥାରେ ମୁଣ୍ଡ ଘୁରାଇଲା କାହିଁକି ? ସାହେବଗୁଡ଼ାକ ଯେମିତି ଜିଦ୍‌ ଧରିଲେଣି ୟାକୁ ଜେଲଖାନାରେ ଘଣା ନ ପେଡ଼ାଇ ଛାଡ଼ିବେ ନାହିଁ., ହଁ, ଆମର କ’ଣ ଯାଉଛି ? ବୁଢ଼ା ଜେଲଖାନା ଖଟୁ ବା ଫାସି ଝୁଲୁ; କୁଟୁମ୍ୱ ପୋଷିବା ବୋଲି ତ ଚାକିରି କରିଥାଇଁ ।”

 

ମହାଦେବ ପୁଣି ଆରମ୍ଭ କଲେ, “ବାବୁ, ଏସବୁ ଯେଉଁ ଚାକିରି ଆପଣମାନେ କରୁଛନ୍ତି ଏ କଣ ଆପଣଙ୍କ କୁଟୁମ୍ୱ ପୋଷିବା ପାଇଁ ନା ଆଉ କଣ କାରଣ ଅଛି ?”

 

ବଡ଼ କନେଷ୍ଟବଲ ଜଣକ ମହାଦେବଙ୍କ ପିଠିରେ ଲେଡ଼ା ମାରିଦେଇ କହିଲା, “ବୁଢ଼ା, ତୁ ତ ଅସଲ ମାଡ଼ୁ ଆଟେ । ତୁନୀ ହୋଇ ରହିପାରୁନାହୁଁ ? ହାକିମମାନଙ୍କ କଥାରେ କଥା ମିଶାଇ ଏପରି କହନ୍ତି ?”

 

ସେ ରାତିକ ହାଜତ ଘରେ ମହାଦେବଙ୍କୁ ବଡ଼ ଏକୁଟିଆ ଲାଗି ଥାଆନ୍ତା; ରାତି ଜଗୁଆଳ ଯେଉଁ ସିପାହୀ ଦୁଇ ଜଣ ରହିଲେ ସେମାନେ ଭାରି ମେଳାପି । ରାତିଯାକ ସେଇମାନଙ୍କ ଘରଦ୍ୱାର କଥା, ଚଳାଚଳ କଥା—କିଏ କେତେ ଦରମା ପାଉଛି, କେଉଁ ହାକିମ କିପରି ଲୋକ, ଏଇସବୁ ଆଲୋଚନାରେ ରାତିଟି କଟିଗଲା । ସେମାନେ ମହାଦେବଙ୍କ ଦୁଃଖ ସୁଖ କଥା ବି ପଚାରିଲେ କିନ୍ତୁ ଘରେ ନିଜର ଗୋଟିଏ ଭାର୍ଯ୍ୟା ଓ ଦୁଇଟି ପୁଅ ଅଛନ୍ତି, ଏକଥା ବ୍ୟତୀତ ଆଉ ଅଧିକ କିଛି ମହାଦେବ କହିଲା ନାହିଁ । ଜଣେ ସିପେଇ ତାଙ୍କ ସଙ୍ଗେ ସହାନୁଭୂତି ଦେଖାଇ ଏତିକିମାତ୍ର କହିଲା, “ବୁଢ଼ା, ତୁ ଯଦି ତୋ ବେଳରେ ଚାକିରି କରିଥାନ୍ତୁ, ଏତେବେଳେକୁ ମହାମଉଜରେ ପେନ୍‌ସନ୍‌ ଭୋଗ କରୁଥାଆନ୍ତୁ ।”

 

ପେନସନ୍‌ କ’ଣ, ତାକୁ କିପରି ଭୋଗ କରିବାକୁ ହୁଏ, ଏହି କଥା ପଡ଼ୁ ପଡୁ ସକାଳ ହୋଇଗଲା । ମହାଦେବଙ୍କୁ ଧରି ଆଉ ଦୁଇ ଜଣ ସିପେଇ ଷ୍ଟେସନକୁ ବାହାରିଲେ ।

 

ଜଟଣୀ ଷ୍ଟେସନରେ ଓହ୍ଲାଇ ଖୋର୍ଦ୍ଧାରେ ଯାଇ ପହଞ୍ଚିଲା—ବେଳକୁ ବେଳ ପହରେ । ସାତ ମାଇଲ ବାଟ ଚାଲି ଚାଲି ମହାଦେବଙ୍କର ଆଣ୍ଠୁ ପର୍ଯ୍ୟନ୍ତ ସଡ଼କ ଧୂଳି ହୋଇଥାଏ । ସଡ଼କ ଦାଢ଼ରେ ଗୋଟିଏ ପୋଖରୀରେ ଗୋଡ଼ ଧୋଇ ସମସ୍ତେ ଯାଇ ଯାଇ ହାକିମଙ୍କ ବାରଣ୍ଡାରେ ବସିଲେ ।

 

ଘଣ୍ଟାକରୁ ବେଶୀ ବେଳ ବସିବାକୁ ପଡ଼ିଲା । କିନ୍ତୁ ମହାଦେବଙ୍କୁ ସମୟ ଜଣା ପଡ଼ିଲା ନାହିଁ । ଘର ଭିତରୁ ପିଲାଙ୍କ ଗୋଳମାଳ ଭେଦ କରି ସ୍ତୋତ୍ର ଶୁଣାଯାଉଥାଏ—ଦୁର୍ଗାଙ୍କ ସ୍ତୋତ୍ର । ମହାଦେବ ବଡ଼ ଆଗ୍ରହରେ ଶୁଣୁଥାଆନ୍ତି । ତାଙ୍କୁ ବଡ଼ ଆନନ୍ଦ ଲାଗୁଥାଏ ଯେ ଆସାମୀ ହୋଇ ମଧ୍ୟ ସେ ଗୋଟିଏ ଭଲ ଜାଗାରେ ପହଞ୍ଚିଛନ୍ତି ।

 

ଘଣ୍ଟାକ ପରେ ଦାଣ୍ଡଦୁଆର ଫିଟିଲା । ହାକିମ ଦାଣ୍ଡ ଘରେ ଟେବୁଲ ପାଖରେ ବସିଲେ ଓ କନେଷ୍ଟବଲ ବଢ଼ାଇଦେବା କାଗଜ—ପତ୍ରକୁ ଲେଉଟପାଲଟ କରି ଦେଖି ଆସାମୀକୁ ଡାକିବାକୁ ଇଙ୍ଗିତ ଦେଲେ ।

 

ହାକିମ ପଚାରିଲେ, “ତୁମ ନାମ କ’ଣ, ମହାଦେବ ?” ମହାଦେବ ବଡ଼ ଉତ୍ସୁକ ହୋଇ କହିଲେ, “ଆଜ୍ଞା, ଆପଣ ତ ସର୍ବଜ୍ଞ ।”

 

ହାକିମ ଭ୍ରୂକୁଞ୍ଚିତ କରି ପଚାରିଲେ, “ତା ମାନେ ?”

 

ମହାଦେବ—ଆଜ୍ଞା, ଆପଣ କିପରି ଜାଣିଲେ ମୋ ନାଁ ମହାଦେବ ବୋଲି ।

 

ହାକିମ ଧମକେଇ କରି କହିଲେ, “ପୋଲିସ ରିପୋଟ୍‌ରେ ପରା ଲେଖା ହୋଇଛି ।”

 

ମହାଦେବ—ଆଜ୍ଞା, ଯଦି ଲେଖା ହୋଇଛି ଆଉ ପଚାରୁଛନ୍ତି କାହିଁକି ?

 

କନେଷ୍ଟବଲ ମହାଦେବଙ୍କ କାନ ଆଡ଼କୁ ମୁହଁ ନେଲା, କିନ୍ତୁ ବଡ଼ ପାଟିରେ କହିଲା, “ବୁଢ଼ା, ହାକିମ ମିସଲରେ ବସିଛନ୍ତି, ଦେଖି ପାରୁନାହଁ ? ହାକିମଙ୍କ ସାଙ୍ଗରେ ଏପରି ବାତେନି କରିବା ବେଆଇନ ।”

 

ହାକିମ ମୁହଁ ପୋତି କହିଲେ, “ବୁଢ଼ା, ମୁଁ ଯାହା ପଚାରୁଛି ତାହା କହ ।”

 

ମହାଦେବ-ଆଜ୍ଞା, ତେବେ ପଚାରନ୍ତୁ ।

 

ହାକିମ—ତୁମ ଘର କେଉଁଠି ?

 

ମହାଦେବ—ଆଜ୍ଞା, କୈଳାସ ପର୍ବତ ଉପରେ ।

 

ହାକିମ—ଥାନା ?

 

ମହାଦେବ—ଆଜ୍ଞା, ସେଇ ତ ଥାନ ।

 

ହାକିମ “ବେକୁବ” ବୋଲି ଦାନ୍ତ ଚିପି କହି ବଡ଼ ପାଟିରେ କହିଲେ, “ତୁମର ଠିକଣା ଦିଅ-।”

 

ମହାଦେବ—ଆଜ୍ଞା, ଦେଲି ପରା ।

 

ହାକିମ ଚିଡ଼ିଯାଇ କହିଲେ, “ଗୋଟିଏ ପର୍ବତ ଉପରେ ତୁମେ ରହ ବୋଲି ଠିକଣା ମିଳେ ନାହିଁ । ଆମ ଦେଶରେ ବହୁତ ଲୋକ ପର୍ବତ ଉପରେ ଅଛନ୍ତି, କିନ୍ତୁ ଗୋଟାଏ, ନା ଗୋଟାଏ ଥାନା ଆଧୀନରେ । ତୁମେ କେଉଁ ଥାନା ଆଧୀନରେ ଥାଅ, କେଉଁ ପୋଷ୍ଟ ଅଫିସରୁ ତୁମର ଡାକ ଯାଏ, ଏସବୁ ନ କହିଲେ ତୁମର ଘର କେଉଁଠି କିପରି ଜାଣିବି ? ପୁଲିସ ତୁମ ନାଁରେ ଯାହା ଲେଖି କରି ଦେଇଛି ତା ସଙ୍ଗେ ତୁମର ଇଜାହାର ମିଳାଇବା ଦରକାର ।”

 

ମହାଦେବ କିଛି ବୁଝି ନପାରି ତୁନୀ ହୋଇ ରହିଲେ । ହାକିମ ବି ଟିକିଏ ତୁନୀ ହୋଇ ରହି ପୁଣି ପଚାରିଲେ, “ତୁମେ କାଲି ଭୁବନେଶ୍ୱର ସେକ୍ରେଟେରୀ ଅଫିସରେ ପଶି ସାହେବଙ୍କୁ ଅପମାନ ଦେଇଥିଲ ?”

 

ମହାଦେବ—ଆଜ୍ଞା, ଆପଣଙ୍କର କ’ଣ ଏହା ପସନ୍ଦ ହେଉଛି ?

 

ହାକିମ ଅସହିଷ୍ଣୁ ଭାବରେ କହିଲେ, “ମୋ ପସନ୍ଦ ଅପସନ୍ଦରେ କିଛି ଯାଏ ଆସେ ନା । ତୁମ ନାମରେ ଯାହା ଅଭିଯୋଗ ହୋଇଛି ମୁଁ ସେଇକଥା ତୁମକୁ ଶୁଣାଇଦେଉଛି ।”

 

ମହାଦେବ—ଆଜ୍ଞା, ଆପଣଙ୍କ ପସନ୍ଦ ଅପସନ୍ଦକୁ କ’ଣ ମୁଁ ଶୁଣିବାକୁ ପାତ୍ର ନୁହେଁ ? ଆପଣଙ୍କର କ’ଣ ପସନ୍ଦ ହେଉଛି, ମୁଁ ବିନା କାରଣରେ ଯାଇ କାହାକୁ ଅପମାନ ଦେବି ?

 

ହାକିମ—ତୁମ ନାମରେ ଅଭିଯୋଗ ହୋଇଛି ଯେ ତୁମେ ବିନା କାରଣରେ ଯାଇ ସାହେବଙ୍କୁ ଅପମାନ ଦେଲ । ପୁଣି ତୁମର ଜୀବିକା ନାହିଁ ।

 

ମହାଦେବ—ଆଜ୍ଞା, ଜୀବିକା ବୋଇଲେ କ’ଣ ? କାଲି ତ ସେ ବାବୁ ଏମିତି ପଚାରିଥିଲେ ।

 

ହାକିମ—ତୁମେ କି କାମ କରି ପେଟ ପୋଷ ?

 

ମହାଦେବ—ଆଜ୍ଞା, ମୁଁ ପେଟ ପୋଷିବାକୁ କିଛି କାମ କରେ ନାହିଁ । ମୋ କାମ ମୁଁ କରେ ।

 

ହାକିମ—ତା ମାନେ? ତୁମେ କି କାମ କର ?

 

ମହାଦେବ—ଆଜ୍ଞା, ଆଉ କାମ କଣ ? ସୃଷ୍ଟିରେ ସମସ୍ତେ କିପରି ଚଳୁଛନ୍ତି ସେଇ କଥା ଦେଖେ ।

 

ହାକିମ ଅବଜ୍ଞାରେ ହସିଲେ ଓ ହସି ହସି କହିଲେ, “ଆଚ୍ଛା, ତୁମ ବିରୁଦ୍ଧରେ ଯେଉଁ ଅଭିଯୋଗ ହେଇଛି ତାର ବିଚାର ହେବ । ତୁମେ ଯଦି ପାଞ୍ଚଶହ ଟଙ୍କାର ଜାମିନ୍‌ ଦେଇପାରିବ ତାହା ହେଲେ ତୁମକୁ ଜାମିନ୍‌ରେ ଛାଡ଼ିଦେବି, ନହେଲେ ହାଜତରେ ରହିବ ।”

 

ମକଦ୍ଦମା, ବିଚାର, ଜାମିନ୍‌ ଓ ହାଜତ ଏସବୁ କଥା ମହାଦେବଙ୍କୁ ବୁଝାଇ ବୁଝାଇ ସିପାହୀଙ୍କ ସହିତ ହାକିମ ବି ନୟାନ୍ତ ହେଲେ । ମହାଦେବ ଏସବୁ କଥା ଟିକିଏ ଟିକିଏ ସମଜି କହିଲେ, “ଆଜ୍ଞା, ଆପଣତ ବଡ଼ ଧାର୍ମିକ ଲୋକ; ବର୍ତ୍ତମାନ ବଡ଼ ପ୍ରସନ୍ନ ଚିତ୍ତରେ ମୁଁ ଆପଣଙ୍କ ସୋତ୍ର ଶୁଣିଥିଲି । ଆପଣ ମୋ ପାଇଁ ଜାମିନ ହୁଅନ୍ତୁ ।”

 

ସକାଳୁ ଗାଧେଇ ସ୍ତୋତ୍ର ବୋଲନ୍ତି ବୋଲି ହାକିମଙ୍କର ନିଜ ମହଲରେ ଦୁର୍ନାମ ଥାଏ । ସଙ୍ଗୀମାନେ ତାଙ୍କୁ ଏଥିପାଇଁ ବେଳେ ବେଳେ ଥଟ୍ଟା କରନ୍ତି । ଏହି ଦୁର୍ନାମ ଯୋଗୁଁ ତିନି ବର୍ଷ ହେଲା ସେ ଉପର ପାହ୍ୟାକୁ ଉଠିପାରିନାହାନ୍ତି । ତାଙ୍କୁ ପଛରେ ପକାଇ ତାଙ୍କ ତଳ ଅଫିସର କେତେଜଣ ତାଙ୍କ ଉପରକୁ ଉଠିଗଲେଣି । ସେଥିପାଇଁ ସେ ଆଜିକାଲି ଭାରି ଚିନ୍ତିତ; ଆଗ ଚନ୍ଦନ ଟିକିଏ ମାରି ଦାଣ୍ଡକୁ ବାହାରୁଥିଲେ; ଏବେ ତାହା ଦାଣ୍ଡକୁ ଯେପରି ନ ଦିଶେ ସେଥିପାଇଁ ସେ ବଡ଼ ଚେଷ୍ଟିତ । ଆଦୌ ଚନ୍ଦନ ନଲଗାଇବାକୁ, ଦିଅଁଙ୍କ ପାଖକୁ ନ ଯିବାକୁ ତାଙ୍କର ମନ; କିନ୍ତୁ ବୁଢ଼ୀ ମା ଅନ୍ତରାୟ ହୋଇଛି । ସେ ଗାଧେଇ ସାରିବା ମାତ୍ରେ ସତେ ଯେପରି ଟାଣି ଟାଣି ନେଇ ବୁଢ଼ୀମା ଦିଅଁଙ୍କ ପାଖରେ ବସାଏ, ଚନ୍ଦନ ଟିକିଏ ଘୋରି ପାଖରେ ଥୋଇଦିଏ; ସ୍ତୋତ୍ର ଶୁଣିବାକୁ ବଡ଼ ପାଟିରେ ବୋଲିବା ନିମନ୍ତେ ଲଗାଏ । ସେ ଦିନେ ଦିନେ ଏସବୁ କରିବ ନାହିଁ ବୋଲି ଗାଧେଇ ସାରି ଦାଣ୍ଡକୁ ବାହାରି ପଡ଼ନ୍ତି; ଅଫିସକୁ ଭାତ ମଗାଇ ନେଇ ଖାଆନ୍ତି । ସେଦିନ କିନ୍ତୁ ବୁଢ଼ୀ ମା ଜଳ ସ୍ପର୍ଶ କରେ ନାହିଁ । ହାକିମ ବାଧ୍ୟ ହୋଇ ଏବେ ଗୋଟାଏ ମଝିମଝିଆ ବାଟ ଧରିଛନ୍ତି; ଚନ୍ଦନ ଟିକକ ଲଗାଇ ଦାଣ୍ଡକୁ ବାହାରିଲା ବେଳକୁ ଲିଭାଇଦିଅନ୍ତି, ଗୁଣୁ ଗୁଣୁ ସ୍ୱରରେ ସ୍ତୋତ୍ର ବୋଲନ୍ତି । ଆଜି ବୋଧହୁଏ ସ୍ୱର ଟିକିଏ ବଢ଼ିଯାଇଛି । ପୁଣି ହୁଏତ ତାଙ୍କ ଘରକଥା ଦାଣ୍ଡରେ ପଡ଼ିବ ଏଥିପାଇଁ ସେ ବୁଢ଼ା ଉପରେ ବିରକ୍ତି ହୋଇ କହିଲେ, “ବୁଢ଼ା, ତୁ ଓଲୁ ନା ସିଆଣିଆ ପାଗଳ ? ହାକିମ ଜାମିନ୍‌ ହୁଅନ୍ତି ନାହିଁ; ତୁ ବାହାରୁ କୌଣସି ଲୋକକୁ ଅଣା । ଏଠାରେ ତୋର କେହି ପରିଚିତ ଲୋକ ଅଛନ୍ତି ?”

 

ମହାଦେବ—ବାବୁ ! ମୁଁ ତ ବିଚାରିଥିଲି, ସମସ୍ତେ ମୋତେ ଏଠାରେ ଚିହ୍ନନ୍ତି ବୋଲି; କାଲିଠାରୁ ଦେଖୁଛି କେହି ଚିହ୍ନୁ ନାହାନ୍ତି । ମୋତେ ଆପଣ ଟିକିଏ ଛାଡ଼ି ଦିଅନ୍ତୁ; ମୁଁ କାହାକୁ ଖୋଜି କରି ଆଣେ ।

 

ହାକିମ ହସିଦେଲେ । ସିପେଇ ବି ହସିଲେ । ହାକିମ ତଳକୁ ମୁହଁ ପୋତି କାଗଜ ଉପରେ କ’ଣ ଦୁଇ ଧାଡ଼ି ଲେଖିଦେଲେ; କହିଲେ “ଆସାମୀକୁ ହାଜତକୁ ନେଇଯାଅ ।”

 

ଦୋଷ କ’ଣ ହେଲା ନ ବୁଝାଇ ଏପରି ବାଧ୍ୟରେ ବାନ୍ଧିନେଇ ଯିବା ଉଚିତ ନୁହେଁ ବୋଲି ମହାଦେବ ଆପତ୍ତି କରୁ କରୁ ସିପାହୀମାନେ ତାଙ୍କୁ ନେଇ ଦାଣ୍ଡକୁ ଗଲେ । ହାକିମଙ୍କ ଦରଜା ବନ୍ଦ ହେଲା ।

 

ହାକିମଙ୍କଠାରୁ ନେଇଥିବା କାଗଜ ପହଞ୍ଚିବା ମାତ୍ରେ ଜେଲଖାନାରେ ଲୁହା ଫାଟକ ଫିଟିଲା । ସିପାହୀମାନେ ଜେଲ ବାବୁଙ୍କଠାରୁ ଦସ୍ତଖତ ନେଇ ଫରିଲେ ।

 

ଜେଲଖାନାରେ ମୋଟେ ତିନିଟି କଏଦୀ । ଓ୍ୟାର୍ଡ଼ରମାନେ ସେଇ ଦାଣ୍ଡ ଘରେ ବସିଥାନ୍ତି । ଭିତରେ ବଡ଼ ଘର, ବଡ଼ ଅଗଣା, ରହିବାକୁ ମାତ୍ର ତିନିଟି ଲୋକ । ମହାଦେବ ଜଣେ କଏଦୀକୁ ପଚାରିଲେ, ତୁମେ କ’ଣ ମାତ୍ର ଏଇ ତିନିଜଣ ଏଠାରେ ଥାଅ ? ଭଲ ଘର ଖଣ୍ଡିଏ ତ ହୋଇଛି !”

 

ତିନିଜଣଯାକ କଏଦୀ ହସି ଉଠିଲେ । ଦାଣ୍ଡ ଘରୁ ପାଟି ଶୁଭିଲା, “ଏତେ ହସୁଛ କାହିଁକି ରେ? ତୁନୀ ହୋଇ ରହି ପାରୁନାହଁ ?’’

 

ମହାଦେବଙ୍କ ସଙ୍ଗେ ତିନି ଜଣ ଯାକ କଏଦୀ ଏକ ସ୍ୱରରେ କଥାବାର୍ତ୍ତା ହେବାକୁ ଆରମ୍ଭ କରିଦେଲେ । ସେମାନେ ବର୍ଷେ ହେଲା ଗୋଟିଏ ମକଦ୍ଦମାରେ ଆସାମୀ ହୋଇ ଏଠାରେ ପଡ଼ିଥାଆନ୍ତି । ପୁଲସି ସାକ୍ଷୀ ଗୁହା ପ୍ରସ୍ତୁତ କରୁ କରୁ ଛ’ ମାସ ଗଲା । ଏବେ ଛ’ ମାସ ହେଲା ହାକିମ କୂଅ ପୋଖରୀ ଖୋଳିବାରେ ଲାଗିଛନ୍ତି ଯେ ତାଙ୍କର ଆଉ ମକଦ୍ଦମା ବୁଝିବାକୁ ଫୁରସତ ନାହିଁ । ଆମୀମାନଙ୍କୁ ବଡ଼ ନିଛାଟିଆ ଲାଗୁଥିଲା । ଜେଲଖାନାର ଦୁଇଟି ଓ୍ୱାର୍ଡ଼ର ଓ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉ ହେଉ ମାସେ ଖଣ୍ଡ ଖୁବ୍‌ ଜମିଲା । କିନ୍ତୁ ଏତେ ଦୁଃଖ ସୁଖ ହେବାକୁ କ’ଣ ବା ଅଛି ? ମହାଦେବଙ୍କୁ ପାଇ ସେମାନଙ୍କ ମନରେ ବଡ଼ ଆନନ୍ଦ ହେଲା ଯେ, ଦୁଃଖ ସୁଖ ହେଉ କିଛି ସମୟ କଟିଯିବ ।

 

ଓ୍ୟାର୍ଡ଼ରମାନେ ମଧ୍ୟ ଆସି ସେମାନଙ୍କ ସାଙ୍ଗରେ ବସିଗଲେ; କିନ୍ତୁ କଥା କିଛି ଜମିଲା ନାହିଁ । ସମସ୍ତେ ଠିକଣା କରିନେଲେ, ଲୋକଟା ବଦ୍ଧପାଗଳ, ଘର କେଉଁଠି ଠିକଣା କରି କହିପାରୁନାହିଁ; ତା ଗାଁରେ ମଜୁରୀ କେତେ, ଫସଲ କେମିତି ହୋଇଛି, ଜିନିଷ ପତ୍ରର ଦରଦାମ କିମିତି କିଛି ଜାଣିନାହିଁ; ଖାଇବା କଥାର ନାଁ ଧରୁନାହିଁ; ଏଣୁ ତେଣୁ ଗୁଡ଼ାଏ ଶୁଖିଲା କଥା ଗପୁଛି । ଦୁଇ ଚାରି ଦିନରେ ସମସ୍ତଙ୍କର ମନ ବୁଢ଼ାଠାରୁ ଛାଡ଼ିଗଲା । ବୁଢ଼ା ଏକୁଟିଆ ହୋଇ ଗୋଟିଏ କୋଣରେ ବସିଥାଏ । ଦିଓଳି ପାଖରେ ଖାଇବାକୁ ଥୋଇ ଦେଇ ଯାଆନ୍ତି, ଜଣେ କଏଦୀ ପ୍ରତି ଓଳିର ଖାଦ୍ୟ ଦୀର୍ଘ ନିଃଶ୍ୱାସଟିଏ ପକାଇ ନେଇ ଅଳିଆ ଗଦାରେ ଫୋପାଡ଼ିଦିଏ, ବାସନଟି ମାଜିଆଣି ପୁଣି ମହାଦେବଙ୍କ ପାଖରେ ଥୋଇଦିଏ । ସମସ୍ତେ ତାଙ୍କ ପାଇଁ ଦୁଃଖିତ ହୁଅନ୍ତି, ମନେ କରନ୍ତି, “ବୁଢ଼ା ବୋଧହୁଏ ପୋଲିସ ହାତରୁ ଗୁଡ଼ାଏ ମାଡ଼ ଖାଇ ବାଇଆ ହୋଇଯାଇଛି ।”

 

ଚାରି ପାଞ୍ଚ ଦିନ ପରେ କାଗଜ ଆସିଲା—ମହାଦେବ ବଦଳି ହେବେ ପୁରୀ ଜେଲକୁ ।

 

ଗାଡ଼ି ମାଳତୀପାଟପୁର ଷ୍ଟେସନରୁ ଛାଡ଼ିବା ସଙ୍ଗେ ସଙ୍ଗେ ‘ଜଗନ୍ନାଥ ସ୍ୱାମୀକୀ ଜୟ’ ଶବ୍ଦ ଗାଡ଼ି ଭିତରୁ ବାହାରନ୍ତେ ମହାଦେବ ସମସ୍ତଙ୍କ ଦୃଷ୍ଟିକୁ ଲକ୍ଷ୍ୟକରି ବାହାରକୁ ଚାହିଁ ନଡ଼ିଆମାଳ ଭିତରେ ବଡ଼ଦେଉଳ ଦେଖିଲେ । ତାଙ୍କ ମନ ଉତଫୁଲ୍ଲ ହେଲା ଯେ, ବହୁତ ଦିନ ପରେ ନିଜର ପ୍ରିୟ ସୁହୃଦ୍‌ ଜଗନ୍ନାଥ ମହାପ୍ରଭୁଙ୍କର ମର୍ତ୍ତ୍ୟରେ ଥିବା ଘର ଟିକିଏ ଭଲକରି ଦେଖିବେ । ପୁରୀ ଷ୍ଟେସନରେ ଓହ୍ଲାଇ ସିପାହୀଙ୍କ ସାଙ୍ଗରେ ଯାଉ ଯାଉ ସେ ମନେ ମନେ ଜଗନ୍ନାଥଙ୍କ ସ୍ତୁତି ଆବୃତ୍ତି କରୁଥାଆନ୍ତି । ହାତରେ ବେଡ଼ି ଓ ଅଣ୍ଟାରେ ଦଉଡ଼ି ବନ୍ଧା ହୋଇଥିଲେ ହେଁ ତାଙ୍କ ମନ ପକ୍ଷୀ ପରି ଥରକୁ ଥର ଜଗନ୍ନାଥ ମନ୍ଦିର ଆଡ଼କୁ ଉଡ଼ି ଯାଉଥାଏ ଓ ଫେରି ଆସୁଥାଏ । ବଡ଼ଦାଣ୍ଡ ମୁଣ୍ଡରେ ପହଞ୍ଚି ସେ ଆହୁରି ଉତଫୁଲ୍ଲ ହେଲେ; କିନ୍ତୁ ତାଙ୍କର ଆନନ୍ଦ ବେଶୀ ବେଳ ରହିଲା ନାହିଁ । ସିପାହୀମାନେ ବାଟ ଭାଙ୍ଗି ଜେଲଖାନା ଫାଟକ ଭିତରେ ପଶିଗଲାବେଳେ ଜଣାଇଦେଲେ—ମକଦ୍ଦମା ଫଏସଲା ହୋଇ ଜେଲଖାନାରୁ ଖଲାସ ହେବା ପୂର୍ବରୁ ବାଇଶି ପାହାଚରେ ଗୋଡ଼ ଦେବାର ଆଶା ନାହିଁ । ଜଣେ ସିପାହୀ ତାଚ୍ଛଲ୍ୟ ମିଶା ସ୍ୱରରେ କହିଲା, “ବୁଢ଼ା, ବର୍ତ୍ତମାନ ଜଗନ୍ନାଥ ମନ୍ଦିର ଦେଖିବା ଆଶା ଛାଡ଼ । ଏହି ଯେଉଁ ଫାଟକ ଦିଶୁଛି ତାହା ଶ୍ରୀମନ୍ଦିରର ଫାଟକ । ସାନ ପିଲାଙ୍କର ଏହା ମାମୁଁଘର; ନୂଆ ବିଭା ହୋଇଥିବା ଟୋକାଙ୍କର ଶଶୁର ଘର ଓ ତୋ’ପରି ବୁଢ଼ାଙ୍କ ପାଇଁ ଏହା ମହାଲକ୍ଷ୍ମୀଙ୍କ ମନ୍ଦିର । ଯା, ଯା, ଭିତରେ ଦେଖିବୁ, ସବୁ ଠାକୁରଙ୍କର ଚଳନ୍ତି ପ୍ରତିମା ଏହିଠାରେ ଅଛନ୍ତି । ହାଜତରେ ଥିବାଯାକ ପୁଞ୍ଜିଏ ପୁଞ୍ଜିଏ ବସି କରି ଖାଇ ଦେହ ବଳ ପାଇଲେ, ସଜା ହେବ—ସେତିକିବେଳେ ଭୋଜନ ଝଡ଼ିବ ।”

 

ସଦର ଦରଜାର ତାଲା ଓ ଦ୍ୱାରପାଳଙ୍କୁ ଦେଖି ମହାଦେବ ସମଜି ଗଲେ—ଏ ଜେଲଖାନା ତୁଳନାରେ ଖୋର୍ଦ୍ଧା ଜେଲଖାନା କିଛି ନୁହେଁ । ତାଲାଟା ବେଲାପରି । ସିପାହୀଙ୍କ ସହିତ ସେ ଆସି ସଦର ଦରଜାରେ ଅପେକ୍ଷା କରିବାର ଦେଖି, ଯେଉଁ ରୂପଟି ଚାବିଥୋଲା ହାତରେ ଧରି ଅଗ୍ରସର ହେଲା, ତାହାକୁ ଅନ୍ୟ ବେଶରେ ଦେଉଳ ଚକଡ଼ା ଉପରେ ଦେଖିଥିଲେ ସେ ଜଣେ ପଢ଼ିଆରୀ ବୋଲି ମନେ ହୋଇଥାଆନ୍ତି । କିଛି ସମୟ ସେଠାରେ ଅପେକ୍ଷା କଲା ପରେ ଦରଜା ଫିଟିଲା । ମହାଦେବଙ୍କ ହାତରୁ ହାତକଡ଼ି ଓ ଅଣ୍ଟାରୁ ଦଉଡ଼ି ବି ଫିଟିଲା । ତାହା ଧରି ସିପାହୀ-ମାନେ ଦାଣ୍ଡକୁ ବାହାରିଲେ । ସଦର ଦରଜା ବନ୍ଦ ହୋଇ ପୁଣି ତାଲା ପଡ଼ିଲା । ଜେଲଖାନା ଭିତରକୁ ଆଉ ଗୋଟିଏ ଦରଜା ଫିଟିଲା । ଜଣେ ଓ୍ୟାର୍ଡ଼ର ତାଙ୍କୁ ସାଙ୍ଗରେ ଧରି ହାଜତି ଓ୍ୟାର୍ଡ଼ରେ ପୂରାଇଦେଲା ।

 

ଖୋର୍ଦ୍ଧା ଜେଲଖାନା ତୁଳନାରେ ପୁରୀ ଜେଲଖାନା ଏଡ଼େ ବଡ଼, କିନ୍ତୁ ନିଛାଟିଆ ଲାଗିଲା ନାହିଁ । ବହୁତ କଏଦୀ, ତାଙ୍କୁ ଚାହିଁ ଓ୍ୟାର୍ଡ଼ର । ମହାଦେବଙ୍କୁ ଯେଉଁ ପିଣ୍ଡିଟି ମିଳିଲା ସେଠାରେ ସେ ଟିକିଏ ବିଶ୍ରାମ କରୁଛନ୍ତି, ଖୁଆଡ଼ର ସବୁତକ ହାଜତି ଆସାମୀ ଗୋଟି ଗୋଟି ହୋଇ ତାଙ୍କ ଚାରିପଟେ ଆସି ବେଢ଼ିଗଲେ । ଜଣେ ଯଦି ନାମ ପଚାରିଲା, ଆଉ ଜଣେ ଗାଁ ଓ ପିଲା ମାଇପଙ୍କ କଥା ପଚାରିଲା । ପୁଣି ଆଉ ଜଣେ ଜାଣିବାକୁ ଚାହିଁଲା, ସେ କି ଅପରାଧରେ ଶ୍ରୀମନ୍ଦିରକୁ ଆସିଛନ୍ତି । ଏହିପରି ଏଣୁ ତେଣୁ ପ୍ରଶ୍ନ ପଚାରି ସମସ୍ତେ ତାଙ୍କୁ କେଳେଇ ପକେଇଲେ । ମହାଦେବ ପ୍ରସନ୍ନ ବଦନରେ ଗୋଟି ଗୋଟି ସମସ୍ତଙ୍କୁ ଉତ୍ତର ଦେଉଥାଆନ୍ତି। ଜଣେ ଅଧାବୟସର ଆସାମୀ ତାଙ୍କ ନାମ ଶୁଣି, ତାଙ୍କ ବ୍ୟବହାର ଦେଖି ଓ କଥାବାର୍ତ୍ତାର ଢଙ୍ଗ ଦେଖି ସମ୍ଭ୍ରମରେ ହାତଯୋଡ଼ି ଟିକିଏ ଦୂରରେ ଠିଆ ହୋଇଥିଲା । ଗହଳି ଭାଜିବାରେ ଶିଙ୍କି ଶଙ୍କି ସେ ମହାଦେବଙ୍କ ଗୋଡ଼ରେ ମୁଣ୍ଡ ଲଗାଇଲା ଓ ଟିକିଏ ସାହସ ପାଇ ଗୋଡ଼ ଘଷିବାକୁ ଆରମ୍ଭ କଲା । ଆରାମରେ ମହାଦେବଙ୍କୁ ନିଦ ହୋଇଗଲା । ଖାଇବା ସମୟ ପାସୋରି ରାତି ଅଧ ପର୍ଯ୍ୟନ୍ତ ସେ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଚିପି ଦେଉଥାଏ ।

 

ଅଧରାତି ପରେ ମହାଦେବଙ୍କ ନିଦ ଭାଜିଲା । ସେ ଉଠି ବଡ଼ ସନ୍ତୋଷରେ ଲୋକଟିକୁ ନିଜ ସ୍ଥାନକୁ ଯାଇ ଶୋଇବାକୁ କହିଲେ । ଏ ବିଚାର କିନ୍ତୁ ନ ଯାଏ । ପିଣ୍ଡି ପାଖରେ ତଳେ ବସି ଆଖି ବାଟେ ମହାଦେବଙ୍କ ମୁହଁକୁ ପିଇଯାଉଥାଏ । ଏହିପରି କିଛି ସମୟ ଯିବା ପରେ ସେ ଭରସି କରି ପଚାରିଲା, “ମହାପୁରୁ ! ଆପଣଙ୍କୁ ପୁଣି ଏ ପରାଭବ କିଏ ଦେଲା ?” ଏହି ପ୍ରଶ୍ନରୁ କଥାବାର୍ତ୍ତା ଚାଲିଲା ଯେ ରାତି ପାଇବା ପର୍ଯ୍ୟନ୍ତ । ମହାଦେବଙ୍କ ବିଷୟରେ ସେ କିଛି ଜାଣିଲା ନାହିଁ; କିନ୍ତୁ ମହାଦେବ ଟିକିନିକି କରି ତାର ସବୁ କଥା ଜାଣିଲେ । ସେ ଗୋଟିଏ ମଫସଲ ଗୃହସ୍ଥ, ଚାଷବାସ କରି ବର୍ଷକ ଭଲ ଚଳେ, ପୁଅଟିକୁ ବଡ଼ କଷ୍ଟରେ ପାଠ ପଢ଼ାଇଥିଲା, ଚାକିରି କରିବାକୁ ହେବ ବୋଲି । ତା’ ପାଇଁ ଚାକିରି ଖଣ୍ଡେ କରାଇବାକୁ ସେ ବଡ଼ ହାକିମଙ୍କ ପାଖକୁ ଯାଇଥିଲା ପୁଞ୍ଜିଏ ସରୁ ଚାଉଳ, ଟିକିଏ ଘିଅ ଓ ପରିବାପତ୍ର ଦୁଇଟା ଧରି । ମାଛ ପୁଞ୍ଜେ ବି ନେଇଥିଲା । ସେଇଥି ଯୋଗୁଁ ଆଜି ତାର ଏ ପରାଭବ ।

 

ମହାଦେବ ପଚାରିଲେ, “ଏମିତି ପଦାର୍ଥ ଧରି ହାକିମଙ୍କ ପାଖକୁ ଗଲ କାହିଁକି ?”

 

ଦଇତାରି ଦାସ କହିଲା, “ମହାପୁରୁ ! ଏମିତି ଦେଲେ ଯାଇଁ ସେ ହାକିମଙ୍କଠାରୁ ଚାକିରି ମିଳେ ବୋଲି ମୁଁ ଶୁଣିଥିଲି, ଜାଣି ବି ଥିଲି, ଆମ ପାଖ ପଡ଼ିଶା ଦି’ ଚାରି ଜଣଙ୍କ ପିଲେ ଏମିତି ଦେଇ ବୃତ୍ତି ଖଣ୍ଡେ ଖଣ୍ଡେ ପାଇଲେ । ଆଜିକାଲି ତ ସବୁଆଡ଼େ ଇସ୍କୁଲ । ଚାକିରି କରିବାକୁ ବହୁତ ପିଲା ଉତୁରୁଛନ୍ତି । କିଛି ନ ପାଇଲେ ହାକିମ ମୋ ପୁଅ କଥା କାହିଁକି ବିଚାରିବେ? ୟା ବୋଲି ସରୁ ଚାଉଳ ପୁଞ୍ଜିଏ, ଘର ଗାଈର ଖରମରା ଘିଅ ଟିକିଏ ଆଣିଥିଲି ଯେ ମୋ କପାଳ ଓଲଟା ଫିଳିଲା-!”

 

ମହାଦେବ କୌତୁହଳରେ ପଚାରିଲେ, “କିମିତି ?” ଦଇତାରି ଦାସ କହିଲେ,“ମହାପୁରୁ! ସେକଥା କିମିତି କି, ସେଦିନ ଦୈବାତ ୟେ ହାକିମଙ୍କ ପାଖରେ ଆଉ ଜଣେ ବାବୁ ବସିଥିଲେ । ସେ ଦୁହିଁଙ୍କର ମନ ମିଳେ ନାହିଁ, ଖାଲି ଉପର ମନରେ କଥାବାର୍ତ୍ତା । ମୁଁ ଯେମିତି ନେଇ ମୋ ସମ୍ଭାର ଦୁଆର ମୁହଁରେ ଥୋଇଦେଇଛି, ହାକିମଙ୍କର ଭୟ ହୋଇଗଲା। ସେ ପୁଲିସବାଲାଙ୍କୁ ଡାକି ଜିନିଷପତ୍ର ସହିତ ମୋତେ ଥାନାକୁ ପଠାଇଦେଲେ । ବଡ଼ ଲାଜ କଥା, ମହାପୁରୁ, ମେତେ ଏତେ ବର୍ଷ ହେଲାଣି ମୁଁ ଏମିତି ଅପମାନ ସହି ନଥିଲି । ବୋଝଟାକୁ ମୁଣ୍ଡରେ ମୁଣ୍ଡାଇଥାଏ, ଅଣ୍ଟାରେ ଗୋଟେ ଏଡ଼େ ମୋଟ ଲଙ୍ଗଳ ଦଉଡ଼ି, ବାଟରେ ସମସ୍ତେ ଚାହିଁ ଥାଆନ୍ତି । କାହାକୁ କହିବି? ଆପେ ତ ବରିଛି । ପୁଅ ତ ଜନ୍ମ କରିଚି, ଦୋଷିବି କାହାକୁ ?”

 

ମହାଦେବ ପଚାରିଲେ, “ତମେ ତ ଜିନିଷ ଆଣିଲ, ପୁଅର ଦୋଷ କଣ ?”

 

ଦଇତାରି ଦାସ—ଆଜ୍ଞା, ଆଉ କାହା ପାଇଁ ଆଣିଲ କି ? ଆଜିକି ଦଶ ବର୍ଷ ହେଲା ସେଇ ପିଲା ମତେ ଇମିତି ସାଧୁଛି। ଗାଁ ପାଖରେ ଖଣ୍ଡେ ମାଇନର ଇସ୍କୁଲ ହୋଇଥାଏ । ସମସ୍ତଙ୍କ ଦେଖାଶିଖା ମୋ ପିଲାଟିକୁ ମୁଁ ସେହିଠାକୁ ପଠାଇଲି । ଦୁଇ ତିନିଥର ଫେଲ ହୋଇ ମାଇନର ଖଣ୍ଡ ପାସ୍‌ କଲା । ତା ପରେ ଧରି ବସିଲା ଆଉ ଉପରକୁ ପଢ଼ିବ । ମୁଁ ବହୁତ ବୁଝାଇଲି, ଆମେ ମାଟିର ମଣିଷ, ମାଟି ତାଡ଼ିଲେ ପେଟ ପୋଷିବା । ସାଙ୍ଗ ପିଲାଙ୍କ ବୋଲରେ ପଡ଼ି ପୁଅ ମୋ କଥାକୁ କାନେଇଲା ନାହିଁ; ଭାର୍ଯ୍ୟା ବି ଧରି ବସିଲା ତା ପୁଅ ପାଠ ପଢ଼ିବ, ବାବୁ ହେବ, ଚୌକିରେ ବସି ପେଟ ପୋଷିବ ।

 

ମହାଦେବ ପଚାରିଲେ, “ଯେ ପାଠ ପଢ଼ୁଛନ୍ତି, ସେ କ’ଣ ଏମିତି ଚୌକିରେ ବସି ପେଟ ପୋଷୁଛନ୍ତି ?”

 

ଦଇତାରି ଦାସ—ତୁଚ୍ଛା କଥା ମହାପୁରୁ ! କେଜାଣି ଶହକେ ଜଣେ ପେଟ ପୋଷିଲା ମାଫି ପଇସା ପାଉଥିବେ । ସେଇ ଜଣକୁ ଚାହିଁ ସମସ୍ତେ ଧାଇଁଛନ୍ତି, ପାଠ ପଢ଼ିବାକୁ । ବାକି ଅନେଶ୍ୱତ ଜଣ କୁଆଡ଼େ ଗଲେ, କ’ଣ ଖାଇଲେ, କେହି ଖୋଜୁନାହାନ୍ତି। ମୋରି ପୁଅ ସାଙ୍ଗରେ ଯେଉଁ ଚାରିଜଣ ପାଠ ପଢ଼ିଥିଲେ ସେମାନେ ସବୁ ଲାଞ୍ଚ-ଲୁଞ୍ଚା ଦେଇ ଚାକିରି ଖଣ୍ଡେ ଖଣ୍ଡେ ପାଇଲେ, ହେଲେ କ’ଣ ହେବ, ଚାଉଳ ଡାଲି ପ୍ରତି ମାସରେ ଘରୁ ନ ନେଲେ ଚଳିପାରୁନାହାନ୍ତି । ବଡ଼ ଛୋଟିଆ କାମ କରୁଛନ୍ତି । ଆମ ଗାଁ ରଘୁ ଦାସେ କହୁଥିଲେ, “ତାଙ୍କ ପୁଅ ଚାକିରି କରିଛି ଯେ ଦିନଯାକ ହାକିମ ପାଖରେ ଠିଆ ହୋଇ ଗୋଡ଼କୁ ରକ୍ତ ଗଡ଼ିଲାଣି । ଚୌକିସବୁ ପାଖରେ ଖାଲି ଥୁଆ ହୋଇଥିବ, କିନ୍ତୁ ବସିବାକୁ ଯୁ ନାହିଁ ।”

 

ମହାଦେବ—କାହିଁକି ?

 

ଦଇତାରି ଦାସ—ହାକିମ କହିଲେ ସିନା ବସନ୍ତେ । ରଘୁଦାସ କହୁଥିଲେ, କିରାଣୀ ହାକିମଙ୍କ ଆଗରେ ଚୌକିରେ ବସିପଡ଼ିଲେ କୁଆଡ଼େ ହାକିମଙ୍କର ମାନହାନି ହେବ ।

 

ମହାଦେବ ଖୁବ୍‌ ହସିଲେ । ତାଙ୍କ ନିଜ ଅପରାଧ କଥା ମନେ ପଡ଼ିଗଲା । ସେ ଭାବିଲେ, “ଏ ହାକିମଗୁଡ଼ାକଙ୍କର ଅତି ଅଳପେକେ ମାନହାନି ହୋଇଯାଉଛି,” ପଚାରିଲେ, “ୟା ତ ଜାଣିଥିଲ, ପୁଣି ଚାକିରି ପାଇଁ ହାକିମଙ୍କ ପାଖକୁ ଗଲ କାହିଁକି ?”

 

ଦଇତାରି—ଆଜ୍ଞା, ଉପାୟ କ’ଣ ? ଖାଲି କ’ଣ ସେତିକି ଜାଣିଥିଲି? ରଘୁଦାସଙ୍କ ପୁଅ ବି.ଏ. ପାସ୍ କରି ତା ଅବସ୍ଥା ଇଆ । ମୋ ପୁଅ ତ ଆଇ.ଏ. ତିନି ଥର ଫେଲ ହୋଇଛି । ସେ ତ ଆଉ ଛୋଟିଆ କାମ ପାଇଥାଆନ୍ତା । କିନ୍ତୁ କ’ଣ କରିବି ? ସେ ତ ଘରେ ଚଳିପାରୁନାହିଁ । ତା ମା ରନ୍ଧା ତାକୁ ସବୁଦିନ ଅସୁଆଦ ଲାଗୁଛି । ଲୁଗା ଟିକିଏ ମଇଳା ହେଲେ ତାକୁ ଅସୁକୁ ଲାଗୁଛି । ମୁଁ ଯାଇ ତିନି କୋଶରେ ତାକୁ ଇସ୍ତ୍ରୀ କରି ଆଣୁଛି । ପ୍ରତି ଦିନ ପାନଗୁଆ ବିଡ଼ି ସିଗ୍ରେଟ୍‌ ଜଳଖିଆ ଖର୍ଚ୍ଚ, ଆଠଅଣା ବୋଇଲେ ନାଇଁ, ଟଙ୍କେ ବୋଇଲେ ନାଇଁ । ଭେଣ୍ଡାଟାଏ, ଖାଲି ଘରେ ବସିବାରୁ ମୋ ମନ ବି କୁହୁଳୁଛି !”

 

ମହାଦେବ ପଚାରିଲେ, “କାହିଁକି, ତମ ସାଙ୍ଗରେ ବିଲରେ କାମ କରୁନାଇଁ ?”

 

ଦଇତାରି ଦାସ ତାଚ୍ଛଲ୍ୟରେ ହସି କହିଲେ, “ଭଲ କଥା କହିଲ, ମହାପୁରୁ! ସେ କ’ଣ ବିଲରେ କାମ କରିବ ? ଖରାକୁ ବାହାରିଲେ ତ ମୁଣ୍ଡ କଣ ହୋଇଯାଉଛି । ବର୍ଷାପାଣି ମୁଣ୍ଡରେ ଟୋପାଏ ପଡ଼ିଲେ ତିନି ଦିନ ଶେଯରୁ ଉଠୁନାହିଁ । ଚଷା ନିର୍ଧୁମ ଖରାଦିନେ ବିଲ ଚାଷ କରେ । ବର୍ଷା କୁଟୁଥିବା ବେଳେ ବେଉଷଣ କରେ, ହିଡ଼ ହାଣେ । ହାଡ଼ଭଙ୍ଗା ଶୀତରେ ଧାନ ନଡ଼ା କାଟେ, ପାହାନ୍ତିଆରୁ ଉଠି ବେଙ୍ଗଳା ପକାଏ । ଯେଉଁ ପିଲା ବର୍ଷକୁ ବର୍ଷ ଆଠକାଳି ବାରମାସି ଛାଇ ତଳେ ରହି ପାଠ ପଢ଼ିଲେ, ସେ ଆଉ ଆମ କାମକୁ କଣ ପାରିବେ ? ପୁଣି କୁଆଡ଼ୁ ଗୁଡ଼ାଏ ମାନମହତ ଶିଖିଛନ୍ତି ଯେ ବାପ ପଛେ ବୋଝ ମୁଣ୍ଡୋଉ, ଆପେ ମୁଣ୍ଡେଇଲା ବେଳକୁ ଅପମାନ ହୋଇଯାଉଛି-। ମୁଁ ସେଦିନ କହିଲି, “ଆରେ ପୁଅ, ମୁଁ ଏଇ ଚାଉଳ ଡାଲି ମୁଣ୍ଡଉଚି, ତୁ ସାଙ୍ଗରେ ଆ । ହାକିମ କେଜାଣି ତୋତେ ଦେଖିବାକୁ ଖୋଜିବେ, ଦେଖା କରି ଆସିବୁ ଯେ କାମଟା ବେଇଗି ହୋଇଯିବ । ‘ବୋଝ ମୁଣ୍ଡିଆର ପୁଅ’ ବୋଲି କେଜାଣି କିଏ ଜାଣିଥିବ, ଏଇଥି ପାଇଁ ଆସିଲା ନାହିଁ ପରା ।”

 

ମହାଦେବ ବହୁତ ବେଳ ତୁନୀ ହୋଇ ବସିଲେ, ଶେଷରେ ବୁଢ଼ାକୁ ସାନ୍ତ୍ୱନା ଦେଇ କହିଲେ, “ବାପା, ଖାଲି ତ ତମେ ଏ ଅବସ୍ଥାରେ ପଡ଼ିନାହଁ, ଏବେ ଦେଶଟାଯାକୁ ବିକୃତି ଘୋଟିଛି । ତମର ଯେମିତି ଦୁଃଖ ହେଉଛି ଆଉ ଅନେକକଙ୍କର ସେପରି ହେଉଥିବ । ଏଥିପାଇଁ ଆଉ ଶୋଚନା କାହିଁକି ? ଏଥର ଘରକୁ ଫେରିଲେ ପୁଅ ସାଙ୍ଗରେ କଳିଗୋଳ କରିବ ନାହିଁ । ସେ ଯାହା କରୁଛି ଚାରିମାସ ଛ’ମାସ ସହିଯିବ । ତେଣିକି ତା ମନ ନିଶ୍ଚୟ ଘର ଧରିବ । ତମେ ଆଉ ଏଠାରେ କେତେଦିନ ରହିବ ?”

 

ଦଇତାରି—ସେ କଥା କିଏ କହିବ, ଆଜ୍ଞା ! ଆଉ ଦି ଦିନର ମୋ ମକଦ୍ଦମା ଶୁଣାଣି ହେବ । ମା’ର ସମୁଦାୟ ଅଳଙ୍କାର ବନ୍ଧା ପକାଇ ପୁଅ ଆଣି ପଚାଶ ଟଙ୍କା ଓକିଲ ପାଖରେ ଦେଇଯାଇଛି । ଓକିଲ କାଲି ଆସି ମୋଠାରୁ ସବୁକଥା ଶୁଣି ପରାମର୍ଶ ଦେଇଛନ୍ତି, ମୁଁ ଯଦି କିଛି ନ ମାନିବି ଖସିଯିବି । ମୁଁ କହିବି ଯେ, ମୋତେ ହାକିମ ଚାକିର ରଖିଥିଲେ, ତାଙ୍କଠାରୁ ପଇସା ନେଇ ମୁଁ ବଜାରରୁ ସଉଦା କିଣିବାକୁ ଯାଇଥିଲି । ହାକିମ କେଜାଣି କାହିଁକି ରାଗିଯାଇ, କି ନିଜର ଭଲପଣିଆ ଦେଖାଇବାକୁ ମୋ ନାମରେ ଏପରି ଅପବାଦ ବୋଳିଛନ୍ତି । ତେବେ ମୁଁ ଖଲାସ ହୋଇଯିବି ବୋଲି ଓକିଲ କହୁଛନ୍ତି ।

 

ମହାଦେବ—ମିଛ କହି ଖଲାସ ହେଲେ କ’ଣ ଫଳ ? ତୁମେ ପୁଣି ପୁଲିସ ଆଗରେ ସବୁକଥା କହିଥିବ ?

 

ଦଇତାରି—ଆଜ୍ଞା ! ଓକିଲ କହୁଛନ୍ତି, ପୁଲିସ ଆଗରେ ଯାହା କହିଛି, ହାକିମ ଆଗରେ ତାହା ନ ମାନିଲେ କିଛି ଦୋଷ ନାହିଁ । ସେ ହାକିମକୁ ବୁଝାଇଦେବେ ଯେ ପୁଲିସ ଡରାଣରେ ମୁଁ ସେମିତି କହିଦେଇ-ଥିଲି । କିନ୍ତୁ ଆଜ୍ଞା, ମତେ ବଡ଼ ଡର ମାଡ଼ୁଛି। ନେଇ ଆଣି ଥୋଇ ଜାଣିଲେ ସିନା ଚୋରିବିଦ୍ୟା ଭଲ । ଓକିଲ ଯେମିତି କହୁଛନ୍ତି ମୁଁ କଣ ସିମିତି କହିପାରିବି ? କଥା ଯୋଡ଼ି କରି କହୁକହୁ କେଜାଣି ଭୁଲ ହୋଇଯିବ !”

 

ମହାଦେବ ବୁଝାଇଲେ, ଯାହା ସତ ତାହା ମାନିଯିବ । ତା’ପରେ ହାକିମର ଧର୍ମ । ଦଇତାରି ଦାସ ମନକୁ ସେ କଥା ପାଇଲା ।

 

ସେ ରାତି ତମାମ ମହାଦେବଙ୍କ ଗୋଡ଼ରେ ହାତ ବୁଲାଉଥାଏ । ତହିଁ ଆର ଦିନଯାକ ବି ତାଙ୍କରି ପିଣ୍ଡି ପାଖରେ ଅଧିଆ ପଡ଼ିଲା ପରି ବସିରହିଲା । ତା’ ଆରଦିନ ଯେତେବେଳେ ମକଦ୍ଦମା ପଡ଼ିଲା ଗୋଟିକଠୁ ସବୁକଥା ସତ କହିଗଲା । ହାକିମ ବିଚାରବନ୍ତ ଲୋକ । ରାୟ ଦେଲେ ଯେ, ଦଇତାରି ଦାସ ଜଣେ ନିରୀହ ଚାଷୀ । ଲାଞ୍ଚ ଦେଲେ ଚାକିରି ମିଳେ ବୋଲି ସରଳବିଶ୍ୱାସରେ ଚାଉଳ ଡାଲି ପୁଞ୍ଜିଏ ହାକିମଙ୍କ ପାଇଁ ଆଣି ଦେଇଥିଲା । ତା’କଥା ଶୁଣିବାମାତ୍ରେ ହାକିମ ତାକୁ ସବୁକଥା ବୁଝାଇ ଫେରାଇ ଦେଇଥିଲେ ଯଥେଷ୍ଟ ହୋଇଥାନ୍ତ। ।

 

ଦଇତାରି ଦାସ ଖଲାସ ହୋଇ ଚାଉଳ ଡାଲିତକ ସେଇ କଚେରୀ ହତାରେ ଭିକାରୀଙ୍କୁ ଦେଇ ଜଗନ୍ନାଥ ଦର୍ଶନ କରି ଘରକୁ ଫେରିଲା । ଜେଲଖାନାରେ ମହାଦେବଙ୍କୁ ମୁଣ୍ଡିଆଟିଏ ମାରି ଯିବାକୁ ତାର ଇଚ୍ଛା ଥିଲା । କିନ୍ତୁ ଖଲାସ ହେଲା ପରେ ଆଉ ଜେଲଖାନା ଭିତରକୁ ଯିବାକୁ ଅନୁମତି ନ ମିଳିବାରୁ ସେ ଜେଲଖାନା ଫାଟକରେ ମୁଣ୍ଡିଆଟିଏ ମାରି ଫେରିଲା ।

 

ଜେଲଖାନାରେ ପ୍ରଚାର ହୋଇଗଲା, ମହାଦେବ ଜଣେ ମହାପୁରୁଷ, ତାଙ୍କରି ଅନୁଗ୍ରହରେ ଲାଞ୍ଚ ଦେବାଭଳି ଏଡ଼େ ବଡ଼ ଅପରାଧିରୁ ଦଇତାରି ଦାସ ମୁକୁଳିଗଲା । ଆସାମୀମାନଙ୍କ ଭିତରୁ ଅନେକ ତାଙ୍କର ଭକ୍ତ ହୋଇଗଲେ । କେତେବେଳେ ତାଙ୍କ ପାଖରୁ ଗହଳି ଛାଡ଼ିଲା ନାହିଁ । ଓ୍ୱାଡ଼ରମାନେ ମଧ୍ୟ ତାଙ୍କ ଅନୁଗ୍ରହରେ ଚାକିରିରେ ଉନ୍ନତି ହେବ ବୋଲି ଆଶା କରି ତାଙ୍କୁ ମାନ୍ୟ ଦେଖାଇଲେ ।

 

ମହାଦେବ ଖାଇବାକୁ ରାଜି ନ ହେବାର ଜେଲ ସୁପରିଣ୍ଟେଣ୍ଡେଣ୍ଟ ଆଗ ଆଦେଶ ଦେଇଥିଲେ ତାଙ୍କୁ ବାଧ୍ୟ କରି ମଳଦ୍ୱାରବାଟେ ଖୁଆଇବାପାଇଁ । କିନ୍ତୁ, ମହାଦେବଙ୍କ ପ୍ରତି ଜେଲଖାନରେ ମିଳୁଥିବା ସମ୍ମାନ ଦେଖି ସେ ନିଜେ ଦବିଗଲେ । ସେ ଡାକ୍ତର ହେଲେ ମଧ୍ୟ ହୁକୁମ ଔଷଧ ପାଇଁ ରନ୍ତଲେଇ ଯାଇଥିଲେ । ତାଙ୍କର ଗୁଣିଆ ଓ ଯୋଗୀଙ୍କୁ ଭାରି ଡର । ସେ ବିଚାରିଲେ, ମହାଦେବଙ୍କୁ ଅସନ୍ତୁଷ୍ଟ କଲେ ରନ୍ତଲେଇ ଔଷଧରେ ଯେଉଁ ରୋଗ ଭଲ ନ ହୋଇଛି ତାହା ହୁଏତ ବଢ଼ିଯାଇପାରେ । ସେଇ ଭୟରେ ସେ ଲେଖିଦେଲେ—ମହାଦେବଙ୍କର ମେଦବୃଦ୍ଧି ହୋଇଯାଇଛି-। ତାହା କମାଇବା ପାଇଁ ସେ ଖାଲି ପାଣି ପିଇ କେତେଦିନ ରହିବାକୁ ଯେଉଁ ସଂକଳ୍ପ କରିଛନ୍ତି ସେଥିରେ ବାଧା ଦେବା ଦରକାର ନାହିଁ । ଭାତ ନ ଖାଇବା ଫଳରେ ତାଙ୍କର କ’ଣ କ୍ଷତି ହେଉଛି ତାହା ସାବଧାନତା ସହିତ ଲକ୍ଷ୍ୟ କରାଯାଉ । ସୁପରିଣ୍ଟେଣ୍ଡେଣ୍ଟ ମିଛରେ ପାଣି ପିଇବା କଥା ଲେଖିଥିଲେ । ମହାଦେବ କେବେହେଲେ ପାଣି ମାଗି ନାହାନ୍ତି । କିଛି ନଖାଇ ନ ପିଇ ସବୁବେଳ ସମାନ ସତେଜ ଦିଶୁଥିବାର ଦେଖି ଅଧିକାଂଶ କଏଦୀ ତାଙ୍କୁ ସତେ ମହାଦେବ ବୋଲି ମନେକଲେ-। ଟିକିଏ ସମୟ ପାଇଲେ ସମସ୍ତ ଆସି ତାଙ୍କରି ପାଖରେ ରୁଣ୍ଡ ହୁଅନ୍ତି । ତାଙ୍କଠାରୁ କଥା ଦିପଦ ଶୁଣିଲେ ପ୍ରତ୍ୟେକଙ୍କର ମନ ବିଶ୍ୱାସ ହୁଏ । କ୍ରମେ କଏଦୀମାନଙ୍କ ଭିତରୁ ସବୁପ୍ରକାର ଗୋଳମାଳ ଦୂର ହୋଇଗଲା । ପ୍ରତ୍ୟେକ ନିଜ ନିଜର କାର୍ଯ୍ୟ ଖୁସିରେ ମନଦେଇ କରିବାକୁ ଲାଗିଲେ । ଜେଲର୍‌ ଓ ଜେଲ ଓ୍ୟାର୍ଡ଼ରମାନଙ୍କ କାମ ଭାରି ସହଜ ହୋଇଗଲା ।

 

ଜେଲଖାନାରେ ଦଳେ କମ୍ୟୁନିଷ୍ଟ ବନ୍ଦୀ ଥାଆନ୍ତି । ସେମାନଙ୍କୁ ଏହା ଭାରି ଅଡ଼ୁଆ ଲାଗିଲା । ସବୁକଥା ଗୋଳମାଳ ଓ ବିଦ୍ରୋହ ସୃଷ୍ଟି କରି ସେମାନେ ଜେଲଖାନ ଭିତରେ ନିଜ ମତ ପ୍ରଚାର କରିବାକୁ ଉଦ୍ୟମ କରିଥିଲେ ସେଥିରେ ବ୍ୟାଘାତ ହେଲା। ଜେଲ ଓ୍ୟାର୍ଡ଼ରମାନେ ଅଳ୍ପ ଦରମା ପାଇ ବେଶୀ ଖଟୁଛନ୍ତି, କଏଦୀମାନଙ୍କୁ ଭଲ ଖାଇବାକୁ ମିଳୁନାହିଁ; ହାଜତି ଆସାମୀମାନଙ୍କ ମକଦ୍ଦମା ଶୀଘ୍ର ତୁଟୁନାହିଁ; ଡାକ୍ତର ଭଲ ଚିକିତ୍ସା କରୁନାହାନ୍ତି—ଏହିପରି ଯାହା ମନକୁ ଯେପରି ପାଇବ ସେପରି ପ୍ରଚାର କରି ସେମାନେ ଜେଲଖାନ ଭିତରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ଯେଉଁ କଳ୍ପନା କରିଥିଲେ, ସେଥିରେ ମହାଦେବ ଅନ୍ତରାୟ ହେବାର ଦେଖି ସେମାନେ ସ୍ଥିର କଲେ, ଆଗ ମହାଦେବଙ୍କୁ ମତାଇ କମ୍ୟୁନିଷ୍ଟ କରିବାକୁ ଚେଷ୍ଟା କରିବେ। ତାହା ସମ୍ଭବ ନହେଲେ, ସେ ଶୀଘ୍ର କିପରି ଜେଲଖାନାରୁ ବିଦାୟ ହେବେ ସେଥିପାଇଁ ଉଦ୍ୟମ କରିବେ ।

 

ପ୍ରଥମେ ପ୍ରଥମେ ଜଣାଗଲା ମହାଦେବ ସହଜରେ କମ୍ୟୁନିଷ୍ଟ ମତ ଗ୍ରହଣ କରିଯିବେ । ସେ କମ୍ୟୁନିଷ୍ଟ ଯୁବକମାନଙ୍କୁ ଖୁବ୍‌ ଆଗ୍ରହରେ ପାଖରେ ବସାଇ ମନ ଦେଇ ତାଙ୍କ କଥା ଶୁଣୁଥାଆନ୍ତି । ସାଧାରଣ ଲୋକେ ଆଜିକାଲି ଯେଉଁ କଷ୍ଟ ପାଉଛନ୍ତି ତାହା ଶୁଣି ମହାଦେବଙ୍କ ଆଖି ଛଳଛଳ ହୋଇଯାଏ । ଖାଇବା ଅଭାବରେ କେହି ନ ପଡ଼ନ୍ତୁ, ସମସ୍ତେ ସୁଖରେ ରହନ୍ତୁ, ସମାନ ସୁଯୋଗ ଓ ଅଧିକାର ପାଆନ୍ତୁ—ଏ କଥାରେ ସେ ପୂର୍ଣ୍ଣ ସମର୍ଥନ ଦେଲେ ।

 

କିନ୍ତୁ, ଏ ଲକ୍ଷ୍ୟ କିପରି ପୂରଣ ହେବ ସେ କଥା ଉଠିଲା ବେଳକୁ ମହାଦେବ ଅସମ୍ମତିରେ ମୁଣ୍ଡ ହଲାଇଲେ; କହିଲେ, “ପିଲେ, ତମ ରୁଷିଆରେ ଯେପରି ଶ୍ରେଣୀସଂଘର୍ଷ ହୋଇପାରିଲା, ତାହା ଭାରତବର୍ଷରେ ହେବ କିପରି ? ଭାରତବର୍ଷରେ ଯେଉଁ ଜାତିଭେଦ ପ୍ରଥାଟି ଅଛି, ସେଥିରେ ତ ଶ୍ରେଣୀସଂଘର୍ଷ ହୋଇପାରିବ ନାହିଁ । ବ୍ରାହ୍ମଣଙ୍କ ଭିତରେ ଅତି ଦରିଦ୍ର ଅଛନ୍ତି, ଛୋଟ ଜାତିଙ୍କ ଭିତରେ ଧନୀ ଲୋକ ବି ଅଛନ୍ତି । ସବୁ ଜାତିର ଧନୀଙ୍କୁ ଏକ ଜାତି ଓ ଦ୍ରରିଦ୍ରଙ୍କୁ ଏକ ଜାତି କଲେ ସିନା ହେବ । ଏହା କ’ଣ ସମ୍ଭବ ?”

 

କମ୍ୟୁନିଷ୍ଟ ନେତା ଉତ୍ତର ଦେଲେ, “ଆଗ ଏ ଜାତିଭେଦ ଭାଙ୍ଗିବାକୁ ହେବ । ଏହା ଭାଙ୍ଗିବା ତ ଆଜିକାଲି ସରକାରଙ୍କ ନୀତି । ମହାଦେବ କହିଲେ, “ବର୍ତ୍ତମାନ ଜାତିଭେଦ ଯେଉଁ ଅବସ୍ଥାରେ ପହଞ୍ଚିଲାଣି ତାକୁ ଭାଙ୍ଗିବା ବର୍ତ୍ତମାନ ନିତାନ୍ତ ଦରକାର । କିନ୍ତୁ, ତାହା ଭାଙ୍ଗିବା ଫଳରେ ପ୍ରତି ଜାତିର ଦରିଦ୍ରତକ ତ କ୍ଷତିରେ ପଡିବେ । ଏ ଦେଶରେ ଧର୍ମ ବୋଲି ଯାହା ଚଳୁଛି, ତାହ ସମ୍ପୂର୍ଣ୍ଣରୂପେ ଲୋପ ପାଇଲେ, ଜାତିଭେଦ ପୁରା ଉଠିବ ନାହିଁ । ଧର୍ମ ଉଠିଗଲେ, ଦରିଦ୍ର ବ୍ରାହ୍ମଣ କର୍ମକର୍ମାଣି କରି କଷ୍ଟେମଷ୍ଟେ ଯାହା ଚଳିପାରୁଛି, ସେ ବାଟ ବନ୍ଦ ହୋଇଯିବ । ପୁଣି ଛୋଟ ଜାତିମାନଙ୍କର ମୌଳିକ କର୍ମ ନିଶ୍ଚିତ ଥିବାରୁ ସେମାନଙ୍କ ମଧ୍ୟରେ ଯେଉମାନେ ଅପାରିବାର ସେମାନେ ଜୀବିକା ଅର୍ଜନ କରିପାରୁଛନ୍ତି । ସବୁ ଜୀବିକା ସମସ୍ତେ କରିବାର ଯଦି ଅଧିକାର ପାଇବେ ତେବେ ଛୋଟଜାତିଙ୍କର ବ୍ୟବସାୟ ବେଉସା ବୁଡ଼ିଯିବ ।”

 

କମ୍ୟୁନିଷ୍ଟ ନେତା ପଚାରିଲେ,”ଆପଣ ବର୍ତ୍ତମାନ କହୁଥିଲେ, ଜାତିଭେଦ ଉଠିଯିବା ଉଚିତ ବୋଲି, ପୁଣି କିପରି କହୁଛନ୍ତି, ଜାତିଭେଦ ଲୋପ ହେଲେ ଲୋକଙ୍କର ବ୍ୟବସାୟ ବୁଡ଼ିଯିବ ବୋଲି-?”

 

ମହାଦେବ କହିଲେ—ଜାତି ବିଭାଗରେ ଯେଉଁ ଦୁର୍ଗୁଣ ସବୁ ପଶିଯାଇ ତାହା ଉଠିଯିବା ଦରକାର । ସବୁଠାରୁ ବଡ଼ ଦୁର୍ଗୁଣ ହେଉଛି ଯେ ଗୁଣ ଓ କର୍ମ ବିଭାଗରେ ଜାତି ଗଢ଼ା ନ ହୋଇ, ଜନ୍ମ ଅନୁସାରେ ହୋଇଯାଉଛି । ଖାଲି ବ୍ରାହ୍ମଣ ଘରେ ଜାତ ହେଲା ବୋଲି କେହି ବ୍ରାହ୍ମଣ ହୋଇ ନ ପାରେ, ସେହିପରି ବାଉରି ଘରେ ଜନ୍ମ ହୋଇ ଯଦି କାହାଠାରେ ବ୍ରାହ୍ମଣ ଗୁଣ ଦିଶିଲା, ତେବେ ସେ ବ୍ରାହ୍ମଣ କର୍ମ କରିବାରେ କୌଣସି ବାଧା ଉପୁଜିବା ଉଚିତ ନୁହେଁ । ପୂର୍ବରେ ସେଇଆ ଥିଲା । ସେଇ ସଂସ୍କାର କରିଦେଲେ ଜାତିଭେଦର ଦୁର୍ଗୁଣ ତା ମନକୁ ଦୂର ହୋଇଯିବ ।”

 

କମ୍ୟୁନିଷ୍ଟ ନେତା କହିଲେ, “ତାହା ଯଦି ହୁଏ ଓ ସମସ୍ତେ ସବୁ ଜାତିର କର୍ମରେ ଅଧିକାରୀ ହୋଇଥାଆନ୍ତି, ତେବେ ତ ସବୁ ଜାତି ସମାନ ହୋଇଯିବେ । ଏଇ ଆଶା ଉପରେ ଶ୍ରେଣୀ ସଂଘର୍ଷ ନ ହୋଇପାରିବ କିଆଁ ?”

 

ମହାଦେବ—କିନ୍ତୁ ସେପରି ସବୁ ଜାତି ସମାନ ହେଲେ ତ ହେବ ନାହିଁ । ଜାତିରେ ବଡ଼ ସାନ ରହିବ । ପ୍ରତ୍ୟେକ ଛୋଟ ଜାତିର ଲୋକ ଆଗରେ ବଡ଼ ହେବାକୁ ପ୍ରଲୋଭନ ରହିବ । ବଡ଼ ଜାତିର ଲୋକଙ୍କର ସବୁବେଳେ ଭୟ ରହିବ ଯେ, ସେମାନେ ଯଦି ନିଜର ଆଚାର ଓ ରୀତିନୀତି ରଖିନପାରିବେ, ତା’ ହେଲେ ତଳକୁ ଖସିଯିବେ । ଏହି ରୀତିରେ ଭାରତ ଥରେ ଉପରକୁ ଉଠିଥିଲା ଏବଂ ପୁଣି ଉଠିବ ।

 

କମ୍ୟୁନିଷ୍ଟ ନେତା କହିଲେ, “ଇଏ ତ ସେହି ପୁରୁଣା ଯୁଗର କଥା । ଆପଣ ସେହି ବଡ଼ ଜାତିର ଅଧିକାର ବଜାୟ ରଖିବାକୁ ଏପରି କହୁଛନ୍ତି । ଏ ଯୁଗ ଶ୍ରେଣୀ ସଘଂର୍ଷର ଯୁଗ । ଚାଷୀ ମୂଲିଆ ଏକଜୁଟ ହୋଇ ଧନିକ ଶ୍ରେଣୀକୁ ଶେଷ କରିବା ଦରକାର ।”

 

ମହାଦେବ ହସିଲେ; କହିଲେ, “ଏ ଦେଶରେ ଚାଷୀ କୌଣସି ଏକ ଜାତିରେ ଆବଦ୍ଧ ନୁହନ୍ତି । ମୂଲିଆ ବି କୌଣସି ଗୋଟିଏ ଜାତିର ଲୋକ ନୁହେଁ । ବ୍ରାହ୍ମଣ ଯେପରି ଚାଷ କରୁଚି ଓ ମୂଲ ଲାଗୁଚି, ହାଡ଼ି ବି ସେପରି ଚାଷ କରୁଚି ଓ ମୂଲ ଲାଗୁଚି। ଜାତିଭେଦ ଯୋଗୁଁ ବିଭିନ୍ନ ଜାତିର କାମରେ ଟିକିଏ ଯାହା ପାର୍ଥକ୍ୟ ଅଛି । ଆମ ଦେଶରଅବସ୍ଥା ଆଗ ଅନୁସନ୍ଧାନ କର; ଅନ୍ୟ ଦେଶର ଭାବଧାରା ଆମ ଦେଶର ଜଳବାୟୁରେ ଉଧେଇବ କି ନାହି, ଦେଖ; ଦରକାର ହେଲେ, ଆମ ଦେଶକୁ ଚାହିଁ ତୁମ ନୀତିର ପରିବର୍ତ୍ତନ କର; ତେବେ ଯାଇ ହେବ ।”

 

ଏଇ ଗୋଟିଏ କଥା ଗୁଡ଼େଇତୁଡ଼େଇ ବହୁ ଥର ଆଲୋଚନା ହେଲା । ଦିନେ କମ୍ୟୁନିଷ୍ଟମାନଙ୍କ ଭିତରୁ ଜଣେ ଖୁବ ଉତ୍ତ୍ୟକ୍ତ ହୋଇ ମହାଦେବଙ୍କୁ କହିଲା, “ଆପଣ ଯଦି ପ୍ରକୃତରେ ଦେବତା ତେବେ ଆପଣ ପ୍ରତିକ୍ରିୟାଶୀଳ ଲୋକଙ୍କର ପୃଷ୍ଠପୋଷକ । ସେମାନଙ୍କ ସହିତ ଆପଣ ବି ମୂଳପୋଛ ହୋଇଯିବେ ।”

 

ମହାଦେବ ପ୍ରଶାନ୍ତ ଭାବରେ ମୁଡ଼କି ହସି କହିଲେ—ତୁମେ ଚେଷ୍ଟା କର । ଏ ଦେଶରେ କାହାର ମତ କେହି କାହା ଉପରେ ଚାପିଦେବାକୁ ବସନ୍ତି ନାହିଁ । ତୁମେ ଆଜି ଯେଉଁ କଥାସବୁ କହୁଚ, ଆଜକୁ ତିନି ହଜାର ବର୍ଷ ପୂର୍ବ ଦଳେ ଲୋକ ସେହି କଥା ପ୍ରଚାର କରୁଥିଲେ । ସେତେବେଳେ ସେମାନଙ୍କର ପରିଣତି ଯାହା ହୋଇଥିଲା, ତୁମର ବି ସେୟା ହେବ । ଏ ଦେଶରେ ଦୈବାତ୍‌ ପିମ୍ପୁଡ଼ିଟିଏ ମରିଗଲେ ବି ଲୋକେ ଆହା ବୋଲି କହନ୍ତି; ହାଣିମାରି ତୁମେ ସମସ୍ତଙ୍କ ସମାନ କରିବେ କିପରି ? ଓଲଟି ମୋର ତ ମନେ ହେଉଛି, ତୁମେ ଯେଉଁମାନେ କିଛି କାମ ନ କରି ଲୋକଙ୍କ ଭିତରେ ସଂଘର୍ଷ ସୃଷ୍ଟି କରିବାର ଜୀବିକା ବୋଲି ଧରିଛି, ତୁମ ବିରୁଦ୍ଧରେ ବି ପ୍ରତିକ୍ରିୟା ସୃଷ୍ଟି ହେବ ।

 

କମ୍ୟୁନିଷ୍ଟ ଜଣେ ହସି ହସି କହିଲା—ଆଉ ଆପଣ କି ଜୀବିକା ଧରିଛନ୍ତି ?

 

ମହାଦେବ କହିଲେ, “ସମସ୍ତଙ୍କୁ ନିଜ ନିଜ କର୍ତ୍ତବ୍ୟରେ ସ୍ଥିର କରି ରଖିବା ମୋର ଜୀବିକା-। ତା’ର ପ୍ରତିଦାନରେ ବି ମୁଁ କିଛି ଲୋଡ଼ୁ ନାହିଁ । ତୁମେ ଯେଉଁ ବିଷୟଭୋଗ ପାଇଁ ଲଢ଼ୁଛ ତାହା ବି ମୋର ପ୍ରୟୋଜନ ନାହିଁ ।”

 

କମ୍ୟୁନିଷ୍ଟ କହିଲେ, “ଆମେ ଶୁଣୁଛୁ, ଆପଣ କିଛି ଖାଉନାହାନ୍ତି ବୋଲି । କିନ୍ତୁ, ଆପଣଙ୍କ ନିଜ ଶାସ୍ତ୍ରରେ ତ ଲେଖାଅଛି, ‘ଅନ୍ନ ବିହୁନେ ହଂସ ହାନି’ । ଆପଣ ଖାଉନାହାନ୍ତି ବୋଲି ଆମେ ବିଶ୍ୱାସ କରିବୁ କିପରି ? ମଣିଷ ନ ଖାଇ ଜୀବନ ଧାରଣ କରିପାରେ ନାହିଁ, ଏକଥା ତୁମ ଶାସ୍ତ୍ର କହୁଛି, ଆଜିର ବୈଜ୍ଞାନିକ ବି କହୁଛନ୍ତି । ଏ ଉଭୟ ଭୁଲ୍‍ ବୋଲି ମାନିବା ଅସମ୍ଭବ । ଆଖିରେ ବି ଦେଖୁଥାଇଁ, ଜଣେ ଜଣେ ଲୋକ ଅନଶନ କରିବାକୁ ସଂକଳ୍ପ କରି ଶେଷରେ ମରୁଛନ୍ତି । ଏପର୍ଯ୍ୟନ୍ତ ଦେଖାଯାଇଛି, ନ ଖାଇ ଖୁବ୍‌ ବେଶୀ ୭୨ ଦିନ ଯାଏଁ ଜଣେ ମାତ୍ର ବଞ୍ଚିଥିଲେ । ଆପଣଙ୍କର କେତେ ଦିନ ହେଲାଣି ? ଆପଣ ଯେପରି ସତେଜ ଦିଶୁଛନ୍ତି ସେଥିରେ ଆମର ଦୃଢ଼ ବିଶ୍ୱାସ, ଆପଣ ଲୁଚାଇ କରି ଖାଉଥିବେ ।”

 

ମହାଦେବ ଖୁବ୍‌ ହସିଲେ, କହିଲେ, “ପ୍ରତ୍ୟେକ ନିଜ କଷଟିରେ ସମସ୍ତଙ୍କୁ କଷନ୍ତି । ନ ଖାଇଲେ ତୁମେ ରହିପାରିବ ନାହିଁ; ସେଥିପାଇଁ ଠିକ୍‌ କରି ନେଉଛ, କେହି ରହିପାରିବେ ନାହିଁ । ମନୁଷ୍ୟ ନିଜ ମନକୁ ତିଆରି କରିପାରିଲେ ନଖାଇ କରି ମଧ୍ୟ ବେଶ ରହିପାରିବ । ତୁମ୍ଭମାନଙ୍କର ଖାଇବା ଯେତିକି ଦରକାର, ବୁଢ଼ା କି ରୋଗୀଙ୍କର କ’ଣ ସେତିକି ଦରକାର ? ତୁମ ମନରେ ଯେଉଁ ଦିନ ବେଶୀ ଦୁଃଖ ବା ବେଶୀ ସୁଖ ହେଉଛି, ସେଦିନ କ’ଣ ଖାଇବା ମନେ ପଡ଼ୁଛି ? ମୋ ମନରେ ସବୁବେଳେ ସୁଖ; ତେଣୁ ମୋର ଖାଇବାର ଲୋଡ଼ା ନାହିଁ । ଖାଇବାଟା ସାଧାରଣ ଲୋକଙ୍କର ପ୍ରୟୋଜନ ହୁଏ, କିନ୍ତୁ ତାହା ତ ସବୁ ନୁହେଁ । ତୁମେ ଖାଇବାକୁ ସବୁ ବୋଲି ବିଚାରି ଯେଉଁ ସଘଂର୍ଷ ଆରମ୍ଭ କରିଦେଉଛ, ସେଥିରେ ନିଶ୍ଚିନ୍ତ ହୋଇ ଖାଇ ବସିବାକୁ କାହାକୁ ବେଳ ମିଳିବ ନାହିଁ ।”

 

ତା’ରି ଭିତରେ ଦିନେ ଚାରିଟାବେଳେ ‘ଛାତ୍ର ସମାଜ ଜାଗିଉଠ’, ‘ମେରିରାୟ ନୀତି ଚୂଲିକି ଯାଉ’ ବୋଲି ଘୋର ଚିତ୍କାର ଜେଲଖାନା ଜେଲଖାନା ଫାଟକ ଭେଦ କରି ଜେଲ ଭିତରେ ପଶିଲା-। ମହାଦେବ ଓ ତାଙ୍କ ସଙ୍ଗେ ଆଲୋଚନାରତ କମ୍ୟୁନିଷ୍ଟମାନେ ଚୁପ୍‌ ହୋଇ ଟିକିଏ ଶୁଣିଲେ, ତା’ପରେ କମ୍ୟୁନିଷ୍ଟମାନେ ଜେଲଖାନା ଭିତରୁ ଚିତ୍କାର କରି ଉଠିଲେ, “ବିପ୍ଳବ ଦୀର୍ଘଜୀବୀ ହେଉ”, “ଜନତାର ଏକମାତ୍ର ନେତା ମାଓ-ସେ-ତୁଙ୍ଗ” । ମହାଦେବ କାବା ହୋଇ କମ୍ୟୁନିଷ୍ଟଙ୍କ ଆଡ଼କୁ ଚାହିଁଲେ । ତାଙ୍କର ମନେ ହେଲା, ବୋଧହୁଏ ଏମାନେ ପୂର୍ବ ଜନ୍ମରେ ବିଲୁଆ ଥିଲେ; ଏ ଜନ୍ମରେ ସେଇ ପୂର୍ବ ସଂସ୍କାର ଧରି ଜନ୍ମ ପାଇଛନ୍ତି। ନ ହେଲେ ଅନ୍ୟର ରଡ଼ି ଶୁଣି ଏପରି ରଡ଼ି ଛାଡ଼ନ୍ତେ କାହିଁକି ? ଏ ବିଷୟରେ ସଂଶୟ ମୋଚନ କରିବାକୁ ସେ କିଛି ପଚାରିବା ପୂର୍ବରୁ, ଚିତ୍କାର କରି କରି ପ୍ରାୟ କୋଡ଼ିଏ ଜଣ ଯୁବକ ଜେଲଖାନାର ଭିତର ଦୁଆର ପାର ହୋଇ ହାଜତ ଖୁଆଡ଼ରେ ପଶିଲେ। ସେମାନଙ୍କ ମୁହଁରେ ଦର୍ପ ଓ ଉତ୍ସାହ ଦେଖି ମହାଦେବଙ୍କର ମନେ ହେଲା, ଏମାନେ ବୋଧହୁଏ ବାହୁବଳରେ ଜେଲଖାନାର ଦୁଆର ଭାଙ୍ଗି ଦଖଲ କରିବାକୁ ଆସିଛନ୍ତି-। ଜେଲ୍‌ ଓ୍ୱାଡ଼ରମାନେ, ତାଙ୍କ ଆଗରେ ପାଛୋଟି ଆଣିଲା ପରି ଓ ପଛରେ ଗୋଡ଼େଇଲା ପରି ଆସୁଥାନ୍ତି ।

 

ହାଜତି ଖୁଆଡ଼ରେ ସେମାନେ ପଶିବା ମାତ୍ରେ “ବିପ୍ଳବ ଦୀର୍ଘଜୀବୀ ହେଉ”, “ମାଓ-ସେ-ତୁଙ୍ଗ୍‌ ଜିନ୍ଦାବାଦ୍‌” ବୋଲି କମ୍ୟୁନିଷ୍ଟଙ୍କ ଆଡ଼ୁ ସେମାନଙ୍କର ଅଭିବାଦନ କରାଗଲା; କିନ୍ତୁ ଯୁବକ ଛାତ୍ରମାନଙ୍କ ଆଡ଼ୁ ଏହାର ପ୍ରତିଧ୍ୱନି ନ ଆସି ଶୁଣାଗଲା, “ଛାତ୍ର ସମାଜର ଜୟ ହେଉ”, “ଶିକ୍ଷକ, ନେତା ଓ ଅଭିଭାବକମାନେ ଧ୍ୱସ ହୁଅନ୍ତି ।” କମ୍ୟୁନିଷ୍ଟ ନେତାଙ୍କ ଇଙ୍ଗିତରେ କମ୍ୟୁନିଷ୍ଟମାନେ ମଧ୍ୟ ସେଇ ଧ୍ୱନି ଦେଲେ । ତଥାପି ଆଗନ୍ତୁକମାନଙ୍କଠାରୁ ପ୍ରତ୍ୟୁତ୍ସାହ ମିଳିଲା ନାହିଁ ।

 

ସେମାନଙ୍କୁ ନିଜର ବାସସ୍ଥାନ ଦେଖାଇବାକୁ ଅପେକ୍ଷା କରିବାକୁ ଓ୍ୱାର୍ଡ଼ର୍‌ଙ୍କୁ ଅବଜ୍ଞା କରି ଛାତ୍ରମାନେ ସାଙ୍ଗେ ସାଙ୍ଗେ କମ୍ୟୁନିଷ୍ଟମାନଙ୍କ ସଙ୍ଗେ କଳି ଆରମ୍ଭ କରିଦେଲେ । ଛାତ୍ରନେତା କହିଲେ, “ପୁଞ୍ଜିବାଦ ସମାଜବାଦ, ସାମ୍ୟବାଦ ଏସବୁ ପୁରୁଣାକାଳିଆ କଥା ହୋଇଗଲାଣି । ଏଥିରୁ ସବୁ କୌଣସି ବାଦ ଆମେ ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ । ଆପଣମାନେ ନିଜେ ତ ଜାଣୁଥିବେ, କମ୍ୟୁନିଷ୍ଟବାଦ ଆପଣମାନଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ; ଏବେ ତାକୁ ଦୁଇ ଭାଗ କରି ବାମ ଓ ଦକ୍ଷିଣ ଦୁଇ ପନ୍ଥା ଧରିଛନ୍ତି । ପୁଞ୍ଜିବାଦରେ ମଧ୍ୟ ସେହିପରି ଦୁଇଭାଗ ହୋଇଗଲାଣି । ବାମପନ୍ଥୀ ପୁଞ୍ଜିବାଦୀ ଓ ଦକ୍ଷିଣପନ୍ଥୀ ସମାଜବାଦୀଙ୍କ ଭିତରେ ବିଶେଷ କିଛି ପ୍ରଭେଦ ନାହିଁ ବୋଲି ସମସ୍ତେ କହିଲେଣି । ଆମେ ବୁଝିଲୁଣି, ବୟସ୍କ ଲୋକ ଯେତେ ଯାହା କହୁଛନ୍ତି, ସେ ସବୁ ତାଙ୍କ ନିଜ ସ୍ୱାର୍ଥ ପାଇଁ । ସବୁ ବୟସ୍କ ଲୋକଙ୍କ ସ୍ୱାର୍ଥ ବି ସମାନ ପିଲାଙ୍କୁ ଖଟାଇ ନିଜର ସ୍ୱର୍ଥ ସାଧନ କରିବା । ଆମେ ଯୁବକ ସମାଜ ସେଥିପାଇଁ ପ୍ରସ୍ତୁତ ନୋହୁଁ । ଆମେ ସମସ୍ତଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରୁଛୁଁ । ଏତିକିବେଳେ ଗୁରୁଗମ୍ଭୀର ସ୍ୱରରେ ପିଲାଙ୍କର ସମବେତ ଚିତ୍କାର ଶୁଭିଲା, “ଶିକ୍ଷକ, ନେତା ଓ ଅଭିଭାବକମାନେ ଧ୍ୱଂସ ହୁଅନ୍ତି ।”

 

ମହାଦେବ ହସି ହସି କହିଲେ, “ଟୋକାମାନେ ଶିକ୍ଷକ, ନେତା ଓ ଅଭିଭାବକ ହେବାକୁ ତ ବେଶୀ ଦିନ ଲାଗିବ ନାହିଁ । ଆଜି ଯେଉଁମାନେ କଲେଜରେ ପଢ଼ୁଛ, ସେମାନେ ତ ପାଞ୍ଚ ସାତ ବର୍ଷରେ ପୁଣି ଶିକ୍ଷକ ନେତା ଅଭିଭାବକ ହେବ ! ତା’ପରେ ତମ ପଛ ପିଲେ ପୁଣି ଦୁଆ ଧରିବେ ତୁମରି ବିରୁଦ୍ଧରେ ।”

 

ଛାତ୍ରମାନଙ୍କର ନେତା ଜଣକ କଟକ ଆଇନ୍‌ କଲେଜରେ ପଢ଼ନ୍ତି । ବୟସ ପ୍ରାୟ ତିରିଶ ହେବ । ଛାତ୍ର ତାଲିକାରୁ କିପରି ନାଁ ନ କଟିବ ସେଥିପାଇଁ ସେ କଲେଜରେ କୌଣସି ବର୍ଷ ପୂରା ରହନ୍ତି ନାହିଁ । ବର୍ଷକୁ ବର୍ଷ ନୂଆ କରି ନାଁ ଲେଖାଉଥାନ୍ତି । ସେ ମହାଦେବଙ୍କୁ ଲକ୍ଷ୍ୟ କରି କହିଲେ, ପ୍ରତିକ୍ରିୟାଶୀଳ ଲୋକଙ୍କ ସଂସର୍ଗରେ ଆସିଲେ ମଣିଷର ମନର ଟାଣ ଦୂର ହୋଇଯାଏ । କହ, ‘ଛାତ୍ର ସମାଜର ଜୟ’ । ଏଇ ନାଦରେ ମହାଦେବଙ୍କ କଥା ବାଏଁ ବାଏଁ ଉଡ଼ିଗଲା । ତା’ ପରେ ଛାତ୍ରମାନେ ତାଙ୍କ ସଙ୍ଗେ ବା କମ୍ୟୁନିଷ୍ଟଙ୍କ ସଙ୍ଗେ କୌଣସି କଥାବାର୍ତ୍ତା ନକରି ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଖୁଆଡ଼କୁ ଚାଲିଗଲେ । ତା’ରି ଭିତରୁ ଘନ ଘନ ଧ୍ୱନି ବାହାରୁଥାଏ ।

 

କିନ୍ତୁ ଇନ୍‌ସ୍ୟୁରାନ୍‌ସ (ଜୀବନବୀମା) କମ୍ପାନୀ ଏଜେଣ୍ଟ ଯେପରି ସହଜରେ ନିରାଶ ହୁଅନ୍ତି ନାହିଁ, ସେହିପରି କମ୍ୟୁନିଷ୍ଟ ଦଳ ହାର ନମାନି ଥରକୁ ଥର ମହାଦେବଙ୍କ ସଙ୍ଗରେ ଲାଗିଥାଆନ୍ତି । ସେମାନେ ବିଚାରୁ ଥାଆନ୍ତି, ଯୁକ୍ତିରେ ସେମାନେ ମହାଦେବଙ୍କୁ ପରାସ୍ତ ନକରନ୍ତୁ ପଛେ, ସବୁବେଳେ ତାଙ୍କୁ ଏହି ଆଲୋଚନାରେ ବ୍ୟସ୍ତ ରଖିଲେ ସାଧାରଣ କଏଦୀଙ୍କଠାରୁ ସେ ଛାଡ଼ରା ହୋଇଯିବେ। ଏହି ବିଚାରରେ ସେମାନେ ମହାଦେବଙ୍କ ସହିତ ଲାଗିବାକୁ ଦୁଇ ଚାରି ଜଣଙ୍କୁ ନିଯୁକ୍ତି କରିଥାଆନ୍ତି । କ୍ରମେ କ୍ରମେ କିନ୍ତୁ ଦେଖାଗଲା, କଏଦୀମାନଙ୍କ ଉପରେ କମ୍ୟୁନିଷ୍ଟଙ୍କ ପ୍ରଭାବ ଆଉ ପଡ଼ୁନାହିଁ; ସମସ୍ତେ କହିବାକୁ ଆରମ୍ଭ କଲେ–ମହାଦେବ ଯଦି କମ୍ୟୁନିଷ୍ଟ ମତକୁ ସମର୍ଥନ କରିବେ, ତେବେ ସମସ୍ତ କରିବେ । ଜେଲ–ଖାନାରୁ କମ୍ୟୁନିଷ୍ଟ ଅଫିସକୁ ଖବର ଗଲା–ମହାଦେବଙ୍କୁ ଜେଲଖାନାରୁ ବାହାର କରିବା ପାଇଁ ଉଦ୍ୟମ ହେଉ ।

 

ସେତେବେଳକୁ ମହାଦେବ ଜେଲଖାନାରେ ପ୍ରାୟ ତିନି ମାସ ରହିଲେଣି । ପ୍ରତି ଚଉଦ ଦିନରେ ଥରେ ଲେଖାଏଁ ତାଙ୍କୁ ହାକିମଙ୍କ ଆଗରେ ହଜାର କରାଯାଏ । ମକଦ୍ଦମାର ପ୍ରମାଣ ପତ୍ର ଯୋଗାଇବାକୁ ପୁଲସି ସମୟ ନେଉଥାଏ । ଜେଲଖାନାରେ ରହିବାକୁ ଆଉ ମହାଦେବଙ୍କୁ ସୁଖ ଲାଗୁନଥାଏ । ଦେଖୁ ଦେଖୁ ତିନି ମାସ ପୂରିଗଲା । ବାସୁଆର ଖବର କିଛି ମିଳିଲା ନାହିଁ । ବେଳେ ବେଳେ ମହାଦେବ ବାସୁଆ ବିଷୟରେ ବଡ଼ ଚିନ୍ତିତ ଥାଆନ୍ତି । ଭୁବନେଶ୍ୱରଠାରେ ତାକୁ ଛାଡ଼ିଦେଇ ଆସିବା ଦିନୁ ତା’ ଖବର କିଛି ମିଳିନାହିଁ । ବାସୁଆ କଥା ମନେ ପଡ଼ୁ ପଡ଼ୁ ଘର କଥା ବି ମନେ ପଡ଼ିଯାଏ । ବାହାରି ଯାଇ ତାକୁ ଖୋଜିବାକୁ ଯୁ ନାହିଁ । ଜେଲଖାନାର ଲୁହା କବାଟ ଓ ସେଥିରେ ପଡ଼ିଥିବା ବଡ଼ ତାଲାଟା ତାଙ୍କୁ ତିନିଭୁବନରୁ ଅଲଗା କରିଦେଇଥାଏ ।

 

ସପ୍ତମ ଥର ସେ ହାକିମ ଆଗରେ ହାଜର ହେଲା ବେଳକୁ ହାକିମ ଟିକିଏ ଚିନ୍ତିତ ଦେଖାଯାଉଛନ୍ତି । କମ୍ୟୁନିଷ୍ଟଙ୍କର ଭିତିରି ଉଦ୍ୟମରେ ପୁରୀର ଜନସାଧାରଣ ମହାଦେବଙ୍କୁ ବନ୍ଦୀ କରି ରଖିବା ବିରୁଦ୍ଧରେ ଗୋଟିଏ ବଡ଼ ସଭା ଓ ତହିଁରୁ ବଡ଼ ଶୋଭାଯାତ୍ରା କରି ସାରିଥିଲେ । ସେଥର କଚେରୀ ବାହାରେ ବହୁ ଲୋକ ଜମା ହୋଇ ଥରକୁ ଥର ଧ୍ୱନି କରୁଥାଆନ୍ତି—ଦେବଦେବ ମହାଦେବଙ୍କୁ ଶୀଘ୍ର ମୁକ୍ତ କର, ଧର୍ମରେ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ । ହାକିମଙ୍କୁ ବେନାମି ଧମକ ଚିଠି ମଧ୍ୟ କେତେ ଖଣ୍ଡ ମିଳିଥାଏ ।

 

ଏପରି ଅବସ୍ଥାରେ ହାକିମ ବିବ୍ରତ ହେବାର ବିଚିତ୍ର କ’ଣ ? ସେ କୋଟ୍‌ ସବ୍‌ଇନ୍‌ସପେକ୍ଟରଙ୍କୁ ପଚାରିଲେ, “ଏ ମକଦ୍ଦମାରେ ପ୍ରମାଣ ଯୋଗାଇବାକୁ ଆପଣ ଆଉ କେତେ ସମୟ ନେବେ ?”

 

କୋଟ୍‌ ସବ୍‌ଇନ୍‌ସପେକ୍ଟର କହିଲେ “ଆଜ୍ଞା ! ମୁଁ ତାହା କିପରି କହିବି ? ପୁଲିସ ପକ୍ଷରେ ପ୍ରଥମ ସାକ୍ଷୀ ସେକ୍ରେଟାରୀ ସାହେବ ପୁଣି କାମ ଶିଖିବାକୁ ବିଦେଶ ଯାଇଛନ୍ତି । ସେ ଅନ୍ତତ ପକ୍ଷେ ଛ’ ମାସ ଅନୁପସ୍ଥିତ ରହିବେ ।

 

ହାକିମ—ତା’ମାନେ କ’ଣ ଆଉ ଛ’ମାସ କାଳ ଏ ବୁଢ଼ା ଏହିପରି ହାଜତରେ ରହିଥିବ ? ବୁଢ଼ା ହାଜତକୁ ଆସିବାର ଦୁଇ ମାସ ପର୍ଯ୍ୟନ୍ତ ତ ସେକ୍ରେଟାରୀ ଭୁବନେଶ୍ୱରରେ ଥିଲେ, ସେ ସମୟ ଭିତରେ ତାଙ୍କୁ ନ ଆଣିଲ କାହିଁକି ?

 

କୋଟବାବୁ—ଆଜ୍ଞା, ସେ କଥା କ’ଣ ମୋ ହାତରେ ଅଛି ?

 

ହାକିମ—ମୁଁ ମନେ କରୁଛି, ଆସାମୀକୁ ବର୍ତ୍ତମାନ ଖଲାସ କରିଦେବା ଉଚିତ । ପରେ ଯଦି ଦରକାର ହେବ, ପୁଲିସ ତାକୁ ଆଉ ଥରେ ଗିରଫ କରିପାରେ ।

 

କୋଟ୍‌ବାବୁ—ଆଜ୍ଞା, ଅନ୍ତତପକ୍ଷେ ତାକୁ ଜାମିନ୍‌ରେ ଖଲାସ ଦିଆଯାଉ । ସେଥିରେ ମୁଁ ଆପତ୍ତି କରିବି ନାହିଁ। ଏ ବୁଢ଼ା ସପକ୍ଷରେ ବର୍ତ୍ତମାନ ବହୁତ ଲୋକ ବାହାରିଛନ୍ତି; ସଭା, ଶୋଭାଯାତ୍ରା କରୁଛନ୍ତି; କେହି ଜଣେ ଜାମିନ ହେଉ ।

 

ହାକିମ ହୁକୁମ ଦେଲେ ଜଣେ ବା ଦୁଇ ଜଣ ଏକ ହଜାର ଟଙ୍କା ଜାମିନରେ ବୁଢ଼ା ଖଲାସ କରି ନେଇପାରନ୍ତି ।

 

ସଭା ଓ ଶୋଭାଯାତ୍ରା କରୁଥିବା ଲୋକଙ୍କ ଭିତରେ ବହୁ ଫୁସ୍‌ଫାସ ପରେ ଜାମିନ ନେବାକୁ ପାଞ୍ଚ ସାତ ଜଣ ବାହାରିଲେ। ସେମାନଙ୍କ ବିଷୟରେ ପୋଲିସ ଅନୁସନ୍ଧାନ କରୁ କରୁ ଜଣା ପଡ଼ିଲା, କେହି ପଇସାବାଲା ଲୋକ ନୁହନ୍ତି । ଚାରି ପାଞ୍ଚ ଜଣ ଟୋକା ସବୁବେଳେ କୌଣସି ନା କୌଣସି ହୁଜୁଗରେ ମାତିଥାଆନ୍ତି; ବାକି ତିନି ଚାରି ଜଣ ଲୋକନାଥ ମହାପ୍ରଭୁଙ୍କ ପଣ୍ଡା, ପ୍ରତିଦିନ ଅର୍ଜିଲେ ଖାଆନ୍ତି, ଘରଡ଼ିହ ବ୍ୟତୀତ ଅନ୍ୟ କୌଣସି ସମ୍ପତ୍ତି ସେମାନଙ୍କର ନାହିଁ । ଜାମିନଦାର ହେବାକୁ ଏମାନେ ଉପଯୁକ୍ତ ବିବେଚିତ ନ ହେବାରୁ ହାକିମ ପୁଣି ଧରି ବସିଲେ, ଖଲାସ କରିଦେବେ । ସବ୍‌ଇନସପେକ୍ଟର ହାକିମଙ୍କ ମଞ୍ଚ ଉପରକୁ ଉଠିଯାଇ ଫୁସଫୁସ କରି ପୁଣି କ’ଣ କହିଲେ । ହାକିମ ଆଦେଶ ଦେଲେ—ଅନ୍ୟ ଆଦେଶ ଦେଲେ—ଅନ୍ୟ ଆଦେଶ ପର୍ଯ୍ୟନ୍ତ ମହାଦେବ ହାଜତରେ ରହିବେ ।

 

କଚେରୀ ବାହାରେ ଭାରି ଗୋଳମାଳ ହେଲା । ସଶସ୍ତ୍ର ପୁଲିସ ମଗାହେଲେ । ତାଙ୍କରି ଘେର ଭିତରେ ମହାଦେବ ପୁଣି ଜେଲଖାନା ଗଲେ । କଏଦୀମାନେ ତାଙ୍କୁ ଫେରିପାଇ ବଡ଼ ଖୁସି ହେଲେ ।

 

ଜେଲଖାନା ବାହାରେ କିନ୍ତୁ ଭାରି ଆଶାନ୍ତି ଲାଗି ରହିଲା । ପୁଣି ସଭାସମିତି ହେଲା । ଜାମିନ ହେବାକୁ ପଡ଼ିବ ବୋଲି ଯେଉଁ ବିଶିଷ୍ଟ ଳୋକେ ସେଦିନ ଲୁଚିଯାଇଥିଲେ, ସେମାନେ ପୁଣି ବାହାରି ସଭା ସମିତି ଶୋଭାଯାତ୍ରାର ଆୟୋଜନ କଲେ । ମକଦ୍ଦମା ଯେଉଁ ହାକିମଙ୍କ କୋଟରେ ପଡ଼ିଥିଲା ସେ, ଜିଲା ମାଜିଷ୍ଟ୍ରେଟ ଓ ପୁଲିସ ସାହେବଙ୍କ ସଙ୍ଗରେ ଆଲୋଚନା କଲେ। ପୁଲିସ ସାହେବ ରାତାରାତି କଟକ ଯାଇ ତାଙ୍କ ଉପର ହାକିମଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ଫେରିଲେ । ମହାଦେବ ଯେଉଁଦିନ ଶେଷ ଥର କଚେରୀକି ଯାଇଥିଲେ ତାହାର ତିନି ଦିନ ପରେ ଦିନେ ଉପରବେଳା, ହାକିମ ଓ କୋଟ୍‌ ସବ୍‌ଇନ୍‌ସପେକ୍ଟର ଜେଲଖାନା ଭିତରକୁ ଗଲେ । ଜେଲଖାନା ଭିତରେ କଚେରୀ ବସିଲା, ମହାଦେବଙ୍କୁ ଛାଡ଼ କରାଗଲା ହୋଲି ହୁକୁମ ହେଲା ।

 

ତହିଁ ଆର ଦିନ ସକାଳୁ ଫାଟକ ଫିଟିଲା; ମହାଦେବ ଦାଣ୍ଡକୁ ବାହାରି ବାସୁଆକୁ ଖୋଜିବା ପାଇଁ ଭୁବନେଶ୍ୱର ଯିବାକୁ ମନ କରୁଛନ୍ତି, ଦୂରରୁ ଶୁଣାଗଲା—‘ଜୟ ମହାଦେବକୀ ଜୟ’--ନାନା ପ୍ରକାର ପତାକା ଟେକି ଚାରି ପାଞ୍ଚ ଦଳ ସଂକୀର୍ତ୍ତନବାଲାଙ୍କୁ ଆଗରେ ରଖି ଏକ ବିରାଟ ଶୋଭାଯାତ୍ରା ଜେଲଖାନା ଦୁଆରେ ଆସି ଠିଆ ହେଲା । ଜଣେ ଯୁବକ ମହାଦେବଙ୍କୁ ଭୂମିଷ୍ଠ ପ୍ରଣାମ କଲେ, କହିଲେ, “ମହାପ୍ରଭୁ, ସଭାର ସମସ୍ତ ଆୟୋଜନ ହୋଇଛି, ଆପଣ ଆସନ୍ତୁ-।”

 

ମହାଦେବ ଜଣାଇଦେଲେ ତାଙ୍କର ଜରୁରୀ କାର୍ଯ୍ୟରେ ସେ ଭୁବନେଶ୍ୱର ଯିବେ, ସଭାର କୌଣସି ପ୍ରୟୋଜନ ନାହିଁ ।

 

ଶୋଭାଯାତ୍ରାର ନେତୃତ୍ୱ କରୁଥିବା ଯୁବକ କହିଲେ, “ଆପଣଙ୍କର ସଭାର ପ୍ରୟୋଜନ ନ ଥାଇପାରେ, କିନ୍ତୁ ଆମର ପ୍ରୟୋଜନ ଅଛି । ଆପଣ କିପରି ଖଲାସ ହେବେ ସେଥିପାଇଁ କମ୍ୟୁନିଷ୍ଟ ପାର୍ଟି ଗତ ପନ୍ଦର ଦିନ ହେଲା ବହୁ ପରିଶ୍ରମ କରିଛି, ବହୁତ ଟଙ୍କା ବି ଖର୍ଚ୍ଚ ହୋଇଛି । କାଲି ଉପରବେଳା ଆପଣ ଖଲାସ ହୋଇଥାଆନ୍ତେ । ଆମେମାନେ ବହୁ ଯୋଗାଡ଼ଯନ୍ତ୍ର କରି ଆଜି ସକାଳକୁ ସମୟ ଗଡ଼ାଇଛୁ । ରାତି ରାତି ଟେଲିଫୋନ କରି ପ୍ରେସ୍‌ କର୍ମଚାରୀ ସଘଂର ପଚାଶ ଜଣ ପ୍ରତିନିଧି କଟକରୁ ମଗାଇଛୁ । କାଲି ପାହାନ୍ତିଆରୁ ବୁଲି ବୁଲି କେତେ ପରିଶ୍ରମରେ ଏ ପାଞ୍ଚ ପାଞ୍ଚ ସଂକୀର୍ତ୍ତନ ବାହାରିଛନ୍ତି, ତାହା ଆପଣ କୁଆଡ଼ୁ ବୁଝିବେ ? ଓଡ଼ିଶାରେ ଏପରି କୌଣସି ରାଜନୀତିକ ଦଳର ନେତା ନାହାନ୍ତି, ଯେ କି ଏ ଆୟୋଜନରେ କୃତଜ୍ଞ ନ ହୁଅନ୍ତେ । ଆପଣଙ୍କର ରାଜନିତୀକ ଚେତନା ଥିଲେ ଆପଣ ଲୋକପ୍ରିୟ ହେବାରୁ ଏ ସୁଯୋଗ କେବେହେଲେ ଅଗ୍ରାହ୍ୟ କରନ୍ତେ ନାହିଁ ।”

 

ମହାଦେବ ଅତି ନିରୀହ ଭାବରେ କହିଲେ, “ମୋର ବର୍ତ୍ତମାନ ପାରିବାରିକ ଚେତନା ଆସିଛି । ମୋ ଷଣ୍ଢଟି ପ୍ରାୟ ଚାରି ମାସ ହେଲା ନିରୁଦ୍ଦିଷ୍ଟ । ସେ ନ ମିଳିଲେ ମୋର ଘରକୁ ଫରିବାର ଉପାୟ ନାହିଁ । ମୋ ପିଲେ ମୋ ପାଇଁ ବଡ଼ ଚିନ୍ତିତ ହେଉଥିବେ। ଆପଣ ନିଜେ ସଭାକାର୍ଯ୍ୟ ଚଳାଇ ନେଇ ମୋତେ ମୋ କାର୍ଯ୍ୟରେ ଯିବାକୁ ଅବ୍ୟାହିତ ଦିଅନ୍ତୁ ।”

 

ଯୁବନେତା ରୁକ୍ଷଭାବରେ ଉତ୍ତର ଦେଲେ, “ମୁଁ ଆପଣଙ୍କୁ ସାଫ୍‌ ସାଫ୍‌ କହିଦେବାକୁ ଚାହେ ଯେ, ଆପଣଙ୍କୁ ଏ ସଭାରେ ଯୋଗଦେବାକୁ ହେବ । ଭୋଟର ତାଲିକା ଛାପିବା ନିମନ୍ତେ ପ୍ରେସ୍‌ମାଲିକମାନେ ଯେଉଁ ରେଟ୍‌ ଦେଇଥିଲେ ତାହା ସରକାର ଗ୍ରହଣ କଲେ ନାହିଁ । ସରକାରଙ୍କ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ଆମେ ପ୍ରେସ୍‌ କର୍ମଚାରୀଙ୍କର ଧର୍ମଘଟ କରାଇବାକୁ ଚାହୁଁ । ଏ ସଭାରେ ଆପଣଙ୍କୁ ଧର୍ମଘଟ ସପକ୍ଷରେ ବକ୍ତୃତା ଦେଇ ପ୍ରେସକର୍ମଚାରୀଙ୍କୁ ମତାଇବାକୁ ପଡ଼ିବ ।”

 

ମହାଦେବ—ଧର ଯଦି ମୁଁ ସେପରି ମତାଇବି, ସେମାନେ ବା ମୋ କଥାରେ ମାତିବେ କାହିଁକି ?

 

କମ୍ୟୁନିଷ୍ଟ ନେତା—ଅଧିକାଂଶ ପ୍ରେସ କର୍ମଚାରୀ ଦିଅଁ ଦେବତାଙ୍କ ଉପରେ ବିଶ୍ୱାସ କରନ୍ତି-। ସେମାନେ ଦଶହରାରେ ମହାଦେବ ଓ ପାର୍ବତୀଙ୍କର ମୂର୍ତ୍ତି କରି ପୂଜା କରନ୍ତି । ଆଉ ଆପଣ ନିଜେ ମହାଦେବ, ମଣିଷ ରୂପ ଧରି ଆସିଛନ୍ତି ବୋଲି ସମସ୍ତଙ୍କର ବିଶ୍ୱାସ ହୋଇଗଲାଣି ।

 

ମହାଦେବ—ତୁମେମାନେ ପରା ଦିଅଁଦେବତାରେ ବିଶ୍ୱାସ କର ନାହିଁ ? ଦିଅଁ ଦେବତା ନାହାନ୍ତି ବୋଲି କହୁଛ, ତେବେ ଅନ୍ୟ ଲୋକଙ୍କର ସେହି ବିଶ୍ୱାସର ସୁବିଧା ନେଉଛ କାହିଁକି ?

 

କମ୍ୟୁନିଷ୍ଟ ନେତା କ’ଣ କରିବାକୁ ହେବ ଓ କ’ଣ ନ କରିବାକୁ ହେବ, ସେକଥା ଆପଣଙ୍କଠାରୁ ବା ଏ ଦେଶର ଆଉ କାହାଠାରୁ ଆମେ ଶିଖିବାକୁ ଚାହୁ ନାହୁ । ଆମର ନୀତିଶାସ୍ତ୍ର ଆଗେ ରୁସିଆରେ ତିଆରି ହେଉଥିଲା, ଏବେ ଚୀନରେ ତିଆରି ହେଉଛି । ତାହା ଅତି ସରଳ । ଛଳରେ ହେଉ ବା ବଳରେ ହେଉ ବା କୌଶଳରେ ହେଉ ଉଦ୍ଦେଶ୍ୟ ସାଧନା କରିବାକୁ ପଡ଼ିବ। ଯେଉଁ ଉପାୟ ଅବଲମ୍ୱନ କରିବାକୁ ହେବ, ତାହାର ନ୍ୟାୟ ଅନ୍ୟାୟ ବିଚାର କରିବାରେ ମୁଣ୍ଡ ଘୂରାଇବା ଆମ ମତରେ ମୂର୍ଖାମି। ଯେ କୌଣସି ମତେ ଉଦ୍ଦେଶ୍ୟ ସାଧନା କରିବାକୁ ହେବ । ଧର୍ମ ଓ ଧନ ଉପରେ ପ୍ରତିଷ୍ଠିତ ଏ ସମାଜ ଓ ସରକାରକୁ ଭାଙ୍ଗିଦେବାକୁ ହେବ । ସେଥିପାଇଁ ଧନୀଙ୍କର ଧନକୁ, ଲୋକ ସାଧାରଣର ଧର୍ମ ବିଶ୍ୱାସକୁ ଓ ଏ ସରକାରୀ କଳକୁ ସୁବିଧା ମତେ ବ୍ୟବହାର କରିବାକୁ ହେବ । ଆପଣଙ୍କୁ ଖଲାସ କରିବାପାଇଁ ଆମେ ଧନ ବ୍ୟବହାର କରି ସରକାରୀ କଳକୁ ଅକ୍ତିଆର କରିଥିଲୁ । ସଭାରେ ଆପଣଙ୍କୁ ନେଇ, ଲୋକଙ୍କର ଧର୍ମବିଶ୍ୱାସକୁ ବ୍ୟବହାର କରି, ଆମର ସହଯାତ୍ରୀ ସଂଖ୍ୟା ଆମେ ବଢ଼ାଇବାକୁ ଚାହୁ । ସେଥିରେ ଯଦି ଆପଣ ରାଜି ନ ହେବେ, ପୁଣି ସରକାରୀ କଳକୁ ବ୍ୟବହାର କରି, ଆପଣଙ୍କୁ ନେଇ ଜେଲଖାନା ଭିତରେ ପୁରାଇଦେବୁଁ ।

 

ମହାଦେବ ଏହି ଶେଷ ଧମକରେ ଟିକିଏ ଶଙ୍କିଗଲେ । କୌଣସି କାରଣରେ ପୁଣି ଆଉ ଥରେ ଜେଲଖାନା ଭିତରେ ପଶିଲେ, ପୁଣି ବାହାରକୁ ବାହାରିବାକୁ ତିନି ଚାରି ମାସ ଲାଗିବ ନା ତିନି ଚାରି ବର୍ଷ ଲାଗିବ କିଏ ଜାଣେ ? ଆଜିକାଲି ମଣିଷମାରୁ ଆସାମୀ ବି ଦୁଇ ତିନି ବର୍ଷ ହାଜତରେ ରହିଯିବାର ଶୁଣାଯାଉଛି । ବାସୁଆକୁ ଖୋଜିବାରେ ଓ ଘରକୁ ଫେରିବାର କେତେ ବିଳମ୍ୱ ହେବ ତା’ର ତ ଠିକ୍‌ ଠିକଣା ନାହିଁ। ତାଙ୍କ ବିରୋଧ କ୍ଷୀଣ ହୋଇଗଲା । ସେକହିଲେ, ମୋର ବକ୍ତୃତା ଦେବାର ଆପତ୍ତି ନାହିଁ, କିନ୍ତୁ ଏ ଧର୍ମଘଟର ଉଦ୍ଦେଶ୍ୟ ମୁଁ ବୁଝିପାରୁନାହିଁ। ତୁମେ କହୁଛ, ସରକାର ପ୍ରେସ୍‌ବାଲାଙ୍କର ରେଟ୍‌ କମାଇଦେବା ଫଳରେ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ପ୍ରେସ୍ କର୍ମଚାରୀ ଯଦି କାମ ବନ୍ଦ କକରିଦିଅନ୍ତି, ତେବେ ତ ସେହି ପ୍ରେସ୍‌ବାଲାଙ୍କ ବେପାର ଏକାବେଳକେ ବନ୍ଦ ହୋଇଯିବ। ଦୁଇଆଡ଼ୁ ପ୍ରେସ୍‌-ବାଲାଙ୍କ ପ୍ରତି ଅନ୍ୟାୟ ହେବ ।

 

କମ୍ୟୁନିଷ୍ଟ ନେତା ଅସହିଷ୍ଣୁ ଭାବରେ କହିଲେ—ତୁମ ସଙ୍ଗରେ ଏଠାରେ ଯୁକ୍ତି କରି ମୁଁ ସମୟ ନଷ୍ଟ କରିବାକୁ ଚାହେଁ ନାହିଁ। କମ୍ୟୁନିଷ୍ଟବାଦ ତୁମକୁ ବୁଝାଇବାକୁ ଜେଲଖାନା ଭିତରେ ଆମ ଦଳର ଲୋକେ ଯଥେଷ୍ଟ ଚେଷ୍ଟା କରିଛନ୍ତି । ତୁମ ଉର୍ବର ମସ୍ତିଷ୍କରେ ତାହା ଢୁକିପାରିଲା ନାହିଁ । ବର୍ତ୍ତମାନ ବି ତୁମକୁ ମୁଁ କହୁଛି, ନ୍ୟାୟ ଅନ୍ୟାୟରେ ଆମର କିଛି ଯାଏ ଆସେ ନାହିଁ । ଏ ଦେଶର ପ୍ରେସବାଲାମାନେ ପେଟି ବୁର୍ଜୁଆ ଶ୍ରେଣୀର ଲୋକ । ପ୍ରେସ କର୍ମଚାରୀଙ୍କ ସାହାର୍ଯ୍ୟରେ ଆମେ ସେମାନଙ୍କୁ ବି ଧ୍ୱଂସ କରିବାକୁ ଚାହୁଁ । ଖାଲି ତୁଣ୍ଡରେ ସେମାନଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଛୁ-। ଆଉ ସମୟ ନାହିଁ, ସଭାର ସମୟ ହୋଇଗଲା ।

 

ନେତାଙ୍କଠାରୁ ଟିକିଏ ଇଙ୍ଗିତ ପାଇ ସଙ୍ଗେ ସଙ୍ଗେ ସଂକୀର୍ତ୍ତନ ଆରମ୍ଭ ହୋଇଗଲା, ଶୋଭାଯାତ୍ରା ଚାଲିଲା । ସତେ ଯେପରି ଠେଲି ହୋଇ ମହାଦେବ ନେତାଙ୍କ ସହିତ ଶୋଭାଯାତ୍ରା ଆଗେ ଆଗେ ଚାଲିଲେ । ମଝିରେ ମଝିରେ ମହାଦେବଙ୍କର ଜୟନାଦ ହେଉଥାଏ । ଶୋଭାଯାତ୍ରା ସଭାସ୍ଥଳରେ ଯାଇ ପହଞ୍ଚିଲାବେଳକୁ ଲୋକ ଉଛୁଳିପଡ଼ିଲେ । ପୁରୀର ଅଧେ ଲୋକ ସେହି ସଭାରେ ଆସି ପହଞ୍ଚିଲା ପରି ଜଣାଯାଉଥାଏ । ପୁଣି ଲୋକ ପିମ୍ପୁଡ଼ି ପରି ଧାଡ଼ି ଲାଗିଥାନ୍ତି । ମହାଦେବଙ୍କୁ ସଶରୀରରେ ଦେଖି କେତେ ଲୋକ ଭକ୍ତି ଓ ଆନନ୍ଦରେ କାନ୍ଦି ପକାଉଥାନ୍ତି । ଦୁଇ ଚାରି ଜଣ ବ୍ରାହ୍ମଣ ବଡ଼ ପାଟିରେ ଶିବମହିମ୍ନ ସ୍ତୋତ୍ର ବୋଲିବାକୁ ଆରମ୍ଭ କଲେ । ଜଣେ କମ୍ୟୁନିଷ୍ଟ କର୍ମୀ ସେହି ବ୍ରାହ୍ମଣଙ୍କ ଭିତରୁ ଜଣକୁ ନେଇ ଡାକବାଜି ଯନ୍ତ୍ର ଆଗରେ ସ୍ତୋତ୍ର ବୋଲିବାକୁ ଦେବାରେ ସଭାରେ ଶାନ୍ତି ସ୍ଥାପିତ ହେଲା । ସମସ୍ତେ ତୁନୀ ହୋଇ ବସି ଶୁଣିଲେ । ତା ପରେ କମ୍ୟୁନିଷ୍ଟ ନେତା ନିଜେ ମହାଦେବଙ୍କର ପରିଚୟ ଦେଇ ନିଜେ ବକ୍ତୃତା ଆରମ୍ଭ କଲେ ଓ ସଭାର ଉଦ୍ଦେଶ୍ୟ ବୁଝାଇଲେ ଓ ନିଜେ ଅଳ୍ପ କହି ମହାଦେବଙ୍କୁ ଆଣି ଡାକବାଜି ଯନ୍ତ୍ର ଆଗରେ ଠିଆ କରାଇଦେଲେ । ଚାରିଆଡ଼ୁ ଆନନ୍ଦଧ୍ୱନି, ଜୟନାଦ ଓ କରତାଳି ଶୁଣାଗଲା । ମହାଦେବ ସଭାର ଲୋକଙ୍କୁ ଆଶୀର୍ବାଦ କରି ଆରମ୍ଭ କରିବାରୁ ସମସ୍ତ ଚୁପଚାପ ରହିଲେ ।

 

ସେ କହିଲେ—ନରନାରୀମାନେ, ଏ ବାବୁ ମୋତେ ଡାକିଆଣି ତୁମମାନଙ୍କ ଆଗରେ ଠିଆ କରାଇଛନ୍ତି । ଯେଉଁ ବିଷୟରେ ମୋତେ କହିବା ପାଇଁ କହୁଛନ୍ତି, ତାହା ହେଲେ ମୁଁ ଭଲ କରି ଜାଣେ ନାହିଁ, ଜାଣିବା ବି ପ୍ରୟୋଜନ ନାହିଁ ।

 

ମୁଁ ଏତିକି ଜାଣେ—ଭାରତ ବର୍ଷରେ ବର୍ତ୍ତମାନ ଯେଉଁ ରବାଦ ଘୋଟିଛି ସେଥିରେ ପ୍ରତ୍ୟେକ ଲୋକକୁ କୌଣସି ନା କୌଣସି ଦଳଭୁକ୍ତ ହୋଇ ରହିବାକୁ ହେବ । ଗଣତନ୍ତ୍ର ନୀତି କେନ୍ଦ୍ରୀଭୂତ ହୋଇ ପ୍ରତି ଦଳର ମୁଖିଆ ମୁଖିଆ ତିନି ଚାରି ଜଣଙ୍କଠାରେ ଯେଉଁ ଜମାଟ ବାନ୍ଧି ଯାଇଛି । ସେମାନେ ନିଜ ମତକୁ ଲୋକ ସାଧାରଣଙ୍କ ଉପରେ ଲଦି ଦେଉଛନ୍ତି ଓ ତାଙ୍କ ମତ ଲୋକ ସାଧାରଣଙ୍କ ମତ ବୋଲି ଚଳାଇ ନେଉଛନ୍ତି । ବର୍ତ୍ତମାନ ତୁମେମାନେ ଏଇ ବାବୁମାନଙ୍କ ଖାପଚରେ ପଡ଼ିଛି । ସେମାନେ ଯାହା ଚାହୁଛନ୍ତି, ସେଥିରେ ତୁମମାନଙ୍କୁ ମଙ୍ଗିଯିବାକୁ ହେବ । ନହେଲେ, ବୃଥାରେ ଗୁଡ଼ିଏ ହିନସ୍ତା ହେବାକୁ ପଡ଼ିବ । ଯେଉଁଦିନ ପର୍ଯ୍ୟନ୍ତ ତୁମେ ନିଜେ ନିଜପାଇଁ ଭାବିବାକୁ ଆରମ୍ଭ ନ କରିଛ, ସେ ଦିନ ଯାଏଁ ଗୋଟାଏ ନା ଗୋଟାଏ କିଛି ଦୁଆ ଧରିବାକୁ ପଡ଼ିବ । ନିଜ ପାଇଁ ନିଜେ ଭାବି ପାରୁଥିଲେ ମଧ୍ୟ ଅଗତ୍ୟା, ବେଳେ ବେଳେ ଅନ୍ୟର ମତ ଗ୍ରହଣ କରିବାକୁ ହୁଏ । ମୁଁ ଆଜି ଅନ୍ୟ ପନ୍ଥା ନ ପାଇ ବାଧ୍ୟରେ ଏ ବାବୁଙ୍କ କଥାରେ ହିଁ ଭରିଲି । ତୁମମାନଙ୍କୁ ବି ସେଇଆ କରିବାକୁ ପଡ଼ିବ ।

 

ମହାଦେବ ଏତିକି କହି ବସିପଡ଼ିବା ମାତ୍ରେ ଆଉ ଜଣେ କର୍ମୀ ଡାକବାଜି ଯନ୍ତ୍ର ପାଖକୁ ଆସି ଖୁବ୍‌ ବଡ଼ ପାଟିରେ ଚିତ୍କାର କଲେ—ସାଥୀମାନେ ! ମହାଦେବ କହିଲେ, କମ୍ୟୁନିଷ୍ଟ ମତ ବ୍ୟତୀତ ଅନ୍ୟ ଗତି ନାହିଁ । ପ୍ରେସ ଷ୍ଟ୍ରାଇକ୍‌ ଚଳାଇବାକୁ ହେବ, ‘ଜୟ ମହାଦେବକୀ ଜୟ’ ।

 

ଏହା ପରେ ପୁଣି ଗଣ୍ଡଗୋଳ ହେଲା । ଏତିକିବେଳେ ମହାଦେବ ସଭାମଣ୍ଡପର ପଛଆଡ଼ ବାଟେ ଖସି ଯାଇ ଗୋଟିଏ ଗଳି ଭିତରେ ପଶିଲେ । ସଭାରେ ଥିବା ଲୋକେ ଗଣ୍ଡଗୋଳ ଭିତରେ ଆଉ ତାଙ୍କ ଆଡ଼କୁ ଲକ୍ଷ୍ୟ କରି ନ ଥିଲେ । ପଛରେ କେହି ନ ଆସୁଥିବାର ଦେଖି ମହାଦେବ ଟିକିଏ ଆଶ୍ୱସ୍ତ ହେଲେ । ଦେହରୁ ଝାଳ ମରିବା ପରେ ସେ ସମୁଦ୍ର କୂଳ ବାଟେ ବୁଲି ଭୁବନେଶ୍ୱରକୁ ସଡ଼କ ଧଇଲେ । ସମୁଦ୍ର ପାଣି ମୁନ୍ଦିଏ ମୁଣ୍ଡରେ ମାରିବାକୁ ସୁବିଧା ମିଳିଲା । କିନ୍ତୁ, ବଡ଼ଦେଉଳକୁ ଯିବାକୁ ସେ ସାହସ କରିପାରିଲେ ନାହିଁ; ଭୟ ହେଲା, କେଜାଣି କିଏ ଚିହ୍ନିଯିବ-

 

ବାଟରେ ଜଣେ ବାବାଜୀଙ୍କ ଦେଖା ହେଲା । ଦୁହେଁଯାକ କଥାବାର୍ତ୍ତା ହୋଇ ଆସୁ ଆସୁ ବାଟ ଜଣାପଡ଼ିଲା ନାହିଁ । ମାଳତୀପାଟପୁର ଷ୍ଟେସନ ହେବାରେ ବାବାଜୀ କହିଲେ, “ମହାରାଜା, ଭୁବନେଶ୍ୱର ବହୁତ ବାଟ । ଆସ ଏହିଠାରୁ ରେଳରେ ବସି ଚାଲିଯିବା ।” ଭଡ଼ାରେ ଦେବାକୁ ପଇସା ନାହିଁ ବୋଲି ମହାଦେବ ଆପତ୍ତି କରିବାରେ ବାବାଜୀ କହିଲେ, “ଏ ଷ୍ଟେସନ କ’ଣ ପୁରୀ ଷ୍ଟେସନ ପରି କି? ଗୁଡ଼ାଏ ଅଧର୍ମୀ ଲୋକ ବାବୁ ହୋଇଛନ୍ତି, ଟିକଟ ନ ହେଲେ କାହାକୁ ଛାଡ଼ୁନାହାନ୍ତି । ଏଠାରେ ଷ୍ଟେସନମାଷ୍ଟର ଜଣେ ଧର୍ମାତ୍ମା । ସାଧୁ ସନ୍ନ୍ୟାସୀଙ୍କୁ ବିନା ଟିକଟରେ ରେଳରେ ବସାଇଦିଅନ୍ତି ।”

 

ମହାଦେବ ପଚାରିଲେ, “ସେ କ’ଣ ହାତରୁ ଭଡ଼ା ଦେଇ—ଦିଅନ୍ତି ?”

 

ବାବାଜୀ—ହାତରୁ କାହିଁକି ଭଡ଼ା ଦେବେ ? ଆମେ ରେଳରେ ଚଢ଼ିଗଲେ ସେ ମନା କରିବେ ନାହିଁ ! ଭୁବନେଶ୍ୱର କଥା ଦେଖାଅଛି । ସେଠାରେ ଫାଟକ ପାଖରେ ଯଦି ଧର୍ମାତ୍ମା ଲୋକ ହାବୁଡ଼ିବେ ତେବେ ଖସିଯିବା; ବଡ଼ ହେଲେ ଦି ପଦ ଗାଳିଦେବେ; ଗାଳିରେ କ’ଣ ଦେହ ସରିଯିବ ? ଏଇ ଲାଗେ ଘଣ୍ଟାକ ଭତରେ ଭୁବନେଶ୍ୱରରେ ପହଞ୍ଚଯିବା, ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରସାଦ ସେବା କରିବା ।

 

ମହାଦେବ କହିଲେ, ସବୁ ଷ୍ଟେସନରେ ଯଦି ଏହିପରି ଧର୍ମାତ୍ମାମାନେ ଷ୍ଟେସନମାଷ୍ଟର ହୋଇଯାଆନ୍ତି, ତେବେ ଏକାବେଳକେ ରେଳବାଇ ବନ୍ଦ ହୋଇଯିବ । ରେଳ ତ ଭଡ଼ା ଉପରେ ଚାଲୁଛି । ଯେଉଁମାନେ ଷ୍ଟେସନମାଷ୍ଟର ହୋଇଛନ୍ତି ତାଙ୍କର ଧର୍ମ, ପଇସାଟି ଅସୁଲ କରି ରେଳବାଇ ବସିବାକୁ ଛାଡ଼ିବା । ଯେ ଭଡ଼ା ନ ନେଇ ରେଳରେ ବସାଇ ଦେଉଛି, ସେ ତ ଧର୍ମ କରୁନାହିଁ, ବ୍ୟଭିଚାର କରୁଛି । ଆମେ ଯଦି ଭଡ଼ା ନଦେଇ ବସିବା ତେବେ ଆମେ ଅନ୍ୟାୟ କରିବା-।”

 

ବାବାଜୀ ଟିକିଏ କ୍ଷୁଣ୍ଣ ହୋଇଗଲେ, କହିଲେ, “ମୁଁ କଣ କହୁଛି, ସମସ୍ତଙ୍କୁ ବିନା ଭଡ଼ାରେ ଛାଡ଼ିଦେବାକୁ ? ସାଧୁ ସନ୍ନ୍ୟାସୀଙ୍କ କଥା ଅଲଗା । ସେମାନେ ତ ଭିକ୍ଷା କରି ଚଳୁଛନ୍ତି, ପଇସା କୁଆଡ଼ୁ ପାଇବେ ରେଳଭଡ଼ା ଦେବାକୁ ?”

 

ମହାଦେବ—ସାଧୁ ସନ୍ନ୍ୟାସୀଙ୍କର ବା ରେଳରେ ବସିବା କି ଦରକାର ? ଘଣ୍ଟାକରେ ଭୁବନେଶ୍ୱର ନ ପହଞ୍ଚି ଦିନକରେ ପହଞ୍ଚିଲେ କ’ଣ ବା ମାରା ହୋଇଯିବ ? ବରଂ ବାଟରେ ବହୁତ ଲୋକଙ୍କ ସଙ୍ଗେ ଦେଖା ହେବ, ମଫସଲ ଗାଁ ଲୋକଙ୍କ ସଙ୍ଗେ ପରିଚୟ ହେବ, ଚାଲିବା ଦିହସୁହା ହୋଇଯିବ । ରେଳମାନଙ୍କରେ ବିନା ଟିକେଟରେ ସାଧୁମାନେ ଯିବା ପାଇଁ ଯଦି ନିୟମ ହୋଇଥାନ୍ତା ତେବେ ବି ଆମର ରେଳରେ ଯିବା ଉଚିତ ନୁହେଁ । ରେଳରେ, ମଟରରେ, ଯେଉଁମାନେ ଯା’ଆସ କରୁଛନ୍ତି, ସେମାନେ ତ ଉଡ଼ାଜାହାଜରେ ଉଡ଼ିଲା ପରି ଉଡ଼ୁଛନ୍ତି; ଖାଲି ଏଠିକି ସେଠା ହେଉଛନ୍ତି, ସବୁ କଥାକୁ ତରତର ହେଉଛନ୍ତି; ଗାଁ ଗହଳିରୁ ସେମାନଙ୍କର ସମ୍ପର୍କ ଛାଡ଼ିଗଲାଣି ।

 

ବାବାଜୀ କହିଲେ, “ମହାରାଜ ! ସେ କଥା ଠିକ୍‌ । ମୁଁ ଏତେ ଦିନ ହେଲା ବାବାଜୀ ହେଲିଣି, କୌଣସି ମଫସଲ ଗାଁରେ ରାତିଏ ବି କଟାଇ ନାହିଁ । ସହରମାନଙ୍କରେ ସଡ଼କ ଦାଢ଼ରେ ଶୋଇପଡ଼ିଲେ ଭଲ, କିନ୍ତୁ ମଫସଲ ଗାଁରେ ଘର ଭିତରେ ବି ଅଡ଼ୁଆ । ମଶା ସତେ ଅବା ଟେକିକରି ନେଇଯିବେ !”

 

ମହାଦେବ—ହଁ, ସେ କଥା ମୁଁ ଶୁଣିଛି । ଜେଲଖାନାରେ ମୋତେ ଗୋଟେ ଟୋକା କହୁଥିଲା, ଗାଁରେ ରହିବା ଅପେକ୍ଷା ଜେଲ ଖାନାରେ ରହିବା ଭଲ । ସେଠାରେ କାମ କରି ମଧ୍ୟ ପେଟ ପୂରା ଖାଇବାକୁ ମିଳେ ନାହିଁ । ମଶାଙ୍କ ଯୋଗୁଁ ରାତିରେ ନିଦ ହୁଏ ନାହିଁ ।

 

ନିଜର ମତ ସମର୍ଥିତ ହେଲା ବୋଲି ବାବାଜୀ ଖୁସିରେ କହିଲେ, “ମହାରାଜ ! ମୁଁ କ’ଣ ମାହାଳିଆ କହୁଥିଲି, ସହରର ସଡ଼କ ଦାଢ଼ ମଫସଲ ଘରଠାରୁ ଭଲ । କଲିକତାରେ ମୁଁ ଦେଖିଛି, ଲୋକେ ହାଜାର ସଂଖ୍ୟାରେ ଗାଁ ଛାଡ଼ି ପଳେଇ ଆସି ଫୁଟପାଥ୍‌ରେ ଶୋଉଛନ୍ତି ।

 

ମହାଦେବ—ମଫସଲରେ ଯେତେ ଲୋକ ଅଛନ୍ତି ସମସ୍ତେ ଯଦି ଗାଁ ଛାଡ଼ି ପଳାଇଆସନ୍ତି, ତେବେ କ’ଣ ସହରରେ ବା ସହରର ସଡ଼କ ଦାଢ଼ରେ ସେମାନଙ୍କ ପାଇଁ ଜାଗା ହୋଇଯିବ ? ଆମ ଦେଶରେ ଶହକେ ପଞ୍ଚାଅଶୀ ଭାଗ ମଫସଲରେ ଅଛନ୍ତି। ଦେଶର ସମ୍ପତ୍ତି ସେହିଠାରେ ଉତ୍ପନ୍ନ ହେଉଛି । ସହର ଲୋକେ ତାକୁଇ ଫେରଫାର କରି ଚଳୁଛନ୍ତି । ଏଇ ଫେରବାର କରିବାବାଲା ଯଦି ବଢ଼ିଆ ହୋଇଯିବେ ଓ କାହାର ନଜର ମଫସଲର ଉତ୍ପଦାନକାରୀଙ୍କ ଉପରେ ନ ରହିବ, ତେବେ ଏ ଦେଶ ବେଶୀ ଦିନ ସମ୍ଭାଳିବ ନାହିଁ

 

ବାବାଜୀ—ବର୍ତ୍ତମାନ ପରା ବିଚାର ଚାଲିଛି, ସବୁ ମଫସଲକୁ ସହର ପରି କରିଦେବେ । ବିଜୁଳି ଆଲୁଅ ଲଗେଇଦେବେ। ଆମେରିକାରୁ କ’ଣ ଗୋଟେ ଗୁଣ୍ଡ ଆଣିଛନ୍ତି ଯେ, ତାକୁ ଘରମାନଙ୍କରେ ପକେଇ ଦେଲେ ଆଉ ମଶା ହେବେ ନାହିଁ ।

 

ମହାଦେବ କହିଲେ—“ହଁ, ଶୁଣିଛି । ଏସବୁ ବାଇଆ କଥା । ଏହା ସହରିଆ ଲୋକଙ୍କ ମସୁଧାରେ ହେଉଛି । ଆମେରିକାରୁ ଯେଉଁ ଗୁଣ୍ଡ ଆଣିଛନ୍ତି, ଡି.ଡି.ଟି ନା କ’ଣ, ତାକୁ ତ ଆଉ ମଶା ମାନୁନାହାନ୍ତି । ମାନିଲେ ବି ତାକୁ ପକେଇବେ ଘରେ ନା ? ଚାଷୀ ଚାଷବେଳେ କେତେ ରାତି କ୍ଷେତରେ ରହେ ସେକଥା କ’ଣ ସହରିଆ ଜାଣନ୍ତି । ବାଡ଼ି ପଛପଟ ଖତଗାତ ରହିବ ନା ନାହିଁ ? ଗାଡ଼ିଆ ପୋଖରୀରେ କ’ଣ ମଶା ତେଲ ପଡ଼ିବ ? ମଶା ତେଲ ପଡ଼ିଲେ ମାଛ ରହିବେ ନା ମରିବେ । ଲୋକମାନେ ପୋଖରୀରେ ଗାଧେଇବେ ନା ଘରେ ପାଇପ୍‌ ଲାଗିବ । ଧାନ ଚାଷ ହେଉଛି, ପାଣି କାଦୁଅ କାମ । ଯେଉଁ ଦେଶର ଆଦର୍ଶରେ ଆମ ଦେଶ ଗଢ଼ା ହେଉଛି, ସେ ଦେଶର ପ୍ରାକୃତିକ ଅବସ୍ଥା ସଙ୍ଗେ ଆମ ଦେଶର ଅବସ୍ଥା ସମାନ ହେଲେ ସିନା ହେବ । ଓଧ ସଙ୍ଗେ ବଣଭୁଆ ବାଇ ହୋଇ କେତେ ଗଭୀରକୁ ଯିବ । ମଫସଲରେ ଡି.ଡି.ଟି. ବୋଲି କରିବ ନାହିଁ । ଏମିତି ଗୋଟିଏ କଣ ତେଲ କି ହଳଦୀ ଲଗେଇବ ଯାହା କି ଘର ଓ ବିଲ ସବୁଠି କାମ ଦେବ । ସାନ୍ତାଳମାନେ ନିମ୍ୱ ତେଲ ଲଗେଇ ବିଲ କାମ କରନ୍ତି, ପାଣି ଧରେ ନାହିଁ କି ମଶା ଡାଆଁସ ଖାଆନ୍ତି ନାହିଁ ।

 

ବାବାଜୀ—ସେ କଥା ହୁଅନ୍ତି ଯେ, ଲୁଗାପଟା ମଇଳା ହୋଇଯିବ । ଆଜିକାଲି ଦେହ ପଛେ ଯାହା ହେଉ ଲୁଗା ସଫା ନ ରହିଲେ ଦଣ୍ଡେ ଚଳି ହେବ ନାହିଁ ।

 

ମହାଦେବ—ସେ ସବୁ ସେଇ ସହରିଆ ବାଇଆ କଥା । ସାନ୍ତାଳମାନେ ତ ସଫା ଲୁଗା ପିନ୍ଧନ୍ତି । କାମ ବେଳେ ବାସି ଧୋବ ଲୁଗା ଚଳିବ ? ସହରର କୁଲି କ’ଣ ଧୋବା ପିନ୍ଧା ଲୁହା କାମ କରୁଛନ୍ତି । ଯେଉଁ ବିଲାତି ଆମେରିକା କଥା ପ୍ରତିପଦରେ ଆମ ସହରିଆ ବାବୁମାନେ; ଉଘଉଛନ୍ତି, ସେମାନେ କ’ଣ ଲୁଗା ମଇଳା ହେବ ବୋଲି କାମକୁ ଡରନ୍ତି ? ତାଙ୍କ ସୈନ୍ୟମାନେ ବ୍ରହ୍ମଦେଶରେ ମଶା ତେଲ ଲଗେଇ ରାତିରେ ଶୋଉଥିଲେ । ଆମ ମଫସଲ ଲୋକଙ୍କ ସୁବିଧା ଅସୁବିଧା ବୁଝି ତାଙ୍କ ପରାମର୍ଶରେ କାମ ହେଲେ କିଛି ଅଡ଼ୁଆ ରହିବ ନାହିଁ । ସହରର ବାବୁଭାୟା ମଫସଲର ବାବୁଭାୟାଙ୍କୁ ଧରି ଯୋଜନା କରୁଛନ୍ତି ବୋଲି ସବୁ ଗଣ୍ଡଗୋଳ । ମଫସଲର ଲୋକେ ଚିପି ହୋଇ ରହିଯାଉଛନ୍ତି । ସେତକ କରିବାକୁ ହେଲେ ଆମମାନଙ୍କୁ ମଫସଲ ଲୋକଙ୍କୁ ହେମତ ଦେବାକୁ ପଡ଼ିବ । ସାଧୁସନ୍ଥଙ୍କ ମାନନା ମଫସଲରୁ ଲୋପ ହୋଇନାହିଁ । ସହରରେ ଯେଉଁମାନେ ମଫସଲ ଢଙ୍ଗରେ ଅଛନ୍ତି ସେ ସିନା ତମକୁ ମାନନ୍ତି, ବାବୁଭାୟା କ’ଣ ତମକୁ ପାଖରେ ପୂରାନ୍ତି ?

 

ବାବାଜୀ—ମହାରାଜ, ସେ କଥା ସତ । ଆମକୁ ସିନା ସହରର ସେଇ ମଳିମୁଣ୍ଡିଆ ଟିକିଏ ପଚାରନ୍ତି; ବାବୁ ଆମ ଛାଇକୁ ନାତ ମାରନ୍ତି । ଆଜି ସକାଳେ ପରା ଜଣେ ବାବୁ ମତେ ଦେଖାଇ ଦେଖାଇ କହିଲେ, “ଏ ବାବାଜୀ ଗୁଡ଼ାକ ବୃଥାରେ ଅନ୍ନଧ୍ୱଂସ କରୁଛନ୍ତି । ଏମାନେ ଯଦି ରିକ୍‌ସା ଟାଣନ୍ତେ ତେବେ ଦେଶର ମଙ୍ଗଳ ହୁଅନ୍ତା ।”

 

ମହାଦେବ ହସି ହସି କହିଲେ—

 

“ଆପଣ କଲା କର୍ମମାନ,

ଆଗୁ ହୋଇବ ସାବଧାନ ।

 

ଆମେ ତ ସେମିତି କଥା ଶୁଣିବାକୁ ଅର୍ଜ୍ଜୁଥାଇଁ ।ଲୋକଙ୍କୁ ସଦୁପଦେଶ ଦେଇ ଠିକ୍‌ ରାସ୍ତାରେ ରଖିବାକୁ ସାଧୁ ସନ୍ନ୍ୟାସୀଙ୍କର ସୃଷ୍ଟି । ସେମାନେ ଯଦି ସାଧାରଣ ଲୋକଙ୍କ ପରି ଖାଲି ଅୟସ ଖୋଜିବେ, ସବୁବେଳେ ପେଟଚିନ୍ତା କରିବେ, ତେବେ ତ କିଏ କହିବ ରିକ୍‌ସା ଟାଣନ୍ତୁ, କିଏ କହିବ ବିଲ ବାଛନ୍ତି ।”

 

ବାବାଜୀ ତୁନୀ ହେଲେ । ସେତେବେଳକୁ ସେମାନେ ମାଳତୀ—ପାଟପୁର ଷ୍ଟେସନ ପାର ହୋଇ ଯାଇଥିଲେ । ମହାଦେବ ପଚାରିଲେ “ରେଳରେ ପରା ଯିବ ବୋଲି କହୁଥିଲ ମହାରାଜ, ମୁଁ ତା ହେଲେ ଏକୁଟିଆ ଯାଉଛି ।”

 

ବାବାଜୀ କହିଲେ, “ଆପଣଙ୍କ ସଙ୍ଗେ କଥାବାର୍ତ୍ତା ହେବାକୁ ବଡ଼ ସୁଖ ଲାଗୁଛି । ଆମ ଷ୍ଟେସନ ପାର ହୋଇଗଲେଣି । ଚାଲନ୍ତୁ, ଚାଲ ଚାଲ ଯିବା ।”

 

କଥାବାର୍ତ୍ତାରେ ବାଟ କମିଯାଉଥାଏ । ସତ୍ୟବାଦୀ ଡାକ୍ତରଖାନା ବଜାରରେ ବାବାଜୀ କପେ ଚା ମାଗିକରି ଖାଇଲେ । ଟିକିଏ ବିଶ୍ରାମ କରି ଉଭୟେ ପୁଣି ଆଗକୁ ଚାଲିଲେ । ଖଣ୍ଡେ ବାଟ ସେଇ ଚା ଉପରେ ଆଲୋଚନା ଚାଲିଲା । ମହାଦେବ କହିଲେ, “ଏବେ ଦଶ ବର୍ଷ ହେଲା ସବୁଆଡ଼େ ଚା ଦେକାନ ହୋଇଗଲାଣି, ନା ?”

 

ବାବାଜୀ କହିଲେ, “ହଁ ମହାରାଜ, ୟେ ତ ଆମକୁ ବଞ୍ଚାଇଛି । ସବୁ ସହର ଓ ବଡ଼ ଗାଁମାନଙ୍କରେ ଚା ଦେକାନ ହୋଇଗଲାଣି । ଭଲ ଜିନିଷ, ଖୁବ୍‌ ବ୍ୟାପୁଛି । ଏଥିରୁ ଗିନେ ପିଇଦେଲେ ଆଉ ଭୋକ ଶୋଷ ଜଣାପଡ଼ିବ ନାହିଁ । ଆପଣ ତ ନାହିଁ କଲେ, ପିଇଥିଲେ ଜାଣିଥା’ନ୍ତେ ଏହାର ଗୁଣ କେତେ ।”

 

ମହାଦେବ ପଚାରିଲେ, “ଏଥିରୁ ବହୁତ ଦୁଧ ଖର୍ଚ୍ଚ ହେଉଥିବ । ଚା’ ସାଙ୍ଗରେ ସବୁତକ ଦୁଧ ବଡ଼ ମଣିଷ ପିଇ ଦେଉଛନ୍ତି, ଆଉ ପିଲାମାନେ ଦୁଧ ଟିକିଏ ପାଇବେ କୁଆଡ଼ୁ ?”

 

ବାବାଜୀ—ଆମ ଦେଶର ପିଲାମାନେ ବହୁଦିନରୁ ଦୁଧ ଛାଡ଼ିଲେଣି । ଏବେ ଗୋଟେ ପ୍ରକାର ଗୁଣ୍ଡ ଆସିଚି, ଦୁଧ ଗୁଣ୍ଡ । ତାହା ନ ଆସୁଥିଲେ ଚା’ ପାଇଁ ମଧ୍ୟ ଦୁଧ ମିଳୁନଥାନ୍ତା ।

 

ମହାଦେବ ଦୁଧଗୁଣ୍ଡ କଥା ଜାଣି ନ ଥିଲେ, ପଚାରିଲେ, “ଏ କେଉଁଠୁ ଆସୁଛି” ? ବାବାଜୀ କହିଲେ, “ବେଶୀ ଭାଗ ଆସୁଛି, ଅଷ୍ଟ୍ରେଲିଆ ବୋଲି ଗୋଟେ ଦେଶରୁ । ସେ ଦେଶରେ ବହୁତ ଗାଈ, ଲୋକ ଅଳ୍ପ । ତାଙ୍କ ବଳକା ଦୁଧରୁ ପାଣି ମାରି, ଗୁଣ୍ଡ କରି ସେମାନେ ପଠାଉଛନ୍ତି । ଆଗ ଆଗ ଲୋକେ ଦୁଧ ଗୁଣ୍ଡକୁ ଅବିଶ୍ୱାସ କରୁଥିଲେ, ତା’ସାଙ୍ଗରେ ଅନ୍ୟ କୌଣସି ଖରାପ ଜିନିଷ ମିଶିଛି ବୋଲି କହୁଥିଲେ । ଏବେ ଆଉ ସେକଥା ନାହିଁ । ଏବେ ତ ପର୍ବପର୍ବାଣିରେ ତାହା ଚଳିଲାଣି ।”

 

ମହାଦେବ କହିଲେ, “ତାହା ଭଲ ବୋଲି ଜଣାପଡ଼ିଲା କିମିତି ?”

 

ବାବାଜୀ କହିଲେ, “ଅଷ୍ଟ୍ରେଲିଆବାଲା ଗୋଟିଏ ବଡ଼ ବଢ଼ିଆ ଫିକର କଲେ । ଆଗ ଲକ୍ଷ ଲକ୍ଷ ଟିଣ ଦୁଧ ମାଗଣାରେ ଆମ ସରକାରଙ୍କୁ ଦେଇଦେଲେ । ବିଦେଶରୁ ଯନ୍ତ୍ରପାତି, ଟଙ୍କା ଓ ଜିନିଷ ମାଗଣା ମିଳିଲେ ତ ଆମ ସରକାର ଅମୃତ ପରି ଗ୍ରହଣ କରୁଛନ୍ତି । ଏ ଦୁଧ ଗୁଣ୍ଡ ସବୁ ଆଗ ଇସ୍କୁଲ ପିଲାଙ୍କୁ ବଣ୍ଟା ହେଉଥିଲା । ପିଲାମାନେ ଓ ତାଙ୍କ ବାପ ମା’ ଅଷ୍ଟ୍ରେଲିଆର ପ୍ରଚାରକ ହୋଇ ଘରେ ଘରେ ଏ ଦୁଧର ଗୁଣ ଗାନ କଲେ । ତା’ ଫଳରେ ଏବେ ପାନ ଦୋକାନରେ ବି ଦୁଧଗୁଣ୍ଡ ବିକ୍ରୀ ହେଲାଣି । ଜଣେ କହୁଥିଲେ—ଗଉଡ଼ମାନେ ଦୁଧରେ ଏ ଗୁଣ୍ଡ ମିଶାଇ ବିକୁଛନ୍ତି ।”

 

ମହାଦେବ—ତେବେ ତ ଭବିଷ୍ୟତରେ ଏ ଦେଶର ଗୋ-ସମ୍ପଦ ବୁଡ଼ିଯିବ ।

 

ବାବାଜୀ କହିଲେ, “ମହାରାଜ, ଏ ଦେଶରେ ଆଜିକାଲି ଭବିଷ୍ୟତ କଥା କିଏ ପଚାରୁଛି-? ଆଜିକାଲି ଚାଲିଛି, ‘ଢୋକେ ପିଇ ଦଣ୍ଡେ ଜୀଇ’ ନୀତି । କାଲିକି କ’ଣ ହେବ କେହି ବିଚାରୁନାହାନ୍ତି ।”

 

ମହାଦେବ କିଛି ନ କହି ତୁନୀ ହୋଇ ବାଟ ଚାଲୁଥାଆନ୍ତି । ଦେବଭୂମି ଭାରତବର୍ଷର ନିକଟ ଭବିଷ୍ୟତ ତାଙ୍କୁ ଭାରି ଅନ୍ଧାର ଦିଶୁଥିଲା । ବାବାଜୀଙ୍କର ସେତେବେଳେକୁ ଚାଲି ଚାଲି ଗୋଡ଼ ପ୍ରାସ ହୋଇଗଲାଣି । ସେ ଘୋଷାରି ହେଲାପରି ମହାଦେବଙ୍କ ପଛ ଧରି ଚାଲିଥାଆନ୍ତି । ଏହିପରି ଅନେକ ବାଟ କଟିଗଲା । ସୂର୍ଯ୍ୟାସ୍ତ ଆଉ ଅଳ୍ପ ବେଳ ବାକି ଅଛି; ବାବାଜୀ ସେତେବେଳେକୁ ପ୍ରାୟ ଶହେ, ଦୁଇଶ ହାତ ପଛରେ ପଡ଼ିଗଲେଣି । ମହାଦେବ ପଛକୁ ନ ଚାହିଁ ଆଗେଇ ଚାଲୁଥାଆନ୍ତି । ଏହି ସମୟରେ ବାବାଜୀ ପଛରୁ ଚିତ୍କାର କଲେ, ‘ମରିଗଲି, ମହାରାଜ !’ ମହାଦେବ ଚମକିପଡ଼ି ପଛକୁ ଚାହିଁଲେ ଓ ବାବାଜୀଙ୍କ ପାଖକୁ ଧାଇଁଗଲେ । ଗୋଟିଏ ମଟରର ଧକ୍‌କା ଖାଇ ବାବାଜୀ ସଡ଼କ ଦାଢ଼ିରେ ଛିଞ୍ଚାଡ଼ି ହୋଇ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥାଏ । ସେତେବେଳକୁ ମଟରବାଲା ତରତର ହୋଇ ମଟର ଧରି ପଳାଇଯିବାକୁ ବାହାରିଛି--ମହାଦେବ ଯାଇ ମଟର ସମାନାରେ ଠିଆ ହୋଇଯିବାରୁ ମଟରବାଲା ବାଧ୍ୟ ହୋଇ ଗାଡ଼ି ରୋକିଲା । ମଟରରୁ ଓହ୍ଲାଇ ମାରନମାର ହୋଇ ମହାଦେବଙ୍କ ଆଡ଼କୁ ମିଶିଆସିଲା; କହିଲା, “ଏ ବୁଢ଼ା ! ତୁ କ’ଣ ଅନ୍ଧ, ମଟର କ’ଣ ତୋତେ ଦିଶୁନାହିଁ ? ହେଇଟି ସେ ବାବାଜୀର ଯେଉଁ ଦଶା ହୋଇଛି, ତୋର ବି ସେଇ ଦଶା ହୋଇଥାଆନ୍ତା ।” ସେତିକିବେଳେ ବାବାଜୀ ପଡ଼ିଥିବା ଜାଗାରେ ପାଟି କଲେ, “ମହାରାଜ ! ସେ ମଟରବାଲାକୁ ଅଟକାନ୍ତୁ, ସେ ମଦୁଆ ଅଛି । ତାହାର ଡାହାଣ ପାଖରେ ମଟର ଚଳେଇବାର ନିୟମ ନାହିଁ । ମୁଁ ଡାହାଣ ପାଖେ ସଡ଼କ କିନରାରେ ଚାଲୁଥିଲି, ‘ତା ମଟର ମୋ ଦେହରେ କିପରି ବାଜିଲା’ ପଚାର ।”

 

ମହାଦେବ ମଟରବାଲାକୁ ଦେଖି ଦେଖି ଟିକିଏ ଶଙ୍କିଯାଇଥିଲେ । ଭୁବନେଶ୍ୱରରେ ସେ ଯେପରି କଳା ସାହେବ ଦେଖିଥିଲେ, ୟେ ସେଇଥରୁ ଜଣେ । ସେଇପରି ପ୍ୟାଣ୍ଟକୁର୍ତ୍ତା ପିନ୍ଧା । ଭାରି ବିରକ୍ତ ହୋଇ ମହାଦେବଙ୍କ ଆଡ଼କୁ ଚାହିଁଥାଆନ୍ତି । ବାବାଜୀଙ୍କଠାରୁ କିଛି ନ ଶୁଣିଥିଲେ, ମଟରକୁ ଛାଡ଼ିଦେଇ ସେ ବାବାଜୀଙ୍କୁ ଶୁଶ୍ରୂଷା କରିବାକୁ ଯାଇଥା’ନ୍ତେ । ବାବାଜୀଙ୍କର ଆଘାତ ଗୁରତର ନୁହେଁ ଜାଣି ସେ ଟିକିଏ ନିଶ୍ଚିନ୍ତ ହୋଇ ମଟରବାଲାକୁ କହିଲେ, “ଆପଣ ଲୋକଟିକୁ ଏପରି ଅବସ୍ଥାରେ ପକାଇ କିପରି ପଳାଇଯାଉଛନ୍ତି ?”

 

ସାହେବ ଖୁବ୍‌ ଚଢ଼ା ଗଳାରେ ଆରମ୍ଭ କଲେ, “ବୁଢ଼ା ! ମୁହଁ ସମ୍ଭାଳି କଥା କହ । ମୁଁ ହର୍ଣ୍ଣ ଦେଉଛି, ସେ ଲୋକଟି ଯଦି ସଡ଼କ ତଳକୁ ବାହାରିଯାଇଥାଆନ୍ତା, ତାହାହେଲେ ତା’ର କିଛି ହୋଇନଥାନ୍ତା । ମୋତେ କ’ଣ ସାମାନ୍ୟ ଲୋକପରି ପାଇଛୁ ? ମୁଁ ଜରୁରୀ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଛି । ଭୁବନେଶ୍ୱରରୁ ଗୋଟାଏ ମଟର ପଠାଇଦେବି, ବାବାଜୀକୁ ଡାକ୍ତରଖାନା ନେଇଯିବ ।”

 

ଦେବଦେବଙ୍କ ଦୁର୍ଗତି

ଏତେବେଳକୁ କେଜାଣି କୁଆଡ଼ୁ ପଚାଶ ଜଣ ପର୍ଯ୍ୟନ୍ତ ଲୋକ ଆସି ଘେରିଗଲେଣି । ତାଙ୍କ ଭିତରୁ ଜଣେ କୁହାଳିଆ ଲୋକ କହିଲା, “ବାବୁ, ଭୁବନେଶ୍ୱରରୁ କାହିଁକି ମଟର ପଠାଇବେ, ଆପଣଙ୍କ ମଟରରେ ନେଇଯାଉନାହାନ୍ତି ? ବିଚାରାର କ’ଣ ହୋଇଛି, ଦେଖିବାକୁ ନାହିଁ, ବାବୁ ମଟର ହଙ୍କେଇବାକୁ ତିଆର ।”

 

ସାହେବଙ୍କ ପଛଆଡ଼େ ଠିଆ ହୋଇଥିବା ଚପରାଶି ବାହାରି ପଡ଼ି କହିଲା, “ନୂଆ ମଟର, ଦି’ଦିନ ହେଲା କିଣା ହୋଇଛି, ରକ୍ତ ଲାଗି ଅସଣା ହୋଇଯିବ । ସାହେବଙ୍କ ପାଖରେ ସରକାରୀ ଗାଡ଼ି ତିରିଶଟା ପର୍ଯ୍ୟନ୍ତ ଅଛି । ଏଇଲେ ଖଣ୍ଡେ ଆସି ପହଞ୍ଚିବ । ତୁମେ ସବୁ ଛାଡ଼ିଦିଅ, ଗୋଳମାଳ କର ନାହିଁ ।”

 

ଲୋକଙ୍କ ଭିତରୁ ଜଣେ ବାହାରି ପଡ଼ି କହିଲା, “ତୁନୀ ହ ବେ ଭଲ ଲୋକ । ତୋ ସାହେବ ତତେ ବଡ଼ । ନୂଆ ମଟର, ରକ୍ତ ଲାଗିଯିବ ବୋଲି ଅସୁକୁ ଲାଗୁଛି ! ମଣିଷ ଘାଉଡ଼ ହୋଇ ସଡ଼କ ଦାଢ଼ରେ ପଡ଼ିଥିବ ୟାଙ୍କ ମଟରକୁ ଚାହିଁ । ମଟର ଅସଣା ହୋଇଯିବ ହୋଲି ଯଦି ଏତେ ଖରାପ ଲାଗୁଛି, ମଦ ପେଟେ ଖାଇ କରି ଗାଡ଼ି ଚଳା ହୋଉଥିଲା କାହିଁକି ?”

 

“ପୁରୀ ଜିଲାରେ ମଦ ଖାଇବାକୁ ମନା । କିନ୍ତୁ ହାକିମଙ୍କୁ ଧରିବ କିଏ ? ସେମାନେ ଲୁଚେଇ ଚୋରେଇ କ୍ଲବରେ ବନ୍ଧୁମେଳରେ ମଦ ପିଉଥା’ନ୍ତି । ବଡ଼ ସାଇବ ଜଣେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସଙ୍ଗେ ଆସି ପାଞ୍ଚ ସାତ ଦିନ ପାଇଁ ପେଟେ ମଦ ପିଇ ଫେରୁଥିଲେ ।” ଲୋକେ ଏପରି କୁହାକୁହି ହେବା ଶୁଣି, କେଜାଣି ଖବରକାଗଜବାଲା ବାହାର କରିଦେବେ ଏହି ଆଶଙ୍କାରେ ହାକିମ ପ୍ରତିବାଦ କଲେ, “ଏପରି ଗୁଡ଼ାଏ କାହିଁକି କହୁଛ ? ମୁଁ ମଦ ଖାଏ, ତୁମେ ଦେଖିଛ ?”

 

ଜଣେ ଶିଅଳ ଲୋକଙ୍କ ଭିତରୁ ବାହାରି ପଡ଼ି କହିଲା, “ବାବୁ, ଆମେ ଦେଖେଇ କରି ମଦ କାଟୁଥିଲୁ, ଖାଉଥିଲୁ ବୋଲି ଆମ ପଛରେ ପୁଲିସ୍‌ ଲଗେଇଦେଲ । ତମେ ଆପଣ ବଡ଼ଲୋକ, ଗଛ ମୂଳେ ବସି କ’ଣ ମଦ ପିଅନ୍ତ ଯେ ଆମେ ଦେଖନ୍ତୁ ? ତମେ ତ ଦୁଆର କିଳି ପିଉଥିବ । ମଦ ପିଇବାର ଦେଖିଲେ ଯାଇ କ’ଣ ଲୋକେ ମଦୁଆ ବୋଲି ଚିହ୍ନନ୍ତି । ମଦ ତ ଖାଇନାହିଁ, ସଡ଼କରେ ସାପ ପରି ବଙ୍କେଇ ବଙ୍କେଇ ମଟର ଆଣୁଛ କାହିଁକି ?”

 

ଭୁବନେଶ୍ୱର ପରି ଏଠାରେ କରଣୀ ଚାଲିବ ନାହିଁ ବୋଲି ଜାଣି ସାହେବ ତୁନୀ ହୋଇଗଲେ । ମଟର କାହିଁକି ବଙ୍କେଇ ବଙ୍କେଇ ଆସିଥିଲା ତାହାର କାରଣ ଜଣାପଡ଼ିଗଲା ଗୋଟିଏ ଗଉଡ଼ୁଣୀ ଓ ତା ଝିଅଠାରୁ । ସେମାନେ ସଡ଼କରେ ପଛ ଆଡ଼ୁ ଧାଇଁ ଧାଇଁ ଆସି ସାଇବଙ୍କ ଆଗରେ ଠିଆ ହୋଇଗଲେ । ଝିଅଟି କଇଁ କଇଁ ହୋଇ କାନ୍ଦୁଥାଏ । ଗଉଡ଼ୁଣୀ ମହାଦେବଙ୍କୁ ଚାହିଁ କହିଲା, “ମହାପୁରୁ, ଏ ମଟରବାଲାକୁ ଟିକିଏ ପଚାରିବଟି, ମୋ ପାଟ ୟାର କ’ଣ କରିଥିଲା ? ସେ ଗାଈ ଗୋଟିକ ପଛରେ ଗୋଡ଼ାଇ ଆମେ ମା ଝିଅ ଦୁଇ ପ୍ରାଣୀ ପେଟ ପୋଷୁଛୁ । ମଟର ବଜେଇଲା ଯେ ଗାଈଟି ଆମର ସଡ଼କ ଦାଢ଼ରେ ଛୋଟା ହୋଇ ପଡ଼ିଛି । ମୋ ଝିଅ ଆଗୁଳିଲା ବୋଲି ଏ ଚପରାଶି ବାଡ଼ିପଡ଼ା ପରା ତାକୁ ଦି’ ପାହାର ମାରିଛି; ବାଡ଼ିପଡ଼ାକୁ ସିନା ଏଠି ଅଟେକେଇଲେ ବୋଲି, ନ ହେଲେ ଆମେ ଆଉ ତାକୁ କୁଆଡ଼େ ଦେଖିଥାଆନ୍ତୁ ?”

 

ସାହେବଙ୍କ ଆଖି ଚୋର ପରି ମଟରର ଡାହାଣ ପାଖ ମଡ଼ଗାର୍ଡ଼ରେ ପଡ଼ିଲା । ମଟର ଚେପା ହୋଇଯାଇଥାଏ ।

 

ଗଉଡ଼ୁଣୀ ସେହି ଗାଁର । ତା’ପଟିଆ ହୋଇ ସମସ୍ତେ ଆଉ ପ୍ରସ୍ତେ ସାଇବଙ୍କୁ ଗାଳିଦେଲେ-। ସାହେବ ଦେଖିଲେ, ଏଠାରେ ଆଉ ବାଗ୍‌ବିତଣ୍ଡା କଲେ ଫଳ ଭଲ ହେବ ନାହିଁ । ପରେ ଦେଖାଯିବ ବୋଲି ବିଚାରି ସେ ତଳକୁ ଚାହିଁ ଠିଆହୋଇ ରହିଲେ ।

 

ଗହଳି ଭିତରୁ ଜଣେ ରହସିଆ ଲୋକ କହିଲା, ବାବୁ ବାଟଯାକ ବହୁତ ଶିକାର କରି ଆସିଛନ୍ତି ପରା ! ସେଥିପାଇଁ ଭୁବନେଶ୍ୱର ଯାଇ ଟ୍ରକ ପଠାଇବେ ବୋଲି କହୁଥିଲେ ?” ସାହେବ କିଛି ନ କହି ରାଗରେ ଲୋକଟି ଆଡ଼କୁ ଚାହିଁଲେ ।

 

ସେତିକିବେଳେ ପଛରୁ ସର୍ଭିସ ବସ୍‌ ଆସି ପହଞ୍ଚିଲା । ଗାଡ଼ି ସେହିଠାରେ ରହିଲା । ସବୁତକ ଯାତ୍ରୀ ଓହ୍ଲାଇପଡ଼ି ସେହିଠାରେ ରୁଣ୍ଡ ହେଲେ । ଜଣେ ଯାତ୍ରୀଠାରୁ ଜଣାଗଲା, ବାଟରେ ପୁରୀଠାରୁ ଅଳ୍ପ ଦୂରରେ ଦୁଇଟା କୁକୁର ମରି ପଡ଼ିଛନ୍ତି । ପ୍ରାୟ ତିନି ଶହ ଗଜ ପଛରେ, ମୋଡ ମୁଣ୍ଡରେ ଗୋଟିଏ ଗାଈ ପଡ଼ିଚି । ତାହାର ପଛ ଫଡ଼ିଆ ଜଖ୍‌ମ ହେଲାପରି ଜଣାଯାଉଛି ।

 

ସମସ୍ତେ ସାହେବଙ୍କ ଆଡ଼କୁ ପୁଣି ଚାହିଁଲେ । ସାହେବ ବିରକ୍ତିରେ କହିଲେ, “କୁକୁର ଦୁଇଟା ରାସ୍ତା ଉପରେ କଳି ଲଗାଉଥିଲେ, ଘଣ୍ଟି ଦେଲି ଯେ ଶୁଣିଲେ ନାହିଁ, ମୁଁ କ’ଣ ସେଠାରେ ଚାହିଁ ବସିଥାନ୍ତି ?”

 

ଜଣେ ମଟରଯାତ୍ରୀ କହିଲା, “ନାଇଁ ବାବୁ, ତମେ କାହିଁକି ଚାହିଁ ବସିବ ? ନିଶାନିବାରଣ ହୋଇ ତ ରାସ୍ତା ଉପରେ କୁକୁର, ଗାଈ ଓ ମଣିଷ ସମ୍ଭଳା ପଡ଼ୁ ନାହାନ୍ତି, ଆଗରୁ କ’ଣ ହୋଇଥିବ କେଜାଣି !”

 

ଏତେବେଳଯାଏଁ ବାବାଜୀ ଆଡ଼କୁ କାହାର ଦୃଷ୍ଟି ପଡ଼ିନଥିଲା । ସର୍ଭିସ ମଟରରୁ ଓହ୍ଲାଇଥିବା ଜଣେ ବାବୁ ଗହଳିରେ ନ ମିଶି ବାବାଜୀଙ୍କର ଘା ପୋଛାପୋଛି କରି, ସେଥିରେ ଟିକିଏ ଟିଞ୍ଚର-ଆୟୋଡ଼ିନ ମାରି ତୁଳା ଛାପିଦେଇଥାଆନ୍ତି । ବାବାଜୀ ନିରୀହ ଭାବରେ ଆସି ମହାଦେବଙ୍କ ପାଖରେ ଠିଆ ହେଲେ; କହିଲେ, “ମହାରାଜ, ଏ ଆମକୁ ଗୋଡ଼ାଇ କରି ମାଡ଼ିଯିବାକୁ ବସିଥିଲା । ଆମେ ସଡ଼କ ମଝିରେ ଯାଉଥିଲୁ, ଗାଡ଼ିର ଶବ୍ଦ ଶୁଣି ଡ଼ାହାଣ ପାଖକୁ ଆଡ଼େଇ ହୋଇଗଲୁ। ତଥାପି ଆଗ ପାଖ ଆସି ଆମ ଉପରେ ବାଜିଲା ।”

 

ଗହଳି ଭିତରୁ ସେଇ ରହସିଆ ଲୋକ ଜଣକ କହିଲା, ‘ମହାରାଜ, ତୁମେ ଏକାଥରକେ ତଳକୁ ଚାଲିଗଲ ନାହିଁ । ବାବୁ ତୁମକୁ ମଡ଼ାଇବାକୁ ସଡ଼କ ତଳକୁ ଗାଡ଼ି ଗଡ଼ାଇଦେଇଥା’ନ୍ତେ ?

 

ପୁଣି ହସ ଲାଗିଲା । ସେତେବେଳକୁ ସାହେବଙ୍କର ଧୈର୍ଯ୍ୟଚୁତି ହୋଇଥାଏ । ସେ କହିଲେ “ଆପଣମାନେ ସମସ୍ତ ମେଳିହୋଇ ମତେ କାହିଁକି ଏଠାରେ ଅଟକାଇ ରଖିଛନ୍ତି ? ମୁଁ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଛି । ସରକାରୀ ଲୋକଙ୍କୁ ଏପରି ଅଟକାଇବା ବେଆଇନ୍‌ କାମ ।”

 

ବସ୍‌ ଯାତ୍ରୀଙ୍କ ଭିତରୁ ଜଣେ ବାବୁ ଏତେବେଳଯାଏଁ ଗହଳିର ପଛରେ ଥାଇ, ଘଟଣା ବୁଝୁଥିଲେ । ସାହେବଙ୍କ କଥା ତାଙ୍କ କାନରେ ବାଜିଯିବାରୁ ସେ ଆଗକୁ ଚାଲିଆସି କହିଲେ, “ତା’ ମାନେ ଆପଣ ଏ ଲୋକଙ୍କ ବିରୁଦ୍ଧରେ ପେନାଲକୋଡ଼ର ଗୋଟିଏ ଦଫା ଲଗାଇବାକୁ ଚାହାନ୍ତି ପରା ? ଆପଣଙ୍କୁ ମୁଁ ଚିହ୍ନେ; ମୋତେ ଆପଣ ଚିହ୍ନି ନଥିବେ । ମୁଁ କଟକ ହାଇକୋଟର ଜଣେ ଆଡ଼ଭୋକେଟ । ଆପଣ ଜଣେ ଏଡ଼େ ଉଚ୍ଚ ସରକାରୀ ଅଫିସର ହୋଇ ରାସ୍ତାରେ ଗୋରୁ ଓ ମଣିଷଙ୍କ ଉପରେ ମଟର ଚଢ଼ାଇ ଚାଲିଛନ୍ତି । ଆପଣ ସଡ଼କର ଯେଉଁ ପାଖରେ ଯିବାର କଥା ସେ ପାଖରେ ଯାଇନାହାନ୍ତି; ଓଲଟି ଆପଣ ଲୋକଙ୍କୁ ଧମକାଉଛନ୍ତି। ଆପଣ ଯଦି ଆପୋଷରେ ଗୋଳମାଳ ତୁଟାଇଦେବାକୁ ଚାହାନ୍ତି, ଗଉଡ଼ୁଣୀକୁ କ୍ଷତିପୂରଣ ଦିଅନ୍ତୁ । ବାବାଜୀଙ୍କୁ ବି କିଛି ଦିଅନ୍ତୁ। ନ ହେଲେ, ମୁଁ ଏ ବିଷୟରେ ଯାହା କରିବାର ତାହା କରିବାକୁ ବାଧ୍ୟ ହେବି ।”

 

ସାହେବ ଏ ଓକିଲବାବୁଙ୍କୁ ଚିହ୍ନିଥିଲେ । କିନ୍ତୁ ଚିହ୍ନା ଦେଉନଥିଲେ । ତାଙ୍କ କଥାରେ ସାହେବ ଟିକିଏ ଶଙ୍କିଗଲେ । ସେତିକିବେଳେ, ଆଉ ଜଣକ ଉପରେ ନଜର ପଡ଼ିବାରୁ ସେ ଆହୁରି ଶଙ୍କିଗଲେ । ସେ ଜଣକ ‘ମାତୃଭୂମି’ ଖବରକାଗଜର ଜଣେ ପ୍ରତିନିଧି; କାହାକୁ କିଛି ନକହି କ’ଣ ଟିପିପକାଉଥାଆନ୍ତି । ତା ପୂର୍ବରୁ ଗୋଟିଏ ଯୋଡ଼ାଏ ଫଟୋ ବି ଉଠାଇସାରିଥାନ୍ତି । ସାହେବ ମହାଦେବଙ୍କ ଆଡ଼କୁ ଚାହିଁ କହିଲେ, “ମୋତେ କ’ଣ କ୍ଷତିପୂରଣ ଦେବାକୁ ପଡ଼ିବ ଆପଣ କହନ୍ତୁ ।”

 

ମହାଦେବ ଚିନ୍ତିତ ହୋଇ କହିଲେ, “ବାବା, ଗୋରୁକୁ ମାଇଲେ ବା ଆଘାତ କଲେ କଣ କ୍ଷତିପୂରଣ ଦିଆାହୁଏ, ମୁଁ ତ ଜାଣିନାହିଁ । ମଣିଷର ରକ୍ତପାତ କରିବା ମଧ୍ୟ ସେହିପରି। ଏଗୁଡ଼ାକ ପାଇଁ ପ୍ରାୟଶ୍ଚିତ ଦରକାର। ଟଙ୍କା କେତେ ଦେଲେ ଏହାର କ୍ଷତି ପୂରଣ ହେବ ସେକଥା ତ ମୁଁ କହିପାରିବି ନାହିଁ ।”

 

ଓକିଲ ବାବୁ ହସି ହସି କହିଲେ, “ଆପଣ ସାଧୁ ସନ୍ନ୍ୟାସୀଙ୍କର କାହିଁକି ମତ ଲୋଡ଼ୁଛନ୍ତି-? କ୍ଷତିପୂରଣ କ’ଣ ଦେବାକୁ ହେବ ମତେ ପଚାରନ୍ତୁ । ଗାଇଟିକୁ ମୁଁ ଦେଖିଛି, ସେ ମରିବ ନାହିଁ; କିନ୍ତୁ ବହୁ କାଳ କଷ୍ଟ ପାଇବ । ଏ ବେଆଣରେ ଆଉ ଦୁଧ ଦେବ ନାହିଁ । ଗଉଡ଼ୁଣୀ ଚଳିବ ଓ ଗାଈର ଚିକିତ୍ସା କରାଯିବ, ଏଥିପାଇଁ ତାକୁ ଶହେ ଟଙ୍କା ଦିଅନ୍ତୁ । ବାବାଜୀ ମହାରାଜଙ୍କୁ ପାଞ୍ଚ ଦଶଟଙ୍କା ଗଞ୍ଜେଇ ଖିଆ ଦିଅନ୍ତୁ ।”

 

ବାବାଜୀ ତାଙ୍କ ଜୀବଦ୍ଦଶାରେ ଏକାବେଳକେ ପାଞ୍ଚ ଟଙ୍କା କେବେ ଆଶା କରିନଥିଲେ । ମହାଦେବଙ୍କ ପ୍ରଭାବ ବି ତାଙ୍କ ଉପରେ ପଡ଼ିଥିଲା । ସେ ସଙ୍ଗେ ସଙ୍ଗେ ଆପତ୍ତି କଲେ, ‘‘ନାହିଁ ବାବୁ, ଆମର କିଛି ପଇସା ଦରକାର ନାହିଁ । ଆମର ଯାହା ଆଘାତ ହୋଇଥିଲା, ତାର ତ ଚିକିତ୍ସା ହୋଇସାରିଲାଣି ! ଆମକୁ ଆଉ କଷ୍ଟ ହେଉନାହିଁ । ଯାହା ଦେବାର କଥା ସେଇ ବିଚାରୀ ଗଉଡ଼ୁଣୀକୁ ଦେଇଦିଅ ।”

 

ଏହି କଥାର ପ୍ରଭାବ ସାଇବଙ୍କ ଉପରେ ବି ପଡ଼ିଲା ବୋଧହୁଏ । ସେ ପକେଟରୁ କିଛି ଟଙ୍କା ବାହାର କରି ଓକିଲ ବାବୁଙ୍କ ହାତକୁ ବଢ଼ାଇଦେଲେ । ଓକିଲବାବୁ ଟଙ୍କା ଗଣି ଜନତା ଆଡ଼କୁ ଚାହିଁ କହିଲେ, “ଷାଠିଏ ଟଙ୍କା ଦେଇଛନ୍ତି ।”

 

ସେତେବେଳେ ଗଉଡ଼ୁଣୀ କାନ୍ଦି କାନ୍ଦି କହିଲା, “ବାବୁ, ମୋ ପାଟ କ’ଣ ମରିଯିବ ? ସେ ଯଦି ମରିବ, ତେବେ ମୋର ଗୋଟିଏ ପଇସା ଦରକାର ନାହିଁ । ଗୋରୁମରା ପଇସା ନେଇ ମୋ ପିଲାପାଇଁ ମୁଁ ପାପ ଅର୍ଜିବି ନାହିଁ ।”

 

ମହାଦେବ କହିଲେ, “ବାବୁ ତ କହୁଛନ୍ତି, ଖାଲି ପଛଗୋଡ଼ର ଖଞ୍ଜା ଖସିଯାଇଥିବ, ପଇସା ରଖ । ଓକିଲବାବୁ ନୋଟତକ ଗଉଡ଼ୁଣୀ ହାତକୁ ବଢ଼ାଇଦେଲେ ।

 

ସାହେବ ଟିକିଏ କୃତ୍ରିମ ହସ ହସି ଖବରକାଗଜ ପ୍ରତିନିଧିଙ୍କୁ ଚାହିଁ କହିଲେ, “କଥାଟା ତ ତୁଟିଗଲା, ଏକଥା ଖବରକାଗଜରେ କାହିଁକି ଆଉ ଉଠିବ ?”

 

ଖବରକାଗଜ ପ୍ରତିନିଧି ହସି ହସି କହିଲେ, “ସେଥିପାଇଁ ଆଉ କାହିଁ ଚିନ୍ତା କରୁଛନ୍ତି ? ଏଥର ଯାହା ଉଠିବ, ସେଥିରେ ଆପଣଙ୍କୁ ପ୍ରଂଶସା ମିଳିବ, ନିନ୍ଦା ନୁହେଁ ।”

 

ସାହେବ ଚାଲିଗଲେ । ଏତେବେଳଯାଏଁ ବସ୍‌ ଡ୍ରାଇଭର କିଛି କହୁନଥିଲା । ସାହେବଙ୍କ ମଟର ଚାଲିଯିବା ପରେ କହିଲା, “ସାହେବ ଆମ ବିଭାଗର ସବା ବଡ଼ ଅଫିସର; ବୋଧହୁଏ ଖୁବ୍‌ ପିଇଦେଇଛନ୍ତି । ଯାହା ହେଉ, ଏଥର ଆଗକୁ ଆଉ କିଛି ଦୁର୍ଘଟଣା ଘଟିବ ନାହିଁ । ଜୋରିମାନାଟି ଦେବା ପରେ ନିଶା ଖସିଯାଇଥିବ ।”

 

ମହାଦେବ ଓକିଲ ବାବୁଙ୍କୁ କହିଲେ, “ବାବା, ତୁମର ମଙ୍ଗଳ ହେଉ । ମୁଁ ଆଗରେ ଯାହା ଶୁଣିଥିଲି ସେଥିରେ ଓକିଲଙ୍କ ବିଷୟରେ ମୋ ମନ ଟିକିଏ ଖରାପ ହୋଇଯାଇଥିଲା । ତୁମପରି ପରୋପକାରୀ ଲୋକ ତାଙ୍କ ଭିତରେ ଅଛନ୍ତି ବୋଲି ଜାଣି ମୋତେ ବଡ଼ ଆନନ୍ଦ ଲାଗୁଛି ।” ଓକିଲବାବୁ କିଛି ନ କହି ମହାଦେବଙ୍କୁ ନମସ୍କାର କଲେ ।

 

ବସ୍‌ ଚାଲିଯିବା ପରେ ଭାଙ୍ଗିଯାଉଥିବା ଲୋକଙ୍କୁ ମହାଦେବ କହିଲେ, “ଦୁଇ ଚାରିଜଣ ଆସ, ଗାଈଟି କଥା ବୁଝିଦେଇ ଯେ ଯୁଆଡ଼େ ଯିବା ।”

 

ଗାଈଟି ଆଣି ଗଉଡ଼ୁଣୀ ଘରେ ଛାଡ଼ିଲାବେଳକୁ ରାତି ଦି’ଘଡ଼ି । ଗାଁ ଲୋକେ ଧରି ବସିଲେ ବାବାଜୀ ଦୁହେଁଯାକ ରାତିଟି ତାଙ୍କ ଗାଁରେ କଟାଇବେ । ବାବାଜୀଙ୍କର ବିଶ୍ରାମ ଦରକାର ବୋଲି ଭାବି ମହାଦେବ ରାଜି ହେଲେ । ଗୋପୀନାଥଙ୍କ ମନ୍ଦିରରେ ତାଙ୍କର ରହିବା ପାଇଁ ବ୍ୟବସ୍ଥା ହେଲା । ଖୁବ୍‌ ବଳାବଳି କରିବାରୁ ବାବାଜୀ ପୁଞ୍ଜିଏ ରୋଷେଇ ବସେଇଲେ । ମହାଦେବଙ୍କୁ ମଧ୍ୟ ଏଠାରେ ପୁଞ୍ଜିଏ ନଖୁଆଇ ଲୋକେ ଛାଡ଼ିଲେ ନାହିଁ ।

 

ରାତି ପ୍ରାୟ ପହରେ ଅଛି ମହାଦେବ ବାବାଜୀଙ୍କୁ ଉଠାଇଲେ; କହିଲେ, “ମହାରାଜ, ଚାଲ, ଥଣ୍ଡାରେ ଥଣ୍ଡାରେ ବାହାରିଯିବା । ତୁମେ ରେଳରେ ଯାଇଥା’ନ୍ତ, ତୁମକୁ ମୁଁ ବଳାଇ ଚଲାଇକରି ଆଣିଲି ଯେ ତୁମର ବଡ଼ କ୍ଳେଶ ହୋଇଥିବ ।”

 

ବାବାଜୀ ତାଙ୍କ କମ୍ୱଳଖଣ୍ଡ ଗୁଡ଼ାଉ ଗୁଡ଼ାଉ କହିଲେ, “ସେକଥା କାହିଁକି କହୁଛନ୍ତି ମହାରାଜ, ଆମେ ଚାଲି କରି ନ ଆସିଥିଲେ, ଗଉଡ଼ୁଣୀ ବିଚାରୀ ବଡ଼ କ୍ଷତି ହୋଇଥାନ୍ତା । ଆମେ ଥିଲେ ବୋଲି ସିନା ହାକିମଙ୍କ ଅଣ୍ଟାରୁ ପଇସା ଝଡ଼ିଲା । ଆଜି ରାତିରେ ପୁଣି ଲୋକଙ୍କର ଯେ ଭକ୍ତି ଓ ଆଦର ଆମକୁ ମିଳିଲା, ତାହା ତ ମୁଁ କେବେ ପାଏନାହିଁ । ଆଜି ଗୋଟିଏ ଅଦ୍ଭୁତ ସ୍ୱପ୍ନ ମୁଁ ଦେଖିଲି । ମୁଁ ଶୋଇଚି, ରାତି ଅଧରେ ଶିବ ପାର୍ବତୀ ଦୁହେଁ ଆସି ମୁଣ୍ଡ ପାଖରେ ଠିଆ ହେଲେ; କହିଲେ, ବାବା, ଆଜିଠାରୁ କେବେ କୌଣସି ଯାନରେ ବସିବୁ ନାହିଁ । ଚାଲ ଚାଲ ଯିବା ଆସିବା କରିବୁ । ରାତିରେ ମଫସଲ ଗାଁରେ ରହିବୁ । ଈଶ୍ୱରଙ୍କ ଆଦେଶ ମୋ ଶିରୋଧାର୍ଯ୍ୟ, ମହାରାଜ !”

 

ଗୋଡ଼ ଫିଟାଇ ଚାଲିବା ଫଳରେ ସୂର୍ଯ୍ୟୋଦୟର ଟିକିଏ ପୂର୍ବରୁ ଦୁହେଁ ଆସି ଭୁବନେଶ୍ୱର ପାଖରେ ପହଞ୍ଚିଲେ । ବାବାଜୀଙ୍କୁ ଗୌରୀକୁଣ୍ଡ ପାଖରେ ଛିଡ଼ା, ମହାଦେବ ନୂଆ ରାଜଧାନୀ ଆଡ଼କୁ ଗଲେ । ବାବାଜୀ ବିଚାରୁଥିଲେ ସବୁବେଳେ ତାଙ୍କର ସାଙ୍ଗରେ ରହିବେ ବୋଲି । ମହାଦେବ ବହୁତ ବୁଝାବୁଝି କରି ତାଙ୍କୁ ବିଦାୟ ଦେଲେ ।

 

ସୂର୍ଯ୍ୟ ଦଣ୍ଡେ ହେଲା ଉଦୟ ହେଲେଣି, କିନ୍ତୁ ରାଜଧାନୀର ବାବୁମାନେ ଉଠିନଥାନ୍ତି । ସବୁ ସହରରେ ଏଇ ଅବସ୍ଥା । ପୂର୍ବରୁ ଲୋକେ ରାତିରେ ଶୀଘ୍ର ଶୋଇପଡ଼ୁଥିଲେ । ସୂର୍ଯ୍ୟାଲୋକର ସବୁତକ କାର୍ଯ୍ୟରେ ଲଗାଇବେ ବୋଲି ବ୍ରାହ୍ମ ମୁହୂର୍ତ୍ତରୁ ଉଠୁଥିଲେ । ଏବେ ବିଦ୍ୟୁତ୍‌ ଆଲୋକ ହେଲା ଦିନୁ, କାମଦାମ ଖିଆପିଆ ରାତି ଅଧ ପର୍ଯ୍ୟନ୍ତ ଲାଗୁଛି । ଅଧିକାଂଶ ସୂର୍ଯ୍ୟୋଦୟ ପରେ ଉଠୁଛନ୍ତି ।

 

ଉଠିଲା ମାତ୍ରକେ ସମସ୍ତଙ୍କର ଦରକାର ଚା । ଘରେ ଦୁଧର ଅଭାବରୁ ଓ ଗୃହିଣୀ ଆଳସ୍ୟ ଯୋଗୁଁ ଶୀଘ୍ର ଚା ନ ମିଳିବା ଫଳରେ ବାବୁମାନେ ପାଖ ଚା ଦୋକାନକୁ ମୁହଁ ଧୋଇ ଚାଲିଆସନ୍ତି । ମହାଦେବ ରାଜଧାନୀ ଭିତରେ ପଶିଲାବେଳକୁ କ୍ୟାପିଟେଲ କ୍ୟାବିନକୁ ପାଞ୍ଚ ସାତ ଜଣେ ଚା ଖୋର ଆସୁଛନ୍ତି । ଦାଣ୍ଡ ଦୁଆରେ ଜଣେ ବାବୁ ଖୁବ ଧୋବା ଲୁଗା ପିନ୍ଧି, ମୁଣ୍ଡରେ ଗୋଟିଏ ଟୋପି ଲଗାଇ ବସିଛନ୍ତି । ମହାଦେବ ଦୋକାନ ଦୁଆରେ ପହଞ୍ଚିଲାରୁ ବାବୁ ପଚାରିଲେ, ‘‘କିଓ ବାବାଜୀ, ଚା କପେ ହେବ ? ମହାଦେବ ବାବୁଙ୍କ ପାଖକୁ ଆଗେଇ କହିଲେ, “ନାଁ ବାବୁ, ମୁଁ ଗୋଟିଏ ଷଣ୍ଢ ଖୋଜିବାକୁ ଆସିଛି ।”

 

ବାବୁଟି କହିଲେ, “ଆରେ ବାବୁ, ରାଜଧାନୀ ଷଣ୍ଢ କୁଆଡ଼ୁ ପାଇବ ? ଏଠାରେ ଖାଲି ଗାଈ, ନ ହେଲେ ବଳଦ । ଆମ ଦେଶରେ ଆଉ ଷଣ୍ଢ ନାହାନ୍ତି । ବିଦେଶରୁ ଯେ ଗୋଟିଏ ଗୋଟିଏ ଷଣ୍ଢ ଆସୁଛନ୍ତି, ସେମାନେ ଠାଏ ଠାଏ ଅଫିସ କରି ରହିଛନ୍ତି। ତୁମର ଯଦି ଗାଈ ବତର ପଡ଼ିଛି ତେବେ କଟକ ନେଇ ଯାଅ, ବାଟ କୋଡ଼ିଏ ମାଇଲ । ନ ହେଲେ ପଶ୍ଚିମକୁ ଯଦି ନେବ, ମେଣ୍ଢାଶାଳ ନେଇଯାଅ । ସେ ବି ପଡ଼ିବ ସେଇ ସତର ଅଠର ମାଇଲ । ଦକ୍ଷିଣକୁ ନେଲେ ପିପିଲି, ସେ ତେର ମାଇଲ। ପୂର୍ବକୁ ନେଲେ ନିମାପଡ଼ା, ସେ ବି କୋଡ଼ିଏ ମାଇଲ । ପଘାଲଗା ହୋଇ ଗାଈ ଯଦି ଏତେ ବାଟ ଯାଇପାରିବ, ଯାଇ ପହଞ୍ଚିଲା ବେଳକୁ ଯଦି ବତର ଥିବ, ପୁଣି ଅଫିସ ବେଳ ହୋଇଯିବ, ଆଉ ଷଣ୍ଢର ଦେହ ପା’ ଭଲ ଥିବ, ତେବେ ତମ ଗାଈ ଫଳ ଯିବ । ନ ହେଲେ ଆଉ ତିନି ହପ୍ତା ପରେ ପୁଣି ଆଉ ଥରେ ନେବେ । ଏହା ଫଳରେ ଆଉ ଏ ପାଖପୁଖାରେ ଲୋକେ ଆଉ ଗାଈ ରଖୁନାହାନ୍ତି । ସେଥିରେ ବି କିଛି ଅଡ଼ୁଆ ହେଉନାହିଁ । ଆମକୁ ଗୁଣ୍ଡ ଦୁଧ ମିଳିଲାଣି ଯଥେଷ୍ଟ, ବଡ଼ ବଢ଼ିଆ ଜିନିଷ ।”

 

ମହାଦେବ କହିଲେ, “ନାହିଁ ବାବା ମୋର ଗାଈ ଦରକାର ନାହିଁ । ମୁଁ ମୋ ନିଜ ଷଣ୍ଢଟି ଖୋଜୁଛି । ଚାରି ମାସ ତଳେ ଏଠାରେ ଛାଡ଼ି ଦେଇ ଯାଇଥିଲି, ଚରିବାକୁ ।”

 

ବାବୁଟି ଖୁବ୍‌ ହସିଲେ; କହିଲେ, “ନୂଆ ରାଜଧାନୀରେ ଚରିବାକୁ ଛାଡ଼ିଦେଇଥିଲ ! ତୁମ ଷଣ୍ଢ ଗୋଡ଼ି ଖାଏ ନା କ’ଣ ?

 

ମହାଦେବ—ବାବୁ, ସେତେବେଳେ ତ ଭଲ ଘାସ ଥିଲା । ଏବେ ଖରାରେ ସବୁ ଶୁଖିଗଲାଣି ।

 

ବାବୁ—“ଫିଟା ଷଣ୍ଢ କ’ଣ ଚାହିଁ କରି ବସିଥିବ, ବର୍ଷା ହେଲେ ଘାସ କଅଁଳିବ ବୋଲି ? ଏଠା ଅବସ୍ଥା ଦେଖି ସେ ତା ବାଟ ଧରିବଣି । ଯାଅ, ଯୁଆଡ଼େ ଘାସ ଅଛି ସିଆଡ଼େ ଖୋଜ । ଆଜିକାଲି ଦେଶୀ ଷଣ୍ଢଙ୍କୁ ବହୁତ ବିପିତ୍ତି । କପାଳେ ଥିଲେ ପାଇବ । ଯାଅ ଖୋଜ ।”

 

ଏହା କହି ବାବୁ ଦୋକାନ ଭିତରକୁ ଉଠିଗଲେ । ତାଙ୍କଠାରୁ ଆଉ କିଛି ଖବର ମିଳିବାର ଆଶା ନ ଦେଖି ମହାଦେବ ଆଗକୁ ଚାଲିଲେ । ଯେଉଁ ଅଫିସକୁ ସେ ପ୍ରଥମରେ ଯାଇଥିଲେ, ତା ଚାରିପଟେ ଥରେ ଆଖି ବୁଲାଇଲେ । ଗାନ୍ଧିସ୍ମୃତି ଓ ଲାଟ ଭବନ ବୋଲି ଯେଉଁ ଜଙ୍ଗଲ ଦିଖଣ୍ଡ ଅଛି ତା’ରି ଭିତରେ ଖୋଜିଲେ । ଆଦର୍ଶ କୃଷି ଫାର୍ମ ବୋଲି ଯେଉଁ ପଡ଼ିଆ ଖଣ୍ଡ ବାଡ଼ାବନ୍ଦି ହୋଇଛି, ତା ଭିତରକୁ ଚାହିଁଲେ । ଉଡ଼ାଜାହଜ ପଡ଼ିଆକୁ ଦେଖିଲେ । କୌଣସିଠାରେ ଷଣ୍ଢର ଚିହ୍ନବର୍ଣ୍ଣ ମିଳିଲା ନାହିଁ । ଉଡ଼ାଜାହାଜ ପଡ଼ିଆରୁ ଫେରିବା ବାଟରେ ଜଣେ ବ୍ରାହ୍ମଣ ସଙ୍ଗେ ଦେଖା ହେଲା, ସେ ପୁରୁଣା ଭୁବନେଶ୍ୱର ଆଡ଼କୁ ତରତର ହୋଇ ମୁହାଁଇଥାନ୍ତି । ଷଣ୍ଢ ଖୋଜୁଥିବା କଥା କହିବାରୁ ବ୍ରାହ୍ମଣ ବିରକ୍ତି ହୋଇ କହିଲେ,“ଓଃ, କି ଅଧର୍ମ ଘୋଟିଗଲା କହିଲେ ! ଏ ହପ୍ତାକ ଭିତରେ ମୋତେ ପାଞ୍ଚ ଜଣ ପଚାରିସାରିଲେଣି, ଷଣ୍ଢ ଦେଖିଛ କି ବୋଲି । କିରେ ବାବୁ, ଷଣ୍ଢ ତାଙ୍କର ସେ ଅଛନ୍ତି, ସେଗୁଡ଼ାକ ମହାଦେବଙ୍କ ବାହନ, ତାଙ୍କୁ ଇମିତି ଖୋଜି ଧରାଣ କଲେ କେଉଁ ପରୁଷାର୍ଥ ମିଳିବ ? ପଇସା ଖର୍ଚ୍ଚ କରି ଲୋକ ନିଯୁକ୍ତି ହୋଇଛନ୍ତି, ଖୋଜି ଖୋଜି ଷଣ୍ଢ ଧରାଣ କରିବାକୁ !”

 

ମହାଦେବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଗୋସେଇଁ, ଷଣ୍ଢ କ’ଣ ଧରାଣ ହେଉଛନ୍ତି, ମୁଁ କିଛି ବୁଝିପାରୁନାହିଁ ।”

 

ଗୋସେଇଁ ମୁହଁ ଫେରାଇ ମହାଦେବଙ୍କ ଆଡ଼କୁ ଚାହିଁଲେ; କହିଲେ, “ଓହୋ ! ତମଆଡ଼କୁ ତ ମୁଁ ଚାହିଁ ନ ଥିଲି । ଷଣ୍ଢ ଧରାଣବାଲା ତ ପ୍ୟାଣ୍ଟପିନ୍ଧା ବାବୁ । ତମେ ମଫସଲିଆ ଲୋକ ପରି ଦିଶୁଛ । ତମେ କାହିଁକି ଷଣ୍ଢ ଖୋଜୁଛ ହେ ?”

 

ମହାଦେବ—ଆପଣେ, ସେ ଷଣ୍ଢଟାକୁ ଚାରି ମାସ ତଳେ ମୁଁ ଏଠାରେ ଛାଡ଼ି ଦେଇ ଯାଇଥିଲି; ତାକୁଇ ନେବାକୁ ଖୋଜୁଛି ।

 

ଗୋସେଇଁ—ଷଣ୍ଢକୁ ପଘା ନା ବାଂଝକୁ ଲଗା । ଷଣ୍ଢ କ’ଣ ଠାଏ ଥୟ ହୋଇ ରହିବ ? ବଣ ଜଙ୍ଗଲକୁ ଯଦି ପଳେଇଥିବ ରକ୍ଷା । ନ ହେଲେ ପଶୁ ଇଲାକାର ବାବୁମାନେ ଧରାଣ କରି କୁଆଡ଼େ ଚାଲାନ୍‌ କରି ଦେଇ ସାରିବେଣି । ଏବେ ପରା ଦୁଇ ଡବା ଧରାଣ ହୋଇଥିବା ଷଣ୍ଢ ବାଲେଶ୍ୱର ନା କଲିକତା ଚାଲାନ୍‌ ହୋଇଛନ୍ତି । ଷଣ୍ଢୁଟେ ତୁମେ କାହିଁକି ରଖିଚ ? ଷଣ୍ଢ ରଖିଲେ ଭାରି ଅଡ଼ୁଆ । ଗୁଡ଼ାଏ କଳିକଜିଆ ମାଡ଼ଗୋଳ ଲାଗିଯିବ । ଆଗେ ସବୁ ଗାଁମାନଙ୍କରେ ବଡ଼ ବଡ଼ ଲୋକେ ସଲକ୍ଷଣ ବାଛୁରୀ ଦେଖି ଷଣ୍ଢ କରୁଥିଲେ । ଗାଁ ଶୃଙ୍ଖଳା ତ ଭାଜିଗଲାଣି, ଆଉ ସେ କଥା ମନେ ପକାଇଲେ କ’ଣ ହେବ ? ଆଜିକାଲି ମିସନ ବାଲାଙ୍କ ପରି କେହି କେହି ଗୋଟାଏ ଗୋଟାଏ ଷଣ୍ଢ ରଖିଛନ୍ତି, ପଇସା ନେଇ ଗାଈ ପାଖକୁ ଛାଡ଼ୁଛନ୍ତି । ତମେ କ’ଣ ସେଇ ବେପାର କର ?

 

ଗୋସେଇଁ କଥାବାର୍ତ୍ତା ହେଉ ହେଉ ଟଙ୍ଗ ଟଙ୍ଗ ଚାଲିଥାନ୍ତି । ମହାଦେବ ବଡ଼ କଷ୍ଟରେ ତାଙ୍କ ପିଛା ଧରି କହିଲେ,‘‘ନାଇଁ ଗୋସେଇଁ, ମୋ ଷଣ୍ଢ ଆଜନ୍ମ ବ୍ରହ୍ମଚାରୀ । ସେ ବହୁଦିନରୁ ମୋ ସଙ୍ଗରେ ଅଛି । ମୁଁ ସେଇଥିରେ ବସି ଯିବାଆସିବା କରେ ।”

 

ଗୋସେଇଁ ପୁଣି ଥରେ ମହାଦେବଙ୍କ ଆଡ଼କୁ ଚାହିଁ କହିଲେ, “ଶିବାୟ ନମଃ, ଶିବାୟ ନମଃ। ତମେ କ’ଣ ମୁସଲମାନ ନା ଥୋଡ଼ିଆ, ଷଣ୍ଢଟା ଉପରେ ବସୁଛ !” ଗୋସେଇଁ ଚାଲିଥା’ନ୍ତି । ମହାଦେବ କିଛି ନ କହି ତାଙ୍କ ପଛରେ ପଛରେ ଯାଉଥା’ନ୍ତି। ଟିକକ ପରେ ସେ ପୁଣି କହିଲେ, “ଗୋସେଇଁ ମହାପୁରୁ, କ’ଣ କହୁଥିଲେ, ଷଣ୍ଢଗୁଡ଼ାକ ଧରାଣ କରୁଛନ୍ତି ବୋଲି ?”

 

ଗୋସାଇଁ ବୁଲି ପଡ଼ି ମହାଦେବଙ୍କୁ ଚାହିଁ ଠିଆ ହେଲେ, କହିଲେ, “ତୁମେ ଆଜି ସବୁ କାମ ମୋର ମାରା କରିବ । ଆଜି ସଂକ୍ରାନ୍ତି, ଦୁଇଠା କର୍ମ କରି ଫେରିଲିଣି । ଲିଙ୍ଗରାଜ ମହାପ୍ରଭୁଙ୍କ ମୁଣ୍ଡରେ ପାଣି ମୁନ୍ଦେ ଅଜାଡ଼ିଦେଲେ, ପୁଣି ଦି’ ତିନି ଜାଗା ଯିବାକୁ ଅଛି । ତୁମେ ତ ଖାଲି ଗୋଟି ଗୋଟି କରି କଥା ମେଲାଉଚ । ବୁଢ଼ାଲୋକ, ପଚାରୁଛି ଯେତେବେଳେ ନ କହି କିମିତି ଚାଲିଯିବି ବୋଲି ବିଚାରିଲା ବେଳକୁ, ତମ କଥା ସରିବାକୁ ନାଇଁ ।”

 

ମହାଦେବ ମାଫି ମାଗିଲା ପରି କହିଲେ, “ଗୋସେଇଁ ମହାପୁରୁ ! ତୁମକୁ ମୁଁ ବଡ଼ ଅଡ଼ୁଆ ହେଉଚି ପରା ! ତୁମେ ଠିଆହେଲ କାହିଁକି ? ତୁମ ସାଙ୍ଗରେ କଥାବାର୍ତ୍ତା ହେବାକୁ ଟିକିଏ ସୁଖ ଲାଗୁଛି ବୋଲି ମୁଁ ତମ ସାଙ୍ଗରେ ଆସୁଛି । ରାଜଧାନୀର ବାବୁମାନଙ୍କର ଟିକିଏ ଧର୍ମକର୍ମରେ ମତି ତା’ ହେଲେ ଅଛି ?”

 

ଗୋସେଇଁ ପୁଣି ଚାଲିବାକୁ ଆରମ୍ଭ କରି କହିଲେ, “ହଁ, ବା’କୁ ବତାପରି ବାବୁମାନଙ୍କର ଧର୍ମ । ଓଷୁଅ ଖାଇ ଯଦି ପିଲାଙ୍କର ଦେହ ଭଲ ନ ହେଲା, ତେବେ ନାମକୁ ହୋମଟାଏ କରାଇଦେଉଛନ୍ତି । ଆଜିକାଲି ଲୋକଙ୍କର ଆଉ ଧର୍ମକର୍ମରେ ମନ କୁଆଡ଼ୁ ବସିବ ? ଏବେ ପରା ଜାତି ବୁଡ଼ାଇବାକୁ ଗୋଟିଏ କଣ ଆଇନ୍‌ ହେଉଛି ।”

 

ମହାଦେବ—କି ଆଇନ୍‌ ?

 

ଗୋସେଇଁ—ତମେ ଆମ ଏ ରାଜ୍ୟର ଲୋକଟି ? ତମେ ଶୁଣିନାହଁ, ଆଜିକାଲି ହୋଟେଲମାନଙ୍କରେ ବ୍ରାହ୍ମଣ ହାଡ଼ି ଏକାଠି ବସି ଖାଇବେ ବୋଲି ଆଇନ୍‌ ହୋଇଛି ?

 

ମହାଦେବ—ସତେ ! ହୋଟେଲରେ ଖାଇବାକୁ ବ୍ରାହ୍ମଣମାନଙ୍କୁ ବାଧ୍ୟ କରାହେଉଛି ।

 

ଗୋସେଇଁ—ବାଧ୍ୟ କାହିଁକି କରା ହେବ ? ବ୍ରାହ୍ମଣମାନେ କ୍ରିୟାଭ୍ରଷ୍ଟ ହୋଇ ହୋଟେଲରେ ଖାଇଗଲେଣି ।

 

ମହାଦେବ—ପୂଜା ବୈଶ୍ୱଦେବ ନ ହେଉଥିବା ଅନ୍ନ ଯେଉଁମାନେ ଯାଇ ହୋଟେଲରେ ଖାଉଛନ୍ତି, ସେ ତ ମନକୁ ମନ ପତିତ ହୋଇଗଲେ । ତାଙ୍କ ପାଖରେ ହରିଜନ ବସି ଖାଇଲେ ଦୋଷ କ’ଣ ? ଘରେ ସିନା ବ୍ରାହ୍ମଣ କରଣ ? ଯାହାର ପଇସା ଅଛି ସେ ତ ହୋଟେଲରେ ବସି ଖାଇଲା; ସେଠି ଜାତି ବିଚାର କାହିଁକି ହେବ ? ଆପଣ କ’ଣ ହୋଟେଲରେ ଖାଇଲେଣି ?

 

ଗୋସେଇଁ—ତା’ ଏ ଜନ୍ମରେ ହୋଇପାରିବ ନାହିଁ । ପିଲା ଅବା ଯାଇ ଖାଇବେ । ତମେ ଯାହା କହୁଛ ସେ କଥା କଣ ମିଛ କି ? ଆମ କ୍ରିୟା ଯଦି ଆମେ ନ ରଖିବ ତେବେ କିଏ କ’ଣ କରିବ ? ହୋଟେଲଖାନା ଖାଇ ଆପଣା ତୁଣ୍ଡରେ ଆମେ ଉଚ୍ଚ ଜାତି ବୋଲି କହିହେବା ଗୋଟାଏ ତୁଚ୍ଛା କଥା ନା ! ସେ ଆଇନକୁ ମୁଁ ଖୁଣୁନାହିଁ ଯେ, ଏବେ ଗୋଟାଏ କ’ଣ ଆରମ୍ଭ ହେଲାଣି, ଜାତିଭେଦ ଏକାବେଳକେ ଉଠିଯିବ, କେହି ନିଜ ବଡ଼ଜାତି ବୋଲି ବଡ଼େଇ କରିପାରିବେ ନାହିଁ । ସବୁ ଜାତିର ସମାନ ଅଧିକାର ରହିବ ।

 

ମହାଦେବ—ଏକଥା ତ ସବୁଦିନେ ଥିଲା । ଆମର ଧର୍ମରେ ଅଛି—ସର୍ବସାଧାରଣ ଜାଗାରେ, ହାଟରେ ବାଟରେ, ଡଙ୍ଗାରେ, ସଭାସମିତିରେ ଜାତି ଧରାଯାଏ ନାହିଁ । ଆପଣ ମନୁସ୍ମୃତି ପଢ଼ିଥିବେ ?

 

ଗୋସେଇଁଙ୍କର ମହାଦେବଙ୍କ ପ୍ରତି ଟିକିଏ ସମ୍ମାନ ବଢ଼ିଲା । ସେ କହିଲେ, “ବୁଢ଼ା, ତୁମେ ତ ଗୁଡ଼େ ଧର୍ମଶାସ୍ତ୍ର ଶୁଣାଶୁଣି କରିଛ! ତୁମ ଗାଁରେ ବର୍ତ୍ତମାନ ସୁଦ୍ଧା ପୁରାଣ ପ୍ରଭୃତି ଲାଗୁଛି ପରା ! ସ୍ମୃତିଶାସ୍ତ୍ର ଆଜିକାଲି କିଏ ମାନୁଚି ? ବ୍ରାହ୍ମଣମାନେ ଧର୍ମକର୍ମ ଛାଡ଼ି ଭୁବନେଶ୍ୱରରେ ଆସି ଶୂଦ୍ରପରି ଚାକିରି କରିଛନ୍ତି, ତଥାପି ନିଜେ ବ୍ରାହ୍ମଣ ବୋଲି ପାସୋରି ପାରୁନାହାନ୍ତି ।

 

ମହାଦେବ—ସେଇ କଥା ବନ୍ଦ କରିବାକୁ ବୋଧହୁଏ ନୂଆ ଆଇନ ହୋଇଥିବ । ତା’ ନକରି ଯଦି ଶ୍ରାଦ୍ଧ, ତର୍ପଣ, ଦିଅଁ ପୂଜା ବନ୍ଦ କରିବାକୁ ଆଇନ ହେବ, ତା’ହେଲେ ସେ ଆଇନ୍‌ କିଏ କାହିଁକି ମାନିବେ ? ଆଇନି ନିମନ୍ତେ ଆଇନ ଥିବ, ଲୋକେ ନିଜ ଆଚାର ଧରି ଚଳିବେ । ଲୋକମତର ବିରୋଧୀ ହୋଇ, ଆଇନ ହୋଇପାରିବ ନାହିଁ; ହେଲେ ବି ରହିପାରିବ ନାହିଁ ।

 

ଗୋସେଇଁ—ତମେ ନ୍ୟାୟ କଥା କହୁଛ, ବୁଢ଼ା ! କିନ୍ତୁ ସେ ନ୍ୟାୟ ଆଜିକାଲି କିଏ ମାନୁଛି ? ସେଇ ଷଣ୍ଢ ଧରାଣ କଥା କହୁଥିଲି ପରା । ସରକାରଙ୍କର ଏବେ ଗୋଟିଏ ଦୁଆ ଉଠିଚି, ଆମ ଏ ଦେଶୀ ଷଣ୍ଢଗୁଡ଼ାକ ଯୋଗୁଁ ଗାଈ ନଷ୍ଟ ହୋଇଯାଉଛନ୍ତି। ପୂର୍ବରେ ବଡ଼ ବଡ଼ ଲୋକେ ସଲକ୍ଷଣ ବାଛୁରୀ ଷଣ୍ଢ କରିଦେଉଥିଲେ । ଏବେ ତ ଆଉ ସେ କଥା ନାହିଁ । କୁଜା, ଖଣ୍ଡିଆ, ଖଣ୍ଡପଞ୍ଜର, ଜଟିଆ ବାଛୁରୀ ସବୁ ବଳଦ ହୋଇପାରିବ ନାହିଁ ବୋଲି ତାଙ୍କୁ ଷଣ୍ଢ କରିଦେଉଛନ୍ତି; ସେ କଥା ଖରାପ । ଭଲ ବାଛୁରୀ ଷଣ୍ଢ କର ବୋଲି ଲୋକଙ୍କୁ ବୁଝାଇବା କୁଆଡ଼େ ଗଲା, ସରକାର ଧରିଛନ୍ତି, ଯେଉଁଠାରେ ଅଲକ୍ଷଣା, କୁଜି ଷଣ୍ଢ ଦେଖିବେ ସେଠି ତାକୁ ମାଡ଼ି ବସି ଧରାଣ କରିଦେବେ; ବିଦେଶରୁ ଷଣ୍ଢ ଆଣି ରଖିବେ । ଠାଏ ଠାଏ ଗୋଟିଏ ଅଫିସ କରିଛନ୍ତି, ଷଣ୍ଢ ଆଣି ସେଠାରେ ବାନ୍ଧିଛନ୍ତି । ଏପରି ଅନେକ ବର୍ଷ ହେଲା ଚାଲିଲାଣି । ଷଣ୍ଢଗୁଡ଼ାକ ବନ୍ଧା ହୋଇ ଅଣ ପୁରୁଷିଆ ହୋଇଯାଉଛନ୍ତି, ଗାଈ ଗୋଠରେ ଷଣ୍ଢ ନ ବୁଲିବାରୁ ଗାଈଙ୍କର ବି ଆଉ ବତର ପଡ଼ୁ ନାହିଁ । ତମ ଷଣ୍ଢକୁ ୟା ଭିତରେ ଧରାଣ କରି ନ ଦେଇଥିଲେ ରକ୍ଷା ।

 

ମହାଦେବ ତାଟକା ହୋଇ କହିଲେ, “ଏଁ, ସରକାର ବାସୁଆକୁ ଧରାଣ କରିଦେବେଣି । ଧରାଣ ହେଲେ ତ ସେ ମୋ କାମରେ ମୋ କାମରେ ଲାଗିବ ନାହିଁ । ତାକୁ ଛାଡ଼ି ମୁଁ ଚଳିବି କେମିତି ?” ସେ ଥକା ହୋଇ ଠିଆ ହୋଇପଡ଼ିଲେ । ଗୋସେଇଁ ମହାଦେବଙ୍କଠାରୁ କିଛି ଉତ୍ତର ନପାଇ ପଛକୁ ଫେରି ଡାକିଲେ, “ବୁଢ଼ା, ମନ ବ୍ୟସ୍ତ କଲେ କ’ଣ ହେବ, ଆଜିକାଲି କିଏ କାହା ସୁଖଦୁଃଖ କଥା ବୁଝୁଛି । ଜଣେ ଦି’ଜଣଙ୍କର ଯାହା ଚିତ୍ତକୁ ଆସୁଛି ଆଜିକାଲି ସେଇ ଆଇନ୍‌ । ଆଚ୍ଛା, ତମ ଷଣ୍ଢ କ’ଣ ବଳୁଆ ଜନ୍ତୁ ?”

 

ମହାଦେବ କହିଲେ, “ହଁ, ଟାଣୁଆ ନୁହେଁ କ’ଣ ? ଖାସା ଟଣୁଆ; ସେମିତିକା ବଳୁଆ ଜନ୍ତୁଟାଏ ତ ଶହେକେ ଗୋଟିଏ ମିଳିବ ନାହିଁ ।”

 

ଗୋସେଇଁ—ତେବେ କିଛି ଚିନ୍ତା ନାହିଁ । ଜଣେ ହାକିମ ତାଙ୍କ ଚପରାଶିକୁ ଧରି ଷଣ୍ଢ ଧରାଣ କରିବାକୁ ବୁଲୁଛନ୍ତି । ଲୋକେ ଏଥିରେ ସାହାର୍ଯ୍ୟ କରୁନାହାନ୍ତି; କହୁଚନ୍ତି, ଆମ ଗାଁକୁ ଆଗ ଭଲ ଷଣ୍ଢଟିଏ ଦିଅ, ଆମ ଷଣ୍ଢଟିକୁ ଧରାଣ କରିବ । ବିନା ସାହାର୍ଯ୍ୟରେ ଦି’ଜଣ ଲୋକ ଯେଉଁ ଷଣ୍ଢକୁ ପାରି ପାରିବେ, ତାକୁଇ ସିନା ଧରାଣ କରିବେ ! ତମ ଷଣ୍ଢ ପରି ଟାଣୁଆ ଷଣ୍ଢକୁ ଭୟରେ ଛାଡ଼ି ଚାଲିଯାଇଥିବେ । ତମେ ଖୋଜାଖୋଜି କର, ପାଇଯିବ ବୋଲି ଲାଗୁଛି ।

 

ମହାଦେବ କହିଲେ,“ହଉ ତେବେ ଖୋଜୁଛି, ଗୁଡ଼ାଏ ତ ଖୋଜି ସାରିଲିଣି ।” ସେତେବେଳକୁ ଗୋସେଇଁ ଯାଇ ଲିଙ୍ଗରାଜ ମନ୍ଦିର ଦୁଆରେ । ମହାଦେବ ଦି’ଚାରି ପାହୁଣ୍ଡ ଫେରି ଆସିଲେଣି, ଗୋସେଇଁ ତାଙ୍କୁ ପଛରୁ ଡାକି କହିଲେ, “ବୁଢ଼ା ! ଆଉ ଗୋଟିଏ କଥା ରହିଗଲା । ଟିକିଏ କାଞ୍ଜିଆହୁଦାରେ ଖବର ନେବ । କେଜାଣି ଯଦି କିଏ ତାକୁ କାଞ୍ଜିଆହୁଦାର ପକାଇଦେଇଥାଏ ।”

 

‘କାଞ୍ଜି ଆହୁଦା’ କ’ଣ ବୋଲି ମହାଦେବ ପଚାରିଲା ବେଳକୁ ଗୋସେଇଁ କହିଲେ, “ମୋତେ ଆଉ ଫୁରସତ୍‌ ନାହିଁ । ତୁମେ ବାଟ ପଚାରି ପଚାରି କାଞ୍ଜିଆହୁଦାଠିକି ଯାଅ ।”

 

କାଞ୍ଜି ଆହୁଦାକୁ ବାଟ ପାଇବା କଷ୍ଟ ହେଲା ନାହିଁ । ମହାଦେବ ଯାଇ ସେଠାରେ ପହଞ୍ଜିଲା ବେଳକୁ ଦି’ ତିନିଟା ଟୋକା, ଗୁଡ଼ାଏ ଗୋରୁ ଗୋଟି ଗୋଟି କରି ଗଣି କାଞ୍ଜିଆହୁଦା ଭିତରକୁ ଛାଡ଼ୁଛନ୍ତି । କାଞ୍ଜି ଆହୁଦା ବୋଇଲେ ବଖରାଏ ଛୋଟିଆ ଘର । ତା’ ଆଗରେ ସେଇ ବଖରେ ଆକ୍ରାନ୍ତରେ ଗୋଟିଏ ଗେରଦ । ଗୋବର, ମୂତରେ ତାହା ନିର୍ଧୁମ ଖରାବେଳେ ବି ଭାରି କାଦୁଅ ହୋଇଛି । ଗୋରୁ ଗୋଟିକୁ ଆଠଅଣା ଲେଖାଏଁ ଗଣିଦେଇ, କାଞ୍ଜିଆହୁଦାବାଲା ମହାଦେବଙ୍କୁ ପଚାରିଲେ, “କି ବୁଢ଼ା ଭାଇ ! ତମର ଜାନୁଆର କ’ଣ ଏହା ଭିତରେ ଅଛି ?”

 

ମହାଦେବ—ନାଇଁ, ମିଆଁ ସାହେବ, କାଇଁ ଦେଖୁନାଇଁ ତ । ସବୁ ଖବର ଏଇଠାରେ ମିଳିବ ବୋଲି ଜଣଙ୍କଠାରୁ ଶୁଣି ଆସିଛି । ୟେ ଗୋରୁମାନେ ସବୁ ଆପଣଙ୍କ ଏଠାରେ କେତେ ଦିନ ହେଲା ରହିଛନ୍ତି ?

 

ମିଆଁ ସାହେବ—କେତେ ଦିନ ରହିବେ କ’ଣ? ଅବିକା ଆସି ପହଞ୍ଚିଲେ । ରାତି ସରିକି ଖୋଜାଖୋଜି କରି ଯେଝା ଗୋରୁ ସେ ନେଇଯିବ ! କଦବା କିମିତି ଗୋଟିଏ ଗୋଟିଏ ଜନ୍ତୁ ସାତଦିନ ରହିଯାଆନ୍ତି । ଆଜିକାଲି କାଞ୍ଜି ଆହୁଦା ଫିସ୍‌ ଭାରି ଟାଣ ହୋଇଚି ନା, ଗୋରୁଟା ପନ୍ଦର ଦିନ ରହିଗଲେ, ଆମ ଫିସ୍‌ ତା’ ଦାମକୁ ବଳେଇବ ।

 

ମହାଦେବ—କାଞ୍ଜି ଆହୁଦା ଫିସ କଣ ?

 

ମିଆଁ ସାହେବ ଖୁବ୍‌ ହସିଲେ, କହିଲେ, “କାଞ୍ଜି ଆହୁଦା ଫିସ ତୁମକୁ ଜଣାନାହିଁ ପରା ବୁଢ଼ା ? ତୁମ ଜାନୁଆର କେବେ କାଞ୍ଜି ଆହୁଦାରେ ପଡ଼ି ନାହାନ୍ତି ବୋଧହୁଏ । ଏଇ ଯେ ଗୋରୁମାନ ଆମର ଏଇ ହାତ ଭିତରେ ପଶିଲେ ତାକୁ ମୁକୁଳେଇବାକୁ ହେଲେ ଗୋଟିକୁ ତିନି ଟଙ୍କା ପଡ଼ିବ । ଆଜି ରାତିଟି ପାଇଲେ, ଖୋରାକି ବାବଦକୁ ପୁଣି ଆଠଣା ଲେଖାଏଁ ମିଶିବ ।

 

ମହାଦେବ—ଆଠ’ଣାର ଖୋରାକି କ’ଣ କ’ଣ ଦିଅନ୍ତି ?

 

ମିଆଁ ସାହେବ—ଆମେ କ’ଣ ଖୋରାକି ଦେବା ? ସେ ଆଠଣା ଖୋଦା ଆମକୁ ଖୋରାକି ଦେବେ । ଆପଣ ଦେଖୁ ନାହାନ୍ତି, କୋଡ଼ିଏଟି ଗାଈ ସେଠାରେ ଠିଆ ହେବାକୁ ଜାଗା ନାହିଁ । ଚଟାଣ ଯେପରି ହୋଇଛି, ସେଥିରେ କୁଟା କେରାଏ ପଡ଼ିଲେ ସାଙ୍ଗେ ସାଙ୍ଗେ ଗୋବର ମୁତରେ ବୁଡ଼ିଯିବ । ବେଳେବେଳେ ବିଡ଼ାଏ ବିଡ଼ାଏ ନଡ଼ା, ଆମେ ତାଙ୍କ ଉପରକୁ ଫୋଫାଡ଼ି ଦେଉ-। ତଳେ ପଡ଼ି କୁଦାଚକଟା ହେବା ପୂର୍ବରୁ ଯଦି କେହି ଖାଇଦେଇପାରିଲା ତେବେ ଭଲ-। ନ ହେଲେ, ତା ମାଲିକ ତାକୁ ଘରେ ନେଲେ ଖୁଆଇବ ।

 

ମହାଦେବ—ଆଉ ଏ ତିନି ଟଙ୍କା ଫିସ କାହିଁକି ?

 

ମିଆଁ ସାହେବ—ଆମେ ବର୍ଷକୁ ଅଠରଶ ଟଙ୍କାକୁ କାଞ୍ଜି ଆହୁଦା ଇଜାରା ନେଇଛୁ । ସେ ଟଙ୍କା ଉଠାଇବାକୁ ହେବ । ତା’ପରେ ଆମର ବି ପାଉଣା ଅଛି । ସେସବୁ କ’ଣ ଉଠିପାରନ୍ତା ? ଫିସ ଚଢ଼ା ଥିବାରୁ ଯିଏ ଗୋରୁଟାଏ ଆଣୁଛି, ତାକୁ ଆମେ ଆଠଣା ମିଠେଇଖିଆ ଦେଉଛୁ । ସେଥିଯୋଗୁଁ ଆମ ଏଠାରେ ଗୋରୁର ଅଭାବ ନାହିଁ । ଏ ଯେଉଁ ତିନି ଚାରି ଜଣ ଟୋକା ଦେଖିଲ, ଏମାନେ ସବୁ ଆଗ ରାଜଧାନୀରେ କୁଲି କାମ କରୁଥିଲେ । ଏ କାଞ୍ଜି ଆହୁଦା ଫିସ ବଢ଼ିଗଲା ଦିନୁ ଆଉ ତାଙ୍କର କୁଲି କାମ କରିବା ଦରକାର ପଡ଼ୁନାହିଁ । ଦି’ପହର ବେଳା ଘଣ୍ଟାଏ ଘଣ୍ଟାଏ ମେହେନତ କରିଦେଲେ ହେଲା । ଦୁଇ ତିନି ଟଙ୍କା ମିଳିଯାଉଛି ।

 

ମହାଦେବ ଏ କଥାର ସବୁ କିଛି ଅନ୍ତ ପାଉନଥାନ୍ତି । କାଞ୍ଜିଆ—ହୁଦା କାହିଁକି ହୋଇଛି, ଏ ଟଙ୍କା ଅବା କାହିଁକି ନିଆ ଯାଉଛି, ସେକଥା ଆଉ ଟିକିଏ ଭଲ ଭାବରେ ବୁଝିବା ପାଇଁ ସେ ପଚାରିଲେ ମିଆଁ ସାହେବ, ଏ ବିଷୟରେ ମୁଁ କିଛି ବୁଝିପାରୁନାହିଁ। ଏଇ ଯେ ତିନି ଟଙ୍କା ଲେଖେଁ ନିଆଯାଉଛି, ସେ କାହିଁକି ନିଆଯାଉଛି ? ଏହା କାହା ଗାଈ, କିଏ ଆଣି ଏଠାରେ ପକାଇଲା ? କିଏ ପୁଣି ୟାଙ୍କୁ ମୁକୁଳେଇବ ?”

 

ମିଆଁ ସାହେବ ମୁଡ଼ୁକି ମୁଡ଼ୁକି ହସି ହସି କହିଲେ, “ୟେ ସବୁ ଖୁଦାର କାମ । ଆମକୁ ଯେତେବେଳେ ଖୁଦା ଆଣି ଦୁନିଆରେ ପକାଇଛି, ଆମର ପିଲାପିଲି ପୋଷିବାର ବାଟ ତ ସେ ପୁଣି ଦେଖାଇବ ! ଖୋଦାର ଇସାରାରେ ଆମ ସରକାର ବୁଝିଗଲେ ଯେ ଗୋରୁ ପଶି କ୍ଷେତ ଖାଇଯିବା ହେତୁରୁ ଧାନ ନିଅଣ୍ଟ ହୋଇଯାଉଛି । ସରକାର ସ୍ଥିର କଲେ କାଞ୍ଜି ଆହୁଦା ଫିସ ଏକାଥରକେ ବଢ଼ାଇ ତିନିଟଙ୍କା କରିଦେଲେ, ଲୋକେ ନିଜ ନିଜ ଗୋରୁ ଜଗିବେ । ଆମେ ଦେଖିଲ, ତିନି ଟଙ୍କାରୁ ଆଠ’ଣା ଯଦି ମେଠେଇଖିଆ ଦେବା, ତା’ ହେଲେ ଆମର ବି ରୋଜଗାର ହେବ । ଏ ଯେଉଁ ଛତରା ପିଲାଗୁଡ଼ିକ ଅକର୍ମା ହୋଇ ବୁଲୁଛନ୍ତି ସେମାନେ ବି କାମ ପାଇଯିବେ । ସେଥିପାଇଁ ଆମେ ଏପରି ପାଞ୍ଚ ଛ’ ଜଣ ଲୋକେ ଲଗାଇଦେଉଛୁ, ଯେ କି ଅଭାବରେ ଦୁଃଖୀରଙ୍କିଙ୍କ ଗୁହାଳରୁ ଫିଟାଇ ଆଣି ଗୋରୁ କାଞ୍ଜି ଆହୁଦାରେ ଢ଼ୁକାଇ ଦେବେ । ଏ ଯେଉଁ କୋଡ଼ିଏଟା ଗୋରୁ ଆଣିଲେ, ଏଇ ପଡ଼ିଆରୁ ଅଡ଼େଇ ଆଣିଥିବେ । ବର୍ତ୍ତମାନ ତ କିଛି ଫସଲ ନାହିଁ କ୍ଷେତରେ । ଗୋରୁ ଉଜାଡ଼ିଥିବେ କ’ଣ ?

 

ମହାଦେବ—ଏପରି ଅଦୌତି କଲେ କ’ଣ ମକଦ୍ଦମା ହୋଇପାରିବ ନାହିଁ ?

 

ମିଆଁ ସାହେବ—ମକଦ୍ଦମା କରିବ କିଏ ? ଦରିଦ୍ର ଲୋକ ତ କଂସା ବାସନ ବିକି ଗୋରୁ ମୁକୁଳେଇବ, ତା ବାଦ ଟଙ୍କା ବଳିଲେ ସିନା, ଖୋର୍ଦ୍ଧାକୁ ବାଟ ଖର୍ଚ୍ଚ କରି ଯାଇ, ଓକିଲ ମୁକ୍ତାର ଦେଇ ମକଦ୍ଦମା କରିବ । ଯଦି ବା ମକଦ୍ଦମା କରିବ, ଆମେ ତ ତା’ରିଠାରୁ ଆଦାୟ ହୋଇଥିବା ପଇସାରେ ମକଦ୍ଦମା ଲଢ଼ିବୁ । ଏ ଚାରି ପାଞ୍ଚଟି ପିଲା ଆମକୁ ଆଶ୍ରୟ କରି ପଡ଼ିଛନ୍ତି, ତାଙ୍କୁ ରକ୍ଷା କରିବା ଆମର ଧର୍ମ ।

 

ମହାଦେବ କହିଲେ, “ଏ ତ ବଡ଼ ଅନ୍ୟାୟ କଥା ।”

 

ମିଆଁ ସାହେବ—ହିଁ, ବିଚାରିଲେ ଅନ୍ୟାୟ, ପୁଣି ବିଚାରିଲେ ନ୍ୟାୟ; ତମର ହିନ୍ଦୁ କହନ୍ତି, ‘ପେଟ ପୋଷା ନାହିଁ ଦୋଷ’ । ଜାଣିଲେ ବୁଢ଼ା, ଜମିନ୍‌ରେ ଘର କରି ଏତେ ଅନ୍ୟାୟ ବାଛିଲେ ଚଳିବ ନାହିଁ । ଯେତେବେଳେ ଯାହା ସୁବିଧା ମିଳୁଛି, ତା’ର ଫାଇଦା ଉଠାଇବା ଦରକାର । ଆଚ୍ଛା, ଅବି ତମର କାମ କ’ଣ କହ ।

 

ମହାଦେବ—ତମଠାରୁ ଏ ସବୁ କଥା ଶୁଣି ମୋ ନିଜ କାମଟା ପୋସୋରି ହୋଇ ଯାଇଥିଲା । ମୁଁ ଦେଖୁଛି, ସବୁବେଳେ ଖାଲି ଦଣ୍ଡଭୟ ଦେଖାଇ ଦେଶକୁ ଶାସନ କରିବେ, ଦେଶର ମଙ୍ଗଳ କରିବେ ବୋଲି ସରକାର ଚାହୁଛନ୍ତି । ଫଳରେ ଯେଉଁମାନେ ବଡ଼ଲୋକ ଓ ପଇସାବାଲା ଲୋକ ଅଛନ୍ତି, ସେମାନଙ୍କୁ ଦଣ୍ଡ ପହଞ୍ଚିପାରୁନାହିଁ ବୋଲି ସେମାନେ ବେପରୁଆ ଭାବରେ ଚଳୁଛନ୍ତି। ନିରୀହ ଲୋକେ ଦଣ୍ଡ ଫଳରେ ଏତେ ଚପିଯାଉଛନ୍ତି ଯେ ସେମାନଙ୍କର ଉଦ୍ୟମ କରିବାକୁ ସ୍ପୃହା ରହୁନାହି। ସେ କଥା ତମ ଏଠାରେ ଆଲୋଚନା କରି ଫଳ କ’ଣ ? ମୋର ନିଜ କାମ କ’ଣ କି, ମୁଁ ଗୋଟିଏ ଷଣ୍ଢ ରାଜଧାନୀରେ ଚରିବାକୁ ଛାଡ଼ି ଯାଇଥିଲି। ସେ ତମ କାଞ୍ଜିଆହୁଦାରେ ପଡ଼ିଛି କି ନାହିଁ ବୁଝିବା ପାଇଁ ମୁଁ ଆସିଥିଲି ।

 

ମିଆଁ—ସାହେବଙ୍କ ମୁହଁ ଉଜ୍ଜ୍ୱଳ ହୋଇଗଲା । ସେ ପଚାରିଲେ,“ଗୋଟିଏ ବଡ଼ ଧଳା ଷଣ୍ଢ ନା, ମଣିଷଙ୍କ ପରି କଥାବାର୍ତ୍ତା କରେ ?”

 

ମହାଦେବ ଆଗ୍ରହରେ କହିଲେ, “ହଁ, ହଁ ତମେ ତ ତାହେଲେ ତାକୁ ଦେଖିଛ । ବାସି, ଧୋବା ଲୁଗା ପରି ଧଳା । ବଡ଼ ଚୂଳ, ଶିଙ୍ଘ ଯୋଡ଼ିକ ମୋଟା ମୋଟା, ବଙ୍କେଇ ହୋଇ ଏକାଠି ମିଶିଯାଇଚି । କଥାବାର୍ତ୍ତା ଯାହା କହିଲେ, ବେଶ୍‌ କଥାବାର୍ତ୍ତା କରେ। ସଂସ୍କୃତରେ ଭଲ ପ୍ରବେଶ ଅଛି; ତମ ଏଠାରେ ନେତାମାନେ ଯେମିତି ବକ୍ତୃତା ଦେବାର ଶୁଣିଚି, ସେ ସେମିତି ଅନର୍ଗଳ କହିପାରେ ନାହିଁ, କିନ୍ତୁ ତାଙ୍କଠାରୁ ବଳି ଢେର ଯୁକ୍ତିଯୁକ୍ତ କଥା କହେ । ସେ କ’ଣ ତୁମ କାଞ୍ଜିଆହୁଦା କୁ’ଠେଇ ଅଛି ?

 

ମିଆଁ ସାହେବ—ହଁ, ଏଠାରେ ଗୁଡ଼ାଏ ଦିନ ରହିଲା । ଭାରି ପଣ୍ଡିତ ଜନ୍ତୁ । ଯେଉଁଠି ଠିଆ କରିଦେବ, ସେଇଠି ଠିଆ ହୋଇଥିବ । ସବୁବେଳେ କ’ଣ ଗୋଟାଏ ଭାବୁଥିଲା ପରି ଜଣାଯାଏ । ତା ଆଖି ଯୋଡ଼ିକ ବେଳେ ବେଳେ ଲୁହାଏ ।

 

ମହାଦେବ—ଲୁହାଉଥିବ ତ ! ମୋରି କଥା ସେ ସବୁବେଳେ ଭାବୁଥିବ । ମୁଁ କାହିଁକି ଆସୁନାହିଁ ବୋଲି ଦୁଃଖ କରୁଥିବ । ମୁଁ ସବୁବେଳେ ତା’ରି କଥା ଭାବୁଛି; କିନ୍ତୁ କ’ଣ କରିବି ? ମୋର କ’ଣ ଆସିବାକୁ ଯୁ’ ଥିଲା ? ସେ କେଉଁଠି ଅଛି, ମତେ ଟିକିଏ ଶୀଘ୍ର କହିଦିଅ । ମୁଁ ଚାରି ମାସ ହେଲା ଖାସ ତାରି ପାଇଁ ବଡ଼ ଚିନ୍ତିତ ହୋଇ ରହିଛି ।

 

ମହାଦେବଙ୍କ ମୁହଁକୁ ଚାହିଁ ମିଆଁଜୀ ଖୁବ୍‌ ଦୁଃଖ କଲେ; କହିଲେ, “ବୁଢ଼ା, ସେ ଷଣ୍ଢଟିକି ମୁଁ ନିଜେ ରଖିବି ବୋଲି ବହୁତ ଭାବିଥିଲି । ସେ ବେଶୀ କିଛି ଖାଏ ନାହିଁ । ଖର୍ଚ୍ଚ ବେଶୀ କିଛି ପଡ଼ି ନଥାନ୍ତା । କିନ୍ତୁ କରେ କଣ, ସରକାରୀ ଆଇନ୍‌ । ପନ୍ଦର ଦିନ ପରେ ତାକୁ ନିଲାମ କରିବାକୁ ପଡ଼ିଲା ।

 

ମହାଦେବ ବିବ୍ରତ ହୋଇ ପଚାରିଲେ, “ଏଁ, ବାସୁଆ ନିଲାମ ହୋଇଗଲା ? ସେ ଆଉ ଜୀବନରେ ନାହିଁ ?”

 

ମିଆଁ ସାହେବ ହସିଲେ । କହିଲେ, “ବୁଢ଼ା, ନିଲାମ ବୋଇଲେ କ’ଣ ହଲାର ବୋଲି ବୁଝିଲ କି ? ସେପରି ଜନ୍ତୁକୁ ହଲାର କରିବ କିଏ ? ନିଲାମ ବୋଇଲେ କ’ଣ କି, ପନ୍ଦର ଦିନ ପରେ ଡେଙ୍ଗୁରା ଦିଆ ହୁଏ । ଯେଉଁ ଜନ୍ତୁର ମାଲିକ ନ ମିଳନ୍ତି, ତାକୁ କିଣିବାକୁ ଲୋକେ ଆସି ପହଞ୍ଚନ୍ତି । ଯେ ଯେତେରେ ନେବାକୁ ଚାହାନ୍ତି ତାହା କହନ୍ତି । ଯେ ବଢ଼ି କରି ବେଶୀ ଦାମ୍‌ କହନ୍ତି, ତାଙ୍କୁ ଦିଆଯାଏ । ମୁଁ ତିରିଶ ଟଙ୍କା ପର୍ଯ୍ୟନ୍ତ ବଢ଼ିଲି । ତମର ହିନ୍ଦୁ ବେପାରୀ ଦି’ଜଣ ପଞ୍ଚତିରିଶ ଟଙ୍କା କହିଲେ। ତାଙ୍କରି ନାମରେ ନିଲାମ ଖତମ ହୋଇଗଲା । ଷଣ୍ଢ, କଥା କହୁଛି ବୋଲି ଜାଣି ସେମାନେ ତାକୁ ନେଇ କଟକରେ ଗୋଟିଏ ଖେଳ ଆରମ୍ଭ କରିଛନ୍ତି; ବହୁତ ପଇସା ରୋଜଗାର ହେଉଚି । ମୁଁ ଦିନେ ଯାଇଥିଲି ଯେ, ସେ ଖେଳରେ ଭାରି ଭିଡ଼ ହେଉଚି; ମଫସଲ ଗାଁର ହଜାର ହଜାର ଲୋକେ ପ୍ରତିଦିନ ଆସୁଛନ୍ତି । ତମେ ଯାଅ, କଟକରେ ଦେଖିବ । ଆଗ ଚାରି ପଇସା ଟିକଟ ହୋଇଥିଲା । ଏବେ ଚାରଣା ହୋଇଗଲାଣି । ତଥାପି ଲୋକ ଗହଳି ଛାଡ଼ୁନାହିଁ । ତମେ ଯାଅ, ଦେଖି ଆସିବ । କିନ୍ତୁ ତାକୁ ଆଉ ପାଇଲା ପରି ଜଣାଯାଉ ନାହିଁ ।”

 

ମହାଦେବ କହିଲେ, “କାହିଁକି, ମୋ ଷଣ୍ଢ ମତେ କାହିଁକି ନ ମିଳିବ ?”

 

ମିଆଁ ସାହେବ ହସି ହସି କହିଲେ, “ବୁଢ଼ା, ତମେ ତ ଆଇନ ଜାଣି ନାହଁ । ପନ୍ଦର ଦିନ ଭିତରେ ଆସି ଆମର ପାଉଣା ଦେଇ ତାକୁ ନେଇଥିଲେ ସେ ତମର ହୋଇଥାନ୍ତା । ପନ୍ଦରଦିନ ଭିତରେ ତମେ ନ ଆସିଲାରୁ, ସେ ନାଓ୍ୟାରସ ସମ୍ପତ୍ତି ହୋଇଗଲା। ତା’ମାନେ ସରକାରୀ ହୋଇଗଲା । ଯେ ନିଲାମ ଧରିଲା, ବର୍ତ୍ତମାନ ସେ ତା’ର । ବେପାରୀ ଲୋକ ତା’ରି ଉପରୁ ରୋଜଗାର କରୁଛି । ତାକୁ ଆଉ ଛାଡ଼ିବ ? ବେପାରୀମାନେ ପଇସା ପାଇଁ ମଣିଷ ମାରିବାକୁ ତିଆରି ହୁଅନ୍ତି ।”

 

ମହାଦେବ ଏଥିରେ ସନ୍ଦେହ କରି କହିଲେ, “କିପରି ? ହିନ୍ଦୁ ଲୋକ ଲାଭ ପାଇଁ ମଣିଷ ମାରିଦେବା ତ ସମ୍ଭବ ନୁହେଁ । ସେମାନେ ପିମ୍ପୁଡ଼ି ମାରିବା ପାଇଁ ସଙ୍କୋଚ କରନ୍ତି । ମୁଁ ପୂର୍ବରୁ ଥରେ କଟକ ଆସିଥିଲି, ଦେଖିଚି, ତାଙ୍କରି ଭିତରୁ ଧାର୍ମିକ ଲୋକେ ପ୍ରତିଦିନ ସକାଳୁ ଚିନି ପୁଡ଼ାଏ ପୁଡ଼ାଏ ଧରି ପିମ୍ପୁଡ଼ିଗାତମାନଙ୍କରେ ଦେଉଥା’ନ୍ତି । ଯେ ପିମ୍ପୁଡ଼ିକି ଏତେ ସ୍ନେହ କରନ୍ତି, ସେ କ’ଣ ମଣିଷ ମାରିପାରିବେ ?

 

ମିଆଁ ସାହେବ ହସି ହସି କହିଲେ, “ବୁଢ଼ା, ଧନୀଲୋକ, ବେପାରୀ ଲୋକଙ୍କ କଥା ତମେ ଜାଣିବ କୁଆଡ଼ୁ ? ସେମାନେ ପରା ଗୋରୁ ମାରି ଜୋତା ଦାନ କରି ଉଦ୍ଧାର ହେବେ ବୋଲି ବିଚାରନ୍ତି । ଘିଅରେ ଦାଲଦା ମିଶାଇ, ସୋରିଷ ତେଲରେ ଅଗରା ମିଶାଇ, ଓଷୁଅରେ ଅଟାରେ ଚକ୍‌ଗୁଣ୍ଡ ମିଶାଇ ସେ ଲାଭ କରୁଛନ୍ତି । ଏବେ ଗୋଟାଏ ଖବର ବାହାରିଥିଲା, କଲିକତାର ଗୋଟିଏ ଚା ଗୋଦାମରୁ ପାଞ୍ଚ ଶହ ଦସ୍ତା ଚମଡ଼ାଟୁକୁରା ଜବତ ହୋଇଥିଲା । ବୋଧହୁଏ ତାକୁ ଗୁଣ୍ଡ କରି ଚା’ ଗୁଣ୍ଡ ମିଶାଇବାକୁ ରଖିଥିଲେ। ଏପରି ରୀତିରେ ଲାଭ ଉଠାଇବାକୁ ଯେଉଁମାନେ ପାପ ବୋଲି ମନେକରୁନାହାନ୍ତି, ସେ କ’ଣ ତମ ଷଣ୍ଢ ଆଉ ଫରାଇବେ ? ଯାଅ, ଦେଖ। ଏପରା ଜନ୍ତୁ ତମେ ବା କିପରି ଖାଲି ଛାଡ଼ିଯାଇଥିଲ ? ମତେ ଯଦି ବୁଦ୍ଧି ଦିଶିଥା’ନ୍ତା, ମୁଁ ଷଣ୍ଢଟା ରଖିବାକୁ ଆଉ ଟିକିଏ ବଢ଼ିଥା’ନ୍ତି ।”

 

ମହାଦେବ ଆଉ କିଛି ଆଲୋଚନା ନ କରି କଟକମୁହାଁ ବାହାରିଲେ । ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥାଏ, ସେ ଯାଇ ପହଞ୍ଚିଗଲେ ବାସୁଆକୁ ଆଉ କେହି ରଖିପାରିବେ ନାହିଁ । ଘରକୁ ଫେରିବାର ଆଶା ତାଙ୍କର ପ୍ରବଳ ହୋଇ ଉଠିଲା ।

 

କଟକରେ ଶୀଘ୍ର ପହଞ୍ଚିବେ ବୋଲି ସେ ରେଳ ସଡ଼କ ଦାଢ଼େ ଦାଢ଼େ ଯିବାକୁ ବାହାରିଛନ୍ତି, ଭୁବନେଶ୍ୱର ରେଳ ଷ୍ଟସନ ମୁଣ୍ଡରେ ଜଣେ ଲୋକ ସଙ୍ଗରେ ଦେଖାହେଲା । ସେ ମହାଦେବଙ୍କୁ କହିଲା, “ଆଜିକାଲି କାଠଯୋଡ଼ି, କୁଆଖାଇ ରେଳ ପୋଲ ଉପରେ ମଣିଷ ଯିବାକୁ ମନା ହୋଇଛି ।” ପୁଣି କହିଲା, “ବୁଢ଼ା ! ସଡ଼କେ ସଡ଼କେ ଯାଉନାହିଁ କାହିଁକି ? କୁଆଖାଇ, କାଠଯୋଡ଼ି ଉପରେ କେଡ଼େ ସୁନ୍ଦର ନୂଆପୋଲ ହୋଇଛି ଦେଖିବ । ବାଟ ବି ପ୍ରାୟ ସମାନ । ବଡ଼ ହେଲେ ଦୁଇ ମାଇଲ ବୁଲା ପଡ଼ିବ ।” ମହାଦେବ ସଡ଼କରେ ବାହାରିଲେ । କୁଆଖାଇ ପୋଲ ପାର ହୋଇ ଟିକିଏ ବାଟ ଯାଇଛନ୍ତି ଗୋଟିଏ ଲୋକ ସାଙ୍ଗ ହେଲା । ସେ ବି ବାହାରିଥାଏ କଟକ । ତାକୁ ପାଇ ମହାଦେବ ବଡ଼ ଖୁସି ହେଲେ । ଦୁଃଖ ସୁଖ ହେଉ ହେଉ ସମୟ କଟିଯିବ, ବାଟ ବି ଜଣାପଡ଼ିବ ନାହିଁ ।

 

ସେ ଲୋକଟି ପଚାରିଲା, “ବୁଢ଼ା ! ତମେ ବି କ’ଣ ବସ୍‌ରେ ଜାଗା ପାଇଲ ନାହିଁ କି ?” ମାଇଲିଏ ପଛରେ ଗୋଟିଏ ବସ୍‌ ମହାଦେବଙ୍କୁ ପାର ହୋଇ କଟକ ମୁହାଁ ଯାଇଥିଲା । ମହାଦେବ କହିଲେ, “ନାଁ, ବାଟ ସାତ ଆଠ କୋଶ, ମୁଁ ଚାଲିଯିବି । ମୋ’ଠାରେ ତ ପଇସା ନାହିଁ, ଭଡ଼ା ଦେଇଥାନ୍ତି କ’ଣ ?” ଲୋକଟି କହିଲା, “ଭଲ ବିଚାରିଛ, ଆଜିକାଲି ପଇସା ଦେଲେ ବି କଣ ଜାଗା ମିଳୁଛି କି ? ମୁଁ ପରା ଦେଢ଼ା ପଇସା ଯାଚିଲି, ମୋତେ ନାହିଁ କରି ମଟର ଛାଡ଼ିଦେଲା ।”

 

ମହାଦେବ ପଚାରିଲେ, “କାହିଁକି, ବସ୍‌ ବାଲା ତ ବେପାର କରୁଛି, ପଇସା ତ ପାଉଥିଲା, ନାହିଁ କଲା କାହିଁକି ? ପଇସାକୁ ପରା ବାଘ ହାତ ପତାଏ । ମୁଁ ତ ଶୁଣିଚି ପଇସା ବଳରେ ସବୁ ହୋଇ ପାରିବ ।”

 

ଲୋକଟି କହିଲା, “ହଁ, ସେମିତି ହୋଇଥା’ନ୍ତା ବେପାରୀ ହାତରେ ବସ୍‌ ଥିଲେ । ଯେତିକି ଲୋକ ବସାଇବାର କଥା, ତହିଁରୁ ଦେଢ଼ ଗୁଣ, ଦୁଇ ଗୁଣ ପରା ବେପାରୀ ଏକା ସାଙ୍ଗରେ ନେଉଯାଉଥିଲେ । ଏ ବସ୍‌ ସରକାରୀ ନା, ପଇସାର ଲୋଭ ରହୁନାହିଁ । ଡ୍ରାଇଭରର ଦରମା, ଭାତିଆ ତ କମୁନାହିଁ, ବସ୍‌ ଖାଲି ଗଲେ କେତେ ପୁରା ବୋଝେଇ ହେଲେ କେତେ ।”

 

ମହାଦେବ—ବସ୍‌ରେ ଯେତିକି ଲୋକ ବସିବା କଥା, ସେତିକି ବସିବା ଉଚିତ । ବେଶୀ ଲୋକ ବସିଲେ ଗାଡ଼ି ଯଦି ଭାଙ୍ଗିବ, ସମସ୍ତଙ୍କର ଅସୁବିଧା । ସରକାରୀ ବି କ୍ଷତି ହେବ ।

 

ଲୋକଟି କହିଲା, “ବସ୍‌ ଭର୍ତ୍ତି ହୋଇଯାଇଥିଲେ ଆମର ଏବେ କ’ଣ ଆପତ୍ତି କରିବାର ଥିଲା କି ? ମତେ ନାହିଁ କରି ଦେଇ ଆସିଲା, ମୋରି ଆଗରେ ଏଇ ପାଣି କଳ ପାଖରୁ ପରା ପାଞ୍ଚ ଜଣ ଯାତ୍ରୀ ନେଲା । ସରକାରୀ ବସ୍‌ବାଲାଙ୍କୁ ବାବୁଭାୟା ଯେମିତି ଦିଶୁଛନ୍ତି, ଆମେ କ’ଣ ସେମିତି ଦିଶୁଛି ? ବାବୁଭାୟା ମିଳିଲେ ପାଞ୍ଚଜଣ ଅଧିକା ନେଇଯିବେ । ଆମ ବେଳକୁ ଜାଗା ଥିଲେ ବି କିଏ ଗାଡ଼ି ଅଟକାଉଛି ?”

 

ପାଣିକଳବାଲା ଯେ ଆଗରୁ ଖବର ଦେଇ ଜାଗା ରିଜର୍ଭ କରିଦେଲେ ସେ କଥା ଲୋକଟି ଜାଣି ନ ଥିଲା । ଏମିତି ଜାଗା ରଖାଯାଏ ବୋଲି ଜଣାଥିଲେ ବି ସେ କଣ ରିଜର୍ଭ କରାଇପାରିଥାନ୍ତା-

 

ମହାଦେବ କହିଲେ, “ଏବେ ତମର କ’ଣ କ୍ଷତି ହେଲା ଯେ? ଉଡ଼ାଟା ରହିଗଲା, ଆଉ ଯାହା ଖର୍ଚ୍ଚ କରିବ ।”

 

ଲୋକଟି କହିଲା, “ହଁ, ସେ କଥା ସତ । ତମେ ସାଙ୍ଗ ମିଳିଲ, ମୁଁ ବି ଜଣକିଆ ଲୋକ, କଥାବାର୍ତ୍ତା ହୋଇ ଚାଲିଯିବା । ସାଙ୍ଗରେ ଯଦି ମାଇକିନିଆ ଥା’ନ୍ତେ, ଛୋଟ ପିଲା ଥା’ନ୍ତେ, ୟାଙ୍କ ବସ୍‌ ଆଶାରେ ଗାଁରୁ ଅଢ଼େଇ କୋଶ ଆସି ସଡ଼କ ଦାଢ଼ରେ ଦୁଇ ଘଣ୍ଟା ବସିବ । ପରେ ସନ୍ଧ୍ୟାବେଳକୁ ଘରକୁ ଫେରି ହ’ନ୍ତା ନାହିଁ କି କଟକ ଯାଇ ହ’ନ୍ତା ନାହିଁ । ଏମିତିକା କେତେ ଲୋକ ପ୍ରତିଦିନ ସଡ଼କ ଦାଢ଼ରେ ବାସିତକା ପଡ଼ୁଛନ୍ତି, ସେ କଥା କିଏ ବୁଝୁଛି ?”

 

ମହାଦେବା—ଯଦି ଯାତ୍ରୀ ବେଶୀ ହେଉଛନ୍ତି, ତେବେ ସରକାର ଉ ଗୋଟିଏ ଗାଡ଼ି ଚଳଉ ନାହାନ୍ତି ?

 

ଲୋକଟି କହିଲା, “ମୁଁ ସେଇକଥା କହୁଚି ପରା ! ବେପାରୀ ହୋଇଥାନ୍ତା କି ପଇସା ଲୋଭରେ ହେଉ କି ଆମ କଷ୍ଟ ସହି ନ ପାରି ହେଉ, ପାଞ୍ଚ ଜଣ ଅଧିକା ବସାଇ ନେଇ ଥା’ନ୍ତା । ଯାତ୍ରୀ ବେଶୀ ହେଉଛନ୍ତି ବୋଲି ଯଦି ଦେଖନ୍ତା, ଆଉ ଗୋଟାଏ ଗାଡ଼ି ପକାଇ ଦିଅନ୍ତା । ନୋହିଲେ ଏଇ ଗାଡ଼ିରେ ଆଉ ଗୋଟିଏ ଭଡ଼ା ପକାନ୍ତା । ବେପାରୀ ମନରେ ବେପାର କଲେ ସିନା ହୁଏ। ଏ ପରା ହାକିମ ମନରେ ବେପାର ହେଉଛି । ଏ ରାସ୍ତାରେ ଯିମିତି ଯାତ୍ରୀ ହେଲେଣି, ସରକାର ଆଉ ଗୋଟିଏ ଗାଡ଼ି ପକାଇବେ ଯେ, ବିଳମ୍ୱ ହେବ । ହଉ, ଆଜି ତମେ ସାଙ୍ଗ ମିଳିଯିବାରୁ ଆଉ କଷ୍ଟ ଜଣାପଡ଼ିବ ନାହିଁ । ପାନ ଟିକିଏ ଖାଇବ ?”

 

ମହାଦେବ ନାହିଁ କଲେ । ଲୋକଟି ବଳେଇବାରୁ ଚୂନପତ୍ର ଟିକିଏ ପାଟିରେ ପକାଇଲେ, ପଚାରିଲେ, “କେଡ଼େ କାମରେ କଟକ ଯାଉଚ ?”

 

ଲୋକଟି କହିଲା, “ମଉସା, ତମକୁ ସେଇ କଥା ପଚାରିବି ବୋଲି ବିଚାରୁଥିଲି । ଏବେ ଗୋଟିଏ ବଡ଼ ଅଡ଼ୁଆରେ ମୁଁ ପଡ଼ିଚି । ଝିଅଟିକୁ ଠାଏ ବିଭା ଦେବି ବୋଲି ବିଚାରୁଛି ଯେ, ଆମ ଗାଁ ମାମଲତକାର ହରି ନାହାକ ମତେ କହିଲା, ‘ବାସୁ ପଧାନ! ବୁଝିସମଝି ବିଭାଘର କର । ସରକାର ଆଇନ କଲେଣି, ଝିଅମାନେ ପୁଅଙ୍କ ସାଙ୍ଗରେ ସମାନ ଭାଗ ପାଇବେ । ଜ୍ୱାଇଁ ଯଦି କାହା କୁମନ୍ତ୍ରଣାରେ ପଡ଼ି ତୋ ଜମିରୁ ଭାଗ ଖୋଜିବ, ତେବେ ପୁଅଗୁଡ଼ିକ ଭାରି ହନ୍ତସନ୍ତ ହେବେ ।’ ଜାଣିଲ ବୁଢ଼ା, ମୋର ଗୋଟିଏ ବୋଲି କିଆରୀ, ପାଞ୍ଚ ମାଣ । ପୁଅ ଯୋଡ଼ିଏ, ଝିଅଟିଏ । ଆମ ଗାଁର ଜଣକର ସେଇ କିଆରୀଟି ଉପରେ ବହୁଦିନରୁ ଲୋଭ । ଯେଉଁ ଜନ୍ତୁଟିକୁ ସମୁଧି କରୁଚି, ସେ ଭାରି ଧପାବାଜ୍‌ । ଯଦି ଟଙ୍କା ଲୋଭରେ ପଡ଼ି, ସେ କିଆରୀ ଖଣ୍ଡକରୁ ନିଜ ଭାଗଟା ହସ୍ତାନ୍ତର କରିନେବ ତେବେ ମୋ ଅନ୍ତେ ପିଲେ କଚରୀକି ଘୋଷରା ହେବେ ସିନା ।”

 

ମହାଦେବ କହିଲେ, “ଝିଅ ତ ସମ୍ପତ୍ତିରୁ ଭାଗ ପାଇବା କିଛି ନୂଆ କଥା ନୁହେଁ । ଯାହାଙ୍କର ବେଶୀ ଜମି ଅଛି, ସେ ତ ଝିଅଜ୍ୱାଇଁଙ୍କ ନାଁରେ ଜମି କରିଦିଅନ୍ତି । ଯାହାଙ୍କର ବେଶୀ ଜମି ଅଛି, ସେ ତ ଝିଅଜ୍ୱାଇଁଙ୍କ ନାଁରେ ଜମି କରିଦିଅନ୍ତି । ଯାହାଙ୍କର ନାହିଁ, ସେମାନେ ନିଜ ସାକ୍ଷ୍ୟକୁ ଚାହିଁ ଅଳଙ୍କାର, ଲୁଗାପଟା, ଚାଉଳ, ମୁଗ କରି ଯାହା ପାରନ୍ତି, ତାହା ଯୌତୁକ ଦିଅନ୍ତି । ସେ କଥା କ’ଣ ଆଜିକାଲି ଚଳୁନାହିଁ ?”

 

ବାସୁ ପଧାନ—ଚଳୁଛି ଯେ, ଆଜିକାଲି ପଢ଼ୁଆ ଲୋକେ ଯୌତୁକ ଦେବାଟାକୁ ମନ୍ଦ ବୋଲି ଖୁଣିଲେଣି । ଏଣେ ବନ୍ଧୁସ୍ନେହରେ ମନଖୁସିରେ ଦେବାଟ । ତାଙ୍କ ମନକୁ ପାଉନାହିଁ । ତେଣେ ବନ୍ଧୁ ଶତ୍ରୁ ହୋଇ ଭାଗ ନେବା ବାଟଟା କରିଦେଉଚନ୍ତି। ଆଜିକାଲି ଯେ ସବୁ ସରକାର ହୋଇଚନ୍ତି, ତାଙ୍କର ସବୁ ସହରିଆ ମନ । ଯାହାଙ୍କର କମ୍ପାନୀ କାଗଜ ଥିବ, ନଗଦ ଟଙ୍କା ଥିବ, ସେ ସିନା ସୁରୁଖୁରୁ ଭାଗ ଦେଇଦେବ । ଝିଅ ମୋର ଦଶକୋଶ ବାଟରୁ, ଆମ ଜମିରୁ ପାଞ୍ଚ ପା ଦଖଲ କରିବ କିମିତି କହିଲ ? ଆମରି ଗାଁ ଶତ୍ରୁଙ୍କୁ ନିଜ ଭାଗ ହସ୍ତାନ୍ତର କରିଦେବ, ନିଜ ଭାଇଙ୍କ ପାଇଁ ଗୋଟିଏ ମେଖ ସଜାଡ଼ି ଦେବ; ଆଉ ଯିମିତି କେବେ ଭାଇ ଭଉଣୀ ଘର ଆଡ଼କୁ ମୁହଁ ନ କରିବେ । ଏ ପରା ବନ୍ଧୁକାଟ ହେବାର ବାଟ ।

 

ମହାଦେବ—ଏଥିକି ତମ ଗାଁ ମାମଲତକାର କ’ଣ ବାଟ ବତୋଉଚି ।

 

ବାସୁ ପଧାନ—ସେ ଯାହା କହୁଚି, ସେକଥା ମୋ ମନକୁ ପାଉଚି ଯେ, ବିଚାରିଲି ଯାଇ ଟିକିଏ କଟକରେ ଓକିଲ ପରାମର୍ଶ କରି ଦେଇ ଆସିବ । ହରି ନାୟକ କହୁଚି, ‘ସମୁଧି ସାଙ୍ଗରେ ବସି, ଯୌତୁକ କଥାଟି ତୁଟେଇ ଦିଅ । ଜ୍ୱାଇଁ, ଝିଅ ଓ ସମୁଧି ମିଶି ସେ ଯୌତୁକ ପାଇ ଗୋଟାଏ ନାଁ—ଦାବୀ ପତ୍ର ଲେଖିଦିଅନ୍ତୁ, ସଂପତ୍ତି ଉପରେ ମଉ ଭାଗ ବସେଇବେ ନାହିଁ ବୋଲି ।’ ୟାଡ଼େ ବିଭାଘର ଯୋଗାଡ଼ କରିବି, ନା ଓକିଲ ପରାମର୍ଶ କରିବି ? ଆଜି ସେଇଥିପାଇଁ ଯାଉଚି । ତମ ମନକୁ କ’ଣ ପାଉଚି କହିଲ, ମଉସା !

 

ମହାଦେବ କହିଲେ, “ବାପା, ଏ ବିଷୟରେ ମୁଁ କିଛି କହିପାରିବି ନାହିଁ । ଆଇନକାନୁନ କଥା, ଏଥିରେ ଓକିଲଙ୍କ ପରାମର୍ଶ ନେବା ଭଲ । ମୁଁ ଖାଲି ବିଚାରୁଚି, ଏମିତି ସବୁକଥାରେ ଯଦି ଆଇନ ହେବ, ତା’ ହେଲେ ଆଉ ବନ୍ଧୁ ସ୍ନେହ ହୋଇ କ’ଣ ରହିବ ? ସରକାର ବିଚାରିଛନ୍ତି, ସଂସାରଟାକୁ ଖାଲି ଆଇନ କରି ସଜାଡ଼ି ଦେବେ,ନା ?”

 

ବାସୁ ପଧାନ—ସେଇ କଥା ପରା କହୁଥିଲି । ଏ ଯେଉଁ ପାଠପଢ଼ୁଆ ସହରିଆ ଲୋକ, ୟାଙ୍କଠେଇଁ ତ ସ୍ନେହ ପ୍ରୀତି ହୋଇ କିଛି ନାହିଁ; ସେମାନେ ପଇସାର ପିଆରା । ୟାଙ୍କରି ହାତରେ ତ କ୍ଷମତା ପଡ଼ିଛି, ଯାହା କରିବେ କରନ୍ତୁ । ଗାଁ ଲୋକଙ୍କ ଭଲ ମନ୍ଦ ବିଷୟରେ ତାଙ୍କର ଶୋଚନା ନାହିଁ, କି ଆମ ଦେଶର ଚଳଣି କଥା ସମଜିବାକୁ ମନ ବି ହେଉନାହିଁ ।

 

ମହାଦେବ କହିଲେ, “ତମ କଥା ନ ବିଚାରି ଯିବେ କୁଆଡ଼େ ? ଏ ଭୋଟଯୁଗରେ ତମେ ଯାହାକୁ ଭୋଟ ଦେବା ସେଇ ସରକାର ହେବ, ନା ?”

 

ବାସୁ ପଧାନ—ସେ କଥା ଆମର ପଡ଼ୁଛି ଯେ, କିନ୍ତୁ ଯେତେଟି ଦଳ ବାହାରୁଛନ୍ତି, ତାଙ୍କର ଭିତରୁ ତ ବାଛି ଭୋଟ ଦେବା? ସବୁଗୁଡ଼ିକ ଏକା ଗାତରେ ପୋତା । ଗାଁ ଲୋକଙ୍କ କଥା ବୁଝି, କେହି ମତ ଗଢ଼ୁ ନାହାନ୍ତି । ଦଳେ ଯଦି ଦିଲ୍ଲୀ ଇଲମ ଆଣୁଛନ୍ତି, ଆଉ ଦଳେ ରୁଷିଆରୁ ଆଣୁଛନ୍ତି । ଦିଲ୍ଲୀବାଲାଙ୍କୁ ମାନ କରି ଯଦି ରୁଷିଆବାଲାଙ୍କ ପାଖକୁ ଯିବା ତେବେ ତ ତତଲା କରେଇରୁ ଡେଇଁ ନିଆଁରେ ପଡ଼ିଲା ପରି ହେବ ।

 

ମହାଦେବ ଟିକିଏ ଚିନ୍ତିତ ହେଲେ । କିଛି ସମୟ ପରେ କହିଲେ, “ହଁ, ଏଇଲେ କିଛି ଦିନ ସେମିତି ଅଡ଼ୁଆ ପଡ଼ିବ । ପୁରୁଣା ଢଙ୍ଗଟା ବଦଳି ନୂଆ ଢଙ୍ଗ ଆସୁଛି ନା ? ସରକାର ଦିଅଁ ଗଢ଼ୁ ଗଢ଼ୁ ବେଳେ ବେଳେ ମାଙ୍କଡ଼ ଗଢ଼ି ପକାଇବେ । ଲୋକେ ବି ସବୁ ନୂଆ କଥାକୁ ଖରାପ ବୋଲି ନାକ ଟେକିବେ । ଏମିତି ହଉ ହଉ ଶେଷରେ ସବୁ ଧାରାରେ ପଡ଼ିଯିବ ଯେ । ଆମର ଦେଶୀ ଲୋକ ତ ସରକାର ହେବେ ! ଦେଶର ଭଲମନ୍ଦ ନ ବୁଝିଯିବେ କୁଆଡ଼େ ? ବିଦେଶୀ ମୋହଟା ପୂରାପୂରି ଛାଡ଼ି ନାହିଁ ପରା ।”

 

ବାସୁ ପଧାନ କହିଲା, “ଆଜ୍ଞା, ଛାଡ଼ିବ କ’ଣ ? ଏବେ ପରା ଘରେ ଘରେ ସାଇବ ବ୍ୟାପି ଚାଲେଣି । ଆମ ପଡ଼ିଶା ଘରୁ ଗୋଟାଏ ପିଲା ଇସ୍କୁଲକୁ ପାଠପଢ଼ି ଯାଉଚି ଯେ, ତା ବୋଉକୁ ଅଙ୍ଗ୍ରେଜିରେ ଭାତ ମାଗୁଛି ।”

 

ଦିହେଁଯାକ ଖୁବ୍‌ ହସିଲେ । ମହାଦେବ ପଚାରିଲେ, “ବୋଉ ପୁଣି ବୁଝିଛି କେମିତି ?”

 

ବାସୁ ପଧାନ—ଆଜ୍ଞା, କଥାକୁ କହିଲି ନା ! ବୋଉ ଯେତେବେଳେ, ପୁଅକୁ ଭୋକ ହେଲେ ବୁଝିପାରିବ ନାହିଁ ? କଥା ବୁଝିପାରିଲେ ବି ମୁହଁ ଶୁଖିଯାଇଛି, ଦେଖି ଦଣ୍ଡକେ ଭାତ ବାଢ଼ିଦେବ । ବେଳେ ବେଳେ ଏ ପିଲାଙ୍କ ରବାଦ ଦେଖି ବଡ଼ ଖରାପ ଲାଗୁଛି । ଆମ ଗାଁରେ ଏବେ ଗୋଟିଏ ଇସ୍କୁଲ କଲେ ଯେ, ମତେ କହୁଥିଲେ, ମୋ ସାନ ପୁଅକୁ ସେଠାକୁ ପଠାଇବାକୁ । ମୁଁ କହିଲି, “ଏଇ ଗାଁର ଆଉ ପାଞ୍ଚ ଜଣ ପଢ଼ିଛନ୍ତି ଯେ, ଛତରା ହୋଇ ବୁଲୁଚନ୍ତି, ବିଲକୁ ଯିବାର ନାଁ ଧରୁନାହାନ୍ତି । ଯେ ପାଠ ପଢ଼ି ନାହାନ୍ତି, ତାଙ୍କ ଦେହରେ ବଳ ରହଛି, ବିଲରେ ଖଟୁଛନ୍ତି, ନ ହେଲେ କଲିକତା, କାଳିମାଟିରେ ଝାଳବୁହାଇ ଦି’ପଇସା ରୋଜଗାର କରୁଛନ୍ତି । ଯେ ପାଠ ପଢ଼ିଛନ୍ତି, ସେ ଗୁଡ଼ିକ ସବୁବେଳେ ହାଇଁ ହାଇଁ । ଚାକିରି ଖଣ୍ଡେ ଯଦି ମିଳିଲା, ଭାର୍ଯ୍ୟାକୁ ଧରି ସହରକୁ ପଳାଉଛନ୍ତି; ନୋହିଲେ ଘରେ ବସି, ବାପା ମାଙ୍କୁ କନ୍ଦାଉଛନ୍ତି ।

 

ମହାଦେବ—ଇମତି ଯଦି ହେଉଛି, ପୁଣି ନୂଆ ଇସ୍କୁଲ ବସୁଛି କାହିଁକି ? ତମ ଗାଁରେ ପରା ଏବେ ଇସ୍କୁଲ ବସିଚି ?

 

ବାସୁ ପଧାନ—ଖାଲି କ’ଣ ଆମରି ଗାଁରେ ବସିଚି ? ଆଜିକାଲି ପ୍ରତି ଦି’ ତିନି କୋଶରେ ଗୋଟିଏ ଅଙ୍ଗ୍ରେଜି ସ୍କୁଲ ଇସ୍କୁଲ ବସିଲାଣି । ଧାନ ଚାଉଳର ଟିକିଏ ଉଭା ଅଛି ବୋଲି, ପଢ଼ିବାପାଇଁ ମଧ୍ୟ ପିଲା ଅଭାବ ହେଉନାହାନ୍ତି । ପାଠ ପଢ଼ିବା କ’ଣ ଖରାପ କି ? ଯେଉଁ ପିଲାଟିମାନେ ପାଠ ପଢ଼ୁଛନ୍ତି, ସେମାନେ ଯଦି କାମକୁ ଇମିତି ଛେଳି ନ ହୁଅନ୍ତେ, ତା’ହେଲେ ପାଠ କ’ଣ କାହାକୁ ଗନ୍ଧାନ୍ତା ? କାମଧନ୍ଦା ସିନା ଶିଖେଇଲେ ପିଲାଙ୍କର କାମରେ ହାତ ବଳନ୍ତା, ଅଭ୍ୟାସ ରହନ୍ତା । ଖାଲି ଚଉକିରେ ବସି ଅଙ୍ଗ୍ରେଜି ପଢ଼ିଲେ କ’ଣ ପେଟ ପୂରିବ ?

 

ମହାଦେବ କହିଲେ, “ଏକଥା କ’ଣ ସରକାରଙ୍କୁ ଦିଶୁନାହିଁ ?”

 

ବାସୁ ପଧାନ—ଦିଶନ୍ତା ନାଇଁ କାହିଁକି ? ଗାନ୍ଧୀ ମହାତ୍ମା ପରା କୋଉକାଳୁ ବାଇବଜେଇ ଏଇ କଥା କହି ଯାଇଚନ୍ତି । ତାଙ୍କରି ଇଲାକା ମନ୍ତ୍ରୀମାନେ ତ ପ୍ରତି ସଭାରେ ଏଇକଥା କହୁଛନ୍ତି । ବେଶିକ୍‌ ନାଁ ମୌଳିକ ଇସ୍କୁଲ ବୋଲି ଗୁଡ଼ାଏ ବସେଇଚନ୍ତି। ତୁଣ୍ଡରେ କହୁଚନ୍ତି ସବୁଆଡ଼େ ଏଇ ଇସ୍କୁଲ ହୋଇଯିବ ବୋଲି । କିନ୍ତୁ, ବର୍ଷକୁ ବର୍ଷ ସେଇ ଇଂରାଜୀ ଇସ୍କୁଲ ବଢ଼ିବାରେ ଲାଗିଚି। ଯେଉଁ ମୌଳିକ ଇସ୍କୁଲ ବସୁଛି ସବୁ ଇଂରେଜିପଢ଼ା ବାବୁଙ୍କ ହାତରେ; ଖଡ଼ିକି ହେଉ ନାହିଁ କି ପେଡ଼ିକି ହେଉନାହିଁ ।

 

ମହାଦେବ ହୁଁ ବୋଲି କହି ଘଡ଼ିଏ ଖଣ୍ଡେ ତୁନି ହୋଇ ଚାଲିଲେ; ଶେଷରେ କହିଲେ, “ଏକଥା ବି କ୍ରମେ ବାଟକୁ ଆସିଯିବ। ଇଂରାଜୀ ପଢ଼ୁଆଙ୍କର ମନ ଇଂରାଜି ପଢ଼ାରେ ରହୁ ବୋଲି, ପିଲାଙ୍କ ବି ମନ ଇଂରାଜି ଇସ୍କୁଲରେ ଯେମିତି କାମ ଧନ୍ଦା ନ ହୋଇ ଖାଲି ପାଠପଢ଼ା ହେଉଥିଲା, ସେଇଆ ଚାଲୁ । ନ ଜାଣିବା ଲୋକେ କହୁଥିବେ, ‘ଇଂରେଜି ଇସ୍କୁଲରେ ତ କାମ କରୁନାହାନ୍ତି । ଆମ ପିଲେ ମୌଳିକ ଇସ୍କୁଲରେ କିଆଁ ଶାଗ ପଟାଳି ହାଣିବେ ? ଦେଶଟା ଏତେବେଳେ ଗୋଟିଏ ଘଡ଼ିସନ୍ଧିରେ ପଡ଼ିଛି । ସମସ୍ତଙ୍କ ମନ ଘର ଧରିବାକୁ ଟିକିଏ ବେଳ ଲାଗିବ । ମତେ ଜଣାଯାଉଚି, ଆସ୍ତେ ଆସ୍ତେ ସବୁ ଠିକ୍‌ ହୋଇଯିବ ।”

 

ବାସୁ ପଧାନ କହିଲା, “ମଉସା, ଏତେ ଦିନକେ ଆଜି ତମେ ଟିକିଏ ଦମ୍ଭ ଦେଲ । ମୁଁ ପରା ବିଚାରୁଛି, ଆଜି ବସ୍‌ ଫେଲ ହୋଇ ଭଲ ହେଲା, ତମଠାରୁ କେତେଗୁଡ଼ିଏ କଥା ଶୁଣିଲି । ଆଜି ଆମେ ଯାହା ସବୁ କଥାବାର୍ତ୍ତା ହେଲେ, ଏସବୁ ଗାଁରେ ପଡ଼ିବ ଯେ ।”

 

ଏହିପରି କଥାବାର୍ତ୍ତା ହେଉ ହେଉ କଟକ ଷ୍ଟେସନ ପାଖ ହୋଇଗଲା । ରେଳଷ୍ଟସନ ପାର ହୋଇ ଦୁହେଁ ଅଲଗା ଅଲଗା ବାଟ ଧରିଲେ । ସେତେବେଳକୁ ରାତି ଅଧ । ମହାଦେବ ରାତିଟି ମୁସାଫିରଖାନାରେ କଟାଇବାକୁ ଷ୍ଟେସନ ଆଡ଼କୁ ଚାଲିଲେ। ବାସୁ ପଧାନ ଓକିଲଙ୍କ ବାରଣ୍ଡାରେ ରାତି କଟାଇବାକୁ ବଙ୍ଗାଳି ସାହି ଆଡ଼କୁ ଗଲା ।

 

ମୁସାଫିରଖାନା ଚଟାଣରେ ଗୁଡ଼ିଏ ଲୋକ ଶୋଇଥାଆନ୍ତି । ଶୋଇବାରେ କିଛି ପରିପାଟୀ ନଥାଏ । ଜଣଙ୍କର ମୁଣ୍ଡରେ ଆଉ ଜଣଙ୍କର ଗୋଡ଼ ବାଜନବାଜ ହେଉଥାଏ । ଗୋଡ଼ର ଜୋତାଗୁଡ଼ିକ ସବୁ ଏଠି ସେଠି ପଡ଼ିଥାଏ । ଅପରିଷ୍କାର ଜୋତା ହଳେ ଜଣେ ଶୋଇଥିବା ଲୋକର ନାକରେ ବାଜୁଥାଏ । କାନ୍ଥମୂଳରେ ଓ କଣମାନଙ୍କରେ ପାନ ପିକ ପଡ଼ିଥାଏ । ନିଦ ବାଲୁ ବାଲୁ ହୋଇ ଜଣେ ବିଡ଼ି ଖଣ୍ଡେ ଲଗେଇ ଅଧା ଜଳୁଥିବା ଦିଆସିଲିଟା ଫୋପାଡ଼ି ଦେଲା ଯେ ଆଉ ଜଣକର ବିଛଣା ଉପରେ ପଡ଼ିଲା। ଭାଗ୍ୟକୁ ସେଇଠାରେ ପଡ଼ି ଲିଭିଗଲା । ଟିକିଏ ଯତ୍ନ କଲେ ସେତିକି ଜାଗାରେ ସମସ୍ତେ ସ୍ୱଚ୍ଛନ୍ଦରେ ଶୋଇ ପାରିଥା’ନ୍ତେ । ମହାଦେବ ବିଚାରିଲେ, ଚେଷ୍ଟା କରିବେ । କିନ୍ତୁ ଲୋକଗୁଡ଼ିକଙ୍କର ନିଦ ଭାଙ୍ଗିବାକୁ ମନ ହେଉନଥାଏ । ସେ କେରାଏ କୁଟା ସଂଗ୍ରହ କରି ଏକଣାକୁ ଥିବା ଗୋଟିଏ ଜାଗା କୁଟାଲୁଣ୍ଡାରେ ସଫାକଲେ ଓ ସେଇଠାରେ ରାତିଟା କାଟି ଦେବେ ବୋଲି ଯାଇ ବସିଲେ ।

 

ବେଶୀ ବେଳ କିନ୍ତୁ ଆରାମରେ ବସିଲା ଘଟିଲା ନାହିଁ । ଦଶବାର ଜଣ ଟୋକାଳିଆ ପାହାନ୍ତିଆ ଗାଡ଼ିରେ ଯିବାକୁ ଆସି ମୁସାଫିରଖାନାରେ ପହଞ୍ଚିଲେ । ମହାଦେବ ଯେଉଁଠାରେ ବସିଥିଲେ ସେଇ ଜାଗାଟି ସଫା ଓ ଟିକିଏ ପ୍ରଶସ୍ତ ଥିବାର ଦେଖି ସମସ୍ତେ ଆସି ସେହିଠାରେ ଜମାହେଲେ । ମହାଦେବ ଆସ୍ତେ ଆସ୍ତେ ଠେଲି ହୋଇ କାନ୍ଥ ମୂଳରେ ଯାଇ ବସିଲେ । ଟୋକାଙ୍କ ଭିତରୁ ଜଣେ ଶୋଇପଡ଼ିବାକୁ ଟିକିଏ ଜାଗା ସଜାଡ଼ୁଥିଲା ତା’ ପକେଇ ଶୋଇଲା ଖଣ୍ଡ ଗୋଟାଇଦେଇ ଆଉ ଜଣେ କହିଲା, “ସେକଥା ପଟିବ ନାହିଁ । ସମସ୍ତଙ୍କ ଶୋଇବାକୁ ଯଦି ଜାଗା ନାହିଁ, ତା’ ହେଲେ ଜଣେ କାହିଁକି ଶୋଇବ ? ତୁ ଯଦି ଶୋଇବୁ, ଗାଡ଼ି ଆସିଲେ ଆମେ ତତେ ଛାଡ଼ିକରି ଚାଲିଯିବୁ ।”

 

ଯେଉଁ ଲୋକଟି ଶୋଇବାକୁ ଆରମ୍ଭ କରୁଥିଲା ସେ କହିଲା, “ଦେଖୁନ, ମୋ ଦେହକୁ ପରା ତାତି ଆସିଲାଣି । ମୋତେ ଦୁଇ ଦିନ ହେଲା ଜର ଛାଡ଼ିଥିଲା, ତମେ ସବୁ ଘୋସାରିଲ ବୋଲି ମୁଁ ଆସିଲି । ଏତେବେଳେ ନଈବାଲି କାକରରେ ବସି ବସି ପୁଣି ଜର ଲେଉଟିଲା ପରି ଜଣାଗଲାଣି ।”

 

ଆଉ ଜଣେ କହିଲା, “ଭାରି ସୁକୁମାରିଆ ଇଏ । କାକର ଖାଲି ତୋ’ରି ଉପରେ ପଡ଼ୁଥିଲା ନା, ଦି’ ଦିନ ତଳେ ଖାଲି ତତେ ଜର ହୋଇଥିଲା ? ଗାଁ ଯାକ ତ ସମସ୍ତେ ଜରରେ ପଡ଼ିଛନ୍ତି, ତୋର ଖାଲି ଜର ଲେଉଟି ପଡ଼ୁଛି ?

 

ଆଉ ଜଣେ କହିଲା, “ଆଜିର ସଭା କଥା ପକାଅ ବେ । ଆଜି ଶ୍ୟାମ ବାବୁ ଜର ଛାଡ଼ିଲା ପରି ବକ୍ତୃତା ଦେଲେ ଏକା । ତାଙ୍କ ପାଟିରେ ବାଟୁଳି ବାଜୁନାହିଁ । ଏକା ନିଃଶ୍ୱାସରେ ଦୁଇ ଘଣ୍ଟା କାଳ କହିଲେ; ଏଡ଼େ ବଡ଼ ସଭାରେ ଜଣେ କିଏ କ’ଣ ଉଁ ଚୁଁ କଲା ! ଏହିପରି ଶହେ ଖଣ୍ଡ ବକ୍ତୃତା ହୋଇଯିବ, ତେବେ ଜାତିଭେଦ ବାଏଁ ବାଏଁ ଉଡ଼ିଯିବ ।”

 

ଆଉ ଜଣେ କହିଲା, “ମୋରି ପାଖରେ ବୁଢ଼ାଳିଆ ଲୋକ ତିନି ଚାରି ଜଣ ବସିଥା’ନ୍ତି । ଶଳାଙ୍କ ମନକୁ ଶ୍ୟାମ ବାବୁଙ୍କ କଥା ସୁଖ ଲାଗୁନାହିଁ । ମୁହଁ ଆମ୍ୱିଳା ଆମ୍ୱିଳା କରୁଥାନ୍ତି, କିନ୍ତୁ କରନ୍ତି କ’ଣ ? ସଭା ମଝିରୁ ଉଠି କରି ଯିବାକୁ ତ ବାଟ ନାହିଁ ।”

 

ଟୋକାଙ୍କ ଭିତରୁ ଯେଉଁ ଜଣକ ମୁଖିଆ ପରି ଜଣା ଯାଉଥିଲେ, ସେ କହିଲେ, “ଉଚ୍ଚ ଜାତିର ଲୋକ ସା’ନ୍ତିଆ ଯୁଗର ସୁବିଧା ଛାଡ଼ିଲା ବେଳକୁ ନିଶ୍ଚୟ ଟିକିଏ କୁନ୍ଥୁ କୁନ୍ଥୁ ହେବେ; ବିଶେଷ କରି ବ୍ରାହ୍ମଣମାନେ ବଡ଼ ଜାତି ହୋଇଥିବା ଯୋଗୁଁ ଯେଉଁ ଲାଭ ମାରି ନେଉଛନ୍ତି, ତାହା ଯେତେବେଳେ ଯାଉଛି, ନିଶ୍ଚୟ ଗୁଡ଼ାଏ ମୋଡ଼ିଭିଡ଼ି ହେବେ । କିନ୍ତୁ ସେକାଳ ପଖାଳ ଗଲାଣି । ଆଉ ତାକୁ ଝୁରି ହେଲେ,କ’ଣ ହେବ ? ସାମନ୍ତବାଦ ରୁଷିଆରୁ ଯେପରି ଯାଇଛି, ଏଠାରୁ ବି ସେହିପରି ଯିବ । ବ୍ରିଟିସ୍‌ ଗଲେ, ରଜା ଜମିଦାର ଗଲେ, ଏଥର ପଡ଼ିବ ଏଇ ବ୍ରାହ୍ମଣ କରଣଙ୍କ ପାଳି ।”

 

ମହାଦେବ କିଛି ନ କହି, ତୁନି ହୋଇ ସବୁ ଶୁଣୁଥାନ୍ତି, ‘ସାମନ୍ତବାଦ’ କଥାଟା ସେ; ଧରିପାରୁନାହାନ୍ତି । ଟୋକାମାନେ ଯେପରି ଉଦ୍ଦାମ ଭାବରେ କଥାବାର୍ତ୍ତା ହେଉଥାନ୍ତି ସେଥିରେ ତାଙ୍କର କଥାବାର୍ତ୍ତା ହେଉଥାନ୍ତି ସେଥିରେ ତାଙ୍କର ଇଚ୍ଛା ନଥାଏ, ଏ ଆଲୋଚନାରେ ଯୋଗ ଦେବାକୁ । କିନ୍ତୁ, ଟୋକାଏ ତାଙ୍କୁ ଛାଡ଼ିଲେ ନାହିଁ, ତାଙ୍କ ପାଖକୁ ବସିଥିବା ଜଣେ ତାଙ୍କୁ ପଚାରିଲେ, “କି ବୁଢ଼ା ! ଏ ଜାତିଭେଦ ବିଷୟରେ ତମର ମତ କ’ଣ ?”

 

ମହାଦେବ କହିଲେ, “ମୋ ମତରେ ଯାଏ କେତେ ଆସେ କେତେ ? ଜାତି ଓ ବର୍ଣ୍ଣ ସୃଷ୍ଟି ଆରମ୍ଭ ଅଛି । ପ୍ରଳୟ ହେଲା ପର୍ଯ୍ୟନ୍ତ ରହିବ, ତାହା ଭାଙ୍ଗିବ କିମିତି ?”

 

ଦଳର ନେତା କହିଲେ, “ଓ, ତୁମେ ବୋଧହୁଏ ବ୍ରାହ୍ମଣ ବା କରଣ । ସେଇ ହେତୁରୁ ନିଜ ସୁବିଧାଟା ବଜାୟ ରଖିବା ପାଇଁ ଏପରି କହୁଛ !”

 

ମହାଦେବ କହିଲେ, “ନାଇଁ ବାପା, ମୁଁ ବ୍ରାହ୍ମଣ ନୁହେଁ କି କରଣ ନୁହେଁ । କିନ୍ତୁ, ବ୍ରାହ୍ମଣ, ସମାଜରେ କ’ଣ ସୁବିଧା ମାରି ନେଉଛି କହିଲ ଦେଖି ।”

 

ଯୁବକ—ବ୍ରାହ୍ମଣ କିଛି ସୁବିଧା ପାଉନାହିଁ? ଚୁଡ଼ାଦହି ଟିକଟ ଖଣ୍ଡେ ଦେହରେ ପକାଇ, କୋଶ କୋଶ ବୁଲି କିପରି ମାଗଣା ଭୋଜନ ମାରୁଛି, ତମେ କ’ଣ ଦେଖୁ ନାହଁ ? ତୁମ ଘର କେଉଁଠି, ତମ ଆଡ଼େ କ’ଣ ଚୂଡ଼ାଦହି ଅର୍ଜ୍ଜନ ନାହିଁ ?

 

ମହାଦେବ—ହଁ, ବ୍ରାହ୍ମଣଭୋଜନ ଚାରିଆଡ଼େ ଅଛି । କିନ୍ତୁ, ଶୁଦ୍ଧ-ଶ୍ରାଦ୍ଧରେ ବ୍ରାହ୍ମଣଙ୍କୁ ନ ଡାକିଲେ ସେ କ’ଣ କଳି କରୁଛନ୍ତି ?

 

ଯୁବକ ନେତା—କଳି କରିବେ କାହିଁକି ? ସେ ତ ଏପରି ଶାସ୍ତ୍ର ଖଞ୍ଜି ଦେଇଛନ୍ତି ଯେ, ବଳେ ତାଙ୍କୁ ଡାକି ଖୋଇବାକୁ ହେବ । ନ ହେଲେ ପିତୃପୁରୁଷ ରୁଷ ନରକରେ ପଡ଼ିବେ ।

 

ମହାଦେବ—ତୁମ ପିତୃପୁରୁଷ ନର୍କରେ ପଡ଼ିବେ ବୋଲି ତୁମ ମନରେ ଯେଉଁ ସଂସ୍କାର ଅଛି, ତାହା ଦୂର କରିଦେଲେ ହେଲା । ବ୍ରାହ୍ମଣଙ୍କୁ ଗାଳି ଦେଉଛ କାହିଁକି ? ଆମ ଦେଶରେ ପର୍ବ ପର୍ବାଣି, ଶ୍ରାଦ୍ଧ ମଉଳା କରିବା ନା କରିବାରେ, ବା କାହାକୁ ଖାଇବାକୁ ଦେବା ନ ଦେବାର ତ ବାଧ୍ୟତାକତା ନାହିଁ । ମନକୁ ପାଇଲେ ଦେବ, ନ ପାଇଲେ ନାହିଁ । ଆଜିକାଲି ଯେଉଁ ଯୁଗ ହେଲାଣି, ସେଥିରେ ଦୁଇ କୋଶ ଧାଇଁ ଦୁଇ ପଇସା ଦକ୍ଷିଣା ପାଇବାବୁ, ଚୁଡ଼ାଭଜା, ପାଣି ଦହି ମୁନ୍ଦିଏ ଖାଇବାକୁ, ବ୍ରାହ୍ମଣଙ୍କ କଥା ଛାଡ଼, ବାଉରି ମିଳିବେ କି ? ଗତାନୁଗତିକ ରୀତିରେ ବ୍ରାହ୍ମଣ ସିନା ଦି’ ପଇସାକୁ ପାଞ୍ଚକୋଶ ଦଉଡ଼ି ଯାଇଛନ୍ତି ଓ ସେପରି ଦଉଡ଼ିଯିବାକୁ ନିଜର ଧର୍ମ ବୋଲି ମନେ କରୁଛନ୍ତି, ସେଇ କାର୍ଯ୍ୟ କରିବାକୁ ବାଉରିକୁ କହିଲ ଦେଖି, ସେ ଦେଢ଼ ଟଙ୍କା ମଜୁରୀ ନ ପାଇଲେ ଯିବ କି ?

 

ଯୁବକ ନେତା—ଘରେ ବସି ରହିଲେ, ତ ସେ ଦି’ ପଇସା ବି ମିଳିବ ନାହିଁ ।

 

ମହାଦେବ—ବ୍ରାହ୍ମଣ କ’ଣ ଆଉ ଘରେ ବସି ରହିଛନ୍ତି ? ସମସ୍ତେ ଯେପରି ପଇସା ଦରାଣ୍ଡିବାରେ ଲାଗିଲେଣି, ବ୍ରାହ୍ମଣମାନେ ସେହିପରି ଯାଇ କଟକ, କଲିକତାରେ ପୂଜାରୀ କାମ କରୁଛନ୍ତି । ତାଙ୍କ ଭିତରୁ ପୁଣି ଯେ ଦି ଅକ୍ଷର ପଢ଼ିଲେଣି, ସେ ଯାଇଁ ସହରମାନଙ୍କରେ ସମସ୍ତଙ୍କ ସଙ୍ଗେ ନୀଚ ବୃତ୍ତି କରୁଛନ୍ତି ।

 

ଯୁବକ ନେତା—ଖଟିକରି ଖାଇବା ତ ଭଲ କଥା । ବ୍ରାହ୍ମଣମାନେ ସମାଜରେ ଯେପରି ମଲାଙ୍ଗ ପରି ବଢ଼ୁଥିଲେ, ତାହା ଯେତେ ଶୀଘ୍ର ବନ୍ଦ ହୁଏ ସେତେ ଭଲ ।

 

ମହାଦେବ—ଏପରି ହେବା ଯଦି ସମସ୍ତଙ୍କୁ ଭଲ ତାହା ହେଲେ ହେଉ । କିନ୍ତୁ ମତେ ଜଣାଯାଇଛି, ଏପରି ହେବାଦ୍ୱାରା ଆମ ଦେଶର ନିଜତ୍ୱ ଲୋପ ହୋଇଯାଉଚି । ପାଶ୍ଚାତ୍ୟ ଦେଶ ସମାଜ ସଙ୍ଗେ ଆମ ସମାଜର ତୁଳନା ଭିଡ଼ିଓଟାରି କରିବା ଫଳରେ ଦେଶର ଅନିଷ୍ଟ ହେଉଛି । ଅନ୍ୟ ଦେଶରେ, ଯେଉଁ ଲୋକର ଧନ ଥିଲା ତାଙ୍କରି ସବୁଠାରୁ ବେଶୀ ମାନ ଥିଲା । ନିଜର ସେବା କରିବାରେ ସେ ସମସ୍ତଙ୍କୁ ଖଟାଉଥିଲେ । ଆମ ଦେଶର ଅବସ୍ଥା ଥିଲା ସ୍ୱତନ୍ତ୍ର । ଏ ଦେଶ ସବୁଠାରୁ ବଡ଼ ଜାତି ଯେ ବୋଲାଉଥିଲା, ସେ ବୈଷୟିକ ସମ୍ପତ୍ତି ଯୋଗୁଁ ବଡ଼ ହେଉନଥିଲା । ବୈଷୟିକ ସୁଖ ଯେ ଯେତିକ ଛାଡ଼ିପାରୁଥିଲା ସେ ସେତିକି ବଡ଼ ହେଉଥିଲେ । ଯେ ବଡ଼ ସାଧକ, ସେ ଖାଇବା ପୁଞ୍ଜାକ ବି ଛାଡ଼ି ଦେଉଥିଲା, ଖାଇବା ଅପେକ୍ଷା ତପସ୍ୟାକୁ ବଡ଼ ବୋଲି ମନେ କରୁଥିଲା । ସେକଥା ଛାଡ଼ି ସମସ୍ତେ ଖାଲି ଖାଇବା ଖାଇବା ବୋଲି ଭିଡ଼ିଓଟାରି ହେବା ଫଳରେ ଆମେ ତଳକୁ ଯାଉଥାଇଁ ନା ଉପରକୁ ଉଠୁଥାଇଁ, ତାହା ଆପଣମାନଙ୍କ ପରି ଶିକ୍ଷିତ ଲୋକେ ବିଚାରିବା ଦରକାର-

 

ଯୁବକନେତା—ଏଗୁଡ଼ାକ ଖାଲି କଥାର କଥା । ତ୍ୟାଗର ଗୋଟିଏ ଖୋଳ ମଡ଼ାଇ ବ୍ରାହ୍ମଣମାନେ ଖାଲି ନିଜର ସ୍ୱାର୍ଥ ଚିନ୍ତା ଇ କରୁଥିଲେ । ଆପଣ ଯେପରି କହୁଛନ୍ତି ଯଦି ବା ସେପରି ପୂର୍ବରେ ଥିଲା, ଆଜିକାଲି ବ୍ରାହ୍ମଣ କ’ଣ କରୁଛନ୍ତି ।

 

ମହାଦେବ— ଆଜିକାଲି ଆଉ ବ୍ରାହ୍ମଣ କ’ଣ ଅଛନ୍ତି ? ଏ ଯୁଗରେ ତ ମୋ ଜାଣିବାର ଜଣେ ମାତ୍ର ବ୍ରାହ୍ମଣ ବାହାରିଥିଲେ, ମାହାତ୍ମା ଗାନ୍ଧୀ ।

 

ଯୁବକ ନେତା—ଭଲ ତ ଜାଣିଛ, ବୁଢ଼ା । ମାହାତ୍ମା ଗାନ୍ଧୀ କ’ଣ ବ୍ରାହ୍ମଣ, ସେ ପରା ବଣିଆ ଥିଲେ ।

 

ମହାଦେବ—ଆମ ଏଠି କିଏ କାହା ଘରେ ଜନ୍ମ ହେଲା ସେଥିରେ ଜାତି ଠିକଣା ହୁଏ ନାହିଁ । ଜନ୍ମ ଅନୁସାରେ ଯଦି ଜାତି ଜନ୍ମ ନିର୍ଣ୍ଣୟ ହେଉଥାନ୍ତା, ତା’ ହେଲେ ଗାନ୍ଧୀ, ମହାତ୍ମା ହୋଇଥାନ୍ତେ କିପରି ? ବ୍ୟାସ, ବଶିଷ୍ଠ, ବିଶ୍ୱାମିତ୍ର, ନାରଦ, ବାଲ୍ମୀକି ଏସବୁ ଋଷି ମୁନି ହୋଇଥାନ୍ତେ କିପରି ? ଅନ୍ୟ ଦେଶ ପରି ଆମ ଦେଶମାନଙ୍କରେ ଜନ୍ମଟା ବୋଲି ବଡ଼ ବୋଲି ଧରାଯାଏ ନାହିଁ । ସାହେବଙ୍କର ପିଲା ଜନ୍ମ ହେବା ସାଙ୍ଗେ ସାଙ୍ଗେ ନାମ ରେଜେଷ୍ଟ୍ରି କରାଯାଏ, ବାପ ମା’ଙ୍କ ନାମ ଲେଖା ହୋଇଯାଏ । ଆମ ଦେଶରେ କିଏ କାହାର ପେଟରୁ ଜନ୍ମ ହେଲା ସେଥିକୁ କେହି ନଜର ଦିଅନ୍ତି ନାହିଁ । ଆମ ଦେଶରେ ଗୁଣ କର୍ମ ବଡ଼ ବୋଲି ଧରାଯାଏ ।

 

ଯୁବକ ନେତା—ତା’ ହେଲେ ଯେ ବେକରେ ପଇତା ଖଣ୍ଡ ପକାଇଲା, ସେ କାହିଁକି ବ୍ରାହ୍ମଣ ବୋଲାଉଛି ?

 

ମହାଦେବ—ସେ ତା’ ମନକୁ ବ୍ରାହ୍ମଣ ବୋଲାଉଛି ନା ? ଲୋକେ କ’ଣ ତାକୁ ବ୍ରାହ୍ମଣ ବୋଲି ମାନୁଛନ୍ତି । ଯଦି ବା ମାନୁଛନ୍ତି, ଖାଲି ଭାତ ରନ୍ଧେଇବାକୁ । ସେ ଦେଶର ବାବାଜୀ, ବୈଷ୍ଣବ, ସାଧୁ, ସନ୍ଥମାନଙ୍କର କ’ଣ କିଏ ଜାତି ପଚାରେ ?

 

ଯୁବନେତା—ଏ ଗୁଡ଼ାକ ସବୁକଥାର କଥା । ଏହା ଏ ଯୁଗରେ ଆଉ ଚଳିବ ନାହିଁ । ଅନ୍ୟ ଦେଶକୁ ଚାହିଁ ଆମ ନିଜକୁ ଗଢ଼ିନେବାକୁ ହେବ । ଆମ ଦେଶରେ ଅମୁକ ଥିଲା, ସମୁକ ଥିଲା ବୋଲି ଭାଳି ହେଲେ ଫଳ କ’ଣ ?

 

ମହାଦେବ—ଭାଳି ହୁଅ ବୋଲି କ’ଣ କିଏ କହୁଚି ? କାହା ତୁଣ୍ଡରେ କ’ଣ କିଏ ହାତ ଦେଉଚି, ଗୋଡ଼ରେ କ’ଣ ବେଡ଼ି ଲଗାଉଚି ? ଯାହାର ଯୁଆଡ଼େ ମନ ସେ ସେଆଡ଼େ ଯିବ । ସମସ୍ତଙ୍କର ଯଦି ମନ ହେଉଛି, ଅନ୍ୟ ଦେଶର ଆଦର୍ଶରେ ଆମ ଦେଶକୁ ଗଢ଼ିବା, ତେବେ ଗଢ଼ । କିନ୍ତୁ ଯେଉଁମାନେ ଅନ୍ୟର ଅନୁକରଣ କରିବେ, ସେ ଚିରକାଳ ଗୋଡ଼ାଣିଆ ହୋଇ ରହିବେ; ନିଜର ବୈଶିଷ୍ଟ୍ୟ ରଖିପାରିବେ ନାହିଁ । ବର୍ତ୍ତମାନ ଏ ଦେଶରେ ଯେଉଁ ଢ଼ଙ୍ଗ ଚାଲିଚି, ସେଥିରେ ଏ ଦେଶ, ପ୍ରତ୍ୟକ୍ଷ ଭାବରେ ନହେଲେ ବି ଅପ୍ରତ୍ୟକ୍ଷ ଭାବରେ, କାଳକାଳକୁ ପରାଧୀନ ହୋଇ ରହିବ-। ଶରୀରର ପରାଧୀନତା ଅପେକ୍ଷା ମନର ପରାଧୀନତା ଆହୁରି ଭୟଙ୍କର ।

 

ଟୋକାଙ୍କ ଭିତରୁ ଆଉ ଜଣେ ବାହାରି ପଡ଼ି କହିଲା, “ତୁମେଯାହା କହୁଚ, ତା’ ଯଦି ଠିକ୍‌, ତା’ହେଲେ ସେ କଥା ପ୍ରଚାର କରୁନାହଁ ?”

 

ମହାଦେବ ହସିଲେ; କହିଲେ, “ଏଇ ପ୍ରଚାର କରିବାଟା ତ ବାହାରୁ ଆମଦାନୀ । ଏ ଦେଶରେ ନିଜ ମତ ଗ୍ରହଣ କରିବାକୁ କେହି କାହାକୁ ବଳାଜୋରି କରେ ନାହିଁ । ତୁମେ ଯାହା ଶୁଦ୍ଧ ଚିତ୍ତରେ ଠିକ୍‌ ବୋଲି ମନେ କରୁଚ, ତା’ କର; ଅନ୍ୟମାନେ ଯଦି ତୁମ କଥା ଗ୍ରହଣ କଲେ ଭଲ, ନ ହେଲେ କିଛି କ୍ଷତି ନାହିଁ । ଆମ ଦେଶରେ ବହୁକାଳରୁ ଭିନ୍ନ ଭିନ୍ନ ମତ ଚଳି ଆସୁଚି । ବିଭିନ୍ନ ମତ ବେଳେବେଳେ ପରସ୍ପର ବିରୋଧୀ ଭଳି ମଧ୍ୟ ଦିଶେ । ତଥାପି ବିଭିନ୍ନ ମତରେ ବିରୋଧ ସତ୍ତ୍ୱେ ଏ ଦେଶ ରହିଛି । ମତ ବା ଶ୍ରେଣୀ ସଘଂର୍ଷ ଏଠାରେ ଶୁଣାନାହିଁ । ଯେଝା ମତ ଯେ ଧରିକରି ଚଳୁଛନ୍ତି-। ଅନ୍ୟ ଦେଶ ପରି ଏଠାରେ ମତ ପାଇଁ ହାଣକାଟ ହୁଏ ନାହିଁ ।”

 

ଯୁବକ ନେତା କହିଲେ, “ସେପରି ପ୍ରତ୍ୟେକଙ୍କର ଭିନେ ଭିନେ ଗୋଠ ହୋଇଥିବାରୁ ତ ଏ ଦେଶ ଚିରକାଳ ପରାଧୀନ ହୋଇ ରହିଛି; ହଜାର ହଜାର ବର୍ଷ ହେଲା ବିଦେଶୀ ଲୋକେ ଦେଶରେ କର୍ତ୍ତୃତ୍ୱ କରି ଆସୁଛନ୍ତି ।”

 

ମହାଦେବ—ତଥାପି ଦେଶ ରହିଚି । ବିଦେଶୀ ଆସି କର୍ତ୍ତୃତ୍ୱ କରୁଛନ୍ତି, କିନ୍ତୁ ଦେଶକୁ ଅକ୍ତିଆର କରି ନପାରି ମନକୁ ମନ ଛାଡ଼ି ଚାଲିଯାଉଛନ୍ତି । ହେଇଟି, ଏବେ ଯେ ଇଂରେଜମାନେ ଚାଲିଗଲେ, କ’ଣ ଆମେ ଲଢ଼ିକରି ତଡ଼ିଲେ, ନାଁ ତାଙ୍କୁ ଅବଜ୍ଞା କରିବାରୁ ସେ ପଳାଇଲେ ? ଆପଣଙ୍କୁ ଦେଖିଲେ, ଆପଣମାନଙ୍କର କଥା ଶୁଣିଲେ, ଜଣାପଡ଼ୁଚି, ସେମାନଙ୍କ ପାଇଁ ଆପଣମାନଙ୍କର ଏ ପର୍ଯ୍ୟନ୍ତ ପୂର୍ଣ୍ଣ ଆଦର ରହିଛି । କୃଷ୍ଣ ମଥୁରାକୁ ଚାଲି ଯିବା ପରେ ଗୋପୀମାନେ ବିରହରେ କଳାଲୁଗା ପିନ୍ଧିଲା ପରି, ଇଂରେଜ ଚାଲିଯିବାର ଏତେ ବର୍ଷ ମଧ୍ୟ, ଆପଣ ଅଦ୍ୟପି କଥା କଥାକେ, ଇଂରେଜି କହୁଛନ୍ତି, ଇଂରେଜି ଢଙ୍ଗରେ ଲୁଗା ପିନ୍ଧୁଛନ୍ତି ।

 

ଯୁବକ ନେତା—ଇଂରେଜି ଭାଷା ଓ ଇଂରେଜ ପୋଷାକକୁ ବୁଢ଼ାଳିଆ ଲୋକେ ଭାରି ନାପସନ୍ଦ କରୁଛନ୍ତି । କିନ୍ତୁ, ଆମେ ଏ ଯୁଗର ଲୋକେ ଦେଖୁଛୁ, ଇଂରାଜି ପୋଷାକ ସବୁଠାରୁ ଶସ୍ତା ଓ ସୁବିଧାଜନକ । ଇଂରାଜି ଭାଷା ଖାଲି ଇଂଲଣ୍ଡର ନୁହେଁ, ପୃଥିବୀର ଭାଷା । ସେ ଭାଷା ଶିଖିଲେ, ପୃଥିବୀର ସବୁ ଦେଶର ଲୋକେ ତୁମ କଥା ବୁଝିପାରିବେ ।

 

ମହାଦେବ— ଏ ଯୁକ୍ତି ତ ମୁଁ ବହୁତ ଶୁଣିଲିଣି । କିନ୍ତୁ ଏ ଦେଶରେ କ’ଣ ସମସ୍ତେ ଇଂରାଜୀ ଶିଖିପାରିବେ ? ପ୍ରାୟ ଦେଢ଼ଶ ବର୍ଷର ଉଦ୍ୟମ ଫଳରେ ଏ ଦେଶର ଶତକଡ଼ା ପାଞ୍ଚ ଜଣ ମଧ୍ୟ ଭଲ କରି ଇଂରେଜି ଶିଖିନାହାନ୍ତି । ପୃଥିବୀର ସମସ୍ତେ ଇଂରେଜି ବୁଝନ୍ତି ବୋଲି ଯାହା କହୁଚ, ତାହା କ’ଣ ସତ ? ଚୀନ ଓ ଭାରତ ଏ ଦୁଇ ଦେଶରେ ପୃଥିବୀର ଅଧେ ଲୋକ ବାସ କରୁଛନ୍ତି । ଭାରତର ସହରମାନଙ୍କରେ ଅବା କେତେ ଜଣ ଇଂରାଜି ଜାଣିଛନ୍ତି; ଚୀନର ଲୋକେ ସେତକ ବି ଜାଣିନାହାନ୍ତି । ଶୁଣିଛି, ଥରେ ଚୀନର ପ୍ରଧାନମନ୍ତ୍ରୀ ଆମ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ଦେଖା କରିବାକୁ ଆସିଥିଲେ । ତାଙ୍କୁ ଚୀନଭାଷା ବ୍ୟତୀତ ଆଉ କିଛି ଆସେ ନାହିଁ । ଜଣେ ଉଭୟ ଭାଷା—ପ୍ରବୀଣଙ୍କ ସାହାଯ୍ୟରେ ପଣ୍ଡିତ ଜବାହାରଲାଲ ନେହେରୁ ଚୀନ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ କଥାବାର୍ତ୍ତା ହେଲେ । ନିଜ ଭାଷା ବ୍ୟତୀତ ଆଉ କିଛି ନ ଜାଣି ମଧ୍ୟ ଚୀନ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ କଥାବାର୍ତ୍ତା ହେଲେ । ନିଜ ଭାଷା ବ୍ୟତୀତ ଆଉ କିଛି ନ ଜାଣି ମଧ୍ୟ ଚୀନ ପ୍ରଧାନମନ୍ତ୍ରୀ ଜେନିଭାରେ ଇଂଲଣ୍ଡ, ଆମେରିକା ଓ ରୁଷିଆର ରାଷ୍ଟ୍ରଦୂତଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ଫେରିଥିଲେ । ଆମ ଦେଶର ଶିକ୍ଷିତ ଲୋକଙ୍କୁ, ପୃଥିବୀ ବୋଇଲେ ଇଂଲଣ୍ଡ ଆମେରିକା ଦିଶୁଛି, ପୁଣି ସଭ୍ୟ ବୋଇଲେ ସେଇ ଇଂଲଣ୍ଡ ଆମେରିକା ଦିଶୁଛି । ଏ ମନୋବୃତ୍ତି ଛାଡ଼ିବାକୁ ହେବ । ନହେଲେ ଚୀନରେ ଚ୍ୟାଙ୍ଗ୍‌ କାଇସେକ୍‌ଙ୍କର ଯାହା ଅବସ୍ଥା ହେଲା, ଆମ ଦେଶରେ ଇଂରେଜି ପକ୍ଷପାତୀ ନେତାଙ୍କର ମଧ୍ୟ ସେଇ ଦଶା ହେବ । ଏ ଦେଶରେ ଲୋକେ ଇଂରେଜି ଶିଖିପାରିବେ ନାହିଁ । ଇଂରାଜି ଭାଷାର ପ୍ରକୃତି ଆମ ଦେଶର ପ୍ରକୃତିର ଅନୁକୂଳ ନୁହେଁ । ଦେଢ଼ଶ ଦୁଇଶ ବର୍ଷର ଅଭିଜ୍ଞତା ଫଳରେ ଏତିକି ଜଣା ନ ପଡ଼ିବା ପରିତାପର ବିଷୟ ।

 

ଯୁବକ ନେତା—ଆମ ଦେଶ ଲୋକେ ଇଂରାଜି କାହିଁକି ଶିଖି ନ ପାରିବେ ? ହିନ୍ଦୀ ଯଦି ଭାରତବର୍ଷର ରାଷ୍ଟ୍ରଭାଷା ହୋଇପାରିବ, ଇଂରାଜି କାହିଁକି ହୋଇ ନ ପାରିବ ? ଦାକ୍ଷିଣାତ୍ୟରେ ଲୋକେ, ଇଂରାଜି ଶିଖିବା ଯେତେ ସହଜ, ହିନ୍ଦି ଶିଖିବା ସେତେ ସହଜ ନୁହେଁ ବୋଲି କହୁଛନ୍ତି ।

 

ମହାଦେବ ହସି ହସି କହିଲେ, “ଆଜିକାଲିର ଶିକ୍ଷିତ ଭାରତୀୟଙ୍କର ସେତିକି ଅଡ଼ୁଆ । ସେମାନେ ସବୁବେଳେ ଭାବପ୍ରବଣତାରେ ଭାସି ଯାଉଛନ୍ତି । ନିଜ ମନକୁ ଯାହା ସୁଖ ଲାଗୁଛି, ତାହା ହିଁ ଠିକ୍‌ ବୋଲି ଭାବି ନେଉଛନ୍ତି । ଦାକ୍ଷିଣାତ୍ୟରେ ଯେଉଁମାନେ ଇଂରେଜିକୁ ସହଜରେ ବୋଲି ମନେ କରୁଛନ୍ତି ସେମାନେ କିଏ ? ସହରର ଶିକ୍ଷିତ ଲୋକେ ନା ମଫସଲ ଲୋକେ ? ପ୍ରତ୍ୟେକ ଭାଷା ପଛରେ ସଂସ୍କୃତି ଅଛି, ପରମ୍ପରା ଅଛି । ହିନ୍ଦୀ ପଛରେ ଯେଉଁ ସଂସ୍କୃତି ଓ ପରମ୍ପରା ଅଛି, ତେଲୁଗୁ ଓ ତାଲିମ ଭାଷା ପଛରେ ବି ସେଇଆ ଅଛି । ଆମ ଧର୍ମଶାସ୍ତ୍ର, ଆମ ପୁରାଣ, ସେଇ ସବୁ ଏ ଦେଶର ସଭ୍ୟତା ଓ ଭାଷାର ମୂଳପିଣ୍ଡ । ଇଂରାଜି ଭାଷାର ମୂଳ ନ ଜାଣି ଆମେ ଖାଲି ଡାଳ ଚିହ୍ନିଥାଇଁ । ଆମ ଦେଶରେ ଯେଉଁମାନେ ବଡ଼ ଇଂରେଜି ପଣ୍ଡିତ, ସେମାନେ ବି ଇଂରେଜି ଶବ୍ଦର ବ୍ୟୁତ୍ପତ୍ତି ସମ୍ୱନ୍ଧରେ ଅନଭିଜ୍ଞ । ବ୍ୟୁତ୍ପତ୍ତିରୁ ନ ଧରିଲେ ଭାଷାଜ୍ଞାନ ପୁଷ୍ଟ ହେବ ନାହିଁ; ସ୍ଥାୟୀ ବି ହେବନାହିଁ । ଇଂରେଜମାନେ ଯିବା ଦିନୁ ଏ ଦେଶ ପଣ୍ଡିତଙ୍କର ଇଂରେଜି ଜ୍ଞାନ କେଉଁ ଅବସ୍ଥାକୁ ଗଲାଣି, ଇଂରେଜଙ୍କୁ ପଚାରି ବୁଝ ।

 

ଯୁବକ ନେତା—ହଁ, ଏକଥା ଅନେକେ କହୁଛନ୍ତି, କିନ୍ତୁ ଆମର କୌଣସି ଦେଶୀ ଭାଷାରେ ଆଧୁନିକ ବୈଜ୍ଞାନିକ ଶବ୍ଦ ନାହିଁ ।

 

ମହାଦେବ—କୌଣସି ବିଶିଷ୍ଟ ଶବ୍ଦ ନାହିଁ ବୋଲି ନିଜ ଭାଷାକୁ ଛାଡ଼ିଦେବା ଯେପରି, ସୁନ୍ଦର ନୁହେଁ ବୋଲି ନିଜ ବୋଉକୁ ବୋଉ ବୋଲି ନ ମାନିବା ସେହିପରି । ଶବ୍ଦ ଯଦି ନାହିଁ, ତେବେ ଗଢ଼, ନ ହେଲେ ଅନ୍ୟ ଭାଷାରୁ ଶବ୍ଦ ଆହରଣ କର। ବ୍ରହ୍ମଦେଶ ସ୍ୱାଧୀନ ହେଲା ଦିନୁ, ଇଂରେଜି ଭାଷା ଏକାବେଳକେ ଛାଡ଼ି ଦେଇ ମଧ୍ୟ କୌଣସି ଅସୁବିଧା ଭୋଗ କରୁ ନାହିଁ; ନିଜ ଭାଷାରେ ସର୍ବୋଚ୍ଚ ଶିକ୍ଷା ଦେଇପାରୁଛି; ନିତାନ୍ତ ପ୍ରୟୋଜନ ହେଲେ ଇଂରେଜି ଶବ୍ଦ ପ୍ରୟୋଗ କରୁଛି । ଚୀନ ଦେଶରେ ତ ବହୁ ଦିନରୁ ଏ ରୀତି ଚଳୁଛି । ବୈଜ୍ଞାନିକ ଉନ୍ନତିରେ ସେମାନେ ଆମେରିକାର ସମକକ୍ଷ ହୋଇଗଲେଣି ବୋଲି ଶୁଣୁଛି । ମୋର କିନ୍ତୁ ମନେ ହେଉଚି, ଆମର ଯେଉଁମାନେ ଇଂରେଜି ଭାଷାର ପଣତକାନିକୁ ଭିଡ଼ି ଧରିଛନ୍ତି ସେମାନେ ନିଜ ନିଜ ମନର ଦୁର୍ବଳତା ଯୋଗୁଁ ସେପରି କରୁଛନ୍ତି; ସାଧାରଣ ଲୋକ ଓ ତାଙ୍କ ଭିତରେ ଇଂରେଜି ଭାଷାକୁ ସେମାନେ ବାଡ଼ କରି ରଖିବାକୁ ଚାହାନ୍ତି । ସେମାନଙ୍କର ଭୟ, ସେଇ ଭାଷାଟି ଚାଲିଗଲେ, ସେମାନଙ୍କର ଆଉ ବିଶିଷ୍ଟତା କିଛି ରହିବ ନାହିଁ ।

ଯୁବକମାନଙ୍କ ଭିତରେ କେତେଜଣ ସେତେବେଳେକୁ ମହାଦେବଙ୍କ କଥାରେ ପ୍ରଭାବିତ ହେବାକୁ ଆରମ୍ଭ କରିଥିଲେ । ଏ ମଫସଲିଆ ଲୋକଟି ଆଜିକାଲି ସଂସାର ଖବର ରଖୁଛି, ଏହା ତାଙ୍କୁ ବଡ଼ ତାଜୁବ୍‌ ଲାଗିଲା । ସେମାନଙ୍କର ଏହି ଭାବ ମହାଦେବ ବି ଜାଣିପାରୁ-ଥା’ନ୍ତି । ତେଣୁ ଯେତେବେଳେ ଜଣେ ଯୁବକ କହିଲା, “ଆପଣ ଏ ଯେଉଁ କଥା କହୁଛନ୍ତି ତାହା ସବୁ ଶିକ୍ଷିତ ଲୋକଙ୍କ ଭିତରେ ପ୍ରଚାର କଲେ ଭଲ ହୁଅନ୍ତା”, ମହାଦେବ ଉତ୍ତର ଦେଲେ, “ତାର ବେଳ ଆସିନାହିଁ । ଆଜିକାଲି ଶିକ୍ଷିତ ଲୋକ ଇଂରେଜି ଜାଣିଛନ୍ତି ବୋଲି, ମଫସଲିଆ ଇଂରେଜି ନ ଜାଣିବା ଲୋକଙ୍କୁ ଭାରି ଛୋଟ ନଜରରେ ଦେଖୁଛନ୍ତି । ତେଣୁ ଇଂରେଜି ଅନଭିଜ୍ଞ ଲୋକେ ସେମାନଙ୍କୁ ଉପଦେଶ ଦେବା ସେମାନେ ସହିପାରିବେ ନାହିଁ । ତା’ପରେ କୌଣସି ମତକୁ ପ୍ରଚାର କରି ଲୋକଙ୍କୁ ଗିଳେଇବା ଏ ଦେଶରେ ପ୍ରକୃତିରେ ନାହିଁ । ମୁଁ ଯାହା କହୁଛି, ତାହା ଯଦି ଠିକ୍‌ ହୋଇଥିବ, ତାହାହେଲେ କ୍ରମେ ଲୋକେ ଧରିନେବେ । ଆମରି ସଂ ସ୍କୃତି ନିଶ୍ଚୟ ଶେଷରେ ବଳବତ୍ତର ହେବ ।”

ଏହିଠାରେ ଯୁବକନେତା ଆପତ୍ତି କରି କହିଲେ, “ଆପଣ ଥରକୁ ଥର କହୁଛନ୍ତି, ‘କୌଣସି କଥା ପ୍ରଚାର କରି ଲୋଙ୍କୁ ଧରେଇବା ଏ ଦେଶର ପ୍ରକୃତିରେ ନାହିଁ ।’ ତେଣେ ମହାତ୍ମା ଗାନ୍ଧିଙ୍କୁ ବି ଖୁବ୍‍ ପ୍ରଶଂସା କରୁଛନ୍ତି । ମହାତ୍ମା ଗାନ୍ଧି କ’ଣ ନିଜ ମତ ପ୍ରଚାର କରୁନଥିଲେ ? ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ସେ କଣ ଆନ୍ଦୋଳନ ଚଳାଉନଥିଲେ ?”

ମହାଦେବ କହିଲେ, “ଗୋଟିଏ ଗହନ କଥା ଆଣି ପକାଇଲେ । ମୋର ତ ମନ ହୁଏ, ଶେଷ ବେଳକୁ ମହାତ୍ମା ଗାନ୍ଧି ବୁଝିପାରିଥିଲେ ଯେ ଲୋକେ ତାଙ୍କ ଆନ୍ଦୋଳନର ତତ୍ତ୍ୱ ବିଷୟରେ ବେଶୀ ଚିନ୍ତା ନ କରି, ଫଳକୁ ବେଶୀ ଚାହିଁ ରହିଥିଲେ । ତେଣୁ ମାହାତ୍ମାଙ୍କ ଆନ୍ଦୋଳନ ଫଳରେ ଆମେ ସ୍ୱରାଜ୍ୟ ପାଇଲେ; ହେଲେ କ’ଣ ହେବ, ସେ ଯେଉଁ ତତ୍ତ୍ୱର ପ୍ରଚାର କରୁଥିଲେ ତାହା ପାସୋର ହୋଇଗଲା । ତାଙ୍କ ଜୀବନରେ ଶେଷ ବର୍ଷମାନଙ୍କର ଏକଥା ସେ ବହୁଥର କହିଛନ୍ତି । ଏହା କିଛି ଅସ୍ୱାଭାବିକ ନୁହେ। ଆଜି ସନ୍ଥ ବିନୋବା ଯେଉଁ ଆନ୍ଦୋଳନ କରୁଛନ୍ତି, ତାର ବି ସେଇ ଫଳ ହେବ । ସେ ବଡ଼ ମହତ୍‌ କଥା କହୁଛନ୍ତି, କିନ୍ତୁ ଅମୁକ ଦିନ ସୁଦ୍ଧା ତାଙ୍କର ଏତେ ଜମି ଦରକାର ବୋଲି ଯେଉଁ ବାଇଦା ପକାଇ ଦେଉଛନ୍ତି, ତା’ରି ଯୋଗୁଁ ଆନ୍ଦୋଳନର ନେତୃତ୍ୱ ସୁବିଧାବାଦୀଙ୍କ ହାତରେ ଯାଇ ପଡ଼ିଯାଉଛନ୍ତି, ଯେଉଁମାନେ କି ତତ୍ତ୍ୱଟି ପ୍ରତି ବାଚିକ ସମର୍ଥନ ଦେଇ, ନିଜ ସ୍ୱାର୍ଥ ସାଧନ କରିବାରେ ଲାଗିପଡ଼ୁଛନ୍ତି । ନିର୍ଦ୍ଦିଷ୍ଟ କାମନା ବା ଫଳଲାଭ ଆଶା ରଖି କାର୍ଯ୍ୟ କଲେ ଏଇ ବିପଦ ଅଛି ।”

 

ଯୁବକ ନେତା—ତେବେ ସେ ୟା କରୁଛନ୍ତି କାହିଁକି ?

 

ମହଦେବ—ସେ କଥା ତାଙ୍କୁ ପଚାର ।

 

‘କେ ଅବା ଅଛି କେଉଁ ମତେ

ତାହା ମୁଁ ଜାଣିବି କେମନ୍ତେ ?’

 

ଯୁବକ ନେତା—ଧରନ୍ତୁ, ସେ ଯାହା କରୁଛନ୍ତି ତାହା ଦ୍ୱାରା ଯଦି ଅନିଷ୍ଟ ହେବ ତାହା ହେଲେ ଆମେ କ’ଣ ବାଧା ଦେବା ଉଚିତ୍‌ ନୁହଁ ?

 

ମହାଦେବ—ଅନିଷ୍ଟ ହେବ ବୋଲି ତ ମୁଁ କହୁନାହିଁ । ସେ ଯାହା ଆଶା କରୁଛନ୍ତି ସେ କଥା ଷୋଳପଣ ଫଳି ନ ପାରେ । ତାଙ୍କ ନିଜ ଉଦ୍ଦେଶ୍ୟ ଯେ ମହତ ଏଥିରେ ତ କୌଣସି ସନ୍ଦେହ ନାହିଁ । ଭଲ କଥା ଯେ କହୁଛି ବା କରିବାକୁ ଚାହୁଚି ତାର ଅମଙ୍ଗଳ ହେବ କୁଆଡ଼ୁ ? ଗୀତରେ ଅଛି-:—

 

‘ନ ହି କଲ୍ୟାଣକୃତ୍‌ କଶ୍ଚିତ୍‌

ଦୁର୍ଗତିଂ ତାତ ଗଚ୍ଛତି ।’

 

ଶାସ୍ତ୍ରରେ ପୁଣି ଅଛି, ଜଣକର ତପସ୍ୟାରେ ଲକ୍ଷେ ଲୋକଙ୍କର ମଙ୍ଗଳ ହୁଏ, ଯଦିଓ ସେ ଲକ୍ଷେ ଲୋକ ତପସ୍ୟାର ଅସଲ ମର୍ମ ବୁଝି ନଥାନ୍ତି । ତେବେ ଅନେକ ସମୟରେ ଏପରି ହୁଏ, କର୍ତ୍ତା ଯେଉଁ ମଙ୍ଗଳ ଇଚ୍ଛା କରୁଥାଏ, ଫଳରେ ସେ ମଙ୍ଗଳ ନ ହୋଇ ଅନ୍ୟ ମଙ୍ଗଳ ହୁଏ ।

 

ଏ କଥାଟା ଯୁବକମାନେ ଭଲ ରୂପେ ବୁଝିପାରିଲେ ନାହିଁ; ପୁଣି ସେତିକିବେଳେ ଜଣେ ହାତବନ୍ଧା ଘଣ୍ଟାକୁ ଚାହିଁଦେବାରୁ ସମସ୍ତେ ଚଞ୍ଚଳ ହୋଇଗଲେ । ସେମାନଙ୍କ ଟିକଟ କରିବା ବେଳ ହୋଇ ଯାଇଥାଏ ।

 

ଜଣେ ଯୁବକ କହିଲେ,“ଆପଣଙ୍କ ସଙ୍ଗେ କଥାବାର୍ତ୍ତା ହେବାରୁ ଆମେ ବଡ଼ ଉପକୃତ ହେଲୁ । କିନ୍ତୁ ଆମର ଗାଡ଼ିବେଳ ହୋଇଗଲାଣି ।” ମହାଦେବ ବିଚାରିଲେ, ଏ ବାବୁମାନେ ପରର ମଙ୍ଗଳ କରିବାକୁ ବିଚାରୁଛନ୍ତି, ତତ୍ତ୍ୱ ଜାଣିବାକୁ ବି ଇଚ୍ଛା କିନ୍ତୁ ନିଜର ଯେପରି ଟିକିଏ ହେଲେ ଅସୁବିଧା ନ ହୁଏ ! ଏଣେ ବିଷୟ ବୁଝିବାକୁ ମନ, ତେଣେ ଗାଡ଼ି ଧରିବାକୁ ମନ । ସତେ ଯେମିତି ଗୋଟିଏ ଗାଡ଼ି ଟାଇମ୍‌ ଫେଲ୍‌ ହୋଇଗଲେ ସୃଷ୍ଟି ମାରା ହୋଇଯିବ ! କିନ୍ତୁ ସେ ପ୍ରକାଶ୍ୟରେ କିଛି ନ କହି ହସି ହସି ସେମାନଙ୍କୁ ବିଦାୟ ଦେଲେ । ସେ ହସର ଅର୍ଥ ବୁଝିବାକୁ ପିଲାଙ୍କର ବା ସାଧନା କେଉଁଠି ?

 

କ୍ରମେ କ୍ରମେ ମୁସାଫିରଖାନା ଖାଲି ହୋଇଗଲା । ସୂର୍ଯ୍ୟୋଦୟକୁ ଅଳ୍ପ ସମୟ ବାକି, ଝାଡ଼ୁବାଲା ଆସି ତାହାର କାର୍ଯ୍ୟ ଆରମ୍ଭ କରି—ଦେବାରେ ମହାଦେବ ଷ୍ଟେସନ ଛାଡ଼ି ସହର ଭିତର ଆଡ଼େ ମୁହାଁଇଲେ ।

 

କଲେଜ ଛକ ପାଖରେ ଜଣେ ଲୋକେ କାନ୍ଥରେ ବଡ଼ ବଡ଼ ଅକ୍ଷରର ଛାପା କାଗଜ ଖଣ୍ଡିଏ ମାରୁଥାଏ । ତା’ରିଠାରୁ ବାସୁଆ ବିଷୟରେ ଖବର ବୁଝିବାକୁ ମହାଦେବ ସେଇଠାକୁ ଗଲେ; ପଢ଼ିଲେ କାଗଜରେ ଲେଖା ହୋଇଚି—“ରଥଯାତ୍ରାବେଳେ ହଇଜା ହେବାର ଆଶାଙ୍କା ଅଛି-। ଇଞ୍ଜେକ୍‌ସନ୍‌ ନ ନେଇ ସେଠାକୁ ଯାଅ ନାହିଁ ।

 

“ଇଞ୍ଜେକ୍‌ସନ୍‌ ଟିକଟ୍‌ ନ ଦେଖାଇଲେ, ସ୍ୱାସ୍ଥ୍ୟବିଭାଗ ଲୋକେ ବାଧ୍ୟ କରି ଇଞ୍ଜେକ୍‌ସନ ଦେବେ ।”

 

ମହାଦେବଙ୍କର ମନ ଥିଲା, ବାସୁଆକୁ ସାଙ୍ଗରେ ପାଇଲେ ରଥଯାତ୍ରା ଦେଖିବାକୁ ଯାଇଥା’ନ୍ତେ । ସେଠାକୁ ଯିବାକୁ ଏପରି ମନା କାହିଁକି କରାଯାଉଛି ତାହା ସେ ବୁଝିପାରିଲେ ନାହିଁ । ତାଙ୍କର ସନ୍ଦେହ ହେଲା, ଏହା ବୋଧହୁଏ ସେଇ କମ୍ୟୁନିଷ୍ଟଙ୍କର କାମ । ସନ୍ଦେହ ଦୂର କରିବାକୁ ସେ କାଗଜ ମାରୁଥିବା ଲୋକଟିକୁ ପଚାରିଲେ, “କାଗଜ କାହିଁକି ମାରୁଛ ?” ଏ ଲୋକଟି କହିଲା, “ନ ମାରିବ କାହିଁକି ? ଏଥିରୁ ଦଶ ମାଇଲେ ମୋତେ ଷାଠିଏ ପଇସା ମିଳିବ ବୋଲି ବାବୁ କହିଛନ୍ତି ।”

 

ମହାଦେବ ପଚାରିଲେ, “ଯେଉଁ ବାବୁ କହିଛନ୍ତି ସେ କ’ଣ ଖିରସ୍ତାନ ନା କମ୍ୟୁନିଷ୍ଟ ?”

 

ଲୋକଟି କହିଲା, କେଜାଣି ବାବୁ, ଆମକୁ ସେକଥା ଜଣା ନାହିଁ । ଏ କାଗଜରେ କ’ଣ ଲେଖା ହୋଇଛି ତମେ ପଢ଼ିବ ଯେବେ ପଢ଼, ନ ପଢ଼ିଲେ ଯାଅ । ମୁଁ କିପରି ଶୀଘ୍ର ଦଶ ଖଣ୍ଡ ମାରିଦେଲେ ରିକ୍‌ସା ଟାଣିବାକୁ ଯିବି । ସେ ବାବୁ ୟାକୁ କାହିଁକି ମରାଉଛନ୍ତି ଯଦି ଜାଣିବ, ତେବେ ଟିକିଏ ଠିଆ ହୁଅ, ସେ ଏହି କ୍ଷଣି ଆସିବେ ।”

 

ଏତେବେଳକୁ ବାବୁ ଆସି ପଛରେ ଠିଆ ହୋଇ ସାରିଲେଣି । ମହାଦେବ ତାଙ୍କୁ ପଚାରିବା ପୂର୍ବରୁ ସେ ମହାଦେବଙ୍କୁ ପଚାରିଲେ, “ବୁଢ଼ା, ତମେ ପଚାରୁଥିଲ, ଏଗୁଡ଼ିକ କାହିଁକି ମରା ହେଉଛି ? ତୁମେ ଓଡ଼ିଆ ଜାଣଟି ? (ମହାଦେବ ମୁଣ୍ଡ ଟୁଙ୍ଗାରିଲେ) ତେବେ ଆଉ କାହିଁକି ତମେ ପଚାରୁଛ ?”

 

ମହାଦେବ କହିଲେ, “ମୁଁ ପଢ଼ିପାରୁଛି ବୋଲି ପରା ପଚାରୁଛି । ଏପରି କାଗଜ ଛପାଇ ରଥଯାତ୍ରାକୁ ନ ଯିବାକୁ ଆପଣ କାହିଁକି ଡ଼ରାଉଛନ୍ତି ?”

 

ବାବୁ—ଆମେ ଦରମା ପାଉଛୁ ବୋଲି, ଏ କାଗଜ ମରାଉଛୁ । ଏହାକୁ ମାରିବାଦ୍ୱାରା ଡରାଇବା ହେଲା କିପରି? ଯାହାର ମନ ହେଉଛି, ସେ ଇଞ୍ଜେକସନ ନେବାକୁ ନ ଡରୁ, ସେଇ କଥା ମାତ୍ର କୁହା ହୋଇଛି ।

 

ମହାଦେବ—ଗାଁ ଗହଳିରେ ଲୋକମାନେ ଯଦି ଇଞ୍ଜେକସନ୍‌ ନେବାକୁ ଖୋଜିବେ, ତାହା ହେଲେ କ’ଣ ଆପଣ ଦେଇପାରିବେ ?

 

ବାବୁ—ସରକାରର ଏତେ ଲୋକ ନାହାନ୍ତି, ପ୍ରତି ଗାଁରେ ବୁଲି ଇଞ୍ଜେକ୍‌ସନ ଦେବାକୁ । ସେଥିପାଇଁ ଆମେ ସଡ଼କ ଛକମାନଙ୍କରେ, ରେଳ ଷ୍ଟସନରେ ଇଞ୍ଜେକ୍‌ସନ ଦେବାକୁ ଲୋକ ରଖିଦେଉ ।

 

ମହାଦେବ—ସେ ତ ସେଇଦିନ ବା ତହିଁ ପୂର୍ବଦିନ । ଇଞ୍ଜେକ୍‌ସନ ନେଇ ଯଦି ଜର ହେବ ? ପୁଣି, ତମ ପାଠରେ ଅଛି, ଅଠଚାଳିଶ ଘଣ୍ଟା ପର୍ଯ୍ୟନ୍ତ ଇଞ୍ଜେକ୍‌ସନର ଗୁଣ ବାହାରିବ ନାହିଁ । ଜର ସାଙ୍ଗକୁ ଯଦି ହଇଜା ହୁଏ, ତେବେ ଯାତ୍ରୀମାନେ କେଡ଼େ ହଇରାଣ ନ ହେବେ !

 

ବାବୁ-ଯାହାର ହଇରାଣକୁ ଡର ସେ ରଥଯାତ୍ରାକୁ ଯାଉ ।

 

ମହାଦେବ—ସେଇଥିପାଇଁ ମୁଁ କହୁଥିଲି, ଏ କାଗଜପତ୍ର ଛାପା ହେଲେ ଲୋକେ ଆଉ ରଥଯାତ୍ରାକୁ ଡରିକରି ଯିବେ ନାହିଁ ।

 

ବାବୁ—ନ ଗଲେ ଭଲ ହୁଅନ୍ତା । ହାତୀ ଲଗାଇ ରଥ ଟଣା ଯା’ନ୍ତା, ନ ହେଲେ ପୁଲିସ୍‌ ଟାଣି ଦିଅନ୍ତେ ।

 

ମହାଦେବ—ତେବେ ଆଉ କାହା ପାଇଁ ରଥ ଟଣା ହୁଅନ୍ତା ? ତା’ ଅପେକ୍ଷା ବନ୍ଦ କରିଦେଲେ ଭଲ ।

 

ବାବୁ—ସରକାରଙ୍କର ସେଇଆ ଇଚ୍ଛା । ବୃଥାରେ ରଥ ପାଇଁ ଯେଉଁ ଟଙ୍କା ଗୁଡ଼ିକ ଖର୍ଚ୍ଚ ହେଉଚି, ତାହା ଗଠନମୂଳକ କାର୍ଯ୍ୟରେ ଲାଗିପାରନ୍ତା !

 

ମହାଦେବ—ସେକଥା ନ ହେଉଛି କାହିଁକି ?

 

ବାବୁ—ତୁମର ପରି କୁସଂସ୍କାରଗ୍ରସ୍ତ ଲୋକଙ୍କ ଯୋଗୁଁ । ତୁମର ନିଜ ଉପକାର ପାଇଁ ଏ କାଗଜ ଖଣ୍ଡ ମରା ହେଲା ଯେ, ତୁମ ମନକୁ ପାଉନାହିଁ । ରଥଯାତ୍ରା ବନ୍ଦ ହୋଇଗଲେ, ତୁମେ ଆଉ ବାକୀ ରଖିବ ! ତୁମର ଭୋଟ ଉପରେ ପରା ଆମ ଚାକିରି ।

 

ମହାଦେବ କିଛି ନ କହି ତୁନୀ ହୋଇ ରହିଲେ ।

 

ବାବୁ ପଚାରିଲେ, “କିଓ ବୁଢ଼ା, କ’ଣ ମୋ କଥା ବୁଝିପାରିଲ ନାହିଁ କି ?

 

ମହାଦେବ—ନାଁ ବାବୁ, ବୁଝିଲ ବୋଲି ପରା ତୁନୀ ହେଉଛି । ଦେଖୁଚି, ବର୍ତ୍ତମାନ ସବୁ ଖାଲି ଭୟରେ ଚାଲିଛି । ଲୋକଙ୍କୁ ଡରାଇ ଡରାଇ ଆପଣ ରଥଯାତ୍ରା ବନ୍ଦ କରିବା ପାଇଁ ବସିଛନ୍ତି, ପୁଣି ଲୋକଙ୍କୁ ଡରି ନିର୍ଜୀବ ଭାବରେ ଚାଲୁ ବୋଲି କହୁଛନ୍ତି । ଅସଲ କଥାଟି ବୁଝି କାର୍ଯ୍ୟ କରିବା ପାଇଁ କାହାର ତ ମନ ହେଉଥିଲା ପରି ଜଣା ଯାଉନାହିଁ ।

 

ଜଣେ କଲେଜ ବାବୁ ଦୋକାନ ଚା ଖାଇ ଫେରୁଥିଲେ । ପୂର୍ବ ଲିଖିତ ବଚନିକ ତାଙ୍କ କାନରେ ବାଜିଯିବାରୁ ସେ ଆସି ଯୋଗଦେଇ ପଚାରିଲେ, “କିଓ ବୁଢ଼ା, ତୁମେ ତ ଜଣେ ବଡ଼ ମାମଲତକାରିଆ ଲୋକପରି ଜଣାଯାଉଚ ?”

 

ମହାଦେବ—ଆଜ୍ଞା, କାହିଁକି ?

 

କଲେଜ ବାବୁ—କାହିଁକି ଜାଣିପାରୁନାହିଁ ? ଇଥଂଭୂତ ଲକ୍ଷଣେ । ଯଥା ଜଟାଭିଃ ତାପସଃ, ଲୁଙ୍ଗିନା ପଠାଣଃ, ତଥା, ଦାଢ଼୍ୟା ମାମଲତକାରଃ ଧର୍ମଧ୍ୱଜୀ ଚ ।

 

ସମସ୍ତେ କହିଲେ, କାଗଜ ଲଗାଉଥିବା ରିକ୍‌ସାବାଲା ପର୍ଯ୍ୟନ୍ତ ।

 

କଲେଜ ବାବୁ ପୁଣି କହିଲେ, “ଆଚ୍ଛା, ୟେ ରଥଯାତ୍ରାରେ ଆଉ ଅସଲ କଥା କ’ଣ ଅଛି କହିଲ । ପଣ୍ଡାମାନଙ୍କର ଏହା ଗୋଟାଏ ଫିସାଦ, ଗୁଡ଼ାଏ ଆଟିକା କରିବେ । ଆଉ କ’ଣ ରଥରେ ଜଗନ୍ନାଥଙ୍କୁ ଦେଖି—ଦେଲେ, ଦଉଡ଼ି ଟିକିଏ ଟାଣିଦେଲେ, ଚତୁବର୍ଗ ମିଳିଯିବ ?”

ମହାଦେବ କହିଲେ, “ଆଜ୍ଞା, ଧର୍ମ କଥାଟା ଛାଡ଼ିଦିଅନ୍ତୁ । ବିଦେଶରୁ ପର୍ଯ୍ୟଟକ ଆସିବେ, କୋଣାର୍କ ଖଣ୍ଡଗିରି ଦେଖିବେ ବୋଲି ପରା ଆପଣଙ୍କ ସରକାର ଚିତ୍ର ବହି ଛପାଉଛନ୍ତି ।”

କଲେଜ ବାବୁ—ଓ, ସେ କଥା ବି ତୁମକୁ ଜଣା ! ଖାଲି ଆମର ଏଠାରେ କାହିଁକି ପୃଥିବୀର ସବୁ ଦେଶରେ ଆଜିକାଲି ଟୁରିଷ୍ଟ୍‌ ଟ୍ରାଫିକ୍‌, ମାନେ ପର୍ଯ୍ୟଟକମାନଙ୍କର ଗମନାଗମନ ସୁବିଧା କରିବା ସକାଶେ ବିଶେଷ ଉଦ୍ୟମ ହେଉଛି । ଟୁରିଷ୍ଟ୍‌ ଅର୍ଥାତ୍‌ ପର୍ଯ୍ୟଟକ ଯେତିକି ସଂଖ୍ୟାରେ ଆସିବେ, ସେଇ ଅନୁକ୍ରମେ ବିଭିନ୍ନ ଦେଶର ଲୋକଙ୍କ ଭିତରେ ସହଯୋଗ ବଢ଼ିବ; ପୃଥିବୀରେ ଶାନ୍ତି ସ୍ଥାପିତ ହେବ ।

ମହାଦେବ—ଆଜ୍ଞା, ମୁଁ ସେଇ କଥା ବିଚାରୁଥିଲି । ରଥଯାତ୍ରାକୁ ଯଦି ସରକାର ସେଇ ଦିଗରୁ ବିଚାର କରନ୍ତେ, ତେବେ ପୁଲିସ୍‌ଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗର ଲୋକ ପର୍ଯ୍ୟନ୍ତ ସମସ୍ତେ, ଧମକଚମକ ଛାଡ଼ି ଲୋକେ କିପରି ସୁବିଧା ଆସି ରହି ଫେରିଯିବେ ସେ ବିଷୟରେ ଯତ୍ନ ନିଅନ୍ତେ । ସେଥିପାଇଁ ସବୁ ବ୍ୟବସ୍ଥା ଅଛି, କିନ୍ତୁ ମନଟା ଅଡ଼ୁଆ କରୁଚି । ଧର୍ମ ବାହାର ଆବରଣ ଭିତରେ ଅସଲ କଥାକୁ କେହି କଷୁନାହାନ୍ତି । ଭାରତର ସବୁ ରାଜ୍ୟର ଲୋକଙ୍କୁ ଟାଣିବା ପାଇଁ ରଥଯାତ୍ରା ଉପଲକ୍ଷେ ଯେଉଁ ଆୟୋଜନ ହେଉଛି ସେଇତକ ଆପଣଙ୍କ ସାହେବି ଢଙ୍ଗରେ କଲେ, ପାରିବେ ? ପୁଣି ଧର୍ମ ନାମରେ ପାଞ୍ଚଜଣ ଲୋକ ଏକାଠି ମିଳି ଏଡ଼େ ବଡ଼ ରଥକୁ ଯେପରି ଟାଣି ନେଉଛନ୍ତି, ସେହିପରି ମିଳିଲେ, ଗ୍ରାମ ମଙ୍ଗଳ, ଗ୍ରାମ ଗୋଷ୍ଠୀ ଯୋଜନା, ଅଧିକ ଫସଲ ଉତ୍ପାଦନ, ସବୁ ସହଜରେ ହୋଇଯା’ନ୍ତା । ବର୍ତ୍ତମାନ ଯେପରି ଚାଲିଛି, ସେପରି ବେଶୀ ଦିନ ଚାଲିଲେ ଆଉ ତ କେହି ରଥଯାତ୍ରାକୁ ଆସିବେ ନାହିଁ । ଆସ ବୋଲି ଚାରିଆଡ଼େ ପ୍ରଚାର କରିବା କୁଆଡ଼େ ଗଲା, ଆସିଲେ ହଇଜା ହେବ ବୋଲି ଆପଣ ଡରାଉଛନ୍ତି !

ବାବୁ ତୁନି ହୋଇଗଲେ । ଆଉ ଯେଉଁ ଚାରି ପାଞ୍ଚ ଜଣ ଜମିଥିଲେ, ସେମାନେ ବୁଢ଼ା ଠିକ୍‌ କହୁଛନ୍ତି ବୋଲି କହି, ଗୋଟିଏ ଗୋଟିଏ ନିଜ କାର୍ଯ୍ୟରେ ବାହାରିଗଲେ । କଲେଜ ବାବୁ କିନ୍ତୁ ଗଲା ବେଳକୁ କହିଲେ, “ବୁଢ଼ା ଜଣେ ହାଇକୋଟିଆ ଅଛି । ନ ହେଲେ ଏଡ଼େ ଲମ୍ୱ ଦାଢ଼ି ହୋଇଥାନ୍ତା ?”

ମହାଦେବ ଆଉ ଟିକିଏ ଅଗ୍ରସର ହୋଇଛନ୍ତି, ପଛଆଡ଼ୁ ଜଣେ ପାଟିକଲା, “ବୁଢ଼ା ରହ ରହ, ଅନ୍ୟ ବାଟରେ ଯାଅ । ଆଗରେ ଲଢ଼େଇ ଚାଲିଛି; ଏ ରାସ୍ତାରେ ଯିବା ଆସିବା ବନ୍ଦ ହୋଇଯାଇଛି ।”

ମହାଦେବ କଥାଟି କିଛି ବୁଝି ନପାରି ଟିକିଏ ଠିଆ ହୋଇ ପଛରୁ ଡାକିଥିବା ଲୋକକୁ ଅପେକ୍ଷା କଲେ । ସେ କିନ୍ତୁ ଓଲଟା ଦିଗରେ ଗଲା । କ’ଣ ଲଢ଼େଇ ଲାଗିଛି ଦେଖିବାକୁ ମହାଦେବଙ୍କର କୌତୁହଳ ହେଲା । ସେ ଆଗକୁ ଚାଲିଲେ । କେନାଲ ଡେଇଁ ସେ ରାଣୀହାଟ ସ୍କୁଲ ସାମନା ହୋଇଛନ୍ତି, ଏଇ ସମୟରେ ତାଙ୍କ କୌତୁହଳର ପୁରସ୍କାର ତାଙ୍କୁ ମିଳିଗଲା । କଡ଼ ପାଖ ଗଳି ଭିତରୁ ଖଣ୍ଡେ ଭଙ୍ଗା ଇଟା ପିଁ କିନି ଆସି କାନ ମୁଣ୍ଡାରେ ଖୁବ୍‌ ଜୋରରେ ବାଜିଗଲା । ମହାଦେବ ସେଇଠାରେ ଠିଆ ହୋଇଗଲେ। ଗଳି ମୁଣ୍ଡରେ ଜମା ହୋଇଥିବା ଲୋକେ କୁଆଡ଼େ ମିଳେଇଗଲେ । ଜଣେ ବୁଢ଼ା ଦୋକାନୀ, ଇଟା ବାଜି ମହାଦେବ ଥକ୍‌କା ହୋଇ ସଡ଼କ ମଝିରେ ଠିଆ ହୋଇଥିବାର ଦେଖି, ତାଙ୍କ ପାଖକୁ ଆସିଲେ ଓ ତାଙ୍କ ନିଜ ଦୋକାନ ଭିତରକୁ ଡାକିନେଲେ-। ଦୋକାନୀ ଚିକିତ୍ସାର ଯେତେ ପ୍ରସ୍ତାବ ଦେଲେ, ମହାଦେବ ତାହା ବିନୟରେ ହସି ଉଡ଼ାଇଦେଲେ; କହିଲେ “ସେପରି କିଛି ହୋଇ ନାହିଁ । ତା’ ମନକୁ ସେ ଭଲ ହୋଇଯିବ ।” ଚାରି ପାଞ୍ଚ ଜଣ ପୁଲିସବାଲା ବି ଆସି ପହଞ୍ଚିଗଲେ; ଜିଦ୍‌ କଲେ, “ମହାଦେବ ଡାକ୍ତରମାଇନା ପାଇଁ ଚାଲନ୍ତୁ ଓ ଥାନାରେ ଇତାଲା ଦିଅନ୍ତୁ ।” ଥାନା ଆଉ କଚେରୀର ପୂର୍ବ ସ୍ମୃତି ମନେ ପଡ଼ିଯିବାରୁ ମହାଦେବ ସେମାନଙ୍କୁ ଖୁବ୍‌ ଲକସ୍ତକ ହୋଇ କହିପୋଛି ଉଦ୍ଧାର ପାଇଲେ ।

ବୁଢ଼ା ଦୋକାନୀଟି ମହାଦେବଙ୍କୁ ଖୁବ୍‌ ଆଦର କରି ମୁହଁ ହାତ ଧୋଇବାକୁ ଅନୁରୋଧ କଲେ । ମହାଦେବ ତାଙ୍କର ମନ ରଖିବାକୁ ମୁହଁ ଧୋଇ ନବାତ ପଣା ଟିକିଏ ପିଇଲେ ଓ ଦୋକାନୀ ପଛପଟ ଘର ଭିତରେ ଦୋକାନୀଙ୍କ ସଙ୍ଗେ ଦୁଃଖସୁଖ ଆରମ୍ଭ କଲେ । ତାଙ୍କଠାରୁ ସେ ବୁଝିଲେ ଗଉଡ଼ ସାହି ଓ ତେଲି ସାହି ଭିତରେ ବହୁଦିନ ହେଲା କଜିଆ ହୋଇ ଏହିପରି ମାଡ଼ଗୋଳ ଚାଲିଛି । ମଝିରେ ମଝିରେ ଟେକାପଥର ପିଙ୍ଗା ହେଉଛି । ଆଜି ବିପକ୍ଷ ସାହିର ଗୋଟିଏ ଲୋକ ଆଡ଼କୁ ଟେକା ମାରୁ ମାରୁ ତାହା ମହାଦେବଙ୍କ ଦେହରେ ବାଜିଲା । ସାହିବାଲା ବାଟୋଇଙ୍କ ଉପରେ ଆକ୍ରମଣ କରୁନାହାନ୍ତି । କିନ୍ତୁ ହାବଡ଼ା ଝଟକା ଏହିପରି ଦୁର୍ଘଟଣା ଘଟୁଛି । ସେଥିପାଇଁ ଗୋଳମାଳ ବେଳେ ରାସ୍ତା ପଡ଼ିଯାଇଛି ।

ମହାଦେବ ପଚାରିଲେ, “ତୁମେ କେଉଁ ସାହିର ?”

ଦୋକାନୀ—ଆମ ଘର ତେଲି ସାହିରେ, କିନ୍ତୁ ଆମେ ତେଲି ସାହିର ନୋହୁଁ ।

ମହାଦେବ ଏହାର ଅର୍ଥ ବୁଝିପାରିଲେ ନାହିଁ ।

ଦୋକାନୀ ବୁଝାଇଲେ,“ସେ କଟକର ସାବକ ବାସିନ୍ଦା ନୁହନ୍ତି; ମଫସଲରୁ ବ୍ୟବସାୟ କରିବା ପାଇଁ ଏଠାକୁ ଆସିଛନ୍ତି । ତେଲି ସାହିରେ ଭଲ ଘର ଖଣ୍ଡିଏ ମିଳିଯିବାରୁ ଭଡ଼ାରେ ଅଛନ୍ତି । ସାଇବାଲା ଏପରି ଲୋକଙ୍କୁ ନିଜ ସାଙ୍ଗରେ ମିଶାନ୍ତି ନାହିଁ, ସବୁବେଳେ ଭଡ଼ାବାଲା ବୋଲି ଅଲଗା ଦୃଷ୍ଟିରେ ଦେଖନ୍ତି ।”

ମହାଦେବ ପଚାରିଲେ, “ଓ, ତମେ ତା ହେଲେ ବ୍ୟବସାୟ ସରିଲେ ତୁମ ନିଜ ଗାଁକୁ ଫେରିଯିବ !”

ଦୋକାନୀ—ନାଁ, ସେ ବାଟଟା ରଖିନାହିଁ । ପିଲାମାନେ ତ ଏଇଠାରେ ବଢ଼ିଲେ, ଗାଁକୁ ଯିବାକୁ କେହି ମଙ୍ଗିଲେ ନାହିଁ । ତେଣୁ ଗାଁର ସମ୍ପର୍କ ଛିଣ୍ଡାଇ ଦେଇଛି । ଜମିବାଡ଼ି, ଘରଡ଼ିହ ସବୁ ବିକି ଦେଇଛି । ଏଇ ସାଇ ଭିତରେ ଜାଗା ଦି’ଗୁଣ୍ଠ ନେଇ ଖଣ୍ଡିଏ ଘର ତୋଳୁଛି । ସେଇଠାରେ ରହିବି ।”

ମହାଦେବ ତା’ ହେଲେ ତମେ ତମ ନିଜ ଘରେ ରହିଲେ ବୋଧହୁଏ ସାଇରେ ମିଶିଯିବ-

ଦୋକାନୀ—ନାଁ, ତା’ ହେବ ନାହିଁ । ମୋର ବି ଇଚ୍ଛା ନୁହେଁ । ଏମାନେ ସମସ୍ତ ଅଶିକ୍ଷିତ ହୁଣ୍ଡା ପ୍ରକୃତିର ଲୋକ । ତାଙ୍କ ସାଙ୍ଗରେ ଆମର ଯତି ଚାଲିବ ନାହିଁ ।

ମହାଦେବ—ତେବେ ତ ବଡ଼ ଅଡ଼ୁଆ ! ସେ ଆଡ଼ୁ ସବୁ ସମ୍ପର୍କ ଯାଇଛି, ୟାଡ଼େ ବି କିଛି ସମ୍ପର୍କ ରହିବ ନାହିଁ । କାହିଁକି, ତମେ ଏଇ ସାଇବାଲାଙ୍କ ସଙ୍ଗେ ଏକ ହୋଇଯାଉନାହଁ ? ତୁମ ଭଳି ଲୋକ ମିଶିଲେ ସେମାନଙ୍କର ପ୍ରକୃତି ବଦଳିଯା’ନ୍ତା ।

 

ଦୋକାନୀ—ନାଁ, ଏତେ ଦାୟିତ୍ୱ ମୁଣ୍ଡାଇବାକୁ ଆମକୁ ବେଳ କାହିଁ ? ନିଜ ଲଟରା ନିଜକୁ ବୋଝ । ତା’ପରେ ତାଙ୍କର ଆମର ତ ଜାତି ସମାନ ନୁହେଁ ।

 

ମହାଦେବ—କାହିଁକି, ଏତେ ଦୋକାନ ଅଛି, ଆଉ ଅନ୍ୟ ଦୋକାନୀ କ’ଣ ସେ ସାଇରେ ନାହାନ୍ତି ?

 

ଦୋକାନୀ—ଆମେ ସିନା ଦୋକାନ କରିଛୁ, ଆମେ କ’ଣ ଦୋକାନୀ ଜାତି ? ଆମେ ବ୍ରାହ୍ମଣ ।

 

ମହାଦେବ ଏକଥା ଭଲ ସମଜି ପାରିଲେ ନାହିଁ । ତାଙ୍କର ମନେ ହେଉଥିଲା, ତେଲି, ତନ୍ତୀ, ତୁଳାଭିଣା, ଦରଜିଙ୍କ ପରି ଦୋକାନୀ ଗୋଟିଏ ଜାତି ହେବା ଉଚିତ୍‌ । ସେ କଥା ନ ଉଠାଇ ସେ କହିଲେ,“ତା’ ହେଲେ ତୁମର ସାମାଜିକ କର୍ମକର୍ମାଣି କାହା ସଙ୍ଗରେ କରିବ ?

 

ଦୋକାନୀ—ଆଜିକାଲି ସେ ପୁରୁଣା ଢ଼ଙ୍ଗ କ’ଣ ଆଉ ଅଛି ? ଏଇ ସହରରେ ଥିବା ବ୍ରାହ୍ମଣ ଦି’ ଚାରିଜଣଙ୍କୁ ଧରି ଚଳିଯାଉଛି । ଭୋଜି—ଫୋଜି ଅଳ୍ପରେ ଚଳିଯାଏ । ତେବେ, ଅବଶ୍ୟ କିଏ ମଲେ ଟିକିଏ ଅସୁବିଧା ହୁଏ । ସେ ତ ସବୁଦିନର କଥା ନୁହେଁ । କୌଣସିମତେ ଚଳିଯାଉଛି ।

 

ମହାଦେବ—ଆଚ୍ଛା, ତମ ଘରେ କିଛି ଭଲ ମନ୍ଦ ହେଲେ ସାଇପଡ଼ିଶା ତ ପଚାରୁନଥିବେ-। ଚଳୁଛି କିମିତି ?

 

ଦୋକାନୀ—ସହରରେ ଆଉ ସାଇ ପଡ଼ିଶା କ’ଣ ? ଘରେ ତ କେହି ମରି ପଡ଼ିଥିଲେ ପଡ଼ିଶା ଘର ଜାଣିବେ ନାହିଁ । ଗାଁରେ ଥିଲା, ମୁର୍ଦ୍ଦାର ନ ଉଠିଲେ ପଡ଼ିଶାଘରର ପିଲାମାନେ ବି ଭାତ ଖାଆନ୍ତି ନାହିଁ ।

 

ମହାଦେବ—ତା’ ହେଲେ ତ ସବୁବେଳେ ମନ ଦୁକ୍‌ ଦୁକ୍‌ ହେଉଥିବ; ଚୋରୀନାରୀର ଭୟ ଥିବ ।

 

ଦୋକାନୀ—ସେ କଥା କାହିଁକି ପଚାରୁଛନ୍ତି । ସବୁବେଳେ ସନ୍ଦେହ । ଆପଣା ଲୋକ ବୋଲି କାହାକୁ ବିଚାରିବାକୁ ଉପାୟ ନାହିଁ । ଦୋକାନରେ ବସିଥିବା, ମଝିରେ ମଝିରେ ଜଣକୁ ବସାକୁ ପଠାଏ । ସହରରେ ସାମାଜିକ ଜୀବନ ନ ଥିବାରୁ ଚଳିବାକୁ ବଡ଼ ଅସୁବିଧା ହୁଏ ।

 

ମହାଦେବ—ଆମ ଦେଶରେ ପୂର୍ବରେ ଏତେ ସହର ନ ଥିଲା; କେବଳ ଥିଲା ଗୋଟିଏ ରାଜଧାନୀ । ରାଜଧାନୀଯାକ ଗୋଟିଏ ଘରପରି ଥାଏ । ରଜା ଥା’ନ୍ତି ମୁରବି । ଗାଁଗୁଡ଼ିକ ସମାଜବନ୍ଧନରେ ବନ୍ଧା ହୋଇ ଥିଲା । ଏଇ କଟକରେ ତ କହୁଛ, ଗଉଡ଼ ଓ ଥୋଡ଼ିଆ, ସାଇ ବାନ୍ଧି ରହିଛନ୍ତି । ଏହା ଆମ ଗାଁ ସମାଜର ଗୋଟିଏ ବଡ଼ ସଂସ୍କରଣ । ଯଦି ଗାଁ ଛାଡ଼ି ଆସିଲ ତେବେ ୟାଙ୍କରି ସମାଜରେ ମିଶିଯାଅ, ନହେଲେ ଯେଉଁ ପାଶ୍ଚାତ୍ୟ ଢାଞ୍ଚାରେ ସହର ଗଢ଼ୁଛି, ତାଙ୍କର ସମାଜଶୃଙ୍ଖଳା ଏଠାରେ ଚଳାଅ । ମୁଁ ଶୁଣିଛି, ସେମାନେ କେଡ଼େ ସୁନ୍ଦର ସଭା ସମିତିରେ ଗୋଷ୍ଠୀ ଧରି ଥା’ନ୍ତି; ଆମର ସେମିତି କର । ଯଦି ମଝିମଝିଆ ହୋଇ ରହିବ ତେବେ ଚଳିବ କେମିତି ?

 

ଦୋକାନୀ—ଆଜ୍ଞା, ସେକଥା ସତ । ଆଉ କ’ଣ ଚଳି ହେବ କି ? ଗୋଟାଏ ଗୋଟାଏ ସହରରେ ସବୁଦିନ ପରା ଚୋରୀନାରୀ ଚାଲିଛି । ଏବେ ଜଣେ ଜିଲା ମାଜିଷ୍ଟ୍ରେଟଙ୍କ ଘରେ ଚୋରୀ ପଶି ସବୁ ନେଇଯାଇଛି ।

 

ମହାଦେବ—ବେଶ, ଏହା ହେବ ବୋଲି ଆଶଙ୍କା କରୁଥିଲି । ଏପରି ହେଲେ ଏବେ ଯେଉଁ ସବୁ ସାଇବ ହୋଇଛନ୍ତି, ସେଇମାନଙ୍କ ମନ ତା’ ମନକୁ ବାଟକୁ ଫେରିବ । ଲୋକଙ୍କର ସେ ଗୋରାସାହେବଙ୍କ ପ୍ରତି କୋକୁଆଭୟ ଥିଲା । ତେଣୁ ସେମାନେ ଲୋକବସତିରୁ କୋଶେ ଦି କୋଶରେ ଯାଇ ଏକୁଟିଆ ଘର କଲେ ମଧ୍ୟ, ଲୋକେ ତାଙ୍କ ଘରେ ପଶିବାକୁ ଶଙ୍କୁଥିଲେ। ଆମ ନିଜ ଲୋକ ମନେ ମନେ ଯେତେ ସାହେବ ହେଲେ ମଧ୍ୟ ଦେଶୀ ଲୋକ ନା, ତାଙ୍କ ପ୍ରତି ଭୟ ରହିବ ନାହିଁ। ତାଙ୍କ ଅଣଆଡ଼ିଆ ଘରଗୁଡ଼ିକରେ ପହରାଦେବା ଦରକାର ପଡ଼ିବ ।

 

ଦୋକାନୀ—ଆଜ୍ଞା, ଯେ ପହରା ଦେବେ ସେ ଯେବେ ଚୋରି କରିବେ ? ଆଜିକାଲି ତ ସଂସାରରୁ ସତ ଏକାବେଳକେ ଉଠିଗଲାଣି ।

 

ମହାଦେବ ହସିଲେ, କହିଲେ, “ତା ହୋଇ ନ ପାରେ । ସତ ଉଠିଗଲେ ସଂସାରଟା ରହିବ କିପରି ? ତମେ ସବୁ ଯେଉଁଠାରେ ଅଛ ସେଇଠି ସତ ନୁହେଁ ବୋଲି, ତୁମକୁ ଜଣାଯାଉଛି ସବୁଆଡ଼େ ଅସତ୍ୟ ଘୋଟିଗଲାଣି । ମୋର ତ ମନ ହେଉଛି ଗାଁ ଗହଳିରେ ଅଦ୍ୟାପି ସତ ଅଛି । ନହେଲେ କୋଶକ ଦୂରରେ ପାଚିଲା ଧାନ କିଆରୀ ଛାଡ଼ି ଆସି, ଘରେ ଲୋକଙ୍କୁ ନିଦ କିପରି ହୁଅନ୍ତା ? ଗାଁରେ ଲୋକମାନେ ସେମାନେ ନିଜ ଢଙ୍ଗରେ ପରସ୍ପର ଧରାଧରି ହୋଇ ରହିଛନ୍ତି । ସେପରି ସଙ୍ଗଠନ ଥିଲେ, ତୁମ ଏଠାରେ ମଧ୍ୟ ତୁମେ ସବୁ ଭଲରେ ଚଳନ୍ତ ।”

 

ଦୋକାନୀ—ଆଜ୍ଞା, ସେ ଗାଁ ଅବସ୍ଥା ମଧ୍ୟ ଖରାପ ହୋଇ ଆସିଲାଣି । ସମସ୍ତେ ସହରମୁହାଁ ହେଲେଣି । ଆମ ଏ ସହର ଢଙ୍ଗ ମଧ୍ୟ ଗାଁକୁ ଗଲାଣି ।

 

ମହାଦେବ ଅସମ୍ମତିରେ ମୁଣ୍ଡ ହଲାଇଲେ, କହିଲେ, “ତମମାନଙ୍କ କାମଳ ଆଖିକୁ ସେପରି ଦିଶୁଛି । ପଚାଶ ବର୍ଷ ହେଲା ଶୁଣା—ଗଲାଣି, ଗାଁ ସବୁ ଭାଙ୍ଗିଯାଉଛି, ସମସ୍ତେ ସହରକୁ ପଳାଉଛନ୍ତି । ଶହକେ ଦି’ ଚାରି ଜଣ ଅବା ଆସିଥିବେ ।”

 

ଦୋକାନୀ—କେତେ ତ ଆସିଲେଣି । ଏବେ ପୁଣି ଲୋକେ ବେଶୀ ସହରମୁହାଁ ହେବାକୁ ଆରମ୍ଭ କରିଛନ୍ତି । ଏହିପରି ଯଦି ଶହେ ବର୍ଷ ଚାଲିବ, ତାହାହେଲେ ଆଉ ଗାଁ ରହିବ ନାହିଁ ।

 

ମହାଦେବ—ତମେ କ’ଣ ବିଚାରୁଛ ସବୁ ଗାଁ ଗୁଡ଼ାକ ପଦା ହୋଇଯିବ ? ତା ହେବା ପୂର୍ବରୁ ସହରମାନଙ୍କରୁ ଲୋକଙ୍କ ମୁହଁ ପୁଣି ମଫସଲ ଆଡ଼େ ଫେରିପାରେ; ଠିକ୍‌ ଯେପରି ଥରେ ଗଲା ଯୁଦ୍ଧ ବେଳେ କଟକରୁ ସମସ୍ତେ ଛାଟିପିଟି ହୋଇ ଗାଁକୁ ପଳାଇଥିଲେ ।

 

ଏହିପରି କଥାବାର୍ତ୍ତା ହେଉ ହେଉ ଦି’ ପ୍ରହର ହୋଇଗଲା । ଦୋକାନୀଙ୍କଠାରୁ ମହାଦେବ ଖବର ସଂଗ୍ରହ କଲେ ଯେ ଦରଘାବଜାର ଛକରେ କଥାକୁହା ଷଣ୍ଢ ଖେଳ ହେଉଚି—ପ୍ରତିଦିନ ସନ୍ଧ୍ୟାବେଳେ ଓ ରାତିରେ, ଦୁଇଥର । ମହାଦେବ ଚିହ୍ନା ପଡ଼ିଯିବାର ଭୟରେ ସେ ଷଣ୍ଢଟା ତାଙ୍କର ବୋଲି ଦୋକାନୀଙ୍କୁ ନ କହି ବେଗାବେଗି ବିଦାୟ ହୋଇ ବାହାରିଲେ ।

 

ଯେଉଁଠାରେ ଖେଳ ହେଉଥିଲା ତା ଚାରିପଟଯାକ ବାଉଁଶ ତାଟି ବାଡ଼, ଚବିଶ ଘଣ୍ଟାଯାକ ଦି’ ଜଣ ନେପାଳି ଦରୁଆନ୍‌ ପହରା ଦେଉଥାନ୍ତି । ମହାଦେବ ସେଇଥିରୁ ଜଣକ ପାଖରେ ଯାଇ ବସିଲେ । ଦରୁଆନ ସାଙ୍ଗରେ କଥାବାର୍ତ୍ତା ଜମାଇବା ପାଇଁ ସେ ଚେଷ୍ଟା କରି ବ୍ୟର୍ଥହୋଇ, ତୁନି ହୋଇ ଖାଲି ଅପେକ୍ଷା କରିଥାନ୍ତି, କେତେବେଳେ ଖେଳ ଆରମ୍ଭ ହେବ । ସେ ପ୍ରଥମେ ଯାଇ ଦେଖିବେ ଷଣ୍ଢଟା ତାଙ୍କର ବାସୁଆ ନା ନୁହେଁ । ତା’ପରେ ଯାଇ ଯେଉଁ କଥା ।

 

ଏପରି ପ୍ରାୟ ଘଣ୍ଟେ ଦି’ଘଣ୍ଟା ଯିବା ପରେ ଟୋକା ପଞ୍ଝାଏ ଆସି ପହଞ୍ଚିଲେ, ଦରୁଆନକୁ ପଚାରିଲେ, “ଖେଳ କେତେଟାବେଳେ ଆରମ୍ଭ ହେବ ?” ଦରୁଆନ କହିଲା, “ଛ’ଟାରେ” । ସେତେବେଳକୁ ସାଢ଼େ ଚାରି, ଟୋକାଙ୍କ ଭିତରୁ ଜଣେ ପଚାରିଲା, “ଆମେ ବର୍ତ୍ତମାନ ଭିତରକୁ ଯାଇପାରିବୁ ?” ଦରୁଆନ କିଛି ନ କହି ମୁଣ୍ଡ ହଲାଇଲା ।

ଆଉ ଟିକିଏ ପରେ ଜଣେ ବୁଢ଼ା ଆସି ପହଞ୍ଚିଲେ। ଦରୁଆନ ତାଙ୍କୁ ବି ଛାଡ଼ିଲା ନାହିଁ । ବୁଢ଼ା ବଡ଼ କଷ୍ଟରେ ଚାଲୁଥା’ନ୍ତି । ବୋଧ ହୁଏ ସେଥିଯୋଗୁଁ ଆଉ ନ ଫେରି ସେ ମହାଦେବଙ୍କ ପାଖରେ ବସିପଡ଼ିଲେ ।

ମହାଦେବ ପଚାରିଲେ, “ଆପଣ କୁଆଡ଼େ ଆସିଛନ୍ତି ?” ବୁଢ଼ା ଟିକିଏ ହସି କହିଲେ, “ଏତେ ଆଗରୁ ଜାଗା ମୁଣ୍ଡରେ ଆସି ବସିଛି, ଆମକୁ ଆଉ କ’ଣ ପଚାରୁଛ ? ତମେ ଯେଉଁଥିପାଇଁ ଆସିଛ ଆମେ ବି ସେଇଥିପାଇଁ ଆସିଛୁ ।”

ମହାଦେବ ଟିକିଏ ବିସ୍ମତ ହୋଇଗଲେ । ତେବେ କ’ଣ ଏ ଖେଳରେ ଦୁଇଟା ଷଣ୍ଢ ବାହାରୁଛନ୍ତି ? ଟିକିଏ ଚିନ୍ତା କରି ଠିକ୍‌ କଲେ, ବୁଢ଼ା ବୋଧ ହୁଏ ମନେ କରିଛନ୍ତି, ତାଙ୍କରି ପରି ସେ ଖେଳ ଦେଖିବାକୁ ଆସିଛନ୍ତି । ସେ ସହୃଦୟତାପୂର୍ଣ୍ଣ ଦୃଷ୍ଟିରେ ଟିକିଏ ବୁଢ଼ାଙ୍କ ଆଡ଼କୁ ଚାହିଁ ତୁନୀ ହୋଇ ରହିଲେ । ଟିକକ ପରେ ବୁଢ଼ାଙ୍କ ଆଡ଼ୁ କଥା ଆରମ୍ଭ ହେଲା, “ଏ ଖେଳ ଦେଖିବାକୁ ବହୁତ ଲୋକ ଆସୁଛନ୍ତି । ଆମେ ଆଜିଯାଏଁ ଆସିନଥିଲୁ । ଆଜିକାଲି ଏ ବିଜ୍ଞାନ ଯୁଗରେ କ’ଣ ଗୋଟିଏ ଯନ୍ତ୍ର ଷଣ୍ଢ ପାଟି ଭିତରେ କିପରି ଖଞ୍ଜି ଦେଇଥିବେ । ସେ କଥା ବହୁତ ଲୋକଙ୍କୁ ପଚାରିଲୁଣି । ସମସ୍ତେ କହୁଛନ୍ତି, ଆମ ସନ୍ଦେହ ମିଛ । ଏ ଷଣ୍ଢଟା ଖାସ କଥା କହୁଛି । ଦିନକୁ ଦିନ ନୂଆ ନୂଆ କଥା କହୁଛି, ଖବର—କାଗଜବାଲାଙ୍କ ପରି ପ୍ରତିଦିନର ଘଟଣା ଉପରେ ଟିପ୍‌ପଣୀ କରୁଛି । ଭାବିଥିଲୁଁ, ବୋଧହୁଏ ତାଙ୍କରି ଭିତରୁ ଜଣେ କିଏ ନିଜ କଥାକୁ ରେକର୍ଡ଼ କରି ଇମିତି ପ୍ରଚାର କରୁଛି । କିନ୍ତୁ ଆଜି ସକାଳେ ଜଣେ ଯାହା କହିଲା, ସେଥିରୁ ସନ୍ଦେହ ଦୂର ହୋଇଗଲା । କାଲି ରାତିରେ ପରା କେତେଜଣ ଟୋକା ଷଣ୍ଢ କଥା ଶୁଣି ହସିଲେ । ସାଙ୍ଗେ ସାଙ୍ଗେ ଷଣ୍ଢ ଜବାବ ଦେଲା, ‘ହଉ, ହସ, ହସ । କାନ୍ଦିବା ବେଳେ ଆସିଯିବ ଯେ ।’ ଏକଥା ଶୁଣି ଆମେ ଠିକ୍‌ କଲୁ ସତରେ ଷଣ୍ଢ କଥା କହୁଛି-। ବୁଢ଼ା, ତମେ କ’ଣ ଆଗରୁ ଆସିଥିଲ, ନା ଆଜି ନୂଆ ଆସୁଛ ?”

ମହାଦେବ କହିଲେ, “ମୁଁ ଆଜି ନୂଆ ଆସିଛି । ଷଣ୍ଢ ଏମିତି କଥା କହିବାର ମୁଁ ଜାଣେ । ଏ ଷଣ୍ଢକୁ ମୁଁ ଦେଖିଛି କି ନାହିଁ କହି ପାରୁନାହିଁ, କିନ୍ତୁ ମୋ ଷଣ୍ଢ ଆପଣ ଯେମିତି କହୁଛନ୍ତି ସେମିତି କଥା ବାର୍ତ୍ତା କରେ ।”

ବୁଢ଼ା କହିଲେ, “ତେବେ ଆଉ ବୃଥାରେ ଏଠାକୁ କାହିଁକି ଆସିଛ ? ଆପଣା ଷଣ୍ଢ ସଙ୍ଗେ ଘରେ କଥାବାର୍ତ୍ତା ନ ହୋଇ ଏଠେଇ ଆସି ସମସ୍ତଙ୍କ ଆଗରୁ ବସିଛ, କାହିଁକି ? ଆମେ ବହୁତ ବାହାପିଆ ଦେଖିଛୁ, ତମକୁ କେହି ପାରିବେ ନାହିଁ । ଆଟିକାରେ ସୋରିଷ ଫୁଟିଲେ ଖବରକାଗଜବାଲା ବାହାର କରି ଦେଉଛନ୍ତି, ଆଉ ତମ ଷଣ୍ଢ କଥା କହୁଛି, କେହି ସମ୍ୱାଦଦାତା ହାବୁଡ଼ିନାହାନ୍ତି ? ତମ ଘର କେଉଁଠି, ବୁଢ଼ା ।”

ଏକାଥରକେ ମାଳେ ପ୍ରଶ୍ନ । ମହାଦେବ ପ୍ରଥମରୁ କେଉଁଟାକୁ ଉତ୍ତର ଦେବେ ଠିକଣା କରିପାରିଲେ ନାହିଁ । ବାହାପିଆ ବୋଲି ଗାଳିଦେବାରୁ ତାଙ୍କ ମନରେ ବି ଟିକିଏ ଦୁଃଖ ହେଲା । ‘ସବ୍‌ସେ ଚୁପ୍‌ ଭଲା’ ବୋଲି ସେ ଚୁପ୍‌ ହୋଇଗଲେ ।

ବୁଢ଼ା ବି ଟିକିଏ ତୁନୀ ରହି ତା’ପରେ ପୁଣି ଆରମ୍ଭ କଲେ, “କିଓ ବୁଢ଼ା, ଆମକୁ ଭୁଆଁ ବୁଲେଇ ଦେବ ବୋଲି ବିଚାରୁଥିଲ, ନାଁ ? ତିରିଶ ବର୍ଷ ପୁଲିସ ଚାକିରି କରି ଦଶ ବର୍ଷ ହେଲା ପେନ୍‌ସନ ନେଲୁଣି । ମିଛଟାଏ ଆମେ ଧରି ପାରିବୁ ନାହିଁ ? ତମ ମୁହଁକୁ ଚାହିଁ ଆମେ ସାଙ୍ଗେ ସାଙ୍ଗେ ଜାଣିଗଲୁଁ, ତମ କଥାର ମୂଲ୍ୟ କେତେ । ଆଉ କେତେ କଥା ବି ଜାଣିଗଲୁ ଯେ, ପେନସନ ତ ନେଇ ସାରିଲୁଣି, ସେଥିରେ ଆଉ ଫଳ କଣ ? ନ ହୋଇଥିଲେ ତମ ପିଛା ପାଞ୍ଚ ଜଣ ସି.ଆଇ.ଡି. ଲଗାଇଦେଇଥା’ନ୍ତୁ । ଏପରି ବେଶ ହୋଇ, କଥା କଥାକେ ମିଛ କହିବା ମୂଳରେ ନିଶ୍ଚୟ କିଛି ଗୋଟାଏ ଭିତିରି ମତଲବ ଥିବ। ସେତେବେଳେ ପୁଲିସବାଲା ଯେପରି ଦକ୍ଷତା ଦେଖାଉଥିଲେ, ଆଜିକାଲି ସେଥିରେ କାଣିଚାଏ ବି ନାହିଁ । ନ ହେଲେ ସରକାରଙ୍କର ଏପରି ଦୁର୍ଗତି ହେଉଥା’ନ୍ତା ?’’

 

ମହାଦେବ ପଚାରିଲେ, ‘‘ପୂର୍ବରେ ଯେତେ ପୁଲିସ ଥିଲେ, ଆଜିକାଲି କ’ଣ ସେଥିରୁ କମିଗଲେଣି ?’’

 

ନିଜର କଳ୍ପନା ଠିକ୍‌ ବୋଲି ବୁଢ଼ା ଉତ୍ସାହିତ ହୋଇ କହିଲେ, ‘‘ହଁ ତମପରି ବେଆଦବ୍‌ ତା ନ କହିବ କାହିଁକି ? ଆମ ବେଳଠାରୁ ଆଜିକାଲି ରାଜ୍ୟରେ ଚାରିଗୁଣ ପୋଲିସ ରହିଲେଣି । ସେଦିନର ଢଙ୍ଗ ଯଦି ଥା’ନ୍ତା ତେବେ ତୁମପରି ଲୋକ ଏଠାରେ ଦିନ ଦିପହରରେ ନିଶ୍ଚିନ୍ତ ହୋଇ ନ ଥାନ୍ତା । ଆଚ୍ଛା, ସେ ଦାଢ଼ିଟା ଅସଲି ନା ନକଲି ଦେଖେ ।’’

 

ମହାଦେବ ବୁଢ଼ାଙ୍କର ଅପହଞ୍ଚରେ ରହିବାକୁ ଠିଆ ହୋଇପଡ଼ିଲେ । ବୁଢ଼ା ବି କଷ୍ଟେମଷ୍ଟେ ଠିଆ ହୋଇପଡ଼ିଲେ । କିନ୍ତୁ ସେ ମହାଦେବଙ୍କ ମୁହଁକୁ ଚାହିଁ ଶଙ୍କିଗଲେ; ତାଙ୍କ ଆଡ଼କୁ ଆଉ ନ ଚାହିଁ ଏକ ଦୃଷ୍ଟିରେ ସତେ ଯେପରି ସଡ଼କ ଖାନତଲାସ କରିବାକୁ ଲାଗିଲେ ।

 

ସଡ଼କ ଉପରେ ଜଣେ ପୁଲିସ କନେଷ୍ଟବଳ ସେ ଦେଖି ଡାକିଲେ, ‘କନଷ୍ଟେବ୍ଳ,କନଷ୍ଟେବ୍ଳ’-। କନଷ୍ଟେବ୍ଳ ତାଙ୍କ ଆଡ଼କୁ ଟିକିଏ ଚାହିଁ ଦେଇ ଆଗକୁ ଯାଉ ଯାଉ ଶୁଣାଇଦେଲା, ‘ପଛବାଲାକୁ କହ’ । ମିନିଟକ ପରେ ସତକୁ ସତ ଆଉ ଜଣେ କନଷ୍ଟେବ୍ଳ ସାମନାରେ ଆସି ପହଞ୍ଚିଲା-। ସେ ବି ବୁଢ଼ାଙ୍କ ଡାକ ଶୁଣି ଠିଆ ନହୋଇ ଉତର ଦେଲା, ‘‘ ପଛରେ ଆଉ ଜଣେ ଆସୁଛି’’-। ତୃତୀୟ ଜଣକଠାରୁ ବୁଢ଼ା ପାଇଲେ, ‘‘କ’ଣ କୁଢ଼ିଆ କିରେ ! ଡାକୁଚୁ, ପାଖକୁ ଆସିପାରୁନାହୁଁ-।’’ ତା’ପରେ ଆଉ ଯେଉଁ ପୁଲିସ ଆସିଲେ, ସେମାନଙ୍କୁ ବୁଢ଼ା ଖାଲି ରାଗରେ ରଟମଟ କରି ଚାହିଁଲେ, କିନ୍ତୁ କିଛି କହିଲେ ନାହିଁ । ଏ ଅଭଦ୍ର ଚାହାଣି ଯୋଗୁଁ ବୁଢ଼ାଙ୍କୁ ହୁଏତ ହିନସ୍ତା ହେବାକୁ ପଡ଼ିଥାନ୍ତା । କିନ୍ତୁ ଟିକିଏ ପରେ ଖେଳ ଘଣ୍ଟି ବାଜିବାରୁ ବୁଢ଼ା ନିଜର ପୁଲିସ୍‌ପଣିଆ ବେଳ ପାସୋରି, ଟିକଟ ଦେଖାଇ ହଲ୍‌ ଭିତରକୁ ପଶିଲେ । ସେଦିନ ଭାରି ଭିଡ଼ । ଭିଡ଼ ଭାଜିବାକୁ ଅପେକ୍ଷା କରି ଶେଷରେ ମହାଦେବ ଯେତେବେଳେ ହଲ୍‌ ଭିତରକୁ ଗୋଡ଼ ବଢ଼ାଇଦେଲେ, ପଛଆଡ଼ୁ ନେପାଳି ଦରୁଆନ ତାଙ୍କୁ ଟାଣି ଧଇଲା । ମହାଦେବଙ୍କର ‘ନ ଯଯୌ ନ ତସ୍ଥୌ’ ଅବସ୍ଥା ହେଲା; ଠିକ ଯେପରି ବହୁକାଳ ପୂର୍ବେ ତାଙ୍କୁ ଦେଖି ପାର୍ବତୀଙ୍କର ହୋଇଥିଲା । ମହାଦେବଙ୍କ ମନ ଆଗରେ ସେହିଦିନର ଦୃଶ୍ୟ ଦିଶିଯାଉଛି, ଦରୁଆନ୍‌ ପଛଆଡ଼ୁ କର୍କଶ ସ୍ୱରରେ ପାଟିକଲା, ‘‘ଟିକଟ ଦେଖାଅ’’ ମହାଦେବଙ୍କଠାରେ ଟିକଟ ନାହିଁ ଶୁଣି ଫେରିଯିବାକୁ ସେ ହୁକୁମ ଦେଲା । ମହାଦେବ କହିଲେ, ମୁଁ ପରା ଟିକିଏ ଦେଖିବାକୁ ମନ କରିଛି, ଛାଡ଼ିଦିଅ ।’’ ଦରୁଆନ୍‌ କହିଲା, ‘‘ଆଗ ଟିକଟ କର, ତା ପରେ ମନ କରିବ । ଯେ ମନ କରୁଚି, ସେ ଯଦି ଯାଉଥାନ୍ତା, ତେବେ ଆମେ ଏଠି କାହିଁକି ଥା’ନ୍ତୁ ? ଏ ଗେରଦ କାହିଁକି ବୁଲିଥା’ନ୍ତା-?’’

 

ମହାଦେବ—ମୁଁ ବିଚାରିଥିଲି, ଷଣ୍ଢ ପଳାଇଯିବ ବୋଲି ଗେରଦ ହୋଇଛି । ଯାହାଙ୍କର ମନ ଅଛି, ତାଙ୍କୁ ଅଟକାଉଛ କାହିଁକି? ଲୋକଙ୍କ ମନ ଯଦି ଏମିତି ଭାଙ୍ଗିଦେବ, ତା’ ହେଲେ ଆଉ କିଏ ଦେଖିବାକୁ ଆସିବ ?

 

ଦରୁଆନ୍‌ କିଛି ନ କହି ମହାଦେବଙ୍କୁ ଅଭଦ୍ର ଭାବରେ ଦୁଆରୁ ଆଡ଼େଇ ଦେଲା । ମହାଦେବ ବିମୁଢ଼ ହୋଇ ତାଟିକୁ ଆଉଜି ଠିଆହୋଇ ରହିଲେ । ସେତିକିବେଳକୁ ଭିତରୁ ଷଣ୍ଢ ପାଟି ଶୁଣାଗଲା । ମହାଦେବଙ୍କର ଆଉ ଜାଣିବାକୁ ବାକି ରହିଲା ନାହିଁ, ସେ ଷଣ୍ଡ କିଏ । ବାସୁଆ କହୁଥାଏ, ‘‘କାଲି ମୋ କଥା ଶୁଣି ପିଲାଗୁଡ଼ାକ ହସିଲେ । ଟିକିଏ ରାଗ ଲାଗିଲା, ସେମାନଙ୍କୁ ଦି’ପଦ ଶୁଣାଇଦେଲି । ପୁଣି ବିଚାରୁଛି, ସେମାନେ ତ ପିଲାଲୋକ, ତାଙ୍କର ଦୋଷ କ’ଣ ? ବଡ଼ଙ୍କଠାରୁ ଯାହା ଦେଖିଛନ୍ତି, ତାହା ଶିଖିଛନ୍ତି । ଅନ୍ୟର ଦୁଃଖ ଦେଖି ହସନ୍ତି ନାହିଁ । ଅନ୍ୟକୁ ବିଦ୍ରୂପ କରି ସବୁତକ ହସ ତ ସରିଯାଇଥିବ, ନିଜ ଦୁଃଖ ବେଳକୁ ଆଉ କରିବ କ’ଣ ? ସେତେବେଳେ ମନ ପୋଡ଼ିଗଲା ବେଳକୁ ଭୂଇଁରେ ମୁଣ୍ଡ ପିଟିପିଟି ଆବୁ ବାହାରିପଡ଼ିବ ।’’

 

ମହାଦେବଙ୍କ ମୁହଁ ପ୍ରସନ୍ନତାରେ ଝଲସି ଯାଉଥାଏ । ମନେ ମନେ ବାସୁଆକୁ ଧନ୍ୟ ଧନ୍ୟ କଲେ । ଏତେ ଦୁଃଖ ପଡ଼ିଛି କିନ୍ତୁ ତାର ଭ୍ରୂକ୍ଷେପ ନାହିଁ, ପିଲାଙ୍କୁ ନୀତିଶିକ୍ଷା ଦେଉଛି ।

 

ବାସୁଆ କହିବାକୁ ଲାଗିଲା, ‘‘ସେ କଥା ପିଲାଙ୍କୁ ସିନା ବାପା ମା’ ବୁଝାନ୍ତେ ! ବାପା ମା’ ଏବେ ପିଲାଙ୍କୁ ବଳିଛନ୍ତି । ପିଲାଙ୍କୁ ଧୂଳି ଖେଳ ପରି ଏ ସଂସାର ସଉଦା । ପଇସା ଚାରଣା ଲେଖାଏଁ ନେବ ବୋଲି ମତେ ଏଠାରେ ବାନ୍ଧି ଯେଉଁ ପାପ କରୁଛ, ତା’ ଫଳ କିଏ ଭୋଗ କରିବ-?’’

 

ମହାଦେବ ବିଚାରିଲେ, ଠିକ୍‌ କଥା, ବାସୁଆ ଠିକ୍‌ ବୁଝିଛି । ଅନେକ ସମୟରେ ମୋଠାରୁ ପରା ତା’ କଥା ସରସ ପଡ଼େ ! ନ ହେଲେ ମାହାଳିଆକୁ ବ୍ରାହ୍ମୁଣେ ଆଗ ବୃଷର ବୃଷଣରେ ହାତ ନ ମାରିଲେ ମୋ ବେଢ଼ା ଭିତରେ ପଶନ୍ତି ନାହିଁ !

 

ଖେଳ ସରିଲା । ମହାଦେବ କିନ୍ତୁ ସେ ସ୍ଥାନ ଛାଡ଼ିଲେ ନାହିଁ । ରାତିଖେଳ ଆରମ୍ଭ ହେଲା-। ସେ ସେଇମିତି ଠିଆ ହୋଇଥାନ୍ତି । ବାସୁଆର କଥା ଶୁଣି ତାଙ୍କ ମୁହଁ ପ୍ରସନ୍ନ ହୋଇଯାଉଥାଏ । ଥରକୁ ଥର ମୁଣ୍ଡ ଟୁଙ୍ଗାରୁଥାନ୍ତି । ରାତି ଖେଳ ବି ସରିଲା । ଦୁଆର ସବୁ କିଳା ହେଲା । ମହାଦେବଙ୍କ ମନ ଥିଲା, ସେଇ ଗେରଦକୁ ଆଉଜି ରହିଯାଇଥା’ନ୍ତେ । ଦୁଆର ପଡ଼ିବାର ଦଶମିନିଟ୍‌ ଭିତରେ କିନ୍ତୁ ନେପାଳି ଦରୁଆନ୍‌ ତାଙ୍କ ହାତ ଧରି ସଡ଼କ ଉପରେ ଆଣି ଛାଡ଼ି ଦେଇଗଲା । ମହାଦେବ ରାତିଟି ସେଇ ସଡ଼କ ଦାଢ଼ ଗଛମୂଳରେ କଟାଇଲେ ।

 

ତହିଁଆରଦିନ ଛାଇ ଲେଉଟିଲା ପୂର୍ବରୁ ମହାଦେବ ଯାଇ ପୁଣି ସେଇ ନେପାଳି ଦରୁଆନ୍‌ ପାଖରେ ପହଞ୍ଚିଲେ । ଖେଳ ଦେଖିବା ପାଇଁ ମହାଦେବଙ୍କ ନିଷ୍ଠା ଦେଖି ଦରୁଆନ୍‌ର ତାଙ୍କ ପ୍ରତି ଟିକିଏ ମମତା ହେଲା । ସେ ପଚାରିଲା, “ଆଜି ଟିକଟ୍‌ ପାଇଁ ପଇସା ଆଣିଚ ବୁଢ଼ା ?’’ ମହାଦେବ ମୁଣ୍ଡ ହଲାଇଲାରୁ ସେ ଟିକିଏ ଚିନ୍ତିତ ହେଲାପରି ଦିଶିଲା; ବୋଧହୁଏ ମନେ ମନେ ବିଚାରୁଥିଲା, ମାଲିକଙ୍କୁ କହିବ ବୁଢ଼ାକୁ ବିନା ଟିକଟରେ ଛଡ଼ିଦେବାକୁ । କିନ୍ତୁ ସେ କଥା ପ୍ରକାଶ ନ କରି ସେ ନିଜର ସହଜାତ ମୌନ ଅବଲମ୍ବନ କଲା ।

 

ତାକୁ ଦେଖିଲେ କିନ୍ତୁ ପରିଷ୍କାର ଅନୁମାନ ହେଉଥିଲା ଯେ, ମହାଦେବଙ୍କ ପ୍ରତି ତା’ ମନରେ ମମତା ବଢ଼ୁଛି ।

 

ବୋଧହୁଏ ସେହି ମମତାରେ ସେ ଟିକକ ପରେ ମହାଦେବଙ୍କୁ ପାଖକୁ ଆସିବା ପାଇଁ ଇଙ୍ଗିତ ଦେଲା ଓ ମହାଦେବ ପାଖକୁ ଘୁଞ୍ଚି ଆସି ବସିବାରେ କହିଲା, ‘‘ମହାରାଜ, ତମେ କଣ କାଳିଆବୋଦା ମଠରୁ ଆସିଛ ? ଲୋକେ ଯଦି ଜାଣିବେ ହିନସ୍ତା କରିବେ । ଟିକିଏ ଲୁଚିକରି ବସ-।’’

 

କାଳିଆବୋଦା କ’ଣ ମହାଦେବ ଜାଣିନଥିଲେ । ପଚାରିବାରେ ଦରୁଆନ କହିଲା, ‘‘ଆଜି ସକାଳୁ କାଳିଆବୋଦା ମଠରେ ଗୋଟାଏ ଭୟାନକ ଘଟଣା ଘଟିଯାଇଛି । ପୁଲିସବାଲା ଜଣେ ମରିଚି, ବାବାଜୀ ବି ଜଣେ ମରିଛନ୍ତି । ସାଧାରଣ ଲୋକଙ୍କର ମନ ବାବାଜୀଙ୍କ ଉପରେ ଭାରି ବିଗିଡ଼ିଯାଇଚି । ତୁମ ଦାଢ଼ି ଦେଖିଲେ ଲୋକେ କେଜାଣି ସନ୍ଦେହ କରିବେ । ତୁମେ ଟିକେ ଆଢ଼ୁଆଳରେ ବସ ।’’

 

ଏତେକାଳ ହେଲା ଯେଉଁ ଦାଢ଼ି ମାନ୍ୟର କାରଣ ହୋଇଥିଲା, ତାହାର ଦୁର୍ଗତି ବିଷୟ ମହାଦେବ ମନେ ମନେ ଚିନ୍ତା କରିବାକୁ ଲାଗିଲେ । ପ୍ରଥମ ଦିନ ତାଙ୍କ ଦାଢ଼ି ଉପରେ ସେକ୍ରେଟାରୀ ସାହେବଙ୍କର କିପରି ନଜର ପଡ଼ିଲା, ତାହା ମନେପଡ଼ିଲା। ଗତକାଲି ଠିକ୍‌ ଏଇଠାରେ ମଧ୍ୟ ବୁଢ଼ା ଭଦ୍ରଲୋକଟି ମଧ୍ୟ ଦାଢ଼ିକି ହାତ ବଢ଼ାଇଥିଲା । ଆଜି ଏକଥା । ଦାଢ଼ି ଭଳିଆ ସ୍ୱତଃପ୍ରକାଶିତ ବସ୍ତୁକୁ ସେ କିପରି ଲୁଚାଇବେ ଭାବୁଛନ୍ତି । ଏହି ସମୟରେ ଦାଣ୍ଡରେ ଗୋଳମାଳ ଶୁଭିଲା । ଦଳେ ଲୋକ ହଠାତ ତାଙ୍କ ଚାରିପଟେ ରୁଣ୍ଡ ହୋଇଯାଇ, ‘‘ହେଇଟି ଗୋଟାଏ ବାବାଜୀ’’ ବୋଲି ହଲା ଆରମ୍ଭ କରିଦେଲେ । ଲୋକଙ୍କ ରବାଦ ଦେଖି ଗୁର୍ଖା ଦରୁଆନ୍‌ ମଧ୍ୟ ଦବିଗଲା । ଦୁଇ ଚାରି ଜଣ ଲୋକ ଏକାଥରକେ ଚିତ୍କାର କରି କହିଲେ, ‘‘ଏଇ ବାବଜୀ ନିଶ୍ଚୟ କାଳିଆବୋଦାର, ଏଇଠାରେ ଆସି ଛପିଚି ।’’

 

ମହାଦେବଙ୍କୁ ଲାଗିଲା, ସମସ୍ତଙ୍କର ନଜର ତାଙ୍କରି ଦାଢ଼ି ଉପରେ । ସେ ବି ତଟସ୍ଥ ହୋଇଗଲେ । ସେ ବହୁତ କାକୁତି ବିନତି କରି ବୁଝାଇବାକୁ ଚେଷ୍ଟା କଲେ ଯେ ସେ କାଳିଆବୋଦା ବା ଅନ୍ୟ କୌଣସି ମଠର ବାବାଜୀ ନୁହନ୍ତି ଓ ବାବାଜୀ ହେବାକୁ ନୁହେଁ, ଖାଲି ସଉକିରେ ଦାଢ଼ି ରଖିଛନ୍ତି ।

 

ଜନତା ତାଚ୍ଛଲ୍ୟରେ ହସିଲା । ଜଣେ ପାଟିକରି କହିଲା, ‘‘ବୁଢ଼ା ମିଛ କହୁଚି ବେ, ଏ ସଉକିରେ ଦାଢ଼ି ରଖିନାହିଁ, ଧର୍ମ ଯୋଗୁଁ ରଖିଚି’’। ଆଉ ଜଣେ କହିଲା, ‘‘ଭଣ୍ଡାରିକି ଡାକ ବେ ସଙ୍ଗେ ସଙ୍ଗେ ଜଣାପଡ଼ିଯିବ; ଯଦି ସଉକିରେ ରଖିଛି, ଆଜି ସଉକି ଛାଡ଼ୁ’’ । ପାଞ୍ଚ ମିନିଟ ଭିତରେ ଗୋଟାଏ ଭଣ୍ଡାରି କୁଆଡ଼ୁ ଖୋଜା ହୋଇ ଆସିଲା । ଦାଢ଼ି ନକଲି ନୁହେଁ ବୋଲି ସେ ସେଦିନ ଏତେ ଚେଷ୍ଟା କରି ସାହେବଙ୍କୁ ବୁଝାଇଥିଲେ । ଆଜି ଦୁର୍ଗତିରେ ପଡ଼ି ମନେ ମନେ ବିଚାରିଲେ-ସତେ ହେଲେ ଦାଢ଼ି ନକଲି ହୋଇଥାନ୍ତା ।

 

ତାଙ୍କୁ ଅବ୍ୟାହତି ଦେବାକୁ ସେ ଖୁବ୍‌ ନେହୁରା ହେଲେ । ଜନତା ତ ବାଇଆ ହାତୀପରି, ଶୁଣୁଚି କିଏ ? ଜଣେ ଭଣ୍ଡାରିକୁ ଲଗାଇଲା, ସାଙ୍ଗେ ସାଙ୍ଗେ ସେଇଠାରେ ଖୁର ଚଳାଇବାକୁ । ଆଉ ଜଣେ କହିଲା, ବୁଢ଼ାତ ଏତେ ନେହୁରା ହେଉଚି, ଅବା କେଜାଣି ଖାଲି ମାନସିକରେ ଦାଢ଼ି ରଖିଥିବ-।’’ ଏତିକିବେଳେ ଜଣେ ରହସିଆ ଲୋକ ପଚାରିଲା, ‘‘ବୁଢ଼ା, ତୋର ଘରଆଡ଼େ କ’ଣ ଅସୁବିଧା ଅଛି ?’’ ମହାଦେବ ଦାଢ଼ିକୁ ରକ୍ଷା କରିବାରେ ଗୋଟିଏ ଉପାୟ ପାଇ ସଲଜ୍ଜ ମୁହଁରେ ମୁଣ୍ଡ ଟୁଙ୍ଗାରିଲେ । ସମସ୍ତେ ହସିଲେ । ନେପାଳି ଦରୁଆନ୍‌ ମଧ୍ୟ ଦାନ୍ତ ବାହାର ନ କରି ଟିକିଏ ଓଠକୁ ଫୁଲାଇ ହସିଲା ପରି ହେଲା । ଗୋଟି ଗୋଟି ହୋଇ ଲୋକ ମଉଳିଗଲେ । ଭଣ୍ଡାରି ଗାଧୋଇ ସାରିଥିଲା । ଆଉ ଥରେ ଗାଧୋଇବାରୁ ରକ୍ଷା ପାଇ ସେ ବି ଖୁସିରେ ଚାଲିଗଲା ।

 

ଗହଳି ଭାଜିଯିବାରେ ଦରୁଆନ୍‌ କହିଲା, ‘‘ବୁଢ଼ା, ଦେଖିଲ, ଆଜିର ଘଟଣାରେ ଲୋକ ବାଇଆ ହୋଇଯାଇଛନ୍ତି । ଏ ଢଙ୍ଗ ଦଶ ପନ୍ଦର ଦିନ ରହିବ । ଦାଢ଼ିକୁ ଯଦି ରଖିବ, ଟିକିଏ ସାବଧାନ ହୋଇ ରହ । ଆଜି ଅଳ୍ପକେ ରକ୍ଷା ପାଇଗଲ । ଟିକକ ପରେ ପୁଣି କହିଲା, ‘‘ ତମେ ତ ଟିକଟ ପାଇଁ ପଇସା ଆଣି ନାହଁ, ଆଜି ଘରକୁ ଯାଅ ଭାରି । ଆଉ ଦିନେ ଆସ, ମୁଁ ମାଲିକକୁ କହି ଛାଡ଼ କରାଇ ଦେବି । ଆଜି ସେ ତୁମ ଦାଢ଼ି ଦେଖିଲେ, ଡରିଯିବ । ପୁଣି ଏ ଯେଉଁ ଘଟଣା ଘଟିଗଲା, ଏଥିରେ ତାକୁ ବି ଭରସି କରି କିଛି କହିପାରିବି ନାହିଁ ।’’

 

ମହାଦେବ କହିଲେ, ‘‘କାହିଁକି ?’’

 

ଦରୁଆନ୍‌—ଏତିକି ବୁଝିପାରୁନାହଁ ? ବେପାରି ଲୋକଙ୍କର ସବୁ କଥାକୁ ଡର । ଆମ ମାଲିକ ଦୁହେଁ ବାବାଜୀ ବୈଷ୍ଣବଙ୍କୁ ଭକ୍ତି କରନ୍ତି ଯେ, ଆଜି ପରା ଏପରି ଗୋଟାଏ ଘଟଣା ଘଟିଯାଇଛି । ଖାସ ଯେଉଁମାନେ କାଳିଆବୋଦା ବାବାଜୀଙ୍କ ଫଟୋ ପୂଜା ନ କଲେ ପାଣି ଛୁଅନ୍ତି ନାହିଁ, ସେମାନେ ତ ଏତେବେଳକୁ ଫଟୋକୁ ଚୂଲିରେ ମାଡ଼ି ଦେବେଣି, ଏ ବେପାରୀଙ୍କ କଥା କ’ଣ? ସେମାନଙ୍କର ଏଇଲେ କେତେଦିନ ଦାଢ଼ିକି କୋକୁଆ ଭୟ ହୋଇଯିବ ।

 

ମହାଦେବ ସାତପାଞ୍ଚ ବିଚାରି କହିଲେ, ‘‘ହଉ, ଭିତରକୁ ଯିବାପାଇଁ ମୁଁ ଆଉ ବଳାଇବି ନାହିଁ । ମତେ ଖାଲି ଟିକିଏ ସୁବିଧା ଥାନରେ ଠିଆହେବାକୁ ଦିଅ । ମୁଁ ଆଉ ଥରେ ଷଣ୍ଢର କଥା ବାହାରୁ ଶୁଣି ବାହାରିଯିବି ।’’

 

ଦରୁଆନ୍‌ କୁନ୍ଥୁ କୁନ୍ଥୁ ହୋଇ ଶେଷକୁ ମଙ୍ଗିଲା ।

 

ମହାଦେବ ଗୋଟାଏ କୋଣରେ ବସି ରହିଲେ । ଖେଳ ବେଳ ଆସି ହେବାରୁ, ସମସ୍ତଙ୍କ ମନ ରହିଲା ଖେଳରେ । ଯେ ଆସିଲେ ଟିକଟ ଦେଖାଇ ଭିତରକୁ ଗଲେ । ମହାଦେବଙ୍କ ଉପରେ କାହାର ନଜର ପଡ଼ିଲା ନାହିଁ ।

 

ଖେଳ ଆରମ୍ଭ ହେଲା । କିନ୍ତୁ ବାସୁଆର ସ୍ୱର ଶୁଭିଲା ନାହିଁ । ହଲ ଭିତରୁ ଲୋକଙ୍କର ପାଟିତୁଣ୍ଡ ଶୁଣାଗଲା । ଛତରା ଟୋକାମାନେ ତାଳି ମାଇଲେ, ଶିଶିରି ମାଇଲେ । ଷ୍ଟେଜ ଭିତରେ ଷଣ୍ଢକୁ ଖୁବ୍‌ ମାଡ଼ ହେବାର ଶୁଣାଗଲା । ଶେଷକୁ ଷଣ୍ଢ କହିଲା, ‘‘କେତେ ମାରିବ ମାର । ଆଜିକି ମିଶାଇ କେତେଥର ଏପରି ପିଟିଲଣି ସେ କଥାର ହିସାବ ରଖୁଥାଅ । ଏସବୁର ଫଳ ପାଇବ ଯେ-। ଲୋକେ ସିନା ମନ ହେଲେ କଥା କହନ୍ତି, ମାଡ଼ ମାରି କଥା କୁହାଇବା କି ରୀତି ? ଆଜି ମୋର ଦୁର୍ଗତି ପଡ଼ିଛି । ମୋର ମାଲିକ ଭୋଳନାଥ, କୁଆଡ଼େ ଭୋଳ ରହିଯାଇଛନ୍ତି । ତାଙ୍କ ବାସୁଆର ଏ ଅବସ୍ଥା ଯେଉଁଦିନ ତାଙ୍କର ମନେ ପଡ଼ିବ ସେଦିନକୁ ସମ୍ଭାଳ । ସେ ସୃଷ୍ଟିକି ପୋଡ଼ି ଜାଳି ଧ୍ୱଂସ କରିଦେବେ । ସେ ସଦାଶିବ, ସବୁବେଳେ ସମସ୍ତଙ୍କର ମଙ୍ଗଳ ବିଚାରନ୍ତି । କିନ୍ତୁ ଥରେ ଯଦି କୋପାନଳ ଜଳି ଉଠିବ, ଗତି ଗୋତ୍ର ରହିବ ନାହିଁ, ଜାଣିଥାଅ ।’’

 

ମହାଦେବଙ୍କ ମୁହଁର ଚେହେରା ସମ୍ପୂର୍ଣ୍ଣ ବଦଳିଗଲା । ଏଥର ମର୍ତ୍ତ୍ୟକୁ ଆସିବା ଦିନଠାରୁ ପ୍ରତ୍ୟହ ସେ ବହୁ କଷ୍ଟ ପାଇଛନ୍ତି; ମନ କିନ୍ତୁ ଏପରି କେବେ ବିଗଡ଼ି ନଥିଲା । ବାସୁଆକୁ ଏପରି ମାଡ଼ ହେବାର ଶୁଣି, ତାହାର ଦୁଃଖରେ ସେ ପ୍ରକୃତିସ୍ଥ ହୋଇ ରହିପାରିଲେ ନାହିଁ । ତାଙ୍କ ସର୍ବାଙ୍ଗ ରାଗରେ ତାତିଗଲା । ସେ ସ୍ଥିର କଲେ, ଏଥର ଆଉ ସେ ସହିବେ ନାହିଁ । ଭକ୍ତର କଷ୍ଟ ଦୂର କରିବାକୁ ହେବ । କପାଳରେ ହାତ ଘଷିଦେଲେ, ତାଙ୍କର ତୃତୀୟ ଚକ୍ଷୁ, ଯାହାକି ଏ ପର୍ଯ୍ୟନ୍ତ କପାଳରେ ଛପିକରି ଥିଲା ତାହା ଜଳି ଉଠିଲା । ସେତିକିବେଳେ ହଲ ଭିତରୁ କୋଳାହଳ ଶୁଭିଲା । ଗେରଦର କେତେଟା ତାଟିରେ ନିଆଁ ଲାଗିଯାଇଥାଏ । ନିଆଁ ଲିଭାଳି ମଟର ଆସି ପହଞ୍ଚିଲା । ଖୋଳ ପର୍ବତ ମାର ମୂଷା ରୀତିରେ ବାଉଁଶ ତାଟି ଖଣ୍ଡକର ନିଆଁ ଲିଭେଇବାକୁ ପୋଖରୀଟାକର ପାଣି ଛିଞ୍ଚା ହେଲା । ଏଇ ଗଣ୍ଡଗୋଳରେ ମହାଦେବ ଅଲକ୍ଷିତରେ ସେଠାରୁ ବାହାରିଗଲେ ।

 

ସେଦିନ ରାତିରେ ଖାଲି କଟକର ନିଆଁ ଲିଭାଳି ଦଳ ନୁହେଁ, କେହି ଦଣ୍ଡେ ହେଲେ ଶୋଇନାହାନ୍ତି । ଷଣ୍ଢ ଖେଳ ଘରେ ନିଆଁ ଲଗିଲା । ତା’ ପଛକୁ ଆଉ ଗୋଟାକରେ । ସହରର ନିଆଁ ଲିଭାଳି ଅଫିସରେ ଯେତେ ନିଆଁଲିଭା ମଟର ଥିଲା ସେସବୁ ଦାଣ୍ଡକୁ ବାହାରିପଡ଼ିଲା । ତା’ ପରେ ପୁଣି ଟେଲିଫୋନ୍‌ ଆସିଲା, ବଜାରର ଆଉ ଦି’ଚାରି ଜାଗା ନିଆଁ ଲାଗିଛି । ନିଆଁଲିଭା ଅଫିସର ମଟର ସାଇକେଲରେ ଖାଲି ଚକର ଖଉଥାନ୍ତି । ଗୋଟାଏ ଜାଗାରେ କାମ ସରିଲେ ଆଉ ଠା’କୁ ମଟର ପଠାଉଥାନ୍ତି। ରାତିଟା ଏହିପରି ପାହିଗଲା । ମହାଦେବ ତାଙ୍କ ତୃତୀୟ ଚକ୍ଷୁରେ ଯେଉଁଆଡ଼େ ଚାହିଁ ଦେଉଥାନ୍ତି, ସେଆଡ଼େ ନିଆଁ ଲାଗିଯାଉଥାଏ । ଠାଏ ନିଆଁ ଲାଗି ଗଲେ ସେ ସ୍ଥାନ ଛାଡ଼ି ସେ ଆଉ ଗୋଟାଏ ଗଳିରେ ପଶନ୍ତି । ସେଠାରେ ନିଆଁ । ଧରା ପଡ଼ିବା ଭୟରେ ସେ ସେ’ଠା ଛାଡ଼ି ଆଉ ଠା’କୁ ପଳାନ୍ତି । ତାଙ୍କ ମନର ରାଗ ଯୋଗୁଁ ସେ ତୃତୀୟ ଚକ୍ଷୁଟି ବନ୍ଦ କରିପାରୁନଥାନ୍ତି। କିନ୍ତୁ ସେ ରାଗ ଭିତରେ ମଧ୍ୟ ପୁଲିସ୍‌ ଓ ଜେଲଖାନା ମନରୁ ପାସୋରି ହେଉ ନଥାଏ । ନିଆଁ ଲିଭାବାଲାଙ୍କ ପୋଷାକ ଦେଖି ସେ ତାଙ୍କୁ ବି ପୁଲିସ ବୋଲି ବିଚାରୁଥାନ୍ତି ।

 

ଦୁଇ ଚାରି ଜାଗାରେ ନିଆଁ ଲାଗିଗଲା ପରେ ସହରରେ ଚାରିଆଡ଼େ ଗୁଜବ ହୋଇଗଲା ଯେ, କାଳିଆବୋଦାରୁ ଲୁଚିକରି ପଳାଇ ଆସିଥିବା ବାବାଜୀମାନେ, ତାଙ୍କ ସାଥି ଜଣେ ପୁଲିସ ଗୁଳିରେ ମରିଯିବାରୁ ଏପରି ଠାଏ ଠାଏ ନିଆଁ ଲଗାଉଛନ୍ତି । ଆଉ କେହି କେହି ଗୋଟାଏ ଗୁଜବ ଆରମ୍ଭ କରିଦେଲେ ଯେ କାଳିଆବୋଦାରେ ଜଣେ କନେଷ୍ଟବଲକୁ ବାବାଜୀ ମାରିଦେବାରୁ, ପୁଲିସ ନିଆଁ ଲଗାଉଛନ୍ତି । ବୁଢ଼ା ବୁଢ଼ା ଲୋକଙ୍କର ଅସହଯୋଗ ଆନ୍ଦୋଳନର ଆରମ୍ଭ ବେଳ କଥା ମନେ ପଡ଼ିଗଲା । ୧୯୨୧ରେ ଜଣେ ପୁଲିସ ସାହେବ ଲୋକଙ୍କ ମନ କଂଗ୍ରେସରୁ ଛଡ଼ାଇବା ସକାଶେ ଏହିପରି କରିଥିଲେ ବୋଲି ସେତେବେଳେ ବିଶ୍ୱାସ ହୋଇଯାଇଥିଲା ।

 

ସବୁଠାରୁ ବେଶୀ ଆତଙ୍କିତ ହୋଇଯାଇଥାନ୍ତି, ପାଗଳବାବାଙ୍କ ଶିଷ୍ୟମାନେ । ଖାଲି ପାଗଳବାବା କାହିଁକି, ଆଜିକାଲି ବହୁତ ବାବା ନିଜେ ଭଗବାନ ବୋଲାଇବାକୁ ଉଦ୍ୟମ କରିଛନ୍ତି । ଏମାନଙ୍କର ଫଟୋ ଧୂପଦୀପ ଦିଆହୋଇ ବହୁତ ଲୋକଙ୍କ ଘରେ ପୂଜା ପାଉଛି । ଏପରି କରିବା ପାପ ହେଲେ ମଧ୍ୟ ବାବମାନେ ରାଜନୀତିକ ନେତାଙ୍କ ପରି ନିଜ ନିଜର ଫଟୋ ଛପାଇ ବିନା ମୂଲ୍ୟରେ ମଧ୍ୟ ଭକ୍ତମାନଙ୍କୁ ଦେଉଛନ୍ତି । ସେ ରାତିରେ ଆଗ ଆତଙ୍କିତ ହେଲେ ପାଗଳବାବାଙ୍କର ଫଟୋକୁ ଜାଳିଦେବାକୁ ଡରିଲେ ସେମାନେ ତାହା ନେଇ ପାଇଖାନା ଭିତରେ ପକାଇଦେଲେ । ପୁଲିସ ଫଟୋ ଖୋଜୁଛନ୍ତି ବୋଲି ଗୁଜବ ପ୍ରଚାରିତ ହୋଇ ଯିବାରେ, ଅନ୍ୟ ବାବା ଓ ମା’ ମାନଙ୍କର ଫଟୋ ମଧ୍ୟ ସେଇ ଦଶା ପାଇଲା ।

 

ଯେଉଁ ମାନଙ୍କର ଦାଢ଼ି, ସେମାନେ ରାତିଯାକ ଚିନ୍ତା କରୁଥାନ୍ତି, ସକାଳୁ ତାହାକୁ ଭଣ୍ଡାରିକୁ ଦେବେ କି ନାହିଁ । ପୂର୍ବରେ ଏ ଦାଢ଼ିର କମ୍‌ ଇଜ୍ଜତ୍‌ ନ ଥିଲା । ପାଶ୍ଚାତ୍ୟ ଦେଶରେ ୪୦/୫୦ ବର୍ଷ ପୂର୍ବେ ରାଜାମାନେ, ତା’ ପୂର୍ବରୁ ସୈନ୍ୟାଧ୍ୟକ୍ଷମାନେ, ନିଜର ଗୌରବର ସଙ୍କେତ ସ୍ୱରୂପ ଦାଢ଼ି ରଖୁଥିଲେ । ଶିଖମାନେ ମୁସଲମାନଙ୍କ ବିରୁଦ୍ଧରେ ବିଦ୍ରୋହର ସଙ୍କେତ ସ୍ୱରୂପ ଦାଢ଼ି ରଖିଥିଲେ। ସେଦିନ ଯାଇଛି; ଖୁର ପାତିଆର ଆବିଷ୍କାର ହେବା ଦିନୁଁ, ଦାଢ଼ି ମୂଳରୁ ନିକାସ୍‌ ହେଉଛି । ଶିଖ ରମଣୀମାନଙ୍କର ବିରାଗ ଫଳରେ ଅନେକ ଶିଖ ଦାଢ଼ି କଟାଇ ସାରିଲେଣି । ଦାଢ଼ିର ପୂର୍ବଗୌରବ ମନେ ପକାଇ, ପଇସା ଲୋଭରେ, ଘରଆଡ଼େ ଅସୁବିଧା ଥିବାରୁ (ସ୍ତ୍ରୀ ଅନ୍ତଃସତ୍ତ୍ୱା ହୋଇଥିବାରୁ), ବା ନିଜର ମୁହଁରେ ପୁରୁଷତ୍ୱର ଅଭାବ ଲୁଚାଇବାକୁ, ଯେଉଁମାନେ ଅଦ୍ୟାପି ଦାଢ଼ି ରଖିଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ସେଇ ରାତିରେ ଦାଢ଼ି କଟାଇଦେବାକୁ ସଂକଳ୍ପ କଲେ ବା ସେଇ ରାତିଗାଡ଼ିରେ କଟକ ଛାଡ଼ି ଚାଲିଗଲେ ।

 

ପୁଲିସଙ୍କ ଭୟ, ଦାଢ଼ିର ମମତା ଓ କ୍ରୋଧରେ ମହାଦେବ ପାହାନ୍ତିଆ ବେଳକୁ ମହାନଦୀ ପାର ହୋଇ ଜଙ୍ଗଲେ ଆଠଗଡ଼ ଆଡ଼େ ବାହାରିଗଲେ । ନିଆଁ ଲିଭାଳିଙ୍କ ଅପବ୍ୟୟରେ ସେ ରାତିରେ କଟକର ଅଧିକାଂଶ ପୋଖରୀର ପାଣି ଶୁଖିଯାଇଥିଲା । ମହାଦେବଙ୍କ ଦୃଷ୍ଟିରେ ମହାନଦୀରୁ ମଧ୍ୟ ଦୁଇ ତିନି ଫୁଟ ପାଣି ସେଇ ରାତିରେ ଶୁଖିଗଲା ।

 

ତହିଁ ଆରଦିନଠାରୁ ଖରାର ତାପ ୧୧୮ ଡିଗ୍ରୀରୁ ବେଶି ହୋଇଗଲା । ପାଣିକଷ୍ଟ ସାଙ୍ଗକୁ ଖରାର ତାପ ଏଥିରେ ସାଧାରଣ ଲୋକ ଡହଳବିକଳ ହେଲେ । କିନ୍ତୁ କାଳିଆବୋଦା ଗଣ୍ଡଗୋଳର ତାତି କମିଯିବାପରେ ଲୋକେ ଖରାତାତିକୁ ବିଶେଷ ଖାତିର କଲେ ନାହିଁ । ମକଦ୍ଦମା ଦାଏର ହୋଇଯିବାରୁ କେଜାଣି ‘‘ବିଚାରପତିଙ୍କ ପ୍ରତି ଅବଜ୍ଞା’’ (Contempt of Course) ହେବ, ଏ ଭୟରେ ଖବରକାଗଜବାଲା ବି ପାଗଳା ବାବାଙ୍କୁ ପାସୋରି ଦେଲେ । ଖବର କାଗଜର କାଟତି କମିଯିବା ସତ୍ତ୍ୱେ କଟକର ସାଧାରଣ ଜୀବନ ପୂର୍ବପରି ଚାଲିଲା ।

Image

 

ଦେବଦେବଙ୍କ ଦୁର୍ଗତି

ଦ୍ୱିତୀୟ ଭାଗ

 

ମନ୍ତ୍ରୀମାନେ କିନ୍ତୁ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଖରାର ତାପ ଯେଉଁ ପରିମାଣରେ ବଢ଼ିଲା, ମଫସଲରେ ଘରପୋଡ଼ିର ଉତ୍‌ପାତ ସେଇ ପରିମାଣରେ ବଢ଼ିଲା । ମହାଦେବ ଯେଉଁ ଯେଉଁ ଅଞ୍ଚଳକୁ ନିଜେ ଯାଉଥାନ୍ତି ସେଠାରେ ତ ଅଗ୍ନିଭୟ ସବୁଠାରୁ ବେଶୀ ପ୍ରବଳ ହେଲା । ଯେଉଁ ମନ୍ତ୍ରୀଙ୍କର ଯେଉଁ ଅଞ୍ଚଳରେ ଲୟ, ସେଠାରୁ ସେମାନଙ୍କ ପାଖକୁ ଘନ ଘନ ତାର ଓ ଚିଠି ଆସିଲା, ଘରପୋଡ଼ିରୁ ଲୋକଙ୍କୁ ଉଦ୍ଧାର କରନ୍ତୁ । ସଭାସମିତି ହେଲା, ସବୁଠାରେ ମନ୍ତ୍ରୀଙ୍କୁ ଗାଳି, ଘରପୋଡ଼ିର ପ୍ରତିକାର ପାଇଁ ସେ କାହିଁକି କିଛି କରୁନାହାନ୍ତି । ଜଣେ ମନ୍ତ୍ରୀ ଏଥିରେ ଏତେ ବିବ୍ରତ ହେଲେ ଯେ ନିଜେ ଗୋଟାଏ ନିଆଁ ଲିଭାଳି ମଟର ନେଇ କଟକରୁ ୪୦ ମାଇଲ ମଫସଲକୁ ଧାଇଁଗଲେ । ଯେଉଁମାନଙ୍କ ଗାଁ ୪୦ ମାଇଲରୁ ଦୂର ସେମାନେ ନିଜ ଅଞ୍ଚଳ ପାଇଁ କଟକରୁ ନିଆଁ ଲିଭାଳି ମଟର ନେବା ସମ୍ଭବ ନ ହେବାରୁ ଇସ୍ତଫା ଦେବାର ଧମକ ଦେଲେ । ମୁଖ୍ୟମନ୍ତ୍ରୀ ମସୁଧା ଦେଲେ, ଯେଉଁ ଗାଁଗୁଡ଼ାକ ପୋଡ଼ିଯାଉଛି, ସେଗୁଡ଼ାକ ଗ୍ରାମ ଦାଦନରେ ଦେଇଦିଆଯାଉ; ଯେ ନ ପୋଡ଼ିଛି ତାକୁ ମଧ୍ୟ ଦେଇଦିଆଯାଉ। ତା’ ହେଲେ ସେଠାରେ ଆଗତୁରା ନିଆଁ ଲିଭାଇବାର ବ୍ୟବସ୍ଥା ହେବ । ଏହା ଜଣାଯିବା ପରେ ଆହୁରି ଲମ୍ବା ଲମ୍ବା ଟେଲିଗ୍ରାମ ଆସିଲା । ଜଣେ ଭୂଦାନକର୍ମୀ ଢେଙ୍କାନାଳ ଜିଲ୍ଲାର ମାଳ ଅଞ୍ଚଳରୁ ଡଗରା ପଠାଇଲେ, ‘‘ ସରୁଆବିଲି ଗ୍ରାମରେ ଦୁଇଘଣ୍ଟା ହେଲା ନିଆଁ ଲାଗିଛି । ଗ୍ରାମବାସୀ ସର୍ବସମ୍ମତିକ୍ରମେ ସମଗ୍ର ଗ୍ରାମଟି ବିନୋଦବାଙ୍କୁ ଦାନ କରିଛନ୍ତି । ଦାନପତ୍ର ଦସ୍ତଖତ ହୋଇସାରିଲେଣି । ନଆଁ ଲିଭାଳି ମଟର, ଚୂଡ଼ା ଚାଉଳ, ଲୁଗାପଟା ଶୀଘ୍ର ପଠାନ୍ତୁ । ମଟର ଆସିବାର ବିଶେଷ ଅସୁବିଧା ନାହିଁ । କେବଳ ବ୍ରାହ୍ମଣୀ ନଦୀରେ ପାରି କରିବାର ବ୍ୟବସ୍ଥା କରିବାକୁ ହେବ ଓ ଦୁଇ ଚାରି ଜାଗା ପୋଲ ମରାମତ ହେବ ।’’

 

ସମସ୍ତେ ଯେ ଏପରି ଜରୁରି ଟେଲିଗ୍ରାମ ଓ ଖବର ପଠାଇଲେ । ତା’ ନୁହେଁ । ଅନେକଠାରୁ ଦାବୀ ଆସିଲା, ରାଜାମାନଙ୍କ ଅବଳରେ କାଠ ବାଉଁଶ ଯେପରି ସାଙ୍ଗେ ସାଙ୍ଗେ ଘରପୋଡ଼ିଆଙ୍କୁ ମିଳୁଥିଲା, ସେପରି ହେଉ । କାଠ କାନତରାଟିମାନେ ଏ ଆନ୍ଦୋଳନରେ ଅଗ୍ରଣୀ ହୋଇ ଲୋକପ୍ରତିନିଧି ଓ ଲୋକସାଧାରଣଙ୍କର କୃତଜ୍ଞତାଭାଜନ ହେଲେ । ସେମାନଙ୍କ ଆନ୍ଦୋଳନ ସଫଳ ହେଲା । ଜଙ୍ଗଲ ବିଭାଗରୁ ପର୍ମିଟ୍‌ ନ ନେଇ କାଠ ବାଉଁଶ ହାଣିବାକୁ ସେମାନେ ଅନୁମତି ପାଇଲେ । ପ୍ରତି କେନ୍ଦ୍ର ଜାଗାରେ କାଠ ବାଉଁଶ ଡିପୋ ହେଲା । କେବଳ ଘରପୋଡ଼ିଆ ଯେ ଏଥିରୁ ଉଚିତ ଫିସ୍‌ଦେଇ କାଠବାଉଁଶ ପାଇଲେ ତା’ ନୁହେଁ, ଦୂର ବିଦେଶର ଲୋକେ ମଧ୍ୟ ସୁବିଧାରେ କାଠ ବାଉଁଶ ପାଇ କୃତକୃତ୍ୟ ହେଲେ ।

 

ସେ ବର୍ଷ ଚାଷବାସ ଏକାବେଳକେ ବନ୍ଦ ହୋଇଗଲା ବୋଇଲେ ଚଳେ । ଲୋକେ କିନ୍ତୁ ମଜୁରୀ ପାଇଲେ । ଜଙ୍ଗଲ ହାଣିବାରେ, ନିଆଁ ଲାଗିଯାଉଥିବା ଜଙ୍ଗଲରୁ ନିଆଁ ଛଡାଇବାରେ, ମାଲମତା ନେ’ ଆଣ କରିବାରେ ସେମାନଙ୍କୁ ଯଥାସାଧ୍ୟ କାମ ଯୋଗାଇଦିଆଗଲା । ଡିପୋରୁ ଶସ୍ତା ଦରରେ ଚାଉଳ ମିଳିଲା । ଗୋରୁ ଗାଈ ଖାଇବାକୁ ପାଉନାହାନ୍ତି ବୋଲି ଅବଶ୍ୟ ଖବରକାଗଜରେ ସମ୍ବାଦ ବାହାରିଲା । କିନ୍ତୁ ମନ୍ତ୍ରୀ ଇସ୍ତାହାର ଦେବା ପରେ ସେ ସମ୍ବାଦରେ କେହି ଗୁରୁତ୍ୱ ଦେଲେ ନାହିଁ । ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଇସ୍ତାହାର ଦେଲେ, ‘‘ଆମର ଲୋକମଙ୍ଗଳ ରାଷ୍ଟ୍ର । ଲୋକେ ଖାଇବାକୁ ନ ପାଇ ଯେପରି ନ ମରନ୍ତି ସେଥିପାଇଁ ଆମେ ସବୁବେଳେ ସଜାଗ । କିନ୍ତୁ ଗୋରୁ ଗାଈ ନ ଖାଇ ମଲେ ଆମ ଦାୟିତ୍ୱ ନେଇ ପାରିବୁ ନାହିଁ । ଗୋରୁମାନେ ଯଦି କୁଣ୍ଡା ନ ପାଉଛନ୍ତି, ତେବେ ତାଙ୍କୁ ଗହମ ଚୋକଡ ଦିଆଯାଉ, ବିରି ଚୁନି ଦିଆଯାଉ । ତାହା ଯଦି ନ ମିଳୁଛି, ତେବେ ଘର ଓଲାରି ନଡା ପାଳ ଦିଆଯାଉ । ଘର ଛପର ସକାଶେ ଆଜବେସ୍‌ଟସ୍‌ ଓ ଟିଣ ପତ୍ର ଅଣାଇବାର ବ୍ୟବସ୍ଥା ହେଉଛି । ବତର୍ମାନ ପରି ଦୁଃସମୟରେ ସମସ୍ତେ ସରକାରକୁ ସାହାଯ୍ୟ କରନ୍ତୁ । ଯେ ଯେପରି ପାରୁଛନ୍ତି ଅବସ୍ଥା ସମ୍ଭାଳିବାକୁ ଯତ୍ନ କରନ୍ତୁ ।’’

 

ଏ ଇସ୍ତାହାରର ଭଲ ଫଳ ହେଲା । ଗୋରୁ ଗାଈ ଛେଳି ମେଣ୍ଢା ଖାଇବାକୁ ପାଇବା ନ ପାଇବା କଥା ଆଉ ବାହାରିଲା ନାହିଁ । ଖାଲି ବାହାରିଲା, ‘ଅନାହାରରେ ମୃତ୍ୟୁ’ ସମ୍ବାଦ । ସରକାର ଜଣାଇ ଦେଲେ, ଅନାହାରରେ ମୃତ୍ୟୁ ହୋଇଥିବାର ଠିକ୍‌ ବିବରଣୀ ପାଇଲେ ଯଥାଯଥ ଅନୁସନ୍ଧାନ ହେବ । ଅନୁସନ୍ଧାନ ହେଲା; ପ୍ରାୟ ଦେଖାଗଲା, ଏ ସମ୍ପର୍କରେ ପ୍ରକାଶ ହୋଇଥିବା ସବୁଗୁଡ଼ିକ ସମ୍ବାଦ ମିଥ୍ୟା । ଅନାହାରରରେ ଗୋଟିଏ ହେଲେ ମୃତ୍ୟୁ ହୋଇନାହିଁ । ଯେଉଁମାନେ ଅନାହାରରେ ମରିଛନ୍ତି ବୋଲି ଖବରକାଗଜରେ ପ୍ରକାଶ ପାଇଛି, ସେମାନେ ପେଟମରା, ହଇଜା, ଗ୍ରହଣୀ, ରକ୍ତହୀନତା ବା ଆନ୍ତ୍ରିକ ବିକାରରେ ମରିଛନ୍ତି ଅନାହାରରେ ନୁହେଁ । ଅଧିକାଂଶ ଖବର କାଗଜ ଏ ଏନ୍‌କ୍ୱାରିରୁ ଶିରା କାଢ଼ିବାକୁ ବସିବାରୁ ସାମ୍ବାଦିକ ସମ୍ମିଳନୀ ବନ୍ଦ କରି ଦିଆଗଲା ଓ ଖବରକାଗଜରେ ପ୍ରକାଶିତ କୌଣସି ସମ୍ବାଦ ଉପରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ-। ଚାରିଆଡ଼େ ଶାନ୍ତି ରାଜତ୍ୱ କଲା । ଶାନ୍ତି ନିରବଚ୍ଛିନ୍ନ ରହିବା ସକାଶ ସି: ଆଇ: ଡି: ପୁଲିସଙ୍କ ସଂଖ୍ୟା ବଢ଼ାଇ ଦିଆଗଲା । ଯେପରି ଦେଖାଗଲା, ବର୍ଷେ କାହିଁକି, ପାଞ୍ଚ ବର୍ଷ ମରୁଡ଼ି ହେଲେ ମଧ୍ୟ ରାଜ୍ୟର ନିରାପତ୍ତା ଓ ଶାନ୍ତିରକ୍ଷା କରିବାରେ କୌଣସି ଆଞ୍ଚ ଆସିବ ନାହିଁ ।

 

ପ୍ରକୃତରେ କୌଣସି ଆଞ୍ଚ ଆସି ନଥାନ୍ତା, ଯଦି ଷଣ୍ଡ ଖେଳଟା ଚଳି ନ ଥାନ୍ତା । ସେ ଖେଳର କିନ୍ତୁ ଲୋକପ୍ରିୟତା ବଢ଼ିଲା। ଆମ ଦେଶରେ ଯେ କୌଣସି ବିପତ୍ତି ପଡ଼ିଲେ, ବାବାଜୀ, କାଳେଶୀ, କର୍ମଣିଆ ବ୍ରାହ୍ମଣ ଓ ଜ୍ୟୋତିଷଙ୍କର ଲାଭ ହୁଏ। ଜ୍ୟୋତିଷମାନଙ୍କର ତ ଏପରି ଆଦର ବଢ଼ିଛି ଯେ ଖବରକାଗଜମାନଙ୍କରେ ମଧ୍ୟ ଗ୍ରହଫଳ ବାହାରିଲାଣି । ଷଣ୍ଢର କଥା ଶୁଣି ଅନେକ ବିଶ୍ୱାସ କରୁଥିଲେ, ସେ ଜଣେ ଭବିଷ୍ୟତ ବକ୍ତା । କେଉଁଠି କିପରି ସର୍ବଜ୍ଞ ମାଙ୍କଡ଼ ବାହାରିଥିବାର ସମ୍ବାଦ ବାହାରିବା ସ୍ଥଳେ, କଥାକୁହା ଷଣ୍ଢ ଆଡ଼କୁ ଯେ ସମସ୍ତଙ୍କର ମନ ଢଳିବ, ଏଥିରେ ବିଚିତ୍ରତା କ’ଣ ? ଖୁସିରେ ସନ୍ଧ୍ୟାଟା କଟାଇବା ସକାଶ ଯେଉଁମାନେ ଖେଳ ଦେଖିବାକୁ ଆସୁଥିଲେ, ତାଙ୍କ ସାଙ୍ଗଙ୍କୁ ଭବିଷ୍ୟତ୍‌ବାଣୀ-ଲାଳସୀମାନେ ମିଶି ଯିବା ଫଳରେ ଷଣ୍ଢ ଖେଳରେ ଭାରି ଗହଳି ହେଲା । ଏ ଗହଳି ଲଗାଇ ରଖିବା ଇଚ୍ଛାରେ ଖେଳର ମାଲିକ ବ୍ୟବସ୍ଥା କରିଦେଲେ ଯେ, ପ୍ରତିଦିନ ସକାଳେ ଖବରକାଗଜମାନ ଷଣ୍ଢକୁ ପଢ଼ି ଶୁଣାଇ ଦିଆଯିବ । ଷଣ୍ଢ ଏହିପରି ଦୈନିକ ଖବରାଖବର ପାଇ ତା’ଉପରେ ଟିପ୍‌ପଣୀ ଦେବାକୁ ଆରମ୍ଭ କଲା ।

 

ମହାଦେବ କଟକ ଛାଡ଼ିବାର ଦଶବାର ଦିନ ପରେ ରାତି ୯ଟା ଖେଳରେ ଷଣ୍ଢ କହିଲା, ‘‘ମୁଁ ଆଶା କରୁଥିଲି କାଳିଆବୋଦା ବାବାଜୀଙ୍କ ଗିରଫ ବିଷୟରେ ଖବରକାଗଜରେ ଆହୁରି ଆଲୋଚନା ହେବ । କିନ୍ତୁ ସମ୍ବାଦପତ୍ରମାନଙ୍କୁ ଏପରି ଦବାଇ ଦିଆଗଲାଣି ଯେ ସେମାନେ ନିଃସଙ୍କୋଚରେ କୌଣସି ବିଷୟରେ ଆଲୋଚନା କରିପାରୁନାହାନ୍ତି । ଆଜିକାଲି ସମ୍ବାଦପତ୍ରମାନଙ୍କ ନାମରେ ବହୁତ ମାନହାନି ମକଦ୍ଦମା ହେଉଛି । ଖବରକାଗଜ ଲେଖା ଉପରେ ଘନଘନ ମାନହାନି ମକଦ୍ଦମା ହେଲେ, ଆଉ ଖବରକାଗଜରୁ ସ୍ୱାଧୀନ ମତ କିପରି ଆଶା କରି ହେବ । ଭାରତର ଯେଉଁ ଶାସନ ବିଧାନ ହୋଇଛି ସେଥିରେ ମତ ପ୍ରକାଶ କରିବାର ସ୍ୱାଧୀନତା ଦିଆହୋଇଛି । ପିଙ୍ଗଳ କୋଡରେ ଏ ସମ୍ପର୍କରେ ଯେତିକି ପ୍ରତିଷେଧ ଅଛି ତହିଁରୁ ଅଧିକ ଖବରକାଗଜ ଉପରେ ବ୍ରିଟିଶ ସରକାର ଅମଳରେ ଚଳୁଥିଲା । ମାନହାନି ହେଲା ବୋଲି କ୍ଷତିପୂରଣ ସକାଶ ଦେବାନି ମକଦ୍ଦମା ହୋଇପାରିବ କି ନାହିଁ, ଏ ବିଷୟରେ ଆଇନଜ୍ଞମାନେ ବିଚାର କରନ୍ତୁ । ସମ୍ବାଦପତ୍ର ଉପରେ ଆଉ ଗୋଟାଏ ବଡ଼ ବିପଦ ‘‘ବିଚାରପତିଙ୍କ ଅବମାନନା’’ । ଶାସନ ବିଧାନ ଆମେରିକା ଛାଞ୍ଚରେ ହେଲା, କିନ୍ତୁ ଏ ଅବମାନନା ମକଦ୍ଦମା ଇଂରେଜଙ୍କ ବିଚାରଧାରା ଅନୁସାରେ ଇଂରେଜ ଜଜଙ୍କ ରାୟ ନଜିର ଉପରେ ହେଉଛି । ଇଂରେଜ ବିଚାରପତି ଏ ଦେଶର ସ୍ୱାଧୀନ ମତକୁ ଚପାଇବା ପାଇଁ ସବୁବେଳେ ଉଦ୍ୟମ କରୁଥିଲେ । ସେଇ ଢଙ୍ଗ ଯଦି ସ୍ୱାଧୀନ ରାଷ୍ଟ୍ରରେ ଚାଲେ, ତେବେ ମହର୍ଗରୁ ଯାଇ କାନ୍ତାରରେ ପଡ଼ିଲା ପରି ହେବ । ଆଜିକାଲି ସରକାର ସମ୍ବାଦପତ୍ରର ସବୁଠାରୁ ବଡ଼ ବିପଦ ହୋଇଛନ୍ତି । ବ୍ୟକ୍ତିଗତ ସନ୍ତୋଷ ଅସନ୍ତୋଷରେ ସମ୍ବାଦପତ୍ରମାନେ ପୁରସ୍କୃତ ଓ ତିରସ୍କୃତ ହେଉଛନ୍ତି ( ଜଣେ ସାମ୍ବାଦିକ ଶୁଣନ୍ତୁ, ଶୁଣନ୍ତୁ) ସରକାର ମଧ୍ୟ ବ୍ୟକ୍ତିଗତ ମର୍ଜିରେ ଦାଣ୍ଡକୁ ବାହାରି ପଡ଼ୁଛନ୍ତି । ଏଇ କାଳିଆବୋଦା ଘଟଣା ତାହାର ଗୋଟିଏ ନଜିର ।

 

କାଳିଆବୋଦା ଗଣ୍ଡଗୋଳରେ ଜଣେ କନେଷ୍ଟବଳ ପ୍ରାଣ ହରାଇଲା । ସାଙ୍ଗେ ସାଙ୍ଗେ ମନ୍ତ୍ରୀମାନେ ତା କୋକେଇରେ ଫୁଲମାଳ ଦେଇଦେଲେ । ଏଡ଼େ ଶୀଘ୍ର ସରକାରର ସର୍ବୋଚ୍ଚ କର୍ତ୍ତା ଚିହ୍ନା ପଡ଼ିବା ଠିକ୍‌ ହେଲା ନାହିଁ । କନିଷ୍ଟବଲ ଠିକ୍‌ କରୁଛି କି ଭୁଲ କରୁଛି ସେ ବିଷୟରେ ମତ ଦେବାର ଅଧିକାର ବିଚାରପତିଙ୍କୁ ଛାଡ଼ିଦେବା ଦରକାର । ମନ୍ତ୍ରୀମାନେ ଚିହ୍ନା ପଡ଼ିଯିବା ଫଳରେ ନ୍ୟାୟ ବିଚାରରେ ଏପଟ ସେପଟ ହୋଇ ନ ପାରେ; କିନ୍ତୁ ବାବଜୀମାନଙ୍କ ବିରୁଦ୍ଧରେ ଲୋକମତ ତୀବ୍ର ହୋଇ ଉଠିଲା । କୌଣସି ବିଶିଷ୍ଟ ବାବାଜୀ ଠିକ୍‌ କରୁ ବା ଭୁଲ କରୁ, ସାଧୁ ସନ୍ନ୍ୟାସୀ ଓ ବାବାଜୀ ଗୋଷ୍ଠୀର ମହତ୍ତ୍ୱ କ୍ଷୁଣ୍ଣ କରିବା ସମାଜ ବା ଶାସନ ପକ୍ଷରେ ଭଲ ନୁହେଁ, ଏହା ବିଚାରିବାର ସମୟ ଆସିଲାଣି । ଯେ ଶାସକ ସେ ଆନ୍ଦୋଳନକାରୀଙ୍କ ପରି ହୋ-ମତାରେ ମାତିଲେ ଚଳିବ ନାହିଁ (ଗନ ଘନ କରତାଳି) । ମୁଁ ସାବାସି ପାଇବା ପାଇଁ ଏହା କହୁନାହିଁ । ମନ୍ତ୍ରୀଙ୍କର ସମାଲୋଚନା ହେଲା ବୋଲି ଆପଣମାନେ କରତାଳି ଦେଉଛନ୍ତି । ଆଜି ଯେ ମନ୍ତ୍ରୀ ହୋଇଛନ୍ତି ଓ ଯେ ଭବିଷ୍ୟତରେ ହେବେ, ସେ ସମସ୍ତେ ଏ ବିଷୟ ଧୀର ଚିତ୍ତରେ ବିଚାରିବା ଦରକାର ।’’

 

ତହିଁ ଆରଦିନ ଖବରକାଗଜମାନଙ୍କରେ ବାସୁଆର ବକ୍ତୃତା ଉପରେ ଖୁବ ଆଲୋଚନା ହେଲା । ସେ ଜଣେ ବିଚକ୍ଷଣ ଭବିଷ୍ୟତବକ୍ତା ବୋଲି ସମସ୍ତେ ସ୍ୱୀକାର କଲେ । ଷଣ୍ଢ ଖେଳରେ ଲୋକଗହଳି ବେଳୁ ବେଳ ବେଳ ବଢ଼ିଲା ।

 

ସରକାରୀ ମହଲରେ ମଧ୍ୟ ଏହା ଯୋଗୁଁ ଚାଞ୍ଚଲ୍ୟ ଖେଳିଲା । ପ୍ରଚାର ବିଭାଗର ନିମକସଚ୍ଚା ଅଫିସରମାନେ ଲୋକମତକୁ ସରକାର ଆଡ଼କୁ ଟାଣିବା ପାଇଁ ସହରର ବିଭିନ୍ନ ସ୍ଥାନରେ ମାଗଣା ପାଲା, ଦାସକାଠିଆ ଓ ସିନେମା ପ୍ରଦର୍ଶନ ଆରମ୍ଭ କରିଦେଲେ । କିନ୍ତୁ ଷଣ୍ଢ ଖେଳର ଲୋକପ୍ରିୟତା କମିଲା ନାହିଁ । ବରଂ ଏହାରି ଯୋଗୁଁ ପାଲା ଦାସକାଠିଆ ହେଉଛି ବୋଲି ଲୋକେ ବେଶୀ ସଂଖ୍ୟାରେ ଷଣ୍ଢଖେଳ ଆଡ଼େ ବାଗେଇଲେ । ଜିଲ୍ଲା ମାଜିଷ୍ଟ୍ରେଟ ଓ ପୁଲିସଙ୍କର ଦୃଷ୍ଟି ମଧ୍ୟ ଅଧିକ ତୀକ୍ଷ୍‍ଣ ଭାବରେ ଷଣ୍ଢଖେଳ ଆଡ଼କୁ ପଡ଼ିଲା । ବିନା ଟକଟରେ ଯେତେ ଇଚ୍ଛା ସେତେ ହାକିମ ଓ ପୁଲିସ ଖେଳ ଦେଖିବାକୁ ଗଲେ । ତାଙ୍କ ସ୍ତ୍ରୀ ପିଲାମାନେ ମଧ୍ୟ ସରକାରୀ ଗାଡ଼ି ଚଢ଼ି ଖେଳ ଦେଖିବାକୁ ଆସିଲେ । କୌଣସି ପ୍ରକାର ଆଇନବିରୋଧ କାର୍ଯ୍ୟ ଖେଳରେ ହେଲେ ସାଙ୍ଗେ ସାଙ୍ଗେ ଅପରାଧୀକୁ ଗିରଫ କରିବାକୁ ହୁକୁମନାମା ଥାଏ । ତାହାରି ବଳରେ ପୁଲିସ ଖେଳରେ ଅଦୌତି ଆରମ୍ଭ କରି ସାଧାରଣ ଲୋକଙ୍କଠାରେ ବଡ଼ ଅପ୍ରିୟ ହୋଇ ପଡ଼ିଲେ । ପୁଲିସବାଲା ହାକିମମାନଙ୍କ ସ୍ତ୍ରୀ ପିଲାମାନେ ଭଲ ଜାଗା ସବୁ ମାଗଣାରେ ମାଡ଼ି ବସିବାରେ ବଜାରି ଲୋକେ ଭଦ୍ରତା ଭୁଲି ସିଟି ମାଇଲେ, ‘‘ବାବାରେ ଆଲୁଅ’’ ‘‘ବାଞ୍ଝା ଗଲ ଗଲ’’ ବୋଳି ଡାକି ଦେଲେ । ଉଭୟ ପକ୍ଷର ଉତ୍ତେଜନା ଲକ୍ଷ୍ୟ କରି ଷଣ୍ଢ ଦିନେ ଯେଉଁ ବକ୍ତୃତା ଦେଲା ସେଥିରେ ଅବସ୍ଥା ବହୁ ପରିମାଣରେ ନରମ ହୋଇଗଲା ।

 

ଷଣ୍ଢ କହିଲା, ‘‘ମୁଁ ଏଥର ମର୍ତ୍ତ୍ୟକୁ ଆସିବାବେଳେ ଶୁଣିଥିଲି, ଏଠାରେ ପୁଲିସଙ୍କ ସଂଖ୍ୟା ବିଶେଷ ଭାବେ ବଢ଼ାଇ ଦିଆହୋଇଛି । ଏବେ ଦେଖୁଛି ସେ କଥା ସତ । ଆଗେ ଏହିପରି ଗୋଟିଏ ସ୍ଥାନରେ ଶାନ୍ତି ରକ୍ଷା କରିବାକୁ ଯେତେ ପୁଲିସ ଆସିଥାନ୍ତେ, ଏବେ ତାହାର ବହୁଗୁଣ ଆସୁଛନ୍ତି । ପୂର୍ବଠାରୁ ଆଉ ଗୋଟିଏ ଉନ୍ନତି ମଧ୍ୟ ମୁଁ ଲକ୍ଷ୍ୟ କରୁଛି । ପୂର୍ବ ରାଜୁତିରେ ପୁଲିସ କାର୍ଯ୍ୟରେ ସ୍ତ୍ରୀଲୋକମାନଙ୍କର ଏତେ ଅନୁରକ୍ତି ନଥିଲା । କଂଗ୍ରେସ ବିରୁଦ୍ଧରେ ବ୍ରିଟିସ ରାଜା ଲଢ଼େଇ କରୁଥିଲା ବେଳେ, ଲୁଣ ମାରିବା, ବିଲାତି ଲୁଗା ପିକେଟିଂ ଆନ୍ଦୋଳନ ବନ୍ଦ କରିବାକୁ ପୁଲିସମାନେ ଲାଗିଥିବା ବେଳେ ତାଙ୍କର ସ୍ତ୍ରୀମାନେ ଦାଣ୍ଡକୁ ନ ବାହାରି ଘରେ ରହୁଥିଲେ । ଆଜିକାଲି ସେମାନଙ୍କର ସ୍ୱାମୀ-ଅନୁରକ୍ତି ଏତେ ବଢ଼ିଛି ଯେ ସେମାନେ ଏଠାରେ ଶାନ୍ତିରକ୍ଷା କରିବାକୁ ପିଲାପିଲିଙ୍କୁ ମଧ୍ୟ ଧରି ଆସିଛନ୍ତି । ସ୍ତ୍ରୀଲୋକଙ୍କଠାରୁ ଏପରି ସାହାଯ୍ୟ ପାଇଲେ ପୁଲିସ ହେବାକୁ, ହାକିମ ହେବାକୁ ଓ ମନ୍ତ୍ରୀ ହେବାକୁ ଏ ଦେଶର ଲୋକେ ବହୁ ସଂଖ୍ୟାରେ ବାହାରିବେ, ଏଥିରେ କୌଣସି ସନ୍ଦେହ ନାହିଁ ।

 

‘‘ସେମାନେ ସରକାରୀ ଗାଡ଼ିରେ ଆସିଛନ୍ତି ବୋଲି ଲୋକେ କୁହାକୁହି ହେଉଥିବାର ମୁଁ ଶୁଣିଛି । ଏହା ଆଦୌ ଆପତି ଜନକ ନୁହେଁ । ଆମ ଦେଶରେ ପରଦାପ୍ରଥା ଚଳୁଛି ବୋଲି ବହୁତ ପ୍ରଚାର ହୋଇଯାଇଛି । ତାହାର ନିରାକରଣ ପାଇଁ ସରକାରଙ୍କୁ ଗାଡ଼ି ପେଟ୍ରୋଲରେ କିଛି ଖର୍ଚ୍ଚ କରିବାକୁ ପଡ଼ିବ । ସ୍ତ୍ରୀମାନେ ଏହିପରି ସୁଯୋଗ ପାଇଲେ ସିନା ନିଜର ଅବସ୍ଥା ଉନ୍ନତି କରିପାରିବେ । ସେ ଦିଗରେ ସରକାର ସଜାଗ ଥିବାର ମୁଁ ସମ୍ବାଦମାନଙ୍କରୁ ଠଉରାଇଛି । ଥରେ ଗୋଟାଏ ଖବରକାଗଜରେ ବାହାରିଥିଲା—‘ଜଣେ ମନ୍ତ୍ରୀଙ୍କ ସ୍ତ୍ରୀଙ୍କର କୌଣସି ଏକ ସ୍ଥାନକୁ ଯିବାର ଥିଲା । ସେ ଗାଡ଼ି ପାଉ ନଥିଲେ । ସେହି ସମୟରେ ସେ ଜଣେ ଅଫିସରଙ୍କୁ ଦେଖି ତାଙ୍କୁ ପରାମର୍ଶ ଦେଲେ ସେହି ସ୍ଥାନକୁ ଗସ୍ତ ପକାଇବାକୁ । ମନ୍ତ୍ରୀ-ପତ୍ନୀ ସୁବିଧାରେ ନିଜ ଗନ୍ତବ୍ୟ ସ୍ଥାନକୁ ଯାଇ ପାରିଲେ ।’ ଏ ସମ୍ବାଦରେ ସମ୍ବାଦଦାତାଙ୍କ ଏକଦିଗଦର୍ଶିତାର ପ୍ରମାଣ ମିଳିଛି । ମନ୍ତ୍ରୀ-ପତ୍ନୀଙ୍କର ଯିବାର ସୁବିଧା ହେଲା ବୋଲି ନ କହି, ଅଫିସରଙ୍କର ଗସ୍ତ ପାଇଁ ସୁଯୋଗ ମିଳିଲା ବୋଲି କହିଥିଲେ ଠିକ୍‌ ହୋଇଥାନ୍ତା । ଆଜିକାଲି ମନ୍ତ୍ରୀ ଅଫିସରମାନେ ଗସ୍ତ ନ କରି ଘରେ ବସି ରହୁଥିବାର ଦେଖାଯାଉଛି । ମନ୍ତ୍ରୀ-ପତ୍ନୀଙ୍କର ଜିଦ୍‌ ଯୋଗୁଁ ଅନ୍ତତଃ ଜଣେ ଅଫିସର ଘରୁ ଘୋସରା ହୋଇପାରିଲେ—ଏକଥା ସମ୍ବାଦ ଦାତାଙ୍କୁ ନ ଦିଶିବା ତାଙ୍କ ବକୃତ ମନୋବୃତ୍ତିର ପରିଚୟ । ସ୍ତ୍ରୀମାନେ ଦାଣ୍ଡକୁ ବାହାରିଲେ ପୁରୁଷମାନଙ୍କର ଅଳସୁଆମି ଭାଙ୍ଗିଯିବ, ଏହି ଭୟରେ ପୁରୁଷ ଜାତି ଏସବୁ ସହ୍ୟ କରି ପାରୁ-ନାହାନ୍ତି ।’’ ଏତିକିବେଳେ ସ୍ତ୍ରୀ ମହଲରୁ ତାଳି ଓ ହୁଳହୁଳି ଶବ୍ଦ ହେଲା । ଗଣ୍ଡଗୋଳ ଟିକିଏ ଥମିଯିବାରୁ ଷଣ୍ଢ ପୁଣି କହିଲା, ‘‘ସ୍ତ୍ରୀମାନଙ୍କ ଭାବପ୍ରବଣତାକୁ ମୁଁ ସବୁବେଳେ ସ୍ୱାଗତ କରେ । ମୋର ଆଶା, ଦିନେ ଏହି ଭାବପ୍ରବଣତା ସମଗ୍ର ଦେଶକୁ ଆଲୋଡିତ କରିବ । ତେବେ ସରକାରୀ ଖର୍ଚ୍ଚରେ ସରକାରୀ ଗାଡ଼ି ବ୍ୟକ୍ତିଗତ କାର୍ଯ୍ୟରେ ଲାଗିଲା ବୋଲି ଅପବାଦ ଆଉ କେହି କରିବାକୁ ସାହାସ କରିବେ ନାହିଁ ।’’

 

ଏ ବକ୍ତୃତା ପରେ ଖେଳ ମାଲିକଙ୍କର ଆଉ ପୁଲିସ୍‌ ବା ହାକିମଙ୍କ ଆଡ଼ୁ କୌଣସି ଆଇନଗତ ବାଧା ରହିଲା ନାହିଁ । ଅବଶ୍ୟ ଅଧିକ ପୁଲିସିଆଣୀ ଓ ହାକିମାଣୀ ଆସିଲେ, କଟକର ସବୁ ସରକାରୀ ଗାଡ଼ି ଦିନେ ଦିନେ ଖେଳ ଆଗରେ ଜମା ହେବାର ଦେଖାଗଲା; ଏଥିଯୋଗୁଁ ପ୍ରତିଦିନ ବହୁତଗୁଡ଼ିଏ ସିଟ୍‌ ମାଗଣାରେ ପୂର୍ଣ୍ଣ ହେଲା; କିନ୍ତୁ ସରକାରୀ ଭୟ ଆଉ ରହିଲା ନାହିଁ । ନିଜ ନିଜ ସ୍ତ୍ରୀମାନଙ୍କର ବିନାମୂଲ୍ୟେ ଚିତ୍ତୋବିନୋଦନରେ ବାଧାଦେବାକୁ କେଉଁ ବୁଦ୍ଧିମାନ ପୁରୁଷ ଇଚ୍ଛା କରିବ !

 

ଷଣ୍ଢ ଖେଳରେ ଚିତ୍ତ ବିନୋଦିତ ହେବାରୁ ମହିଳାମାନଙ୍କର ସାଧାରଣ କାର୍ଯ୍ୟରେ ଉତ୍ସାହ ବହୁଗୁଣ ବଢ଼ିଗଲା । ଜଣେ ନିଜର ୧୨ଟି ପିଲାଙ୍କ ହେପାଜତ ଭାର ନିଜ ସ୍ୱାମୀଙ୍କୁ ଦେଇ, ଖେଳ ଜାଗାରେ ଜଳଖିଆ ଦୋକାନ ଖୋଲି, ବ୍ୟବସାୟରେ ସେ ସ୍ତ୍ରୀମାନେ ପଶ୍ଚାତ୍‌ପଦ ନୁହନ୍ତିଁ ତାହା ଦେଖାଇଦେଲେ । ନାରୀସଂଘସଦନରେ ସଭା ହୋଇ ଖବରକାଗଜର ସମ୍ବାଦଦାତା, ସମ୍ପାଦକ ଓ ସହକାରୀ ସମ୍ପାଦକ ଭାବରେ ସ୍ତ୍ରୀଲୋକମାନେ ନିଯୁକ୍ତ ହେବା ସକାଶେ ଦାବୀ ହେଲା । ମହିଳାକଲ୍ୟାଣ ସମିତି ପକ୍ଷରୁ ଗୋଟିଏ ସଭାର ଆୟୋଜନ ହୋଇ, ସେଥିରେ ବାସୁଆ ବକ୍ତୃତା ଦେବାକୁ ମସୁଧା ହୋଇ ଖେଳ-ମାଲିକଙ୍କୁ ଅନୁମତି ସକାଶେ ଅନୁରୋଧ କରାଗଲା । ମାଲିକ ବାଧ୍ୟ ହୋଇ ହଁ କରିଥିଲେ; କିନ୍ତୁ ବହୁଦିନ ହେଲା ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା ଜଣେ ସାହେବ, ସ୍ତ୍ରୀମାନଙ୍କ ସମ୍ପର୍କରେ ଷଣ୍ଢ କହିଥିବା କଥାକୁ ଭଲକରି ପଢ଼ି ଏ ପ୍ରସ୍ତାବର ବିରୋଧ କଲେ । ନାରୀମାନଙ୍କୁ ଷଣ୍ଢ କଥାର ମର୍ମ ବୁଝାଇବାକୁ ଯାଇ ସେ ଭାରି ଅପଦସ୍ଥ ହେଲେ । ମହିଳା କଲ୍ୟାଣ ସମିତିରେ ତାଙ୍କ ଛାଡ଼ପତ୍ର ବିଷୟରେ ଗୋଟାଏ ପ୍ରସ୍ତାବ ପାସ୍‌ ହୋଇ, ଷଣ୍ଢର ବକ୍ତୃତା ଦେବା ମସୁଧା ରଦ୍ କରାଗଲା ।

 

ବାବୁଭାୟାଙ୍କ ନାରୀମାନେ ଷଣ୍ଢ ବିଷୟରେ କଟକର ବାୟୁମଣ୍ଡଳକୁ ଭାରି ସରଗରମ କଲେ । ମହାଦେବଙ୍କ ଉତ୍ପାତରେ ତାହା ପୁର୍ବଠାରୁ ଆହୁରି ଉତ୍ତପ୍ତ ହୋଇଥାଏ । ଲୋକେ କାଠଯୋଡ଼ି ବାଲିରେ ଗାତ ଖୋଳି ଗାଧୋଉଥାନ୍ତି । ପାଣିକଳମାନଙ୍କ ପାଖେ ଏତେ ଭିଡ଼ ଓ ଗୋଳମାଳ ହେଉଥାଏ ଯେ, ପ୍ରତି ପାଣିକଳ ପାଖେ ଦୁଇ ଦୁଇ ଜଣ ପୁଲିସ ଖାଡ଼ା ପହରା ଦେଉଥାନ୍ତି ।

 

ମଫସଲର ଅବସ୍ଥା ଆହୁରି ଭୟଙ୍କର । ଖଦ୍ୟ ଅଭାବରେ ନାନା ପ୍ରକାର ପେଟ ବେମାରିରେ ଲୋକ ମରିବାକୁ ଆରମ୍ଭ କଲେ । ସେଗୁଡ଼ାକ ଅନାହାର ମୃତ୍ୟୁ ନୁହେଁ ବୋଲି ଘନ ଘନ ବାହାରୁଥିବା ସରକାରୀ ବିଜ୍ଞପ୍ତି ନ ଛପାଇଲେ, ଖବରକାଗଜବାଲାଙ୍କୁ ନାନା ପ୍ରକାର ହଇରାଣ କରାଯିବ ବୋଲି ଧମକ ଦିଆହେଉଥାଏ । ଏଣେ ଆସେମ୍ବ୍ଲି ମେମ୍ବରମାନେ ସରକାରଙ୍କୁ ଭାରି ହଇରାଣ କରୁଥାନ୍ତି । ଆସେମ୍ବ୍ଲି ମେମ୍ବରଙ୍କ ସୁପାରିସ ଅନୁସାରେ ପ୍ରତି ଜିଲ୍ଲାରେ କିଣିଖିଆଙ୍କ ପାଇଁ ଚାଉଳ ଦିଆ ହେଉଥାଏ । ଏହା ଫଳରେ ଦରିଦ୍ରଙ୍କର ଖାଲି ଯେ ଢୋକପାଣିର ବ୍ୟବସ୍ଥା ହେଉଥାଏ ତାହା ନୁହେଁ, କେତେକଙ୍କର ବେଶ୍‌ ଦୁଇ ପଇସା ରୋଜଗାର ବି ହେଲା ।

 

ବଜାରରେ ଚାଉଳର ଯାହା ଦର ତା’ର ଅଧାରେ ଦରିଦ୍ରମାନେ ଡିପାରୁ ଚାଉଳ ପାଇଲେ-। ମେମ୍ବର ଓ ଅଫସରଙ୍କୁ ଧରାଧରି କରିବା ଫଳରେ ଯେତିକି ଦରକାର ତହିଁରୁ ଅଧିକା ଚାଉଳ ପାଇବା କେତେକଙ୍କ ପକ୍ଷରେ କଷ୍ଟ ହେଉ ନଥାଏ । ଯେଉଁମାନେ ଏଥିକୁ ନ ପାରିଲେ ସେମାନେ ପେଟ କାଟି କିଛି ଚାଉଳ ବଞ୍ଚାଇ ବେପାରୀଙ୍କ ପାଖେ ପହୁଞ୍ଚାଇଲେ । କିଳାପୋତେଇ ଅତି ଗୁରୁତର ହେବାରୁ ସରକାର ଫଇସଲା କଲେ ଯେ, ଏଥର ଆଉ ଚାଉଳ ଦିଆ ନ ଯାଇ ଭାତ ଦିଆଯିବ । ଯେଉଁମାନଙ୍କର ଅଭାବ, ସେମାନେ ଆସି ଛତ୍ରରେ ଭାତ ଖାଆନ୍ତୁ । ବୁଢ଼ାବୁଢ଼ୀଙ୍କ ପାଇଁ ଭାତ ଘରକୁ ନେବାକୁ ଦିଆଯାଇପାରେ ।

 

ଖବରକାଗଜରେ ଏକଥା ପଢ଼ି ବାସୁଆ ଖେଳବେଳେ କହିଲା, ‘‘ଛତ୍ର ଦେବା କିଛି ନୂଆ କଥା ନୁହେଁ । ନଅଙ୍କ ଦୁର୍ଭିକ୍ଷ ବେଳେ ଇଂରେଜ ସରକାର ଏହିପରି ଛତ୍ର ଦେଇଥିଲେ । ଯେଉଁମାନେ ଛତ୍ରକୁ ଆସିଲେ ସେମାନଙ୍କୁ ଜାତିରେ ବାସନ୍ଦ କରାଗଲା, ‘ଛତରଖିଆ’ ବୋଲି ଗୋଟାଏ ନୂଆ ଜାତି ସୃଷ୍ଟି ହେଲା । ଯେଉଁମାନେ ଏ ଅପମାନ ସହି ନ ପାରିଲେ ସେମାନେ ଖିରସ୍ତାନ ହୋଇଗଲେ । ବହୁ ଲୋକ ଘରେ ପଛେ ଉପାସରେ ମଲେ, ଛତ୍ରକୁ ଆସିଲେ ନାହିଁ । ଆଜି ଆଉ ଜାତିର ସେପରି କଟକଣା ନାହିଁ । ଲୋକେ ହୋଟେଲରେ ଖାଇବାକୁ ସଂକୋଚ ନ କରୁଥିବା ସ୍ଥଳେ, ଛତ୍ରରେ ଖାଇବେ ବୋଲି ଆଶା କରିବାର କଥା । କିନ୍ତୁ ଫଳରେ କ’ଣ ଦେଖାଯାଉଛି । ସରକାର ଯେଉଁ ଦିନଠାରୁ ଚାଉଳ ବାଣ୍ଟିବା ପରିବର୍ତ୍ତେ ଭାତ ବାଣ୍ଟିବା ଆରମ୍ଭ କରିଛନ୍ତି, ସେ ଦିନୁଁ ମାଗିଖିଆଙ୍କ ସଂଖ୍ୟା ଅଧାରୁ କମିଯାଇଛି । ଅଫିସରମାନେ ଏହାର ଅର୍ଥ କରୁଛନ୍ତି ଯେ, ଚାଉଳ ମିଳୁଥିବାରୁ ଅଭାବ ନ ଥିବା ଲୋକେ ବି ଲାଭ ଆଶାରେ ଚାଉଳ ମାଗି ନେଉଥିଲେ; ଭାତ ତ ବିକିପାରିବେ ନାହିଁ, ତେଣୁ ଯାହାର ପ୍ରକୃତ ଅଭାବ କେବଳ ସେହିମାନେ ଆସୁଛନ୍ତି । ଏ ଦେଶର ଲୋକଙ୍କ ପ୍ରକୃତି ଚିହ୍ନି ନ ଥିବାରୁ ଏପରି ଅର୍ଥ ବାହାରୁଛି। ଲୋକେ ଅତି ଦୁରାବସ୍ଥାରେ ନ ପଡ଼ିଲେ ମାଗି ଖାଆନ୍ତି ନାହିଁ । ପ୍ରଥମେ ଜମିବାଡ଼ି, ତା’ ପରେ ବାସନ କୁସନ ପର୍ଯ୍ୟନ୍ତ ସବୁ ବିକନ୍ତି, ସବୁ ସରିଲେ, ଅଧେ ଘରେ ଉପାସରେ ମରିବାକୁ ପସନ୍ଦ କରନ୍ତି, ଆର ଅଧକ ଲାଜ ଛାଡ଼ି ଚାଉଳ ମାଗିବାକୁ ଯାଆନ୍ତି। ଭାତ ବଣ୍ଟା ହେଲା ବେଳକୁ ଏ ଅଧକରୁ ଅଧେ ବା ତହିଁରେ ବେଶୀ ଓହରିଯାଆନ୍ତି । ହାଟୁଆ ଲୋକେ ଯେଡ଼େ ଅସୁବିଧାରେ ପଡ଼ିଲେ ବି ସହଜରେ ଭାତ ମାଗି ଖାଇବେ ନାହିଁ । ଏକଥା ଅଫିସର ସିନା ବୁଝିପାରୁନାହାନ୍ତି, ମନ୍ତ୍ରୀ ଓ ଆସେମ୍ୱ୍ଳି ମେମ୍ୱର ତ ବୁଝୁଥିବେ ।

 

“ସାହାଯ୍ୟ ଚାଉଳରେ କିଳାପୋତେଇ ହେବା କିଛି ବିଚିତ୍ର ନୁହେଁ । କିଳାପୋତେଇ ଏ ଦେଶର ରକ୍ତରେ ମିଶାଯାଇଥିଲା ପରି ଜଣାପଡ଼ୁଛି । ଏ ରାଗ କିନ୍ତୁ ଉପରଆଡ଼ୁ ଆସିଛି । ଆଗ ବଡ଼ ଚାକିରିଆ ଓ ବଡ଼ ବେପାରୀ ଏହା କରୁକରୁ ମଫସଲ ଲୋକେ ଶିଖିଛନ୍ତି । ବର୍ତ୍ତମାନ ବି ବଡ଼ ବଡ଼ ବେପାରୀଙ୍କ ପ୍ରରୋଚନରେ ଛତ୍ର ଚାଉଳରେ କାରବାର ଚାଲିଥିବ । ସାଧାରଣ ଲୋକଙ୍କ ପଡ଼ି ସିନା ବନ୍ଦ କରି ଦିଆଗଲା, ଡିପୋରେ କିଳାପୋତେଇ ନ ହେଉଥିବ ବୋଲି କିଏ କହିବ? ଖନ୍ଦାକୁ ମହଣେ ଚାଉଳ ଦେଇ, ହିସାବରେ ଦୁଇମହଣ ଉଠୁଥିବ; ଭାତ ବଳିଲେ ଉଦ୍ୟୋକ୍ତାମାନଙ୍କ ଗୋରୁଗାଈ ଖାଉଥିବେ । ସୁତରାଂ, ଭାତବଣ୍ଟା ଆରମ୍ଭ କରିବାରୁ ତିନିଆଡ଼ୁ କ୍ଷତି—କିଳାପୋତେଇ ସମୂଳ ବିନାଶ ହୋଇପାରିଲା ନାହିଁ; ଗୁଡ଼ିଏ ଲୋକେ ଓପାସ ରହିଲେ; ଯେଉଁମାନେ ପେଟ ବିକଳରେ ଆସିଲେ ସେମାନେ ସମାଜଠାରୁ ଦଣ୍ଡ ପାଆନ୍ତୁ ବା ନ ପାଆନ୍ତୁ ନିଜ ମନେ ମନେ ଛୋଟ ହୋଇଗଲେ; ସେମାନଙ୍କର ନୈତିକ ଅଧଃପତନ ହେଲା ।

 

“ଶସ୍ତା ଚାଉଳ ଏକାବେଳକେ ବନ୍ଦ କରି ଦେଇ, ଲୋକଙ୍କୁ କାମ ଯୋଗାଇ ଦିଆଯାଉ ଓ ବୁଢ଼ାବୁଢ଼ୀ ଅସମର୍ଥମାନଙ୍କୁ ପଇସା ସାହାଯ୍ୟ ଦିଆଯାଉ, ଉଚିତ ଦରରେ ସେମାନେ ଯେପରି ଚାଉଳ ପାଇପାରିବେ ସେଥିପାଇଁ ଖୋଲା ଖୋଲି ଦିଆଯାଉ ।

 

“ଛତ୍ରରେ ଖାଇଲେ ଲୋକଙ୍କର ଧର୍ମଭାବରେ ଆଞ୍ଚ ଆସିବ । ସେଇ ଧର୍ମଭାବ ଯେଉଁ ପରିମାଣରେ କମିଯାଉଛି, ସମାଜରେ ଅନ୍ୟାୟ ଦୁରାଚାର ସେଇ ପରିମାଣରେ ବଢ଼ୁଛି । ସମସ୍ତଙ୍କ ଘରେ ଚୁଲି ନ ଜଳିଲେ ଘରର ଦିଅଁ ଯେ ଖାଲି ଉପବାସ ରହିଯିବେ ତାହା ନୁହେଁ, ଘରର ବିରାଡ଼ି, ବାଛୁରୀ, ଗାଈ ମଧ୍ୟ ଖାଇବାକୁ ପାଇବେ ନାହିଁ । ଏଇମାନଙ୍କ ପ୍ରତି ନିଜର କର୍ତ୍ତବ୍ୟ କରିବା ଆମ ସଂସ୍କୃତିର ଗୋଟିଏ ବଡ଼ କଥା । ଲୋକଙ୍କୁ ମାଗିଖିଆ କଲେ ଧର୍ମ, ଅର୍ଥ ସବୁଥିରେ ବିକୃତି ଘୋଟିଯିବ ।”

 

ଏକଥା ବେଶୀ ଲୋକ ବୁଝିଲେ ନାହିଁ । ଷଣ୍ଢ ପ୍ରତି ଅନୁରକ୍ତି ଜାତ ହୋଇଥିବାରୁ ଲୋକେ ଧୈର୍ଯ୍ୟ ଧରି ଶୁଣିଲେ ମାତ୍ର । ସମ୍ୱାଦ-ପତ୍ରମାନଙ୍କରେ କିନ୍ତୁ ଏ ବିଷୟରେ ଆଲୋଚନା ଚାଲିଲା । ଏହାଫଳରେ ଅନ୍ନଛତ୍ରରେ ଲୋକଙ୍କ ସଂଖ୍ୟା ଆହୁରି କମିଲା। ଜମିବାଡ଼ି ବିକିବା ସକାଶ ରେଜିଷ୍ଟ୍ରିଖାନାରେ ଭିଡ଼ ବଢ଼ିଲା । ବହୁତ ଲୋକ ମଧ୍ୟ କଲିକତା, କାଳିମାଟି ବାହାରିଲେ । ସରକାର ଏଥିରେ ଆଶ୍ୱସ୍ତ ହେଲେ । ଦୁର୍ଭିକ୍ଷ ସାହାଯ୍ୟ ପାଇଁ ଏକ ଥୋକାରେ ଭାରତ ସରକାରଠାରୁ ଟଙ୍କା ମିଳି ସାରିଥିଲା । ସେ ଧନ ଖର୍ଚ୍ଚ ନ ହେଲେ ରାଜ୍ୟ ସରକାରର ଅନାଟନ ତୁଲାଇବାରେ ବ୍ୟବହାର ହେବ ବୋଲି ଅର୍ଥମନ୍ତ୍ରୀ ଭାରି ଖୁସି ହେଲେ ।

 

ଷଣ୍ଢ କିନ୍ତୁ ଟିପ୍‌ପଣୀ ଚଳାଇଲା । ସେ କହିଲା, “ଲୋକେ ଦେଶ ଛାଡ଼ି ପଳାଇଯିବା ଭଲ ଲକ୍ଷଣ ନୁହେଁ । ଏହାଦ୍ୱାରା ଲୋକଙ୍କର ନିଜ ସରକାର ଉପରେ ଆସ୍ଥା କମି ଯାଉଛି । ବିପତ୍ତି ବେଳ, ରଜାର କଷଟି ପଥର । ଯୁଦ୍ଧବେଳେ, ଆଭ୍ୟନ୍ତରୀଣ ବିପ୍ଳବବେଳେ ଓ ଦୁର୍ଭିକ୍ଷ—ବେଳେ ଯେଉଁ ରାଜା ନିଜ ଲୋକଙ୍କୁ ସମ୍ଭଳି ରଖିପାରେ, ତାହାର ରାଜାପଣ ସାର୍ଥକ ହୁଏ । ସରକାର ଯେଉଁ ଟଙ୍କା ଦୁର୍ଭିକ୍ଷ ସାହାଯ୍ୟ ସକାଶେ ପାଉଛନ୍ତି, ତାକୁ କୁମୁଟି ପରି ଜାକି ନ ଦେଇ, ତାକୁ ମେଲି ଦିଅନ୍ତି-। ସବୁ ଟଙ୍କା ସାହାଯ୍ୟରେ ନ ଦେଇ, ବା ନୂଆ କୂଅ ପୋଖରୀ ଖୋଳାଇବାରେ ଖର୍ଚ୍ଚ ନକରି, ପୁରୁଣା କୂଅ ପୋଖରୀର ମରାମତିରେ ଖର୍ଚ୍ଚ କରାଯାଉ, ମାଟି ସଡ଼କ ମରାମତି ହେଉ । ଯୁବକମାନଙ୍କୁ ନୂଆ ନୂଆ କାମରେ ତାଲିମ କରାଯାଉ, ଗ୍ରାମଲୋକଙ୍କର ଲୁପ୍ତ ବ୍ୟବସାୟୀର ଉନ୍ନତି ବିଧାନ ହେଉ । ମୋଟ ଉପରେ ଗ୍ରାମମାନଙ୍କୁ ସବୁମନ୍ତେ ଉଜ୍ଜୀବିତ କରିବାର ବ୍ୟବସ୍ଥା ହେଉ--ତେବେ ଯାଇ ଲୋକେ ଦୁରାବସ୍ଥାରେ ଭାଜି ପଡ଼ିବେ ନାହିଁ, ସେମାନଙ୍କର ଦିଲ୍‌ ଟାଣ ହେବ-

 

“ଏ ସରକାରର ଗୋଟାଏ ବଡ଼ ଦୋଷ, ସବୁବେଳେ ୟେ ସରକାରୀ ଟଙ୍କା ଉପରେ ନିର୍ଭର କରୁଛନ୍ତି; ଲୋକଙ୍କ ସହଯୋଗ ପାଇଁ ମାମୁଲି ଡକରା ଦେଉଛନ୍ତି, କିନ୍ତୁ ଯେପରି କଲେ ଲୋକେ ବାହାରିବେ, ତାହା କରି ଜାଣୁ ନାହାନ୍ତି । କଂଗ୍ରେସ ମନ୍ତ୍ରୀମାନେ ଆନ୍ଦୋଳନବେଳେ ଯେପରି ରୀତି ଅବଲମ୍ୱନ କରୁଥିଲେ ବର୍ତ୍ତମାନ ମଧ୍ୟ ସେହିପରି ଚାଲିଛି । ସାଧାରଣ ସଭାରେ ଲମ୍ୱ ଲମ୍ୱ ବକ୍ତୃତା ଦେଲେ ସେତେବେଳେ ଚଳୁଥିଲା । ସେତେବେଳେ ମହାତ୍ମାଗାନ୍ଧିଙ୍କ ବିରାଟ ବ୍ୟକ୍ତିତ୍ୱ ସାହାଯ୍ୟ କରୁଥିଲା, ଲୋକଙ୍କ ମନରେ ଯୁଦ୍ଧମନୋବୃତ୍ତି ଦେଖା ଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ସେପରି ଉନ୍ମାଦନା ଆଣିବା ସହଜ ନୁହେଁ । ବର୍ତ୍ତମାନ ଲୋକଙ୍କ ଭିତରେ ଉତ୍ସାହ ଆଣିବାକୁ ଲୋକଙ୍କ ସଙ୍ଗେ ଅଧିକ ଘନିଷ୍ଠ ସମ୍ପର୍କ ରଖିବାକୁ ହେବ । ଲୋକେ ଯେଉଁମାନଙ୍କୁ ପାରମ୍ପରିକ ଭାବେ ମାନନ୍ତି ସେପରି ଲୋକଙ୍କ ସହଯୋଗ ପାଇବାକୁ ଚେଷ୍ଟା କରିବାକୁ ହେବ ।”

 

“ସ୍ୱରାଜ ଆନ୍ଦୋଳନବେଳେ କଂଗ୍ରେସବାଲାମାନେ ସମାଜର ମେଢ଼ିମାନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସେତେବେଳର ସରକାରକୁ ଡରି ଏମାନେ ସେତେବେଳେ କଂଗ୍ରେସବାଲାଙ୍କ ପାଖ ପଶୁ ନ ଥିଲେ । ଆଜି କଂଗ୍ରେସବାଲା ନିଜେ ସରକାର ହୋଇ ମଧ୍ୟ ଏମାନଙ୍କର ସହଯୋଗ ପାଉନାହାନ୍ତି, ଏହା ବଡ଼ ପରିତାପର ବିଷୟ । ଏଥିପାଇଁ ମଧ୍ୟବର୍ତ୍ତୀ ଶ୍ରେଣୀକୁ ଖାଲି ଦୋଷିବା ଠିକ୍‌ ହେବ ନାହିଁ । ଯେଉଁମାନେ ବର୍ତ୍ତମାନ ସରକାର ହୋଇଛନ୍ତି, ସେମାନେ ଏ ଅବସ୍ଥା ପାଇଁ କମ୍‌ ଦାୟୀ ନୁହନ୍ତି ।”

 

“ସେମାନେ ପୂର୍ବେ ଯେତିକିର ଲୋକେ ଥିଲେ ଆଜି ସେତିକିରେ ରହିଛନ୍ତି । ଧନିକ ଶ୍ରେଣୀ, ଜମିଦାର, ମହାଜନ ପ୍ରଭୃତି ଏ ସରକାରକୁ ନିଜର ସରକାର ବୋଲି ନ ଭାବି ସବୁବେଳେ ୟାଙ୍କୁ ସେହି ବିରୋଧୀ ଆନ୍ଦୋଳନକାରୀ ଦୃଷ୍ଟିରେ ଦେଖୁଛନ୍ତି । ଏଣେ ମନ୍ତ୍ରୀମାନଙ୍କ ଉପରେ ଏହି ବିରୋଧର ପ୍ରତିକ୍ରିୟା ଏପରି ପଡ଼ିଛି ଯେ ସେମାନେ ନିଜର ପୂର୍ବ ରୀତି ଛାଡ଼ୁ ନାହାନ୍ତି; ପୂର୍ବେ ଯେଉଁମାନଙ୍କ ସଙ୍ଗେ ଚଳୁଥିଲେ ସେଇମାନଙ୍କ ମେଳରୁ ମନକୁ ଉପରକୁ ଉଠାଇ ପାରୁ ନାହାନ୍ତି; କିନ୍ତୁ ଚାଲିଚଳଣରେ ବଡ଼ଲୋକଙ୍କୁ ଅନୁକରଣ କରୁଛନ୍ତି । କେହି କେହି ତ ନିଜ ପିଲାପିଲିଙ୍କ ଭିତରେ ଆବଦ୍ଧ ହୋଇ ରହିଗଲେଣି, ରାଜନୀତିକ ଆନ୍ଦୋଳନ ଓ ବିପ୍ଳବ ନିଜ ଭାଇ ବନ୍ଧୁ କୁଟୁମ୍ୱଙ୍କ ସାହଚର୍ଯ୍ୟରେ କରିବାକୁ ବସିଛନ୍ତି । ଏପରି ସକୀର୍ଣ୍ଣତାର ସ୍ୱାଭାବିକ ଫଳ ସେମାନଙ୍କୁ ନ ଦିଶିବା ଦୁଃଖର ବିଷୟ ।”

 

“ଏ କଥାର ପ୍ରତିବାଦ କରି କୁହାଯାଉଛି ଯେ, ଧନିକ, ମହାଜନ ଓ ଜମିଦାରଙ୍କର ମନୋବୃତ୍ତି ପ୍ରତିକ୍ରିୟାଶୀଳ, ସେମାନଙ୍କ ସଙ୍ଗେ ସହଯୋଗ ରଖାଯାଇ ନ ପାରେ । ସହଯୋଗର ପରିସର ମନଇଚ୍ଛା କମାଇବାକୁ ବସିଲେ ଏହା କମି କମି ନିଜଠାରେ ସୀମାବଦ୍ଧ ହୋଇଯିବା ସ୍ୱାଭାବିକ । ସେହିପରି ହେଉଛି । ପୂର୍ବେ ଯେଉଁମାନେ ଅନ୍ତରଙ୍ଗ ବନ୍ଧୁ ଥିଲେ, ସେମାନେ ବି ଶତ୍ରୁ ହୋଇଗଲେଣି ।”

 

“ଯେ ଆମକୁ ଭଲ ବୋଲି କହେ, ଆମ ମତ ଗ୍ରହଣ କରେ, ତା’ସଙ୍ଗେ ଚଳିବାରେ ବାହାଦୂରୀ କ’ଣ ? ଯେଉଁମାନେ ବିରୋଧୀ ସେଇମାନଙ୍କୁ ଚଳାଇ ପାରିବାରେ ମନୁଷ୍ୟର ଯୋଗ୍ୟତାର ପରୀକ୍ଷା ହୁଏ । ଆଜିର ଯେ ଧନୀ, ଜମିଦାର, ତାଙ୍କର ଧନ ଓ ଜମିଦାରୀ ଗଲେ, ସେ ତ ତୁମ ସଙ୍ଗେ ସମାନ ହେବେ । ତେଣୁ ଧନ ଓ ଜମିଦାର ବିରୁଦ୍ଧରେ ଆନ୍ଦୋଳନ ଚଳାଇବା ବେଳେ ବି ଆଜିର ଧନୀ ଓ ଜମିଦାରଙ୍କୁ ବ୍ୟକ୍ତିଗତ ଭାବେ ନିଜର କରିବାକୁ ଉଦ୍ୟମ ଦରକାର । ତାହା ନ ହେବାରୁ, ସରକାର ଗୋଟିଏ ଛୋଟ ପରିବାର ବା ଗୋଷ୍ଠୀର ନିଜସ୍ୱ ହୋଇଯିବାରୁ, ଏହାର ପ୍ରଭାବ ବାହାରେ ପଡ଼ୁ ନାହିଁ ଓ ଠିକ ରାସ୍ତାରେ ରାଜ୍ୟ ଚଳୁନାହିଁ । ଗଣତନ୍ତ୍ର ନୀତିରେ କାର୍ଯ୍ୟ ବି ହୋଇପାରୁ ନାହିଁ । ଗଣତନ୍ତ୍ରରେ ବିରୋଧୀ ଦଳ ପ୍ରତି ଯେଉଁ ବିଚାର ଓ ସହୃଦୟତା ଦେଖାଇବାର କଥା ତାହା ତ କଥା ହୋଇ ରହିଛି ।

 

“ସରକାରୀ ଚାକିରିଆମାନେ ଏ ପରିସ୍ଥିତିରୁ ଦୂରରେ ରହିବାକୁ ପାରୁନାହାନ୍ତି । ପୂର୍ବେ ଦୁର୍ଭିକ୍ଷ ବେଳେ, ଯୁଦ୍ଧବେଳେ, ଜଣେ ଜଣେ ସବଡ଼ିଭିଜନ ଅଫିସର ସାଧାରଣ ଲୋକଙ୍କୁ ପ୍ରଭାବିତ କରି ଯେପରି ବେସରକାରୀ ସାହାଯ୍ୟର ବନ୍ଦୋବସ୍ତ କରିପାରୁଥିଲେ, ଆଜି କାହିଁକି ପାରୁ ନାହାନ୍ତି? ଚାକିରିଆଙ୍କ ନିଜ ଅଯୋଗ୍ୟତା କାରଣ ହୋଇପାରେ । କିନ୍ତୁ ଏମାନଙ୍କୁ ଯୋଗ୍ୟ କରିବାର ଦାୟିତ୍ୱ ଯାହାର ସେ ନିଜେ ଯୋଗ୍ୟ କି ନୁହନ୍ତି, ପ୍ରଥମେ ଆତ୍ମପରୀକ୍ଷା କରନ୍ତୁ । ସବୁବେଳେ ସରକାରୀ କଳ ସାହାଯ୍ୟରେ ସବୁ କରିବାକୁ ବସିଲେ, ଲୋକଙ୍କର ହେମତ୍‌ ଲୋପ ହୋଇଯିବ ଓ ସରକାରୀ ପଇସାର ଅପବ୍ୟୟ ହେବ। ‘ସରକାରୀ ସାଧୁ’ ବିନୋବାଙ୍କ ଆନ୍ଦୋଳନ ଓଡ଼ିଶାରେ ବିଫଳ ହେବା ପରେ ସରକାର ଏଥିପ୍ରତି ସଜାଗ ହେବେ ବୋଲି ଆଶା ।”

 

କ୍ରମେ ଷଣ୍ଢର କୁହାଳିଆପଣରେ ଅଚଳ ମହାମେରୁ ସରକାର ବି ଟଳିଲେ । ମନ୍ତ୍ରୀମଣ୍ଡଳରେ ବିଚାର ହୋଇ ସ୍ଥିର ହେଲା: ମ୍ୟୁନିସିପାଲିଟି ଏରିଆରେ ଏପରି ଗୋଟିଏ ପଇସା ଶୋଷିବା ଖେଳ ଏତେଦିନ ଚଳିବାକୁ ଦେବାଦ୍ୱାରା ସହରବାସୀମାନଙ୍କ ପ୍ରତି ଅବିଚାର ହେଉଛି । ଶୀଘ୍ର ତାହା ବନ୍ଦ କରାଇବାକୁ ବ୍ୟବସ୍ଥା ହେଉ । ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏହି ସିଦ୍ଧାନ୍ତକୁ କାର୍ଯ୍ୟକାରୀ କରିବା ପାଇଁ ନୋଟିସ୍‌ ଦେଲେ । ମାଲିକ ଏଥିରେ ହଡ଼ବଡ଼େଇ ଯିବାର କଥା । କିନ୍ତୁ କେତେଜଣ ଓକିଲ ବିନା ପଇସାରେ ଏ ନୋଟିସ ବିରୁଦ୍ଧରେ ମେଣ୍ଟ ବାନ୍ଧିଲେ । ଅତୀତରେ ସର୍କସ ପ୍ରଭୃତିକୁ କେତେଦିନ ଅନୁମତି ଦିଆ ହୋଇଛି ତାହା ଦର୍ଶାଇ ସେମାନେ ଦାବୀ କଲେ, ଏଡ଼େ ଶୀଘ୍ର ଖେଳ ବନ୍ଦ କରା ନ ଯାଉ । ଜିଲା ମାଜିଷ୍ଟ୍ରେଟ ଉପରୁ ପରାମର୍ଶ ନେବାକୁ ତାରିଖ କଲେ । ସହରର ଗୋ-ମଙ୍ଗଳ ସମିତି ଗୋଟାଏ ଅଧିବେଶନ କରି ପ୍ରସ୍ତାବ କଲେ :—

 

“ବାଘ ଓ ଛେଳି ପ୍ରଭୃତି ବାହାରୁଥିବା ସର୍କସକୁ ମ୍ୟୁନିସିପାଲିଟି ଦୁଇ ମାସ ଲେଖାଏଁ ଅନୁମତି ଦେଉଥିବା ସ୍ଥଳେ, ଷଣ୍ଢଖେଳକୁ ମୋଟେ ତେଇଶି ଦିନରେ ବନ୍ଦ କରିବାକୁ ନୋଟିସ କରିବାଦ୍ୱାରା ଗୋ-ଜାତି ପ୍ରତି ଯେଉଁ ଅବମାନନା କରିଛନ୍ତି ତାହାର ଏ ସଭା ଘୋର ପ୍ରତିବାଦ କରୁଛି ।

 

“ଏ ପ୍ରସ୍ତାବରେ ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନ ମନ୍ତ୍ରୀ, ଲୋକସଭାରେ ଥିବା ଓଡ଼ିଶା ମେମ୍ୱରମାନଙ୍କ ପାଖକୁ ପଠାଯାଉ ।”

 

ମାଜିଷ୍ଟ୍ରେଟ ଆଉ ପନ୍ଦର ଦିନ ସମୟ ଦେବାରୁ ଗୋମଙ୍ଗଳ ସମିତିର ଲୋପ୍ରିୟତା ଖୁବ୍‍ ବଢ଼ିଲା । ହଡ଼ା, ବାଂଝ ଓ ବୁଢ଼ୀ ଗାଈଙ୍କ ହତ୍ୟା ବନ୍ଦ କରିବାକୁ ଓଡ଼ିଶା ବ୍ୟବସ୍ଥା ସଭାରେ ଆଇନ୍‌ କରିବା ପାଇଁ ଜଣେ ମେମ୍ୱର ବିଲ ପ୍ରସ୍ତୁତ କରି ଖବରକାଗଜମାନଙ୍କରେ ଆନ୍ଦୋଳନ କରିବାକୁ ଲାଗିଲେ ।

 

ସେତେବେଳକୁ ସରକାରରେ ଘୋର ଆଲୋଡ଼ନ ଲାଗିଥାଏ, ଅନାବୃଷ୍ଟିରୁ ଦେଶକୁ ଉଦ୍ଧାର କରିବା ପାଇଁ କଣ କରାଯିବ। ତିନି ଦିନ ଓ ଦୁଇ ରାତି ଏ ବିଷୟରେ ଘମାଘୋଟ ଆଲୋଚନା ହୋଇ ମନ୍ତ୍ରୀମଣ୍ଡଳ ହୁକୁମ ଦେଲେ, “ଏ ଗୁରୁତର ସମସ୍ୟାର ପ୍ରତିବିଧାନ ସକାଶ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ଟଙ୍କା ପାଣି ପରି ବୋହି ଯାଉ ପଛେ, ପାଣି ଅଭାବରେ ଦେଶର ଲୋକେ ଯେପରି ଅସୁବିଧା ଭୋଗ ନ କରନ୍ତି ସେଥିପାଇଁ ସରକାର ବ୍ୟବସ୍ଥା କରିବେ । ଖାଦ୍ୟ ଅଭାବରେ ଲୋକେ ମରିବେ ନାହିଁ, ଏ ନୀତି ସରକାର ଗ୍ରହଣ କରି ସାରିଛନ୍ତି । କାହାରି କାହାରି ମତରେ ଜଳ ଖାଦ୍ୟ, ଆଉ କାହାରି କାହାରି ମତରେ ଜଳ ଖଦ୍ୟ ନୁହେଁ—ଏ ବିଷୟରେ ମନ୍ତ୍ରୀମଣ୍ଡଳ ବହୁ ବାଦାନୁବାଦ ପରେ ସ୍ଥିର କରିଛନ୍ତି ଯେ, ଜଳକୁ ଖାଦ୍ୟ ବୋଲି ଗ୍ରହଣ କରାଯିବ ସପକ୍ଷରେ ଯୁକ୍ତି ପ୍ରବଳ । ଦୁର୍ବାସା ଅମ୍ୱରୀଶ ଉପାଖ୍ୟାନରେ ପ୍ରାଚୀନ ଭାରତ ଜଳକୁ ଖାଦ୍ୟ ବୋଲି ସ୍ୱୀକାର କରିଛି । ତା ସତ୍ତ୍ୱେ ସବୁ ପ୍ରକାର ସନ୍ଦେହ ମୋଚନ କରିବା ଉଦ୍ଦେଶ୍ୟରେ ଆଜିଠାରୁ ମନ୍ତ୍ରିମଣ୍ଡଳ ସିଦ୍ଧାନ୍ତ କରୁଛନ୍ତି ଯେ, ଖାଦ୍ୟ ଓ ଜଳ ଅଭାବରେ କୌଣସି ଲୋକକୁ ମରିବାକୁ ଦିଆଯିବ ନାହିଁ । ଏହା କିପରି କାର୍ଯ୍ୟରେ କରାଯିବ ତାହା ତିନି ଦିନ ଭିତରେ ସେକ୍ରେଟେରୀମାନଙ୍କର ଗୋଟିଏ ଜରୁରୀ ବୈଠକରେ ସ୍ଥିର କରାଯିବ ।”

 

ତୁରନ୍ତ ସେକ୍ରେଟାରୀମାନଙ୍କର ବୈଠକ ହେଲା । ଚିଫ୍‌ ସେକ୍ରେଟାରୀ ବୈଠକର କାର୍ଯ୍ୟ ଆରମ୍ଭ କରି କହିଲେ, “ବନ୍ଧୁଗଣ! ମନ୍ତ୍ରିମଣ୍ଡଳ ଆମ୍ଭମାନଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବା ସକାଶେ ଆମ୍ଭମାନଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବା ସକାଶ ଆମ୍ଭେମାନେ ନିଶ୍ଚୟ ସମର୍ଥ ହେବା ବୋଲି ମୋର ବିଶ୍ୱାସ । ଏ ବିଷୟରେ ତିନି ଦିନ କାଳ ମନ୍ତ୍ରୀଙ୍କ ବୈଠକରେ ଘମାଘୋଟ ଆଲୋଚନା ହୋଇଥିଲା । ସେମାନେ କୌଣସି ଏକ ପ୍ରସ୍ତାବରେ ଏକମତ ହୋଇପାରିଲେ ନାହିଁ । ଆମର ମଧ୍ୟ ଏଠାରେ ଗୋଟିଏ ମତ ବୋଲି ମୁଁ ଆଶା କରି—ପାରୁନାହିଁ । ସେଥିଯୋଗୁଁ କାର୍ଯ୍ୟରେ ବାଧା ଯେପରି ନ ହେବ ସେଥି ସକାଶେ, ମୁଁ ପ୍ରସ୍ତାବ କରୁଛି ପ୍ରତି ସେକ୍ରେଟାରୀ ତାଙ୍କର ସ୍ୱତନ୍ତ୍ର ମତ ଦିଅନ୍ତୁ । ସେ ସବୁ ମନ୍ତ୍ରିମଣ୍ଡଳକୁ ପଠାଇ ଦିଆଯିବ। ମନ୍ତ୍ରୀମାନେ ଶେଷ ନିଷ୍ପତ୍ତି କରିବେ । ମୁଁ ମନ୍ତ୍ରିମଣ୍ଡଳ ବୈଠକରେ ବସେ ଓ ପ୍ରାୟ ମୋ କଥା ସେଠାରେ ଚୂଡ଼ାନ୍ତ ହୁଏ । ତେଣୁ ମୁଁ ମୋର ମତ ପ୍ରଥମେ କହି—ଦେଲେ ଆପଣମାନେ ନିଜ ନିଜ ମତ ଦେବାକୁ ସଙ୍କୋଚ କରିବେ, ଏଥିପାଇଁ ମୁଁ ମୋର ମତ ପଛକୁ ରଖୁଛି ।”

 

ସେକ୍ରେଟାରୀମାନେ ଏଥିରେ ଟିକିଏ ଇତସ୍ତତଃ ହେଲେ। କିନ୍ତୁ ଜଣେ ଆଗ କହିବାକୁ ବାହାରିବାରେ,ସମସ୍ତ ନିଜ ନିଜ ମତ ଦେବାକୁ ଆବୁଡ଼ା ପଡ଼ିଲେ ।

 

ପ୍ରଥମେ କୃଷି ବିଭାଗ ସେକ୍ରେଟାରୀ କହିଲେ, “ବହୁଦିନ ହେଲା ବର୍ଷା ବନ୍ଦ ହୋଇଯିବାରୁ ପାଣିସ୍ତର ବହୁତ ତଳକୁ ଖସିଗଲାଣି । ଆମ ବିଭାଗରେ ଯେଉଁ ବୋରିଂ (କୂଅଖୋଳା) କଳ ଅଛି ତାହା ବେଶି ଗଭୀରକୁ ଯାଇପାରିବ ନାହିଁ । ଡାଇମଣ୍ଡ ଡ୍ରିଲିଂ ମେସିନ୍‌ ବୋଲି ଯେଉଁ କଳ ଅଛି, ସେଥିରୁ ଅନ୍ତତଃ ୧୩ଟା ଆଣିଲେ, ପ୍ରତି ଜିଲ୍ଲାରେ ଅନ୍ତତଃ-ପକ୍ଷେ ଡଜନେ ଲେଖାଏଁ କୂଅ ଆସନ୍ତା ଛ’ମାସ ଭିତରେ ଖୋଳି ହେବ । ସେହିଠାରେ ଟ୍ରକ ସାହାଯ୍ୟରେ ଚାରିଆଡ଼େ ପାଣି ଯୋଗାଇ ଦିଆଯାଇପାରିବ ।”

 

ପୂର୍ତ୍ତ ବିଭାଗ ସେକ୍ରେଟାରୀ କହିଲେ, “ଏ ପ୍ରସ୍ତାବ ହେଲେ ପୂର୍ତ୍ତ ବିଭାଗର ଦାୟିତ୍ୱ ତୁଲାଇ ପାରିବି ନାହିଁ । ଆମର ସଡ଼କର ପରିମାଣ ଅତି କମ୍‌ । ପାଣି ବୋହିବାକୁ ଏତେ ଯାନ ବି ମିଳିବ ନାହିଁ । ଛ’ମାସ ଭିତରେ ସଡ଼କ ପକାଇବାକୁ ହେଲେ, ମୋର ଆଉ ଜଣେ ଚିଫ ଇଞ୍ଜିନିଅର ଓ ତାଙ୍କୁ ଚାହିଁ ଅନ୍ୟ କର୍ମଚାରୀ ଦରକାର ।”

 

ସେ ମୋଟାମୋଟି ହିସାବ କରି କହିଲେ ଯେ ୫୦କୋଟି ଟଙ୍କା ହେଲେ, ତାହାର ଏକଦଶମାଂଶ କର୍ମଚାରୀ ନିଯୁକ୍ତିରେ ଖର୍ଚ୍ଚ କରି ସେ ବାକୀ ପଇସାରେ ସଡ଼କ ତିଆରି କରାଇବେ-। ଠିକ୍‌ କେତେ ମାଇଲ ସଡ଼କ ହୋଇପାରିବ ତାହା ଏଷ୍ଟିମେଟ୍‌ ନ ହେଲେ କହି ହେବ ନାହିଁ-। ପୁଣି ନୂଆ ଇଞ୍ଜିନିଅର ନିଯୁକ୍ତ ନ ହେଲା ପର୍ଯ୍ୟନ୍ତ, ବର୍ତ୍ତମାନ ଥିବା କର୍ମଚାରୀଙ୍କଦ୍ୱାରା ଏଷ୍ଟିମେଟ୍‌ କରାଇବା ସମ୍ଭବ ହେବ ନାହିଁ ବୋଲି ସେ ଦର୍ଶାଇଲେ ।

 

ଶିଳ୍ପ ବିଭାଗ ସେକ୍ରେଟାରୀ କହିଲେ, “ପୂର୍ବରୁ ଯେଉଁ ପ୍ରସ୍ତାବ ଦିଆ ହେଲା, ତାହା ସମୟସାପେକ୍ଷ । ଏପରି କଲେ ବହୁତ ଟଙ୍କା ବି ବରବାଦ ହୋଇଯିବ । ସବୁଦିନ ତ ବର୍ଷା ନ ହେବ ବୋଲି କୁହାଯାଇ ନ ପାରେ । ବର୍ଷା ହୋଇଗଲେ “ଗହୀର ନଳକୂଅଗୁଡ଼ାକ ଚାଲୁ ରଖିବା ଲାଭଜନକ ହେବ ନାହିଁ । ଗୁଡ଼ାଏ ସଡ଼କ କଲେ ଭବିଷ୍ୟତରେ ସେସବୁ ସରକାର ମରାମତି କରିପାରିବେ ନାହିଁ । ମୁଁ ଯେଉଁ ପ୍ରସ୍ତାବ ଦେଉଛି, ସେଥିରେ କମ୍‌ ଖର୍ଚ୍ଚ ହେବ ଓ ସାଙ୍ଗେ ସାଙ୍ଗେ ସମସ୍ୟାର ସମାଧାନ ହୋଇପାରିବ ।”

 

ସମସ୍ତେ ଉତ୍ସୁକ ହୋଇ ତାଙ୍କ ଆଡ଼କୁ ଚାହିଁ ରହିଲେ । ସେ କହିଲେ, “ଏବେ ଜର୍ମାନୀର ଜଣେ ବୈଜ୍ଞାନିକ ଗୋଟିଏ ବିଚିତ୍ର ଛଙ୍କାଯନ୍ତ୍ର ବାହାର କରିଛନ୍ତି । ସମୁଦ୍ର ପାଣି ସେ ଯନ୍ତ୍ରର ଗୋଟିଏ ପାଖେ ଢାଳିଲେ ଆର ପାଖେ ମଧୁର ପାଣି ବାହାରେ। ଲୁଣ ଛାଣି ହୋଇ ରହିଯାଏ । ଏ ଯନ୍ତ୍ର ଆଣିଲେ ଆମର ଦୁଇଆଡ଼ୁ ଲାଭ—ଲୁଣ ବି ମିଳିବ, ପାଣି ବି ମିଳିବ । ଏପରି ଚାରିଟା ଆଣି ସମୁଦ୍ର କୂଳରେ ଚାରିଟା ବିଭିନ୍ନ ସ୍ଥାନରେ ବସାଯାଇପାରେ । ସେଠାରୁ ପାଇପ ପକାଇ ପ୍ରତି ଜିଲାକୁ ପାଣି ଯୋଗାଇଦିଆଯାଇପାରିବ । ମଫସଲର ପେଣ୍ଠ ଜାଗାକୁ ମଧ୍ୟ ପାଇପ ପକାଇହେବ-। ସଡ଼କ ପକାଇବା ଦରକାର ପଡ଼ିବ ନାହିଁ, କି ଟ୍ରକରେ ପାଣି ବୋହିବାରେ ଅନର୍ଥକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ପାଣିକଷ୍ଟ ଦୂର ହେଲା ପରେ, ଏ ପାଇପଗୁଡ଼ିକୁ ସୋରିଷ, ଧାନ ପ୍ରଭୃତିର ଯାତାୟାତରେ ବ୍ୟବହାର କରାଯାଇପାରିବ କି ନାହିଁ ତାହା ଅନୁସନ୍ଧାନ କରାଯାଇପାରେ-। ତାହା ନ ହେଲେ ମଧ୍ୟ, ପାଇପଗୁଡ଼ିକୁ ଉଠାଇ ଅନ୍ୟତ୍ର ବ୍ୟବହାର କରାଯାଇପାରେ । ଏଗୁଡ଼ିକର ପୁରୁଣା ଦାମ, ନୂଆ ଦାମଠାରୁ ସାମାନ୍ୟ କମିବ।”

 

ଶିଳ୍ପ ବିଭାଗ ସେକ୍ରେଟାରୀ ଚିଫ୍‌ ସେକ୍ରେଟାରୀଙ୍କ ଜ୍ୱାଇଁ । ଚିଫ୍‌ ସେକ୍ରେଟାରୀ, ମଝିରେ ମଝିରେ ସମର୍ଥନ ଜଣାଇ ମୁଣ୍ଡ ଟୁଙ୍ଗାରିବାରୁ ଯେଉଁମାନେ ପ୍ରଥମେ ହସିବା ଆରମ୍ଭ କରିଥିଲେ, ସେମାନେ ଦବିଗଲେ । ଚିଫ୍‌ ସେକ୍ରେଟାରୀ ପାଇପ ଡିପାଟମେଣ୍ଟକୁ ପଚାରିଲେ, କେତେ ସମୟ ଭିତରେ ସବୁ ଜିଲାକୁ ପାଇପ ପଡ଼ିଯାଇପାରିବ ? ଉତ୍ତର ମିଳିଲା, ଯେଉଁ ସଂଖ୍ୟାରେ କର୍ମଚାରୀ ଦରକାର ତାହା ମିଳିଲେ ବର୍ଷକ ଭିତରେ କାମ କରାଇ ହେବ । ପାଇପ ଫିଟ କରି କରିବା ସକାଶେ ଲୋକ ଆମ ରାଜ୍ୟରେ ମିଳିବେ । ଏଠା ଲୋକଙ୍କର କାରିଗରୀ କାର୍ଯ୍ୟରେ ଅଦ୍ଭୁତ ନୈପୁଣ୍ୟ ଅଛି । କିନ୍ତୁ ଏମାନଙ୍କୁ ଚଳାଇବାକୁ ଓ ଏମାନଙ୍କ କାମ ଦେଖିବାକୁ ଓଭରସିଅର ଓ ଇଞ୍ଜିନିୟର ଓଡ଼ିଶାରେ ମିଳିବେ ନାହିଁ । ସେମାନଙ୍କୁ ବଙ୍ଗରୁ ବା ଦକ୍ଷିଣରୁ ଆଣିବାକୁ ହେବ । ସେମାନଙ୍କୁ ଚାକିରିରେ ସ୍ଥାୟୀ ଭାବରେ ନ ରଖିଲେ ସେମାନେ ଆସିବେ ନାହିଁ ।

 

ଜଣେ ବାହାରି କହିଲେ, “ଯେଉଁମାନଙ୍କର କାରିଗରୀ କାର୍ଯ୍ୟରେ ନୈପୁଣ୍ୟ ଅଛି, କାମ କରାଇବାର ଦାୟିତ୍ୱ ସେମାନେ ନେଇ ପାରିବେ । ବର୍ଷକର କାମ ପାଇଁ ଏତେଗୁଡ଼ିଏ ଚାକିରି ସ୍ଥାୟୀ ଭାବରେ ବିଦେଶୀ ଲୋକଙ୍କୁ ଦେବା ଠିକ୍‌ ହେବ ନାହିଁ । ଏପରି କଲେ ଦେଶର ଭବିଷ୍ୟତ ବଂଶଧରମାନେ ଆମକୁ କ୍ଷମା କରିପାରିବେ ନାହିଁ ।”

 

ଚିଫ୍‌ ସେକ୍ରେଟାରୀ ମୁହଁ ବିକୃତ କରି କହିଲେ, “ଶାସନ କାର୍ଯ୍ୟରେ ରାଜନୀତି ପୁରାଇବା ବିରୁଦ୍ଧରେ ମୁଁ ସବୁବେଳେ ମୋ ମତ ସ୍ପଷ୍ଟ ଭାବେ କହେ । ଭବିଷ୍ୟତ ବଂଶଧରଙ୍କ କଥା ଉଠାଇବା ବାସ୍ତବିକ ହାସ୍ୟସ୍ପଦ । ଯଦି ପାଣି ଯୋଗାଇବାରେ ବ୍ୟବସ୍ଥା କରା ନ ଯାଏ, ତେବେ ବର୍ତ୍ତମାନର ଲୋକେ ତ ବଞ୍ଚିବେ ନାହିଁ, ଭବିଷ୍ୟତ ବଂଶଧର ଆସିବେ କୁଆଡ଼ୁ ? ଦେଶର ବିକାଶରେ ଯେଉଁମାନେ ଦେଶୀ ବିଦେଶୀ କଥା ଉଠାଉଛନ୍ତି, ସେମାନେ ନିତାନ୍ତ ଅପରିମାଣଦର୍ଶୀ । ସୌଭାଗ୍ୟର କଥା, ଆମ ମୁଖ୍ୟମନ୍ତ୍ରୀଙ୍କର ବଙ୍ଗ ପ୍ରଭୃତି ରାଜ୍ୟର ମୁଖମନ୍ତ୍ରୀଙ୍କ ପରି ସଂକୀର୍ଣ୍ଣ ପ୍ରାଦେଶିକ ଭାବ ନାହିଁ ।

 

ପ୍ରାଦେଶିକ ଭାବପନ୍ନ ଅଫିସର ବାଧାଦେଇ କହିଲେ, “ଲୋକମତ ତ ପୁଣି ଅଛି । ଆମେ ଯଦି ଭୁଲ କରିବା ତେବେ ଆମ ପାଇଁ ମନ୍ତ୍ରୀମାନେ ଆସନ୍ତା ନିର୍ବାଚନରେ ଦଣ୍ଡ ପାଇବେ । ସେମାନେ ଆମରି ଶକ୍ତିରେ ବିଶ୍ୱାସ କରି ଯେଉଁ ଅନୁଗ୍ରହ ଦେଖାଇଛନ୍ତି, ତାହାର ବଦଳରେ ଆମେ ଯଦି ସେମାନଙ୍କ ହାରିବାର କାରଣ ହେବା, ତେବେ ଆମେ ଭଗବାନଙ୍କ ଠାରେ ଦ୍ରୋହୀ ହେବା ।”

 

ଏକଥା ଶୁଣି ସମସ୍ତେ ବିଦ୍ରୂପରେ ହସିଲେ । ଚିଫ୍‌ ସେକ୍ରେଟାରୀ କହିଲେ, “ଆପଣଙ୍କ କଥା ଶୁଣିବାକୁ ବେଶ୍‌ ମଜାଦାର। କିନ୍ତୁ ଏହା କ୍ଳବ ପାଇଁ ଉପଯୁକ୍ତ, ରାଜ୍ୟ ଶାସକମାନଙ୍କର ମସୁଧା ପାଇଁ ନୁହେଁ । ମୁଁ ଆପଣଙ୍କର ବହୁବାର କହିଛି, ଆପଣ ମନ୍ତ୍ରୀ ହୋଇ ପଡ଼ନ୍ତୁ । ମନ୍ତ୍ରୀମାନେ ଯେ ଆମକୁ ବିଶ୍ୱାସ କରୁଛନ୍ତି, ଏହା ତାଙ୍କ ଅନୁଗ୍ରହ ଯୋଗୁଁ ନୁହେଁ, ଶାସନ କାର୍ଯ୍ୟରେ ସେମାନଙ୍କ ଅପାରଗତା ଯୋଗୁଁ । ଆପଣ ସବୁବେଳେ ଭୁଲିଯା’ନ୍ତି ଯେ ଶାସନ ଓ ରାଜନୀତି ଦୁଇଟି ଅଲଗା ଜିନିଷ । ଏ ଦୁହେଁଙ୍କୁ ଗୋଳିଆ ପୋଳିଆ କଲେ ଚଳିବ ନାହିଁ । ଯଦି ଏ ମନ୍ତ୍ରୀମାନେ ହାରନ୍ତି, ତେବେ ଅପାରଗତା ଯୋଗୁଁ ହାରିବେ, ଆମ ଯୋଗୁଁ ନୁହେଁ । ମନ୍ତ୍ରୀଗାଦି ତ ଖାଲି ପଡ଼ିବ ନାହିଁ । ଯେ ଯିବେ ଯା’ନ୍ତି, ଯେ ଆସିବେ ଆସୁଥାନ୍ତୁ । ଆମ କାର୍ଯ୍ୟକାଳ ସରିବାଯାଏଁ ଆମ ଦେହରେ ତ କେହି ହାତ ଦେଇ ପାରିବେ ନାହିଁ ! ସେ ଯାହା ହେଉ, ବର୍ତ୍ତମାନ ଦେଶର ଗୋଟିଏ ବଡ଼ ସମସ୍ୟା ଆମ ଆଗରେ, ପରେ ଖୁସିଗପ କରିବା ।”

 

ଏହାପରେ ବିଚାରା ଅଫିସରଟି ଓଦା ବିରାଡ଼ିପରି ଚୁପ ମାରି ବସି ରହିବା ସ୍ୱାଭାବିକ । ବଡ଼ ସାହେବ, ଶିଳ୍ପ ବିଭାଗ ସେକ୍ରେଟାରୀଙ୍କୁ ଚାହିଁ କହିଲେ, “ଆଚ୍ଛା, ଜର୍ମାନୀରୁ ସେ ମେସିନ କେତେ ଦିନରେ ଆସିପାରିବ ?”

 

ଶିଳ୍ପ ସେକ୍ରେଟାରୀ କହିଲେ, “ମୁ ଯେତେବେଳେ ଏଥିପୂର୍ବେ ଜର୍ମାନୀ ଯାଇଥିଲି, ସେତେବେଳେ ଜଣେ ବୈଜ୍ଞାନିକ ଡ୍ରେସଡ଼େନଠାରେ ଏ ବିଷୟରେ ଗବେଷଣା କରୁଥିଲେ । ସେ କହୁଥିଲେ, ତାଙ୍କ ଗବେଷଣା ପନ୍ଦର ଅଣା କୃତକାର୍ଯ୍ୟ ହୋଇଛି। କେବଳ ପାଣିରେ ଟିକିଏ ଖାରିଆ ସ୍ୱାଦ ଓ ପେଟ୍ରୋଲ ଗନ୍ଧ ରହିଛି । ଗ୍ରାମ ମଙ୍ଗଳ ବିଭାଗ ସେକ୍ରେଟାରୀ ବର୍ତ୍ତମାନ ଇଂଲଣ୍ଡରେ ଅନୁନ୍ନତ ଜାତିଙ୍କ ମଙ୍ଗଳକର ଶାସନ-ରୀତି ଶିଖୁଛନ୍ତି । ତାଙ୍କୁ କହିଲେ ସେ ଏ ବିଷୟରେ ସବିଶେଷ ଖବର ବୁଝି ଲେଖନ୍ତେ ।”

 

ଚିଫ୍‌ ସେକ୍ରେଟାରୀ ଆପତ୍ତି କଲେ, “ନା ନା, ତାଙ୍କର ଦାୟିତ୍ୱଜ୍ଞାନ ଓ ବିଚାର ଶକ୍ତି ଉପରେ ମୋର ଉଚ୍ଚ ଧାରଣା ନାହିଁ। ଏ ପୁଣି ତାଙ୍କ ବିଭାଗର କାର୍ଯ୍ୟ ନୁହେଁ । ଶିଳ୍ପ ବିଭାଗ ସେକ୍ରେଟାରୀ ନିଜେ ଏରୋପ୍ଳେନରେ ଡ୍ରେସ୍‌ଡେନ୍‌ ଯାଇ ବୁଝି ଆସନ୍ତୁ । ସଙ୍ଗରେ ଶିଳ୍ପ ଡିରେକ୍ଟରଙ୍କୁ ନେବା ମଧ୍ୟ ବିଜ୍ଞତାର କାର୍ଯ୍ୟ ହେବ । ମେସିନ୍‌ ମିଳିଲେ, ତାହା ଶୀଘ୍ର ଆସିବାର ସେ ବ୍ୟବସ୍ଥା କରିବେ। ପାଇପ ପ୍ରତି ଜିଲାକୁ ପକାଇବା ମୁଁ ପସନ୍ଦ କରୁନାହିଁ । ଯେ ବିଭାଗ କାର୍ଯ୍ୟକର୍ତ୍ତା ସେ ମାତପର କାମ କରାଇ ପାରନ୍ତି ନାହିଁ । ସେ ଅତି ନରମା ଲୋକ । ପୁଣି ସୁନ୍ଦରଗଡ଼, ବଲାଙ୍ଗିର ପ୍ରଭୃତି ଜିଲା ସମୁଦ୍ରଠାରୁ ବହୁତ ଦୂର । ମୁଁ ବିଚାରୁଛି ଯେ, ସେ ଜିଲାର ଲୋକଙ୍କୁ ଆଣି ସମୁଦ୍ରକୂଳରେ ଥଇଥାନ କରିଦେଲେ ସବୁଠାରୁ ଭଲ ହେବ । ସେ ବିଷୟରେ ଆମମାନଙ୍କର ଅଭିଜ୍ଞତା ବି ଅଛି। ବଙ୍ଗଳାର ବାସହରାଙ୍କୁ ଆମେ ଯେତେବେଳେ ଆଣିଥିଲେ, ସେତେବେଳେ ବର୍ଷାର ଭୟ ଥିଲା । ପୁଣି ପୂର୍ବ ବଙ୍ଗଳାର ଲୋକଙ୍କର ଜୀବନଯାପନ ରୀତି ଏଠା ଲୋକଙ୍କଠାରୁ ଢେର ଉନ୍ନତ । ସେଥିପାଇଁ ଆମେ ପ୍ରତି ପରିବାରଙ୍କ ପାଇଁ ନଅ ଶହ ଟଙ୍କାରେ ଘର କରୁଥିଲେ । ବର୍ତ୍ତମାନ କେବଳ ସୂର୍ଯ୍ୟତାପରୁ ରକ୍ଷା କରିବା ସକାଶ ତାଳପତ୍ରର ପଲ୍ଲା କରିଦେଲେ ଚଳିବ । ତାଳପତ୍ର ଯଥେଷ୍ଟ ମିଳିବ । ସର୍ବୋଦୟ ସମ୍ମିଳନୀ ବେଳେ ଲାଣ୍ଡୁ ହୋଇଥିବା ଗଛସବୁ ଆମର ଯୋଜନା ଅର୍ଥ ବିଭାଗର ମଞ୍ଜୁରି ପାଉ କଅଁଳି ଯାଇଥିବ ।”

 

ଶିଳ୍ପ ବିଭାଗ ସେକ୍ରେଟାରୀ କହିଲେ, “ବର୍ତ୍ତମାନ ତାଳ ଗଛ ପୋତିଲେ ବି ଆମେ କାର୍ଯ୍ୟ ଆରମ୍ଭ କଲା ବେଳକୁ ତାହାର ପତ୍ର ହୋଇଯାଇଥିବ । କୃଷି ବିଭାଗ ତାଳ ଖୁଁ ଖୁଁ ପୋତିବାର ଗୋଟିଏ ଯୋଜନା କରନ୍ତୁ ।”

 

ଶିକ୍ଷା ବିଭାଗ ସେକ୍ରେଟାରୀ କହିଲେ, “ମୁଁ ଏ ଯୋଜନାଟିକୁ ସ୍ୱାଗତ କରୁଛି । ସୁନ୍ଦରଗଡ଼, ବଲାଙ୍ଗିର ପ୍ରଭୃତି ଜିଲାର ପିଲାମାନେ ସମୁଦ୍ର ଦେଖି ନ ଥିବାରୁ ସେମାନଙ୍କୁ ଭୂଗୋଳ ପଢ଼ାଇବା ବଡ଼ କଷ୍ଟକର ହେଉଛି । ମାଷ୍ଟର ଓ ବାପମାନଙ୍କର ମଧ୍ୟ ବ୍ୟକ୍ତିଗତ ଅଭିଜ୍ଞତା ନାହିଁ । ସେମାନେ ସହଜରେ ଘରୁ ବାହାରିବେ ନାହିଁ ।”

 

ଚିଫ ସେକ୍ରେଟାରୀ ହସି ହସି କହିଲେ, “ସେ କଥାକୁ କିଛି ଚିନ୍ତା ନାହିଁ । ଆମେ ଏ ଯୋଜନା କାର୍ଯ୍ୟକାରୀ କଲାବେଳକୁ ଲୋକେ ଏତେ ପାଣି କଷ୍ଟ ଭୋଗିଥିବେ ଯେ ବାଧ୍ୟ ହୋଇ ଆସିବେ । ଯେଉଁମାନେ ନ ଆସିବେ, ସେମାନଙ୍କ କଥା ପୁଲିସ ବିଭାଗ ବୁଝିବେ । ଯାନବାହାନ ବି ଦରକାର ହେବ ନାହିଁ । ଲୋକେ ପଦଯାତ୍ରା କରି ଆସିବେ । କେବଳ ବିନୋବାଙ୍କ ପାଇଁ ଯେପରି ବ୍ୟବସ୍ଥା ହୋଇଥିଲା, ସେତିକି କଲେ ହେଲା । ସେତେ ବି ପଡ଼ିବ ନାହିଁ । ଦୁଧର ବ୍ୟବସ୍ଥା ନ କରି ଖାଲି ଟ୍ରକ୍‌ରେ ପାଣି ଯୋଗାଇଦେବାକୁ ହେବ ।”

 

ଚିଫ୍‌ ସେକ୍ରେଟାରୀ ଏହା କହି ସମସ୍ତଙ୍କ ଆଡ଼େ ଆଖି ବୁଲେଇଲେ । ସେତେବେଳକୁ ଖାଇବା ବେଳ ହୋଇଯାଇଥାଏ । ନ ହେଇଥିଲେ ବି ବଡ଼ ସାହେବଙ୍କ କଥାରେ କିଏ ପାଟି ଫିଟାନ୍ତା ? ଯେ ଫିଟାଇଥାନ୍ତେ, ସେ ଏ ସଭାରେ ଚଷୁକୁଟା ହେବ ବୋଲି ଆଶଙ୍କା କରି ଆସି ନ ଥାନ୍ତି । ସେ କହିଥାନ୍ତି, “ଭଗବାନଙ୍କୁ ଡାକ, ବର୍ଷା କରାନ୍ତୁ; ଆମେ ଯେଉଁ କାର୍ଯ୍ୟକୁ ନ ପାରିବା, ସେଥିରେ ହାତ ଦେବାଦ୍ୱାରା ଖାଲି ନିଜର ଅଯୋଗ୍ୟତା ପ୍ରମାଣ କରିବା ମାତ୍ର ।”

 

ଏ ସମ୍ପର୍କରେ ସରକାରଙ୍କ ଶେଷ ସିଦ୍ଧାନ୍ତ ହେବା ପରେ, ବାସୁଆ କହିଲା, “ମନ୍ତ୍ରୀମାନେ ଏଇପରି ପରାମର୍ଶ ଦେବା ଲୋକଙ୍କୁ ଦରମା ଦେଉଛନ୍ତି କାହିଁକି ? ଏପରି ଲୋକହିତୈଷୀ ସୁବିଚାରକମାନେ ବିନା ପଇସାରେ, ଖାଲି ଗସ୍ତଖର୍ଚ୍ଚ । କାମ କରିବାକୁ ପଶ୍ଚାତପଦ ହେବେ ନାହିଁ । ଏ ଯୋଜନାକୁ ଆମେରିକା ଓ ଇଂଲଣ୍ଡର ସରକାରମାନେ ସ୍ୱାଗତ କରିବେ । ସେମାନଙ୍କ ଯନ୍ତ୍ରପାତି, ମଟର ଓ ବିଶାରଦମାନଙ୍କୁ ଲୋକହିତ କରିବାରେ ବିଶେଷ ସୁବିଧା ମିଳିବ । ବଙ୍ଗଳାର ଲୋକଙ୍କୁ ଥଇଥାନ କରିବାରେ ସରକାର ଯେଉଁ କୃତିତ୍ୱ ଦେଖାଇଛନ୍ତି, ତାହାର ପୁନରାବୃତ୍ତି ହେଲେ, ଦେଶରେ ଲୋକ ସଂଖ୍ୟା ବଢ଼ିବାରୁ ଯେଉଁ ସମସ୍ୟା ଉପୁଜୁଛି ତାହାର ସମାଧାନ ହୋଇଯିବ ! କିନ୍ତୁ ଏତେ ଅଧ୍ୟବସାୟର ପ୍ରୟୋଜନ କଣ ? ଯେଉଁ କଥା ନଖରେ ଛିଣ୍ଡିଯିବ, ତା’ ପାଇଁ କୁରାଢ଼ି କଟୁରିର କି ପ୍ରୟୋଜନ ? ଦେବଦେବ କାଳରୁଦ୍ରମଣି । ସେ ରାଗିଯାଇଥିବାରୁ ସିନା ବର୍ଷା ହେଉନାହିଁ । ତାଙ୍କୁ ସନ୍ତୁଷ୍ଟ କର ।”

 

ଏକଥା ଶୁଣି ଧାର୍ମିକ ଲୋକେ ଉତ୍ସାହିତ ହେଲେ । ବିଭିନ୍ନ ସ୍ଥାନରେ ଯାଗଯଜ୍ଞ ଆରମ୍ଭ ହେଲା । ମହାଦେବ ମନ୍ଦିରରେ ପାଣି ଅଭାବରେ ଜଳଶାୟୀ ହୋଇ ନ ପାରିଲେ ବି ମହାଦେବଙ୍କ ମୁଣ୍ଡରେ ଲହୁଣୀ ଓ ନବାତ ଘଷା ହେଲା । ରାଜ୍ୟରେ ଗାଈଦୁଧ ଦେଉ ନଥିବାରୁ, ବିଲାତିରୁ ଆସିଥିବା ଲହୁଣୀ ବ୍ୟବହାର ହେବାର ପୁରୁଣାକାଳିଆ ଲୋକେ କୁନ୍ଥୁ କୁନ୍ଥୁ ହେଉଥିଲେ । କିନ୍ତୁ ଦେଶ ଓ କଳାର ବିଚାରରେ ଆମ ରାତିନୀତି ପରିବର୍ତ୍ତନ ହେବା ଉଚିତ ବୋଲି ବୁଝାଇ ଦେବାରେ ସେମାନେ ତୁନୀ ହୋଇଗଲେ । ବିନୋବାଜୀ ଯାଗଯଜ୍ଞ ପସନ୍ଦ କଲେ, ତାଙ୍କ ଯୋଗୁଁ ମନ୍ତ୍ରୀମଣ୍ଡଳ, ମନ୍ତ୍ରୀମଣ୍ଡଳ, ଯୋଗୁଁ ଆସେମ୍ଲିମେମ୍ୱରମାନେ ଧର୍ମପରାୟଣ ହୋଇ ବ୍ୟକ୍ତିଗତ ଭାବରେ ଭାବରେ ଚାନ୍ଦା ଦେଲେ । ଜବାହରଲାଲ ଓ ଗୋବିନ୍ଦବଲ୍ଲଭ ପନ୍ଥଙ୍କର ମତ ବିଷୟରେ ସନ୍ଦେହ ଥିବାରୁ ସରକାରୀ ଭାବରେ ଚିହ୍ନାପଡ଼ି ସାହାଯ୍ୟ ଦିଆହୋଇ ପାରିଲା ନାହିଁ । ଲୋକେ ଏଥିରେ ମାତିଯିବାରୁ ଚାରିଆଡ଼େ ଯଜ୍ଞଧୂଆଁ ଉଠିଲା । ଯାଜ୍ଞିକ ବ୍ରାହ୍ମଣ ଯଥେଷ୍ଟ ସଂଖ୍ୟାରେ ନ ମିଳିବାରୁ ଯୁକ୍ତପ୍ରଦେଶ ଓ ମହାରାଷ୍ଟ୍ରରୁ ପାଞ୍ଚହଜାର ବ୍ରାହ୍ମଣ ପଣ୍ଡିତ ଆମଦାନୀ କରାଗଲେ ।

 

ଷଣ୍ଢ ଟିପପଣୀ ଆରମ୍ଭ କଲା, “ବାୟା ପରି ହୋମ କରିବା, ପାଇପ୍‌ ପକା ଯଜ୍ଞ, ଥଇଥାନ ଯଜ୍ଞ, ଲୁଣି ପାଣି ଛଣା ଯଜ୍ଞଠାରୁ କମ୍ ଉପକାର କରିବ ନାହିଁ । କିନ୍ତୁ ଗୋରୁ ମାରି ଜୋତା ଦାନ କଲେ ଯେତିକି ପୁଣ୍ୟ ହୁଏ, ଏ ଧର୍ମ କାର୍ଯ୍ୟରେ ତହିଁରୁ ବେଶୀ ଫଳ ହେବ ନାହିଁ । ମୋତେ ଏଠାରେ ଅଟକ କରି ରଖିଥିବାରୁ ଭୋଳାନାଥ ଚିଡ଼ିଯାଇ ବର୍ଷା ବନ୍ଦ କରିଛନ୍ତି, ଘର ଓ ଜଙ୍ଗଲ ପୋଡ଼ୁଛନ୍ତି । ମୋତେ ମୁକ୍ତ କର, ସେ ଶାନ୍ତ ହୁଅନ୍ତୁ । ଆଶୁତୋଷ ସାଙ୍ଗେ ସାଙ୍ଗେ ବର୍ଷା କରାଇଦେବେ ।”

 

ସେଇ ରାତିରେ ନୂଆ ସଡ଼କରେ ବେପାରୀମାନଙ୍କର ସଭା ହେଉଥିଲା ଓ ନାରୀ ସଂଘ ସଦନରେ ରୋଟାରୀ କ୍ଳବର ସଭା ହେଉଥିଲା । ରୋଟାରୀ କ୍ଳବରେ ଆମେରିକାରୁ ଫେରିଥିବା ଜଣେ ପାଣିପାଗ ଅଫିସର ବରଫ ବିଞ୍ଚି ବର୍ଷା କରାଇବା ବିଷୟରେ ବକ୍ତୃତା ଦେଉଥିଲେ । ବିଲରେ ବର୍ଷା କରାଇବାକୁ ମେଘରେ ବରଫ ସିଞ୍ଚୁ ସିଞ୍ଚୁ, ବର୍ଷାଟା ଯଦି ସମୁଦ୍ରବାଲିରେ ବା ପଡ଼ିଆ ଓ ଜଙ୍ଗଲରେ ହୁଏ, ତେବେ କ’ଣ ହେବ, ସେ ବିଷୟରେ ସେ ଯଥାଯଥ ଉତ୍ତର ଦେଇପାରିଲେ ନାହିଁ-। ବେପାରୀମାନେ ବିକ୍ରୀ ଟିକସରୁ ଉଦ୍ଧାର ପାଇବା ପାଇଁ ଉପାୟ ପାଞ୍ଚୁ ପାଞ୍ଚୁ ସ୍ଥିର କଲେ, ମହାଦେବଙ୍କୁ ଖୋଜି ପୁଣ୍ୟ ଅର୍ଜନ କରିବେ; ମହାଦେବ ଖୁସି ହେଲେ ବିକ୍ରୀ ଟିକସରୁ ଉଦ୍ଧାର ମିଳିବାର ଆଶା । ବେପାର ତ ଆଶାର ଫନ୍ଦା । ସାଙ୍ଗେ ସାଙ୍ଗେ ଚାନ୍ଦା ଆଦାୟ ହୋଇଗଲା । କଲିକତାରୁ ଗୋଟିଏ ଉଡ଼ାଜାହାଜ ଆସିଲା, ଷଣ୍ଢଖେଳ ମାଲିକଙ୍କ ଉପରେ ଗୁଡ଼ାଏ ଆମୋଦକାରୀ ଦାବୀ ଥିବାରୁ ସେ ଷଣ୍ଢକୁ ମୁକୁଳାଇବାକୁ ମଧ୍ୟ ପଛେଇଲେ ନାହିଁ । ଷଣ୍ଢକୁ ଧରି ଏରୋପ୍ଳେନ୍‌ ଯୋଗେ ପାଞ୍ଚ ଜଣ ବେପାରୀ ପ୍ରତିନିଧ ଓଡ଼ିଶା ଭ୍ରମଣରେ ବାହାରିଲେ । ବାସୁଆ ଉଡ଼ାଜାହାଜରୁ ମହାଦେବଙ୍କ ସକାଶ ଆଖି ବୁଲାଉଥାଏ । ପ୍ରତିନିଧିମାନେ ବାଲୁବଜାରରୁ ନେଇଥିବା ଭୁଲ ଛପା ଶିବମହିମ୍ନ ସ୍ତୋତ୍ର ବହି ଆବୃତ୍ତି କରୁଥାନ୍ତି, ପ୍ରକାଶକର ନାମଠାରୁ ଛାପାଖାନା ନାମ ପର୍ଯ୍ୟନ୍ତ ।

 

ଖବରକାଗଜବାଲାଙ୍କ ଅନୁଗ୍ରହରୁ ଷଣ୍ଢର ଗସ୍ତ ନିର୍ଘଣ୍ଟ କାଗଜରେ ବାହାରିଥାଏ । ଢେଙ୍କାନାଳ ଗଡ଼ ପାଖେ ଗୋଟିଏ ପଡ଼ିଆରେ ଉଡ଼ାଜାହାଜ ପ୍ରଥମେ ଓହ୍ଲାଇଲାବେଳକୁ ହଜାର ହଜାର ଲୋକ କଥାକୁହା ଷଣ୍ଢ ଦେଖିବାକୁ ଆସି ପହଞ୍ଚନ୍ତି । ଷଣ୍ଢକୁ ଢେଙ୍କାନାଳ ଗଡ଼କୁ ନେବା ସକାଶ ଗୋଟିଏ ଟ୍ରକ୍‌ ସଜା ହୋଇଥାଏ । କିନ୍ତୁ ଲୋକେ ମଟର ଓ ଟକ୍ରକୁ ରାସ୍ତା ଛାଡ଼ିଲେ ନାହିଁ; ଦାବୀ କଲେ,“ଷଣ୍ଢ ଦି’ପଦ ଆଗ କୁହ ।” ବାସୁଆ କହିଲା, “ଭାଇ ଓ ଭଉଣୀମାନେ ! ବର୍ତ୍ତମାନ କଥାର ବେଳ ନୁହେଁ, କାମର ବେଳ । ତମ ରାଜ୍ୟରେ ବର୍ତ୍ତମାନ ସମସ୍ତେ କଥା କହିବାରେ ମାତିଛନ୍ତି । କଥା ଶୁଣିବାର ପ୍ରବୃତ୍ତି ଯୋଗୁଁ ମୋତେ ମଧ୍ୟ ଧରି ବାନ୍ଧି ବହୁତ କୁହାଇଲେ । ସେଇ କଥାକୁହାରୁ ଏବେ ବିପତ୍ତି ପଡ଼ିଛି । ମୋତେ ଆଉ କହିବାକୁ ବଳାଅ ନାହିଁ । ମୁଁ ଯେଉଁ କାର୍ଯ୍ୟରେ ଆସିଛି ସେଥିକୁ ଛାଡ଼ିଦିଅ ।”

 

ଲୋକେ ବାଟ କରିଦେଲେ; କିନ୍ତୁ ରୋଷଣୀ ଯାଇ ଜିଲା ମାଜିଷ୍ଟ୍ରେଟଙ୍କ ଦୁଆରେ ପହଞ୍ଚିଲା ବେଳକୁ ସେଠାରେ ବି ସେଇ ଦାବୀ ହେଲା । କଥା ଶୁଣିବାକୁ ଉତ୍ସୁକ ଥିବା ଜନତାର ନେତୃତ୍ୱ ନେଇଥିଲେ ଜିଲା ମାଜିଷ୍ଟ୍ରେଟଙ୍କ ସହଧର୍ମିଣୀ । ଏଠାରେ ସେ କିଛି ନ କହିଲେ, ଜିଲା ସାହେବଙ୍କ ସଙ୍ଗେ ସାକ୍ଷାତ ହେବାରେ, ବିଳମ୍ୱ ହେବ ଜାଣି ଷଣ୍ଢ ଦି’ପଦ କହିଲା । ଜିଲା ମାଜିଷ୍ଟ୍ରେଟ୍‌ ବୈଠକଖାନା ଦୁଆରେ ବସି ଷଣ୍ଢ ଯାତ୍ରୀଙ୍କ ନେତାଙ୍କୁ ଦେଖା କରିବାର କାରଣ ପଚାରିଲେ । ସେ କହିଲେ, “ହଜୁର! ଶ୍ରୀ ମହାଦେବ ଆପଣଙ୍କ ଜିଲାରେ ଗ୍ରସ୍ତ କରୁଛନ୍ତି କି ବୁଝିବାକୁ ଆମ୍ଭେମାନେ ଆସିଛୁ ।”

 

ସାହେବ ଅଫିସ ଭିତରକୁ ଯାଇ କଚେରୀରେ ସଂପୃକ୍ତ କିରାନିଙ୍କ ପାଖକୁ ଟେଲିଫୋନ୍‌ କଲେ, “ଗସ୍ତ ପ୍ରୋଗ୍ରାମ୍‌ ଫାଇଲ୍ ଧରି ଶୀଘ୍ର ଆସ ।”

 

ଫାଇଲି ଆସିବାରେ, ସେ କାଗଜ ଲେଉଟାଉ କହିଲେ, “କାହିଁ, ଶ୍ରୀ ମହାଦେବଙ୍କ ନାମ ତ ଦେଖୁ ନାହିଁ ? ନବବାବୁ, ସୁନାରାମ ବାବୁ, କୃପାନିଧି ବାବୁ, ରାଜମାତା ସାହେବା, ଡେଭେଲପ୍‌ମେଣ୍ଟ କମିସନର, ରେଭିନ୍ୟୁ ବୋର୍ଡ଼ ମେମ୍ୱରଙ୍କର ପ୍ରୋଗ୍ରାମ ଦେଖୁଛି, ଆଉ କେହି ତ ଆସିବାର ଜଣା ଯାଉ ନାହିଁ !”

 

ଷଣ୍ଢ-ଦଳପତି କହିଲେ, “ଆଜ୍ଞା, ଶ୍ରୀ ମହାଦେବ, ମନ୍ତ୍ରୀ ନୁହନ୍ତି କି ହାକିମ ନୁହନ୍ତି । ସେ ଗସ୍ତ ପ୍ରୋଗ୍ରାମ୍ ନ ଦେଇ ଖାଲି ଆସନ୍ତି ?”

 

ଜିଲା ହାକିମ—ପ୍ରୋଗ୍ରାମ ନ ଦେଇ ଯେଉଁ ମନ୍ତ୍ରୀ ଓ ଅଫିସର ଆସନ୍ତି ସେ ତ ସିଧା ସିଧା ଏ ଦୁଆରକୁ ଆସନ୍ତି; ତେଣୁ ପ୍ରୋଗ୍ରାମ ଦେବା ନ ଦେବାରେ କିଛି ଯାଏ ଆସେ ନାହିଁ । କିନ୍ତୁ ଶ୍ରୀ ମହାଦେବ ଯଦି ମନ୍ତ୍ରୀ ନୁହନ୍ତି କି ହାକିମ ନୁହନ୍ତି, ତେବେ ସେମାନଙ୍କ ଆସିବା ନ ଆସିବାରେ ମୋର କ’ଣ ଯାଏ ଆସେ ? ଯାଅ, ବଜାରରେ ପଚାର ।

 

ବାସୁଆ ହାକିମଙ୍କ ଆଡ଼କୁ ଟିକିଏ ଆଗେଇ ଯାଇ କହିଲା, “ଆଜ୍ଞା, ଆପଣ ଯେତେବେଳେ ଏ ଜିଲାର ମାଲିକ, କିଏ ଆସିଲା ନ ଆସିଲା, ସେ ଖବର ତ ଆପଣଙ୍କ ପାଖେ ନିଶ୍ଚୟ ଥିବ !”

 

ହାକିମ ଟିକିଏ ବିରକ୍ତିରେ ବାସୁଆ ଆଡ଼କୁ ଚାହିଁ କହିଲେ, “ଆଉ ମୋ ସମୟ ନଷ୍ଟ କରୁଛି କାହିଁକି ? କିଏ ଆସିଲା ନ ଆସିଲା ସେ ଖବର ମୋ ପାଖରେ ଥାଇ ପାରେ, କିନ୍ତୁ ମୁଁ ସେଥିରେ ମୁଣ୍ଡ ଘୂରାଇବି କାହିଁକି ? ଯଦି ମହାଦେବ ଜଣେ ଦାଗୀ ବା ରାଜନୀତିକ କର୍ମୀ ତେବେ ପୁଲିସ ଓ ସି.ଆଇ.ଡ଼ି. ଠାରୁ ଖବର ମିଳିବ । ଯଦି ସେ ତାହା ମଧ୍ୟ ନୁହନ୍ତି, ତେବେ ବଜାରରେ ତଲାସ କର । ମନ୍ତ୍ରୀ ଓ ହାକିମଙ୍କ ଗ୍ରସ୍ତ ଖବର ରଖିଲେ ଆମର କାମ ସରିଲା । ସେମାନଙ୍କର ଟିକିଏ ଭଲ ହେପାଜତ୍‌ କଲେ ଆମକୁ ସେକ୍ରେଟାରୀଏଟରେ କାମ ଖଣ୍ଡେ ମିଳିଯାଇପାରେ । ଯେଉଁ ରାଜନୀତିକ କର୍ମୀଙ୍କ ସି.ଆଇ.ଡ଼ି. ଲାଗିଛନ୍ତି ସେମାନଙ୍କଦ୍ୱାରା ବରଂ ଆମର ଲାଭ, କିନ୍ତୁ ମହାଦେବ ଆମର କ’ଣ କରିପାରିବେ ? ତାଙ୍କର କାମ କଣ ?”

 

ବାସୁଆ—ଆଜ୍ଞା, ଏ ଯେଉଁ ମରୁଡ଼ି ହୋଇଛି, ଏହା ତାଙ୍କରି ଯୋଗୁଁ ହୋଇଛି । ସେ ମିଳିଲେ, ମରୁଡ଼ି ଦୂର ହେବ ବୋଲି ଆମେ ଆଶା କରୁଛୁ ।

 

ହାକିମ—ଓଃ, ତୁମେ ତେବେ କ’ଣ ପବିତ୍ର ବାବୁଙ୍କ ମହାଦେବ ବୋଲି କହୁଛ । ମୁଁ ତ ଜାଣିବାରେ ବର୍ତ୍ତମାନ ଯେଉଁ ମରୁଡ଼ି ହୋଇଛି, ତାହା ଆମ ଆସେମ୍ଲିମେମ୍ୱର ପବିତ୍ର ବାବୁଙ୍କର କାମ । ଏହା ମନୁଷ୍ୟ-କୃତ ମରୁଡ଼ି ।

 

ବାସୁଆ ବୁଝି ନ ପାରି ପଚାରିଲା, “ଆଜ୍ଞା, ଏ ପବିତ୍ର ବାବୁ କିଏ ? ୟାଙ୍କର କ’ଣ ଐଶୀ ଶକ୍ତି ଅଛି, ମରୁଡ଼ି କରିବାକୁ ?”

 

ହାକିମ ଚିଡ଼ିଯାଇ କହିଲେ, “ହଁ, ତାଙ୍କର ଏଇସି ଶକ୍ତି ଅଛି । ମରୁଡ଼ି ତ ହୋଇଛି । ଲୋକେ ତାଙ୍କ କପାଳକୁ ଆଦରି ରହନ୍ତେ । ଏଇ ମହାଶୟଙ୍କ ଯୋଗୁଁ ମରୁଡ଼ି ହୋଇଛି, ମରୁଡ଼ି ହୋଇଛି, ବୋଲି ଚାରିଆଡ଼େ ହଲା ଲାଗି ଲୋକଙ୍କର ନୈତିକ ବଳ ଭାଙ୍ଗିଯାଉଛି । ମନ୍ତ୍ରୀଙ୍କର ମଧ୍ୟ ନୈତିକ ବଳ ଭାଙ୍ଗିଗଲାଣି, ପ୍ରତିଦିନ ଖାଲି ସାହାଯ୍ୟ ପଠାଇବାରେ ଲାଗିଛନ୍ତି । ମରୁଡ଼ିକି ପୁଣି ସାହାଯ୍ୟ କ’ଣ ? ଯେତେ ଦେଉଥିବ, ସେତେ ମାଗିବେ । ମୁଁ ଏ ଗୁଡ଼ାକରେ ବିବ୍ରତ ହେବାର ଲୋକ ନୁହେଁ । ଆମର ବହୁତ ଟଙ୍କା ବଣ୍ଟା ନ ହୋଇ ରହିଛି । ତୁମେ ସବୁ ଯାଅ । ମୁଁ ଯୋଗାଡ଼ କରିଛି, ଭୁବନେଶ୍ୱରକୁ ଟ୍ରାନ୍‌ସଫର ପାଇଁ । ଆଜି ଡାକରେ ଅର୍ଡ଼ର ଆସିବାର କଥା ।”

 

ଷଣ୍ଢ ପୁଣି ଉଡ଼ାଜାହାଜ ପଡ଼ିଆ ଗଲା । ଉଡ଼ାଜାହାଜ ଉଠି ଢେଙ୍କାନାଳରୁ ତାଳଚେର,, ସେଠାରୁ ପାଲଲହଡ଼ା, ଆଠମଲ୍ଲିକ ହୋଇ ରେଢ଼ାଖୋ ନିକଟରେ ଗୋଟିଏ ପଡ଼ିଆରେ ଓହ୍ଲାଇଲା-। ବାଟରେ ବହୁତ ଜଙ୍ଗଲ ପୋଡ଼ିଯାଇଥିବାର ଦେଖାଗଲା । ଲୋକେ ପାଣି ପାଇଁ ଡହଳବିକଳ ହେଉଥାନ୍ତି । ତଳୁଆ କରି ଉଡ଼ାଜାହାଜ ଚଳାଇବାରେ ବାସୁଆ ଦେଖିଲା, ଗାଈ ମଇଁଷି ଦେହରେ କାଦୁଅଲାଗି, ସେମାନେ ମାଟି ସଙ୍ଗେ ମିଶିଗଲା ପରି ଦିଶୁଥାନ୍ତି । ଶୁଖିଲା ଗଛରେ ଛାଇ ବ୍ୟତୀତ ଜୀବଜନ୍ତୁଙ୍କର ଆଉ କିଛି ଆଶ୍ରା ନ ଥାଏ ।

 

ରେଢ଼ାଖୋଲରେ ଯେଉଁ ଜାଗାରେ ଉଡ଼ାଜାହାଜ ଓହ୍ଲାଇଲା ସେଠାରେ ଖାଲି ଗୁଡ଼ିଏ ଆଦିବାସୀ ଲୋକ । ସରକାରୀ ଲୋକ କେହି ଖବର ପାଇ ନ ଥାନ୍ତି । ଉଡ଼ାଜାହାଜ ଦେଖି ଲୋକେ ଛିନ୍‌ଛତ୍ର ହୋଇ ପଳାଇଲେ; ପ୍ରାୟ ମାଇଲିଏ ଦୂରରେ ଜମା ହୋଇ ଏକ ଲୟରେ ଉଡ଼ାଜାହାଜ ଆଡ଼କୁ ଚାହିଁଥାନ୍ତି । ଉଡ଼ାଜାହାଜରୁ ଗୋଟିଏ ଷଣ୍ଢ ଓହ୍ଲାଇବାର ଦେଖି ସେମାନଙ୍କର ଟିକିଏ ସାହସ ହେଲା । ଷଣ୍ଢ ସେମାନଙ୍କର ସଙ୍ଗେ କଥାବାର୍ତ୍ତା ହେବାର ଦେଖି ଆଉ ଲୋକ ଆସି ପହଞ୍ଚିଲେ—ସ୍ତ୍ରୀ ପିଲା ହୋଇ ସର୍ବମୋଟ ପ୍ରାୟ ପାଞ୍ଚ ଶହ ଲୋକ । ସେମାନଙ୍କ ଭିତରୁ ବଡ଼ ବୁଢ଼ା ବୁଢ଼ୀ ଷଣ୍ଢକୁ ବିଷ୍ଣୁ କରୁଥାନ୍ତି, ଷଣ୍ଢ ଲାଙ୍ଗୁଡ଼ରେ ମା’ମାନେ ସାନ ପିଲାଙ୍କୁ ଝାଡ଼ିଦେଉଥାନ୍ତି । କିଏ କିମିତି ଶୁଖିଲା ଘାସ କାଟିଆଣି ତା’ ଆଗରେ ପକାଇଦେଲେ । ବାସୁଆ ନ ଖାଇବାରୁ ଜଣେ ଲୋକ ନିଜ ଘରକୁ ଯାଇ, ହାଣ୍ଡି ତଳେ ଲାଗିଥିବା ତୋଡ଼ାଣି ମୁନ୍ଦିଏ ଗୋଟିଏ ପଥୁରିରେ ଆଣି ତା’ ଆଗରେ ଥୋଇଲା ।

 

ଷଣ୍ଢ କହିଲା, “ଭାଇ ! ସେ ତୋରାଣି ମୁନ୍ଦିକ ତମେ ତମ ପିଲାଙ୍କୁ ଦିଅ । ତମର ଯେଉଁ ଅବସ୍ଥା ସେଥିରେ ତୁମଠାରୁ କିଛି ଗ୍ରହଣ କରିବାକୁ ମୋତେ ସୁଖ ଲାଗୁନାହିଁ । ନିତାନ୍ତ ଯଦି କିଛି ନ ଦେଲେ ତୁମ ମନରେ କଷ୍ଟ ହେବ, ତେବେ ସେଥିରୁ ଟିକିଏ ମୋତେ ହାତରେ ଦିଅ ।”

 

ସେହିପରି ହେଲା; ବଳିଥିବା ତୋରାଣି ମୁନ୍ଦିକ ସମସ୍ତେ ଟିକିଏ ଟିକିଏ ପ୍ରସାଦ ପାଇ ଖୁବ୍‌ ତୃପ୍ତି ପାଇଲେ । ଷଣ୍ଢ କହିଲା, “ତମେ ବିଚାରୁଥିବା ମୋ ପ୍ରସାଦ ବୋଲି ତୁମକୁ ଆରାମ ଲାଗିଲା । ସେ ଭୁଲ । ଯେଉଁ ଲୋକଟି ତୋରାଣି ମୁନ୍ଦିକ ଦେଲା, ତାହା ତାହାର ସର୍ବସ୍ୱ । ସେ ଏଡ଼େ ସ୍ୱଚ୍ଛରେ ଦେଲା ବୋଲି ସମସ୍ତଙ୍କୁ ତୃପ୍ତି ଲାଗିଲା । ମୁଁ ଏତେ ଦିନ ଏ ରାଜ୍ୟରେ ରହିଲାଣି, କିନ୍ତୁ ଆଜି ଯେଉଁ ମମତା ତୁମ୍ଭମାନଙ୍କଠାରେ ଦେଖିଲି ତା’ ଆଉ କାହାଠାରେ ଦେଖିନାହିଁ । ସହରର ବଡ଼ଲୋକେ ତ ଏକାବେଳେକେ ନିର୍ମମ । ସେଠାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ସମସ୍ତ ଚଣ୍ଡାଳ ପରି ଆଚରଣ ଦେଖାଉଛନ୍ତି । ତୁମ୍ଭମାନଙ୍କୁ ସେମାନେ ଚଣ୍ଡାଳ କୁହନ୍ତି, ହିନ୍ଦୁରମାନ ମର୍ଯ୍ୟାଦା ତୁମରି ପାଖେ

ଅଛି ।”

 

ଏହିପରି ଆରମ୍ଭ ହେଉ ହେଉ ଦୁଃଖ ସୁଖ ପଡ଼ିଲା; କିଏ କ’ଣ ଖାଇଛି ପଡ଼ିଲେ । ମରୁଡ଼ି କଥା ପଡ଼ିଲା । ଜଣେ ଅଧାବୟସି ଲୋକ କହିଲା, “ମହାପୁରୁ ! ଆମେ ମରୁଡ଼ି ଜାଣିପାରୁନାହିଁ । ଭଲବେଳେ ତ ଆମର ମରୁଡ଼ି ଆମେ ଭଲ ବୋଲି ବି ଦି’ କୋଶରୁ ଯାଇ ପାଣି ଆଣୁଥିଲୁ । ସେତେବେଳେ ଯେଉଁଠାରୁ ଆଣୁଥିଲୁ ଏବେ ବି ସେଠାରେ ପାଣି ଅଛି । ଆମେ ସବୁଦିନ ଗାଧୋଇବାକୁ ପାଣି ପାଉ ନଥିଲୁ କି ଏବେ ପାଉନାହୁଁ ।”

 

ବାସୁଆ କହିଲା, “ସରକାର ପରା କୂଅ ପୋଖରୀ ଖୋଳାଉଛନ୍ତି ? ମୁଁ ଶୁଣିଛି, ଗତ ଚାରିଶହ ବର୍ଷରେ ତୁମ ଅଞ୍ଚଳରେ ଯେତେ କୂଅ ଖୋଳା ହୋଇଥିଲା, ତହିଁରୁ ବେଶୀ କୂଅ ଏ ଚାରିବର୍ଷରେ ଖୋଳାହେଲାଣି ।”

 

ଲୋକଟି କହିଲା, “ହଁ, ସେକଥା କହିବାର ଗୋଟିଏ ଛଟକ । ଚାରିଶ କାହିଁକି, ହଜାରେ ବର୍ଷ ହେଲା ଏ ଅଞ୍ଚଳରେ କେହି ତ ଗୋଟିଏ ହେଲେ କୂଅ ଖୋଳାଇ ନାହିଁ । ଆଜି ଗୋଟିଏ ଖୋଳାଇଲେ ତ ସେ ହେବ ପୂର୍ବଠାରୁ ବେଶୀ । ସରକାର କୂଅ ଖୋଳାଉଛନ୍ତି ଯେ, ସରକାରୀ କୂଅରେ ତ ପାଣି ପଡ଼େ ନାହିଁ । କୂଅପରି ଦିଶେ, କୂଅର ପଇସା ଖର୍ଚ୍ଚ ହୁଏ, ଦରକାର ନ ଥିଲା ବେଳେ ପାଣି ଦିଏ, ଅସଲ ବେଳେ ଶୁଖା ଖଡ଼ ଖଡ଼ ।” ସମସ୍ତେ ହସିଲେ ।

 

ଆଉ ଜଣେ କହିଲା, “ସବୁ ସରକାରୀ କାମ ସିମିତି । ସରକାର ପାଣି ରଖିବାକୁ ବନ୍ଧ ପକାଉଛନ୍ତି ଯେ, ମୁଣ୍ଡିଆ ଜଙ୍ଗଲରେ ବର୍ଷାଦିନେ ପାଣି ତୋଡ଼ରେ ବନ୍ଧ ଭାଙ୍ଗିଯାଉଛି, ଖରାଦିନକୁ ଶୁଖିଲା । ଆମେ ଶୁଣିଥିଲୁ, ଆମରି ବାଲିଗୁଡ଼ିଆ ଭାଇଙ୍କ ରାଜ୍ୟରେ ଏହିପରି ଗୋଟିଏ ବନ୍ଧ ପଡ଼ିଥିଲା ଯେ, ବଡ଼ ହାକିମ ଦେଖିବ ବୋଲି ସାନ ହାକିମ ଭାରରେ ପାଣି ଅଣାଇ ସେଥିରେ ପୂରାଇଥିଲା ।”

 

ଷଣ୍ଢ ଏ କଥାରେ ଅଗ୍ରାହୀ ହୋଇ ପଚାରିଲା, “ବଡ଼ ହାକିମ କ’ଣ ଜାଣି ପାରିଲେ ନାହିଁ-।”

 

ଲୋକଟି କହିଲା, “ବଡ଼ ହାକିମ ତ ଆଖି ତାଳୁରେ ଖୋସି ଦେଖନ୍ତି । ଏଥର ଭାଗ୍ୟକୁ ଜାଣିପାରିଲା । କିନ୍ତୁ ଜାଣିଲେ ହେଲେ କ’ଣ ହେବ, ସାନ ହାକିମକୁ ସସ୍‌ପେଣ୍ଡ ଦଣ୍ଡ ଦେଇଛି ।”

 

ବାସୁଆ ପଚାରିଲା, “ସସ୍‌ପେଣ୍ଡ କଣ ?” ଉତ୍ତର ମିଳିଲା, “ଆମେ କି ଜାଣୁ ବାବୁ ? ଜଣକଠାରୁ ଶୁଣିଥିଲି, କାମ ନ କରି ଅଧା ଦରମା ପାଇବାକୁ ସସ୍‌ପେଣ୍ଡ କହନ୍ତି । ବାକୀ ଅଧିକ ସରକାରଙ୍କ ପାଖେ ଜମା ଥାଏ, ତିନି ଚାରିବର୍ଷ ପରେ ଏକାମୁଥକେ ମିଳେ ।”

 

ବାସୁଆ କହିଲା, “ୟେ ତ ଭଲ । ପ୍ରତିମାସରେ ପୂରା ଦରମା ପାଇଲେ, ଏକା ସାଙ୍ଗେ ଖର୍ଚ୍ଚ ଦୋଇଯା’ନ୍ତି ।”

 

ଏହା କିପରି ଦଣ୍ଡ ହେଲା ବାସୁଆ ବୁଝି ପାରିଲା ନାହିଁ; କହିଲା, “ୟା ଭିତରେ କ’ଣ ଥିବ ନା ? ନ ହେଲେ, ଦୋଷୀକୁ କାହିଁକି ସସ୍‌ପେଣ୍ଡ କରାହୁଅନ୍ତା ।”

 

ପ୍ରଥମେ ଯେଉଁ ଜଣକ କଥା ଆରମ୍ଭ କରିଥିଲା, ସେ କହିଲା, “କ’ଣ ଦୋଷୀକୁ ସରକାର ଦଣ୍ଡ ଦିଅନ୍ତି କି ? ହେଇଟି ଆସ ଦେଖିବ, ଏଇପାଖରେ ଗୋଟିଏ ଗାଁ ତୋଳା ହୋଇଛି । ଯେ ୟାକୁ କରାଇଥିଲା, ସେ ପରା ବର୍ତ୍ତମାନ ଭାରି ବଡ଼ ପାହିଆ ପାଇଛି ।”

 

ସମସ୍ତେ ଗଲେ । ଗାଁ ବୋଲି ଯେଉଁ ଜାଗାଟି, ସେଥିରେ ଗୁଡ଼ିଏ ସାନ ସାନ କୁଡ଼ିଆର ଶଙ୍କୁ ରହିଛି । ଚାଳରେ ନଡ଼ା ନାହିଁ, ଜଙ୍ଗଳ ଜାଗା ବୋଲି ବାଉଁଶକୁ ଉଇଙ୍କ ବ୍ୟତୀତ କେହି ଲୋଭେଇ ନାହାନ୍ତି । ଘରଗୁଡ଼ିକ ଲମ୍ୱରେ ୧୦ଫୁଟ, ଓସାରରେ ବି ସେଇଆ ।

 

ବାସୁଆ ପଚାରିଲା, “ୟେ କ’ଣ ପାଇଁ ହୋଇଥିଲା ? ଗାଈ ତ ଏଠାରେ ରହନ୍ତେ ନାହିଁ ।”

 

“ହାକିମ ହୁକୁମା ଏଠାକୁ ଆସି ବହୁତ ମସୁଧା କରି ଏଘର ବଙ୍ଗାଳୀଙ୍କ ପାଇଁ କରିଥିଲେ । ଆମେ ବିଚାରିଥିଲୁ ବଙ୍ଗାଳୀମାନେ ଏଇପରି ରହନ୍ତି ବୋଲି । କିନ୍ତୁ ଗୋଟିଏ ବଙ୍ଗାଳୀ ଆସିଲା ଯେ, ଏ ଘର ଦେଖି କରି ଆମକୁ ଗୁଡ଼ାଏ ଗାଳି ଦେଲା । ଆମେ ବହୁ କଷ୍ଟରେ ବୁଝିଲୁ, ସେ କହିଲା, ଆମ ଓଡ଼ିଆ ଲୋକେ ସିନା ଏଥିରେ ରହିପାରିବେ, ବଙ୍ଗାଳୀ ରହିପାରିବେ ନାହିଁ ।”

 

ବାସୁଆ କହିଲା, “ସେ କେଉଁ ପସନ୍ଦରେ ଏକଥା କହିଲା ଯେ ! ଏଥିରେ ତ କେହି ରହିପାରିବେ ନାହିଁ । ଗୋଟିଏ ଘରେ ପିଲା ମାଇପେ ଚଳିବେ କିପରି ? ପୁଣି ବାହାରେ ଅଡ଼ଙ୍ଗ ବୋଲି ଯାହା ଅଛି, ସେଥିରେ ବସି କରି ଦାନ୍ତ ବି ଘଷି ହେବ ନାହିଁ । ଆମ ଦେଶରେ ତ ଅଡ଼ଙ୍ଗଟା ବୈଠକଖାନା ।”

 

ଜଣେ ବୁଢ଼ା ବାହାରି ପଡ଼ି କହିଲା, “ସେ କଥା ଗୁଡ଼ିକ କାହିଁକି ପକେଇଚ ବାବୁ ! ତମେ ତ ଚାଲିଯିବ । ଶେଷକୁ ଆମରି ଉପରେ ପଡ଼ିବ ମାଡ଼; କ’ଣ ନା, ଆମେ ସରକାରକୁ ଖୁଣୁଥିଲୁ । ଯେ ଯାହା କରୁଛନ୍ତି, କରନ୍ତୁ । ଆମେ ଏ ଧୋବଲିଙ୍କ ଢଙ୍ଗ ଦେଖି ସବୁବେଳେ ତୁନୀ ରହୁ । ସେଇ ଯୋଗୁଁ ପରା ଆମ ନାମରେ ସେମାନେ ବହି ଲେଖିଛନ୍ତି ଯେ, ଆମେ କଥାବାର୍ତ୍ତା ହେବାକୁ ସୁଖ ପାଉନାହିଁ ବୋଲି ।” ଯେତେ ଲୋକ ଥିଲେ ସମସ୍ତେ ହସିଲେ ।

 

ବାସୁଆ ପଚାରିଲା, “ଏ ପରି କାହିଁକି ହେଉଚି ।”

 

ସେଇ ବୁଢ଼ା ଉତ୍ତର ଦେଲା, “ମହାପୁରୁ, ପୁଣି ତ ପଚାରୁଚ । ଧୋବଲିମାନେ କୌଣସି କଥାରେ ଆମକୁ ପଚାରନ୍ତି ନାହିଁ କି ଆମ ମତ ଲୋଡ଼ନ୍ତି ନାହିଁ । ଏଡ଼େ ଧୋବ ଲୁଗା ପିନ୍ଧି ଆସନ୍ତି ଯେ ଆମ ଗାଁ ଭିତରେ ବୁଲିଗଲେ ବି ତାଙ୍କ ଦେହର ମଇଳା ଲାଗିଯାଏ । ପଇସା ଅର୍ଜିବାକୁ ବେଳେ ବେଳେ ଆମ ଗାଁ ମୁଣ୍ଡକୁ ଆସନ୍ତି । ଆପଣା ଆପଣା ଭିତରେ କଥାବାର୍ତ୍ତା ହୋଇ ଗାଁ ଫେରିଯା’ନ୍ତି । ତାଙ୍କରି ମସୁଧାରେ କାମ ହୁଏ । ଥରେ ମୁଁ ଜଣକୁ କହିଦେଇଥିଲି, ‘ଆମ ଗାଁକୁ ଯଦି ନ ଆସିବ, ତେବେ ଏତେ ବାଟ ଆସିଲେ କାହିଁକି ।’ ଏତିକିରେ ସେ ଏଡ଼େ ବିଗିଡ଼ିଗଲା ଯେ ଗୋଟିଏ ସିପେଇ ପଠାଇଲା । ତାକୁ ଗୋଟେ ଟଙ୍କା, ପଟେ ଗଞ୍ଜା ଦେବାରୁ ସେ ବୋଧ ହୋଇ ଗଲା ।”

 

ଷଣ୍ଢ ଏଠା ଲୋକଙ୍କଠାରୁ ବିଦାୟ ହୋଇ ରେଢ଼ାଖୋଲକୁ ଗଲା । ସେଇଠାରେ ରାତିରେ ରହିବାର ସ୍ଥିର ହୋଇଥାଏ ।

 

ସକାଳୁ ଉଠି ଷଣ୍ଢଦଳ ମହା ଅଡ଼ୁଆରେ ପଡ଼ିଲେ । ରାତାରାତି ସମ୍ୱଲପୁରକୁ ଖବର ଯାଇଥିଲା ଯେ, ପାଞ୍ଚଜଣ ଲୋକ ଗୋଟିଏ କଥାକୁହା ଷଣ୍ଢ ଧରି ଉଡ଼ାଜାହାଜରେ ଆଦିବାସୀ ଅଞ୍ଚଳରେ ଖେଳ ଦେଖାଉଛନ୍ତି । ଜିଲା ସାହେବ ବିଲାତି ଫେରନ୍ତା ଲୋକ; ଯୁଦ୍ଧ ବେଳେ ଉଡ଼ାଜାହାଜ ଇଞ୍ଜିନିୟର ହୋଇଥିଲେ । ସେ ମନେ ମନେ ବିଚାରିଲେ, ‘ଖାଲି ମଟରରେ ଗଲେ ତ ଗସ୍ତ ଖର୍ଚ୍ଚା ମାଇଲିକୁ ଆଠଅଣା ଅଣ୍ଟୁ ନାହିଁ ଯେ, ଦଶ ଅଣା କରିବାକୁ ହେଲେ; ଉଡ଼ାଜାହାଜରେ ଯାହା ଖର୍ଚ୍ଚ ହେଉଥିବ, ତାହା ଉଠାଇ, ନିଜେ ଲାଭ ପାଇବାକୁ ଷଣ୍ଢବାଲା ଭାରି ଚଢ଼ା ଟିକଟ କରୁଥିବେ । ଆଦିବାସୀମାନଙ୍କଠାରୁ ଏପରି ଟଙ୍କା ଛାଣିଲେ, ସରକାରକୁ ଦେବାକୁ ତାଙ୍କ ପାଖେ ବଳିବ କ’ଣ ?’ ବିନା ପରମିଟ୍‌ରେ ରେଢ଼ାଖୋଲ ପାଖେ ଓହ୍ଲାଇଥିବାରୁ ଓ ସରକାରକୁ ଆମୋଦ କର ନ ଦେଇ ଖେଳ ଦେଖାଇଥିବାରୁ, ଷଣ୍ଢ-ଦଳକୁ ଓ୍ୟାରେଣ୍ଟି କରାଇଦେଲେ । ଉଡ଼ାଜାହାଜ ଜବତ ହୋଇ ସେଠାରେ ରହିଲା ।

 

ଦଳପତି କଟକ ବେପାରୀ, ଭାରି ମାମଲତକାର; କେତେବେଳେ ନରମ ଓ କେତେବେଳେ ଗରମ ହେବାକୁ ହୁଏ, ତାଙ୍କୁ ଜଣା । ସେ ଭୁରୁଡ଼ ମାଇଲେ । ସେ ଜଣାଇଦେଲେ ଯେ, ଯେଉଁଠି ଇଚ୍ଛା ସେଠାରେ ଓହ୍ଲାଇବାକୁ ତାଙ୍କର ପରିମିଟ ଅଛି ଓ ସେ ପଇସା ନେଇ ଏଠାରେ ଖେଳ ଦେଖାଇନାହାନ୍ତି । ଯଦି ଦେଖାଇଛନ୍ତି, ସରକାର ପ୍ରମାଣ ପାଇଲେ ମକଦ୍ଦମା କରିବେ । ପୁଲିସ୍‌ ବାବୁ ବୁଝାଇଦେଲେ, “ମୋତେ ସେ କଥା ଜଣା ନାହିଁ । ତୁମର ଯାହା କହିବାର କଥା ହାକିମଙ୍କୁ କହିବ ।”

 

ଦଳପତି ବୁଝିଲେ ନାହିଁ, କିନ୍ତୁ ବାସୁଆ ବୁଝିଲା । କହିଲା,“ବାବୁ ! ଆପଣ ଯାହା କହୁଛନ୍ତି ସେଇପରି ହେଉ । ଆପଣଙ୍କ ସଙ୍ଗେ କଳି କଲେ, ଆମେ ଯେଉଁ କାର୍ଯ୍ୟରେ ଆସିଛୁ, ସେଥିରେ ବିଘ୍ନ ହେବ ।”

 

ସମସ୍ତଙ୍କୁ ହାତକଡ଼ି ଦେଇ ଚଲେଇ ଚଲେଇ ନେବାର ମସୁଧା ହୋଇଥିଲା । ଷଣ୍ଢ ବି ଚାଲି କରି ଯିବାର କଥା । କିନ୍ତୁ ସେ କଥା କହୁଥିବାରୁ ତାକୁ ମଣିଷ ପରି ବ୍ୟବହାର କରିବା ଉଚିତ ହେବ ବୋଲି ବିଚାରି, ବାବୁ ହଳେ ହାତକଡ଼ି ଆଣିଲେ । ଷଣ୍ଢ ବିନା ଆପତ୍ତି ଆଗ ଗୋଡ଼ ଯୋଡ଼ିକ ବଢ଼ାଇଦେଲେ । ସେଇଠୁ ହେଲା ବଡ଼ ଅଡ଼ୁଆ । ସେ ଚାଲିବ କିପରି ? ପୁଲିସ୍‌ ବାବୁ ରାଗ କରି ପାଟି କଲେ, “ଭଗବାନ ହାବୁଡ଼େ ପଡ଼ନ୍ତେ କି ତାଙ୍କ ହଳେ ବଳା ପିନ୍ଧାଇଦିଅନ୍ତି । ଜନ୍ତୁ ବେଙ୍ଗଫୁଲାରୁ ଉଠି ଉଠି କଥା କହିବା ଅବସ୍ଥାକୁ ଆସିଲାବେଳକୁ ପଛ ଗୋଡ଼ରେ ଠିଆ ହୋଇ ଶିଖୁଥାଏ । ତେଣୁ ହାତକଡ଼ି ପିନ୍ଧିଲେ ବି ଚାଲିବାରେ ଅସୁବିଧା ହୁଏ ନାହିଁ । ଭଗବାନ ବେଳେ ବେଳେ ତାଙ୍କ ମନ ଇଚ୍ଛା ନିୟମ ଭାଙ୍ଗି ଆମକୁ ସରକାରୀ କାମ କରିବାରେ ବାଧା ଦେଉଛନ୍ତି ।”

 

ଭଗବାନଙ୍କୁ ପାଇବାର ଆଶା ନ ଦେଖି ସେ ଟ୍ରକ ଖୋଜିଲେ । ସେଥିରେ ଷଣ୍ଢକୁ ପକାଇ ଓ ଅନ୍ୟ ଆସାମୀମାନଙ୍କୁ ବସାଇ, ସମସ୍ତେ ସମ୍ୱଲପୁର ଗଲେ ।

 

ସେତେବେଳେକୁ ଏ ଘଟଣା ସମ୍ୱଲପୁରରେ ରାଷ୍ଟ୍ର ହୋଇଗଲାଣି । ଷଣ୍ଢ ଆସି ଜିଲା ସାହେବଙ୍କ ଖାସ କ୍ୟାମେରା ପାଖରେ ପହଞ୍ଚିବାର ଅଳ୍ପ ସମୟ ଭିତରେ ଜଣେ ପ୍ରେସ୍‌ ସମ୍ୱାଦଦାତା ଖଣ୍ଡ ଖାତା ଓ ଗୋଟିଏ ପେନ୍‌ସିଲ ବାଁ ଡାହାଣ ହାତରେ ଧରି ହାଜର ହୋଇଗଲେ । ତାଙ୍କ ପଛେ ପଛେ ଆଉ ଅନେକ ଲୋକ ଆସି ଜୁଟିଲେ । ସମ୍ୱାଦଦାତା ସାହେବଙ୍କ କ’ଣ ଫୁସ୍‌ ଫୁସ୍‌ ହୋଇ କହିଲେ, ତା’ପରେ ଲୋକଙ୍କୁ ଆସି ଶୁଣାଇଦେଲେ, “ମୁଁ ଛଅଟି ସମ୍ୱାଦପତ୍ରର ସମ୍ୱାଦଦାତା । ପଅରଦିନ ସକାଳୁ ସେଥିରୁ ଯେ କୌଣସିଟି ଦେଖିଲେ ଏ ଘଟଣାର ସବିଶେଷ ବିବରଣୀ ପାଇପାରିବେ । ସାହେବ କହୁଛନ୍ତି ମୋ ବ୍ୟତୀତ ଏଠାରେ ବାହାର ଲୋକେ କେହି ରହିପାରିବେ ନାହିଁ ।” ଲୋକେ ଏକଥା ନଶୁଣି ପଛକେ ଟିକିଏ ଘୁଞ୍ଚି ଠିଆ ହେଲେ ।

 

ହାକିମ ପଚାରିବା ପର୍ଯ୍ୟନ୍ତ ଅପେକ୍ଷା ନକରି ବାସୁଆ ଟ୍ରକ ଉପରୁ ପାଟିକଲା, “ମୁଁ ଏପରି ଆଉ ବେଶୀ ବେଳ ରହିପାରିବି ନାହିଁ । ମଢ଼କୁ ଯେପରି ନିଅନ୍ତି, ଜୀଅନ୍ତା ଜନ୍ତୁକୁ ସେପରି ନେଲେ କିପରି ହୁଏ ତାହା ଆପଣ ଜାଣିବେ କୁଆଡ଼େ ! ଆପଣଙ୍କ ଜିଲାରେ ଘୋର ଅନ୍ୟାୟ ହେଉଛି । ଆମେ ସମସ୍ତଙ୍କ ଉପକାର ପାଇଁ ଲାଗିଛୁ, ଆପଣ ଆମ ସାଙ୍ଗେ ଏପରି କାହିଁକି ଲାଗିଛନ୍ତି ।”

 

ହାକିମ ଓ ପୁଲିସ ଚୁପ୍‌ଚୁପ୍‌ ମସୁଧା କଲେ । ଚାରିଆଡ଼େ ଠିଆ ହୋଇଥିବା ଲୋକେ ଆନନ୍ଦରେ ଗହଳି କଲେ । ଷଣ୍ଢ ଚୁପ୍‌ ହେବାରେ ହାକିମ କହିଲେ, “ଏମାନଙ୍କୁ ହାଜତକୁ ନିଅ ।”

 

ଷଣ୍ଢ ପୁଣି ପାଟିକଲା, “ୟେ ଭାରି ଅନ୍ୟାୟ କଥା । ଆମର କିଛି ଦୋଷ ନାହିଁ । ଉଡ଼ାଜାହାଜ କାଗଜପତ୍ର ଆମ ପାଖେ ଅଛି; ଆପଣଙ୍କ ପାଖକୁ ମଧ୍ୟ ଆସିଛି; ଏମାନେ ବେପାର ପାଇଁ ମୋତେ ବୁଲାଉନାହାନ୍ତି । ତଥାପି ଆପଣ ଆମକୁ ଅଟକ୍‌ କରିବାକୁ ବସିଛନ୍ତି । ଆମ କାଗଜପତ୍ର ଦେଖନ୍ତୁ, ତା’ପରେ ଯାହା ଉଚିତ ତାହା କରନ୍ତୁ ।”

 

ହାକିମ ମଟ ମଟ କରି ଷଣ୍ଢ ଆଡ଼କୁ ଚାହିଁ, ଦଳପତି ବଢ଼ାଇ ଦେଇଥିବା କାଗଜକୁ ଚାହିଁଲେ, ଓ ପେସ୍କାରଙ୍କୁ ଡାକି ପଚାରିଲେ, “ବାବୁ ! ୟାର ନକଲ ଆମ ପାଖକୁ ଆସିଛି ?”

 

ପେସ୍କାର—ଆଜ୍ଞା, ହଁ ?

 

ହାକିମ—ତେବେ ଏ ଓ୍ୟାରେଣ୍ଟ କିପରି ଗଲା । (ପୁଲିସକୁ) ଆପଣଙ୍କୁ ୟାର ନକଲ ମିଳିନାହିଁ ?

 

ପେସ୍କାର ଉତ୍ତର ଦେଲେ, “ଆଜ୍ଞା, ଆମ ଅଫିସରୁ ପୁଲିସକୁ ନକଲ ଯିବାର କଥା । ଏ କାଗଜ ଜରୁର ବୋଲି ମୁଁ ଆପଣଙ୍କ ପାଖକୁ ମଫସଲ ପଠାଇ ଦେଇଥିଲି ।” ମଫସଲ ପେସ୍କାରଙ୍କୁ ଡକା ହେଲା । ସାହେବଙ୍କ ଗସ୍ତ ବାକସ୍‌ରୁ ସେ କାଗଜ ବାହାର କଲେ । ଗସ୍ତବେଳେ କୌଣସି କାଗଜ ନ ଦେଖାଇବାକୁ କଡ଼ା ଅର୍ଡ଼ର ଥିବାରୁ ସେ ତାହା ଦେଖାଇ ନ ଥିଲେ । ଗସ୍ତ ପରେ ସେ ସବୁ କାଗଜପତ୍ର ବାକ୍‌ସରେ ପୂରାଇ ଚାବି ସହିତ ପେସ୍କାରଙ୍କୁ ଦେଇ ଘରକୁ ଯାଇଥିଲେ ।

 

ହାକିମ ପେସ୍କାରଙ୍କ ଉପରେ ରାଗିଲେ । ସେ ଜବାବ୍‌ ଦେଲେ “ଆଜ୍ଞା ! ମୁଁ ବାକସ୍‌ ପାଇଲାବେଳେ ହଜୁର ଭିତରକୁ ଚାଲିଯାଇଥିଲେ । ଆଜି ସକାଳେ ମୁଁ ଘରୁ ଆସିଲା ବେଳକୁ ଓ୍ୟାରେଣ୍ଟି୍‌ ଯାଇ ସାରିଛି ।”

 

ହାକିମ ଓ ବାବୁଙ୍କ କଥା ଖୁବ୍‌ ନୀଚ ସ୍ୱରରେ ହେଉଥାଏ; ତଥାପି ସମ୍ୱାଦଦାତା ବସି କ’ଣ ଲେଖୁଥାନ୍ତି । ହାକିମ ତାଙ୍କ ଆଡ଼କୁ ଚାହିଁ କହିଲେ, “ଏ ସମ୍ପର୍କରେ ଯଦି ଆପଣ କାଗଜକୁ କିଛି ସମ୍ୱାଦ ଦେବାକୁ ଚାହାନ୍ତି, ମୋତେ ଦେଖାଇବେ”; ଷଣ୍ଢ ଦଳପତିଙ୍କ ଆଡ଼କୁ ଚାହିଁ କହିଲେ, “ଓ୍ୟାରେଣ୍ଟି୍‌ ଉଠାଇ ନିଆଗଲା । ତମେ ସମସ୍ତେ ଯାଇପାର ।” ଷଣ୍ଢ ଗୋଡ଼ରୁ ବେଡ଼ି ଫିଟାଇଲା ବେଳେ ସେ ଗାରୁମାରୁ ହେଉଥାଏ, “ଆମକୁ ଏତେ କଷ୍ଟ ଦେଲେ, ଟିକିଏ ଦୁଃଖପ୍ରକାଶ ତ କରିଥାନ୍ତେ । କାହିଁକି ଓଇଲେ, ପୁଣି କାହିଁକି ଛାଡ଼ିଲେ ଏହାର କୈଫିୟତ ତ ଦେଇଥାନ୍ତେ !”

 

ବିନା କଡ଼ିରେ ଟ୍ରକରେ ରେଢ଼ାଖୋଲ ଫେରିବାରୁ ବାସୁଆକୁ କିଛି ଅସୁବିଧା ହେଲା ନାହିଁ-। ସମ୍ୱାଦଦାତା ବାବୁଟି ସାଙ୍ଗରେ ରହିବାରୁ ହେପାଜତ କରୁଥାନ୍ତି, କେଉଁବାଟେ କୁଆଡ଼େ ଯିବାକୁ ହେବ ବତାଉଥାନ୍ତି । ଉଡ଼ାଜାହାଜ ଧରିବା ପରେ ସମ୍ୱାଦଦାତା ବଣେଇ ଆଡ଼କୁ ବାଟ କଢ଼ାଇଲେ; ତା’ପରେ ରାଉରକେଲା ନେଲେ, ସେଠାରେ ଝାଡ଼ସୁଗୁଡ଼ା ଉପରେ ଉଡ଼ି ହୀରାକୁଦ ଆଡ଼କୁ ମୁହାଁଇଲା । ସମ୍ୱାଦଦାତା ଅନର୍ଗଳ ଗପୁଥାନ୍ତି । କେତେ ବିଜୁଳି ଶକ୍ତି ବାହାରିବ, କେତେ ଏକର ଜମିରେ ପାଣି ମାଡ଼ିବ, କେତେ ଲୁହା ଉତ୍ପାଦିତ ହେବ, ଏହାର ଅଙ୍କ ଓ ପରିମାଣ ସେ ତୁଣ୍ଡେ ତୁଣ୍ଡେ କହିଯାଉଥାନ୍ତି । ତାଙ୍କ ସ୍ମରଣଶକ୍ତି ଦେଖି ଷଣ୍ଢ ତାଜୁବ୍‌ ହେଲା । ପଚାରିଲା, “ଆପଣ ତ ବହୁତ ମନେ ରଖିଛନ୍ତି । ମୁଁ ଅସଲ କଥାଟା ମନେ ରଖେ, ଖଣ୍ଟି ନାଟି ମନେ ରଖିପାରେ ନାହିଁ।” ସମ୍ୱାଦଦାତା ଜବାବ୍‌ ଦେଲେ, “ଓଡ଼ିଶାରେ ଶିଳ୍ପ ବିକାଶ ଯୋଜନା ହେବା ଦିନୁ ସେ ବିଷୟରେ ବିଶେଷ ଧ୍ୟାନ ଦେଇଛି । ସରକାରର ଯେତେ ଯାହା ପ୍ରଚାର ପତ୍ରିକା ବାହାରିଛି ସବୁ ମୋର ମନେ ଅଛି ।”

 

ଷଣ୍ଢ ପଚାରିଲା, “ଆଚ୍ଛା, ଏତେ ଯେ ବିଜୁଳି ବାହାରିବ,ତାହାର ଉପଯୋଗ କିପରି ହେବ-?”

 

ସମ୍ୱାଦଦାତା ଏଥର ଛେପ ଢୋକିଲେ କହିଲେ, “ଏ ବିଷୟ ଦ୍ୱିତୀୟ ପଞ୍ଚବର୍ଷିକା ଯୋଜନାରେ ଅଛି । ତାହାର ମୋଟାମୋଟି ବିବରଣୀ ମୋତେ ଜଣା, ପୂର୍ଣ୍ଣ ବିବରଣୀ ଦେଇପାରିବ ନାହିଁ ।”

 

ଷଣ୍ଢ କହିଲା, “ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଉଛି; ଦେଶ ତମାମ ଖାଲି ତାର ଖୁଣ୍ଟ ଓ ତାର ଛାଇ ହୋଇଯିବ ବୋଲି କହୁଛି, ଲୋକେ କାହାନ୍ତି ଏ ସବୁ ଚଳାଇବାକୁ । ପ୍ରଥମେ କେତେଜଣ ସିନା ବାହାରୁ ଘେନି ଆସିଲେ, ଶେଷକୁ କ’ଣ ମିସ୍ତ୍ରୀ ଓ କୁଲି ଦାଣ୍ଡରୁ ଆସିବେ । ଏ ଦେଶରେ ଲୋକେ ତ ପୁଣି ବାହାରିବା ଦରକାର ।”

 

ସମ୍ୱାଦାତା କହିଲେ, “ଭାରତ ଗୋଟିଏ ଦେଶ । ରାଜ୍ୟ ରାଜ୍ୟ ଭିତରେ ପ୍ରତିଦ୍ୱନ୍ଦିତା କରିବା ଆମ ରାଜ୍ୟର ଉଦ୍ଦେଶ୍ୟ ନୁହେଁ । ବାହାରୁ ଇଞ୍ଜିନିୟର ଆସିଲେଣି, ଓଭରସିଅର ଆସିଲେଣି; କାନତରାଟି ମଧ୍ୟ ଆସିଲେଣି, କେତେକ କୁଲି ମଧ୍ୟ ଆସିଲେଣି, ଦରକାର ହେଲେ ଆଉ କୁଲି ବି ଆସିବେ ।”

 

ଷଣ୍ଢ—ଅନ୍ୟ ରାଜ୍ୟମାନଙ୍କର କୁଲି ଏଠାକୁ ଆସିବାକୁ ବାହାରିଲେ ତ ! ବେଶୀ ପଇସା ମିଳୁଛି ବୋଲି ଯେ ଆସିବାର ଆସି ଯିବେଣି । ତାଙ୍କ ଦେଶରେ ବି ତ କାମଦାମ ଚାଲିଥିବ ।

 

ସମ୍ୱାଦଦାତା—ଯେତେ ଚାଲିଲେ ବି ତାଙ୍କ ଦେଶରୁ ଲୋକ ଆସିବେ । ଆନ୍ଧ୍ରରୁ ରିକିସା‌ବାଲା ଆମର ସବୁ ସହରକୁ ଆସୁଛନ୍ତି ।

ଷଣ୍ଢ—ଆଉ ଏଠାରେ ଲୋକେ !

ସମ୍ୱାଦଦାତା—ଆମ ଏଠାର ଲୋକମାନେ ବଡ଼ ଅଳସୁଆ ବୋଲି ଇଞ୍ଜିନିୟରମାନେ କହୁଛନ୍ତି । ଆମ ଏଠା ଅଫିସରମାନେ ମଧ୍ୟ କାମଦାମରେ ଢିଲା କରନ୍ତି ବୋଲି ସରକାରଙ୍କର ମତ-। କେବଳ ଆମ ଦେଶର ଜଳବାୟୁଟି ଭଲ, ଭଲ ଚାଉଳ ଓ ବହୁତ ପ୍ରାକୃତିକ ସମ୍ପଦ ଅଛି ।

ଷଣ୍ଢ—ତମ ଦେଶରେ ପୂର୍ବେ ଭାରି ବଡ଼ ବଡ଼ କାରିଗର ଥିଲେ ?

ସମ୍ୱାଦଦାତା—କାରିଗରି କାମ ଥିଲା । କିନ୍ତୁ ସେ ସବୁ ଆମ ଏଠାରେ କାରିଗର କରିଥିଲେ କି ବାହାରୁ ଆସିଥିଲେ ସେ ବିଷୟରେ ସନ୍ଦେହ ଅଛି । ଯେଉଁମାନେ ଆଜିକାଲି ଆମ ଦେଶରେ ଉନ୍ନତିରେ ସାହାର୍ଯ୍ୟ କରୁଛନ୍ତି ବୋଧହୁଏ ସେଇମାନଙ୍କ ପୂର୍ବ-ପୁରୁଷମାନେ କୋଣାର୍କ, ପୁରୀ ଓ ଲିଙ୍ଗରାଜ ମନ୍ଦିର ଇତ୍ୟାଦି କରିଥିଲେ ।

ଷଣ୍ଢ—ଏମାନେ ନିଜ ଦେଶରେ ନକରି ଏଠାକୁ କାହିଁକି ଆସିଲେ ?

ସମ୍ୱାଦଦାତା—ଆମ ଶାସ୍ତ୍ରରେ ପରା ଅଛି, ‘ପରୋପକାୟ ସ୍ୱର୍ଗାୟ !’ ମହାଭାରତୀୟ ଭାବରେ ପ୍ରଣୋଦିତ ହୋଇ ଏମାନେ ଯାହା କରୁଛନ୍ତି, ସେଥିପାଇଁ ଓଡ଼ିଶା ଚିରକାଳ କୃତଜ୍ଞ ରହିବ-

ଷଣ୍ଢ—ଖାଲି କୃତଜ୍ଞ ରହିଲେ ତ ଚଳିବ ନାହିଁ । ବର୍ତ୍ତମାନ ଯେପରି ଦେଖାଯାଉଛି, ତୁମେମାନେ ଯଦି ଏହିପରି ପରୋପକାରରେ ନ ଲାଗିବ, ତେବେ ଘରେ ଓପାସରେ ମରିଯିବ ।

ସମ୍ୱାଦଦାତା—ନା, ତା’ କେବେ ହେବ ନାହିଁ । ଭୋକରେ ଓଡ଼ିଆ କେଭେଁ ମରିବ ନାହିଁ । ଭୋଖରେ ତା’ର ଭଲ ନିଦ ହୁଏ ବୋଲି ପ୍ରବାଦ ଅଛି । ତମେ କ’ଣ ଜାଣିନାହଁ, ‘ଭୋକେ ଓଡ଼ିଆ ନିଦ ଯାଏ, ଭୋକେ ବଙ୍ଗାଳୀ ଗୀତ ଗାଏ’ ଆମେ ବି ପରୋପକାର କରୁଁ ଯେ ! ଆଜି ସିନା ବିନୋବାଜୀ ଶରୀରଶ୍ରମ କଥା କହୁଛନ୍ତି, ଓଡ଼ିଆ ଲୋକେ ରେଙ୍ଗୁନ, କଲିକତା ଓ କାଳିମାଟିରେ ବହୁଦିନରୁ ଶରୀର ଶ୍ରମ କରୁଛନ୍ତି ।

ଷଣ୍ଢ—ସେ ତ ଭଲ । କିନ୍ତୁ ତା’ ସାଙ୍ଗକୁ ତୁମମାନେ ଟିକିଏ ଟିକିଏ ମାନସିକ ଶ୍ରମ କର, ଅନ୍ତତଃ ତମ ମନ୍ତ୍ରୀମାନେ ଆଗକୁ ବିଚାର ନିଜ ନିଜ ଭିତରେ ଆହୁରି ମସୁଧା କରି କାମ କରନ୍ତୁ । ଦେଶରେ ବହୁତ କାମ ଖୋଲିବ, ସେଥିପାଇଁ ୧୦ବର୍ଷ ଆଗରୁ ପିଲାଙ୍କୁ ତାଲିମ କରିବା ଉଚିତ । ମୁଁ ତ ଶୁଣିଛି, ପ୍ରତିବର୍ଷ ବହୁତ ପିଲା ମାଟ୍ରିକୁଲେସନ ପାସ୍‌ କରି ବେକାର ହେଉଛନ୍ତି, ସେମାନଙ୍କୁ ତାଲିମ କର, କାମ ଦିଅ, ନ ହେଲେ ସେଇମାନେ ତ ବିଦ୍ରୋହ କରି ଏ ସରକାରକୁ ଭାଙ୍ଗି ଦେବେ-। ଏ ମନ୍ତ୍ରୀ ନ ରହିଲେ, ବାହାରୁ ଯେଉଁ ହାକିମମାନେ ଆସିଛନ୍ତି, ସେମାନେ ପରୋପକାର କରିବାକୁ ସୁବିଧା ପାଇବେ କିପରି ? ସମସ୍ତଙ୍କ ନିଜ ସ୍ୱାର୍ଥରେ ଏଦେଶର ଲୋକଙ୍କୁ ଶରୀର ଶ୍ରମ ସଙ୍ଗେ ମାନସିକ ଶ୍ରମ କରିବାକୁ ସୁଯୋଗ ମିଳିବା ଦରକାର ।

ସମ୍ୱାଦଦାତା ଶଙ୍କି ଶଙ୍କି ପଚାରିଲେ, “ଆଜ୍ଞା, ଆପଣ ଯେଉଁ କଥାସବୁ କହୁଛନ୍ତି ତାହାକୁ ମୁଁ ଖବରକାଗଜକୁ ଦେଲେ ଆପଣଙ୍କର ଆପତ୍ତି ନାହିଁ ତ ? ଆପଣ ସ୍ୱାଧୀନ ମତ ପ୍ରକାଶ କରୁଛନ୍ତି--ଆମ ଏଠାରେ ତାହା ସେପରି ଆଦୃତ ହୁଏ ନାହିଁ ।

 

ଷଣ୍ଢ—ମୁଁ ଏତେ ଦିନ ଏଠାରେ ରହିଲିଣି, ଏତିକି କ’ଣ ଜାଣିନାହିଁ । ମୋତେ ଯେତେ କଷ୍ଟ ହେଲାଣି, ତହିଁରୁ ଅଧିକ କିଛି ହୋଇପାରେ ବୋଲି ଆଶଙ୍କା କରିପାରୁନାହିଁ । ତେଣୁ ମୋ ମତ ଛପା ହେଲେ ମୋର କିଛି ଆପତ୍ତି ନାହିଁ । କିନ୍ତୁ ଆପଣଙ୍କର କିଛି କ୍ଷତି ହେବ ନାହିଁ ତ ?

 

ସମ୍ୱାଦଦାତା—ମୋର ବି ବହୁତ କ୍ଷତି ହୋଇଛି । ଅବଶ୍ୟ କ୍ଷତି ପୂରଣ ହେବ ବୋଲି ମୁଁ ଆଶା ପାଇଛି । କିନ୍ତୁ ଆଉ କେତେ ଦିନ ଆଶା ଧରି ରହିବି ?

 

ଷଣ୍ଢ ବାତ୍ସଲ୍ୟରେ କହିଲା, “ଆଶା ଯଦି ଧରିବାକୁ ଆରମ୍ଭ କରିଛି ତେବେ ଛାଡ଼ ନାହିଁ; ବଡ଼ କଷ୍ଟ ହେବ; ତାହା ସହି ପାରିବାକୁ କ୍ଷମତା ଥିଲେ ତ ! ଆଶା ପୋଷଣ କରୁକରୁ ଶୁଖିଶୁଖି ମରିଗଲେ ବେଶୀ ବାଧା ହୁଏ ନାହିଁ ।” ସମ୍ୱାଦଦାତା ଆଶ୍ୱସ୍ତ ହେଲେ ।

 

ସମ୍ୱଲପୁର ଛାଡ଼ି ବରଗଡ଼ ଯିବା ବାଟରେ ଉଡ଼ାଜାହାଜରୁ ନୂଆ ହୋଇ ଖୋଳା ହେଉଥିବା କେନାଲଗୁଡ଼ିକ ଦେଖି ଷଣ୍ଢ କହିଲା, “ଏ କେନାଲଗୁଡ଼ିକରେ ପାଣି ଆସିଲେ, ଫସଲ ଖୁବ୍‌ ଭଲ ହେବ । ଲୋକେ ବର୍ତ୍ତମାନ ଗୋଟିଏ ଫସଲ କରୁଛନ୍ତି, ଦୁଇଟା ତିନିଟା ଲେଖାଏଁ କରିବେ । ବେଶ୍‌ ସୁଖରେ ରହିବେ ।”

 

ସମ୍ୱାଦଦାତା—ବର୍ତ୍ତମାନ ଯେପରି ଅନାବୃଷ୍ଟି ହୋଇଛି, ସେପରି ଯଦି ଲାଗି ରହେ, ତାହା ହେଲେ ନଈରେ ତ ପାଣି ଆସିବ ନାହିଁ। କେନାଲ କଥା କିଏ ପଚାରୁଛି ?

 

ବାସୁଆ କହିଲା, “ନିଜେ ଯଦି ଗୁଣ ନ କରିବା ତେବେ ସବୁଦିନେ ଏପରି କାହିଁକି ହେବ? ଇଶ୍ୱର ଯେଉଁ ସମ୍ପତ୍ତି ଦେଇଛନ୍ତି, ତାହାରି ଉପଯୋଗ କରିବା ଓ ଭୋଗ କରିବାର କ୍ଷମତା ମନୁଷ୍ୟକୁ ଦିଆ ହୋଇଛି । ମନୁଷ୍ୟ ଯଦି ଖାଲି ଭୋଗରେ ମାତେ, ଓ ମାଲିକକୁ ପାସୋରି ଦିଏ ତେବେ ଦଣ୍ଡ ମିଳିବ । ଏଥର ସେଇପରି ହୋଇଛି । ଭୋଳାନାଥ ଯଦି ଶୀଘ୍ର ମିଳିଯା’ନ୍ତି ତେବେ ମୋ’ର ବିଶ୍ୱାସ ହେଉଛି, ମୁଁ ତାଙ୍କୁ କହିପୋଛି ଏଥରର ଅପରାଧ ମାର୍ଜନା କରାଇଦେବି । ପରକୁ ତୁମେମାନେ ନିଜ ଦେଖ ।

 

ସମ୍ୱାଦଦାତା—ଆମେ ଯେତେ ଈଶ୍ୱରବିଶ୍ୱାସ କଲେ କ’ଣ ହେବ, ପାଣି ପାଇଁ ତ ଆମେ ମଧ୍ୟପ୍ରଦେଶ ଉପରେ ନିର୍ଭର କରିବୁଁ । ସେ ଯଦି ଅଧର୍ମରେ ରହିଲେ, ଆମେ ଯେତେ ଧର୍ମରେ ରହିଲେ ବି ପାଣି ଅଭାବରେ ତ ଆଉଟୁପାଉଟୁ ହେବୁ !

 

ବାସୁଆ କହିଲା, “ୟେ ବଡ଼ ଗହନ କଥା । ଦେବଦେବ ୟାର ଉତ୍ତର ଦିଅନ୍ତେ । ତେବେ ମତେ ଜଣା ପଡ଼ୁଛି, ତମେ ଯଦି ଧର୍ମରେ ରହିବ, ସେ ଅଧର୍ମରେ ରହିପାରିବେ ନାହିଁ—ଏ ବିଷୟରେ ଦେଶଯାକ ଛନ୍ଦାଛନ୍ଦି । ଯଦି ବା ସେ ଅଧର୍ମରେ ରହିବେ, କୁସୁମ ଯୋଗୁଁ ପଟ ନିସ୍ତରିଲା ପରି ସେ ତୁମ ଯୋଗୁଁ ପାଣି ପାଇଯିବେ । ଆଚ୍ଛା, ୟେ କେନାଲରେ କେବେ ପାଣି ପଡ଼ିବ ?”

 

ସମ୍ୱାଦଦାତା—ପାଣି ତ ଆଉ ବର୍ଷେ ଖଣ୍ଡେ ପରେ ମିଳିଯିବାର ଆଶା । କିନ୍ତୁ ଗୋଟିଏ ଅଡ଼ୁଆ ପଡ଼ିଛି । ୟେ କେନାଲ ଯୋଗୁଁ ଯେଉଁ ଉପକାର ହେବ, ସେ ବାବଦକୁ ସରକାର ଯାହା ଦାବୀ କରୁଛନ୍ତି, ତାହା ଦେବାକୁ ଲୋକେ ପଛଉଛନ୍ତି ।

 

ବାସୁଆ ପଚାରିଲା, “କାହିଁକି ?”

 

ସମ୍ୱାଦଦାତା—ସରକାର କହୁଛନ୍ତି ଏକାଥରକେ ମାଣକେ ପଚିଶ ଟଙ୍କା ନେବେ । ସରକାରଙ୍କ ବିରୋଧୀ ଦଳ କହୁଛନ୍ତି ଏତେ ଟଙ୍କାର ଉପକାର ମିଳିବ ନାହିଁ ।

 

ବାସୁଆ—ସେ କଥା ବର୍ଷ ଗୋଟାଏ ଯୋଡ଼ାକରେ ଜଣା ପଡ଼ିଯିବ । ଦରକାର ହେଲେ, ସରକାର କ’ଣ ପ୍ରଥମବର୍ଷ ନୂଆ ଟିକସ ଛାଡ଼ କରିପାରିବେ ନାହିଁ । ପୁଣି ଚାଷ ଯେଉଁ ଫନ୍ଦା, ସେଥିରେ ଜଳାଭାବ ବ୍ୟତୀତ ଅନ୍ୟ ଦୈବି ଦୁର୍ଯ୍ୟୋଗ ବି ଅଛି। ତାକୁ ଦେଖି ଚାହିଁ ସରକାର ବ୍ୟବସ୍ଥା କଲେ ଲୋକେ ନିଜ ଉପକାର ନିଜେ ଦେଖିବେ ନାହିଁ କାହିଁକି ? ଏ ସମୟଟା ଅଡ଼ୁଆ ସମୟ ପଡ଼ିଛି । ଭଲକୁ ଭଲ ମନ୍ଦକୁ ମନ୍ଦ କହିବାକୁ ବେଶୀ ଲୋକ ବାହାରୁ ନାହାନ୍ତି । ନିଜ ସ୍ୱାର୍ଥକୁ ଚାହିଁ, ଠିକ୍‌ କଥାକୁ ଲୋକେ ଭୁଲ ବୁଝାଇ ଦେଉଛନ୍ତି । ମୁଁ ଶୁଣିଛି, ସରକାର ବି ବେଳେ ବେଳେ ପରିସ୍ଥିତି କଳନା ନ କରି ଗୋଟିଏ ଗୋଟିଏ ଆଇନ କରି ଦେଇ, ଅଡ଼ୁଆ ଭିତରେ ମୁସ୍କିଲି ଭର୍ତ୍ତି କରି ଦେଉଛନ୍ତି । ଏବେ କ’ଣ ଗୋଟିଏ ଭାଗଚାଷ ଆଇନ ହୋଇଛି ପରା !

 

ସମ୍ୱାଦଦାତା—ହୋଇଛି ଯେ, ସେଥିରେ ଆମେ ଏ ଜିଲାର କିଛି କ୍ଷତି ହେବ ନାହିଁ । ଆମ ଆଡ଼େ ଭାଗଚାଷୀ ଖୁବ୍‌ ଅଳ୍ପ ଅଛନ୍ତି । ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି ପରି ପୂର୍ବଗଡ଼ଜାତ ଅଞ୍ଚଳରେ ମଧ୍ୟ ସେଇ ଅବସ୍ଥା । ବଡ଼ ରଇତମାନେ ବି ନିଜର ପ୍ରାୟ ସବୁ ଜମି ନିଜେ ମୂଲିଆ ଲଗେଇ ଚଷନ୍ତି । ଏତେ ଜମିରୁ ବେଶୀ କେହି ଚଷିବେ ନାହିଁ ବୋଲି ଯେଉଁ ଦିନ ସରକାର ଆଇନ୍‌ କରିଦେବେ, ସେଇଦିନ ଆମ ଉପରେ ଆଞ୍ଚ ଆସିବ ଯେ; କିନ୍ତୁ ସେ କଥାକୁ ଏବେ କେହି ଶୋଚନା କରୁନାହାନ୍ତି ।

 

ବାସୁଆ ପଚାରିଲା,“କିପରି ? ଆଇନ ହେଲେ ତ ସମସ୍ତେ ସେଇ ଅନୁସାରେ ଚଳିବେ । ନିଜର ଯଦି ଅସୁବିଧା ହେବ, ତେବେ ଶୋଚନା କରିବେ ନାହିଁ କିମିତି ?”

 

ସମ୍ୱାଦଦାତା—ବ୍ୟବସ୍ଥା ସଭା ଯେତେବେଳେ ହୋଇଛି, ଆଇନ୍‌ ତ କରିବାକୁ ହେବ, ସେଇଥିପାଇଁ ହେଉଛି । ଲୋକେ ମାନିବେ ବା ନ ମାନିବେ ସେଥିକୁ ସରକାରର କ’ଣ ଯାଏ ଆସେ । ଲୋକେ ଯେଉଁ ପର୍ଯ୍ୟନ୍ତ ପାରିବେ, ଆଇନ୍‌ ଭାଙ୍ଗିବେ; ଯେତେବେଳେ ନ ଭାଙ୍ଗିପାରିବେ ସେତେବେଳେ ବାଧ୍ୟ ହୋଇ ମାନିବେ ।

 

ବାସୁଆ ଟିକିଏ ଚିନ୍ତିତ ହେଲା; କହିଲା, ଏମିତି ହେଲେ ତ ସରକାରର ଇଜ୍ଜତ ଚାଲିଯିବ-। ଯେପରି ଆଇନ୍‌ କଲେ ଲୋକେ ମାନିବେ ଓ ସରକାର ମନାଇପାରିବେ, ସେପରି ଆଇନ୍‌ ସିନା ହେବ । ଲୋକଙ୍କ ଆଗରେ କ’ଣ ଆଇନ୍‌ କରି ଆର୍ଦଶ ରଖାଯାଏ ? ଆର୍ଦଶ ପ୍ରଚାରିତ ହୁଏ । ସେଥିରୁ ଯେତିକି କାର୍ଯ୍ୟରେ ହେଲା ସେଇତକ ଆଇନ୍‌ରେ ଉଠେ ।

 

ସମ୍ୱାଦଦାତା—ନା, ଆମର ବୁଝାବୁଣା ଅନ୍ୟ ରୂପ । କେଡ଼େ ଟାଣୁଆ ଆଇନ୍‌ କାହା ଅମଳରେ ହେଉଛି, ସେଇ ମାପରେ ଆମର ମନ୍ତ୍ରୀ ବଡ଼ ସାନ ହିସାବ କରାଯାଉଛି । ମନ୍ତ୍ରୀଙ୍କ ଡରାଣରେ ମେମ୍ୱରମାନେ ହାତ ଟେକି ଦେଇଛନ୍ତି; କିନ୍ତୁ ଆଇନକୁ ନିଜେ ମାନିବା ବିଷୟରେ ମନପଶ୍ୟ କରୁନାହାନ୍ତି । ଏମିତି ରାଜ୍ୟ କିମିତି ଚଳିବ ? କିନ୍ତୁ ଆପଣ କୋଉଠେଇ କହିବେ ନାହିଁ-। ମନ୍ତ୍ରୀ ଯଦି ଜାଣିବେ ତେବେ ମୋର କ୍ଷତି ହେବ ।

 

ବାସୁଆ କହିଲା, “ଯେଉଁଥିରେ କ୍ଷତି ହେବ, ତାହା କହିବା ତ ଦୂରର କଥା, ବିଚାରିବା ବି ଉଚିତ ନୁହେଁ । ଯାହା ଠିକ୍‌ ସେ କଥାକୁ ଡର କାହିଁକି ?”

ସମ୍ୱାଦଦାତା—ଆପଣ ପରା ନିଜେ କହିଲେ, କ୍ଷତି ହେଲେ କହିବ ନାହିଁ ?

ବାସୁଆ କହିଲା, “ମୁଁ ବ୍ୟକ୍ତିଗତ ଲାଭ କ୍ଷତି କଥା ବିଚାରୁ ନଥିଲି ।”

ଷଣ୍ଢଦଳର ଅନ୍ୟମାନେ ସମ୍ୱାଦଦାତାଙ୍କ ଉପରେ ଏତେବେଳେକୁ ଚିଡ଼ିସାରିଲେଣି । ମହାଦେବ କେମିତି ବେଇଗି ମିଳିବେ ସେଥିପାଇଁ ସେମାନେ ଉତ୍‌ପିଚ୍ଛ ହେଉଥାନ୍ତି । ସେମାନଙ୍କର ଆଶଙ୍କା ହେଉଥାଏ, ଷଣ୍ଢ ଏଣୁତେଣୁ କଥାବାର୍ତ୍ତାରେ ମାତି ଅସଲ କଥା ଆଡ଼େ ନଜର ଦେଉନାହିଁ-। ଷଣ୍ଢ ସେମାନଙ୍କ ଆଶଙ୍କା ନିରାକରଣ କରି କହିଲା, “ସେ ବିଷୟରେ ସନ୍ଦେହ କର ନାହିଁ । ମୋର ମନର ବଡ଼ ଭାଗ, ସବୁବେଳେ ଦେବ ଦେବଙ୍କଠରେ ଅଛି । ଆମେ ଯେଉଁ ବାଟେ ଯାଉଥାଇଁ ତା’ର ପାଖ ଆଖରେ ଯଦି ମହାପ୍ରଭୃ ଥିବେ ମୋତେ ନିଶ୍ଚୟ ଜଣାପଡ଼ିବ-।”

ଇତିମଧ୍ୟରେ ବଲାଙ୍ଗିର ହୋଇଯାଇଥାଏ । ଉଡ଼ାଜାହାଜ ସେଠାରେ ଓହ୍ଲାଇଲା । ସମସ୍ତେ ସହର ଭିତରକୁ ଗଲେ । ଏ ସହରର ସିଧାସିଧା ସଡ଼କ ଓ ପରିଷ୍କାର ପରିଚ୍ଛନ୍ନ ରାସ୍ତା ଦେଖି ଷଣ୍ଢ ଭାରି ଖୁସି ଲାଗୁଥାଏ। ରାସ୍ତାର ଦୁଇ କଡ଼ରେ ଲୋକ ଠିଆହୋଇ ଆଗନ୍ତୁକମାନଙ୍କୁ ବିସ୍ମୟରେ ଚାହିଁଥାନ୍ତି । ସେମାନଙ୍କ ଷଣ୍ଢ ଖେଳ କଥା କାଗଜରେ ଖୁବ୍‍ ଦେଖିଛନ୍ତି; କିନ୍ତୁ ଦୂର ରାସ୍ତା ଯୋଗୁଁ ବଲାଙ୍ଗିରର କେହି ନିଜେ; ଯାଇ ଷଣ୍ଢ ଖେଳ ଆଖିରେ ଦେଖିନଥିଲେ । ସାଙ୍ଗେ ସାଙ୍ଗେ ଟାଉନହଲରେ ଖେଳର ଯୋଗାଡ଼ ହେଲା । ଲୋକେ ଷଣ୍ଢକୁ ନାନା ପ୍ରକାର ପ୍ରଶ୍ନ ପଚାରିଲେ । ଜଣେ ପଚାରିଲେ, “ଆମର ଯେଉଁ ନୂଆ ଜିଲ୍ଲା ସାହେବ ଅଛନ୍ତି ସେ ଭଲ ନା ମନ୍ଦ ?”

ଷଣ୍ଢ କହିଲା, “ସେ କଥା ତୁମେ କହିବ ନା ମୁଁ କହିବି ?” ସମସ୍ତ ହସିଲେ । ଜଣେ କହିଲା, “ତୁମେ ପରା ସବୁ ଜାଣ ବୋଲି କାଗଜରେ ବାହାରିଛି, ତୁମେ କହୁନାହଁ, ଆମେ କାହିଁକି କହିବୁ ? ପୁଣି ଆମେ ଯଦି କହିବୁ, ଦହସତ୍‌ ପାଇଲାବେଳକୁ ତୁମେ କ’ଣ ଆମର ପିଠିରେ ପଡ଼ିବ-।”

ଷଣ୍ଢ କହିଲା, “ମୁଁ ଯାହା ଶୁଣେ ତା’ ଉପରେ ସିନା ମତାମତ ଦିଏ । ଯାହାଙ୍କ ବିଷୟରେ କିଛି ନ ଜାଣେ, ତାଙ୍କ ବିଷୟରେ କ’ଣ ମତ ଦେବି ? ତୁମର ବା ସ୍ପଷ୍ଟ ମତ ଦେବାକୁ ଏତେ ଭୟ କାହିଁକି ? ରାଜାଙ୍କୁ ଡରି ଡରି ଏତେ ଦିନ ଗଲା । ସେ ଡର ବୋଧହୁଏ ଛାଡ଼ି ନଥିବ । ଏଥର ପୁଣି ଜିଲ୍ଲା ସାହେବଙ୍କୁ ଡର । ତାଙ୍କୁ ଡରୁ ଡରୁ ତାଙ୍କ ଅର୍ଦ୍ଦଳିକୁ ଡରିବ । ଏପରି ହେଲେ ଗଣତନ୍ତ୍ର ଶାସନର କେଉଁ ସୁଆଦ ପାଇବ । ଗଣତନ୍ତ୍ର ଏପରି ଅବସ୍ଥାରେ ନିଶ୍ଚୟ ବିଫଳ ହେବ ।”

ଗଣତନ୍ତ୍ର ଦଳର ସହକାରୀ ସଭାପତି ଆପତ୍ତି କରି ଉଠିଲେ, “ଗଣତନ୍ତ୍ର ବିଫଳ ହେବ ବୋଲି ଯାହା କହିଲ, ତାହା ଉଠାଇନିଅ । ଏଠାରେ ଗଣତନ୍ତ୍ର କହିଲେ ଗଣତନ୍ତ୍ର ଦଳକୁ ବୁଝାଏ । ଗଣତନ୍ତ୍ର ଦଳର ସମାଲୋଚନା ବରଦାସ୍ତ କରାଯିବ ନାହିଁ ।”

ବାସୁଆ ତାଙ୍କ କହିବା ଢଙ୍ଗ ଦେଖି ନିଜ କଥା ପ୍ରତ୍ୟାହାର କଲା । କହିଲା, “ମୁଁ ପ୍ରଜାତନ୍ତ୍ର କଥା କହୁଛି । ପ୍ରଜାତନ୍ତ୍ର ଚଳାଇବାକୁ ହେବ । ସେଥିପାଇଁ ତ୍ୟାଗ ଦରକାର, ସତ୍‌ସାହସ ଦରକାର-”

ଜଣେ ଶ୍ରୋତା ବାଧା ଦେଇ କହିଲେ, “ସର୍ବସାଧାରଣ ସଭା ଡକାଇ ପ୍ରଜାତନ୍ତ୍ର ପ୍ରଚାର ସମିତି ବସାଇବା ଘୋର ଅନ୍ୟାୟ ହେଉଛି । ପ୍ରଜାତନ୍ତ୍ର ପଢ଼ିବା ଖାଲି ପଇସାର ତ୍ୟାଗ ନୁହେଁ, ସମୟର ମଧ୍ୟ ।”

ଷଣ୍ଢ ଏକଥା ବୁଝିପାରିଲା ନାହିଁ । ବୁଝି ନ ପାରିବା ସ୍ଥଳେ କ୍ଷମା ପ୍ରାର୍ଥନା କରିବା ଶ୍ରେଷ୍ଠ ପନ୍ଥା ବୋଲି ସଦ୍ୟ ଶିଖିଥିବାରୁ କ୍ଷମା ମାଗି ପୁଣି ଆରମ୍ଭ କଲା, “ବର୍ତ୍ତମାନ ସମାଜରେ ଯେଉଁ ଦୁନୀତି ପଶିଗଲାଣି, ତାହା ସଜାଡ଼ିବାକୁ ହେବ ।”

ସମାଜ ସମ୍ୱାଦଦାତା ରାଗରେ ତମ ତମ ହୋଇ ଠିଆ ହୋଇ ହାତ ହଲାଇ, ମୁହଁ ଝାଡ଼ି କହିଲେ, “ତୁମର କାହିଁକି ଆମ ଦୁର୍ନୀତି ବିଷୟରେ ମୁଣ୍ଡ ଘୂରୁଛି ? ନିଜ ଦୁର୍ନୀତି କଥା ବୁଝ, ସଜାଡ଼-। ସମାଜରେ କିଛି ଦୁର୍ନୀତି ପଶି ନାହିଁ । ଭାଇମାନେ ! ସମାଜ କାହାଦ୍ୱାରା ପ୍ରତିଷ୍ଠିତ ଆପଣ ଜାଣନ୍ତି ନାହିଁ; ବର୍ତ୍ତମାନ ତାକୁ ଚଳାଉଛନ୍ତି ତାକୁ ଆପଣ ଚିହ୍ନନ୍ତି; ଯେ ତାହାର ପଛରେ ଅଛନ୍ତି ତାଙ୍କୁ ବି ଜାଣନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ପ୍ରଜାତନ୍ତ୍ର ପ୍ରଚାର ସମିତିର ଏ ବିଚିତ୍ର ପରିପ୍ରଚାରରେ ଆପଣମାନେ ବିଚଳିତ ହେବେ ନାହିଁ ।”

ସଭାରେ ଗଣ୍ଡଗୋଳ ହେଲା । ଷଣ୍ଢ-ଦଳପତି ବଡ଼ ବିବ୍ରତ ହୋଇପଡ଼ିଲେ । ସେ ପ୍ରଜାତନ୍ତ୍ର ଓ ସମାଜ ସମ୍ୱାଦଦାତାଙ୍କ ପାଖକୁ ଯାଇ ସେମାନଙ୍କୁ ନିଜ ଉଦ୍ଦେଶ୍ୟ ବିଷୟରେ ବୁଝାଇବାକୁ ଚେଷ୍ଟା କଲେ । ସମାଜ ସମ୍ୱାଦଦାତା ରାଗିଯାଇ କହିଲେ, “ମୋ ପାଖେ ଏ ମିଛ ଚଳିବ ନାହିଁ । ଆମେ କାଗଜରେ ପଢ଼ିଥିଲୁଁ, ମହାଦେବଙ୍କୁ ଖୋଜା ଚାଲିଛି । କିନ୍ତୁ ଆପଣଙ୍କୁ ମୁଁ ଚିହ୍ନେ; ଆପଣଙ୍କ ମୁଖପାତ୍ରଙ୍କ କଥା କହିବା ଢଙ୍ଗ ବି ଦେଖିଲି । ମୋର ପୂର୍ଣ୍ଣ ବିଶ୍ୱାସ ହେଉଛି ମହାଦେବଙ୍କୁ ଖୋଜିବା ଆଳରେ ଆପଣ ନୀଚ ଅଭିସନ୍ଧିମୂଳକ ପ୍ରଚାର ଚଳାଇଛନ୍ତି ।”

ଷଣ୍ଢ ଓ ଷଣ୍ଢ ଦଳ ବଡ଼ ହତୋତ୍ସୋହରେ ସଭା ଛାଡ଼ିଲେ । ଯେଉଁ ସମ୍ୱାଦଦାତା ସମ୍ୱଲପୁରଠାରୁ ସାଙ୍ଗରେ ଆସିଥିଲେ ସେ ବି ଇତିମଧ୍ୟରେ କୁଆଡ଼େ ଗଲେ ଭାରି ।

ଷଣ୍ଢ ଦଳରେ ଥିବା ବେପାରୀ ପ୍ରତିନିଧିମାନେ ଖବରକାଗଜବାଲାଙ୍କ ଅସହଯୋଗରେ ମ୍ରିୟମାଣ ହୋଇଯାଇଥିଲେ । ସରକାରର ବର୍ତ୍ତମାନ ଅବସ୍ଥାରେ ଖବରକାଗଜ ସେମାନଙ୍କର ଏକମାତ୍ର ଭରସା । ତାହା ହାତରୁ ଖସିଗଲେ, ଭବିଷ୍ୟତ୍‌ରେ ବେପାର କରିବା ବଡ଼ କଷ୍ଟସାଧ୍ୟ ହୋଇଯିବ । କଲିକତା, ଦିଲ୍ଲୀ ଓ ବମ୍ୱେରେ ବେପାରୀମାନେ ଖବର କାଗଜକୁ ହାତ କରିଛନ୍ତି। କିନ୍ତୁ ସେମାନେ ନିଜ ଅନୁଭୂତିରୁ ଜାଣିଛନ୍ତି, ଟଙ୍କା ଓ ବିଜ୍ଞାପନ ଲୋଭରେ ଦେଶୀ ଭାଷାରେ ପ୍ରକାଶିତ କାଗଜକୁ ଅକ୍ତିଆର କରି ହୁଏ ନାହିଁ । ଏମାନଙ୍କୁ ଅକ୍ତିଆର କରିବା ଏକମାତ୍ର ଉପାୟ ଏମାନଙ୍କୁ କଥାରେ ଆପଣାର କରିବା । ଷଣ୍ଢ ଛାଡ଼ି କଟକ ଫେରି ଯିବେ । ସେମାନଙ୍କର ସନ୍ଦେହ ହେଲା, ଷଣ୍ଢ ଉଡ଼ାଜାହାଜରେ ଟିକିଏ ହାଉଆ ଖାଇବେ ବୋଲି, ସରକାର ହାକିମ ଦିଲ୍ଲୀ ସିମଳାରେ କାମ ପକାଇଲା ପରି, ସେମାନଙ୍କୁ ଭୂଆଁ ବୁଲାଉଛି । କିନ୍ତୁ ଦଳପତି ପରାମର୍ଶ ଦେଲେ,“ଏତେ ଗୁଡ଼ାଏ ଖର୍ଚ୍ଚ କଲେଣି! ଆଉ ଟିକିଏ ଧୈର୍ଯ୍ୟ ଧରିବା ଦରକାର ।” ସମସ୍ତେ ତୁନୀ ହେଲେ ।

ସେ ରାତିକ ବଡ଼ ନୈରାଶ୍ୟରେ କଟିଲା । ଡାକବଙ୍ଗଳା ବା ସର୍କିଟ୍‌ ହାଉସକୁ ନ ଯାଇ, ମାରୁଆଡ଼ି ଧର୍ମଶାଳରେ ମଧ୍ୟ ନ ରହି, ଷଣ୍ଢ ଦଳ ଉଡ଼ାଜାହାଜ ପକ୍ଷୀ ତଳେ ରାତି କଟାଇଲେ । ଷଣ୍ଢ ସବୁଠାରୁ ବେଶୀ ନିରାଶ ହୋଇଥାଏ । କଟକ ଖେଳରେ ବକ୍ତୃତା ଦେଇ ତା’ମନରେ ଗୋଟିଏ ଧାରଣା ହୋଇଯାଇଥିଲା, ସେ ଖୁବ୍‌ କହିପାରେ । ବଡ଼ ସଭା ବକ୍ତୃତା ଦେବା ଓ ଘରୋଇ ଆଲୋଚନାରେ କହିବା ଭିତରେ ଏତେ ତଫାତ ! ସଙ୍ଗୀମାନଙ୍କ ସହିତ କଥାବର୍ତ୍ତା ମଧ୍ୟ ବନ୍ଦ କରିଦେଇ ସେ ତୁନି ହୋଇ ନିଜେ ପୂର୍ବ ସନ୍ଧ୍ୟାରେ କହିଥିବା କଥାକୁ ପାଗୁଳି କରୁଥାଏ । ଭଦ୍ରଲୋକଗୁଡ଼ିକ କାହିଁକି ଏତେ ବିଗିଡ଼ିଗଲେ, ସେ କିଛି ଠଉରେଇପାରୁ ନଥାଏ ।

ସକାଳୁ ବେଳାବେଳି ଉଡ଼ାଜାହାଜ ଭୂଇଁ ଛାଡ଼ିଲା । ଘୋର ଦୁଃଖ ଉପରେ ଅପ୍ରତ୍ୟାଶିତ ସୁଖ ଆସି ପହଞ୍ଚିଯାଏ । ବାସୁଆର ଅବସ୍ଥା ସେଇଆ ହେଲା । ଉଡ଼ାଜାହାଜ ପ୍ରାୟ ଦୁଇ ହଜାର ଫୁଟ ଉପରକୁ ଉଠିଛି କି ନାହିଁ ସେ ଦେଖିଲା, ବଲାଙ୍ଗିର ପାଖ ମଟଖାଇ ପର୍ବତର ଗୋଟିଏ ଖୋଲରେ ମହାଦେବ ଗୋଟିଏ ବଡ଼ ପଥର ଚଟାଣ ଉପରେ ତଳକୁ ମୁହଁପୋତି ବସିଛନ୍ତି । ବାସୁଆ କିଛି ନ କହି ସେଇ ପାଖକୁ ଯିବାକୁ ଚାଳକକୁ ସଙ୍କେତ ଦେଲା । ଉଡ଼ାଜାହାଜ ମହାଦେବ ବସିଥିବା ଥାନାର ପାଖ ହୋଇ ତଳିଆ ହୋଇ ଉଡ଼ନ୍ତେ, ଷଣ୍ଢ କାହାକୁ କିଛି ନ କହି, ‘ମହାପୁରୁ’ ବୋଲି ଗୋଟିଏ ବଡ଼ ହମ୍ୱାଳି ଛାଡ଼ି ଉଡ଼ାଜାହାଜରୁ ତଳକୁ ଡେଇଁପଡ଼ିଲେ। ତା’ର ଶବ୍ଦ ଏତେ ଉଚ୍ଚ ଥିଲା ଯେ ତା’ ଆଗରେ ଉଡ଼ାଜାହାଜର ଗର୍ଜନ ଭ୍ରମରର ଗୁଞ୍ଜନ ପରି ମନେ ହେଲା । ମହାଦେବ ଉପରକୁ ଚାହିଁଦେଲେ, ବୋଧହୁଏ ତାଙ୍କରି ଅନୁଗ୍ରହରୁ ଷଣ୍ଢ ଯାଇ ସର୍ବଶୁଭରେ ମହାଦେବଙ୍କ ଗୋଡ଼ତଳେ ଠିଆ ହୋଇଗଲା । ମହାଦେବଙ୍କ ତୃତୀୟ ଚକ୍ଷୁ ବନ୍ଦ ଥାଏ । ତେଣୁ ସେ ଉଡ଼ାଜାହାଜକୁ ଚାହିଁବାରୁ ତାହାର କିଛି କ୍ଷତି ହେଲା ନାହିଁ ।

ଷଣ୍ଢଦଳବାଲା କିନ୍ତୁ ମ୍ରିୟମାଣ ହେଲା । ଷଣ୍ଢ ଡେଇଁ ପଡ଼ିବାରେ ସେମାନଙ୍କ ଆଖି ଖୋସି ହୋଇଯାଇଥିଲା କିନ୍ତୁ ଷଣ୍ଢ ଯାଇ ମହାଦେବଙ୍କ ପାଖେ ପହଞ୍ଚିବାରେ ସେମାନେ ନୈରାଶ୍ୟରେ ମ୍ରିୟମାଣ ହେଲେ । ମହାଦେବଙ୍କ ସଙ୍ଗେ ଦେଖା ହେବା ଆଶା ସେମାନଙ୍କର ମଉଳିଗଲା । ଉଡ଼ାଜାହାଜ ଘାଟିରେ ଓହ୍ଲାଇ ଚାଲି କରି ଯାଇ ଥାନ ମୁଣ୍ଡରେ ପହଞ୍ଚିଲା ଯାଏଁ କ’ଣ ମହାଦେବ ଅପେକ୍ଷା କରିବେ । ଗତ ରାତିରେ ଷଣ୍ଢ ପ୍ରତି ଟିକିଏ ମନ୍ଦ ବ୍ୟବହାର କରିଥିବାରୁ ସେମାନେ ନିଜେ ନିଜକୁ ଦୋଷିଲେ । କଟକ ଫେରିବା ନା ମହାଦେବଙ୍କ ପାଖକୁ ଯିବା ବିଚାରୁଛନ୍ତି ଏଇ ସମୟରେ ଷଣ୍ଢ ସଙ୍କେତ ଦେଲା, ଶୀଘ୍ର ଓହ୍ଲାଇ ଆସିବାକୁ ।

ସେମାନେ ଯାଇ ପହଞ୍ଚିଲାବେଳକୁ ମହାଦେବ ଓ ବାସୁଆ ନିବିଷ୍ଟଭାବେ କଥାବାର୍ତ୍ତାରେ ଲାଗିଛନ୍ତି । ଖଣ୍ଡ ଦୂରରେ ସେମାନେ ଠିଆ ହୋଇ ମହାଦେବଙ୍କୁ ଚାହିଁଥାନ୍ତି । ଏଇ ଲୋକଟା ପାଇଁ ସେମାନେ ଏତେ ଖର୍ଚ୍ଚାନ୍ତ ହେଲେ କାହିଁକି ? ଦେଖିବାକୁ ତ ପ୍ରାୟ ଆମରି ଦେଶୀ ଦାଢ଼ିଆ ପରି । ଦେବତା କ’ଣ ଆମରି ଏଇ ମଣିଷ ! ଏହିପରି ସମସ୍ତେ ଭାଳୁଛନ୍ତି, ମହାଦେବ ଡାକିଲେ “ଆରେ ବାୟା ! ଆସ, ଆସ । ତମ କଥା ମୁଁ ବାସୁଆଠାରୁ ସବୁ ଶୁଣିଲିଣି । ସାମାନ୍ୟ ପଇସା ପାଇଁ ରାଜ୍ୟଟାକୁ କେଡ଼େ ଦହସତ କଲ । ମୁଁ ବି ଗୁଡ଼ାଏ ହିନସ୍ତା ହେଲି । ବାସୁଆ କହୁଛି, ମୁଁ ନ ରାଗି ଟିକିଏ ସମ୍ଭାଳିଯାଇଥିଲେ ହୋଇଥାନ୍ତା । ମତେ ସମସ୍ତେ ଏମିତି ଖୁଣନ୍ତି, କିନ୍ତୁ ଅନ୍ୟାୟ ଦେଖିଲେ ରାଗ ସମ୍ଭାଳିବା କେଡ଼େ କଷ୍ଟ ସେ କଥା ଭାବନ୍ତି ନାହିଁ। ହଉ, ଏଇ ସାଙ୍ଗେ ସାଙ୍ଗେ କ’ଣ ବର୍ଷା ଦରକାର ?”

ଦଳପତି କିଛି କହିବା ପୂର୍ବରୁ ବାସୁଆ କହିଲା, “ମହାପୁରୁ ତାଙ୍କୁ ପଚାରୁଛନ୍ତି କ’ଣ ? ସବୁ ପରା କହିଲି । ମୁଁ ଦି’ଠେଙ୍ଗା ମାଡ଼ ଖାଇଲି ବୋଲି ଆପଣ ରାଜ୍ୟ ତମାମ ଲୋକଙ୍କୁ ମାରିଦେବାକୁ ବସିଛନ୍ତି ! ବର୍ଷା ହେଉ । ମୁଁ ତ ଗୋରୁ ବାପୁଡ଼ା । ଆପଣଙ୍କ ପାଖେ ଅଛି ବୋଲି ସିନା ! ନ ହେଲେ ଷଣ୍ଢ ହୋଇ ମର୍ତ୍ତ୍ୟରେ ବୁଲୁଥିଲେ ତେଣ୍ଟା ଖାଉଥାନ୍ତି କି ଧରାଣ ହୋଇ ଶଗଡ଼ରେ ଯୋଚା ହୋଇ ପାଞ୍ଚଣ ମାଡ଼ ଖାଉଥାନ୍ତି, କେଜାଣି ?”

ମହାଦେବ ହସି ହସି କହିଲେ, “ମିଛରେ କ’ଣ କହନ୍ତି ଗଧ, ଘୋଡ଼ା ଓ ଗୋରୁଙ୍କର ମୁହୂର୍ତ୍ତକ ପରେ ମାଡ଼ ପାସୋରି ଯାଏ ବୋଲି—

ସାରମେୟସ୍ୟ, ଅଶ୍ୱସ୍ୟ ଗର୍ଦ୍ଦଭସ୍ୟ, ବିଶେଷ୍ୟତଃ,

ମୁହୂର୍ତ୍ତାତ୍‌ ପରତଃ ନ ସ୍ୟାତ୍‌ ପ୍ରହାରଜନିତା ବ୍ୟଥା ।”

 

ଷଣ୍ଢ ଛାଡ଼ିବାର ପାତ୍ର ନୁହେ । ସେ କହିଲା, “ମହାପୁରୁ ! ଆପଣଙ୍କୁ ପରା କହନ୍ତି ଆଶୁତୋଷ !”

 

ମହାଦେବ ହସୁ ହସୁ ଆଖି ବନ୍ଦ କରି ଯୋଗାସନରେ ବସିଲେ । ଦେଖୁ ଦେଖୁ ଚାରିଆଡ଼ୁ ମେଘ ଘୋଟି ଆସିଲା । ମେଘ ଅନ୍ଧାର ଘୋଟିଗଲା ବେଳକୁ ପାଞ୍ଚ ଜଣଯାକ ବେପାରୀ ମହାଦେବଙ୍କଠାରୁ ଟିକିଏ ଛାଡ଼ି, ତଳକୁ ମୁହଁ ମାଡ଼ି ପାଁପଡ଼ି ଶୋଇଥାନ୍ତି ।

 

ଦୁଇଟା ଚାରିଟା ଘଡ଼ଘଡ଼ି ପରେ ବର୍ଷା କୁଟିଲା । ବାସୁଆ ବେପାରୀଙ୍କୁ ଚାହିଁ କହିଲା, “ଉଠିପଡ଼, ଉଠିପଡ଼, ଏଇଲେ ନାଲିପାଣି ବୋହିଗଲେ, ଲୁଗାପଟାତକ ମାଟି ହୋଇଯିବ ।”

 

ବର୍ଷା ଛାଡ଼ିଲା । ମହାଦେବ ମୁହଁ ପୋଛି ଆଖି ଖୋଲିଲେ; ବେପାରୀଙ୍କୁ ଚାହିଁ କହିଲେ, “ଆରେ ! ଆରେ ! ୟେ କ’ଣ? ତମେ କାହିଁକି ପାଣିରେ ସୁଡ଼ୁବୁଡ଼ ହେଉଛ ? ଏଥର ତମେ ଯାଅ । ଆମେ ବି ଫେରିବୁ ।” ବେପାରୀ ଉଠୁନଥାନ୍ତି ।

 

ମହାଦେବ ପଚାରିଲେ, “ଆରେ ! ଆଉ କଣ ମାଗିବ ଯେବେ କହୁ ନାହିଁ ? ଏମିତି ପଡ଼ି ରହିଲେ ମୁଁ କ’ଣ ବୁଝିବି ?”

 

ସାହାସ ପାଇ ଦଳପତି ଠିଆ ହେଲେ; ତାଙ୍କ ପଛକୁ ଆଉ ସମସ୍ତେ ଗୋଟେ ଗୋଟେ ହୋଇ ଉଠି ହାତ ଯୋଡ଼ି ଠିଆ ହେଲେ । ଦଳପତି କହିଲେ, “ମଣିମା ! ସର୍ବସାଧାରଣ କାର୍ଯ୍ୟ ତ ହୋଇଗଲା । ଆମର ନିଜର ଗୋଟିଏ ଦୁଃଖ ଅଛି । ସରକାର ଆମକୁ ବିକ୍ରୀ ଟିକସ୍‌ ବାବଦରେ ବଡ଼ ହଇରାଣ କରୁଛନ୍ତି । ସେଥିରୁ ଆପଣ ଆମକୁ ତ୍ରାହି କରନ୍ତୁ ।”

 

ବିକ୍ରୀ ଟିକସ୍‌ କ’ଣ, ଓ ସରକାର କାହିଁକି ହଇରାଣ କରୁଛନ୍ତି ବୁଝି ମହାଦେବ କହିଲେ, “ଆରେ ବାୟା ! ତମେ ତ ଅଦାବେପାରୀକୁ ଜାହାଜ ଖବର ପଚାରୁଛ, ୟେ ଆମ କାମ ନୁହେଁ । ଲୋକଙ୍କଠାରୁ ବିକ୍ରୀ ଟିକସ ଆଦାୟ କରିବାକୁ ଆମେ କହିନାହୁଁ, କି ସେ ଟିକସରୁ ରକ୍ଷା ପାଇବା ସକାଶେ ମିଛ ହିସାବ ଲେଖିବାକୁ ଆମେ କହିନାହୁଁ । ଏ ସବୁ ମଣିଷଙ୍କର ନିଜ କାମ । ଆମର ମୋଟା ମୋଟି କେତେଟା ସାଧାସିଧା କାମ, ସୂର୍ଯ୍ୟ-ଚନ୍ଦ୍ରଙ୍କୁ ନିୟମିତି ଚଳାଇବା, ବର୍ଷା ଖରା କରାଇବା, ଜନ୍ମ ମୃତ୍ୟୁର ଖବର ବୁଝିବା । ବାକୀ ସବୁ ତମ ମନ ଅନୁସାରେ ତମେ କରୁଛ । ତମ ବୁଦ୍ଧି ଅନୁସାରେ ତାକୁ ନିର୍ବାହ କର । ଯଦି ତୁମ ବୁଦ୍ଧିକୁ ନ କୁଳାଉଛ, କଟକ କଲିକତାରେ ବୁଦ୍ଧି ବିକା ହେଉଛି, ଯାଅ କିଣ । ବାସୁଆ ତ କହୁଛି, ଦିଲ୍ଲୀରେ ସବୁଠାରୁ ତାରିଫ୍‌ ବୁଦ୍ଧି ଓ ବିଚାର ସୁପ୍ରିମକୋଟରେ ଜଜ୍‌ ଓ ଆଡ଼ଭୋକେଟ୍‌ମାନେ ବିକୁଛନ୍ତି । ଯାଅ, ଯାଅ, ମୋତେ ଆଉ ଦହସତ୍ ଦିଅନାହିଁ । ମୁଁ ଛ’ ମାସ ହେଲା ଘର ଛାଡ଼ି ଆସିଲିଣି । ପିଲାପିଲିଙ୍କ କଥା ଭାବି ମନ ଚଞ୍ଚଳ ହେଲାଣି ।”

 

ବେପାରୀ ଦଳ ମନ ଦୁଃଖରେ ଇଂରାଜି-ଫେସନ୍‌ରେ ମୁଣ୍ଡ ସିଧା ରଖି ହାତ ଟେକି ବିଦାୟ ନେଲେ ।

 

ଏକୁଟିଆ ହେବାରୁ ମହାଦେବ କହିଲେ, “ବାସୁ, ବେଗେ ସଜ ହୁଅ, ଏଥର ଯିବା । ମାଇକିନିଆଟା ଆସିବ ବୋଲି କହୁଥିଲା । ଯେବେ ଆସି ଥାଆନ୍ତା !”

 

ବାସୁଆ—ଆଜ୍ଞା, ସେକଥା ପଚାରୁଛନ୍ତି ! ଆପଣଙ୍କୁ ଯେତେବେଳେ ପୁଲିସବାବୁ ନେଇଗଲେ, ସେତେବେଳେ ସେ ନିରିମାଖୀ ହୋଇଯାଇଥାନ୍ତେ ।

 

ମହାଦେବ—ତୁ ସିନା ସେଦିନ ଟିକିଏ ମିଶିଗଲୁବୋଲି । ନହେଲେ କ’ଣ ମୁଁ ତାକୁ ନିବର୍ତ୍ତାଇ ପାରିଥାନ୍ତି କି ? ଆସିଥାନ୍ତି ଯେବେ କେଉଁ ହାକିମ କି ମନ୍ତ୍ରୀ ଆଦରି ରହିଯାଇଥାନ୍ତା ।

 

ବାସୁଆ—ଆଜ୍ଞା, ମା’ଙ୍କୁ ଏମିତି କହୁଛନ୍ତି ?

 

ମହାଦେବ—ଆରେ ମୁଁ କ’ଣ କହୁଛି, କାହାକୁ ବିଭା ହୋଇଥାନ୍ତା ବୋଲି । ଆଜିକାଲି ତ ବିଭା ହେବାକୁ ସରକାର ଅନୁମତି ଦରକାର ହେଉଛି । କାହା ଘରେ ଧାଈମା ହୋଇ ପିଲା ଧରିବାକୁ, ରୋଷେଇ କରିବାକୁ ରହିଯାଇଥାନ୍ତି । ଥାଉ ଯା, ସେକଥା ପକାଇ ଫଳ ନାହିଁ । ଚାଲ, ଉଠ ।

 

ବାସୁଆ ଉଠିବାକୁ ସଜିଲ ହେଉ ହେଉ ପଚାରିଲା, “ମହାପୁରୁ ! ଏ ମର୍ତ୍ତ୍ୟରେ ଯେଉଁ ରବାଦ ଘୋଟିଛି ତାହା ସୁଧୁରିବ ନା ଇମିତି ହୋଇ ପ୍ରଳୟ ହେବ ?”

 

ମହାଦେବ—କାଇଁ, ନିକଟରେ ତ ପ୍ରଳୟ ହେବାକୁ ନାହିଁ । ଖଣ୍ଡପ୍ରଳୟ ଗୋଟିଏ ଗୋଟିଏ ହେଲେ ହେବ । ଏ ଅବସ୍ଥା ଶେଷରେ ସୁଧୁରିବ । ଏମିତି କେତେଥର ଦୁର୍ନୀତି ଘୋଟିଛି, ସୁଧୁରୁଛି । ରାମ, କୃଷ୍ଣଙ୍କ ବେଳେ ଅଧର୍ମ ଘୋଟିଥିଲା, ସୁଧୁରିଲା । ବୁଦ୍ଧଦେବ, ଶଙ୍କର ଓ ଚୈତନ୍ୟଙ୍କ ବେଳେ ମଧ୍ୟ ହୋଇଥିଲା । ଏବେ ସେଇପରି ହେଉଛି, ସୁଧୁରିବ ।

 

ବାସୁଆ—ଆଜ୍ଞା, ଆସନ୍ତା ନିର୍ବାଚନ ପୂର୍ବରୁ ସୁଧୁରିବ ଟି ?

 

ମହାଦେବ ଈଷିତ୍‌ ବିରକ୍ତିରେ କହିଲେ, “ଆରେ, ନିର୍ବାଚନରେ ଆମର କ’ଣ ଅଛି । ଅନନ୍ତକାଳର ଏ ପାଞ୍ଚବର୍ଷିଆ ନିର୍ବାଚନ କି ତୁଚ୍ଛ ବିଭାଗ ? ଆମର ତ ମୁହୂର୍ତ୍ତ ଭିତରେ ଏମିତି କୋତୋଟି ନିର୍ବାଚନ ହେବ ଓ ଶେଷ ହେବ । ଏ ନିର୍ବାଚନ ବେଳକୁ ଅବସ୍ଥା ନ ସୁଧୁରିଲେ, ଆରଟା ବେଳକୁ ସୁଧୁରିବ, ନହେଲେ ତା’ ଆରଟା ବେଳକୁ ।”

 

ବାସୁଆ—ଆଜ୍ଞା, ବର୍ତ୍ତମାନ ଯେଉଁ ମଣିଷ ସବୁ ସଂସାରରେ ଘାଣ୍ଟି ହେଉଛନ୍ତି, ତାଙ୍କର ଜୀବଦ୍ଦଶା ଭିତରେ କିଛି ଫଇସଲା ହେବ ନାହିଁ ?

 

ମହାଦେବ—କ’ଣ ଗୁଡ଼ାଏ କହୁଛ ମ ବାସୁଆ ! ଗୁଡ଼ାଏ ଦିନ ମର୍ତ୍ତ୍ୟରେ ରହି ଖବରକାଗଜ ପଢ଼ାପଢ଼ି କରି ତୋ ମନ ଏକାବେଳକେ ବିଗିଡ଼ିଗଲାଣି । ୟାକୁ ସଜାଡ଼ିବାକୁ ପରିଶ୍ରମ କରିବାକୁ ହେବ । ହଇରେ, ମଣିଷ କ’ଣ ନିଜ ଜୀବନରେ ସୁଖ ଭୋଗ କରିବ ବୋଲି ଚାହିଁ ବସିଛନ୍ତି ପରା ! ମୁଁ ଜାଣେ, ଲୋକେ ନିଜ ପେଟକୁ ନ ଖାଇ ପୁଅ ନାତିଙ୍କ ପାଇଁ ସାଇତନ୍ତି । ପୁଅ ନାତି ସୁଖରେ ରହିବେ ବୋଲି ଜାଣିଲେ ଆନ୍ଦରେ ମରନ୍ତି । ସ୍ତ୍ରୀଲୋକମାନେ ତ ୧୭/୧୮ ବର୍ଷରେ ପିଲା ଜନ୍ମ ହେବା ମାତ୍ରେ ପିଲାଙ୍କଠାରେ ଆତ୍ମସମର୍ପଣ କରିଦିଅନ୍ତି; ପିଲାଙ୍କ ହେପାଜତ୍‌ କରିବାରେ, ପିଲାଙ୍କୁ ଭବିଷ୍ୟତ ପାଇଁ ତିଆରି କରିବାରେ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ଭୁଲିଯା’ନ୍ତି । ପୁରୁଷ ଟିକିଏ ସ୍ୱାର୍ଥପର; ତିରିଶ ବର୍ଷ ପର୍ଯ୍ୟନ୍ତ ନିଜ ସୁଖ ବୁଲନ୍ତି, ନିଜ ଆତ୍ମାକୁ ସୁଖ ଦେବେ ବୋଲି ଭ୍ରମରେ ପଡ଼ି ଗୁଡ଼ାଏ ଅନ୍ୟାୟ ଅତ୍ୟାଚାର କରନ୍ତି । ତା’ପରେ ମନ ଘର ଧରିଯାଏ । ପିଲେ କିପରି ସୁଖରେ ରହିବେ, ଅଭାବରେ ପଡ଼ିବ ନାହିଁ ଏଥିପାଇଁ ଚେଷ୍ଟିତ ହୁଅନ୍ତି । ବର୍ତ୍ତମାନ କ’ଣ ସେପରି ହେଉନାହିଁ ?

 

ବାସୁଆ—ହେଉଛି ଯେ, ପୁଅ ଝିଅଙ୍କ ସୁଖ ଦୁଃଖ ବଡ଼ ସଂକୀର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ନିଜ ପୁଅ ପାଇଁ ସାଇତୁଛନ୍ତି, ପଡ଼ିଶାଘରର ପିଲା ଭୋଖରେ ଚାହିଁ ରହିଛି । ତା’ ଠାରୁ ନିଜ ପିଲାର ଯେ ବିପଦର ସମ୍ଭାବନା ଅଛି ତାହା ସମଜି ପାରୁନାହାନ୍ତି। ପାଞ୍ଚଜଣ ସନ୍ତୋଷରେ ରହିଲେ ସିନା ତା’ରି ଭିତରେ ନିଜ ପିଲା ଶାନ୍ତିରେ ରହିପାରିବ । ସେ କଥାଟି ଧରିପାରୁନାହାନ୍ତି ।

 

ମହାଦେବ କହିଲେ—ଏ ତ ଗୋଟିଏ ରୋଗ । ଏତେ କବିରାଜ ଅଛନ୍ତି, ବୃହତ ଛାଗଳାଦି ଘୃତରେ ବହୁଳ ପ୍ରଚାର ନ କରୁଛନ୍ତି କିଆଁ ? ସେଥିରେ ବୁଦ୍ଧି ପ୍ରଖର ହୁଏ, ଭବିଷ୍ୟତ ଉଜ୍ଜ୍ୱଳ ଦିଶେ-

 

ବାସୁଆ—ଆଜ୍ଞା, ଏ ଓଷୁଅ ତ ମର୍ତ୍ତ୍ୟରେ ପାସୋରି ନାହାନ୍ତି । ମୁଁ ଶୁଣିଥିଲି, ଆପଣ ଯେଉଁ କଳା ସାହେବମାନଙ୍କୁ ଦେଖିଥିଲେ, ତାଙ୍କରି ଭିତରେ ଆଲୋଚନା ହେଉଥିଲା, ନିୟମିତ ଏ ଔଷଧ ବ୍ୟବହାର କରିବାକୁ ।

 

ମହାଦେବ—ନାଁ, ନାଁ,ଖାଲି ଛାଗଳାଦି ଘୃତରେ ତାଙ୍କର ଫଳ ହେବ ନାହିଁ । ସେ ଔଷଧ ସାଙ୍ଗକୁ, ମୁଣ୍ଡରେ କିଛି ଗୋଟିଏ ଲେପ ଦରକାର । ଆଜିକାଲି ସେମାନେ ବରଫ ଲଦୁଛନ୍ତି । ଖାଦ୍ୟ ଜିନିଷ ବରଫରେ ରଖି ଖାଉଛନ୍ତି । ଅନେକ ତ ନିଜ ଘରେ ବରଫ କଳ ରଖିଲେଣି । କିନ୍ତୁ ତା’ଠାରୁ ବେଶୀ ଉପକାର କରନ୍ତା, ପୁରୁଣା ପଙ୍କ । ତତେ, ଅବସ୍ଥା ଖରାପ ହେଲାଣି ବୋଲି ସିନା ଜଣାଯାଉଛି, ତାଙ୍କୁ ତ ଜଣା ପଡ଼ୁନାହିଁ । ଯେତେବେଳେ ଜଣା ପଡ଼ିବ, ସେତେବେଳେ ବଳେ ବଳେ ପଙ୍କ ମୁଣ୍ଡେଇ ବସିବେ ଓ ଧୀର ସ୍ଥିର ଚିତ୍ତରେ ଚିନ୍ତା କରିବାକୁ ଆରମ୍ଭ କରବେ । ତୁ ଗୁଡ଼ାଏ ଗପିବାରୁ ଖରାପ ହେଲା । ସେମାନଙ୍କ ଚିନ୍ତା କରିବାର ସମୟ ପଛକୁ ଗଡ଼ିଲା ।

 

ବାସୁଆ ମହାପୁରୁ, କାହିଁକି ?

 

ମହାଦେବ—ଏତିକି ବୁଝିପାରୁ ନାହିଁ । ପେଣ୍ଡୁଟାକୁ ଫୋପାଡ଼ିଦେଲେ ସେ ଉପରକୁ ସଟକି ଯାଏ । କେହି ବିରୋଧ ସହନ୍ତି ନାହିଁ । ଖୁଣିଲେ, ଗାଲୁ କରନ୍ତି, ବାଧା ଦେଲେ, ଦୁଗୁଣେଇ ହୋଇ କରନ୍ତି । କିଛି ଯଦି ନ କହି ଖାଲି ଚାହିଁଥିବ, ତେବେ ମନକୁ ମନ ଆପଣା ପକେଇବା ଛେପ ଢୋକିବେ, ମନକୁ ସଜାଡ଼ି ହୋଇଯିବେ ।

 

ଏହା କହି ମହାଦେବ ଷଣ୍ଢ ଉପରେ ବସି କହିଲେ, “ଚାଲ, ଚାଲ, ଘରେ ଏଠା କଥା କିଛି କହିବୁ ନାହିଁ । କେଜାଣି ଦୁର୍ଗାଙ୍କର ଯଦି ମନରେ କ୍ଷୋଭ ହୁଏ ।”

 

ବାସୁଆ—ମହାପୁରୁ! ମର୍ତ୍ତ୍ୟକୁ ଆସି ଆପଣଙ୍କର ତ ଟିକିଏ ମତିଭ୍ରମ ହୋଇଛି । ଆପଣ ପରା କହନ୍ତି, ପୁଅ ଯେତେ ବିପଥଗାମୀ ହେଲେ ବି ମା’ ରାଗେ ନାହିଁ ।

 

ମହାଦେବ ହସିଲେ । କହିଲେ, “ମୋ ମତିଭ୍ରମ ନୁହେଁ ଯେ, ତୋରି ମତିଭ୍ରମ ଯୋଗୁଁ ତତେ ସେପରି ଜଣାଯାଉଛି । ମୁଁ କ’ଣ କହିଲି, ମୋ ରାଗିବ ବୋଲି ? କ୍ଷୋଭ ଆଉ ରାଗ କ’ଣ ସମାନ? ହଉ, ଚାଲ, ଚାଲ ।”

 

ଆସ୍ତେ ଆସ୍ତେ ବାସୁଆ ଉପରେ ମହାଦେବ ଅଦୃଶ୍ୟ ହୋଇଗଲେ ।

Image